ବାରିଷ୍ଟର କାଉଲ...,
ବାରିଷ୍ଟର କାଉଲ...,
ଅନେକ ଭାବିଲା ପରେ, ତୁମକୁ ମୋ ଅନ୍ତରତମ ପ୍ରଦେଶର କିଛି ଅସମାହିତ ପ୍ରଶ୍ନର ଅନିର୍ବଚନୀୟ ପ୍ରଶ୍ନ ଗୁଚ୍ଛକୁ ସମର୍ପିତ କରିବାର ଶତ ଚେଷ୍ଟା କରୁଛି, ଆଉ ଭାବୁଛି ମୋ ସୁକ୍ଷ୍ମ ଅବଚେତନରେ ଥିବା ଏଇ ନିହାତି ଗୋପନୀୟ ଅଂଶକୁ ନିଶ୍ଚୟ ପଢି ନେବ, ତୁମର ସେ ବାରିଷ୍ଟରୀ ଭାବାବେଗରେ, ଗଭୀରତମ ଆତ୍ମ ବିଶ୍ଳେଷଣରେ |
-ତୁମେ ସିନା ତୁମ ଚିତ୍ରଲେଖାକୁ ସମର୍ପିତ କରି ପାରିଲ, ସେଇ ମାନଙ୍କ ହାତରେ, ଯେଉଁ ମାନେ ପାପ ଓ ପୁଣ୍ୟର ନିକିତି ତଉଲି ନିଜ ଅହମିକାର ଅନ୍ଧ ଗଳିରେ ନିଜକୁ ଶ୍ରେଷ୍ଠ ବୋଲି ବିଚାର କରୁଛନ୍ତି |ହେଲେ ମୁଁ, ମୋ ମନ, ମୋ ପ୍ରାଣ, ହୃଦୟର ଗଭୀରତମ ପ୍ରଦେଶରେ ସାଇତା ପୁଞ୍ଜିଭୂତ ମେଘ ଖଣ୍ଡରେ ଅନେକ ଚେଷ୍ଟା କରିଛି ତୁମକୁ ଶୀତଳ ମଧୁ ଜ୍ୟୋସ୍ନାରେ ଆପ୍ୟାୟିତ କରିବା ପାଇଁ | ଏବେ ବି ଶତ ବର୍ଷଣ ମୁଖର ରାତ୍ରୀର ତନ୍ଦ୍ରା ମଧ୍ୟରେ ସ୍ନିଗ୍ଧତା ଭରି ଦେବା ପାଇଁ ମନରେ ମୋର ଭରି ରହିଛି ଅନେକ ରାତ୍ରୀର ନବ ଉନ୍ମାଦନା, ଘୁରି ବୁଲୁଛି ଘନ କୁଣ୍ଡଳୀ ଭିତରେ ବାରମ୍ବାର ଶ୍ଵlନ୍ତନାର ବାରିରେ ଟିକିଏ ବର୍ଷି ଯିବା ପାଇଁ, ତୁମର ସେଇ ପବିତ୍ର ପୁଣ୍ୟ ପ୍ଲାବିତ ରଚନା ଭୁଇଁରେ |
ତୁମେ ଚିନ୍ହି ପାରୁନ ବୋଧେ ତୁମ ନିଜ ହାତରେ ଚିନ୍ହିତ ତୁମର ସେ ଲଖ୍ମଣ ଗାରକୁ..! କାହିଁକି ସ୍ୱୀକାର କରିପାରୁନ ତୁମର ସେ ମନ ଗଢା ନିଜସ୍ୱ ଉପପାଦ୍ୟକୁ, ଅସ୍ବୀକାର କରିପାରିବ କି ତୁମର ସେ ସ୍ଵକୀୟ ମତବାଦକୁ ? ତୁମର ଅତି ଆପଣାର ଅସ୍ମିତାର କାଉଲକୁ..?
- କଣ ଭାବୁଛ, ପାରିବ..?
