Golak Bihari Sahoo

Tragedy Inspirational

4  

Golak Bihari Sahoo

Tragedy Inspirational

ଜୀବନ କେବେ କିପରି

ଜୀବନ କେବେ କିପରି

4 mins
215



    

-ହେଲୋ ସଞ୍ଜୁ! କଣ କରୁଛୁ? କେତେ ଥର ଫୋନ କଲିଣି। ଫୋନ ଉଠାଉ ନାହୁଁ କାହିଁକି?

-ମୋ ମାନସିକ ଅବସ୍ଥା ଭଲ ନାହିଁ ଲୋ ସୀମା। ଆଉ ବଞ୍ଚି ରହିବାକୁ ଇଚ୍ଛା ହେଉ ନି ।

-ଏମିତି ଭାଙ୍ଗି ପଡିଛୁ କାହିଁକି? କଣ ହୋଇଛି ତୋର? ମନ ଖୋଲି ତୋର ପ୍ରିୟ ସାଙ୍ଗକୁ କହିବୁନି ତ ଆଉ କାହାକୁ କହିବୁ? ମନର ଦୁଃଖ ମନରେ ଚାପି ରଖିଲେ ଦୁଃଖ ଓ ହତାଶା ବଢି ଚାଲିବ। କହ କଣ ହୋଇଛି।

-ତୁ ତ ଜାଣୁ ସୀମା, ମୁଁ କେଉଁ ପରିସ୍ଥିତିରେ ବଢି କେଉଁ ଜାଗାରେ ପହଞ୍ଚିଛି। ଗରିବ ଘରେ ଜନ୍ମ ହୋଇ ଚୁଡା ମୁଢି ବିକି ଆମେ ଦୁଇ ଭଉଣୀ ପିଲାଦିନୁ ସଂଘର୍ଷ କରି ନିଜ ଗୋଡ଼ରେ ଠିଆ ହୋଇଛୁ। ବାପା ଛୋଟିଆ ତେଲ ମସଲା ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ। ଗୋଟିଏ ବଖରା ଭଡା ଘରେ ଜନ୍ମ ହୋଇ ବଡ ହୋଇଛୁ। ସାନ  ଭଉଣୀ ଏବେ ଶିକ୍ଷକତା କରୁଛନ୍ତି। ମୁଁ ଅସ୍ଥାୟୀ ଶିକ୍ଷକ ରୂପେ ଚାକିରି କରୁଥିବା ଅବସ୍ଥାରେ ବିବାହ କରି ନେଲି। ମୋର ସୁଖର ଦୁନିଆ ଆରମ୍ଭ ହୋଇଗଲା ବୋଲି ମୁଁ ମୋର ସବୁ ସାଙ୍ଗମାନଙ୍କୁ ଗର୍ବରେ କହୁଥିଲି। ମୁଁ ଗୋଟିଏ ଭଲ ଶାଶୁଘର ପାଇଛି। ମୋ ବର, ଶାଶୁ, ଶ୍ଵଶୁର ଅତି ଉତ୍ତମ। ଏତେ ଦିନପରେ ଭଗବାନ ମୋର ଦୁଃଖ ଶୁଣିଛନ୍ତି। ଅଭାବ ଅସୁବିଧା ଦୂର କରିଛନ୍ତି। ସୌଭାଗ୍ୟକୁ ମୁଁ ଏକ ପୁତ୍ର ସନ୍ତାନର ମା ବି ହେଲି। ମୋର ସୁଖର ସଂସାରରେ ହସି ଖେଳି ଦିନ କାଟୁଥିଲି। କିନ୍ତୁ ପୁଣି ଠାକୁର ଦୁଃଖ ଦେଇଛନ୍ତି ବୋଲି ଜାଣିଲି ଯେତେବେଳେ ଦେଖିଲି ପୁଅ ଠିଆ ହେଲାବେଳେ ଛୋଟେଇ ଠିଆ ହେଉଛି। କଥା ସ୍ପଷ୍ଟ କହୁନି। ପେଟ ବଡ ଦେଖା ଯାଉଛି। ଡାକ୍ତରଙ୍କ ପାଖକୁ ନେଇ ପରାମର୍ଶ କରିବା ପରେ ସେ ରକ୍ତ ପରୀକ୍ଷା କରିବାକୁ କହିଲେ। ସେଥିରେ ରକ୍ତରେ ଏକ ଏନ୍ଜିମର ଅଭାବ ପରିଲକ୍ଷିତ ହେଲା। ସେଥିପାଇଁ ପୁଅର ବୃଦ୍ଧିରେ ମନ୍ଥରତା ଦେଖାଦେବ ଏବଂ ଭବିଷ୍ୟତରେ ତାହା ବୃଦ୍ଧି ପାଇ ପୁଅର ଶାରୀରିକ ଅକ୍ଷମତାରେ ପରିଣତ ହେବ। ଏହା ଏକ ଜେନେଟିକ୍ ଡିଜଅର୍ଡର ବୋଲି ଡାକ୍ତର କହିଲେ। ଏହା ଜାଣିବା ପରେ ମୁଁ ପୁରା ଭାଙ୍ଗି ପଡିଛି। ସବୁ ସୁଖ ମଧ୍ୟରେ ଏ ଦୁଃଖକୁ ଠାକୁର ମୋ ଉପରେ କାହିଁକି ଲଦି ଦେଲେ। ମୁଁ କେଉଁ ଜନ୍ମରେ କି ଦୋଷ କରିଥିଲି। ଅନେକ ଡାକ୍ତରଙ୍କର ପରାମର୍ଶ ନେଲି। ଏହାର କୌଣସି ଚିକିତ୍ସା ନାହିଁ ବୋଲି କେତେକ ଡାକ୍ତର କହିଲେ। ଆଉ କେହି କହୁଛନ୍ତି ଏଥିପାଇଁ ଏକ ଇଂଜେକ୍ସନ ବିଦେଶରେ ଉପଲବ୍ଧ ହେଲାଣି। ସେଥିପାଇଁ ମାସିକ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହା ଆମ ସାମର୍ଥ୍ୟର ବାହାରେ। ମୁଁ କଣ କରିବି କହିଲୁ? 

