Golak Bihari Sahoo

Abstract Others

3  

Golak Bihari Sahoo

Abstract Others

ଜୀବନ ଦର୍ଶନ

ଜୀବନ ଦର୍ଶନ

6 mins
190










ମନର ଧାରଣା, ଅତୀତ ଓ ବର୍ତ୍ତମାନର ଘଟଣା,କାହାଣୀ ଏବଂ ନିଜର ଅଭିଜ୍ଞତାକୁ ନେଇ ସୃଷ୍ଟି ହୁଏ । କଲିକତା ମହାନଗରୀକୁ ନେଇ ସେହିପରି ସାଧାରଣତଃ ଧାରଣା ଥାଏ ଯେ ଏଠାରେ ମଧୁର ବ୍ୟବହାର ଏବଂ ନାରୀ ପ୍ରତି ସମ୍ମାନ ଥାଏ । ଏହା ସହିତ ଏଠାରେ ଅତୀତର ନକ୍ସାଲ ଉପଦ୍ରବ ଏବଂ ସ୍ଵାଧୀନତା ପ୍ରାପ୍ତି ପରେ ହୋଇଥିବା ହିନ୍ଦୁ ମୁସଲମାନ ଦଙ୍ଗାକୁ ନେଇ ଅନେକଙ୍କ ମନରେ ଧାରଣା ଥାଏ ଯେ ଏଠାରେ ଜୀବନ ଅତିବାହିତ କରିବାରେ ଅଧିକ ଅନିଶ୍ଚିତତା ଓ ଆଶଙ୍କା ଭରପୂର । 

   1979 ମସିହାରେ ଯେତେବେଳେ ଦାଶରଥିଙ୍କୁ କଲିକତାରେ ସରକାରୀ ନିଯୁକ୍ତି ମିଳିଲା ସେତେବେଳେ ସାଙ୍ଗମାନେ କହିଲେ- “ଦାଶରଥି,କଲିକତା ଯିବୁ ଚାକିରି କରିବାକୁ । ଅତି ସତର୍କତାରେ ସେଠାରେ ଚଳିବୁ। ସେଠାରେ ନଇଁ ପଡିଲେ କାଟି ନେବେ।“ ତଥାପି ବେକାର ଜୀବନର ଅନ୍ତ ଘଟାଇ ପରିବାରକୁ ଆର୍ଥିକ ସହାୟତା ଦେବାର ଅତ୍ୟନ୍ତ ଆବଶ୍ୟକତା ଥିବାରୁ ସେ କଲିକତା ଯିବାକୁ ସ୍ଥିର କଲେ। ଜଣେ ପଡ଼ୋଶୀଙ୍କ ପରାମର୍ଶରେ ତାଙ୍କ ସହ କଲିକତା ଯାଇ କାର୍ଯ୍ୟାଳୟର ସନ୍ଧାନ ନେଇ ଚାକିରିରେ ଯୋଗଦାନ କଲେ ।ଏକ ଅପରିଚିତ ଜାଗା, ଭିନ୍ନ ଭାଷା, ଭିଡ ବସରେ ଯାତାୟତ କରିବା ତାଙ୍କୁ ବିବ୍ରତ କରିଥିଲେ ବି,ସେ ନୂଆ ପରିବେଶରେ କିପରି ଖାପ ଖୁଆଇ ଚଳିବେ ସେଥିପ୍ରତି ଧ୍ୟାନ ଦେଇଥିଲେ। ଆପାତତଃ ନିଜ ଗାଁ ର ଜଣେ ପରିଚିତ ବ୍ୟକ୍ତି ସେଠାରେ ଓରିଏଣ୍ଟ ପଙ୍ଖା କାରଖାନାରେ କାମ କରୁଥିଲେ। ସେ ତାଙ୍କ ସହ ରହିବା ପାଇଁ ସ୍ଥିର କଲେ। ଆଡପ୍ଟବିଲିଟି ବା ପରିସ୍ଥିତି ସହ ଖାପ ଖୁଆଇ ଚଳିବା ତ ଜୀବନର ଏକ କଳା ।

