Golak Bihari Sahoo

Tragedy Classics

4  

Golak Bihari Sahoo

Tragedy Classics

ଟ୍ରେନରେ ଦିନେ

ଟ୍ରେନରେ ଦିନେ

4 mins
217



 ଟି ଟି ଆଇ ବାବୁ! ଚେନ୍ନାଇରୁ ହାଓଡ଼ା ସାପ୍ତାହିକ ସ୍ପେଶିଆଲ ଏକ୍ସପ୍ରେସ ଟ୍ରେନର ଅବସ୍ଥା ଆଜି କଣ ଅଛି? ପ୍ଳାଟଫର୍ମରେ ଘୋଷକ ଏହି ଟ୍ରେନ ବିଷୟରେ କିଛି କହୁ ନାହାନ୍ତି କିମ୍ବା ଡିସପ୍ଳେ ବୋର୍ଡରେ ଏହି ଟ୍ରେନ ବିଷୟରେ କିଛି ତଥ୍ୟ ଆସୁନାହିଁ ।

- ସେହି ଟ୍ରେନଟି ଆଜି ଭୋରରୁ ପଳାଇ ଯାଇଛି। ଆପଣ ସେ ଟ୍ରେନ ବିଷୟରେ କାହିଁକି ପଚାରୁଛନ୍ତି?

