Golak Bihari Sahoo

Inspirational

3  

Golak Bihari Sahoo

Inspirational

ବଞ୍ଚ ଓ ବଞ୍ଚାଅ

ବଞ୍ଚ ଓ ବଞ୍ଚାଅ

4 mins
152


ଶୀତ ସକାଳର ସୁଶୀତଳ ପବନରେ ଦୀପକ ବାବୁଙ୍କ ଶରୀରରେ ଶିହରଣ ଖେଳିଯାଏ। ଶ୍ବେତ କାଶ୍ମୀର ଶାଲଟିକୁ ଦେହରେ ଢାଙ୍କି ଡ୍ରଇଙ୍ଗ୍ ରୁମରେ ଆରାମ ଚୌକିରେ ଦୀପକ ବାବୁ ବସି ପଡନ୍ତି। ଦଲକାଏ ଶୀତଳ ପବନ, ସାମ୍ନାରେ ଝୁଲୁଥିବା ଗାନ୍ଧିଜୀଙ୍କ ଫଟୋଟିକୁ ଦୋହଲାଇ ଦେବା ସଙ୍ଗେ ସଙ୍ଗେ ଦୀପକବାବୁଙ୍କ ମନକୁ ଦୋହଲାଇ ଦେଲା। ଝରକା ଦେଇ ଉଦୀୟମାନ ସୂର୍ଯ୍ୟଙ୍କ ଆଡକୁ ଦୃଷ୍ଟି ନିପାତ କରୁ କରୁ, ମନ ଆକାଶରେ କେମିତି କେଜାଣି ଜାଜ୍ଜୁଲ୍ୟମାନ ତିନୋଟି ତାରକା ଉଙ୍କି ମାରିଲେ - ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ।

 ବାଲ୍ଯ କାଳରେ ଦୀପକବାବୁ ଗ୍ରାମ୍ଯ ପରିବେଶରେ ବଢି ଗାଁ ସ୍କୁଲର ଜଣେ ମେଧାବୀ ଛାତ୍ର ଥିଲେ। ମନ ନିଷ୍କପଟ, ସରଳ, ଛନ୍ଦହୀନ ଚିତ୍ରପଟ। ନିଜ ଉତ୍ତମ ସ୍ୱଭାବ ଓ ଆଚରଣ ଯୋଗୁଁ ଓ ଉତ୍ତମ ବିଦ୍ଯାଧ୍ଯୟନ ଯୋଗୁଁ ସେ ଗ୍ରାମରେ ସମସ୍ତଙ୍କ ପ୍ରିୟଭାଜନ ଓ ପ୍ରଶଂସନୀୟ ଥିଲେ। ସ୍କୁଲ ଶିକ୍ଷା ପରେ ସହରରେ କଲେଜ ଶିକ୍ଷା ପ୍ରାପ୍ତ କଲେ। ସେଠାରେ ବି ସେ ଜଣେ ଆଦର୍ଶ ଛାତ୍ର ହିସାବରେ ପରିଗଣିତ ହେଲେ। ନିଜର ଆମାୟିକ ଉତ୍ତମ ଆଚରଣ ଯୋଗୁଁ ସେ ଛାତ୍ରମାନଙ୍କ ଗହଣରେ ଓ ଅଧ୍ଯାପକଙ୍କ ଗହଣରେ ସର୍ବଦା ପ୍ରଶଂସିତ ହେଉଥିଲେ। ନିଜର ଅଭିଲାଷ ଥିଲା, ସେ ଜଣେ ଆଦର୍ଶ ନାଗରିକ ହୋଇ ନିଃସ୍ୱାର୍ଥପର ଭାବେ ଦେଶ ସେବାରେ ନିଜକୁ ନିୟୋଜିତ କରିବେ। ପଢାଶୁଣାରେ ଯେପରି ପାରଦର୍ଶିତା ଲାଭ କରିଥିଲେ, କଲେଜରେ ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବି ସେ ଉତ୍କୃଷ୍ଟତା ପ୍ରଦର୍ଶନ କରୁଥିଲେ। ସେଥିପାଇଁ ସେ କେତେକ ଛାତ୍ରଛାତ୍ରୀଙ୍କର ଈର୍ଷାର ପାତ୍ର ବି ହେଉଥିଲେ। କିନ୍ତୁ ନିଜର ଆମାୟିକ ବନ୍ଧୁତ୍ବପୂର୍ଣ୍ଣ ପରୋପକାର ଆଚରଣରେ ଶତ୍ରୁକୁ ବି ନିଜର ବନ୍ଧୁ କରି ପାରୁଥିଲେ। ସେ ସମୟର କଥା ମନେପଡିଲେ ଦୀପକବାବୁ ଆଜି କାହିଁଁକି ନିଜକୁ ଅସହାୟ ଅପରାଧି ଭଳି ମନେ କରନ୍ତି। ମନେକରନ୍ତି-ଜ୍ବଳନ୍ତ ତେଜସ୍କ୍ରିୟ ବଳିତା ବିନା, ଶୁଷ୍କ ଦୀପଟି ସତେ ଯେମିତି ନିଷ୍କ୍ରିୟ ଅଲୋଡା ହୋଇ ପଡି ରହିଛି। ନିଜକୁ ପ୍ରଶ୍ନ କରନ୍ତି - ସେ ସମୟର ନିଷ୍କପଟ ସରଳ ଦୀପକକୁ କଳୁଷିତ ଭ୍ରଷ୍ଟାଚାରୀ ସ୍ୱାର୍ଥପର କରିଲା କିଏ?? କିଏ??

