ବାସନ୍ତୀ ଭିତରର ବସନ୍ତ
ବାସନ୍ତୀ ଭିତରର ବସନ୍ତ


ଆମ ଗାଁର ନାମଜାଦା ରାଜମିସ୍ତ୍ରୀ ବଗୁଲାର ଝିଅ ବାସନ୍ତୀ, ସେଦିନ ଗୋଟିଏ ସୁଦୃଶ୍ୟ କୋଠାଘର ଗେଟ୍ ପାଖରେ ଠିଆ ହୋଇ ସେ ଘର ଆଡ଼କୁ ହାତ ଦେଖେଇ ତା ସାଙ୍ଗକୁ କହୁଥିଲା...ଏଇ ଦେଖ୍ ସୁମତି,ଏଇଟା ଆମ ଘର । ମୋ ବାବା ଓଏଏସ୍ ଅଫିସର । ରାୟଗଡାରେ ତାଙ୍କର ପୋଷ୍ଟିଙ୍ଗ୍ । ଘରଟି ଭଡ଼ାରେ ଦିଆ ହେଇଚି । ମୁଁ ତତେ ଭିତରଟା ଦେଖେଇ ଥାନ୍ତି ଯେ କାହିଁକି ଏଇଲେ ଭଡାଟିଆଙ୍କୁ ହଇରାଣ କରିବା ? ଆଉ ଦିନେ ଆସିବା । ମୁଁ ବାପା ମା'ଙ୍କର ଏକମାତ୍ର ସନ୍ତାନ, ଏ ବିରାଟ ସମ୍ପତ୍ତିର ମାଲିକ । ଏଇଠି ଆମେ ରହିବା ।
ବାସନ୍ତୀ,ଏକଥା ତା ସାଙ୍ଗ ସୁମତିକୁ କହୁଥିବା ସମୟରେ ,ତା'ଠାରୁ ଅନତି ଦୂରରେ ଥାଇ ମୁଁ ଶୁଣୁଥିଲି ବୋଲି ବାସନ୍ତୀ ଜାଣିପାରିନଥିଲା ।
ପ୍ରକୃତରେ ସେ ଘରଟିର ମାଲିକ ମୋ ସାନ ଭଉଣୀ ସୁଭଦ୍ରା, ଡାକ ନାଁ ଶୁଭ । ପରିବାର ସହିତ ସେ ସେଠାରେ ନିଜଘରେ ରହୁଥିଲା । ବାସନ୍ତୀ କଥା ଶୁଣି ମୁଁ ଭଉଣୀ ଘରେ ପହଞ୍ଚି ପଚାରିଲି....ଆଲୋ ମା' ଶୁଭ, ବଗୁଲା ଝିଅ ବାସନ୍ତୀ ତାର ଗୋଟେ ସାଙ୍ଗକୁ କହୁଥିଲା...ଏଇ ଘରଟା କୁଆଡେ ତାଙ୍କର, ତମେ ଏଠି ଭଡ଼ାରେ ଅଛ ଆଉ ତା ବାପା କୁଆଡେ଼ ଗୋଟେ ଓଏଏସ୍ ଅଫିସର । ବଗୁଲା କୋଉ ଦିନ ଓଏଏସ୍ ଅଫିସର ହେଲା?
