ଭଙ୍ଗା ପାଚେରୀ
ଭଙ୍ଗା ପାଚେରୀ
ବିଦ୍ୟାଳୟର ସେ ଭଙ୍ଗା ପାଚେରୀ ଉପରେ ଚଢି ଏକା ଲୟରେ ଚାହିଁ ରହିଥିଲା ରମେଶ । ସାଙ୍ଗ ମାନେ ଖେଳରେ ମସଗୁଲୁ ଥିଲେ । କିନ୍ତୁ ରମେଶର ଖେଳପ୍ରତି ଟିକେ ହେଲେ ଅଗ୍ରହ ନଥିଲା । ଦୂରରୁ ଶୁଭୁଥିଲା ରବି ର ସ୍ୱର "ଏ ରମେଶ ତୋ ପାଖରେ ବଲ୍ ଟା ପଡିଛି ଦେଇ ତ ।
ରମେଶ ବା କାହୁଁ ଶୁଣିବ କିଏ ତାକୁ କଣ କହୁଛି , କଣ ମାଗୁଛି । ଅଦୂରରେ "ଅରୁଣା" ସାଙ୍ଗ ମାନଙ୍କ ସହ ବସି ଗପରେ ମଜିଯାଇଥିଲା । ଅରୁଣା ହସିଦେଲେ ରମେଶର ସ୍ୱତଃପ୍ରବୃତ୍ତ ଭାବରେ ହସ ଆସିଯାଉଥିଲା ଓଠକୁ । ପଛରୁ ରବି ଆସି ଧକାଟେ ମାରିଲା ରମେଶକୁ । ଭଙ୍ଗା କାନ୍ଥ ଉପରେ ଟଳ ଟଳ ହେଉଥିବା ସେ ଗୋଡ଼ ଦୁଇଟି ଆଉ କେତେ ସମୟ ନିଜକୁ ସାଇତି ଥାନ୍ତେ । ଭୁଷୁକରି ଗଳି ପଡିଲା ରମେଶ । ଅରୁଣା ସହ ତା ସାଙ୍ଗମାନେ ବି ଯୋର ଯୋର ହସୁଥିଲେ । ତାଙ୍କ ଭିତରୁ କିଏ ରମେଶକୁ ମାଙ୍କଡବୋଲି ଆଖ୍ୟା ବି ଦେଇ ସାରିଥିଲା । ଅରୁଣା ଓଠର ସେ ହସ ପାଇଁ ରମେଶ ଚାହିଁଥିଲା ବାର ବାର ସେଭଳି ଗଳି ପଡ଼ିବାକୁ ।
ରମେଶ ଓ ଅରୁଣା ଗୋଟେ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ଅରୁଣା ତା ମାମୁଁଘରେ ରହି ପାଠ ପଢୁଥିଲା । ଭାରି ଚୁପଚାପ ପିଲାଟି । ରମେଶ ସେଇ ଗାଆଁର ପିଲା । ଅରୁଣା ପାଇଁ ତା ମନରେ ଥିବା ଭାବନା କଣ ସେ ଜାଣି ନଥିଲା । ତାକୁ ପ୍ରେମ କୁହାଯିବ ଅଥବା ଆକର୍ଷଣ । ହେଲେ ଅରୁଣା ଖୁସି ରହିଲେ ସେ ଖୁସି ହୋଇଯାଏ । ଅରୁଣା ମୁହଁ ଶୁଖିଥିଲେ ତାର ଦିନଟା ଭଲରେ ଯାଏନି । ଦେଖୁ ଦେଖୁ ଦୁହିଁଙ୍କର ବିଦ୍ୟାଳୟରୁ ପାଠ ପଢା ସରିଗଲା । ଘର ପାଖରେ ଥିବା ଜଲେଜ ରେ ନାଁ ବି ଲେଖା ହୋଇଗଲା । ରମେଶ ଏଯାବତ ସେପରିହିଁ ଥିଲା ଅରୁଣା ପାଇଁ । ତାର କିଛି ଅସୁବିଧା ହେଲେ ରମେଶ ସର୍ବଦା ଆଗରେ ଯାଇ ଠିଆ ହୋଇଥାଏ ।
ଚାରିଦିନ ବିତିଗଲା ଅରୁଣା କଲେଜ ଆସିନଥିଲା । ତାର କ'ଣ ଦେହ ଖରାପ ହେଲା ଭାବି ରମେଶ ନିଜକୁ ଅଟକାଇ ନପାରି ତା ଘରକୁ ଚାଲିଗଲା । ଅରୁଣା ଗୋଟେ ଘରେ ବନ୍ଦ ଥିଲା । ଝରକା ପଟରେ ରମେଶ ଦେଖୁଥିଲା ଅରୁଣାକୁ ହସ ହସ ମୁହଁ ଶୁଖିକି କଳା କାଠ ପଡି ଯାଇଛି । କାନ୍ଦି କାନ୍ଦି ଆଖି ଗୁଡାକ ଫୁଲିକି ଉତୁରି ପଡିଛି ହେଲେ କାହିଁକି? ଅରୁଣା ଏପରି କଣ କଲା ଯାହା ପାଇଁ ତାରଏ ଅବସ୍ଥା । ସେ ନିଜକୁ ଅଟକାଇ ପାରିଲାନି, ଅରୁଣା ମାମୁଁଙ୍କ ସାମ୍ନାରେ ଠିଆ ହୋଇ ଆଖିରେ ଆଖି ମିଶାଇ ପଚାରିଲା ଅରୁଣାର ଦୋଷ କଣ ?
ଅରୁଣା ମାମୁଁ ଦୀର୍ଘ ନିଃଶ୍ୱାସ ନେଇ କହିଲେ ମୁଁ ଜାଣିଛି ତୁ ଅରୁଣାର ଖୁବ୍ ଭଲ ସାଙ୍ଗ । ହେଲେ ତୁକହ ତାର ବୟସ କେତେ । ଏଇ ବୟସରେ ପାଠ ପଢ଼ାରେ ମନଯୋଗ ଦେଲେ ଆଗକୁ ଯାଇ କିଛି ଗୋଟେ କରନ୍ତା, ନିଜ ଗୋଡ଼ରେ ନିଜେ ଠିଆ ହୁଅନ୍ତା । ହେଲେ ନାଇଁ ପାଠପଢା ଛାଡି ସେ ଆର ଗାଆଁ ମିଶ୍ର ଘର ଟୋକା "ଦିପୁନ" ତା ପାଖକୁ ପ୍ରେମ ପତ୍ର ଲେଖା ଯାଉଛି । ସେ ଟୋକା ସବୁବେଳେ ଆମ ଘର ପାଖରେ ଏପଟ ସେପଟ ହେବା ମୁଁ ଦେଖିଛି । ସେଥିପାଇଁ ତ ମୁଁ ଏ ସବୁ ଜାଣି ପାରିଲି । ଆଉ ଏତେ ବୁଝାଇଲା ପରେ ଏ ଅରୁଣା ଜିଦି ଧରି ବସିଛି । ସେ ପିଲାକୁ କୁଆଡେ ଭୁଲିବନି । ପନ୍ଦରଦିନ ବନ୍ଦ ଘରେ ରହିଲେ ଅକଲ ଘର ଧରିଯିବ " ।
ଅରୁଣା ମାମୁଁଙ୍କ ଠାରୁ ଏସବୁ ଶୁଣିବା ପରେ ରମେଶ ଛାତିରେ କଷ୍ଟ ଅନୁଭବ କଲା, ତାହା ପୁଣି ପ୍ରଥମ ଥର । ହେଲେ କଣ ପାଇଁ ? ଅରୁଣାକୁ ଦେଖା କରିବାକୁ ତା ମାମୁଁ ସହମତି ପ୍ରକାଶ କଲେ