-ସେହି କାଉଲ, ଯାହାର ଯନ୍ତ୍ରଣା ପ୍ରତି ତିଳେ ହେଲେ ଭୃକ୍ଷେପ ନଥିଲା, ଭୟ ନଥିଲା, ନଥିଲା ଅନୁଶୋଚନା, ଭାଗ୍ୟ ବିରୁଦ୍ଧରେ, ଅବା ନ ଥିଲା ବିଦ୍ରୋହର ସ୍ୱର ଅଥବା ଆତ୍ମ ସମର୍ପଣ ; ଯାହାଙ୍କ ନିର୍ବିକାର ଚିତ୍ତ ଓ ଚୈତନ୍ୟରେ, ତୁମ ମାନସ ସନ୍ତାନ ପ୍ରିୟ ତମ କାଉଲ ସଦା ବିରାଜିତ |
-ତୁମର ସିନା କେବେ ବିଜୟ ପାଇଁ ନଥିଲା ପରାଜୟର ଭୟ, ଅବା କୁଣ୍ଠାବୋଧ | କେବେ ନିର୍ବିକାର, ନିରବଛିନ୍ନ ତ କେବେ ବେଥୋଭାନଙ୍କ ପରି ବଜାଇ ଚାଲିଥିଲ ନୀରବଛିନ୍ନ ଶିଥିଳ କାରୁଣ୍ୟ ଭରା ସ୍ୱରର ଫୋର୍ଥ ସିମ୍ଫୋନି ! ହୃଦୟ ଥରା କାରୁଣ୍ୟର ରାଗିଣୀ..| କେବେ ତୁମ ଜୀବନ୍ତ କଣ୍ଢେଇ ଚିତ୍ରଲେଖାର ଅନ୍ତର ତଳେ ତ, କେବେ ହାତ ଗଢ଼ା ମାଟିର ପ୍ରତିମା ଲାସ୍ୟମୟୀ ଯଶୋଧାରାଙ୍କ ଅନ୍ତରାତ୍ମାରେ, ଭିଜେଇ ଥିଲ କାରୁଣ୍ୟତମ ରସର ଶୃଙ୍ଗାର |
-କିଂତୁ ମୁଁ..?
-କାହିଁକି ତୁମେ ଏ ସମାଜର ନୀତି, ନିୟମ, ଶୃଂଙ୍ଖଳାକୁ କୁଠାରଘାତ କରି ମୋ ପ୍ରତି ତୁମ ଈପସା ଓ ନିଜରପଣକୁ ଅଜାଡି ଦେଲ ଓ ସଜେଇଦେଲ ରାତ୍ରିର 'ନିଶିଗନ୍ଧା' ବୋଲି..?
-ତୁମେ କଣ ଚାହିଁଥିଲ ଏ ରାତ୍ରୀର ରଜନୀଗନ୍ଧା କେବଳ ତୁମର ହୋଇ ରହୁ, ସମାଜର ଏଇ ପାପ ପଙ୍କିଳ ଅବବୋଧ ନେଇ |
-ନା ତୁମ ମନର ମଣିଷ ସେଇ ଅମାବାସ୍ୟାର ଚନ୍ଦ୍ର ଯେ ତୁମେ ନିଜେ, ଯିଏ ଘୁରି ବୁଲୁଥିଲ ନିଜ ଚତୁର୍ପାର୍ଶ୍ୱରେ ସବୁଦିନ ପାଇଁ,
-ନା ତୁମେ ନିଜେ ହିଁ ଆଙ୍କିଥିଲ ତୁମ ମନ ତଳ ବିଦଗ୍ଧ ଅମାବାସ୍ୟା ରାତ୍ରିର ଚିତ୍ର ତୁମ ସ୍ମୃତିର କାନଭାସରେ କଳଙ୍କିତ ଚନ୍ଦ୍ର ହୋଇ..!
-ଆଉ ମୁଁ କଣ ଥିଲି ତୁମ ଅମା ଅନ୍ଧାର ର 'ନିଶିଗନ୍ଧା'..!
-ତୁମ ଜୀବନର ଅନନ୍ତ ପାପକୁ ଅଳଙ୍କୃତ କରି, ତୁମ ନିଃସ୍ୱ, ନିଷ୍ପେସିତ ତୂଳିକାରେ ସାଜି ଥିଲି ବିଦଗ୍ଧ ବସନ୍ତର ବିଳପିତ ମୂର୍ଚ୍ଛନାର ଚିତ୍ର, ମୋ ଜୀବନର ପ୍ରତିଟି ପୃଷ୍ଠାରେ, ପ୍ରତି ସ୍ପନ୍ଦନରେ, ଭରିଦେଲ ଅଜସ୍ର ଲକ୍ଷେ ହୀରାର ପୁଣ୍ୟ ପାପ,ପ୍ଲାବିତ ଅମୃତ ଅନାୟାସରେ..!
