Golak Bihari Sahoo

Comedy

4.0  

Golak Bihari Sahoo

Comedy

ବିନା ଦନ୍ତେ ଜୀବନ

ବିନା ଦନ୍ତେ ଜୀବନ

6 mins
136


ପାକୁଆ ପାଟିରେ ହସୁଛି ବୁଢା

ନାତିଆର ଦେଖ ଦାନ୍ତ ନେଫେଡା ।

ଆଈଙ୍କର ଦାନ୍ତ ମୁକୁତା ଭଳି

ବତ୍ରିଶଟି ଦାନ୍ତ ଅଛି ସେଭଳି । 

ଗର୍ବରେ ଆଈ ନାଚି କହନ୍ତି 

ମୋ ଭଳି ଦାନ୍ତ ନାହିଁ କେଉଁଠି। 

ଦାନ୍ତ ଅଟେ ମୋର ଅମୂଲ୍ୟ ଧନ

ଏବେ ବି ଖାଏ ମୁଁ ସୁପାରି ପାନ । 


 ସତରେ ଦାନ୍ତ ଏକ ଅମୂଲ୍ୟ ସମ୍ପଦ। ଯାହାର ନାହିଁ ସେ ତାହାର ଆବଶ୍ୟକତା ଅଧିକ ଅନୁଭବ କରେ । ମଣିଷ ଥିବା ଜିନିଷର ଆବଶ୍ୟକତା କମ ଅନୁଭବ କରେ। ଯେମିତି, ଟମାଟୋ ବଜାରରେ ଶସ୍ତା ଥିବାବେଳେ ଘରେ ଦୁଇ ଚାରି କିଲୋ ଟମାଟୋ ପଡି  ରହି କିଛି ପଚି  ନଷ୍ଟ ହୁଏ । ଶ୍ରୀମତୀ ଟମାଟୋର ଆବଶ୍ୟକତା ଅନୁଭବ କରନ୍ତି ନାହିଁ । କିନ୍ତୁ ମହଙ୍ଗା ସମୟରେ ଟମାଟୋ ଘରେ ନ ଥିଲେ ଶ୍ରୀମତୀ ଘୋଷି ହୁଅନ୍ତି - ଟମାଟୋ ଘରେ ନାହିଁ, ଟମାଟୋ ଘରେ ନାହିଁ । ବଜାରରୁ  ନ ଆଣିଲେ ପୁଣି ଘୋଷି ହୁଅନ୍ତି। ଯେମିତି ବିନା ଟମାଟୋରେ ସଂସାର ଅଚଳ ହୋଇ ଯିବ ।

ସେଦିନ କାଶୀବାବୁ ବିଶିଆକୁ  ଡାକି କହି ଲେ - ପୁଅ! ବଜାରକୁ ଯାଉଛୁ ମଟନ ଆଣିବାକୁ । ମୋର ଦାନ୍ତ ନ ଥିବା ଯୋଗୁଁ ମୁଁ ମଟନ ଚୋବାଇ ପାରୁ ନାହିଁ। ଚାରି ଛଅ ପିସ୍ ଲିଭର ନେଇ ଆସିଥିବୁ।