। ଯେପରି ଅରୁଣା ଘର କବାଟ ଖୋଲି ଦେଇଛି ଅରୁଣା ଛୁଟି ଆସିଲା ରମେଶ ପାଖକୁ ସେ ତା ହାତ କୁ ଧରି ଦେଇ କହିଲା ରମେଶ ମତେ ଏ ପରିସ୍ଥିତିରୁ ତୁ ହିଁ କାଢ଼ିବୁ । ରମେଶ କଣ କରିବ କଣ କହିବ ଜାଣିପାରୁ ନାଥାଏ । ମନଟା ତାର ଖୁସି ହେଉଥିଲା,କି ଦୁଃଖୀ ଥିଲା ସେ ଜାଣିପାରୁ ନଥିଲା । ତାକୁ କେବଳ ଅରୁଣାର ଶୁଖିଲା ମୁହଁ ଦେଖା ଯାଉଥିଲା ।
ଅରୁଣା ମାମୁଁ ରମେଶକୁ ଡ଼ାକି କହିଲେ. " ଦେଖେ ମୋର ତୋ ଉପରେ ଯଥେଷ୍ଟ ଭରସା ଓ ବିଶ୍ୱାସ ଅଛି । ଏଥର ଅରୁଣା ଦାୟିତ୍ୱ ତୋ ଉପରେ । ତୋ ସହିତ ସେ କଲେଜ ଯିବ ଓ ଆସିବ । ତୁ ତାକୁ ଆଖି ଆଗରୁ ଗୋଟେ ମୁହୂର୍ତ୍ତ ପାଇଁ ଅଲଗା କରିବୁନି " ।
ରମେଶର ଇଚ୍ଛା ହେଉଥିଲା ସେ କହିଦେବ " ମତେ ଏତେବଡ଼ ଦାୟିତ୍ୱ ଦିଅନି, ମୁଁ ଅସମର୍ଥ ହେବି । ମୁଁ ଅରୁଣା ମନରେ କଷ୍ଟ ଦେଖି ପାରେନି, ସେ ମୋ ଆଗରେ କାନ୍ଦିଲେ ମୁଁ ସହି ପାରେନି, ତା ଖୁସିରେ ମୁଁ ଖୁସି ହେବା ଶିଖିଛି, ସେ ଯେପରି କହିବ ମୁଁ ଗୋଟେ ରୋବଟ ପରି କରିବାକୁ ଆଗେଇ ଯିବି କାରଣ ମୋ ମଦରବୋର୍ଡରେ କେବେଳ କମାଣ୍ଡ ଅଛି ଅରୁଣା ମୁଖରେ ହସ ଦେଖିବା " ।
ଅରୁଣା ବହୁତ ଖୁସି ଥିଲା, ସେ ପୁନଃ ଡେଣା ଝାଡ଼ି ଉଡିବୁଲିବାର ସ୍ଵଧୀନତା ପାଇଁ ଯାଇଥିଲା । ଆଉ ରମେଶ କେବଳ ତାକୁ ଖୁସି ଦେଖିବା ପାଇଁ ଚାହୁଁଥିଲା । ଅରୁଣା ଯେତେବେଳେ ରମେଶ ସାଇକେଲ ପଛରେ ବସି ତା କନ୍ଦରେ ହାତ ରଖୁଥିଲା, ରମେଶ ମନଟା କୁଣ୍ଢେମୋଟା ହୋଇ ଯାଉଥିଲା । ଶରୀରରେ କୋଣ ଅନୁକୋଣ ଶୀତେଇ ଉଠୁଥିଲା । ରମେଶ ସହ ସେ ଗୁଲୁରୁ ଗୁଲୁରୁ ହୋଇ ଅନେକ କଥା ହୁଏ, ଆଉ ରମେଶ ସେ ସବୁକୁ ଯେପରି ପିଇ ଯାଉଥିଲା ।