-ତୁମେ ବୋଧେ ଜାଣିନଥିଲ ପ୍ରିୟତମ, ଯାହା ତୁମେ କହିଥିଲ କାଉଲ ମୁହଁରେ ସେଦିନ -"କଥା କହିଲେ ଅପବାଦ, ଏ ସମାଜ ତୁମକୁ ଆଖ୍ୟା ଦେବ ଏକ କକ୍ଷ ଚ୍ୟୁତ, ଲମ୍ପଟ ବୋଲି..", ଅତି ସନ୍ତର୍ପଣରେ |
- ତଥାପି ମୁଁ ଲେଖୁଛି,..
-କାରଣ.., ତୁମର ସେ ଅତଳ ସ୍ପର୍ଶୀ କଳଙ୍କ ସତ୍ତ୍ୱେ, ତୁମେ ମୋ ପାଇଁ ମର୍ଯ୍ୟାଦାବନ୍ତ ପୁରୁଷ, କଳଙ୍କିତ ଇତିହାସର, ବିତର୍କିତ ନାୟକ, କଳଙ୍କିତ ଚନ୍ଦ୍ରମା.., ଅନେକ କିଛି..|
- ବ୍ୟକ୍ତିର ପରିଧିକୁ ସମୀକ୍ଷା କରିବା ବୋଧେ ମୁଁ ପ୍ରଥମ ଥର ତୁମ ଠାରୁ ଜାଣିଥିଲି, ତୁମ ସାନ୍ନିଧ୍ୟରେ, ତୁମ ଅଵଜ୍ଞାତରେ | ତୁମ ଆଶ୍ୱାସନା ହିଁ ମତେ ଦେଉଥିଲା ଏ ସ୍ଖଳିତ ସମାଜର ବାହୁ ଛାୟା ତଳେ ବଂଚିବାର କ୍ଷୀଣ ରାହାଟିଏ | ମୋ ପରି ଚରିତ୍ର ହୀନା କୁ ଯଦି ବିନା କୌଣସି ଅନୁ ଶୋଚନାରେ ଆପଣେଇ ନେବାର ଦୁର୍ବାର ପ୍ରତିଶୃତି ଟିଏ ନେଇଥିଲ, ସେଇ ହିଁ ଥିଲା ମୋ ପାଇଁ ପରମ ସାର୍ଥକତା, ତୁମ ପ୍ରେମର ପ୍ରଥମ ସଂଜ୍ଞା ତ ମୁଁ ତୁମ ପାଖରୁ ପାଇଥିଲି ସେ ଦିନ, ତୁମେ ହିଁ ତ ଥିଲ ପ୍ରଥମ ବ୍ୟକ୍ତି ଯିଏ ମୋ ପାଇଁ ଥିଲ ସରଳ ନିଷ୍ପାପ, ହୃଦୟର ପରମ ପୁରୁଷ | ସମାଜର ତତ୍କାଳୀନ ତଥାକତୀତ ନିର୍ଦ୍ଦେଶକୁ ବେଖାତିର କରି ଯିଏ ଲକ୍ଷ୍ମଣ ରେଖା କୁ ପାର କରିବାର ହୋଇଥିଲ ଦୃଢ ପ୍ରତିଜ୍ଞ, ସେଇ ପରମ ପୁରୁଷ ଯେ ମୋ ଅତି ନିଜର କାଉଲ -ଏହା ନିଃସନ୍ଦେହ | ମୁଁ ତଥାପି ତୁମର.., ଏବେ ବି ମୁଁ ତମର, ଚିର ଦିନ ପାଇଁ.. |
-ଆଉ ସେଇ ସଂଜ୍ଞା ହିଁ ମୋ ଜୀବନର ସନ୍ତକ ହୋଇ ଆଜିବି ସେଇ ଅନ୍ଧକାରକୁ ଖୋଜି ଚାଲିଛି, ଚରମ ତୃପ୍ତି ଅପେକ୍ଷାରେ, ନିରନ୍ତର |
-ମୁଁ ଯେବେ ପଚାରି ଥିଲି, ତୁମର ଏ ଭଲ ପାଇବାର ଗୁଢ ତତ୍ତ୍ୱକୁ; ତୁମେ ହିଁ କହିଥିଲ, ଏ ସମାଜରେ ଅଙ୍ଗୁର ଖାଅ, ସ୍ଵାସ୍ତ୍ୟ ପ୍ରତି ହିତକର, ଆଉ ସେହି ଅଙ୍ଗୁରକୁ ସିଦ୍ଧ କରି ଗ୍ଲାସରେ ପିଇଲେ ଏ ସମାଜ କହିବ -ତୁମେ ଜଣେ ମଦ୍ୟପ |
-ନାରୀକୁ ଉପଭୋଗ କର, ଏ ସମାଜ କହିବ ସ୍ୱାମୀ, ଆଉ ଅତ୍ୟଧିକ ପ୍ରବୃତ୍ତିକୁ କହିବ -ଲମ୍ପଟ !
