Golak Bihari Sahoo

Abstract

4  

Golak Bihari Sahoo

Abstract

ଭଲ ବନାମ ମନ୍ଦ

ଭଲ ବନାମ ମନ୍ଦ

3 mins
254



ହରି ମାଷ୍ଟ୍ରେ ଜଣେ ସରଳ,ଆମାୟିକ, ସତ୍ୟନିଷ୍ଠ, ପରୋପକାରୀ ମଣିଷ । ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ହିସାବରେ ତାଙ୍କର ସୁନାମ ରହିଛି ।ତାଙ୍କର କେତେ କେତେ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପ୍ରାପ୍ତ କରି ଉଚ୍ଚ ପଦରେ ନିଯୁକ୍ତି ପାଇ ଦେଶ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ସେଥିପାଇଁ ସେ ଗର୍ବିତ ।

   ନିଜର ତିନି ପୁଅ। ବଡପୁଅ ଜିଲ୍ଲାପାଳ କଟକରେ ଏବଂ ବୋହୂ କଲେଜରେ ଅଧ୍ୟାପିକା। ଦ୍ଵିତୀୟ ପୁଅ କୃଷକ। ଗାଁରେ ଥିବା ଜମିବାଡି ଚାଷବାସ କରି ଆତ୍ମ ନିର୍ଭରଶୀଳ ହୋଇ ପାରିଛି। ତୃତୀୟ ପୁଅ ସାନ ପୁଅ ହୋଇଥିବାରୁ ବାପା ମାଆଙ୍କର ଅଧିକ ସ୍ନେହ ଏବଂ ଆଦର ପାଇ ଜିଦଖୋର ହୋଇ ଯାଇଛି। କିନ୍ତୁ ତାର ସବୁ ଦାବୀ ବାପା ମା ପୂରଣ କରିବାରେ କେବେ ଅବହେଳା କରି ନାହାଁନ୍ତି। ଯେନତେନ ବିଏ ପାସ କରି ଗାଁ ରେ ବେକାର ସାଙ୍ଗ ମାନଙ୍କ ସହ ମିଶି ମଜା ମଉଜ କରୁଛି। ସଙ୍ଗ ଦୋଷରେ ପଡି ମାଦକ ଜିନିଷ ସେବନ କରି ଗୁଣ୍ଡାଗିରି କରିବା, ଝିଅମାନଙ୍କୁ କମେଣ୍ଟ୍ ମାରିବା ତାର ନିତିଦିନିଆ କାମ। ବାପାମା ଯେତେ ବୁଝାଇଲେ ସୁଧାରିବାର ନାମ ଗନ୍ଧ ନାହିଁ। ଏକ ବାପାମା କୋଳରୁ ଜନ୍ମ ହୋଇ ଏକା ପରିବେଶରେ ଲାଳନ ପାଳନ ପାଇ ପିଲାଟା କେମିତି ବିଗିଡି ଗଲା ତାହା ହରି ମାଷ୍ଟ୍ରେ ସବୁବେଳେ ଚିନ୍ତା କରନ୍ତି। କୁହନ୍ତି – ହାତର ସବୁ ଆଙ୍ଗୁଳି କଣ ସମାନ ଥାଏ। କିନ୍ତୁ ଅସମାନ ଆଙ୍ଗୁଳି ମାନଙ୍କ ମଧ୍ୟରେ ସହଯୋଗିତା ଓ ସମନ୍ଵୟ ଭାବ ଥାଏ। ସଭିଏଁ ମିଳି ମିଶି କାମ କରନ୍ତି। ସାନପୁଅ ପାଖରେ ଏ ସମନ୍ଵୟ ଭାବ ନାହିଁ। ବେଳେ ବେଳେ ନିଜ ଉପରେ ଦୋଷାରୋପ କରି କହନ୍ତି, ତାଙ୍କର ଯତ୍ନ ନେବାରେ ବୋଧେ କେଉଁଠି ଭୁଲ ରହିଗଲା। କଲେକ୍ଟର ପୁଅକୁ କେତେଥର କହିଲେଣି, ଭାଇକୁ କେଉଁଠି ଥଇଥାନ କରାଇ ରଖି ଦେ। ଗାଁରେ ରହି ସେ ପଥଭ୍ରଷ୍ଟ ହୋଇ ଗଲାଣି। ପୁଅ କହେ- ନିଜର ଯୋଗ୍ୟତାରେ ନିଜ ଗୋଡ଼ରେ ଠିଆ ହେବାକୁ ତାକୁ କୁହ। 

