Lopamudra Mishra

Romance

2.1  

Lopamudra Mishra

Romance

ବୈଶାଖୀ

ବୈଶାଖୀ

14 mins
575


    


ନାଁ ଟା ଯେମିତି, ଝିଅଟା ବି ସେମିତି । ଦୁହେଁ ଗୋଟିଏ ଅଞ୍ଚଳରୁ ଆସିଥିଲେ ମଧ୍ୟ ବରୁଣ୍ କଲେଜ୍ ରେ କୌଣସି ଦିନ ବୈଶାଖୀ ସହ ଭଲରେ କଥା ହେବା କେହି ଦେଖି ନାହାଁନ୍ତି, ବରଂ କ୍ଲାସ୍ ଟାଇମ୍ ବାଦ୍ ରେ ବୈଶାଖୀ ଯେଉଁଠି ଥାଏ ବରୁଣ୍ ସେ ଜାଗା ଛାଡି ଚାଲିଯିବାକୁ ପସନ୍ଦ କରେ । ବୈଶାଖୀର କଥାବାର୍ତ୍ତା ଓ ଚାଲିଚଳନରେ ଅତିବେଶି ଉଦ୍ଧତାମି ବରୁଣ୍ କୁ ଅସହ୍ୟ ବୋଧ ହୁଏ । "ଛିଃ, ଝିଅପିଲାଟେ ହେଇ ଏତେ ଗୋଟେ ଉଗ୍ର କଣ ! ଝିଅମାନେ ସିନା ଶୀତଳ କୋମଳ ଦଲକାଏ ଥଣ୍ଡା ପବନ ପରି ହେଇଥାନ୍ତି । ଶିରିଶିରି ଗୀତ ଗାଇ ସୁଲୁସୁଲୁ ବହି ଆସି ଦେହ ଓ ମନକୁ ଏକାବେଳେ ଛୁଇଁଯାଆନ୍ତି । ଆଉ ଇଏ, ଛିଃ.. ୟାର କର୍କଶ ସ୍ୱର କାନରେ ବାଜିଲା କ୍ଷଣି ହିଁ ମୋ କାନ ମୁଣ୍ଡ ଝାଇଁ ଝାଇଁ ହେଇଯାଉଛି । ବଡ଼ ବିରକ୍ତ ଲାଗୁଛି ", ବୈଶାଖୀ କୁ ଦେଖୁ ଦେଖୁ ବରୁଣ୍ ଚିଡି ଉଠି ମନେ ମନେ ଏମିତି ଗୁଣୁଗୁଣେଇ କହେ । 


      ପ୍ରାଣୀ ବିଜ୍ଞାନର ଛାତ୍ର ବରୁଣ୍ ର ହୃଦୟଟାକୁ ଅନବରତ ଆବଶ୍ୟକ ପଡ଼େ କଳା ଓ ସାହିତ୍ୟର ଅମ୍ଳଜାନ । ଡିସେକ୍ସନ୍ ଟେବଲ୍ ଉପରେ ଚିତ୍ ହେଇ ପଡ଼ିଥିବା ବେହୋସ୍ ବା ମୃତ ବେଙ୍ଗ ର ଚର୍ମ ତଳେ କଇଁଚି ଚଲେଇ ତାର ଚମଡ଼ା ଓ ମାଂସକୁ ମଝିରୁ ଦୁଇଫାଳ କରି ଚିରି ଚାରୋଟି ପିନ୍ ଲଗେଇ ଟ୍ରେ ରେ ସେଟ୍ କଲାବେଳେ ବରୁଣ୍ ର ଡାହାଣ ଆଖି ଗୋଟେ ଅଜଣା ପାପ ଆଉ ଦୁଃଖର ଭାରରେ ଆପେ ଆପେ ବନ୍ଦ ହେଇଯାଉଥାଏ । ସେତିକି ବେଳେ ସେ ବାମ ପଟ ଟେବଲ୍ ରେ କାର୍ଯ୍ୟବ୍ୟସ୍ତ ଥିବା ବୈଶାଖୀ ଆଡେ ଟିକେ ଆଖି ବୁଲେଇ ଆଣେ । ମଦନ୍ ସାର୍ କହନ୍ତି," ବୈଶାଖୀ ପରି କ୍ଲିୟର୍ ଓ ସୁନ୍ଦର ଡିସେକ୍ସନ୍ ଆଉ କେହି କରିପାରିବେନି" । ଅଣ୍ଡିରା ମୁହିଁ ଉଦ୍ଧତ ଝିଅଟା ନିର୍ବିଘ୍ନରେ ଜୀବିତ ଅଥଚ ଅଚେତ୍ ବେଙ୍ଗ ଉପରକୁ ଅଧା ନଇଁ ପଡି ଧକ୍ ଧକ୍ କରୁଥିବା ତା ଛୋଟ ତିନି କୋଠରୀ ବିଶିଷ୍ଟ ହୃତପିଣ୍ଡଟିକୁ ଫୋରସେପ୍ ରେ ଖେଞ୍ଚି ଓଠରୁ ବିଜୟର ହସ ଝରେଇ ସାଥୀ ଝିଅମାନଙ୍କୁ ଦେଖାଉ ଥାଏ ।


  "ବୈଶୁ, ତୁ ସବୁବେଳେ ତୋ ନିଜ ସ୍ପେସିମେନ୍ ସାଙ୍ଗରେ ଧରି ଆସୁ ନା ? ଦାମଭାଇ କହୁଥିଲେ । " ଡିପାର୍ଟମେଣ୍ଟ୍ ର ସବୁଠୁ ଗୋରୀ ଓ ପାତଳୀ ଝିଅ ସୁବର୍ଣ୍ଣା ପଚାରୁଥିଲା ବୈଶାଖୀକୁ ।


-ହଁ ଏଇଟା ଆମ ହଷ୍ଟେଲ୍ ର ପାର ମାଉସୀ ଡ଼ାଇନିଙ୍ଗ୍ ରୁ ଧରିକି ଆଣି ମୋତେ ଦେଇଥିଲେ । ବେଙ୍ଗ ଗୁଡାଙ୍କର ସଂଖ୍ୟା ଆମ ହଷ୍ଟେଲ୍ ରେ ବହୁତ ବଢ଼ିଗଲାଣି । ତା ଛଡା ଡେଡ୍ ସ୍ପେସିମେନ୍ ଠାରୁ ଲାଇଭ୍ ସ୍ପେସିମେନ୍ କୁ ଡ଼ିସେକ୍ଟ୍ କରିବାଟା ବେଶି ଆପ୍ରୋପିଏଟ୍ । ଦେଖ୍ କେମିତି ମୋ ବେଙ୍ଗର ହାର୍ଟ୍ ବିଟ୍ କରୁଛି । ଜାଣିଛୁ, ୟାକୁ କେମିକାଲ୍ ଦେଇ ବେହୋସ୍ କରିବାକୁ ନା ଖୁବ୍ ମଜା ଲାଗେ ।


  ବୈଶାଖୀର ହାତରେ ମୁନିଆଁ କଇଁଚି ହଲା ଓ ବଡ଼ ପାଟିରେ କଥାବାର୍ତ୍ତା ବରୁଣ୍ କୁ ଅସହ୍ୟ କଷ୍ଟ ଦେଉଥିଲା । କାରଣ ସାମାନ୍ୟ ଅସାବଧାନତାରୁ ବରୁଣର ସ୍ପେସିମେନ, ସେହି ମୃତ ବେଙ୍ଗଟିର ତିନିକୋଣିଆ ହୃତପିଣ୍ଡଟି କଟିଯାଇଥିଲା ଓ ସିନ୍ଦୁର ପରି ଲାଲ୍ ରକ୍ତ ମେଞ୍ଚାଏ ବିଛାଡ଼ି ପଡିଥିଲା ତା ଡିସେକ୍ସନ୍ ଟ୍ରେ ଉପରେ । ମଦନ୍ ସାର୍ ଆସି ବରୁଣ୍ ପାଖରେ ଠିଆ ହେଇଥିଲେ ଓ ବିରକ୍ତ ହୋଇ ବେଶ୍ କଡାକରି ଗୁଡ଼ାଏ ଗାଳି ବର୍ଷେଇ ଦେଇଯାଇଥିଲେ । ବରୁଣ୍ କାନ୍ଦ କାନ୍ଦ ହେଇଯାଇଥିଲା । ପ୍ରାୟ ତ ସବୁ ପ୍ରାକ୍ଟିକାଲ୍ କ୍ଲାସ୍ ରେ ଏମିତି କିଛି ହୁଏ ବରୁଣ୍ ସହ ।