--ତୁ ଥରେ ଓଲଟପୁର ହସ୍ପିଟାଲକୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ କରେ। ସେ ହସ୍ପିଟାଲ ଶାରୀରିକ ଓ ମାନସିକ ଅକ୍ଷମ ଶିଶୁମାନଙ୍କର ଚିକିତ୍ସା କରିବାରେ ସୁନାମ ଅଛି। 

- କିଛିଦିନ ପରେ….. 

- -ସୀମା! ତୋ କହିବା ଅନୁସାରେ ଆମେ ପୁଅକୁ ନେଇ ଓଲଟପୁର ହସ୍ପିଟାଲ ଯାଇଥିଲୁ। ଡାକ୍ତର ସେହି ଏକା କଥା କହିଲେ। ଜେନେଟିକ୍ ଡିଜଅର୍ଡର ଭଳି ଲକ୍ଷଣ ଥିଲେ ଏଠାରେ ତାର ଚିକିତ୍ସା ହୋଇ ପାରିବ ନାହିଁ। କିନ୍ତୁ ତୁମ ପୁଅର ଗୋଡ ଦୁଇଟିରେ ବଙ୍କେଇ ହୋଇ ଚାଲିବାର ଚିକିତ୍ସା ପାଇଁ ଆମେ ଫିଜିଓଥେରାପି ମାଧ୍ୟମରେ କିଛି କରି ପାରିବୁ। କିଛି ଦିନ ସମୟ ଲାଗିବ। ସୀମା! ଜାଣିଛୁ, ସେଠାରେ ମୁଁ ଯାହା ଦେଖିଲି ସେଥିରେ ମୋର ମନରେ ଧୈର୍ଯ୍ୟ ଓ ସାହାସ ବୃଦ୍ଧି ପାଇଛି। ଜଣେ ବାର ବର୍ଷର ବାଳକ। କି ସୁନ୍ଦର ଶରୀର ଗଠନ!! କିନ୍ତୁ ପାଦ ଦୁଇଟି ଜନ୍ମରୁ ବଙ୍କା। ସେ ବଙ୍କା ପାଦରେ ଛୋଟେଇ ଛୋଟେଇ ଚାଲୁଛି। ଆଉ ଗୋଟିଏ ଝିଅ ଛୁଆ ପାଞ୍ଚ ବର୍ଷର। ସୁନ୍ଦର ଶରୀର ଗଠନ। କିନ୍ତୁ କଥା କହି ପାରୁନି କି ଶୁଣି ପାରୁନି। ଏ ସବୁ ଦେଖିଲା ପରେ ମୁଁ ଭାବୁଛି ମୋ ପୁଅର ଅବସ୍ଥା ସେତେ ଦୟନୀୟ ନୁହେଁ। ଭବିଷ୍ୟତରେ ତାର ଅବସ୍ଥା କଣ ହେବ କିଏ କହି ପାରିବ? କିନ୍ତୁ ମୋ ପୁଅ ଯେତେଦିନ ବଞ୍ଚିଥିବ ମୁଁ ତାହା ସହ ହସ ଖୁସିରେ ଦିନ କାଟି ପୁତ୍ର ସୁଖ ତ ଭୋଗ କରି ପାରିବି। 