 କଲେଜ ଶିକ୍ଷା ପରେ ଜଣେ ଇଂଜିନିୟର ହିସାବରେ ନିଯୁକ୍ତି ପାଇଲେ। ସେହି ଦେଶ ସେବାର ମନୋବୃତ୍ତି ନେଇ ସେ ନିଷ୍ଠାପର ଭାବେ ନିଜ କାର୍ଯ୍ୟ ସଂପାଦନ କରିବାକୁ ଲାଗିଲେ। ମଣିଷ ନିଜକୁ ନିୟନ୍ତ୍ରଣ କରିବା ସହଜ କିନ୍ତୁ ଅନ୍ଯକୁ ନିୟନ୍ତ୍ରଣ କରିବା କଷ୍ଟକର। 

 କାର୍ଯ୍ୟାଳୟର ପାରଦର୍ଶିତା କେବଳ ଜଣେ ଅଧିକାରୀର ନିଷ୍ଠାପର, ଶୃଙ୍ଖଳିତ, ନିଃସ୍ୱାର୍ଥପର ସେବା ଉପରେ ନିର୍ଭର କରେ ନାହିଁ। କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗ ଓ ନିଷ୍ଠାପରତା ଉପରେ ବି ନିର୍ଭର କରେ। କେତେଜଣ କର୍ମଚାରୀଙ୍କ ଭ୍ରଷ୍ଟାଚାରିତା ସମ୍ପୂର୍ଣ୍ଣ ପରିବେଶକୁ କଳୁଷିତ କରିବାକୁ ଲାଗେ। ନିଜର ନିର୍ମଳ ଭାବ ମୂର୍ତ୍ତି ଓ ଆନ୍ତରିକ ଚେଷ୍ଟା ସତ୍ବେ ଭ୍ରଷ୍ଟାଚାରର ସମ୍ପୂର୍ଣ୍ଣ ଅନ୍ତ ହୁଏ ନାହିଁ। ମଣିଷର ଲୋଭ ଓ ଅସହିଷ୍ଣୁତା ଭାବ ନିଜର ନିର୍ବୋଧତାକୁ ଧିକ୍କାର କରେ। ଯେଉଁ ବ୍ଯାଧିରୁ ଆରୋଗ୍ଯ ମିଳେ ନାହିଁ, ତାକୁ ସହିବାକୁ ପଡେ। ସରଳ ନିଷ୍କପଟ ମନ ଧୀରେ ଧୀରେ କଳୁଷିତ ହୁଏ। ପରିବେଶ ସହିତ ଖାପ ଖୁଆଇ ଚାଲିବାକୁ ମନ ପ୍ରବର୍ତ୍ତାଏ। ଛାତ୍ର ଜୀବନରେ ଯେଉଁ ଉତ୍ତାଳ ମନ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବାକୁ ଅଗ୍ରସର ହେଉଥିଲା, ସେ ମନ ପଙ୍କିଳ ପରିବେଶରେ ସତେ ଯେମିତି ପଦ୍ମକଳିକା ସଂଗ୍ରହରେ ଉତଫୁଲ୍ଲିତ। ଏହା କଣ ମଣିଷ ଜୀବନର ଶ୍ରେଷ୍ଠ ଓ ଚରମ ଲକ୍ଷ୍ୟ?? 