- ରଘୁନାଥ ପକେଟରୁ ଟିକେଟଟିକୁ ବାହାର କରି ଦେଖିଲେ ।ଟ୍ରେନର ସମୟ ଥିଲା 00.30 ଘଣ୍ଟା 25 ତାରିଖ,ମାନେ 24 ତାରିଖ ମଧ୍ୟ ରାତ୍ର। ଆଜି 25 ତାରିଖ ମଧ୍ୟ ରାତ୍ର। ମୁଣ୍ଡ ରେ ହାତ ଦେଇ କିଛି ସମୟ ବସି ରହିଲେ। ତାଙ୍କର ଟ୍ରେନ ସମୟ 24 ତାରିଖ ମଧ୍ୟରାତ୍ର 12.30 ।କିନ୍ତୁ ତାହା 25 ତାରିଖ ମଧ୍ୟରାତ୍ର ନୁହେଁ। ଟ୍ରେନର ସମୟ ସବୁବେଳେ 24 ଘଣ୍ଟାର ହିସାବରେ ଦର୍ଶା ଯାଇଥାଏ,ଅର୍ଥାତ 00.00ଘଣ୍ଟାରୁ 24.00 ଘଣ୍ଟା ପର୍ଯ୍ୟନ୍ତ। 00.30 ଘଣ୍ଟାର 25 ତାରିଖକୁ ସେ 24 ତାରିଖ ମଧ୍ୟରାତ୍ର ହିସାବରେ ନ ନେଇ 25 ତାରିଖ ମଧ୍ୟରାତ୍ର ହିସାବରେ ବୁଝିବା ତାଙ୍କର ବଡ ଭୁଲ ହୋଇ ଯାଇଛି। ଶିକ୍ଷିତ ହୋଇବି ସେ ଏମିତି ଭୁଲ ଧାରଣାର ବଶବର୍ତ୍ତୀ କେମିତି ହେଲେ ସେଥିପାଇଁ ସେ ଅନୁତାପରେ ଦଗ୍ଧ ହେବାକୁ ଲାଗିଲେ। ଏବେ ସେ କରିବେ କଣ ?ବିଶାଖାପାଟଣାରୁ ଭୁବନେଶ୍ଵର ସେ ପରିବାର ନେଇ ଯାତ୍ରା କରିବାକୁ ପଡିବ। ତେଣୁ ଏବେ ସେ କେମିତି ଯାତ୍ରା କରିବେ ସେହି ଚିନ୍ତା ତାଙ୍କୁ ଘାରିଲା। ସଂରକ୍ଷିତ ଟିକେଟ ଆଗରୁ କରି ମଧ୍ୟ ଟ୍ରେନରେ ଯାତ୍ରା ଆମ ଦେଶରେ କେବେ ସୁଖଦ ହୋଇ ନାହିଁ । ପୁଣି ଅନ୍ୟ ଟ୍ରେନରେ ସାଧାରଣ ବଗିରେ ଯିବା ପାଇଁ ଟିକେଟ କରି ସୁଖଦ ଯାତ୍ରା ନ ହେଉ ପଛେ ଯେମିତି ହେଲେ କଷ୍ଟ କରି ଯିବାକୁ ହେବ। ଜାଣିବାକୁ ପାଇଲେ ରାତି 2 ଘଣ୍ଟିକାରେ ଆଉ ଗୋଟିଏ ଟ୍ରେନ ଅଛି ହାଓଡ଼ା ଯିବା ପାଇଁ। ସେଥିରେ ଯିବା ପାଇଁ ଟିକେଟ କରି ରାତ୍ରି 3 ଘଣ୍ଟିକାରେ ସେହି ଟ୍ରେନରେ ସେ ସପରିବାର ଚଢିଲେ। ଭାରତୀୟ ରେଳ ବିଭାଗରେ ସମୟାନୁବର୍ତ୍ତିତା ଆଶା କରିବା ମୂର୍ଖାମୀ। ଟ୍ରେନ ଯେଉଁଦିନ ଠିକ୍ ସମୟରେ ପହଞ୍ଚେ ତାହା ସୌଭାଗ୍ୟ ବୋଲି ମନେହୁଏ। ସାଧାରଣ ବଗିରେ ସାଧାରଣତଃ ଯାହା ଅବସ୍ଥା ଥାଏ। ବଗିରେ ଭୀଷଣ ଭୀଡ। କୌଣସିମତେ ବଗିରେ ପାଦ ରଖି ଠିଆ ହୋଇ ରହିଲେ । ସେ ତ କଷ୍ଟ ସହିଯିବେ , ଯେହେତୁ ନିଜେ ଭୁଲ କରିଛନ୍ତି । ସେ ଶାସ୍ତି ପାଇବା ଉଚିତ। କିନ୍ତୁ ନିଜର ସ୍ତ୍ରୀ ଓ ପିଲାମାନେ ଏ ଅବସ୍ଥାରେ ଯିବା ତାଙ୍କପାଇଁ ଭୀଷଣ ଦୁଃଖ ଓ କଷ୍ଟଦାୟକ। ସୌଭାଗ୍ୟକୁ ବିଜୟ ନଗର ଷ୍ଟେସନରେ କିଛି ଯାତ୍ରୀ ଓହ୍ଲାଇବା ପରେ ସେ କିଛି ସିଟ୍ ପାଇଗଲେ। ତିନିଜଣିଆ ସିଟ୍ ରେ ପାଞ୍ଚ ଜଣ ବସି ଯାତ୍ରା କରିବାକୁ ପଡିଲା। ସାମନା ସିଟ୍ ରେ ଦୁଇଜଣ ଓଡିଆ ସ୍ଵାମୀ ସ୍ତ୍ରୀ ବସି ଭୁବନେଶ୍ଵର ଯାଉଥିଲେ। ତାଙ୍କ ସହ କଥାବାର୍ତ୍ତା କରି ମନକୁ ହାଲୁକା କରିବାକୁ ଲାଗିଲେ। 

ସାମନା ସିଟ୍ ରେ ବସିଥିବା ଓଡିଆ ଭଦ୍ରବ୍ୟକ୍ତି ଜଣକ କହିଲେ-ଭାରତର ଲୋକସଂଖ୍ୟା ଅଧିକ। ଏତେ ଲୋକସଂଖ୍ୟା ବିଶିଷ୍ଟ ଦେଶରେ ଟ୍ରେନରେ ସୁଖଦ ଯାତ୍ରା ସ୍ଵପ୍ନରେ ହିଁ ରହିଯିବ। ଏହା ମଧ୍ୟରେ ରେଳ ବିଭାଗ ଯେତେ ସବୁ ବ୍ୟବସ୍ଥା କରନ୍ତି ତାହା ଯାତ୍ରୀମାନଙ୍କ ସୁବିଧା ଅପେକ୍ଷା ରେଳ ବିଭାଗରେ କିଭଳି ବେଶି ଲାଭ ହେବ ତାହା ଲକ୍ଷ ଥାଏ। ପ୍ରିମିୟର ଏକ୍ସପ୍ରେସ ଟ୍ରେନର ବ୍ୟବସ୍ଥା କରାଗଲା, ଯାତ୍ରୀମାନଙ୍କ ସଂରକ୍ଷିତ ଟିକେଟ କରିବାରେ ସୁବିଧା ପାଇଁ । ପ୍ରିମିୟର ଟ୍ରେନରେ ବିଶେଷ କିଛି ସୁବିଧା ନ ଥାଏ। ଟିକେଟର ମୂଲ୍ୟ ଏକ୍ସପ୍ରେସ ଟ୍ରେନର ଟିକେଟ ମୂଲ୍ୟର ପ୍ରାୟ ଦୁଇ ଗୁଣ । ବରଂ ଯେଉଁ ଭୀଡକୁ ସେହି ଭୀଡ। ଏହା କେବଳ ଯାତ୍ରୀମାନଙ୍କ ଅସୁବିଧାକୁ ପାଥେୟ କରି ଶୋଷଣ କରିବା ଛଡା କିଛି ନୁହେଁ । ରେଳବିଭାଗ ଯାତ୍ରୀମାନଙ୍କୁ ଶୋଷଣ ଯେମିତି କରନ୍ତି,କିଛି ଯାତ୍ରୀ ବି ଚେଷ୍ଟା କରନ୍ତି ରେଳ ବିଭାଗକୁ ଠକିବା ପାଇଁ । ଆଉ ଟିଟିଆଇମାନେ ଯାତ୍ରୀମାନଙ୍କର ଅସୁବିଧାର ସୁଯୋଗ ନେଇ ନିଜର ପକେଟ ଗରମ କରନ୍ତି,ରେଳ ବିଭାଗ ସହ ଧୋକାଦାରୀ କରି। 

ଜଣେ ଯୁବ ଛାତ୍ର ଟିଟିଆଇକୁ ଦେଖି ଟିକିଏ ବିଚଳିତ ହେଲା ପରି ଜଣା ପଡୁଥିଲେ। ଟିଟିଆଇ ପାଖକୁ ଆସିବା ପୂର୍ବରୁ ସେ ଶୌଚାଳୟ ଆଡକୁ ଚାଲିଯାଆନ୍ତି। ଶୌଚାଳୟ ଘରେ କିଛି ସମୟ ରହିବା ପରେ ପୁଣି ଆସି ସିଟ୍ ରେ ବସି ଯାଆନ୍ତି। ପୁଣି ଯେତେବେଳେ ଟିଟିଆଇ ଅନ୍ୟ ଦିଗରୁ ସିଟ୍ ଆଡକୁ ଆସିବା ଦେଖିଲେ ଅନ୍ୟ ପାର୍ଶ୍ଵରେ ଥିବା ଶୌଚାଳୟ ଆଡକୁ ଚାଲି ଯାଆନ୍ତି। ଏହିଭଳି ତାଙ୍କର ଟ୍ରେନ ଯାତ୍ରା ହେଉଥାଏ। ଟିଟିଆଇ ଖୋର୍ଦ୍ଧା ଷ୍ଟେସନରେ ଓହ୍ଲାଇ ଚାଲିଯିବା ପରେ ସେ ଖୁସି ହୋଇ ସିଟ୍ ରେ ବସି ରହିଲେ। ରଘୁନାଥ ବାବୁ ପଚାରିଲେ- କଣ ବାବୁ ! ତୁମେ ବିଚଳିତ କାହିଁକି ଦେଖା ଯାଉଥିଲ?ଯୁବ ଛାତ୍ର କହିଲେ-ମୁଁ ପ୍ରାୟ ପ୍ରତ୍ୟେକ ମାସରେ ଥରେ ଦୁଇ ଥର ବିଶାଖାପାଟଣାରୁ ଭୁବନେଶ୍ଵର ଏହିଭଳି ଯାତ୍ରା କରେ, ବିନା ଟିକେଟ ରେ । ବିଶାଖାପାଟଣାର କଲେଜରେ ପଢେ,ଭୁବନେଶ୍ଵର ଆମର ଘର। ମଞ୍ଚେଶ୍ବର ଷ୍ଟେସନ ପାଖରେ ମୋ ଭଳି ଅନେକ ଛାତ୍ର ଟ୍ରେନ ଚେନ ଟାଣି ଓହ୍ଲାଇ ପଡୁ। କେବେ ଧରା ପଡିଲେ 50 ଟଙ୍କା ଟିଟିଆଇକୁ ଦେଲେ ଛାତ୍ର ହିସାବରେ ସେ ବିବେଚନା କରି ଛାଡି ଦିଅନ୍ତି। ଟ୍ରେନ ଯାତ୍ରାରେ ଏହି ଅଭିଜ୍ଞତା ଆମକୁ ଆନନ୍ଦ ଦେଇଥାଏ। 