-ସଞ୍ଜୁ! ତୁ ଠିକ୍ କହିଲୁ। ଭାବିଲେ ଦୁଃଖ ଲାଗେ। କଳା ଠାକୁରଙ୍କର ହାତ ଗୋଡ଼ ଅସଂପୂର୍ଣ୍ଣ ବୋଲି ସେ ଅପଙ୍ଗ ଶିଶୁମାନଙ୍କୁ ଜନ୍ମ ଦିଆଇ କଣ ପରୀକ୍ଷା କରିବାକୁ ଚାହୁଁଛନ୍ତି। ଏପରି ଅପଙ୍ଗ ଶିଶୁ ସଂସାରକୁ ପଠାଉଛନ୍ତି, ନା ସେମାନେ ମଣିଷ ନା ପଶୁ। ପିଲାମାନେ ଯାହା ତ କଷ୍ଟ ଭୋଗ କରୁଛନ୍ତି, ତା ସହ ବିକଳାଙ୍ଗ ଶିଶୁମାନେ ପିତାମାତା, ଦେଶ ଓ ସମାଜର ଦୁଃଖଦ ସମସ୍ୟା। ପିତାମାତାମାନେ ସାରା ଜୀବନ ଦୁଃଖ, କଷ୍ଟ ଓ ଯନ୍ତ୍ରଣାରେ ଛଟପଟ ହୋଇ ବଞ୍ଚୁଛନ୍ତି। ଈଶ୍ଵରଙ୍କର ଏ କି ପରୀକ୍ଷା? 