ମୋ ସାନ ଭଉଣୀ ଏକଥା ଶୁଣି ହସି ହସି ବେଦମ୍ । କହିଲା... ସାଙ୍ଗ ଆଗରେ ଫୁଟାଣି ମାରୁଥିବ । ନିଜର ଆଜବେଷ୍ଟସ ଘରକୁ ସାଙ୍ଗକୁ ନବାକୁ ଲାଜ ମାଡୁଥିବ, ତେଣୁ ଆମ କୋଠାଘରକୁ ନିଜର କହି ଆମକୁ ଭଡାଟିଆ କରିଦେଲା । ହଉ ବଗୁଲାକୁ ଦେଖିଲେ ମୁଁ ପଚାରୁଚି ।
ଭାବିଲି,ବଗୁଲା ଝିଅ ବାସନ୍ତୀ ନିଶ୍ଚୟ ନ୍ୱିନ-ମନୋଭାବର (inferiority complex) ଶିକାର । ସାଙ୍ଗ ଆଗରେ ନିଜ ଘରର ଆର୍ଥିକ ଅସ୍ୱଚ୍ଛଳତା ଦେଖାଇବାକୁ ଲାଜ ମାଡୁଥିବ ।
ଏହି ଘଟଣାର କିଛି ଦିନ ପରେ ଥରେ ମୋର ବଗୁଲା ସହିତ ଭେଟ ହେଲା । ବଡ଼ ବ୍ୟସ୍ତ ହୋଇ ବଗୁଲା କହିଲା...ସାର୍,କଣ କରିବି, ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଝିଅ ପଢ଼ୁଥିଲା, କୁଆଡେ ନିଖୋଜ ହେଇଯାଇଚି ପନ୍ଦର ଦିନ ହେଲା । କଲେଜରେ କ୍ଲାସ ଆଟେଣ୍ଡ୍ କରୁନି ବୋଲି ହଷ୍ଟେଲରୁ ଫୋନ୍ ଆସିଥିଲା ।
ମୁଁ ପଚାରିଲି..ଆରେ,କାହା ସହିତ ଯାଇଛି? କିଛି ପ୍ରେମ ଫ୍ରେମ ବ୍ୟାପାର ନୁହେଁ ତ?
ବଗୁଲା କହିଲା... ନାଇଁ, ତାର ଗୋଟେ ସାଙ୍ଗ ଝିଅପିଲା ସହିତ ହଷ୍ଟେଲରୁ ପନ୍ଦର ଦିନ ହେଲା କୁଆଡେ ଚାଲି ଯାଇଛି ।
ମୁଁ କହିଲି...ରକ୍ଷା, ତାହେଲେ ଡରିବାର କଣ ଅଛି ? ସେ ସାଙ୍ଗ ଝିଅପିଲା ସହିତ ତା'ଗାଁକୁ ଯାଇଥିବ । ତୁ ବ୍ୟସ୍ତ ହଅନା ।
ବଗୁଲା କହିଲା..ବାବୁ,ମତେ କାହିଁକି ଟିକେ କେମିତି କେମିତି ଲାଗୁଚି;ଝିଅ ଯେତେବେଳେ ହଷ୍ଟେଲରୁ ଘରୁକୁ ଆସୁଚି, ଚବିଶ ଘଣ୍ଟା ମୋବାଇଲଟା କାନେରେ ଦେଇ ତା ସାଙ୍ଗ ସୁମତି ସାଙ୍ଗରେ ଗପୁଚି । ଝିଅ ପିଲାଟେ ଝିଅପିଲା ସାଙ୍ଗରେ ଏତେ କଣ ଗପୁଚି ? ସହଜେ ତ ମୋ ଝିଅଠାରେ ସବୁ ପୁଅ ପିଲା ଲକ୍ଷଣଯାକ ଦେଖାଯାଏ; ବବ୍ କଟ୍ ହେୟାର-ଷ୍ଟାଇଲି ସଙ୍ଗକୁ ଦେହରେ ସବୁବେଳେ ସେ ପୁଅ ପିଲାଙ୍କ ପ୍ୟାଣ୍ଟ୍-ସାର୍ଟ ପିନ୍ଧିଥାଏ; ତା'ଉପରେ ଝିଅର ଏ ମତିଗତି ମୋର ଚିନ୍ତା ବଢେଇ ଦେଇଚି ।
ପଚାରିଲି... ଖୋର୍ଦ୍ଧାରେ ସେ ଦୁହେଁ କଣ ଗୋଟିଏ ହଷ୍ଟେଲରେ ରହନ୍ତି?