ଆଉ ଯେଉଁଦିନ ସେ ଦିପୁନ କଥା କହିଲା ରମେଶର ତଣ୍ଟି ଶୁଖି ଆସିଲା । ସେ ଠିକ୍ କରିସାରିଥିଲା ଦିପୁନ ସହ ଚାଲିଯିବ । ରମେଶର ଇଛା ହେଉଥିଲା ତା ଗୋଡ ଧରି କହିବ ଅରୁଣା ଏପରି କରନି " । କିନ୍ତୁ ସେ ପାରିଲାନି । ଅରୁଣା ଆଖିର ଲୁହକୁ ସେ କିପରି ସହି ପାରିଥାନ୍ତା । ଚୁପ ରହିଲା । ନିଜକୁ କଲେଜ ପଛରେ ଥିବା ଭଙ୍ଗା ଘରେ ଲୁଚାଇ ଦେଲା । ସେ କିପରି ଦେଖି ପାରିଥାନ୍ତା ଅରୁଣା ଆଉ କାହା ହାତ ଧରି ତାକୁ ଛାଡି ଚାଲି ଯାଉଛି । ସେ ନଚାହିଁଲେବି ଆଖିରୁ ତାର ଲୁହ ବାହାରି ଆସୁଥାଏ । ସେ ଲୁହକୁ ଅଟକାଇବାକୁ ଚେଷ୍ଟା କରୁଥାଏ । କିନ୍ତୁ ସବୁ ବୃଥା । ସେ ପାରିଲାନି । ନିଜ ହୃଦୟକୁ ସେ କେତେଦିନ ଭୁଲେଇ ରଖିବ । ରମେଶ ଛୋଟ ପିଲାଟି ଭଳି ଭୋ.. ଭୋ... ହୋଇ କାନ୍ଦି ଚାଲିଲା ।
ଅରୁଣା ମାମୁଁ ରାଗରେ ରମେଶ ଗାଲରେ ଦୁଇ ଚାରି ଚାପୁଡ଼ା ଲଗାଇ ଦେଲେ । କାରଣ ରମେଶ ଉପରେ ସେ ଏତେ ବିଶ୍ୱାସ କରିଥିଲେ ହେଲେ ରମେଶ କିଛି କରି ପାରିଲାନି । ରମେଶ ଆଖିରେ ଆଖି ମିଶାଇ ପାରୁନଥିଲା ଅରୁଣା ମାମୁଁ ଙ୍କ ସହିତ କାରଣ ଦିପୁନକୁ ଡ଼ାକି ତା ସହ ଅରୁଣାକୁ ଯିବାକୁ ଦେଇଥିଲା ନିଜେ । କେବଳ ଅରୁଣା ଖୁସି ପାଇଁ ।
ସମୟ ବଦଳେ ତା ସହ ବଦଳେ ମଣିଷ ଓ ପରିସ୍ଥିତି । ଅରୁଣା ଏବେ ତା ମାମୁଁଘରକୁ ବୁଲି ଆସୁଛି । ଖୁସିରେ ଅଛି । ରମେଶ ଏବେବି ଶୁଣିଲେ ଅରୁଣା ଆସିଛି ଧାଇଁ ଯାଏ ଦେଖିବାକୁ, କିନ୍ତୁ ପାଖରେ ନୁହେଁ କୌଣସି ଗଛର ଉହାଡ଼ରେ ନିଜକୁ ଲୁଚାଇ ରଖି । ମନ ଭରି ଦେଖିନିଏ, ଯେପରି ସେ ବିଦ୍ୟାଳୟର ଭଙ୍ଗା ପାଚେରୀ ଉପରେ ବସି ଦେଖିଥିଲା । ସେ ଜାଣିଛି ଯଦି ଅରୁଣାକୁ ସାମ୍ନାରେ ଦେଖିବ ସେ ଲୁହ ପୁଣି ବାହାରି ଆସିବ । ଏ ଦୂରତା ଏମିତି ରହିବା ଦରକାର ।

