ଭଗ୍ନ ମହଲ
ଭଗ୍ନ ମହଲ
ଉଦୟପୁରର ସେଇ ଭଗ୍ନ ମହଲ । ସଞ୍ଜ ନଇଁ ଆସିଲେ ଅଦୂରରେ ଥିବା ଭଗ୍ନ ମହଲରୁ ଭାସି ଆସେ କାହାର କ୍ରନ୍ଦନ ସ୍ୱର । ପଥେ ଯିବା ବାଟୋଇ ମାନଙ୍କ କାନରେ ସିନା ପଡେ ହେଲେ କାହର ହିଆଟା ଏତେ ଟାଣ ? ଯାଇ ଦେଖିବ କଣ ଘଟୁଛି ସେଠାରେ । ସେଇ ଖଣ୍ଡବିଖଣ୍ଡିତ ମହଲଟାକୁ କେବଳ ଦୂରରୁ କେହି କେହି ଦେଖନ୍ତି ନିଜକୁ ସାହସୀ ମନେକରି, ତାହା ପୁଣି ସୂର୍ଯ୍ୟ ଆଲୋକରେ । ଆଖପାଖ ଗାଆଁ ଗଣ୍ଡାର ଲୋକ ମାନଙ୍କ ମନରେ ଭଗ୍ନ ମହଲଟି ନିଜର କଦର୍ଯ୍ୟ ଛବି ଆଙ୍କିଛି ପ୍ରତ୍ୟେକଙ୍କ ମନରେ, ସମସ୍ତେ ତା ବିପକ୍ଷରେ ଦଣ୍ଡାୟମାନ । କେହି କେହି ଦୂରଦୂରାନ୍ତରୁ ଆସୁଥିବା ବ୍ୟକ୍ତି ମହଲକୁ ଥରେ ଚାହିଁ ତା ପ୍ରେମରେ ପଡନ୍ତିସତ, ତା ଆଡକୁ ଆକର୍ଷିତ ହୋଇ ନିଜକୁ ହଜାଇ ଦିଅନ୍ତି ଦୁନିଆ ଆଖିରେ । ନା ମିଳନ୍ତି ସେମାନେ ନା ମିଳେ ତାଙ୍କ ଶରୀର । ସେ ଜୀବିତ ଅବା ମୃତ କେହି ଜାଣିନାହାନ୍ତି ।
ସୂର୍ଯ୍ୟକାନ୍ତ ବାବୁ ଜଣେ ପ୍ରତ୍ନତ୍ତତ୍ୱ ବିଭାଗର କର୍ମଚାରୀ । ଉଦୟପୁର ମହଲର ଖୋଦନ ପାଇଁ ସରକାର ଙ୍କ ଆଦେଶ କୁ ପାଳନ କରି ଏଠାକୁ ଆସିଛନ୍ତି । ଉଦୟପୁର ପହଂଚିବା ପରେ ସହାୟକ ଦୟାନନ୍ଦ ଙ୍କ ସହ ବାହାରିଲେ ଭଗ୍ନ ମହଲ ଅଭିମୁଖେ । ଦୟାନନ୍ଦ ଆଖପାଖର ଲୋକ । ବାଲ୍ୟକାଳୁ ଶୁଣିଆସିଛି ମହଲର ଗୋପନକଥା । ସୂର୍ଯ୍ୟକାନ୍ତ ବାବୁଙ୍କୁ ସେ ବୁଝାଇ ଚାଲିଛି ମହଲ ଭିତରକୁ ନ ଯିବା ପାଇଁ, ବାହାରୁ କେବଳ ଦେଖି ଆସିବେ । ସମସ୍ତ କର୍ମଚାରୀ ଆସିଲେ ଏକା ସହ ଭିତରେ ପ୍ରବେଶ କରିବେ । ଯାହା କରିବେ ସବୁ ଦିନର ଆଲୋକରେ, ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ସେମାନେ ଚାଲିଯିବେ ଏ ମହଲ ଛାଡି । କିନ୍ତୁ ରାତିର ଅନ୍ଧାରରେ ସେ କେବେ ଯିବନିତା ଭିତରକୁ ।