 ଦୀପକବାବୁ ଧୀରେ ଧୀରେ ଭ୍ରଷ୍ଟାଚାର ରାକ୍ଷସର କବଳରେ ନିଜକୁ ଅସହାୟ ମନେକଲେ। ପ୍ରଥମେ ପ୍ରଥମେ ନିଜର ଅଂଶଧନକୁ ଅଗ୍ରାହ୍ୟ କରୁଥିଲେ। କିନ୍ତୁ ପରେ ଦେଖିଲେ ଯେ ଅନ୍ଯମାନେ ତାଙ୍କର ଅଂଶ ଦୁର୍ନୀତିଲବ୍ଧ ଧନକୁ ଭାଗ ବାଣ୍ଟି ନେଇ ଆନନ୍ଦ ମଉଜ କରୁଛନ୍ତି। ସେ ନିଜକୁ ମୂର୍ଖ ଓ ନିର୍ବୋଧ ମନେ କଲେ ଏବଂ ନିଜକୁ ଦୁର୍ନୀତିରେ ଲିପ୍ତ ହେବାକୁ ସହଜ ମନେ କଲେ। ଅନିଚ୍ଛାକୃତ ତାଙ୍କର ଏ ପରିବର୍ତ୍ତନ ପାଇଁ ଦାୟୀ କିଏ?? 

 ଧୀରେ ଧୀରେ ଏ ପରିବର୍ତ୍ତିତ ପରିବେଶରେ ସେ ଅଣନିଃଶ୍ୱାସୀ ହେବାକୁ ଲାଗିଲେ। ଦିନେ ସେ ନିଷ୍ପତ୍ତି ନେଲେ, ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ଅଂଶଗ୍ରହଣ କରି ନିଜକୁ ଦେଶସେବାରେ ନିୟୋଜିତ କରିବେ। ସେଥିରେ ସେ ବି କୃତକାର୍ଯ୍ୟ ହେଲେ। 

 ଦେଶ ସେବାରେ ନିଜକୁ ନିୟୋଜିତ କରି ଜନତାର ପ୍ରିୟ ଓ ପ୍ରଶଂସାଭାଜନ ହେଲେ। କିନ୍ତୁ ରାଜ ସେବାରେ ବି ଭ୍ରଷ୍ଟାଚାରର ପଦଧ୍ୱନି ତାଙ୍କ ମନ ଗହ୍ୱରରେ ସର୍ବଦା ପ୍ରତିଧ୍ଵନି ସୃଷ୍ଟି କଲା। ଧୀରେ ଧୀରେ ସେହି ପ୍ରତିଧ୍ଵନି ତାଙ୍କ ପାଇଁ ସଂଗୀତର ମୂର୍ଚ୍ଛନା ପରି ମନେ ହେଲା। ସେଥିରେ ସେ ଆନନ୍ଦିତ ହୋଇ ନାଚିବାକୁ ଲାଗିଲେ। ଆଜି ଜୀବନର ଅପରାହ୍ନରେ ସେ ଯେଉଁ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ହୋଇ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି ସେ ସବୁ ଜଣେ ଅପାରଗ, ଅକ୍ଷମ, କଳୁଷିତ ଭ୍ରଷ୍ଟାଚାରୀ ମଣିଷର ପାପ ଅର୍ଜିତ ଫଳ। ତା ମଧ୍ଯରେ ସେ ସବୁବେଳେ ଶୁଣୁଛନ୍ତି ସେ ଭ୍ରଷ୍ଟାଚାର ରାକ୍ଷସର ବିକଟ ଚିତ୍କାର ଓ ପରିହାସ ଏବଂ ନିଜ ଦଂଶିତ ବିବେକର ଆର୍ତ୍ତନାଦ। ତାଙ୍କର ସେହି ଯୁବକ ସୁଲଭ ଆଦର୍ଶବାଦ, ନିଃସ୍ୱାର୍ଥପର ଦେଶସେବା ମନୋବୃତ୍ତିର ମୃତ ଶବ ପାର୍ଶ୍ଵରେ ସେ ସତେ ଯେମିତି ବସି ରହି କ୍ରନ୍ଦନ କରୁଛନ୍ତି। ଏହାର ହତ୍ୟାକାରୀ କିଏ? ସେହି ଭ୍ରଷ୍ଟାଚାର ପରିବେଶ ରାକ୍ଷସ ନା ସିଏ ନିଜେ? ସେହି ଭ୍ରଷ୍ଟାଚାର ରାକ୍ଷସର ଜନ୍ମଦାତା ତ ସ୍ୱୟଂ ସିଏ ନିଜେ, ଏହି ମଣିଷ ସମାଜ। 