   ସେ ବ୍ୟକ୍ତି ଜଣକ ତାଙ୍କୁ ସମ୍ମାନ ଦେଲେ,କାରଣ ସେ ଉଚ୍ଚ ଶିକ୍ଷିତ ଥିଲେ । ନିଜର ବଡଭାଇ ଭଳି ଶ୍ରଦ୍ଧା ଓ ସ୍ନେହ ଦେଇ ସେ ତାଙ୍କ ପାଖରେ ରଖିଲେ । ଗୋଟିଏ ବଖରା ଆଜବେଷ୍ଟସ ଘର,ଲଣ୍ଠନ ଆଲୁଅ,ଦଉଡିଆ ଖଟ ଏବଂ ନିକଟରେ ଥିବା ଗାଡିଆରେ ସ୍ନାନ କରିବାକୁ ସେ ଆଦରି ନେଲେ। ବିଚିତ୍ର ପାଇଖାନାର କଳ୍ପନା ସେ ଆଗରୁ କେବେ କରି ନ ଥିଲେ। ତଳେ ଗୋଟିଏ ବଡ ଟିଣ ଡବା, ତାର ଦୁଇ ପାର୍ଶ୍ଵରେ ଦୁଇଟି ଇଟା ହୁଡା,ତା ଉପରେ ଦୁଇଟି କାଠର ପଟା। ଚାରିପଟେ ଅଖାର ଖୁଆଡ଼ । ଦୁଇ କାଠ ପଟା ଉପରେ ଦୁଇ ଗୋଡ ରଖି ତା ଉପରେ ବସି ଟିଣ ଡବା ଉପରେ ମଳତ୍ୟାଗ କରିବାକୁ ହୁଏ । ସକାଳୁ ମେହେନ୍ତର ଆସି ଟିଣ ଡବାରୁ ମଳ ସଂଗ୍ରହ କରି ମୁଣ୍ଡରେ ମୁଣ୍ଡାଇ ନେଇ ଯାଏ । ନିକଟ ଗାଡିଆରୁ ଟିଣ ଡବାରେ ପାଣି ଆଣି ସେହି ଅଖା ଖୁଆଡ ଭିତରେ ଶୌଚ କରିବାକୁ ହୁଏ ।ଏହି ପରିସ୍ଥିତିରେ ଦାଶରଥି ଧୀରେ ଧୀରେ ଅଭିଜ୍ଞ ହେବାକୁ ଲାଗିଲେ। ଦିନକର ଘଟଣା,ବର୍ଷା ହୋଇଥାଏ । ପୋଖରୀ ତୁଠରେ ସ୍ତ୍ରୀ ଲୋକମାନେ ବସି ଦାନ୍ତ ଘଷୁଥାନ୍ତି । ଖସଡା ମାଟିରେ ପାଦ ଖସୁଥାଏ। ଦାଶରଥି ଟିଣ ଡବା ନେଇ ତୋଠକୁ ଗଲେ ପାଣି ଆଣି ପାଇଖାନାକୁ ଯିବା ପାଇଁ । ପାଦ ଚିପି ଚାଲୁଥାନ୍ତି । ସ୍ତ୍ରୀ ଲୋକମାନେ କଥାବାର୍ତ୍ତା ହେଲେ-“ଜାଏଗା ଛେଡେ ଦାଓ,ଛେଲେଟା ଜଲ୍ ନେବେ” ।ଡବାରେ ପାଣି ନେଇ ତୋଠ ଉପରକୁ ଉଠି ଆସୁ ଆସୁ ଖସଡା ମାଟିରେ ପାଦ ଖସି ଗଲା। ଦାଶରଥି ଚିତ୍ ପଟାଙ୍ଗ ହୋଇ ଉପରକୁ ମୁହଁ କରି ତଳେ ପଡିଗଲେ। ଅଣ୍ଟାରେ ଗୁଡାଇ ହୋଇ ଥିବା ଗାମୁଛାଟି ଖୋଲିଗଲା । ସେ ସମ୍ପୂର୍ଣ୍ଣ ଲଙ୍ଗଳା ହୋଇ ତଳେ ପଡି ରହିଲେ। ତୋଠରେ ବସିଥିବା ସ୍ତ୍ରୀ ଲୋକମାନେ ମୁହଁରେ ଲୁଗା ଦେଇ ଫେଁ ଫେଁ କରି ହସି ଉଠିଲେ। ଜଣେ କହିଲା-“ଓଃ ମା! ଛେଲେଟା କେମନ୍ ରେ। ରାସ୍ତାଏ ହାଁଟତେ ଜାଣେ ନା”। ସରମରେ ଝାଉଁଳି ଯାଇ ଦାଶରଥି ଯେନତେନ ଉଠି ପଡି ସେଠାରୁ ପଳାଇ ଆସିଲେ। ସ୍ତ୍ରୀ ଲୋକଙ୍କ ମେଳରେ ହାସ୍ୟ ପରିହାସର ଗୁଞ୍ଜନ ସୃଷ୍ଟି ହେଲା। ତା ପରଦିନ ଜଣେ ସ୍ତ୍ରୀ ଲୋକ ତାର ଝିଅକୁ ବିବାହ କରିବାକୁ ପ୍ରସ୍ରାବ ଦେଲେ । ବୋଧହୁଏ ତାର ଝିଅ ପାଇଁ ଜୁଆଇଁ ବାଛିବା ପରୀକ୍ଷାରେ ଦାଶରଥି ପାଶ କରି ଯାଇଛନ୍ତି । ଅଜବ କୌତୁହଳମୟ ସେ ଜୀବନ ଦର୍ଶନ । 