ବଗୁଲା କହିଲା...ହଷ୍ଟେଲ୍ କଣ, ଏକା ରୁମରେ ରହୁଚନ୍ତି ପରା । ସେ ଝିଅଟାର ଜନ୍ମଦିନରେ ଆମ ବାସନ୍ତୀ ତାକୁ ଝିଅପିଲା ଡ୍ରେସ ଉପହାର ଦଉଚି ଅଥଚ ନିଜପାଇଁ ପୁଅ ପିଲା ଡ୍ରେସ୍ କିଣୁଚି ।
ବଗୁଲା ଠାରୁ ଏକଥା ଶୁଣି ମୋ ମନରେ ବି ଟିକିଏ ସନ୍ଦେହ ହେଲା । ମୁଁ କହିଲି...ବଗୁଲା, ତୁ ଖବର ନେ ଝିଅ କୋଉଠିକି ଯାଇଚି । ମତେ କାହିଁକି ଲାଗୁଛି ତୋ ଝିଅର 'ଟ୍ରାନସ୍ ଜେଣ୍ଡର' ସମସ୍ୟା ଅଛି ।
ବଗୁଲା ପଚାରିଲା...ଆଜ୍ଞା,ସେଇଟା ପୁଣି କଣ ? କି ରୋଗ ସେଇଟା ?
ବଗୁଲା ମୁଣ୍ଡକୁ ବିଶେଷ ଭାରାକ୍ରାନ୍ତ ନକରିବାକୁ କହିଲି...ତୁ ଆଗେ ଝିଅକୁ ଖୋଜି ବାହାର କରେ, ପରେ ସେ ବିଷୟରେ କଥାବାର୍ତ୍ତା ହବା ।
ବଗୁଲା ସୁମତିର ଘରଠିକଣା ସଂଗ୍ରହ କରି ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ପହଞ୍ଚି ଝିଅ ବାସନ୍ତୀକୁ ଠାବ କଲା । ବାସନ୍ତୀ ତ ତା ସାଙ୍ଗକୁ ଫୁଟାଣି ମାରି କହିଥିଲା ତା'ବାପା ଓଏଏସ୍ ଅଫିସର ବୋଲି । ଅଗତ୍ୟା ମଳିମୁଣ୍ଡିଆ ବାପକୁ ସାମ୍ନାରେ ଦେଖି ନଚିହ୍ନିବାର ଛଳନା କରି ପଚାରିଲା....କିଏ ତମେ ? କୋଉଠି ତମ ଘର ? ମୁଁ ତ ତମକୁ ଚିହ୍ନିନି ।
ସୁମତିର ବାପା ମାଆ ଘର ଭିତରୁ ଆସି ଏ ନାଟକ ଦେଖି ପଚାରିଲେ...ବାବୁ, ତମେ କିଏ ? ଏ ଝିଅଟି ଆମ ସୁମତି ସହିତ ଖୋର୍ଦ୍ଧାରେ ହଷ୍ଟେଲରେ ରହି ପଢେ । ତା' ବାପା କ୍ଲାସ୍ ୱାନ୍ ଅଫିସର୍ ବୋଲି କହୁଥିଲା । ଗାଆଁରେ ତାର କୁଆଡେ ବଡ଼ କୋଠାଘର ଅଛି ।
ବଗୁଲା କହିଲା...ନାଟକ କରୁଛି ଆଜ୍ଞା,ଏ ମୋ ଝିଅ; କୋଠାଫୋଠା ଆମର କିଛି ନାହିଁ, ଆପଣଙ୍କ ଝିଅ ଆଗରେ ବଡଲୋକୀ ଦେଖେଇ ଫୁଟାଣି ମାରୁଚି ମୋ ଝିଅ । ମୁଣ୍ଡଝାଳ ତୁଣ୍ଡରେ ମାରି ଯାହା ଦି'ପଇସା ଆଣିଲି, ଏହି ପିଲାର ପାଠପଢାରେ ଖର୍ଚ୍ଚ କଲି । ଦିନେ ଦିନେ ଉପାସ ରହିବାକୁ ପଡେ । ୟାକୁ କଲେଜରେ ପାଠ ପଢେଇ ମୋର ଭୁଲ ହେଇଚି । ଘରକୁ ଗଲେ ସବୁ ଫାଜିଲାମୀ ଛଡେଇ ଦେବି । ଭଲ ବରପାତ୍ରଟିଏ ବୁଝିଛି, ବାହାଘର କରିଦେବି ଆଜ୍ଞା ଏଇ ବର୍ଷ ।