    "ବୈଶାଖୀ ପ୍ରାକ୍ଟିକାଲ୍ ରେ ଯେତିକି ପରଫେକ୍ଟ୍ ଥିଓରୀରେ ମଧ୍ୟ ସେତିକି ଥରୋ", ବରୁଣ୍ ବ୍ୟତୀତ ବାକି ସମସ୍ତେ ଏମିତି ମନ୍ତବ୍ୟ ଦିଅନ୍ତି । ବରୁଣ୍ ଯଦିଓ ଥିଓରୀ ରେ ସର୍ବାଧିକ ନମ୍ବର୍ ଆଣେ, ପ୍ରଶଂସା ଓ ପ୍ରସିଦ୍ଧି କିନ୍ତୁ ଚାଲିଯାଏ ପ୍ରାକ୍ଟିକାଲ୍ ପରଫେକ୍ଟ୍ ଗର୍ଲ୍ ପାଖକୁ । ସେଇଟି ମଧ୍ୟ ଆଉ ଏକ କାରଣ ବରୁଣ୍ ବୈଶାଖୀ କୁ ନାପସନ୍ଦ କରିବାର ।


    ବୈଶାଖୀ କଲେଜ୍ ରେ ମଧ୍ୟାହ୍ନର ସୂର୍ଯ୍ୟ ପରି ଡହ ଡହ ତାତିଲା ଓ ହଷ୍ଟେଲ୍ ରେ ଗ୍ରୀଷ୍ମର ଅପରାହ୍ନ ପରି ସୁ ସୁ ପବନ ଝଡ଼ ସମ ଅଚାନକ୍ ଚଞ୍ଚଳା, ନହେଲେ ଏକଦମ୍ ଗୁମସୁମ୍, ସତେଯେମିତି ଝଡ଼ ପୂର୍ବର ସ୍ଥିରତା । 


       ଦଶମ ପରେ ପ୍ଲସ୍ ଟୁ ଦୁଇବର୍ଷ ଓ ଗ୍ରାଜୁଏସନ୍ ରୁ ଦେଢ଼ବର୍ଷ କଟିଗଲାଣି ବୈଶାଖୀର ଏହି ସମାନ କଲେଜ୍ ଓ ହଷ୍ଟେଲ୍ ରେ । ଏହି ସାଢ଼େ ତିନିରୁ ଚାରି ବର୍ଷ ଭିତରେ ଅନେକ ଛାତ୍ରଛାତ୍ରୀଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହେଇଗଲାଣି କିନ୍ତୁ ବୈଶାଖୀ ଯେମିତିକୁ ସେମିତି । ଏମିତିକି ତା ବୟ କଟ୍ ହେୟାର୍ ବି ଆଜିଯାଏଁ ତା ସରୁ ବେକକୁ ଅତିକ୍ରମ କରି କାନ୍ଧ ସ୍ପର୍ଶ କରିପାରିଲାନି । କ୍ଲାସ୍ ଓଭର୍ ହେଲାପରେ ହଷ୍ଟେଲ୍ ଆସି ସେ ଯେତେବେଳେ ତା ଦୀର୍ଘ ଶରୀରରୁ କଲେଜ୍ ୟୂନିଫର୍ମ୍ ଟା ଖୋଲିପକାଏ, ପୁଅପିଲାଙ୍କ ହାପ୍ ପ୍ୟାଣ୍ଟ୍ ଓ ଟି ସାର୍ଟ୍ ଟିଏ ସେତେବେଳେ ଝୁଲିପଡେ ତା ଦେହରେ ବେଖାତିର ଢଙ୍ଗରେ ।


  ରୁମ୍ ମେଟ୍ ଙ୍କ ସହ ବୈଶାଖୀର କେବେ ମିଲ୍ ଆଣିବାକୁ ନେଇ ଝଗଡା ହୁଏ ତ କେବେ ପୁଣି ବାଥରୁମ୍ ରେ ଲାଇନ୍ ଲଗେଇବାକୁ ନେଇ । ପାଠ ପରି ଝଗଡା କଳି ଗୋଳ ରେ ବି ବୈଶାଖୀ ଆଗୁଆ । କେହି ପାରନ୍ତିନି ତାକୁ । ସାଙ୍ଗଝିଅମାନେ ରାଗ ଶୁଝେଇବାର ସୁଯୋଗ ଖୋଜୁଥିବା ବେଳେ ସେ ସେହି କେଇ ମିନିଟ୍ ଭିତରେ ସବୁ ରାଗ ରୁଷା ଭୁଲି ପୂର୍ବପରି ମିଶିଯାଏ । କେହିଜଣେ ତା ଉପରେ ରାଗି କଥା ନହେଉ, ସେ ସୁଯୋଗ ସେ କାହାକୁ ଦେଇନି । ବରୁଣ୍ ଏକ ବ୍ୟତିକ୍ରମ ତା ଜୀବନରେ । ସେ ଅନେକ ଥର ନିଜଆଡୁ ବରୁଣ୍ ସହ କଥା ହେବାକୁ ପ୍ରୟାଶ କରିଛି, ବରୁଣ୍ କିନ୍ତୁ ମୁହଁ ବୁଲେଇ ନେଇଛି ତା ଆଡୁ ପ୍ରତିଥର । ବୈଶାଖୀ ଆଜିଯାଏଁ ବୁଝିପାରିନି ବ୍ୟାଚ୍ ଟପର୍ ବରୁଣ ର ତା ପ୍ରତି ଏତାଦୃଶ ବିମୁଖତାର ପ୍ରକୃତ କାରଣ ଟା କଣ ।


       ବରୁଣ୍ କୁ ବୈଶାଖୀର ବିପରୀତ କହିଲେ ବି ଭୁଲ ହେବନି । ବରୁଣ୍ କାହା ସହ ଝଗଡା କରେନି । ସଦା ସ୍ଥିର ଓ ଶାନ୍ତ । ଅଧିକାଂଶ ସମୟ ତାର ବିତେ ପଢାପଢିରେ । ଯଦି କେବେ ପାଠ ରୁ ଅଳ୍ପ ବିରତି ମିଳେ ସେ ମଜ୍ଜିଯାଏ କବିତା ଲେଖିବାରେ । କଲେଜ୍ ଓ ହଷ୍ଟେଲ୍ ରେ କବିତା ଆସର, କବି ସମ୍ମିଳନୀ ଆୟୋଜିତ ହେଲେ ସେଠି ବରୁଣ୍ ର ଉପସ୍ଥିତି ଥାଏ ଅନିବାର୍ଯ୍ୟ ।


ବୈଶାଖୀ କିନ୍ତୁ ବୁଝେନି କବିତାର ଲାଳିତ୍ୟ, ସୌନ୍ଦର୍ଯ୍ୟ । ବରଂ ଆଧୁନିକ କବିତାର ଶବ୍ଦ ଯାଦୁଗରୀରେ ଛନ୍ଦି ହେଇ ସେ ଆକ୍ତାମାକ୍ତା ହେଇଯାଏ ।


