ଭାଲେଣ୍ଟାଇନ ଓ ଡ୍ରୋନ
ଭାଲେଣ୍ଟାଇନ ଓ ଡ୍ରୋନ
ଫେବୃଆରୀ ମାସଟି ପ୍ରେମର ମାସ ବୋଲି ସମସ୍ତେ ଆଠ ତାରିଖ ଠାରୁ ଚଉଦ ତାରିଖ ପର୍ଯ୍ୟନ୍ତ ଖୁବ ଭିର୍ନ୍ନ ଭିର୍ନ୍ନ ନାମରେ ଯଥା କୋଉଦିନ ପ୍ରପୋଜ ଦିବସ ତ କୋଉଦିନ ଗୋଲାପ ଦିବସ ତ କୋଉଦିନ କୋଉ ପ୍ରେମର ସ୍ମାରକୀକୁ ନାମକରଣ କରି ସପ୍ତାହଟିକୁ ପ୍ରେମର ସନ୍ଥ ଭାଲେଣ୍ଟାଇନଙ୍କ ନାମରେ ନାମିତ କରି ସମସ୍ତେ ପ୍ରେମ ସପ୍ତାହ ପାଳନ କରୁଥିବା ବେଳେ ସୁକନ୍ୟାଙ୍କର ମଧ୍ୟ କିଛି କିଛି ଇଛା ହେଉଥିଲା ନିଆରା ଢଙ୍ଗରେ। ଏମିତିରେ ତ ସମସ୍ତେ ମତାମତ ଦିଅନ୍ତି ତାଙ୍କ ଶାଢ଼ୀ ପିନ୍ଧା, ଚୁଡ଼ି ପିନ୍ଧା,ବେଣୀ ବନ୍ଧା, ଏମିତିକି ସୋଏଟର ପିନ୍ଧା ସାଙ୍ଗକୁ, ଝୋଟି ଚିତା ପକେଇବାର ଶୈଳୀ, ପୂଜା ପଦ୍ଧତି ପ୍ରଣାଳୀ, ବୁଲାବୁଲି ପାଇଁ ସେ କୁଆଡେ ଭାରି କୌଶଳୀ ତ ସେଇ ନିଆରା ପଣରେ, କୌଶଳୀ ଗୁଣରେ ସୁକନ୍ୟା ନିଜ ଶୈଳୀରେ ପ୍ରସ୍ତୁତ କରୁଥିଲେ ପ୍ରେମ ଦିବସ। ଡ୍ରୋନ କ୍ୟାମେରା ଆସିଯାଇଥିଲା। ଷ୍ଟେଜ ପ୍ରସ୍ତୁତ ହୋଇସାରିଥିଲା। ଷ୍ଟେଜର ମଝିରେ ଜଗନ୍ନାଥଙ୍କୁ ରଖି ଅନ୍ୟ ଦୁଇପଟେ ନିଜ ପିତାମାତା ଓ ସ୍ୱାମୀଙ୍କ ପିତାମାତା ବା ଶାଶୁ ଶଶୁରଙ୍କ ପାଇଁ ଆସନ ପକାଇ ଥିବା ଦେଖି ସ୍ୱାମୀ ସରୋଜ ପଚାରିଥିଲେ ଏ ସବୁ କଣ ପ୍ରହସନ ଚାଲିଛି? ସୁକନ୍ୟା ତାଙ୍କୁ ଉତ୍ତର ଦେବା ପୁର୍ବରୁ ଦୁଇ ପଟୁ ଦୁଇ ଯୋଡି ପିତାମାତା ବାହାରି ଆସି ଆସନ ଅଳଙ୍କୃତ କରିଥିଲେ। ସରୋଜଙ୍କୁ ହୋମ କରିବାରେ ବ୍ୟସ୍ତ ରଖି ସୁକନ୍ୟା ଭାଷଣ ରଖିଥିଲେ ବ୍ରହ୍ମ ଓ ଆତ୍ମା ବିଷୟରେ ଓ ବ୍ରହ୍ମଙ୍କୁ ପାଇବାକୁ ହେଲେ ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ଉଚିତ କହି ବାଖ୍ୟା କରିଥିଲେ ନିଜ ସଂଳାପ। କହିଥିଲେ ଆକାଶ ଯଦି ବ୍ରହ୍ମ ହୁଅନ୍ତି ତେବେ ପିତା ମାତା ହେଲେ ଚାରିକାନ୍ଥ ପରିବେଷ୍ଟିତ ଆକାଶ। ସେହି ଆକାଶ ଦୁଇ ଯୋଡି ପିତାମାତାଙ୍କୁ ସେଵା ଯତ୍ନ ସହ ପ୍ରେମ କରି ଆଶୀର୍ବାଦ ପାଇ ପାରିଲେ ବିଶାଳ ଆକାଶ ରୂପକ ବ୍ରହ୍ମ ପ୍ରାପ୍ତ ହୋଇଥାଏ। ଉପସ୍ଥିତ ନିମନ୍ତ୍ରିତ ବନ୍ଧୁ ବାନ୍ଧବୀମାନେ ଖୁବ ତାଳି ମାରିଚାଲିଥିଲା ବେଳେ ଡ୍ରୋନ କ୍ୟାମେରା ଉଡି ଉଡି ଫଟୋ ଉତ୍ତାଳନ କରିଚାଲିଥିଲା।
ସ୍ୱାମୀ ସରୋଜ ଆଶ୍ଚର୍ଯ୍ୟ ହୋଇ ସବୁ ଶୁଣୁଥିଲା ବେଳେ ତାଙ୍କ ସାଙ୍ଗ ସୁଧୀର କହୁଥିଲେ ଧନ୍ୟ ତୁମେ ସୁକନ୍ୟା ଭାଉଜ। ଗୁରୁ ଅର୍ଥାତ ଅନ୍ଧାରରୁ ଆଲୋକକୁ ଯିବାକୁ ଯିଏ ପଥ ସୃଷ୍ଟି କରିଥାନ୍ତି ସେହି ପରମ ଗୁରୁ ପିତାମାତାଙ୍କୁ ଚିହ୍ନେଇବାରେ ତୁମେ ଆଜି ଭାଲେଣ୍ଟାଇନ ଦିବସରେ ଯେଉଁ ଆତ୍ମଜ୍ଞାନ ଦେଇଛ ତାହା ଭୁଲିବାର ନୁହେଁ। ସୁକନ୍ୟା ଜାଣିଥିଲେ ସୁଧୀରଙ୍କ ପିତା ଏବେ ଏବେ ଚାଲିଯାଇଛନ୍ତି। ମାଆ ନିଜ ଗାଁ ଘରର ମମତା ଛାଡ଼ି ନପାରି ପୁଅ ବୋହୁଙ୍କ ସଙ୍ଗେ ନଆସିବାରୁ ଆସ୍ତେ ଆସ୍ତେ ମାନସିକ ରୋଗ କିଣି ଆଲଜାଇମର ରୋଗୀରେ ପରିଣତ ହେଉଛନ୍ତି। ଆଜି ସୁକନ୍ୟାଙ୍କ ନିଆରା ଢଙ୍ଗରେ ଭାଲେଣ୍ଟାଇନ ପାଳନରେ ଉଦବୁଦ୍ଧ ହୋଇ ଦୀପକ ଦୌଡୁଥିଲେ ଗାଁକୁ। ବୋଉକୁ ଆଣିବାକୁ। ଗାଁରେ ପହଞ୍ଚି ଦୀପକ ଦେଖିଲେ ବୋଉ ତାଙ୍କର ବାପାଙ୍କ ପିକଦାନୀ ମାଜି ଚିକ ଚିକ କରୁଛି,ବାପାଙ୍କ ଦ୍ୱାରା ଲିଖିତ ଓ ପ୍ରକାଶିତ ସାହିତ୍ୟ ସମ୍ପର୍କିତ ଗଳ୍ପ, କବିତା, ପ୍ରବନ୍ଧ ବହି ଗୁଡିକ ନିଜ ପଣତରେ ପୋଛି ଥାକରେ ସଜାଡି ରଖୁଛି। ବାପାଙ୍କ ପୋଷାକ ପତ୍ର ଯତ୍ନରେ ଆଲମିରାରେ ଭରୁଛି। ବାପା ନିଜ ହାତରେ ଲଗେଇଥିବା ଗୋଲାପ ଗଛରୁ ଲାଲ ଗୋଲାପ ଆଣି ବାପାଙ୍କ ଫଟୋରେ ଦେଇ ମୁଣ୍ଡିଆ ମାରୁଛି। ସ୍ତବ୍ଧ ଚକିତ ହୋଇ ଚାହିଁଥିଲେ ବୋଉକୁ ଦୀପକ। ବୋଉ ବୁଲିପଡି କହୁଥିଲା କେବେ ଆସିଲ ସୂର୍ଯ୍ୟ?ଦୀପକ ଜାଣନ୍ତି ବୋଉ ଏବେ କାହାକୁ କଣ ବୋଲି ଡାକୁଛି କିନ୍ତୁ ଆଶ୍ଚର୍ଯ୍ୟ ହେଲେ ନିଜ ପୁଅ ଦୀପକକୁ ଭଣଜାଙ୍କ ନାମ ସୂର୍ଯ୍ୟ କହି ଚିହ୍ନୁଥିବା ବେଳେ ବାପାଙ୍କ ବହିଥାକ, ପାନାଡ଼ାଲା, ପିକଦାନୀ ସବୁକୁ ଠିକ ଠିକ ଚିହ୍ନି ଯଥା ସ୍ଥାନରେ ଥୋଉଛି କେମିତି? ବାପାଙ୍କ ଫଟୋରେ ନିତି ସଜ ଗୋଲାପ ଦେବାକୁ ଭୁଲି ଯାଉନି କେମିତି? ବୋଉର ଭାଲେଣ୍ଟାଇନ ଦିବସ ପାଳନ ଦେଖି ଦୀପକ ଭୁଲିଯାଇଥିଲେ ସୁକନ୍ୟା ଭାଉଜଙ୍କ ଭାଲେଣ୍ଟାଇନ ପାଳନ ପରି ସେ ନିଜ ଭାଲେଣ୍ଟାଇନ ପାଇଁ ବୋଉକୁ ନେବାକୁ ଆସିଛନ୍ତି। ଟପ ଟପ ଲୁହ ଗୁଡା ଖସିଯାଉଥିଲା ତ ବୋଉ କହୁଥିଲା ତୁମ ବୋଉ ବାପାଙ୍କ ଦେହ ଭଲ ଅଛି ଟି ସୂର୍ଯ୍ୟ? ତେବେ କାନ୍ଦୁଛ କଣ ପାଇଁ କହି ନିଜ ପଣତ ଝାଡ଼ି ଲୁହ ପୋଛି ଦେଲା ବେଳେ ସ୍ୱର୍ଗ ସୁଖ ଅନୁଭବ କରି ଦୀପକ ଭାବୁଥିଲେ ସତରେ ବୋଉମାନଙ୍କ ସ୍ପର୍ଶ ହିଁ ସନ୍ତାନ ପାଇଁ ସବୁଠୁ ବଡ଼ ଭାଲେଣ୍ଟାଇନ।
ଏଥର ଦୁଇହଜାର ଚବିଶ ମସିହାରେ ଭାଲେଣ୍ଟାଇନ ସପ୍ତାହର ଶେଷ ଦିନ ମାଆ ସାରସ୍ବତୀଙ୍କ ପୂଜା। ମା ଭବାନୀ, ହଂସ ବାହିନୀ, ହସ୍ତେ ସ୍ଫଟିକମାଳିନୀ ସ୍କୁଲ ଗୃହେ ଗୃହେ ବିରାଜିତ ଓ ପୁଷ୍ପରେ ଶୁଶୋଭିତ। ସକାଳୁ ସକାଳୁ ସୁକନ୍ୟାଙ୍କ ଏକମାତ୍ର ପୁଅ ମୁନା ମଧ୍ୟ ଫୁଲ ତୋଳିବାକୁ ଯାଇ ଦେଖିଲା ଗୋଟିଏ ମଧ୍ୟ ଫୁଲ ଗଛରେ ନଥିଲା। ଘରେ ଘରେ ଏବେ ସବୁ ଖବର ରଖିବା ପାଇଁ ସି.