   ଦଉଡିଆ ଖଟିଆ ଉପରେ ମଶାରି ଟାଣି ଶୋଇବା,ମଶାରି ବାହାରେ ଲଣ୍ଠନ ରଖି ମିଞ୍ଜି ମିଞ୍ଜି ଆଲୁଅରେ ପାଠ ପଢା ଆରମ୍ଭ ହେଲା,ବିଭାଗୀୟ ପରୀକ୍ଷା ପାଇଁ। ଦୁଇ ବର୍ଷ ପରେ ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବାଲେଶ୍ଵର ସହରକୁ ବଦଳି ହେଲା। କଲିକତାରେ ଏ ପରିସ୍ଥିତିରେ ସେ ବାଧ୍ୟ ହୋଇ ଜୀବନ ଅତିବାହିତ କରୁଥିଲେ। ଏହା ତାଙ୍କର ସଉକ ନ ଥିଲା। କାରଣ,ବାହାରେ ଭଲ ପରିବେଶରେ ଘରଭଡା ନେଇ ରହିବାକୁ ସେ ଚେଷ୍ଟା କରିଥିଲେ। ଯେଉଁଠିକୁ ଯିବେ ସେହି ଗୋଟିଏ କଥା-ଘର୍ ଖାଲି ଆଛେ। କିନ୍ତୁ ଛେଲେଟା ବିଏ କରେଛେ କି ?ଅବିବାହିତ ଛେଲେ କେ ଘର୍ ଭାଡା ଦେବୋ ନା। ଜୀବନର ଏ ଏକ ଗୂଢ ଦର୍ଶନ। 

ସ୍ଵଳ୍ପ ବେତନରେ ନିଜେ ଚଳି ବାପା ମାଆଙ୍କ ପାଖକୁ କିଛି ଅର୍ଥ ପ୍ରତ୍ୟେକ ମାସରେ ପଠାଇବାକୁ ପଡେ। ବାଲେଶ୍ଵର ସହର ପ୍ରାନ୍ତରେ ଗୋଟିଏ ଟାଇଲ ଛପର ଘର ଭଡାରେ ନେବାକୁ ହୁଏ। ଘର ବାଲାର ବ୍ୟବହାର ଭଲ। କିନ୍ତୁ ତାର ବୁଢୀ ମା ରାତିରେ ଦାଶରଥିଙ୍କ ବଖରା ଉପରେ ଥିବା ମାଟି ଆଟୁ ଉପରେ ଶୁଏ । ରାତିରେ ମାଟି ଆଟୁ ଉପରେ ପରିଶ୍ରା କରେ । ରାତିରେ ମାଟି ଆଟୁ ଭିଜି ବୁଢୀର ପରିଶ୍ରା ଦାଶରଥିଙ୍କ ଖଟ ଉପରେ ଟପ୍ ଟପ୍ ହୋଇ ପଡେ । ପ୍ରଥମେ ଦାଶରଥି କିଛି ବୁଝି ପାରିଲେ ନାହିଁ। ଭାବିଲେ ବିରାଡି ବୋଧେ ଆଟୁ ଉପରେ ପରିଶ୍ରା କରିଛି । କିନ୍ତୁ କିଛି ଦିନପରେ ଅସଲ କାରଣ ଜାଣିବା ପରେ ଘରବାଲାକୁ କହିବାରୁ ସେ ତାର ବୁଢୀ ମାକୁ ଆଟୁ ଉପରେ ପରିଶ୍ରା ନ କରିବାକୁ କହିଲେ । ଅଭାବେ ସ୍ଵଭାବ ନଷ୍ଟ। ଛାତ ଘର ଭଡା ନେବାର ସାମର୍ଥ୍ୟ ଅଭାବରେ ମାଟି ଘରେ ରହିବାକୁ ବାଧ୍ୟ ।