 ଘରର ଚାକର ଆସି ଡାକିଲା - ସାର୍, ଚା ଥଣ୍ଡା ହୋଇ ଗଲାଣି। ମୁଁ ପୁଣି ଗରମ ଚା ନେଇ ଆସୁଛି। ଚାକରର ଡାକରେ ଦୀପକବାବୁ ମନ ଆକାଶରୁ ସତେ ଯେମିତି ଲଥ୍ କରି ତଳେ ଓହ୍ଲାଇ ପଡିଲେ ବାସ୍ତବ ଜୀବନକୁ। ମନ ଓ ବିବେକର ଦଂଶନ ଅସହ୍ୟ ମନେହେଲା। 

ସେ ପଶ୍ଚାତାପର ଜ୍ୱାଳାରୁ ମୁକ୍ତି ପାଇବା ପାଇଁ ଚିତ୍କାର କରିବାକୁ ଲାଗିଲେ। ଭାବିଲେ, ଏ ସବୁ ଅର୍ଜିତ ସଂପତ୍ତିର ସେ ଅଧିକାରୀ ନୁହନ୍ତି। ଏ ସବୁ ସମ୍ପତ୍ତି ଦେଶର, ସମାଜର। ନିଜର ପୁତ୍ର କନ୍ୟା ପାଇଁ ଏହାକୁ ସଞ୍ଚିତ କରି ରଖିବା ଅବାଞ୍ଛନୀୟ। 

 ନିଜର ଗୁମାସ୍ତା ଓ ଓକିଲକୁ ଡାକି ନିଜର ଅଭିଳାଷକୁ ଲେଖି ସ୍ଥିର ନିଶ୍ଚିତ କଲେ। ଦେଶର ମଙ୍ଗଳ ଓ ଜନହିତରେ ବିନିଯୋଗ କରିବାକୁ ସେ ପ୍ରଧାନମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ, ଅନାଥାଶ୍ରମ ଓ ବୃଦ୍ଧାଶ୍ରମର ଉନ୍ନତି କଳ୍ପେ ଦାନ, ନିଜ ଗ୍ରାମକୁ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରି ତାହାର ସର୍ବାଙ୍ଗୀନ ଉନ୍ନତି, ଗ୍ରାମର ଶିକ୍ଷା ଓ ଚିକିତ୍ସାର ବିକାଶ ପାଇଁ ଭୂମିଦାନ ଭଳି ଜନ ମଙ୍ଗଳ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କଲେ। ନିଜେ ସୁସ୍ଥ ଓ ସୁଖଦ ଜୀବନ ନେଇ ବଞ୍ଚି ନ ରହି ଅନ୍ୟକୁ ବି ବଞ୍ଚାଇବାକୁ ସ୍ଥିର କଲେ ଏବଂ ବଞ୍ଚ ଓ ବଞ୍ଚାଅକୁ ଜୀବନର ଶ୍ରେଷ୍ଠ ମନ୍ତ୍ର ଭାବେ ଗ୍ରହଣ କଲେ। 



Rate this content
Log in

Similar oriya story from Inspirational