ହଇହୋ, ଦାନ୍ତ ନାହିଁ ଯଦି ମଟନ ଖାଇବାକୁ, ମକା ଖାଇବାକୁ, ବୁଟଭଜା ଖାଇବାକୁ କାହିଁକି ଇଛା କରିବ? ଭଜାବୁଟକୁ  ବା ମକା ସିଝାକୁ ହେମାମ ଦସ୍ତାରେ ଛେଚି ଖାଇବ। ଜନ୍ମ ନେଇଥିବା ଶିଶୁର ଦାନ୍ତ ନାହିଁ । ସେ ତ ପୁଣି ମା କ୍ଷୀର ଖାଇ ବଡ ହୋଇ ଗଲା । ତୁମେ ସେମିତି କ୍ଷୀର, କ୍ଷିରି ଖାଇ ରହିଲେ କଣ ହୁଅନ୍ତାନି । ନା, ପ୍ରକୃତି ବିରୁଦ୍ଧରେ ସବୁ ଖାଇବି। ବୁଢା ବୟସରେ ଈଶ୍ୱର ଦାନ୍ତ ପକାଇ ଦିଅନ୍ତି । କଣ ତାଙ୍କର ମହତ ଉଦ୍ଦେଶ୍ୟ ଅଛି ବୋଲି ସିନା । ଦାନ୍ତ ଥିଲେ, ବୁଢା ବୟସରେ ଇୟାଡୁ ସିଆଡୁ ଗୁଡିଏ ଜିନିଷ ଚୋବାଇ ଖାଇ ଚାଲିବ। ହଜମ କରିବାର ବଳ ନ ଥାଉ । ଶେଷରେ ବଦ୍ ହଜମି, ଗ୍ୟାସ, କୋଷ୍ଠ୍ଠକାଠିନ୍ୟ । ସେଥିରେ ସୃଷ୍ଟି ହେବ ନାନାଦି ରୋଗ । 

କାଶୀବାବୁ ସେଦିନ ପ୍ରାତଃ ଭ୍ରମଣରେ ଯାଇ ଦେଖିଲେ ତାଙ୍କର ପଡୋଶୀ ଶଶୀବାବୁଙ୍କ ଗାଲ ଫୁଲକା ଫୁଲକା। ବୟସରେ ତାଙ୍କଠାରୁ ବଡ। ପଚାରିଲେ - ଶଶୀବାବୁ! ଆପଣଙ୍କର ଗୋଟିଏ ହେଲେ ଦାନ୍ତ ପଡି  ନାହିଁ? ଶଶୀବାବୁ ଦାନ୍ତକୁ ନେଫେଡି କହିଲେ -ନାହିଁ। ଛାମୁଦାନ୍ତ ଚାରୋଟି ପଡି ଯାଇଥିଲା। ମୋ ଘରଣୀ ମୋତେ ଘରେ ଆଉ ବସେଇ ଉଠେଇ ଦେଲେ ନି। ତୁମ କଥା ଆଉ ସ୍ପଷ୍ଟ ଶୁଭା ଯାଉନି। ଛାମୁଦାନ୍ତ ବିନା ମୁହଁଟା କେମିତି ଅସୁନ୍ଦର ଦେଖାଯାଉଛି। ମୋ ସାଙ୍ଗମାନେ ଦେଖିଲେ କଣ କହିବେ। ତୁମେ ଶୀଘ୍ର ଯାଅ । ଦାନ୍ତ ଡାକ୍ତର ପାଖରେ ଦାନ୍ତ ଲଗାଇ ଆସିବ। ମୁଁ ଯେତେ ବୁଝାଇ କହିଲି - ଏ ବୟସରେ ଛାମୁଦାନ୍ତର ଆଉ ଆବଶ୍ୟକତା ନାହିଁ। ଅପ୍ରାକୃତ ଦାନ୍ତ କାହିଁକି ଲଗାଇବି। ସେ କିନ୍ତୁ ନାରାଜ। ସବୁ ବେଳେ ସେହି କଥା । ମୁହଁଟା ଅସୁନ୍ଦର ଦେଖାଯାଉଛି। ତୁମର କଥା ସ୍ପଷ୍ଟ ଶୁଭା ଯାଉନି। ଦାନ୍ତ ଲଗାଇ ଆସିଲି। 

ଶଶୀ ବାବୁ! ଆପଣଙ୍କର ଚାରଟି ଛାମୁଦାନ୍ତ କିମି  ତି ପଡିଗଲା? କଳ ଦାନ୍ତରେ ଚୋବାଇ ଖାଇବା ଯୋଗୁଁ ଘର୍ଷଣ ବେଶୀ ହୁଏ। ତେଣୁ କଳ ଦାନ୍ତ ପେଷି ପେଷି ଶୀଘ୍ର କ୍ଷୟ ହୁଏ କିମ୍ବା ଦୋହଲି ଦୋହଲି  ଗଡି ପଡେ। ଛାମୁଦାନ୍ତର ଏ ଦଶା ହେଲା କିପରି? 