ସୂର୍ଯ୍ୟକାନ୍ତ ଅଭୟବାଣୀ ଦେଲା ଭଳି କହିଲେ ........ଆଛା ଠିକ୍ ଅଛି , ତୁମେ ଭିତରକୁ ନଯାଅ । ମତେ ତ ଯିବାକୁ ଦିଅ । ମୁଁ ଭିତରକୁ ଯାଇ ଫୋଟୋ ଉଠାଇ ଆଣୁଛି । ତୁମେ ଏଇଠି ଥାଅ । ବର୍ତ୍ତମାନ ତ ଦିନ ଅଛି ସଂନ୍ଧ୍ୟା ହେବାକୁ ଆହୁରି ଦୁଇ ଘଣ୍ଟା ବାକି ଅଛି । ମୁଁ ସଂନ୍ଧ୍ୟା ନହେବା ପୂର୍ବରୁ ଫେରି ଆସିବି ।
ଦୟାନନ୍ଦ କହିଲେ ............ ଆଂଜ୍ଞା ମହାଶୟ, କିନ୍ତୁ ମନେରଖନ୍ତୁ ସଂନ୍ଧ୍ୟା ନହେବା ପୂର୍ବରୁ ଫେରି ଆସିବେ ¡¡¡ ।
ସୂର୍ଯ୍ୟକାନ୍ତ ହସିଦେଇ ଆଗକୁ ବଢିଲେ । କ୍ୟାମେରା ଟିକୁ ଠିକ୍ କରି ମହଲର ବାହାରୁ କିଛି ଫୋଟୋ ନେଇ ଭିତରକୁ ପ୍ରବେଶ କଲେ । ଯେପରି କଥାରେ ଅଛି କର୍ପୂର ଉଡି ଯାଇଛି ହେଲେ କନାରହିଯାଇଛି ସେପରି ଏ ମହଲର ଅବସ୍ଥା । ଏତେ ବଡ ମହଲକୁ ଆଖି ପାଉନାହିଁ ।ରାଜା ମହାରାଜା ଅମଳରୁ ଏ ମହଲ । କେତେ ଘଟଣାର ମୂକ ସଖି ଥିବ । ଯେତେ ଭିତରକୁ ଗଲେ ସେତେ ସେତେ ବଡ ଲାଗୁଛି । ସୂର୍ଯ୍ୟକାନ୍ତ କୁ ଲାଗିଲା ଯେପରି ଦୁଇଟି ଆଖି ତାଙ୍କୁ ଉପରେ ଘୁରିବୁଲୁଛି । ସୂର୍ଯ୍ୟକାନ୍ତ ବିଚଳିତ ନ ହୋଇ ଫୋଟୋ ଉଠାଇ ଚାଲିଲେ । ଅନେକ ସମୟ ପରେ ଧୀର କଣ୍ଠ ଶବ୍ଦ ଶୁଭିଲା, ସୂର୍ଯ୍ୟକାନ୍ତ କାନ ଡେରି ଜାଣିଲେ ବାହାରୁ ଦୟାନନ୍ଦ ଡାକୁଛି । ସୂର୍ଯ୍ୟକାନ୍ତ ଜଲ୍ଦି ଜଲ୍ଦି ପାହୁଲ ପକାଇ ବାହାରକୁ ଚାଲି ଆସିଲେ । ସୂର୍ଯ୍ୟ ବୁଡି ଆସୁଥିଲା ଓ ଦୟାନନ୍ଦ ବି ବିବ୍ରତ ଥିଲା । ସୂର୍ଯ୍ୟକାନ୍ତ ସବୁ ଆଡୁ ଭାବି ପୁନଃ ମହଲ ଆଡେ ଦୃଷ୍ଟି ପକାଇ ପ୍ରତ୍ୟାବର୍ତନ କଲେ ।
ରାତି ବଢ଼ିବାରେ ଲାଗିଲା । ଶୋଇଥିବା ସୂର୍ଯ୍ୟକାନ୍ତ ଙ୍କ ଗୋଡ ଦୁଇଟିକୁ କିଏ ଘୋଷାରି ଘୋଷାରି ନେଇ ଯାଉଛି ଯେପରି, ଚିହିଙ୍କି ପଡ଼ି ଉଠିବସିଲେ । "ଓଃ ସ୍ୱପ୍ନ ଥିଲା ତାହେଲେ," …………ସୂର୍ଯ୍ୟକାନ୍ତ ବଡ ପାଟିରେ କହୁଥିଲେ । ପାଖରେ ଶୋଇଥିବା ଦୟାନନ୍ଦ ଙ୍କ ନିଦ ବି ଭାଙ୍ଗିଗଲା ।
ଦୟାନନ୍ଦ କହିଉଠିଲା ..........." କହୁଛି, ସେ ସ୍ଥାନଟା ଜମା ଭଲ ନୁହେଁ ।ଆପଣ କଣ ଶୁଣୁଛନ୍ତି ମୋ କଥା " ।