- ସୀମା! ଆମେ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଆଜି ବ୍ୟାଙ୍କକୁ ଯାଇଥିଲୁ। ବ୍ୟାଙ୍କର ସୁରକ୍ଷା କର୍ମୀ ସୋମନାଥ ମହାପାତ୍ର ଆମ ବାବୁଙ୍କର ଜଣାଶୁଣା ପରିଚିତ। କହିଲେ – ହେ ମହାପାତ୍ର ଭାଇନା! ଗେଟ ପାଖରେ ବସି ରହି ରହି ତୁମର ପେଟ ବଢି ଗଲାଣି। କଣ ବ୍ୟାୟମ, ଯୋଗାସନ କିଛି କରୁ ନାହଁ କି? ମହାପାତ୍ର ଭାଇନାଙ୍କର ସବୁବେଳେ ହସ ହସ ମୁହଁ। ସମସ୍ତ ଗ୍ରାହକମାନଙ୍କୁ ସେ ସାହାଯ୍ୟ କରନ୍ତି। ତାଙ୍କୁ ଦେଖିଲେ କେହି ବିଶ୍ଵାସ କରି ପାରିବେ ନାହିଁ ଯେ ତାଙ୍କ ମନରେ ଏତେ ଦୁଃଖ ଭରି ରହିଛି। ମହାପାତ୍ର ଭାଇନା କହିଲେ – ମୁଁ ପ୍ରତିରକ୍ଷା ବିଭାଗରୁ ଅବସର ନେଇ ବ୍ୟାଙ୍କରେ ସୁରକ୍ଷା କର୍ମୀ ହିସାବରେ ନିଯୁକ୍ତି ପାଇଛି। ଶରୀରକୁ କିଭଳି ସୁସ୍ଥ ସବଳ ରଖିହେବ ତାହା ମୁଁ ଜାଣେ। କିନ୍ତୁ ମୋ ସାନ ପୁଅର ଗାଡି ଦୁର୍ଘଟଣାରେ ମୃତ୍ୟୁ ହେବାପରେ ମୁଁ ଦୁଃଖରେ ଭାଙ୍ଗି ପଡିଥିବାରୁ ମୋ ଶରୀର ପ୍ରତି ଆଉ ଯତ୍ନ ନେଉ ନି। କିନ୍ତୁ ମୋ କର୍ମ କ୍ଷେତ୍ରରେ କୌଣସି ଅବହେଳା କରୁ ନି କି ମୋ ଦୁଃଖକୁ ଦୃଶ୍ୟମାନ କରି ଅନ୍ୟ କାହାକୁ ଦୁଃଖିତ କରିବାକୁ ଚାହୁଁନି। ମୋ ଦୁଃଖ କିଏ କଣ ଲାଘବ କରି ପାରିବ? ଅଠର ବର୍ଷ ବୟସର ପୁଅ। କଲେଜରେ ପଢୁଥିବା ସମୟରେ ସାଙ୍ଗମାନଙ୍କ ସହ ବସରେ ବଣଭୋଜି କରିବାକୁ ଯାଇଥିଲା। ଫେରିବା ବାଟରେ ଗାଡି ଓଲଟି ପଡିବାରୁ ମୋ ପୁଅ ସମେତ ଚାରି ଜଣଙ୍କର ମୃତ୍ୟୁ ଘଟିଲା। ଏହା କହି ନିଜ ମୋବାଇଲ ଖୋଲି ପୁଅର ଫଟୋ ଦେଖାଇଲେ। କି ସୁନ୍ଦର ଚେହେରା ଓ ମୁଖମଣ୍ଡଳ। ଯେତେ ଆଶ୍ଵାସନା ଓ ସମବେଦନା ଦେଲେ ତାଙ୍କର ଦୁଃଖ କଣ କେହି ଲାଘବ କରି ପାରିବ? କିଛି ଦିନ ପରେ ହୁଏତ ପୁତ୍ର ବିରହ ବେଦନାକୁ ସେ ଭୁଲି ଯାଇଥାନ୍ତେ। କିନ୍ତୁ ଈଶ୍ଵର କି ନିଷ୍ଠୁର। ମୋବାଇଲରେ ସେ ତାଙ୍କର ବଡ ପୁଅର ଫଟୋ ଦେଖାଇଲେ। ଶାରୀରିକ ଅକର୍ମଣ୍ୟ। ବୟସ ତେଇଶି ବର୍ଷ। ଠିଆ ହୋଇ ପାରୁନି କି କଥା କହି ପାରୁନି। ତଳେ ଘୋଷାଡି ହେଉଛି। ତାର ମାଆ ମଳ ଓ ପରିଶ୍ରା ସଫା କରୁଛନ୍ତି। ହାତରେ ଖୁଆଇ ଦେଉଛନ୍ତି। ସକ୍ଷମ ସାନ ପୁଅ ଜନ୍ମ ପରେ ପଙ୍ଗୁ ବଡ ପୁଅ ଯୋଗୁଁ ଜାତ ଦୁଃଖ ଯନ୍ତ୍ରଣା କିଛି ପରିମାଣରେ ସେ ସହଜ ମନେ କରି ନେଇଥିଲେ। କିନ୍ତୁ ଏବେ ବାପା ମାଆ ଦୁଇଜଣ ପଙ୍ଗୁ ବଡ ପୁଅକୁ ଦେଖିଲେ ସାନ ପୁଅକୁ ହରାଇ ଥିବା ଦୁଃଖ ତାଙ୍କର ବହୁଗୁଣିତ ହେଉଛି। ତଥାପି ସେ ହସ ହସ ମୁହଁରେ ଗ୍ରାହକମାନଙ୍କୁ ସେବା କରିବାରେ ଅବହେଳା କରୁ ନାହାନ୍ତି। ମହାପାତ୍ର ଦମ୍ପତ୍ତି ମନକୁ ପାଷାଣ କରି ବଞ୍ଚି ଶିଖିଛନ୍ତି। ମନେହୁଏ ସତେ ଯେମିତି ତାଙ୍କର ଧୈର୍ଯ୍ୟ ଓ ବଞ୍ଚିବାର ଅଦମ୍ୟ ଇଚ୍ଛା ଆଗରେ ସ୍ବୟଂ ଭଗବାନ ବି ହାର ମାନିବେ। 

ଏ ସବୁ ଜାଣିବା ପରେ ମୁଁ ଭାବୁଛି ମୋର ପୁଅର ସମସ୍ୟା କିଛି ନୁହେଁ। ମୁଁ ବି ଧୈର୍ଯ୍ୟର ସହ ପୁଅକୁ ନେଇ ବଞ୍ଚିବି ଏବଂ ପୁତ୍ର ସୁଖକୁ ଯେତେଦିନ ସମ୍ଭବ ଉପଭୋଗ କରି ଆନନ୍ଦ ରେ ବଞ୍ଚିବି। ବୋଧେ, ଏହାହିଁ ଈଶ୍ବରଙ୍କ ଇଚ୍ଛା ଓ ନିର୍ଦ୍ଦେଶ। 

     ****



Rate this content
Log in

Similar oriya story from Tragedy