- ସେ ଏକ ଦୁଃଖଦାୟକ କାହାଣୀ। ଦିନେ ଛୁଆ ପିଲାମାନଙ୍କୁ ନେଇ ବସରେ ଯାଉଥିଲି। ବସଟି ଗାଁ ପାଖରେ ଅଟକି ଗଲା। ଚାରିଜଣ ଯୁବକ ଗାଡି ଭିତରକୁ ଧସେଇ ପଶି ଆସିଲେ। ଶଳା କଣ୍ଡକ୍ଟର ଗଲା କୁଆଡେ। ତାର ହାତଗୋଡ଼ ଭାଙ୍ଗି ଚୁନା କରିଦେବି। ଶଳାର ଏତେ ବହପ? ଆମ ଗାଁ ଷ୍ଟପେଜରେ ଗାଡି ରଖି ପାସେଞ୍ଜର ଉଠାଇବନି। ଆମ ଗାଁ ପାଖ ରାସ୍ତାରେ ଗାଡି କେମିତି ନେବୁ, ଦେଖିବା। କଣ୍ଡକ୍ଟର କିଛି ଗୋଳମାଳ ହେବାର ବୋଧେ ଆଗରୁ ଜାଣିପାରିଥିଲା। ସେ ତା ଗାମୁଛାରେ ମୁହଁକୁ ଘୋଡାଇ ବସର ପଛ ପାଖରେ ଲୁଚି ଯିବା ପାଇଁ ଚେଷ୍ଟା କରୁଥିଲା। କଣ୍ଡକ୍ଟରକୁ କିଛି ସମୟ ପାଇଁ ନ ଦେଖି ଟୋକାମାନଙ୍କର ରାଗ ଚରମ ସୀମାରେ। ପୁଣି ମଦ ଟିକିଏ ପଡିଛି। ତାଙ୍କର ପାଟିତୁଣ୍ଡ ଶୁଣି ମୁଁ କହିଲି - ବାବୁମାନେ, ଗାଡି ଭି ତରେ ମାରପିଟ କର ନାହିଁ। ଛୁଆପିଲାମାନେ ବସିଛନ୍ତି। ସେମାନେ ଆଘାତ ପାଇ ପାରନ୍ତି। କଣ୍ଡକ୍ଟରକୁ ବାହାରକୁ  ନେଇ ଯାହା କରିବାର କର। ଏତିକି ଶୁଣି ଗୋଟିଏ ଗୁଣ୍ଡା ମଦ୍ୟପ ଟୋକା ମୋ ମୁହଁକୁ ଦୁଇଟି ମୁଥ ମାରି ଦେଲା। ଶଳା, ତୁ କିଏବେ ପାଟି ଖୋଲିବାକୁ। ପ୍ରଥମ ମୁଥରେ ଗୋଟିଏ ଛାମୁ ଦାନ୍ତ ଭାଙ୍ଗି ତଳେ ପଡିଗଲା। ଦ୍ୱିତୀୟ ମୁଥକୁ ମୁଁ ଅଟକାଇବାକୁ ଚେଷ୍ଟା କରିବା ସତ୍ତ୍ୱେ ମୁହଁରେ ବାଜି ଆଉ ତିନିଟି ଛାମୁଦାନ୍ତକୁ ଦୋହଲାଇ ଦେଲା। କି  କଳିକାଳ ହେଲାରେ ବାପା। ଭଲ ପରାମର୍ଶ କିଏ ବା ଶୁଣୁଛି। ଦୋହଲୁଥିବା ଛାମୁଦାନ୍ତକୁ ଆଉ ମଜବୁତ କରି ପାରିଲିନି। ଯନ୍ତ୍ରଣା ହେଉନଥାଏ। ଆଉ ଗୋଟିଏ ଦିନ ବାଉଁଶ ଆଙ୍କୁଡିରେ ବାରିପଟେ ଥିବା କଲମୀ ଆମ୍ବ ଗଛରୁ  ଆମ୍ବ ତୋଳୁଥିଲି। ଆମ୍ବର ଦାଉ ସାଧିବାକୁ ଥିଲା। ଗୋଟିଏ କଲମୀ ଆମ୍ବ ଖସି ମୋ ଦୋହଲୁଥିବା ଛାମୁ ଦାନ୍ତ ଉପରେ ପଡିଲା। ବିଚାରା ଆଉ ଦୁଇଟି ଛାମୁ ଦାନ୍ତ ଆମ୍ବ ସହିତ ଖସି ପଡିଲା। ଚତୁର୍ଥ ଛାମୁଦାନ୍ତର ନିଃସଙ୍ଗ ଅସହାୟତା ଦେଖି ତାକୁ ମୁଁ ନିଜ ହାତରେ ଟାଣି ଫୋପାଡି ଦେଲି। ଏହି ପରି ଭାବରେ ଚାରୋଟିଯାକ ଛାମୁଦାନ୍ତ ଅବେଳରେ ଚାଲିଗଲେ। ଦାନ୍ତର ଯନ୍ତ୍ରଣା ତ କେବେଠୁଁ ଗଲାଣି। କିନ୍ତୁ ସେଦିନର ମୁଥ ଖାଇବାର ଯନ୍ତ୍ରଣା ଏବେ ବି ଅନୁଭବ କରୁଛି। ସମାଜରେ ଗୁଣ୍ଡାଗିରିର ଯନ୍ତ୍ରଣା ଓ କ୍ଷୋଭ ଏବେ ତ ବଢି ବଢି ଯାଉଛି। 