-ବାସ, ଆଉ କେବେ ପଛକୁ ଫେରିନ ତୁମେ ମୋ ପାଇଁ.. ! ହେଲେ ଆଜିବି ମୁଁ ଖୋଜି ଚାଲିଛି ମୋ ମନ ତଳେ ପ୍ରସ୍ତର ପ୍ରସ୍ତର ଯୁଗର ଜମାଟ ବନ୍ଧା କିଛି ଅସମାହିତ ପ୍ରଶ୍ନର ସୁକ୍ଷ୍ମ ଅବବୋଧ ଓ କିଛି ସନ୍ଦେହର କୁହେଳିକୁ, ଏ ଯାବତ, ଯୁଗ ଯୁଗ ପାଇଁ |
- ଆଜିବି ସେ ପ୍ରଶ୍ନ ସେମିତି ମୋ ମନ ମଧ୍ୟରେ ଗଭୀର ଆଲୋଡନ ସୃଷ୍ଟି କରୁଛି, ତୁମ ଉତ୍ତର ଅପେକ୍ଷାରେ.. !
-କହି ପାରିବ କି ହେ ପ୍ରାଣବନ୍ତ ପୁରୁଷ.. ?
-ମୁଁ ଠିକ ଜାଣି ପାରିଛି ଯେ ତୁମେ ମୋ ପ୍ରଶ୍ନର ଉତ୍ତର ଏବେ ବି ଖୋଜି ଚାଲିଛ ନିରବଧି.. | ତୁମ ପାଇଁ ସେ ଏବେ ବି ଅସମାହିତ.. ! ଖୋଜି ଚାଲିଛ କାଳରୁ କଳାନ୍ତର.., ତାର ଉତ୍ତର ତୁମ ପାଇଁ ହୋଇ ଯାଇଛି ଅସଂଖ୍ୟ ବେଦନାଯୁକ୍ତ "ଭଗ୍ନାଂଶ"..!
-କିଂତୁ ମୁଁ.. ମୁଁ ସେଇ ଅନ୍ତଃ ଜ୍ଵଳନର ଜ୍ୱଳନ୍ତ ବର୍ତ୍ତିକାଟିଏ, ତୁମ ମନ ତଳ ଅନ୍ଧାରି ମୁଲକର ଅସମାହିତ ଦ୍ଵନ୍ଦଟିଏ ହୋଇ ସାଜୁଛି ଅନେକ ଅକ୍ଷାଂଶ, ଖାସ ତୁମ ପାଇଁ, ଆଦ୍ୟରୁ -ଅଦ୍ୟାଵଧି .. !
-ଭାବୁଛି, ତୁମର ସେ ନ୍ୟାୟଯୁକ୍ତ ଅଭିଧାନ ମତେ ନିଶ୍ଚୟ ଖୋଜିବ, ତୁମ ପ୍ରଲୁବ୍ଧ ପ୍ରବୋଧନରେ.. |
- ମୋ ମନ ଗହନର ଏଇ ପ୍ରଶ୍ନ ନିଶ୍ଚୟ ପ୍ରତିଧ୍ୱନିତ୍ବ କରିବ
ତୁମ ଆନ୍ତଃରାତ୍ମାକୁ, ଚିରଦିନ ପାଇଁ.. |
ଇତି
ତୁମର ଅତି ଆପଣାର
ଅନୁନାୟିକା "ଚିତ୍ରଲେଖା"..!