   ନୂଆ ଚାକିରି ସ୍ବଳ୍ପ ବେତନ, କାଠ ଚୁଲା, ,ସାଇକେଲଟି ଯାତାୟତର ସାଧନ,ଛୋଟ କୋଣାର୍କ ଟିଭି,କେନ୍ଦ୍ର ସରକାରଙ୍କ ଅଫିସରେ ଚାକିରି,ଆନନ୍ଦ ହିଁ ଆନନ୍ଦ । ଦରମା ମାସିକ 500ଟଙ୍କାରୁ ଆରମ୍ଭ କରି ଦଶ ବର୍ଷ ପରେ ବେତନ କମିଶନର ସୁପାରିଶ 1200 ଟଙ୍କା ।ଛେଳି ମାଂସ କିଲୋ 25 ଟଙ୍କା,ଘରଭଡା ମାସିକ 300 ଟଙ୍କା ।ବାପା ମାଆଙ୍କର ଦାଶରଥିଙ୍କ ବାହାଘର ପାଇଁ ଝିଅ ଖୋଜା ଆରମ୍ଭ । ପୁଅ ଶିକ୍ଷିତ, ସରକାରୀ ଚାକିରି ।ବୋହୂ ବି ଶିକ୍ଷିତା ହେବା ଦରକାର। କିନ୍ତୁ ଶିକ୍ଷିତ କନ୍ୟା ମିଳିବା କଠିନ । ଶେଷରେ ସଦ୍ୟ କଲେଜ ଯାଉଥିବା ମାଟ୍ରିକ ପାସ କନ୍ୟାକୁ ଶିକ୍ଷିତା ବୋଲି ଧରି ନେବାକୁ ହେଲା ।

ଆତ୍ମ ସନ୍ତୋଷରେ ହିଁ ସୁଖ ଓ ଖୁସି ଥାଏ । ସନ୍ତୋଷ ବତ୍ ନ କିମପି ସୁଖମ୍ ଅସ୍ତି । ଏହି ତ ଜୀବନ ଦର୍ଶନ  