କାଶୀବାବୁ କହିଲେ - ଆହା ବିଚାରା ଛାମୁଦାନ୍ତ! ଅକାଳରେ ଚାଲିଗଲେ। ମୋର ତ ଗୋଟିଏ ହେଲେ ଦାନ୍ତ ନାହିଁ। କଣ ସବୁ

 ଦାନ୍ତ ଲଗାଇ ହେବ? 

- ପୁରା ସେଟ ଦାନ୍ତ ବି ଲଗାଯାଇ ପାରିବ। 

- ଆପଣଙ୍କର ଚୋରୋଟି ଦାନ୍ତ ଲଗାଇବାକୁ କେତେ ଖର୍ଚ୍ଚ ହେଲା। 

-ଗୋଟିଏ ଦାନ୍ତକୁ  ଦୁଇ ହଜାର ଟଙ୍କା। ଚାରୋଟି  ଦାନ୍ତ ପାଇଁ ଆଠ ହଜାର ଟଙ୍କା। 

- ମାନେ, ବତ୍ରିଶଟି ଦାନ୍ତ ପାଇଁ 64 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ମଟର, ମଟନ ସବୁ ଚୋବାଇ ଖାଇ ହେବ ତ? 

- ହଁ, ହେବ। ଡାକ୍ତର ସହ ପରାମର୍ଶ କରନ୍ତୁ। ଯଦି ସୁନା ଦାନ୍ତ ଲଗାଇବାକୁ ଚାହାନ୍ତି, ତହା ବି ପାରିବେ। ଆପଣଙ୍କ ସାନ ପୁଅ ରୁଷିଆ ତ ଆମେରିକାରେ କମ୍ପ୍ୟୁଟର ଇଂଜିନିୟର। କହିବେ, ଡଲାର ପଠାଇ ଦେବ। ଖର୍ଚ୍ଚ ପାଇଁ କାହିଁକି ଭାବୁଛନ୍ତି। 

କାଶୀବାବୁ ଚିନ୍ତାରେ ପଡିଗଲେ। ଘରକୁ ଆସି ଚେୟାରରେ ଲଥ କରି ବସି ପଡିଲେ। ତାଙ୍କର ଦିନେ ଅତି ସୁନ୍ଦର ବତିଶିଟି  ଦାନ୍ତ ଥିଲା । ଗୋଟିଏ ବାହାଡା ଦାନ୍ତ ତାଙ୍କର ବିଶେଷ ପରିଚୟ ଥିଲା। ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ଦିନେ ଶିକ୍ଷକ ପଚାରିଲେ - କାଶୀ! ରାବଣର କେତୋଟି ମୁଣ୍ଡ ଥିଲା? ଭାବିଲେ, ରାବଣର ଦଶ ମୁଣ୍ଡ ଥିଲେ ଆମର କଣ ଗଲା। ଗୋଟିଏ ମୁଣ୍ଡରେ ପାଠ ଭର୍ତ୍ତି କରିବାକୁ  ସେ ନାକେଦମ ହେଉଛନ୍ତି। ଏହା ଭାବି ସେ ଫେଁ କରି ହସି ଉଠି ଥିଲେ। ଶିକ୍ଷକ ବିରକ୍ତ ହୋଇ କହିଲେ - କାଶୀ! ତୁ ବଡ ଦୁଷ୍ଟ ହେଲୁଣି। ମୋ ପ୍ରଶ୍ନର ଉତ୍ତର ନ ଦେଇ ଦାନ୍ତ ନେଫେଡି ହସୁଛୁ। ଗୋଟିଏ ମୁଥା ଦେବି ଯେ ତୋର ବତ୍ରିଶ ଦାନ୍ତ ଝଡି ଯିବ। ସେଦିନ ସେ ଚୁପ୍ ହୋଇ ବସି ପଡିଲେ । ଜିଭ ଲଗାଇ ଦାନ୍ତଗୁଡିକୁ ଗଣିବାକୁ ଲାଗିଲେ। ଦେଖିଲେ ତାଙ୍କର 28 ଟି  ଦାନ୍ତ ଅଛି। ମା'କୁ ଆସି ପଚାରିବାରୁ ସେ କହିଲେ, ବୟସ ବଢିଲେ ଆଉ ଚାରୋଟି ଜ୍ଞାନ ଦାନ୍ତ ବାହାରିବ। ବ୍ୟସ୍ତ ହୁଅନା। ତେବେ ଠାକୁର ଦାନ୍ତ ଦେଲେ, ପୁଣି ନେଇଗଲେ। ଏଥିରେ କଣ ମହତ ଉଦ୍ଦେଶ୍ୟ ଥିବ। ଏବେ ଦାନ୍ତ ବିନା ସେ ପାକୁଆ ବୁଢା । ସୁନା ଦାନ୍ତ ପାଇଁ ଅଧିକ ମୂଲ୍ୟ ଦେବାକୁ ହେବ। ଅପ୍ରାକୃତ ଦାନ୍ତ ଲଗାଇଲେ 60/70 ହଜାର ଟଙ୍କା ହେବ। ଏତେ ଟଙ୍କା ସେ ତ ଦେଇ ପାରିବେନି। ଏଣେ ସ୍ୱଳ୍ପ ପେନସନ୍ ଟଙ୍କାରେ ଯେଣ ତେଣ ସଂସାର ଚଳେ। ବଡ ପୁଅ ବିଶିର ରୋଜଗାର ସେମିତି ନାହିଁ। ଆଉ ସାନ ପୁଅ ରୁଷିଆ କଥା। ଦଶ ବର୍ଷ ହେଲା ବୁଢା ବାପା ମାଆଙ୍କୁ ଦେଖି ଆସିବାକୁ ତାର ସମୟ ନାହିଁ। ଆମେରିକାର ନାଗରିକତ୍ୱ ନେଇ ଘର କିଣି ସେଠାରେ ସ୍ଥାୟୀବାସିନ୍ଦା ହୋଇ ରହି ଗଲା। ନାତି ନାତୁଣୀ ଇଂରାଜୀରେ କଥା କୁହନ୍ତି । ସେ ବୁଝି ପାରନ୍ତି ନାହିଁ। ପୁଅ ବୋହୁଙ୍କର ସମୟ ନ ଥାଏ ବୁଢା ବାପାମାଆ ସଙ୍ଗେ କଥା ହେବାକୁ। ଏ ପାଖରୁ ସେ ଭିଡିଓ କଲ କଲେ ଦୁଇ ମିନିଟ୍ ହାଏ ହାଲୋ କହି ଫୋନ ରଖି ଦିଅନ୍ତି। କୁହନ୍ତି - ବାପା, ତୁମେ ଓଡିଶା ଛାଡି ଆମ ପାଖକୁ ପଳାଇ ଆସ। ଆମ ବଙ୍ଗଳାରେ ରହି ଫୁଲ ବଗିଚାର ଯତ୍ନ ନେବ। ଦେଖ କି ସୁନ୍ଦର ବଗିଚା। କେତେ ସୁନ୍ଦର ସୁନ୍ଦର ଫୁଲ ଫୁଟେ। ନିଜ ଜନ୍ମ ମାଟି ଓଡିଶାକୁ ଛାଡି  ଆମେରିକାରେ ମାଳି ଜୀବନ ଜୀଇଁବାକୁ ତାଙ୍କର ଆଦୌ ଇଚ୍ଛା ହୁଏ ନାହିଁ। ଆଉ ଦାନ୍ତ ଲଗାଇବା କଥା କହିଲେ କହିବେ-ବାପା ଜାଣିଛ, ମୋ ପୁ ଅ ଝିଅ ଯେଉଁ କଲେଜରେ ପଢିବେ ସେଠାରେ ମାସିକ ଫିସ୍ ଦୁଇ ଲକ୍ଷ ଟଙ୍କା। କାମବାଲି ଏଠାରେ ମିଳିବା ବଡ କଷ୍ଟକର। ଯଦି ମିଳେ, ମାସିକ ଦରମା ଦୁଇ ଲକ୍ଷ ଟଙ୍କା। ଦୁଇଟି ଗାଡିର ରକ୍ଷଣା ବେକ୍ଷଣ ପାଇଁ ଅନେକ ଖର୍ଚ୍ଚ। ବଙ୍ଗଳା ପାଇଁ ଆଣିଥିବା କରଜ ପରିଶୋଧ ଇତ୍ୟାଦି ଇତ୍ୟାଦି ଅନେକ ଖର୍ଚ୍ଚର ବାହାନା। ଯେମିତି ରୋଜଗାର ସେମିତି ଖର୍ଚ୍ଚ। ଏ ସବୁ ଶୁଣିବାକୁ କାଶୀବାବୁଙ୍କର ଧୈର୍ଯ୍ୟ ନ ଥାଏ। ତେଣୁ ସେ କେବେ ପୁଅକୁ ଟଙ୍କା ମାଗି ନ ଥାନ୍ତି। ଆଉ ଦାନ୍ତ ଲଗାଇବାକୁ 64 ହଜାର ଟଙ୍କା? 