   ଚାକିରୀରୁ ଅବସର ନେଇ ସେ ଗାଁର ଗରିବ ପିଲାମାନଙ୍କୁ ଟିଉସନ୍ କରି ଆନନ୍ଦ ପାଆନ୍ତି। ସ୍ତ୍ରୀ ଅନସୂୟା ରୋଗରେ ପୀଡିତ ହୋଇ ଈହଲୀଳା ସମ୍ବରଣ କରିବା ପରେ ହରିମାଷ୍ଟ୍ରେ ନିଜକୁ ନିଃସଙ୍ଗ ଅନୁଭବ କରୁଛନ୍ତି। ମା’ର ଅନ୍ତେଷ୍ଟି କ୍ରିୟାରେ ବଡପୁଅ ଗାଁ କୁ ନ ଆସି ଶାନ୍ତ୍ୱନା ବାଣୀ ପଠାଇ କହିଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଆମେ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପାରିବୁ ନାହିଁ। ତୁମେ ଅନ୍ୟ ଦୁଇ ପୁଅଙ୍କୁ ନେଇ ଶୁଦ୍ଧିକ୍ରିୟା କରିନିଅ। ବଡପୁଅର ଏତାଦୃଶ୍ୟ ଶାନ୍ତ୍ୱନା ବାଣୀ ତାଙ୍କୁ ବେଦନା ବ୍ୟଥିତ କରି ଦେଇଛି। ଏବେ ଭାବୁଛନ୍ତି ଉଚ୍ଚ ଶିକ୍ଷିତ ହେଲା ବୋଲି ସଂସ୍କାର ଓ ପରମ୍ପରାକୁ ଅବମାନନା କରିବା ଅକ୍ଷମଣୀୟ।

   ଏଇ ଚିନ୍ତା ତାଙ୍କୁ ବାରମ୍ଵାର ଖାଇ ଯାଉଛି ।ସେ ଖାଇବା ପିଇବା ଭୁଲି ଖୁବ୍ ଚିନ୍ତାଗ୍ରସ୍ତ ଥାନ୍ତି। ଦିନେ ଭାବିଲେ କଟକ ଯାଇ ଜିଲ୍ଲାପାଳ ପୁଅକୁ ଦେଖାକରି ପଚାରିବି ବାପାମାଆଙ୍କର ସ୍ନେହ, ଆଦର, ଲାଳନ ପାଳନର ମୂଲ୍ୟ ତୁମେ ଆଜିପର୍ଯ୍ୟନ୍ତ ବୁଝି ପାରିଲନି କେମିତି। ମୃତ ବାପାମାଆଙ୍କ ଶବକୁ ମୁଖାଗ୍ନି ଦେଇ ଶ୍ରାଦ୍ଧ କାର୍ଯ୍ୟ କରି ଶ୍ରଦ୍ଧା ସମ୍ମାନ ପ୍ରକାଶ କରିବାକୁ ତୁମ ପାଖରେ ସମୟ ନାହିଁ। ଧିକ୍ ତୁମର ଉଚ୍ଚ ପଦବୀ, ଅର୍ଥ ରୋଜଗାର।

   ସେଦିନ କଟକରେ ପହଞ୍ଚି, ପୁଅର ବାସସ୍ଥାନର ଠିକଣା ଜାଣି ନ ଥିବାରୁ ସିଧା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଲେ। ସୁରକ୍ଷା କର୍ମୀ ଭିତରକୁ ଛାଡିବାକୁ ମନା କରିବାରୁ ସେ ଜବରଦସ୍ତ ଭିତରେ ପଶିଗଲେ। କହିଲେ, ବାପ ପୁଅକୁ ଦେଖାକରିବାକୁ ପୁଣି ଅନୁମତି ଦରକାର। ଜିଲ୍ଲାପାଳ ହରିମାଷ୍ଟ୍ରଙ୍କୁ ଦେଖି ଉତ୍ତେଜିତ ହୋଇ କହିଲେ – ତୁମକୁ ଏଠାକୁ ଆସିବାକୁ କିଏ କହିଲା। ଘରକୁ ଯାଇ ପାରିଥାନ୍ତ। ତୁମ ସହ କଥା ହେବାକୁ ଏବେ ମୋର ସମୟ ନାହିଁ। ତୁମେ ବାହାରେ ଅପେକ୍ଷା କରିଥାଅ। ମୁଁ ଡାକିବି। 