   ଦାଶରଥି ଏବେ ଦାଶରଥିବାବୁ ।ଅଫିସିରେ ସେକ୍ସନ ଅଫିସର । ଜୀବନରେ ସେ ଆଉ ଏକ ଦର୍ଶନର ସନ୍ଧାନ ପାଇଲେ । କଲିକତାର ଜଣେ ଭଦ୍ର ବ୍ୟକ୍ତି ଜଣାଶୁଣା ହେଲେ । ଦିନେ ତାଙ୍କର ଘରେ ଆତିଥ୍ୟ ସ୍ଵୀକାର କରିବାକୁ କହିଲେ । ଭାତ୍ ,ମାଛେର ଝୋଲ୍ , ଦହି ଇଲିସ୍, ଚିଙ୍ଗୁଡି ଫ୍ରାଏ, ଶାଗ୍,ଡାଲ୍,ମିଷ୍ଟି ଦହି,ରସଗୋଲା ଇତ୍ୟାଦି ଅନେକ ବ୍ୟଞ୍ଜନ ।ତାଙ୍କର ସ୍ତ୍ରୀ, ମାନେ ବଉଦି ପାଖରେ ବସି ଗୋଟିଏ ପରେ ଗୋଟିଏ ବ୍ୟଞ୍ଜନ ସହ ଅଳ୍ପ ଭାତ ଦେଇ କୁହନ୍ତି- ବାବୁ ସୋନା ! ଖେଏ ନାଓ ।ପୁଣି ଅଳ୍ପ ଭାତ,ଆଉ ଏକ ବ୍ୟଞ୍ଜନ । ଖେଏ ନାଓ । ଓଡିଶାରେ ଯେଭଳି ଏକ ସଙ୍ଗେ ସବୁ ବ୍ୟଞ୍ଜନ ପରିବେଷଣ ହୁଏ ଏବଂ ଭାତ ସଙ୍ଗେ ସବୁ ବ୍ୟଞ୍ଜନ ଏକ ସଙ୍ଗେ ଖିଆଯାଏ, ବଉଦିଙ୍କ ପରିବେଷଣ ତାଠାରୁ ଭିନ୍ନ । ଦାଶରଥିବାବୁ ଖାଉ ଖାଉ ଅନେକ କିଛି ଖାଇ ଦେଇଛନ୍ତି । ପେଟ ଭାରାକ୍ରାନ୍ତ । ଶେଷରେ ମିଷ୍ଟି ଦହି ଓ ରସଗୋଲା । ଖାଇବାକୁ ପେଟରେ ଜାଗା ନ ଥିଲେ ବି ବଉଦିଙ୍କ ସହାସ୍ୟ ବଦନ ପରିବେଷଣରେ ଦାଶରଥି କେମିତି ବିମୋହିତ ହୋଇଯାଇଥିଲେ । ମନେ ମନେ ବଙ୍ଗାଳୀ ବଉଦିଙ୍କ ପରିବେଷଣ ଶୈଳୀକୁ ପ୍ରଶଂସା କରୁଥାନ୍ତି । କିଛିଦିନ ପରେ ଦାଦା ଓ ବଉଦି ଡାକି କହିଲେ, ମୋର କିଛି ଟଙ୍କାର ଅତ୍ୟନ୍ତ ଆବଶ୍ୟକତା ଅଛି । ତୁମେ ମୋତେ କାଲି ଦିଅ । ମୁଁ ଦରମା ପାଇଲେ ତୁମକୁ ଦେଇ ଦେବି ।ଅସୁବିଧା ସମୟରେ ଅନ୍ୟକୁ ଯଥୋଚିତ ସାହାଯ୍ୟ କରିବା ଜୀବନରେ ଏକ ଭଲ ଗୁଣ ବୋଲି ଦାଶରଥି ଶିକ୍ଷା ଲାଭ କରିଥିଲେ । ସେ କିଛି ଟଙ୍କା ଧାର ସୂତ୍ରରେ ଦେଲେ । ତାପରେ-ମାସପରେ ମାସ, ବର୍ଷ ପରେ ବର୍ଷ, ଅନେକ ବାହାନା,ଅନେକ ଆଶ୍ବାସନାରେ ଧାର,ଉଧାର ରେ ହିଁ ରହିଗଲା । ପୁସ୍ତକସ୍ଥା ତୁ ଯା ବିଦ୍ୟା,ପରହସ୍ତ ଗତଂ ଚ ଧନମ୍ । କାର୍ଯ୍ୟକାଲେ ସମୁତ୍ପନ୍ନେ ନ ସା ବିଦ୍ୟା ନ ତଦ୍ ଧନମ୍ ।।

  ମଣିଷ ନିଜ ଅଭିଜ୍ଞତାରୁ କିଛି ଶିଖିଲା ପରେ ବି ପୁଣି କିଛି ଶିଖିବା ପାଇଁ ଯେମିତି ବାକି ଥିବା ଭଳି ଜଣାପଡେ ।ସାହିର ଜଣେ ପିଲା ତାଙ୍କୁ ମାମୁଁ ବୋଲି ସମ୍ବୋଧନ କରେ ।ମାମୁଁ, ମୋର ଏବେ କିଛି ଟଙ୍କା ନିହାତି ଦରକାର। ଗୋଟିଏ ପାର୍ସଲ ଛଡାଇବାକୁ ହେବ । ଦୁଇଦିନ ପରେ ତୁମ ଟଙ୍କା ଦେଇଦେବି ।ଏ ଅସମୟରେ ତୁମେ ଟିକିଏ ସାହାଯ୍ୟ  କର । ମଣିଷର ସରଳ ମନ କହେ-ଅନ୍ୟକୁ ସାହାଯ୍ୟ କଲେ ଈଶ୍ବର ତୁମକୁ ସାହାଯ୍ୟ କରିବେ ।ଜୀବନରେ ଅର୍ଥର ମୂଲ୍ୟ ବହୁ ଗୁଣିତ ହୁଏ ଯେବେ ତାହା ଜରୁରୀ ଥିବା ଲୋକ ହାତରେ ପଡେ । ପିଲାଟି ତ ବିଶ୍ୱାସଯୋଗ୍ୟ ମନେ ହୁଏ । ଦେଖି,ଆଉ ଏକ ପରୀକ୍ଷା କରାଯାଉ । ଟଙ୍କା ଫେରାଇଲେ ତ ଭଲ ।ନ ହେଲେ ବି କିଛି ଖରାପ ନୁହେଁ ।ପରୋପକାରଃ ପୁଣ୍ୟାୟ ପାପାୟ ପର ପୀଡନମ୍ ।କାଲି ଦେବି,ଆଉ କିଛି ଦିନ ପରେ ଦେବି,ଆସନ୍ତା ସପ୍ତାହରେ ନିଶ୍ଚୟ ଦେବି ।ଶେଷରେ ପରୋପକାର ସ୍ବର୍ଗାୟରେ ଅନ୍ତ ହେଲା ।