    ପ୍ଲସ୍ ଟୁ ପିଲାଙ୍କ ପରୀକ୍ଷା ସରିଯାଇଥିଲା । ହଷ୍ଟେଲ୍ ଫାଙ୍କା କରି ଅନେକ ପିଲା ନିଜ ନିଜ ଘରକୁ ଫେରିଯାଇଥିଲେ । କେବଳ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଅଟକି ରହିଯାଇଥିଲେ ବରୁଣ୍, ବୈଶାଖୀ ଙ୍କ ପରି ଅଳ୍ପ କେତେଜଣ ଗ୍ରାଜୁଏସନ୍ ସ୍ଟୁଡେଣ୍ଟ୍ସ୍ । କଲେଜ୍ କ୍ୟାମ୍ପସ୍ ର ବୃକ୍ଷ ଲତା ରୁ ବେଳେ ବେଳେ ପବନର ସାଇଁ ସାଇଁ ଶବ୍ଦ ଓ ପକ୍ଷୀଙ୍କ କିଚିରି ମିଚିରି ରହି ରହି ଶୁଭିଯାଉଥିଲା । କଲେଜ୍ ପରିବେଶ ଅଦ୍ଭୁତ ଭାବେ ଶାନ୍ତ ପଡିଯାଇଥିଲା । ଲେଡିଜ୍ ହଷ୍ଟେଲ୍ ହତା ଭିତର ଆମ୍ବ ଗଛ ମୂଳ ଚାନ୍ଦିନୀ ରେ ବସି ବୈଶାଖୀ ତା ପ୍ରାକ୍ଟିକାଲ୍ ରେକର୍ଡ୍ ଖାତାରେ ଜୀବ ଜନ୍ତୁ ଙ୍କ ଅଙ୍ଗ ପ୍ରତ୍ୟଙ୍ଗର ନିଖୁଣ ଚିତ୍ର ଆଙ୍କିପକାଉଥିଲା । କୋଇଲି ଟେ ଆସି 'କୁହୁ କୁହୁ' ଗାଇଲା । ତା ସ୍ୱର ସହ ତାଳ ଦେଇ ବୈଶାଖୀ ବି ପାଟିରେ କୋକିଳ ଶବ୍ଦ ସୃଷ୍ଟି କରିବା ଆରମ୍ଭ କରିଦେଲା । ସ୍ୱର ଦୁଇଟିରେ ଥିଲା ଅପୂର୍ବ ସାମଞ୍ଜସ୍ୟତା । ଲାଗୁଥିଲା ସେଇଟି ଯେମିତି ବସନ୍ତ ଓ ବୈଶାଖର ମିଳନର ସ୍ୱର । କୁହୁ ତାନ ଓ ଚିତ୍ରାଙ୍କନ ଭିତରେ ମଜ୍ଜିରହି ବୈଶାଖୀ ଜାଣିପାରୁନଥିଲା କିରଣ୍ କେତେବେଳୁ ଆସି ତା ପାଖରେ ଠିଆ ହେଲାଣି । 


"ବୈଶୁ, ଦୀପକ୍ ଆଉ ବରୁଣ୍ ଆସିଛନ୍ତି । ଆସେ ଗେଟ୍ ପାଖକୁ", କିରଣ୍, ବୈଶାଖୀ କୁ ହଲେଇ ଦେଇ କହିଲା । ବୈଶାଖୀ ତା ଖାତା ବହି ଉପରେ ପେନ୍ସିଲ୍ ପାଉଚ୍ ଟା ରଖିଦେଇ ମୋବାଇଲ୍ ଫୋନ ହାତରେ ଧରି ଗେଟ୍ ପାଖକୁ ଗଲା ।


"ବୈଶାଖୀ କଣ ପଢୁଥିଲୁ?",ସେମିନାର୍ ସେକ୍ରେଟାରୀ ଦୀପକ୍ ପଚାରିଲା ।


--ନାଇଁ ମୋର ବହୁତ ଡାଇଗ୍ରାମ୍ ବାକିଥିଲା, ସେଇସବୁ କମ୍ପ୍ଲିଟ୍ କରୁଥିଲି । ତୁମ ହଷ୍ଟେଲ୍ ର ପିଲାମାନେ ତ ବହି ପାଖରୁ ଆଉ ଉଠୁ ନାହାଁନ୍ତି ।


--କିଏ କହିଲା ? 


--ଶୁଣିଲି ।


--ହେ ହେ । ଥିଓରି ପାଇଁ ଆମେ ପଢୁନଥିଲୁ, ଆଉ ଏ ପ୍ରାକ୍ଟିକାଲ୍ ଏକଜାମ୍ ପାଇଁ ରାତି ଅନିଦ୍ରା ହେବୁ ! କିଏ ଏତେ ସବୁ ମିଛ କହୁଛି ତୁମମାନଙ୍କୁ ? 


--ହଉ ଛାଡ଼,ଟ୍ୟାଲେଣ୍ଟେଡ୍ ପିଲା ତୁମେ, ବେଶି ପଢିବା ଦରକାର ହେଉନଥିବ । ଆଉ କଣ କୁହ । ବରୁଣ୍ କେମିତି ଆଜି ଏଠି ? 


--ବରୁଣ୍ ନୁହେଁ, କବି ବରୁଣ୍ ରାୟ କୁହ । ଏଇ ଗ୍ରୀଷ୍ମର ଗୋଟେ ସୁନ୍ଦର ଛାଇ ଛାଇଆ ଅପରାହ୍ନ ରେ ଆମ ଡିପାର୍ଟମେଣ୍ଟ୍ ର ସବୁ ବ୍ୟାଚ୍ ର ପିଲାଙ୍କୁ ଆମେ ଲାଇବ୍ରେରୀ ପଛ ଗାର୍ଡେନ୍ ରେ ଏକାଠି କରି ଗୋଟେ ଖରାଦିନିଆଁ କବିତା ଆସର ଆୟୋଜନ କରିବାକୁ ଚାହୁଁଛୁ । ପ୍ରାଣୀ ବିଜ୍ଞାନ ସହ ସାହିତ୍ୟ ର ପ୍ରାଣକେନ୍ଦ୍ର -କବିତାର ହେବ ଅପୂର୍ବ ଏକ ମିଳନ । ଆଉ ଏହି ପ୍ରସ୍ତାବଟି ଦେଇଛନ୍ତି ଆମ ଯୁବ କବି ବରୁଣ୍ ରାୟ । କଲେଜ୍ ତ ଏବେ ପ୍ରାୟ ବନ୍ଦ । ସେଥିପାଇଁ ଭାବିଲୁ ଲେଡିଜ୍ ହଷ୍ଟେଲ୍ ରେ ଆସି ଜଣେଇଦେଲେ ଝିଅମାନେ ସମସ୍ତେ ଜାଣିଯିବେ । ଆରେ ହଁ ଆଉ ଗୋଟେ କଥା, ତୁମେମାନଙ୍କୁ ବି ଗୋଟେ ଗୋଟେ କବିତା ଲେଖିକରି ଆସିବାକୁ ହେବ, ସ୍ୱରଚିତ କବିତା ଆବୃତ୍ତି କରିବାକୁ । 


    ଦୀପକ କଥା ଶେଷ କଲା ବେଳକୁ ବୈଶାଖୀ ତା ବୟ କଟ୍ ହେୟାର୍ କୁ ଆଖି ଉପରୁ ଉଠେଇ ଆଣି ଖୁବ୍ ଜୋର ରେ ହସୁଛି । ବରୁଣ୍ ତା ଆଡକୁ ରାଗ ଓ ଆଶ୍ଚର୍ଯ୍ୟ ଭରା ଦୃଷ୍ଟିରେ ଚାହୁଁଥିବାର ଦେଖି ବୈଶାଖୀ ହସ ବନ୍ଦ କରି କହିଲା, "ଆରେ ଏ କବିତା ଫବିତା ଆସର କୁ ମୋତେ ଦୟାକରି ଟାଣନି । ମୁଁ ନାଁ ସେସବୁ ବୁଝେ ନାଁ ଶୁଣିବାର ଧର୍ଯ୍ୟ ରଖେ । ଏତେ ଶବ୍ଦ, ସାହିତ୍ୟ ସତରେ ମୋର ହଜମ ହୁଏନି । ଭାବିକି ଧାଡ଼ିଏ ଲେଖିବା ତ ଆହୁରି ବହୁତ ଦୂରରେ ଅଛି । ହା ହା ହା ।"


  "ହଉ ହେଲା, ତୁ ନଲେଖେ, ଆମେ କଣ ଆଉ ସବୁ କବି ହେଇଛୁ କି? ତୁ ଖାଲି ଆସେ, ଗପସପ ବି ହେବା, ମଜା ଲାଗିବ ।",ଦୀପକ୍ କହିଲା । ବରୁଣ୍ ତଥାପି ନିରବ । ବୈଶାଖୀ ଦୀପକ ଆଡୁ ଆଖି ବୁଲେଇ ଆଣି ବରୁଣ୍ ଆଡେ ଦେଖି କହିଲା, "ବରୁଣ୍ ର କବିତା ତ ଫେସବୁକ୍ ସାରା ଛାଇ ଗଲାଣି । ଯେତେବେଳେ ବି ଏଫ୍.ବି. ଖୋଲିଲେ ଆଗ କବି ବରୁଣ୍ ଙ୍କର ଧାଡି ଧାଡି କବିତା କୁ ମୋବାଇଲ୍ ସ୍କ୍ରିନ୍ ଉପରେ ସାମ୍ନା କରିବାକୁ ପଡ଼ୁଛି । କବିବର କୋଉଠୁ ପାଉଛନ୍ତି ଏତେ ସବୁ ଶବ୍ଦ, ଭାବ ଆଉ ଭାଷା? "


  ବରୁଣ୍ ଏଥର ଟିକେ ମୁରୁକି ହସିଲା । ତା ହସିବା ଦେଖି ବୈଶାଖୀ ସାହସ ପାଇଲା ପରି ପୁଣି ଥରେ ହସି ହସି କହିଲା, "ବରୁଣ୍, ମୋ ପାଇଁ ବି ଗୋଟେ କବିତା ଲେଖ ତ । ମୋତେ ବର୍ଣ୍ଣନା କରି ।"


  ବୈଶାଖୀ ନାଁରେ କବିତା ଲେଖା କଥା ଭାବିବା କ୍ଷଣି ହିଁ ବରୁଣର ମନ ବିରକ୍ତ ହେଇଗଲା ଓ ସେ ମନ ଭିତରେ କହିହେଲା , "ତୋ ବିଷୟରେ କବିତା ଲେଖିବା ପାଇଁ କଣ ଏମିତି ଅଛି ଯେ ତୋ ପାଖରେ? " କିନ୍ତୁ ମନର ଭାବକୁ ବାହାରକୁ ଜଣେଇବାକୁ ନଦେଇ ଓଠରେ ଖାଲି ସରୁ ହସଟେ ଖେଳାଇଦେଲା । 


   ବୈଶାଖୀ ବାରମ୍ବାର ତାହାରି ଆଡକୁ ହିଁ ଦେଖି କଥା କହୁଥିବା ବରୁଣ୍ ଜାଣିପାରିଲା । ବରୁଣ୍ କୁ କାହିଁକି କେଜାଣି ଆଜି ଲାଗିଲା ସେ ବୈଶାଖୀ ଉପରେ ଅଯଥାରେ ହିଁ ରାଗୁଛି । ସେଥିପାଇଁ ସେମାନେ ସେ ଜାଗା ଛାଡ଼ିବା ପୂର୍ବରୁ ବରୁଣ୍ ଆଉ ଥରେ ବୈଶାଖୀ କୁ କବିତା ଆସରକୁ ଆସିବା ପାଇଁ ନିମନ୍ତ୍ରଣ ଦେଲା ଓ କହିଲା, "ବୈଶାଖୀ, ତୁମେ ପାଠବହି ରୁ ମୁହଁ ଉଠେଇ ମୋ କବିତା ବି ପଢ଼, ଜାଣି ଖୁବ୍ ଖୁସି ହେଲି । ଯାହା ହେଉ ମୋ କବିତା ତୁମ ଭଳି ଟ୍ୟାଲେଣ୍ଟେଡ୍ ପିଲାଙ୍କୁ ଆଟ୍ରାକ୍ଟ୍ କରି ପାଠ ପଢ଼ାରୁ କିଛି ସମୟ ପାଇଁ ତ ଡିଷ୍ଟ୍ରାକ୍ଟ୍ କରିପାରୁଛି । ମୋ ଲେଖିବା ଏବେ ସତରେ ସାର୍ଥକ ହେବା ପରି ଲାଗୁଛି ।"


    ବୈଶାଖୀ ହୋ ହୋ ହେଇ ହସିଉଠିଲା ଓ କହିଲା, " ଖାଲି ଖୁସି ହେଲି କହିଲେ ହେବନି ମ, ମୋତେ ନେଇ ଗୋଟେ କବିତା ବି ଲେଖ ।"


  କିରଣ୍ ଠିଆ ହେଇଥିଲା, କିଛି କହୁନଥିଲା, ସେ ବି ଏଥର ହସି ହସି କହିଲା, "ତୋତେ ନେଇ ସେ ଲେଖିବ ? ତୋ ଭଳି ଅଣ୍ଡିରା ଚଣ୍ଡୀ କୁ ସାଙ୍ଗରେ ନେବାର ସାହସ କାହାର ଅଛି ଯେ ? "


  ସମସ୍ତେ ହସିଲେ, ହସି ହସି ସେମାନେ ବିଦାୟ ନେଲେ । ବୈଶାଖୀ ପୁଣି ତା ଡାଇଗ୍ରାମ୍ ଜଗତ କୁ ଫେରିଆସିଲା । 


 ପ୍ରାକ୍ଟିକାଲ୍ ପରୀକ୍ଷା ସରିଗଲା । ହଷ୍ଟେଲ୍ ରୁମ୍ ଗୁଡାକ ଆଗରେ ଧୀରେ ଧୀରେ ତାଲା ଝୁଲିଲା । ବିଜ୍ଞାନ ଛାତ୍ରଛାତ୍ରୀ ଙ୍କ କବିତା ଆସର ବି ଆଶାତୀତ ସଫଳତା ପାଇ ଆଉ ଗୋଟେ ଆସରର ଅପେକ୍ଷାରେ ଭାଙ୍ଗିଲା । ବୈଶାଖୀ ଦେଢ଼ମାସ ର ଛୁଟି ପାଇଁ ଘରକୁ ଯିବାର ପୂର୍ବପ୍ରସ୍ତୁତି ରେ ଲାଗିପଡ଼ିଲା । ଆସନ୍ତା ବର୍ଷ ବି ସେ ଏହି ବେଡ୍ ରେ ରହିବ କହି ନିଜ ପୁରୁଣା ବହିପତ୍ର ଥିବା ଲଗେଜ୍ ବ୍ୟାଗ୍ ଟାକୁ ଉଠେଇ ସିଙ୍ଗଲ୍ ଖଟ ଟା ଉପରେ ଥୋଇଲା ଓ ବାକି ରୁମ୍ ମେଟ୍ସ୍ ଙ୍କୁ ସାବଧାନ କରିଦେଲା ତା ବେଡ୍ ରେ ହାତ ନମାରିବାକୁ ।