ତଥାପି ଦିନେ ଦାନ୍ତ ଡାକ୍ତର ପାଖକୁ ଗଲେ। ଡାକ୍ତର କହିଲେ- ତଳ ଓ ଉପର ଧାଡିରେ ଦୁଇ ସେଟ ଦାନ୍ତ ଲଗା ଯାଇପାରେ। ସୁନ୍ଦର ମଜବୁତ ଦାନ୍ତ ଲଗାଇଲେ ଏକ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେବ। ରାତିରେ ଶୋଇବା ଆଗରୁ ଦାନ୍ତ ସେଟ ଖୋଲି ରଖିଦେବେ। ସକାଳୁ ପୁଣି ଘଷି ମାଜି ସଫା କରି ଲଗାଇବେ। ଗାଲ ଫୁଲକାଫୁଲକା,ଯୁବକ ଭଳି ଦେଖାଯିବେ। ତେବେ ହାଲୁକା ହାଲୁକା ଚୋବାଇ ଖାଇ ପାରିବେ। ଆଖୁକୁ ଭିଡି ଚୋବାଇ ଖାଇବାରେ ବିପଦ। ମଟନ ବା ଚିକେନ୍ ହାଡ ଗୁଣ୍ଡ କରି ଖାଇବାରେ ବିପଦ। ଆପଣ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ। ଯଦି ଲଗାଇବେ କୋଡିଏ ହଜାର ଟଙ୍କା ଅଗ୍ରୀମ ଦେଲେ ଆମେ ଭଲ ଦାନ୍ତ ସେଟ ବମ୍ବେରୁ ମଗାଇ ଆଣିବୁ। 

