Golak Bihari Sahoo

Classics Inspirational

4  

Golak Bihari Sahoo

Classics Inspirational

ସ୍ନେହ ଚାରଣୀର

ସ୍ନେହ ଚାରଣୀର

2 mins
346


ପଦ୍ମନାଭ ଡାକନାମ ପଦିଆ, ଗାଁ ହାଇ ସ୍କୁଲରେ ପଢେ । ସରଳ ସ୍ଵଭାବ ଓ ସୁନ୍ଦର ବ୍ୟବହାର ସହ ସେ ପାଠ ପଢ଼ାରେ ଖୁବ୍ ଭଲ କରେ ବୋଲି ଗାଁରେ ତାକୁ ସମସ୍ତେ ଭଲ ପାଆନ୍ତି । ସବୁ ପିଲାମାନେ ହାଫ୍ ପ୍ୟାଣ୍ଟ ସାର୍ଟ ପିନ୍ଧି,ପାଦରେ ସ୍ଳିପର ପିନ୍ଧି ଗାଁ ସ୍କୁଲକୁ ଚାଲି ଚାଲି ଯାଆନ୍ତି। ଗାଆଁ ଠାରୁ ସ୍କୁଲ ପ୍ରାୟ ଏକ କିଲୋମିଟର ଦୂର ହେବ । ମାଟି ରାସ୍ତା। ଗ୍ରୀଷ୍ମ ଦିନେ ରାସ୍ତାର ବାଲି ତାତି ଯାଏ । ପଦିଆ କିନ୍ତୁ ଖାଲି ପାଦରେ ଯାଏ। ତାର ସରଳ ମନ ଧୋତି ଓ ସାର୍ଟ ପିନ୍ଧିବାକୁ ପସନ୍ଦ କରେ ।ତେଣୁ ଏତେ ପିଲାଙ୍କ ମଧ୍ୟରେ ସେ ସହଜରେ ବାରି ହୋଇଯାଏ। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପାସ କରି ସ୍କୁଲରେ ପ୍ରଥମ ହୋଇଛି ।ତେଣୁ ଶିକ୍ଷକମାନେ ତା ଉପରେ ବହୁତ ଖୁସି । ବାପା ଗାଁରେ ଏକ ତେଲ ମସଲା ଦୋକାନ କରି ଚଳନ୍ତି । ବଡଭାଇ ସହରରେ ଶିକ୍ଷକ ଚାକିରି କରନ୍ତି । ତେଣୁ ଉଚ୍ଚ ଶିକ୍ଷା ପାଇଁ ସେ ବଡଭାଇଙ୍କ ପାଖରେ ରହି ପଢିବା ପାଇଁ ଇଚ୍ଛୁକ। 

ଯେଉଁଦିନ ଗାଁ ଛାଡ଼ି ସହର ଯିବାପାଇଁ ବସ୍ ଷ୍ଟାଣ୍ଡକୁ ଆସିଲା, ସେଦିନ ସେ ବାପ ମା ଓ ଗାଆଁ ର ଅନ୍ୟାନ୍ୟ ଗୁରୁଜନଙ୍କ ପାଦ ଛୁଇଁ ପ୍ରଣାମ କରି ଆଶୀର୍ବାଦ ନେଇ ବସ୍ ଧରିବା ପାଇଁ ଷ୍ଟାଣ୍ଡକୁ ଆସି ବସ୍ ପାଇଁ ଅପେକ୍ଷା କରିଛି ।କିଛି ସମୟ ପରେ ଦେଖିଲା ତାର ବୃଦ୍ଧ ବଡବାପା ଅତ୍ୟନ୍ତ ବ୍ୟସ୍ତ ହୋଇ ଦୌଡି ଆସୁଛନ୍ତି ।ବଡବାପା ଛଅଟି ଝିଅର ବାପା ।ତେଣୁ ଝିଅମାନଙ୍କର ବାହାଘର କରାଇ କୌଣସି ମତେ ଦୁଃଖ କଷ୍ଟରେ ଚଳନ୍ତି । ବଡବାପା ଆସି ପଦିଆକୁ କୁଣ୍ଢାଇ ଧରି କଇଁ କଇଁ ହୋଇ କାନ୍ଦି କହିଲେ-ପୁଅ,ପିଲାଦିନୁ ତୁ ଆମରି କୋଳରେ ବଡ ହୋଇଛୁ । ତୁ ଗାଁ ଛାଡି ଚାଲି ଯାଉଛୁ । ମୋ ମନଟା କେମିତି ଖାଲି ଖାଲି ଲାଗୁଛି ।