     ମେ ମାସ ର ଟାଣ ଖରା । ହଷ୍ଟେଲ୍ ମାନଙ୍କରେ ମେସିଙ୍ଗ୍ ବନ୍ଦ ହେଇଯାଇଛି । କଲେଜ୍ କ୍ୟାମ୍ପସ୍ ରେ ସକାଳୁ ସକାଳୁ ରିକ୍ସା ଓ ଅଟୋ ଵାଲା ମାନଙ୍କ ଯିବାଆସିବା ଲାଗିରହିଛି । ଖରା ବେଶି ତୀବ୍ର ହେବା ଆଗରୁ ପିଲାମାନେ ହଷ୍ଟେଲ୍ ରେଜିଷ୍ଟର୍ ଉପରେ ଆପ୍ଲିକେସନ୍ ଥୋଇଦେଇ ବସ୍ ଷ୍ଟାଣ୍ଡ୍ ଆଡେ ମୁହାଁଉଛନ୍ତି । କୟାଁଗୋଲା -ମଙ୍ଗଳପୁର ଲାଇନ୍ ରେ ଦିନର ପ୍ରଥମ ବସ୍ ଟା ଷ୍ଟାଣ୍ଡ୍ ଛାଡେ ଛଅଟା ପନ୍ଦର ରେ । ଖରାଦିନ, ଛଅଟାରୁ ସିଟ୍ ଫିଲ୍ ଅପ୍ ହେଇଯାଉଛି । ବରୁଣ୍ ବ୍ୟସ୍ତ ହେଇ ଛଅଟା ଦଶ ରେ ବସ୍ ପାଖରେ ପହଞ୍ଚିଲା । କଣ୍ଡକ୍ଟର୍ ଠାରୁ ବୁଝିନେଲା ଆଉ ମାତ୍ର ଗୋଟିଏ ସିଟ୍ ବାକି ଅଛି । ଟିକେଟ୍ କରି ବସ୍ ଉପରକୁ ଉଠିଲା ବରୁଣ୍ । ଅଠର ନମ୍ବର୍ ସିଟ୍ ପାଖକୁ ଯାଇ କ୍ୟାରୀ ବ୍ୟାଗ୍ ଟା ଉପରକୁ ଟେକି ଦେଇ ବସିଗଲା । ପାଖ ସିଟ୍ ରେ ଝରକା ଆଡକୁ ମୁହଁ କରି ଝିଅଟେ ବସିଥିଲା । ଜିନ୍ସ୍, ଟି-ସାର୍ଟ୍ ପିନ୍ଧା ଝିଅଟାକୁ ବରୁଣ୍ ବ୍ୟସ୍ତତା ଭିତରେ ଦେଖିପାରିନଥିଲା । ପାଖରେ ବସୁ ବସୁ ବୈଶାଖୀର ସେହି ଚିରାଚରିତ ବଡ଼ ପାଟିରେ କଥାବାର୍ତ୍ତା ଆସି ପିଟିହେଲା ବରୁଣ୍ ର କାନରେ ।


"ସିପୁନ୍ ତୁ ଜମା ବ୍ୟସ୍ତ ହୋନା । ମୁଁ ଅଛି ନା ! ଶୁଣ ତୁ ଠିକ୍ ଦୁଇଘଣ୍ଟା ଛାଡି ତୋ ସାଇକେଲ୍ ନେଇ ଛକ ଉପରକୁ ପଳେଇଆସେ । ସାଙ୍ଗ ହେଇ ଘରକୁ ଯିବା । ମୁଁ ଗଲେ ତାଲା ଟା  ଭାଙ୍ଗିଦେବି । ତୁ ଆଉ ଚେଷ୍ଟା କରେନା । ଚଉଁରା ପାଖରେ ବସିଥା । ମୁଁ ଛକ ପାଖା ପାଖି ହେଇଗଲେ ଏହି ନମ୍ବର୍ ରେ କଲ୍ କରି ତତେ ଡାକିଦେବି । ମୋ ସୁନା ଭାଇଟା ପା, ଆଉ କାନ୍ଦେନା ।", ବୈଶାଖୀ ଫୋନ୍ ରେ କାହା ସହ କଥା ହେଉଥିଲା । କଥା ହେଇସାରି ବରୁଣ୍ କୁ ତା ପାଖରେ ବସିଥିବା ଦେଖି ଆଶ୍ଚର୍ଯ୍ୟ ମିଶା ହସଟେ ମୁହଁରେ ଫୁଟେଇ ପଚାରିଲା, "ତୁମ ଷ୍ଟପେଜ୍ କୋଉଠି? "


--କାଟିଆ ।


--ଓହୋ । ମୁଁ ଆଗରୁ ଜାଣିନଥିଲି ।


--ତୁମର ? 


--ଟିକେ ଆଗକୁ । ବୋୖଳାଙ୍ଗ ।


--ଆଚ୍ଛା ! ମୁଁ ବି ଜାଣିନଥିଲି । 


--ହଁ କେବେ ଏକାଠି ଯାଇନାହାଁନ୍ତି ନା ସେଥିପାଇଁ ।


--ମୁଁ ସବୁବେଳେ ବାରଟା ବସ୍ ରେ ଯାଏ । ଏବେ ଏଇ ଖରା ପାଇଁ ସକାଳୁ ବାହାରିଲି ।


--ମୁଁ କିନ୍ତୁ ସବୁବେଳେ ସକାଳେ ନହେଲେ ସନ୍ଧ୍ୟାରେ । 


  କଥା ହେଉ ହେଉ ବୈଶାଖୀର ପୁଣି ଫୋନ୍ ଆସିଲା । ସେ ସେମିତି ପୂର୍ବଥର ପରି କାହାକୁ ଜଣଙ୍କୁ ସ୍ନେହଁବୋଳା କଣ୍ଠ ରେ କହୁଥିଲା ନକାନ୍ଦି, ବ୍ୟସ୍ତ ନହୋଇ ଅପେକ୍ଷା କରିବାକୁ । ତା ସ୍ୱରରେ ଏମିତି କୋମଳତା ବରୁଣ ପ୍ରଥମ କରି ଶୁଣୁଥିଲା । ବୈଶାଖୀ ଫୋନ୍ ରେ ମାଆ ଟିଏ ପରି ଗେଲ୍ହା କରି କଅଁଳେଇ କଥା ହେଉଥିବା ବେଳେ ବରୁଣ୍ ତାକୁ ଏକ ଲୟ ରେ ଚାହିଁରହିଥିଲା । ପୁଅଙ୍କ ପରି ତାର ସେ ଅଣ୍ଡିରା ମୁହଁ କୁ କଥାଗୁଡା ପ୍ରଥମେ ବେଖାପ ଲାଗୁଥିଲେ ବି ଶକ୍ତ ପାହାଡ଼ ତଳୁ କୁଳୁକୁଳୁ ଝରଣା ଟେ ବହି ଆସୁଥିବା ଦେଖି ବରୁଣ୍ ର ମନରେ ବୈଶାଖୀ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ତା ନିଜ ଅଜାଣତରେ ଭିନ୍ନ ରୂପ ନେଉଥିଲା । 