  ପିତା ମାତାଙ୍କର ଦେହାନ୍ତ ପରେ,ପୈତୃକ ସମ୍ପତ୍ତିର ଭାଗ ବଣ୍ଟା କରିବାର ଆବଶ୍ୟକ ହେଲା । ବଡଭାଇ ଏହା ମଧ୍ଯରେ ଚଞ୍ଚକତା କରି ସମସ୍ତ ସମ୍ପତ୍ତି ତାଙ୍କ ନାମରେ କରି ଦେଇଛନ୍ତି । ଦାଶରଥିବାବୁ ଏହାର ଏକ ସମାଧାନ ବାହାର କରିବାକୁ ସବୁ ଭାଇମାନଙ୍କୁ ଡାକି ଆଲୋଚନାରେ ବସିଲେ । ବଡ଼ଭାଇ ନିଜ ଭୁଲ ସ୍ବୀକାର କରି ପୁଣି ସବୁ ଭାଇମାନଙ୍କ ମଧ୍ଯରେ ସମ୍ପତ୍ତିର ଭାଗ ବଣ୍ଟା ହେବ ବୋଲି ରାଜି ହେଲେ । ବିନା କଳହରେ କିପରି ଭାଗ ବଣ୍ଟା ଯିବ ସେଥିପାଇଁ ଦାଶରଥିବାବୁ ଚିନ୍ତିତ ଥିଲେ ।ସେ ଶିକ୍ଷିତ, ସରଳ ସ୍ବଭାବ ଓ ସବୁ ଭାଇମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ କରନ୍ତି । କିନ୍ତୁ ଅନ୍ୟ ଭାଇମାନେ ସ୍ୱାର୍ଥପର। କେହି କିଛି ତ୍ଯାଗ କରିବାକୁ ନାରାଜ। ଜ୍ୟେଷ୍ଠ ଭାଇ ଜ୍ୟେଷ୍ଠାଂଶ ଦାବୀ କଲେ ।ସାନଭାଇ ପିତା ମାତାଙ୍କର ସେବା ଶୁଶ୍ରୂଷା କରିଛି ବୋଲି ବେଶିଭାଗ ନେବା ପାଇଁ ଉତ୍ସୁକ। ଯେ ଯାହାର ଜିଦ୍ ରେ ଅଚଳ ।ଶେଷରେ ଦାଶରଥିବାବୁ ନିଜ ଭାଗରୁ କିଛି ତ୍ଯାଗ କରି ସମସ୍ୟାର ସମାଧାନ କଲେ ।କାରଣ ପ୍ରତିକୂଳ ପରିସ୍ଥିତିରେ ‘ଅର୍ଦ୍ଧଂ ତ୍ୟଜେତ୍ ଗୁଣୀନା'-ଆଉ ଏକ ଜୀବନ ଦର୍ଶନ ।

  ବିଶ୍ଵରେ ଶାନ୍ତି,ପ୍ରୀତି,ସହାବସ୍ଥାନ ଓ ସମୃଦ୍ଧି ପାଇଁ ତ୍ୟାଗର ଆବଶ୍ୟକତା ଅଛି ।ଅହଂକାର, ବିନାଶ ପ୍ରବୃତ୍ତିକୁ ତ୍ଯାଗ କରି ବିଶ୍ୱ ଜୀବନ ରେ ‘ବସୁଧୈବ କଟୁମ୍ବକମ୍' ଦର୍ଶନକୁ ପ୍ରାଧାନ୍ୟ ଦେବା ଉଚିତ୍।

ଅୟଂ ନିଜଃ ପରୋବେତି ଗଣନା ଲଘୁ ଚେତସାମ୍,

ଉଦାର ଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍ ।

       *******



Rate this content
Log in

Similar oriya story from Abstract