ସୂର୍ଯ୍ୟକାନ୍ତ କହିଲେ .........." ଆରେ ବାବୁ ସ୍ୱପ୍ନ ଥିଲା । ସତ ନୁହେଁ । ଶୋଇପଡ" ।
କିଛି ସମୟ ପରେ ଦୟାନନ୍ଦ ଶୋଇପଡ଼ିଲା । ସୂର୍ଯ୍ୟକାନ୍ତ ଙ୍କୁ ନିଦ ଲାଗୁନଥାଏ । ଧୀରେକି ଉଠି ଝରକା ପାଖକୁ ଯାଇ ଚାହିଁରହିଲେ ବାହରକୁ । ତୋଫା ଜହ୍ନରାତି । ସବୁ କିଛି ଦେଖା ଯାଉଛି ବାହାରେ । ମହଲ ଟି ଏପରି ଭାବରେ ଗଢା ଯାଇଥିଲା ଯେପରି ଦୂରରୁ ବି ସମସ୍ତେ ତାର କିଛି ଅଂଶ ଦେଖି ପାରିଥିଲେ । ସୂର୍ଯ୍ୟକାନ୍ତ ମହଲ କୁ ଅନେକ ସମୟ ଦେଖିଲା ପରେ ତାରରହସ୍ୟ ଭେଦ କରିବାକୁ ମନସ୍ତ କଲେ । ପ୍ରଭାତ ହେଉ ହେଉ ଦୟାନନ୍ଦଙ୍କୁ ଧରି ଚାଲିଲେ ମହଲ ପାଖାପାଖି ଗୋଟେ ଘର ଭଡାରେ ନେବାକୁ । ସହଜରେ ଘର ମିଳିଗଲା, କାରଣ ମହଲର ଏତେ ପାଖରେ କେହିରହିବାକୁ ସାହସ କରୁ ନଥିଲେ ।ଦୟାନନ୍ଦ ସଫା ଶୁଣାଇ ଦେଲା ସେ ତା ଘରକୁରାତିରେ ଚାଲିଯିବ, ଏଠାରେ କଦାପିରହିବ ନାହିଁ । ଓ ସଂନ୍ଧ୍ୟା ହେବା ପୂର୍ବରୁ ନିଜ ଘର ଅଭିମୂଖେ ଚାଲିବି ଗଲା ।
ଧୀରେ ଧୀରେ ସଞ୍ଜ ନଇଁ ଆସିଲା..... ଭଗ୍ନ ମହଲରୁ ଭାସି ଆସିଲା କାହାର କାନ୍ଦିବା ସ୍ୱର । ସୂର୍ଯ୍ୟକାନ୍ତ ବାବୁ ଧୀରେକି ଘରୁ ବାହାରି ଗଲେ । ଜହ୍ନ ଘଡିମାରି ଉଠିବ ।ଏବେ ଅନ୍ଧାର ହୋଇଗଲାଣି । ହାତରେ ଥାଏ ଟର୍ଚ୍ଚ ଖୁବ କମ ଉପଯୋଗ କରୁଥାନ୍ତି । କିଛି ସମୟ ପରେ ମହଲ ପାଖରେ ପହଂଚି ଗଲେ । ମହଲର ମୁଖ୍ୟ ଦ୍ଵାରବାଟେ ନଯାଇ ପଛପଟେ ପ୍ରବେଶ କଲେ । ଅନେକ ସମୟ ଲୁଚିରହିଲେ....ତାପରେ କିଛି ଲୋକଙ୍କ ପାଟି ଶୁଭିଲା, ସେମାନେ ପରସ୍ପର କଥା ହେଉଥାନ୍ତି........ "ସେଦିନ ଆସି ଯିଏ ଫୋଟୋ ଉଠାଉ ଥିଲା ସେ ପାଖରେ ଥିବା ଘରେରହିବାକୁ ଆସିଛି, ତାକୁ ଆଜିରାତି ଭିତରେ ମାରି ପଛପଟେ ସେ କୂଅରେ ପକାଇ ଦିଅ । ଆଗକୁ ଆମପାଇଁ କଣ୍ଟା ହୋଇ ଯାଇପାରେ..... ଯାଅ " ।