    ଖୁବ୍ ସକାଳୁ ବିଛଣା ଛାଡି ଉଠି ଆସିଥିବାରୁ ନିଦରେ ବରୁଣ୍ ର ଆଖି ବନ୍ଦ ହେଇଯାଉଥିଲା । ସେ ଢ଼ୋଳେଇବା ଆରମ୍ଭ କରିଦେଲା । ଢୋଳାଉ ଢ଼ୋଳାଉ ଆଉଜି ପଡିଲା ବୈଶାଖୀର କାନ୍ଧରେ । ବୈଶାଖୀ ଆଦୌ ହଲଚଲ୍ ନହେଇ, ବରୁଣ୍ କୁ ଘୁଞ୍ଚିଯିବାକୁ ନକହି ବସିରହିଲା । କିଛି ସମୟପରେ ରାସ୍ତାର ବନ୍ଧୁରତା ବରୁଣ୍ ର ଲାଗିଆସୁଥିବା ନିଦକୁ ବସ୍ ସହ କଚାଡି ଭାଙ୍ଗିଦେଲା । ସେ ଆଖି ଖୋଲି ଦେଖିଲା ତା ଚିବୁକ୍ ଥୁଆ ହେଇଛି ବୈଶାଖୀର କାନ୍ଧ ଉପରେ । ଓଠଦେଇ ଲାଳ ବି ଗଡ଼ି ଆସି ବୈଶାଖୀର ଧଳା ଟି -ସାର୍ଟ୍ ରେ ମଳାଏ ଦାଗ ହେଇଯାଛି । ବରୁଣ୍ ଲଜ୍ୟା ରେ ଅସହଜ ହେଇଗଲା । ବୈଶାଖୀ ସହ ଆଉ କଥା ହେବାକୁ ବି ତାର ସାହସ୍ ନଥିଲା । ପୁଣିଥରେ କିନ୍ତୁ ବୈଶାଖୀ ଆଶ୍ଚର୍ଯ୍ୟ କରି ତାକୁ କହିଲା, "ତୁମେ ଏତେ ନିଦରେ ଶୋଇଯାଇଥିଲ ଯେ କଣ୍ଡକ୍ଟର୍ ଆସି ଡାକିଲା ପଇସା ଫେରେଇବାକୁ, ଉଠିଲନି । ମୁଁ କହିଛି ପରେ ଆସିବା ପାଇଁ । "


   ବରୁଣ୍ ଡବ ଡବ ଆଖିରେ କେବଳ ଅନେଇ ରହିଥିଲା ଝିଅଟାକୁ । "ଝିଅଟାର ବାହାର ଖୋଳପା ଫିଟିଗଲେ ଭିତରଟା କେତେ ଯେ କଅଁଳ ! ଆଉ କେହି ହେଇଥିଲେ କଣ ଯେ ଭାବି କେତେ କଣ ନକହିଥାନ୍ତା !!" ମନେ ମନେ ଭାବୁଥିଲା ବରୁଣ୍ । ଧକଡ୍ ଚକଡ୍ ହେଇ ଚାଲୁଥିବା ବସ୍ ଟା ଆଉଥରେ ବରୁଣ୍ କୁ ଘୁଞ୍ଚେଇ ନେଇ ବୈଶାଖୀର ଦେହରେ ପିଟିଦେଲା । ଆହୁରି ଆଶ୍ଚର୍ଯ୍ୟ ହେଲା ବରୁଣ୍ । ଗ୍ରୀଷ୍ମର ଗୁଳୁ ଗୁଳି ଭିତରେ ଶୀତଳତାର ମଲମ୍ କିଏ ଯେମିତି ବୋଳିଦେଲା ତା ଦେହସାରା, ସେମିତି ଅନୁଭବ କଲା ବରୁଣ୍ । ବୈଶାଖୀ ଏଥର ଟିକେ ସଜାଡି ହେଇଗଲା । ଲାଜ ଲାଜ ଆଖିରେ ବରୁଣ୍ ର ନିଦୁଆ ମୁହଁଟାକୁ ଦେଖିଲା । ତା ମୁହଁକୁ ସେ ଲାଜ ବି ମାନୁନଥିଲା । ବରୁଣ୍ କୁ ସେମିତି ହିଁ ଲାଗିଲା ତା ଲାଜୁଆ ମୁହଁକୁ ଦେଖି । କିନ୍ତୁ କିଛି ସମୟ ପାଇଁ ବୈଶାଖୀର ମୁହଁଟା ସୂର୍ଯ୍ୟସମ ଉଜ୍ଜ୍ୱଳ ଦିଶୁଥିଲା ଓ ଦେହଟା ଚନ୍ଦ୍ରକିରଣ ପରି ଶୀତଳତା ଢାଳିଦେଉଥିଲା । 


    ବୈଶାଖୀ ପିନ୍ଧିଥିବା ପୁଅପିଲାଙ୍କ ପରି ସେହି ଧଳା ଟି-ସାର୍ଟ୍ ର ସାମ୍ନାପଟ ଟା କାହିଁକି କେଜାଣି ଆଜି ବରୁଣ୍ କୁ ଖୁବ୍ ଆକର୍ଷିତ କରୁଥିଲା । ଝିଅ ଝିଅ ଲାଗୁଥିଲା ସେ । 


    ବୈଶାଖୀ କିଛି ସମୟ ନିରବ ବସିଲା ପରେ ଫୋନ୍ ଲଗେଇ କଥା ହେଲା ।


--ହେଲୋ କୁନିମାମା, ତୁମେ ଏତେ ସକାଳୁ ଘରେ ତାଲା ଦେଇ କୁଆଡେ ଯାଇଛ ? ମୁଁ ଆସୁଛି ତୁମକୁ କହିଥିଲି କି ନାହିଁ ? ସିପୁନ୍ ସକାଳୁ ପଡିଆକୁ ଦୌଡ଼ିବାକୁ ଯାଇଥିଲା, ଆସିକି ଚଉଁରା ଉପରେ ବସି କାନ୍ଦୁଛି । କଣ କହିଲ, ବାରଟାରେ ଫେରିବ? ମୁଁ ସାଢ଼େ ଆଠ ରେ ପହଞ୍ଚି ଖରାରେ ସେଇଠି ସିଝୁଥିବି ? ନାଁ ନାଁ.. ତୁମେ ଦଶଟା ଭିତରେ ଆସ । ଫୋନ୍ ଟା ଘଣ୍ଟେ ହେଲା ବନ୍ଦ ରଖିଛ । ଜାଣିଛ, ମୁଁ ଗାଧୋଇକରି ବି ଆସିନାହିଁ । 


     ବରୁଣ୍ ଶୁଣୁଥିଲା ସବୁ । ଆଜି ଆଉ ବୈଶାଖୀର ସ୍ୱର ତାକୁ କର୍କଶ ଶୁଭିଲା ନାହିଁ, ଯଦିଓ ସେ ଟାଣ କରି କଥା କହୁଥିଲା । ସେ ଗାଧୋଇନାହିଁ କଥାଟା ଶୁଣି ବରୁଣ୍ ଭାବୁଥିଲା, "ଏ ଝିଅଟା କେମିତି ଗାଧୋଉଥିବ ? କଣ ସତରେ ଝିଅଙ୍କ ପରି ? " । ଭାବୁକ ବରୁଣ୍ ଭାବୁଥିଲା ଆଉ ଅନ୍ୟମନସ୍କ ହୋଇ ଏକଲୟରେ ବୈଶାଖୀକୁ ଦେଖୁଥିଲା । ଫୋନ୍ ରଖି ବୈଶାଖୀ ବରୁଣ୍ ଆଡେ ଦେଖିଲା । 


--କଣ ହେଲା କବି ମହାଶୟ ? କୋଉ ଭାବନାରେ ମଗ୍ନ ହେଇଯାଇଛ ? 


--ତୁମେ ଗୋଟେ ଅସୁବିଧାରେ ପଡିଯାଇଛ ନା ? 


--ହଁ ମୋ ପାପା ଙ୍କ ସେକେଣ୍ଡ୍ ୱାଇଫ୍ ସକାଳୁ ଘରେ ତାଲା ଲଗେଇ ତାଙ୍କ ବାପଘରକୁ ପଳେଇଛନ୍ତି । ମୋ ସାନଭାଇ ବାହାରେ ଠିଆ ହୋଇ କାନ୍ଦୁଛି । 


--ସେକେଣ୍ଡ୍ ୱାଇଫ୍ ମାନେ ? ସେ ତୁମ ମାଆ ନୁହଁନ୍ତି ? 