ସି ଟିଭି କ୍ୟାମେରା ଖଞ୍ଜିଲା ଭଳି ବଗିଚାରେ ମଧ୍ୟ ଡ୍ରୋନ କ୍ୟାମେରା ଖଞ୍ଜି ଫୁଲ ଫଳ ଓ ପରିବା ଚୋରମାନଙ୍କୁ ସାକ୍ଷ୍ୟ ପ୍ରମାଣ ସହିତ ଧରା ଯାଉଥିବା କଥାଟି ମୁନା ଶୁଣିଥିଲା ତ ଫେରିପଡ଼ୁ ପଡୁ ତାକୁ ଯେମିତି କେହି କିଛି କହୁଥିଲେ। ସେ ବୁଲିପଡି ଦେଖିଲା ତଳେ ପଡି ଯାଇଥିବା ସଜ ଫୁଲଗୁଡିକ କାନ୍ଦି କାନ୍ଦି କହୁଛନ୍ତି ଆମକୁ ନିରାଶ କରି ଏଠାରେ ଛାଡ଼ି ଯାଆନି ମୁନା। ଆମ ଦେହରେ ସାମାନ୍ୟ ପାଣି ଛିଞ୍ଚିଦେଲେ ଆମେ ପୁଣି ସତେଜ ଦେଖାଯିବୁ। ମାଆ ସରସ୍ବତୀ ଦେବୀଙ୍କ ମଥାରେ ନହେଲେ ନାହିଁ ପାଦ ତଳେ ତ ଲାଗି ପାରିବୁ। ମୁନା ଭାବିଲା ସତରେ ତ, ଫୁଲ ତୋଳୁ ତୋଳୁ ହାତରୁ ବା ଗଛରୁ ତଳେ ପଡିଯାଇଥିବା ଝରା ଫୁଲ ଗୁଡିକର ବା ଦୋଷ କଣ? ଫୁଲର ଜନ୍ମ ଓ ଧର୍ମ ତ ଦେବତାଙ୍କ ଗଳାରେ ଲାଗିବା।
ମୁନା ସ୍ଥିର କଲା ଝୁରା ଫୁଲଗୁଡିକ ସେ ନିଶ୍ଚୟ ଗୋଟେଇ ନେଇ ତାଙ୍କ ଆଶା ପୂରଣ କରିବା ପାଇଁ ଚେଷ୍ଟା କରିବ। ସେୟା ହେଲା। ମୁନା ଫୁଲସବୁକୁ ଗୋଟେଇ ଆଣିବାକୁ ଡରିଲା ନାହିଁ। ଡ୍ରୋନ କ୍ୟାମେରାରେ ଯଦି ବା ତା ଛବି ରହେ ତେବେ ସେ ତ କେବଳ ଝୁରା ଫୁଲ ସବୁକୁ ଗୋଟେଇ ନେଉଛି ତାର ଭୁଲ କଣ ଭାବି ଚାଙ୍ଗୁଡ଼ିରେ ଫୁଲ ଭରି ଚାଲିଲା ମୁନା। ସେଗୁଡିକୁ ଅଳ୍ପ ଧୋଇ ନେଇ ସ୍କୁଲକୁ ଭୋଗ ନେଇ ଯିବା ବେଳେ ସାଙ୍ଗରେ ଝୁରା ଫୁଲ ସବୁକୁ ନେଇ ଯାଇଥିଲା। କ୍ଲାସ ସାରଙ୍କୁ ସବୁ ସତ କଥା କହି ଝୁରା ଫୁଲ ଦେବାରୁ ସେ ଖୁବ ଖୁସି ହୋଇ କହିଲେ ତୁ ଭଲ କାମ କରିଛୁ ମୁନା। ମାଆ ବାଗଦେବୀଙ୍କୁ ପୁଷ୍ପାଞ୍ଜଳି ଦେବା ପାଇଁ ଫୁଲ ନିଅଣ୍ଟ ପଡୁଥିଲା। ତୁ ଆଣିଥିବା ଏ ଫୁଲରେ ମାଆଙ୍କ ପୁଷ୍ପାଞ୍ଜଳି ପ୍ରସ୍ତୁତ ହେଇଯିବା ସହ ଝୁରା ଫୁଲମାନଙ୍କର ମଉଳା ଆଶା ମଧ୍ୟ ପୂରଣ ହୋଇଯିବ। ସତକୁ ସତ ହୋମ ପରେ, ଭୋଗ ସାରି ପୁଷ୍ପାଞ୍ଜଳି ଭିତରେ ଝୁରା ଫୁଲ ମାନେ ସତେ ଯେମିତି ଖୁସିରେ ବିଭୋର ହୋଇ ମାଆଙ୍କ ଚରଣ ସ୍ପର୍ଶ ବେଳେ ମୁନାକୁ କଣେଇ ଚାହିଁ କହୁଥିଲେ ହାପି ଭାଲେଣ୍ଟାଇନ ମୁନା। ମୁନା ମଧ୍ୟ ନୀରବରେ ମୁଣ୍ଡ ହଲେଇ କହୁଥିଲା ହାପି ଭାଲେଣ୍ଟାଇନ।ଏସବୁ କଥା ମୁନାଠାରୁ ଶୁଣି ମୁନାର ଜେଜେ ଓ ଜେଜେମା ମୁନାକୁ ଆଶୀର୍ବାଦ ଦେଇ କହୁଥିଲେ ଭଲ ମଣିଷ ହୁଅ ମୁନା।
ସେପଟେ ଦୀପକ ବାବୁଙ୍କ ପୁଅ ଟୁକୁନା ମଧ୍ୟ ମୁନା ଶ୍ରେଣୀରେ ପଢୁଥିଲା। ସେ ମାଆଙ୍କ ଭୋଗ ପାଇଁ ନଡିଆ ନେବାକୁ ଜିଦ କରିବାରୁ ତା ମାଆ କହୁଥିଲେ ଆରେ ବାବୁ ଗଣେଷ ଚତୁର୍ଥୀ ଦିନ ଗଜାନନଙ୍କ ପୂଜା ପାଇଁ ନଡିଆ ନେବୁ। ଏବେ ଘରେ ମଧ୍ୟ ନାହିଁ ନଡ଼ିଆ ତ ଏଇ ଫଳମୂଳ ଯଥା ସେଓ, ଅଙ୍ଗୁର, କମଳା, କଦଳୀ ସହିତ ଖଇ କୋରା ନେଇଯା ସ୍କୁଲକୁ ତ ଟୁକୁନା ବୁଝୁନଥିଲା। ଏଇ ସମୟରେ ଟୁକୁନାର ବାପା ଦୀପକବାବୁ ତାଙ୍କ ଗାଁରୁ ବୋଉକୁ ନେଇ ଅର୍ଥାତ ଟୁକୁନାର ଜେଜେମାଙ୍କୁ ଆଣି ପହଞ୍ଚିଥିଲେ। ଜେଜେମା ଆଲଜାଇମର ରୋଗୀ ହୋଇଥିବାରୁ କମଳାକୁ ନଡ଼ିଆ କହି ଟୁକୁନାକୁ ଦେଉଥିଲେ ତ ଟୁକୁନା ହସି ହସି ଗଡିଯାଉଥିଲା। ଟୁକୁନାର ଜେଜେମା ସେ କାହିଁକି ହସୁଛି ବୁଝିନପାରିବାରୁ ଟୁକୁନା ପୁଣି କହୁଥିଲା ହାପି ଭାଲେଣ୍ଟାଇନ ଡେ ଜେଜେମା। ସେଇଟା କଣ କହି ଟୁକୁନାର ଜେଜେମା ନିଜ ପୁଅ ଦୀପକକୁ ଭଣଜା ସୂର୍ଯ୍ୟ ବୋଲି ଡାକି ପଚାରୁଥିଲେ ତୁମ ପୁଅ କଣ କହୁଛି ସୂର୍ଯ୍ୟ? ଭାଲେଣ୍ଟାଇନ କଣ?