  ଜିଲ୍ଲାପାଳଙ୍କ ସମ୍ମୁଖରେ ବସିଥିବା ଭଦ୍ରଲୋକ ସଙ୍ଗେ ସଙ୍ଗେ ଚେୟାରରୁ ଉଠିପଡି ହରିମାଷ୍ଟ୍ରଙ୍କ ପାଖକୁ ଦୌଡି ଆସି ତାଙ୍କ ପାଦ ତଳେ ସାଷ୍ଟାଙ୍ଗ ପ୍ରଣିପାତ କରି ପଚାରିଲେ- ସାରେ! ଆପଣ କେମିତି ଅଛନ୍ତି? ମୁଁ ବିକାଶ, ଆପଣଙ୍କ ଛାତ୍ର। ଏବେ କଟକରେ ଶିକ୍ଷା ନିର୍ଦ୍ଦେଶକ ହିସାବରେ କାମ କରୁଛି। ହରିମାଷ୍ଟ୍ରଙ୍କ ଆଖିରୁ ଦୁଇ ଧାର ଲୋତକ ଗଡି ଆସିଲା। ସେ ନିଜ ପୁଅକୁ କହିଲେ – ଦେଖ୍, ବିକାଶ ଓ ତୋ ଭିତରେ କେତେ ଫରକ। ଦୁଇଜଣ ଉଚ୍ଚ ପଦବୀରେ ଥାଇ ଟଙ୍କା ରୋଜଗାର କରୁଥିଲେ ବି ଜଣେ ଚରିତ୍ରବାନ ଭଦ୍ର, ଆଉ ତୁ ଅମଣିଷ, ମନ୍ଦ ଚରିତ୍ରବାନ। ସେ ମୋର ଛାତ୍ର ପୁତ୍ରସମ। ପିତାଙ୍କୁ କେମିତି ସମ୍ମାନ ଶ୍ରଦ୍ଧା କରିବା ଜାଣେ। ଆଉ ତୁ ମୋର ପୁତ୍ର ବୋଲି ପରିଚୟ ଦେବାକୁ ମୁଁ ଲଜ୍ଜ୍ୟା ଅନୁଭବ କରେ। 

  ମଣିଷର ମନ ଓ ଶରୀର ଭଲ ଓ ମନ୍ଦରେ ଗଢା। ପରିସ୍ଥିତିରେ ପଡି ଭଲ ମନ୍ଦ ହୋଇଯାଏ ଏବଂ ମନ୍ଦ ବି ଭଲ ହୋଇ ଯାଇପାରେ। ଜୀବନ ଭଲ ମନ୍ଦ, ସୁଖ ଦୁଃଖ, ଆଲୋକ ଅନ୍ଧାରର ସମିଶ୍ରଣ। ମନ୍ଦ ନ ଥିଲେ ଭଲର ମହତ୍ଵ,ଦୁଃଖ ନ ଥିଲେ ସୁଖର ସ୍ଵାଦ, ଅନ୍ଧାର ନ ଥିଲେ ଆଲୋକର ତାତ୍ପର୍ଯ୍ୟ କେବେ ଅନୁଭବ ହୁଅନ୍ତା ନାହିଁ। ଏ ଦୁଇ ବିପରୀତଧର୍ମୀ, ମଣିଷ ଜୀବନକୁ ପୂର୍ଣ୍ଣତା ଓ ପରିପୁଷ୍ଟତା ଦିଏ। ମନ୍ଦ, ଦୁଃଖ ଓ ଅନ୍ଧାରରେ ପରିମାର୍ଜିତ ହୋଇ ସୁଖ ଓ ଭଲ ପାଇଁ ଜୀବନରେ ଜ୍ଞାନାଲୋକର ସନ୍ଧାନରେ ମଣିଷ ନିରନ୍ତର ପ୍ରୟାସ ଜାରି ରଖେ। ଏ ପ୍ରୟାସ ବିନା ମଣିଷ ଅମଣିଷ ହୋଇ ରହିଯାଏ। ଏହି ତ ଜୀବନ। 

     ********



Rate this content
Log in

Similar oriya story from Abstract