ତୁ ବହୁତ ମନେ ପଡିବୁ। ଅଣ୍ଟାରେ ଗୁଞ୍ଜିଥିବା ଚାରଣୀଟିଏ 

ଆଣି ପଦିଆ ହାତରେ ଦେଇ କହିଲେ-ମୁଁ ଗରିବ ବଡ ବାପା ।ତୋତେ କଣ ବା ଦେଇ ପାରିବି। ତୁ ସହରକୁ ଯାଇ ମନ ଦେଇ ପଢିବୁ । ବଡ ମଣିଷ ହେବୁ। ତୋ କଥା ଶୁଣିଲେ ଯେମିତି ମୋ ଛାତି ଗର୍ବରେ ଫୁଲି ଉଠିବ । ଏହା କହି ଆଖିରୁ ଲୁହ ପୋଛିଲେ । ସେତେବେଳେ ଚାରଣାର ମୂଲ୍ୟ ଏକ ଟଙ୍କାର ଏକ ଚତୁର୍ଥାଂଶ । କିନ୍ତୁ ବଡ ବାପା ଦେଇଥିବା ଚାରଣୀର ମୂଲ୍ୟ ଅମୂଲ୍ୟ । କାରଣ ସେଥିରେ ଜଣେ ବୟସ୍କ ଗୁରୁଜନଙ୍କ ହୃଦୟର ନିଃସ୍ୱାର୍ଥ ଅନାବିଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଭରପୂର ।

    ଆଜିକାଲି ଉପହାର ଦେବା ଓ ନେବାର ପରମ୍ପରାରେ 

କିଏ କେତେ ଦାମୀ ଉପହାର ଦେଇପାରେ ତାର ପ୍ରତିଯୋଗିତା ଚାଲେ ।ବଡ ଦାମୀ ଉପହାର ଦେଲେ କୁଆଡେ ସମ୍ମାନ ବଢିଯାଏ । ପୁଣି ଯିଏ ଦାମୀ ଉପହାର ଦିଏ,ସେ ଆଶା ରଖିଥାଏ ତାକୁ ଯେମିତି ଅନ୍ୟମାନେ ଦାମୀ ଉପହାର ଦିଅନ୍ତି । ନଚେତ୍ ସମ୍ପର୍କରେ ଆବିଳତା ଆସେ । ଉପହାର ଦେବା ନେବା ପ୍ରତିଯୋଗିତାରେ ମଣିଷ ମନର ଆନ୍ତରିକତା,ଶ୍ରଦ୍ଧା,ପ୍ରେମ, ସ୍ନେହର ମୂଲ୍ୟ ଗୌଣ । ଯେଉଁ ମାନେ ଅମୂଲ୍ୟ ମଧୁର ମାନବ ସମ୍ପର୍କକୁ ହୃଦବୋଧ କରିଛନ୍ତି ସେମାନେ ନିମନ୍ତ୍ରଣ ପତ୍ରରେ ଲେଖନ୍ତି- ଉପହାର ଗ୍ରହଣୀୟ ନୁହେଁ। ଆନ୍ତରିକତା ଥିଲେ ସୁଦାମାର ଖୁଦ କଣିକା ଶ୍ରୀକୃଷ୍ଣ ସୁଦାମାଙ୍କ ବନ୍ଧୁତ୍ଵକୁ ଅମର କରିଦିଏ । ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ, ଛୋଟ ମାନଙ୍କ ପ୍ରତି ସ୍ନେହ ଓ କଲ୍ୟାଣ, ମଣିଷକୁ ଆନ୍ତରିକ ଭଲ ପାଇବା ମାନବ ସମ୍ପର୍କର ଅମୂଲ୍ୟ ଧନ। ଏ ଅମୂଲ୍ୟ ସମ୍ପଦକୁ 

ହରାଇ ବସି,ବାହ୍ୟ ଆଡମ୍ବରକୁ ଗୁରୁତ୍ୱ ଦେବା ମଣିଷ 

ଜୀବନରେ ବିଡମ୍ବନା ମାତ୍ର ।

       


Rate this content
Log in

Similar oriya story from Classics