ଦୀପକ କେମିତି ବୁଝେଇବେ ଭାବିଲା ବେଳକୁ ଟୁକୁନା ବ୍ୟାଗରୁ ଜେଜେଙ୍କ ଫଟୋ କାଢ଼ି ଦେଖାଇ ଦେଲା ତ ଦୀପକ କହିଲେ ଏଇ ହେଲେ ତୋ ଭାଲେଣ୍ଟାଇନ ବୋଉ। ଏଥର ମୁରୁକି ହସି ବୁଝିଗଲେ ବୋଉ ତ କହୁଥିଲେ ଫୁଲ କାହିଁ ମୁଁ ମୋ ଭାଲେଣ୍ଟାଇନଙ୍କୁ ଦେବି। କାନ୍ଦି ପକେଇ ଥିଲେ ଦୀପକ। ଟୁକୁନା ବଢ଼େଇ ଦେଇଥିଲା ସଜ ଲାଲ ଗୋଲାପ ଆଉ ସମୟ ହୋଇଗଲାଣି କହି ମୁନା ଆସି ଡାକିବାରୁ ବୁଝିଯାଇ ସ୍କୁଲ ଯାଇଥିଲା। ସେଠି ଦୁଇସାଙ୍ଗ ସରସ୍ବତୀ ଦେବୀଙ୍କ ମନ୍ତ୍ର ପାଠ ଭିତରେ ପୁଷ୍ପାଞ୍ଜଳି ଦେଇ ଭୋଜି ଖାଇ ଘରକୁ ଫେରିଥିଲେ। ଜେଜେମା ଟୁକୁନାକୁ ଦେଖି ଯେବେ ପୁଣି ପଚାରୁଥିଲେ ଏ କିଏ ସୂର୍ଯ୍ୟ। ସମସ୍ତେ ହସିଲେ ମଧ୍ୟ ଦୀପକ ଚିନ୍ତା ପ୍ରକଟ କଲାବେଳେ ଟୁକୁନା ନିଜ ଜେଜେମାଙ୍କ ଦେହରେ ହାତ ରଖି କହୁଥିଲା ତୁମେ ଦେବୀ ସରସ୍ବତୀ ଆଉ ମୁଁ ତୁମ ଭାଲେଣ୍ଟାଇନ। ଜେଜେମା ଜେଜେଙ୍କ ଫଟୋରେ ସେତେବେଳକୁ ସଜ ଲାଲ ଗୋଲାପ ଦେଇ କାନ୍ଥରେ ଟାଙ୍ଗି ସାରିଥିଲେ ତ ତାଙ୍କୁ ଦେଖେଇ ଟୁକୁନାର ଜେଜେମା କହିଲେ ମୋ ଭାଲେଣ୍ଟାଇନ ସିଏ। ତୋ ଭାଲେଣ୍ଟାଇନ ତୋ ପଛରେ। ପଛକୁ ବୁଲି ପଡି ଟୁକୁନା ଦେଖିଲା ମୁନା ହସୁଥିଲା ଜେଜେମାଙ୍କ କଥା ଶୁଣୁ ଶୁଣୁ। ଡାକ୍ତର କହିଥିଲେ ପାରିବାରିକ ପରିବେଶ ଭିତରେ ରହିଲେ ଆପଣଙ୍କ ବୋଉ ଠିକ ହୋଇଯିବେ ଦୀପକ ବାବୁ। ଏବେ ଖାଲି ଦୀପକ ବାବୁ ନୁହଁନ୍ତି ତାଙ୍କ ବନ୍ଧୁ ସରୋଜ ଓ ତାଙ୍କ ପତ୍ନୀ ସୁକନ୍ୟା ଓ ପୁଅ ମୁନା ସହ ତା ଜେଜେ ଜେଜେମା ମଧ୍ୟ ସାମିଲ ହୋଇଥିଲେ ସ୍ମୃତି ଶକ୍ତି ଫେରେଇ ଆଣିବାକୁ ଟୁକୁନା ଜେଜେମାଙ୍କର। ମାଆ ସରସ୍ବତୀ ଦେବୀ ସାହା ହୁଅ କହି ସମସ୍ତେ ପ୍ରଣାମ କରୁଥିଲେ। ସରସ୍ବତୀ ଦେବୀ ମାଆଙ୍କ ଆଖି ଦୁଇଟି ଡ୍ରୋନ କ୍ୟାମେରା ପରି ଲାଗୁଥିଲା।