କାଶୀବାବୁଙ୍କର ଦେହଟା ଝାଳୁଆ ଝାଳୁଆ ଲାଗୁଥିଲା। ମୁଁ ପରେ ଆସିବି କହି ସେ ଡାକ୍ତରଙ୍କ ପାଖରୁ ପଳାଇ ଆସିଲେ। ଘରେ ପୁଣି ଭାବିଲେ - ମଣିଷଙ୍କ ଭଳି କଣ ସବୁ ଜନ୍ତୁଙ୍କର ଏତେ ଦାନ୍ତ ଅଛି? ସେ ଦାନ୍ତ କଣ ଚିରସ୍ଥାୟୀ, ମାନେ ବାର୍ଦ୍ଧକ୍ୟରେ ଖସି ପଡେନି। ହାତୀର ପୁଣି ଦୁଇ ପ୍ରକାର ଦାନ୍ତ। ଦୁଇଟି  ଦାନ୍ତ ଦେଖାଇବା ପାଇଁ, ଆଉ କି ଛି ଦାନ୍ତ ଖାଇବା ପାଇଁ। ଅଜଗର ସାପ ସେ ତ ଛେଳି, ଗାଈ ଓ ମଣିଷକୁ ଗିଳି ଯାଏ। ତାର ଦାନ୍ତର ଆବଶ୍ୟକତା ନ ଥାଏ। କୁମ୍ଭୀର ଦାନ୍ତ ସାହାଯ୍ୟରେ ଜାବୁଡି ଧରେ। ବିନା ଚୋବାଇ ଖଣ୍ଡ ଖଣ୍ଡ କରି ଗିଳି ନିଏ। ପୁଣି ସେ ନିଜେ ଜୀବନର ଶେଷ ସୋପାନରେ। ଆଉ କେତେ ବର୍ଷ ବଞ୍ଚି କଣ ବା କରି ପକାଇବେ। ଦାନ୍ତକୁ ନେଇ ଏତେ ଟେନସନ୍ କାହିଁକି। ସ୍ଥିତାବସ୍ଥାକୁ ନେଇ ଆତ୍ମ ସନ୍ତୋଷ ଲାଭ କଲେ ସେଥିରେ ସେ ଖୁସିରେ ରହିବେ। ଯାବତ୍ ଜୀବେତ୍ ଆନନ୍ଦେ ଜୀବେତ୍, ବିନା ଦନ୍ତେ ସନ୍ତୁଷ୍ଟଂ ଭବେତ୍। 

     ********



Rate this content
Log in

Similar oriya story from Comedy