ବ୍ରହ୍ମପୁର ଷ୍ଟେସନରେ ତିନିଜଣ ଯୁବକ ତାଙ୍କ ବଗିରେ ଉଠି ଜଣେ ତାଙ୍କ ସାମନା ସିଟ୍ ରେ ଠେଲି ପେଲି ହୋଇ ବସିଲେ। ଆଉ ଦୁଇ ଜଣ ଉପରେ ଜିନିଷ ପତ୍ର ରଖିବା ସିଟ୍ ରେ ଚଢି ବସିଲେ। ପରଷ୍ପର ମଧ୍ୟରେ ହିନ୍ଦିରେ ବାର୍ତ୍ତାଳାପ କରୁଥିଲେ। କିଛି ସମୟ ପରେ ଉପରୁ ଗୋଟିଏ ପାଣି ବୋତଲ ତଳକୁ ପଡିଲା । ତଳେ ବସିଥିବା ଯୁବ ଯାତ୍ରୀ ଜଣକ ଉଠି ବୋତଲଟିକୁ ଉପରକୁ ବଢାଇ ଦେଲେ। ଖୋର୍ଦ୍ଧା ଷ୍ଟେସନରେ ସେ ତିନିଜଣ ଯାତ୍ରୀ ଓହ୍ଲାଇ ପଳାଇଲେ। ସାମନା ସିଟ୍ ରେ ବସିଥିବା ଦମ୍ପତ୍ତି ଭୁବନେଶ୍ଵରରେ ଓହ୍ଲାଇବେ। ସେମାନେ ଉପର ସିଟ୍ ରେ ରଖିଥିବା ଗୋଟିଏ ଏୟାର ବ୍ୟାଗ ଓ ଗୋଟିଏ ଛୋଟ ବ୍ରିଫ୍ କେଶକୁ ତଳକୁ ନେଇ ଆସିଲେ। ଦେଖିଲେ ବ୍ରିଫ୍ କେଶର ତାଲା ଭଙ୍ଗା ଓ ମେଲା ଅଛି। ସ୍ତ୍ରୀ ଲୋକଟି ଭୟ ଓ ଆଶଙ୍କାରେ ବ୍ରିଫ୍ କେଶଟିକୁ ଖୋଲି କାନ୍ଦିବାକୁ ଲାଗିଲେ । ସେଥିରେ ଗୋଟିଏ ସୁନାହାର ଗୋଟିଏ ପର୍ସ ଭିତରେ ରଖିଥିଲେ । ସେ ପର୍ସ ସେଥିରେ ନାହିଁ । ସେମାନେ ତାଙ୍କର ଭାଣେଜୀ ବାହାଘରରେ ଭାଣେଜୀକୁ ଉପହାର ଦେବାପାଇଁ ବିଶାଖାପାଟଣାରୁ କିଣି ଆଣିଥିଲେ। ଦାମ୍ 80 ହଜାର ଟଙ୍କା ।ତାଙ୍କ ସ୍ୱାମୀ ଓ ରଘୁନାଥ ବାବୁ ତାଙ୍କୁ ପ୍ରବୋଧନା ଦେଇ ଶାନ୍ତ କରାଇଲେ। ସେହି ଦୁଇ ଜଣ ଯୁବକ ଉପର ସିଟରେ ଚଢି ବ୍ରିଫ୍ କେଶ ଭାଙ୍ଗି ଚୋରି କରି ନେଇଛନ୍ତି ଜାଣି ପାରିଲେ ବି ଏବେ କଣ ଆଉ କରି ପାରିବେ ? 