କିଛି ଲୋକ ହଁ.. ହଁ କହି ଚାଲିଗଲେ । ସୂର୍ଯ୍ୟକାନ୍ତ ବାବୁ ଙ୍କ ଛାତିଟା ଧଡ଼ଧଡ଼ କରୁଥାଏ , କିନ୍ତୁ ନିଜ ଯାଗାରୁ ଇଞ୍ଚି ଟେବି ହଲିଲେନି । ଏତିକି ତ ବୁଝି ସାରିଥିଲେ ଖୋଜା ପଡୁଥିବା ମଣିଷ ସେ ନିଜେ । କେହି ଜଣେ ଗର୍ଜୁ ଥିବାର ଶୁଣାଗଲା..... "କଣ ହେଲା ସେ ମିଳିଲାନି, କୁଆଡେ ଗଲା? । ତା ଉପରେ ନଜରରଖ ଆଜି ନହେଲେ କଲି ତ ମିଳିବ । ଏବେ ଏଠାରୁ ଚାଲ, ପଞ୍ଚଦିନ ପରେ ଆସି ଏକାଠି ହେବା । ଜିନିଷ ସବୁ ସିନ୍ଦୁକ ଭିତରେରଖି ପୋତି ଦିଅ, ଜଲ୍ଦି କର ରାତିପହିବା ଆଗରୁ ଏଠାରୁ ଚାଲି ଯିବାକୁ ପଡିବ " । ତାପରେ ଆରମ୍ଭ ହେଲା ଧଡ଼ଧାଡ଼ ଶବ୍ଦ । ଅନେକ ସମୟ ଧରି ଚାଲିଲା ଏ କାର୍ଯ୍ୟ ।ରାତି ପାହିବା ଆଗରୁ ସେମାନେ ସେ ଯାଗା ଛାଡି ଚାଲିଗଲେ ।
ସୂର୍ଯ୍ୟକାନ୍ତ ବାବୁ ଏଥର ଦୀର୍ଘ ନିଃଶ୍ବସ ନେବା ପରେ ବାହାରିଲେ ନିଜ ଯାଗାରୁ । ଟର୍ଚ୍ଚ ପକାଇ ଦେଖି ଚାଲିଲେ ସବୁ କିଛି ।ରାତିପାହି ଆସୁଥାଏ, କିଏ କାଳେ ଦେଖି ଦେବ ନିଜକୁ ବଞ୍ଚାଇ ପହଁଚିଲେ ନିଜ ଘରେ । ସେଠାରୁ ନିଜ ଜିନିଷ ଧରି ଘରଛାଡି ଚାଲିଗଲେ ।
ଠିକ୍ ପାଞ୍ଚଦିନ ପରେ ସେ ଅଜ୍ଞାତ ଲୋକମନେ ଆସି ପହଁଚିଲେ ମହଲରେ । ସୂର୍ଯ୍ୟକାନ୍ତ ବାବୁ ସହ ଲୁଚିରହିଥିବା ପୋଲିସ ମାନେ ହଟାତ ସେମାନଙ୍କ ଉପରକୁ ଝାମ୍ପି ପଡିଲେ, ସମସ୍ତଙ୍କୁ ଏକା ସହ ଧରିନେଲେ । ସେମାନେ ସବୁ ଦୁର୍ଦାନ୍ତ ଡକାୟତ ଥିଲେ । ଅନେକ ବର୍ଷ ଧରି ଲୋକ ମାନଙ୍କୁ ଡରାଇ ସେଠାରେ ଆଡା ଜମାଇଥିଲେ । ଚୋରି କରି ଆଣିଥିବା ମୂଲ୍ୟବାନ ଜିନିଷକୁ ସେଠାରେ ପୋତିରଖୁଥିଲେ ।
ବହୁଳ ମାତ୍ରାରେ ମୂଲ୍ୟବାନ ଜିନିଷ ବରାମତ ହେଲା ମହଲ ଭିତରୁ । ପଛପଟେ ଥିବା ବଡ କୂଅ ଭିତରୁ ଅନେକ ଲୋକ ମାନଙ୍କର ଶବ ସହ ଅସ୍ତି ମାନ ଉଦ୍ଧାର କରାଗଲା । ଆଖପାଖ ଲୋକ ମାନଙ୍କ ମନରେ ଏମାନେ ବିଭିନ୍ନ ପ୍ରକାରର ମିଥ୍ୟା ଭୌତିକ କାହାଣୀ ଶୁଣାଇ ଭୟର ବାତାବରଣ ସୃଷ୍ଟି କରିଥିଲେ ।
ଯେଉଁମାନେ ଏଠାକୁ ସାହସ କରି ଆସୁଥିଲେ ସେମାନଙ୍କୁ ମାରିଦିଆ ଯାଉଥିଲା ।
ଲୋକମାନଙ୍କୁ ଡ଼ରାଇବା ପାଇଁ ସେ କାନ୍ଦିବା ଅଡିଓ କୁ ବଜା ଯାଉଥିଲା ଠିକ୍ ସଞ୍ଜ ନଇଁ ଆସିଲା ବେଳକୁ ।