ବାସନ୍ତୀ କହିଲା....ଭାରି ବାହାକଲା ବାଲା । ମୁଁ ତ କୋଉ ପୁଅ ପିଲାକୁ ବାହା ହେବିନି । ମୁଁ ସୁମତିକି ବାହା ହେବି । ସରକାରଙ୍କ ନିୟମ ଅନୁସାରେ ଆମେ ବାହା ହେଇ ପାରିବୁ ।
ଏକଥା ଶୁଣି ଆଶ୍ଚର୍ଯ୍ୟରେ ହୋଇ ସୁମତିର ବାପାମାଆ ଆଁ' କରି ରହିଗଲେ । ବଗୁଲା ରାଗରେ ପଞ୍ଚମ । ଢୋ' କରି ମାରିଲା ଏକ ବ୍ରହ୍ମଚାପୁଡ଼ା ବାସନ୍ତି ଗାଲରେ । ଝିଅକୁ ଜବରଦସ୍ତି ଭିଡ଼ି ଭିଡ଼ି ଆଣି ପହଞ୍ଚିଲା ଗାଆଁରେ ।
ଗାଆଁକୁ ଫେରିବା ପରେ ମୋ ପାଖରେ ପହଞ୍ଚି ସବୁକଥା କହିଲା ବଗୁଲା । ସବୁ ଶୁଣିବା ପରେ କହିଲି...ବଗୁଲା,ତୋର ଦୁର୍ଭାଗ୍ୟ,ତୋ ଝିଅର ଶରୀର ଭିତରେ ପୁଅଟିଏ ଅଛି; ଅର୍ଥାତ୍ ଶରୀରଟି ଝିଅ କିନ୍ତୁ ମନଟି ପୁଅ ।
ବଗୁଲା କହିଲା... ଏମିତି କଣ ହୁଏ ବାବୁ!!
ମୁଁ କହିଲି... ଭଗବାନଙ୍କର ସୃଷ୍ଟିରେ ସବୁ ବିଚିତ୍ରତା ସମ୍ଭବ । ଏ ରହସ୍ୟକୁ ମନସ୍ତତ୍ତ୍ୱବିଜ୍ଞାନ ମଧ୍ୟ ସମାଧାନ କରିବାକୁ ଅସମର୍ଥ ।
ବଗୁଲା କହିଲା... ମୁଁ ତା'ର ବାହାଘର ଏଇ ମାସେ ଭିତରେ କରି ଦଉଚି ।
।
ବଗୁଲା,ଭଲ ବରପାତ୍ରଟିଏ ବାଛି ବାସନ୍ତୀର ବାହାଘର ଠିକ୍ କରିଦେଲା । କିନ୍ତୁ ବାହାଘରର ଚାରିଦିନ ପୂର୍ବରୁ ବାସନ୍ତୀ ଘରଛାଡି କୁଆଡେ ଚାଲିଗଲା । ବାହାଘର ପାଇଁ,ପେଟରୁ କାଟି ଯାହା ସୁନା ରୂପା ଗହଣାଗାଣ୍ଠି ବଗୁଲା ଝିଅ ପାଇଁ କରିଥିଲା, ସେସବୁ ନେଇ ବାସନ୍ତୀ ଚମ୍ପଟ । ବଗୁଲା ଯେତେ ଖୋଜିଲା ପାରିଲାନି । ଖବର ନେବାରେ ଜଣାଗଲା ଯେ ସୁମତି ମଧ୍ୟ ତା'ଗାଁରୁ ନିରୁର୍ଦିତେଷ୍ଟ ।