--"ନାଁ, ମୋର ମାଆ ନାହାଁନ୍ତି । ଆମେ ଛୋଟ ହେଉଥିଲୁ ସେ ମରିଗଲେ ।"ଅତି ସହଜରେ ଏତକ କହିଦେଲା ବୈଶାଖୀ । ବରୁଣ ଆଉ କିଛି ପଚାରିପାରିଲାନି । 


   କଣ୍ଡକ୍ଟର୍ ଆସି ବାକି ଟଙ୍କା ଦେଇଗଲା । ବରୁଣ୍ ବୈଶାଖୀ ଆଡକୁ ମୁହଁ କରି ଆହୁରି ବହୁତ କଥା କହୁଥିଲା ଓ ଶୁଣୁଥିଲା । ବେଳେ ବେଳେ ମୋବାଇଲ୍ ଖୋଲି ତା କବିତା ବୈଶାଖୀକୁ ଶୁଣାଉଥିଲା । ବୈଶାଖୀ ତା ଟିକ୍ ଟକ୍ ଭିଡିଓ ବରୁଣ୍ କୁ ଦେଖାଉଥିଲା । ଦୁହେଁ ହସୁଥିଲେ । ଦୁହିଁଙ୍କ ଭିତରେ ହଜିଯାଇ ବସ୍ ର ଅନ୍ୟଯାତ୍ରୀ ଙ୍କ ଉପସ୍ଥିତି କଥା ଭୁଲିଯାଉଥିଲେ । କେତେବେଳେ ବରୁଣ୍ ର ଗୋଡ଼ ବୈଶାଖୀର ପାଦ ଛୁଇଁଦେଉଥିଲା ତ କେତେବେଳେ ବୈଶାଖୀର ହାତ ବରୁଣ୍ ର ପିଠି, କାନ୍ଧ । ଦୁହେଁ ସଚେତନ ଥିଲେ କି ନାହିଁ ଜାଣିବା କିନ୍ତୁ ଦୁହିଁଙ୍କ ପାଇଁ ଆଉ ସମ୍ଭବ ନଥିଲା ।


   ବରୁଣ୍ କେମିତି ଜାଣିପାରିଲାନି ଦଶମିନିଟ୍ ଆଗରୁ ବସ୍ ତା ଷ୍ଟପେଜ୍ ପାର କରିସାରି ବୈଶାଖୀର ଷ୍ଟପେଜ୍ ପାଖାପାଖି ପହଞ୍ଚିସାରିଥିଲା । ବରୁଣ୍ ର କାନ ସେତେବେଳେକୁ ଆଉ କଣ୍ଡକ୍ଟର୍ କୁ ଶୁଣିପାରିନଥିଲା । ବୈଶାଖୀ ର ସିପୁନ୍ କଥା ମନେପଡିଗଲା । ସେ ଫୋନ୍ କରି ତାକୁ ଛକ ପାଖକୁ ଡକେଇଲା ଆଉ ଦେଖିଲା ବରୁଣ୍ ବ୍ୟସ୍ତ ଜଣାଯାଉଛି ।


--କଣ ହେଲା ବରୁଣ୍ । ଓହୋ,ତୁମେ ତ କାଟିଆରୁ ବହୁତ ଆଗକୁ ପଳେଇ ଆସିଲଣି ! ଏବେ କଣ ହେବ ? 


--କିଛି ନାହିଁ, ମୁଁ ଅଟୋ ଧରି ପଳେଇବି । 


--ହଉ ତେବେ । ପୁଣି ଦେଖା ହେବା ଯାଇ କଲେଜ୍ ଖୋଲିଲେ, ନୁହେଁ ? 


  ବରୁଣ ହସିଲା ଆଉ ଭାବିଲା, " ଏ ଝିଅଟା ଏତେ ସହଜରେ କେମିତି ସବୁ କହିଦେଇପାରେ? "


 --କଣ ପୁଣି ଭାବିଲ? ତୁମେ ଯାହା ଲେଖିଦିଅ, ମୁଁ ସେଇଟା କହିଦିଏ । ଏୟା ତ ଫରକ । କଥା ହେବା କିନ୍ତୁ ଛୁଟିରେ । ତୁମ ହ୍ୱାଟ୍ସଅପ୍ ନମ୍ବର୍ ଟା ଦିଅ । ମୁଁ ଭିଡ଼ିଓ ସେଣ୍ଡ୍ କରିବି ଆଉ ତୁମେ ମୋ ନାଁରେ କବିତା ଲେଖି ମୋତେ ପଠେଇବ ।


  ବରୁଣ୍ ନମ୍ବର ଦେଲା । ବୋୖଳାଙ୍ଗ ଛକ ପୂର୍ବରୁ ବୈଶାଖୀ ଉଠି ଠିଆ ହେଲା । ଲଗେଜ୍ ବ୍ୟାଗ୍ ଟା ବାହାର କରି ଥୋଇଲା । ବରୁଣ୍ ମଙ୍ଗଳପୁର ରେ ଓଲ୍ହାଇବ ଠିକ କରି ବସ୍ ରେ ବସିରହିଲା କିନ୍ତୁ ସେ ଝର୍କା ବାଟେ ଅନେଇ ରହିଥିଲା ବୌଳାଙ୍ଗ ଛକରୁ ବୈଶାଖୀର ଶେଷ ଝଲକ୍ ଲୁଚିଯିବା ଯାଏଁ ।


    ବୈଶାଖୀ ଓହ୍ଲାଉ ଓହ୍ଲାଉ ତା ସାନଭାଇ ଆସି ତାକୁ କୁଣ୍ଢାଇ ପକେଇଥିଲା । ବୈଶାଖୀ ତାକୁ ମାଆଟିଏ ପରି କୋଳେଇ ନେଲା । ଏ ଦୃଶ୍ୟ ବି ବରୁଣ୍ କୁ ବେଶ୍ ପ୍ରଭାବିତ କରିଥିଲା । "କିଏ କହିଲା ଝିଅଙ୍କୁ ଚିହ୍ନିବା ବଡ଼ ଜଟିଳ? ଝିଅଟେର ହୃଦୟ ସହ ପରିଚିତ ହେବାପାଇଁ ଦୁଇଘଣ୍ଟା ପନ୍ଦର ମିନିଟ୍ ର ଗୋଟେ ବସ୍ ଯାତ୍ରା ହିଁ ଯଥେଷ୍ଟ ।"ଭାବି ବରୁଣ୍ ମୋବାଇଲ୍ ଖୋଲି ବୈଶାଖୀର ନମ୍ବର୍ ସେଭ୍ କଲା ।


   ଦେଢ଼ମାସର ଛୁଟିଟା ବହୁତ ଦୀର୍ଘ ହେଇଯିବା ଭଳି ବରୁଣ୍ କୁ ଲାଗୁଥିଲା । ସେ ବୈଶାଖୀ ସହ ନିୟମିତ କଥାବାର୍ତ୍ତା ଓ ଚାଟିଂ କରୁଥିଲା, କିନ୍ତୁ ବୈଶାଖୀକୁ ଆଉଥରେ ଭେଟିବାକୁ ସେ ବ୍ୟାକୁଳ ହେଇଯାଉଥିଲା । ତାକୁ ଲାଗୁଥିଲା ସେହି ବସ୍ ରେ ଆସିବା ଦିନ ହିଁ ସେ ପ୍ରଥମ କରି ବୈଶାଖୀକୁ ଦେଖିଲା । ସେଥିପାଇଁ ଆଉଥରେ ତା ସହ ଦେଖା ହେବା ନିହାତି ଜରୁରୀ ବୋଲି ବରୁଣ୍ ଅନୁଭବ କରୁଥିଲା । 


   ବରୁଣ୍ ତା ବାପାଙ୍କ ବାଇକ୍ ନେଇ ବୈଶାଖୀ କହିଥିବା ତାଙ୍କ ଗାଁ ଖେଳପଡିଆକୁ ଗଲା । ଫୋନ୍ ଲଗେଇବା ପୂର୍ବରୁ ବୈଶାଖୀ ଦୌଡ଼ି ଆସିଲା ତା ଆଡକୁ । ସତେଯେମିତି ଖରାଦିନିଆଁ ଧୂଳି ଝଡ଼ଟେ ଥଣ୍ଡା ପବନ ଧରି ମାଡି ଆସୁଛି, ସେମିତି ହିଁ ଦିଶୁଥିଲା ବୈଶାଖୀ । ପିନ୍ଧିଥିଲା ୱାନ୍ ଥାର୍ଡ୍ ପ୍ୟାଣ୍ଟ୍ ଓ ଢିଲା ଟି-ସାର୍ଟ୍ ଆଉ ହାତରେ ଅସ୍ତ୍ର ପରି ଧରିଥିଲା ଗୋଟେ କ୍ରିକେଟ୍ ବ୍ୟାଟ୍ । ତା ଡାହାଣ ହାତ ରିଷ୍ଟ୍ ରେ ଝୁଲୁଥିଲା ମୋଟା ଗୋଟେ ବଳା । 


--ବୈଶାଖୀ, ଗାଁ କୁ ଆସି ଗୁଣ୍ଡା ହେଇଗଲଣି । ଘଡି ଖୋଲି କଡ଼ି ପିନ୍ଧିଲଣି ।


--ସିପୁନ୍ ମୋ ପାଇଁ ରଖିଥିଲା, ପିନ୍ଧିଦେଲି । ମୁଁ ଏମିତି ବୋଲି, ତୁମେ ମୋ ନାଁରେ କବିତା ଲେଖୁନ ନାଁ ? 


--ହେତ୍ କିଏ କହିଲା ? ମୁଁ ଲେଖିଛି । ଦେବି ପଢିବ । ହେଲା ।


   ପାଞ୍ଚ ମିନିଟ୍ ର କଥାବାର୍ତ୍ତା ଭିତରେ ବରୁଣ୍ ବାଇକ୍ ବୁଲେଇ ଫେରିଗଲା । 


  ରଜ ଛୁଟି ସରିଗଲା । ହଷ୍ଟେଲ୍ ଆଗରେ ବୈଶାଖୀ ରିକ୍ସା ରୁ ଓହ୍ଲେଇ ପଡିଲା । ବୈଶାଖୀ ସହ ସେଦିନ ଆଉଜଣେ ବି ସେହି ସମାନ ଗୋଟିଏ ରିକ୍ସା ରେ ବସି ଷ୍ଟାଣ୍ଡ୍ ରୁ କଲେଜ୍ କୁ ଆସିଥିଲା । ସେ ଜଣକ ଚାଲିଯାଇଥିଲା ବୟେଜ୍ ହଷ୍ଟେଲ୍ ଭିତରକୁ ।


 କଲେଜ୍ ପାଇଁ ବୈଶାଖୀ ରେଡି ହେଉଥିଲା । ସମସ୍ତେ ତାକୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ । ପୂର୍ବଦିନ ସାରାରାତି ସେ କାହା ସହ କଥା ହେଇଥିଲା । "ଦେଢ଼ମାସ ର ଛୁଟି କଣ ସତରେ କାହାକୁ ଏତେ ବଦଳେଇ ଦେଇପାରେ? ",ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା ସେହି ଗୋଟିଏ ପ୍ରଶ୍ନ ।


  କିରଣ୍ କୁ ନଡାକି, ବୈଶାଖୀ ଏକା ଏକା ବାହାରିଗଲା । ଡିପାର୍ଟମେଣ୍ଟ୍ ଗେଟ୍ ବି ପାର କରିଗଲା, କିନ୍ତୁ ଭିତରକୁ ଗଲାନି । ପଛପଟ ଗାର୍ଡେନ୍ ରେ ବରୁଣ୍ ଠିଆ ହେଇଥିଲା । ବୈଶାଖୀକୁ ଦେଖି ଖୁସିରେ ତା ମୁହଁ ଉଜ୍ଜ୍ୱଳ ହେଇଉଠିଲା । 


--ଟିକେ ଲେଟ୍ ହେଇଗଲା ନା ? ମୁଁ କେମିତି ଦିଶୁଛି ? 


--ବୈଶାଖୀ, ତୁମେ ସବୁବେଳେ ସୁନ୍ଦର । ବହୁତ ବେଶି ସୁନ୍ଦର । ତୁମ ପରି ଆଉ କେହି ନାହିଁ । 


ମୋବାଇଲ୍ ର ସେଲ୍ଫି କ୍ୟାମେରାରେ ବୈଶାଖୀ ଆଉ ଥରେ ତା ଲିପସ୍ଟିକ୍ ଲଗା ଓଠ ଓ କଜ୍ଜ୍ୱଳ ମଖା ଆଖିକୁ ଦେଖିନେଲା । ନିଜ ଭିତରେ ନିଜେ ବିଭୋର ହେଲା । ପ୍ରେମରେ କିଛି ବି ସମ୍ଭବ -ଏମିତି ବୋଧେ କିଛି ଭାବୁଥିଲା ସେ ନିଜକୁ ଦେଖି ।


  ହଠାତ୍ ଜୁନ୍ ମାସର ମୌସୁମୀ ବର୍ଷା ଠୋପା ଠୋପା ହେଇ ଆକାଶରୁ ଖସି ପଡିଲା । ବରୁଣ୍ ଛତା ଖୋଲି ବୈଶାଖୀକୁ ଭିତରକୁ ଟାଣି ନେଲା । 


--ମୁଁ ଜାଣିନଥିଲି ବର୍ଷା ହେବ, ଛତା ଆଣିନି ।


--ମୁଁ ଜାଣିଥିଲି, ବୈଶାଖୀ ଆସିଲେ, ବର୍ଷା ବି ଆସେ ।


--ମାନେ ? 


--ତୁମ ପାଇଁ କବିତା ଲେଖିଛି ।


--କଣ ଲେଖିଛ ? 


--ବୈଶାଖୀ ବିନା ମୌସୁମୀର ସ୍ୱପ୍ନ ଦେଖିହୁଏନା । ବୈଶାଖୀ ଗୋଟେ ସମ୍ଭାବନା, ସବୁଜିମାର । ବୁଝି ପାରିଲ କି ନାହିଁ ? 


--ହୁଁ.. ବୁଝିଲି 


-- ଯା.. ମିଛେଇ । 


 ଆଉକୁହ ଚୁଟି କେମିତି ଏତେ ଜଲ୍ଦି ବଢିଗଲା ? ସେହି ବୟ କଟ୍ ଟା ବି ତୁମ ମୁହଁକୁ ଖୁବ୍ ମାନୁଥିଲା ଯେ । 


   ପୁଣି ଦଲକାଏ ଥଣ୍ଡା ପବନ ଓ ମେଞ୍ଚାଏ ବର୍ଷା ଛିଟା । ବୈଶାଖୀ ନିଜ ପାଉଡର୍ ମଖା ମୁହଁଟାକୁ ବରୁଣ୍ ର ଛାତିରେ ଗୁଞ୍ଜିଦେଲା । ବରୁଣ୍ ନିଜ ବାଁ ହାତ ମୁଠିରେ ମୁଠେଇ ଧରିଥିବା ଷ୍ଟିଲ୍ ର ହାତ ବଳା ଟାକୁ ତଳକୁ ଖସେଇ ଦେଇ ବୈଶାଖୀ ସହ ନିଜକୁ ଛତା ତଳେ ଲୁଚେଇ ଦେଲା ।


   ଜୁନ୍ ର ବର୍ଷାରେ ବୈଶାଖୀ ଭିଜୁଥିଲା ବରୁଣ୍ ସହ । ଆକାଶରେ ବି ସୂର୍ଯ୍ୟ କଳା ଘୁମର ମେଘରେ ଗାଧୋଇ ପଡି ଆହୁରି ଉଜ୍ଜ୍ୱଳ ହେଇଉଠୁଥିଲେ ।


Rate this content
Log in

Similar oriya story from Romance