ଆମ ଦେଶରେ ଅଧିକାଂଶ ଟ୍ରେନ ଦୁର୍ଘଟଣା ମାନବକୃତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ । ଏହାଛଡା ଏହିଭଳି ଅନେକ ଛୋଟ ବଡ ଅଘଟଣ ପ୍ରାୟ ନିତି ଦିନିଆ ଘଟଣା ଘଟେ । ଚୋର,ପକେଟମାର,ନିଶାଦ୍ରବ୍ୟ ଦେଇ ଯାତ୍ରୀଙ୍କୁ ବେହୋସ୍ କରାଇ ଯାତ୍ରୀଙ୍କର ଧନ ସମ୍ପତ୍ତି,ବେଳେ ବେଳେ ଯାତ୍ରୀଙ୍କର ପିନ୍ଧିଥିବା ପ୍ୟାଣ୍ଟ ସାର୍ଟ ଚୋରି କରିବାର କଳାରେ ନିପୁଣ ଅନେକ ଅସାଧୁ ତସ୍କର ଭଦ୍ର ବେଶରେ ଟ୍ରେନରେ ଯାତ୍ରା କରନ୍ତି । ଏ ସବୁ ପାଇଁ ସରଳ ବିଶ୍ଵାସୀ ଯାତ୍ରୀଙ୍କର ଅସତର୍କତା ଦାୟୀ ଓ ରେଳ ବିଭାଗର ସତର୍କ ପଦକ୍ଷେପର ଯଥେଷ୍ଟ ଅଭାବ ।ତେଣୁ ସ୍ଵାଧୀନ ଭାରତର ନାଗରିକ ହିସାବରେ ଲୋକ ଦେଖାଣିଆ ଗର୍ବ କଲେ କଣ ହେବ ? ସାଧାରଣ ଜନତା କେବେ ସ୍ଵାଧୀନ, ମାନେ ଶୋଷଣ ଓ ଅତ୍ୟାଚାରରୁ ମୁକ୍ତି ପାଇ ନିର୍ଭୟରେ ସହଜ ଓ ସୁବିଧାଜନକ ଜୀବନ ଉପଭୋଗ କରିବେ ତାହା କେହି ଭରସା ଦେଇ ପାରିବେ ନାହିଁ ।ନିଜେ ସଚେତନ ଓ ସତର୍କ ହୋଇ ଜଗତରନାଥ ଜଗନ୍ନାଥଙ୍କ ଭରସାରେ ବଞ୍ଚିବା ଛଡା ଅନ୍ୟଗତି ନାହିଁ । ଆଶ୍ବାସନା କେବଳ-“କରି କରାଉଥାଏ ମୁହିଁ, ତୋ ବିନୁ ଅନ୍ୟ ଗତି ନାହିଁ”। 

        



Rate this content
Log in

Similar oriya story from Tragedy