STORYMIRROR

Seetaram Dash

Romance

3  

Seetaram Dash

Romance

ଭଙ୍ଗା ନିଡ଼

ଭଙ୍ଗା ନିଡ଼

2 mins
456

ଧାରା ଶ୍ରବଣର ଘନ ଘୋର ବର୍ଷା ଦିନ। ବର୍ଷାରେ ଚାରିଆଡ଼ ଜଳମଗ୍ନ। ମା' ଚଢ଼େଇଟି ଆହାର ପାଇଁ କୁନି କୁନି ଛୁଆଁଙ୍କୁ ଛାଡି କୁଆଡେ ଯାଇ ପାରୁ ନ ଥାଏ। ପକ୍ଷୀ ଶାବକ ଗୁଡିକ ଭୋକରେ ଆଉଟୁ ପାଉଟୁ ହେଉଥାନ୍ତି। ସେ ପାଖାପାଖି ସମସ୍ତ ବନ୍ଧୁ ବାନ୍ଧବ, ଚିହ୍ନା ଜଣା ସାଙ୍ଗ ସାଥୀଙ୍କୁ ସାହାଯ୍ୟର ଭିକ୍ଷା ମାଗିଥିଲା କିନ୍ତୁ ସମସ୍ତେ ମୁହଁ ବୁଲେଇ ଦେଇଥିଲେ। ଚାରିଆଡୁ ନିରାଶ ହୋଇ ଫେରିବା ପରେ ମଧ୍ୟ ମା' ପକ୍ଷୀଟି ହାରିଯାଇ ନ ଥିଲା। ଜୀବନର ଅନ୍ୟ ନାମ ସଂଘର୍ଷ। ପିଲାମାନଙ୍କ ପ୍ରତି ମମତା, ମନର ଅଜସ୍ର ଆଶା, ଆଖିରେ ଅସୁମାରୀ ସ୍ୱପ୍ନ ଆଉ ଜୀବନର କଣ୍ଟକିତ ପଥ ଅତିକ୍ରମ କରିବାର ଦୁର୍ବାର ପିପାସା ତାକୁ ହାରିବାକୁ ଦେଇ ନ ଥିଲା। ଝଡ଼ ବାତ୍ୟା ଆଉ ମେଘ ପବନ ଟିକେ କମିବାରୁ ସେ ପିଲାମାନଙ୍କ ପାଇଁ ଖାଦ୍ୟ ସଂଗ୍ରହରେ ଲାଗି ପଡିଲା। ନିଜ ପେଟ କାଟି, ଭୋକ ଉପାସରେ ଦିନ କାଟି ସେ ପିଲାମାନଙ୍କର ମୁଖରେ ଆହାର ଦେଉଥିଲା। ସମୟ ପରିବର୍ତ୍ତନଶୀଳ। ଦୁଃଖ ପରେ ସୁଖ ଆସେ ଆଉ ସୁଖ ପରେ ଦୁଃଖ। ଶରତର ଆଗମନରେ ମା ଚଢ଼େଇର ସେ ଦୁଃଖ ଦୁରୀଭୂତ ହୋଇଗଲା। ତା ପରେ ଆସିଲା ଋତୁରାଣୀ ବସନ୍ତ। ମଳୟର ମନ୍ଦ ମନ୍ଦ ମହକରେ କୁନି କୁନି ଶାବକମାନେ ଖଣ୍ଡି ଉଡା ଦେଇ ଗୀତ ଗାଉଥିଲେ, ଆଉ ମା' ଚଢେଇଟି ବସି ଭାବୁଥିଲା ବିଗତ ଅତୀତର କଷ୍ଟମୟ ଦିନ ଗୁଡିକୁ....ଆଉ ଭାବୁଥିଲା ପିଲାମାନେ ବଡ଼ ହୋଇଗଲେ ତାର ସବୁ ଦୁଃଖ ସହିତ ସବୁ ଚିନ୍ତା ବି ଦୂର ହେବ।


ସମୟକ୍ରମେ ଶାବକ ମାନେ ବଡ଼ ହେବାରେ ଲାଗିଲେ। ସେମାନଙ୍କର ପକ୍ଷ ଆକାଶ ବକ୍ଷ ଭେଦ କରିବାକୁ ସକ୍ଷମ ହୋଇ ସାରିଥିଲା। ସମୟ ସାଥିରେ ପାଦ ଦେଇ, ସେମାନେ ବି ଉଡ଼ିଗଲେ ଦୂରକୁ ଅନେକ ଦୂରକୁ। ଜୀବନର ଜତୁ ଗୃହରେ ଛନ୍ଦି ହୋଇ ମା ଚଢ଼େଇଟି କିନ୍ତୁ ରହିଥାଏ ସେଇ ବୃକ୍ଷରେ। ଏତେ ବଡ଼ ବିରାଟ ପୃଥିବୀରେ ସତେ ଯେମିତି ସେ ଏକୁଟିଆ। ବାସ୍ତବିକ ଭାରି ଏକୁଟିଆ ଆଉ ଉଦାସ। ବାନ୍ଧିଥିବା ବସାଟି କେବେ ଠୁ ଭାଙ୍ଗି ଗଲାଣି। ବସାର ଅବଶେଷ କାଠିକୁଟା କେତୋଟି ଝୁଲୁଛି ସ୍ମୁତି ହୋଇ ଗଛର ନୁଆଁଣିଆ ଡାଳରେ। ବସାଟିକୁ ନୂଆ କରି ଗଢି ତୋଳିବାର ପୁନଶ୍ଚ ଇଚ୍ଛା ଅଛି ନା ଆବଶ୍ୟକତା। କିନ୍ତୁ ମା' ଚଢେଇର ମମତା କମିନି ସେ ବୃକ୍ଷରୁ କି ସେ ଭଙ୍ଗା ବସାରୁ। ସତେ ଯେମିତି ଏକ ଅତୁଟ ବନ୍ଧନ। ଦିନ ଥିଲା ତାର କୁନି କୁନି ପିଲାମାନଙ୍କ କାକଳୀରେ ଫାଟି ପଡୁଥିଲା ଏଇ ଜାଗା। ଆଜି କିନ୍ତୁ ଚାରିଆଡ଼ ନୀରବ। ଅନେକ ବିନିଦ୍ର ରାଜନୀର ସାକ୍ଷୀ ଏଇ ବୃକ୍ଷ। ଅନେକ ଅପାସୋରା ସ୍ମୁତିର ସାକ୍ଷୀ ଏଇ ବୃକ୍ଷ। ତାକୁ ଛାଡି ସେ କୁଆଡେ ଯିବ ଆଉ କେଉଁଠି କି ବି ଯିବ??




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance