Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ABhimanyu Panda

Romance

2  

ABhimanyu Panda

Romance

ବାଜେ ଝିଅ

ବାଜେ ଝିଅ

11 mins
389



ନିଦାଘର ନିଷ୍ଠୁର ତାତିରୁ ରକ୍ଷାପାଇବାକୁ ତ୍ରାହିତ୍ରାହି ଡାକରେ ଜୀବଜଗତ । ଏଠି ଚାତକ ପରି ସମସ୍ତେ ଚାହିଁ ରହିଛନ୍ତି ନଭ ମଣ୍ଡଳକୁ ଇନ୍ଦ୍ରଦେବଙ୍କ କୃପା ବାରିକୁ । ଅଫିସରେ ଆତ୍ମୀୟ ମାନଙ୍କ ନିର୍ମାଲ୍ୟର ଅପେକ୍ଷାରେ ଝୁଲୁଥିବା ପଙ୍ଖା ମାନଙ୍କର କେଁକଟର ଶବ୍ଦ ସାଙ୍ଗକୁ ମୁଣ୍ଡରୁ ଝରିଆସୁଥିବା ସ୍ଵେଦ ଧାରା ଯାହା ସମ୍ପୂର୍ଣ୍ଣ ଦେହରେ ବୁଲିବୁଲି ବିରକ୍ତିକର ଶିହରଣ ଖେଳାଇ ମନରେ ପାଦ ପର୍ଯ୍ୟନ୍ତ ନିଜର ଯାତ୍ରାକୁ ଳମ୍ବେଇ ଦିଏ । ପ୍ରକୃତିର ଏ କୋପ ସାଙ୍ଗକୁ ଗଦା ଗଦା ଫାଇଲ !

ମୌସୁମୀ ତ ପରଦେଶରେ ଥିବା ପ୍ରିୟତମ । ଆସିବ ଆସିବ ବୋଲି ଖାଲି ତାରିଖ ଘୁଞ୍ଚିଘୁଞ୍ଚି ଯାଉଛି । ପ୍ରିୟତମ ବିହୁନେ ନିସଙ୍ଗ ନିଶିରେ କଡ଼ଲେଉଟେଇ ଭାଗ୍ୟକୁ ନିନ୍ଦିବା ପରି ମୌସୁମୀର ଅନୁପସ୍ଥିତିରେ ଅବସ୍ଥା ବି ସେଇଆ । ଗରମରେ ସିଝିସିଝି ଉପରବେଳି ଖାଇବା ଜେନତେନ ପ୍ରକାରେ ସାରି , ଅଳସ ଭାଙ୍ଗିବାକୁ ଇଚ୍ଛାଥିଲେ ବି ଫାଇଲ ଗଦାକୁ ଦେଖି ମନ ଆମ୍ବିଳା ହେଇଗଲା । ଲାଗିପାତି ଶେଷ କରିବାକୁ ହେବ କାମତକ । 

ଝରକା ଦେଇ ପସିଆସିଲା ଥଣ୍ଡା ସୁଲୁସୁଲିଆ ଦଲକାଏ । ବିନା ଅନୁମତିରେ ଛୁଇଁଗଲା କୁଆଁରୀ ଦେହକୁ ମୋର । ତାର ସେ ଛୁଆଁକୁ ମୁଁ ବି ଆନନ୍ଦରେ ଅନୁଭବକରି ମନେ ମନେ ଶିହରିତ ହୋଇ ଶୀତଳତାର ତୃପ୍ତତାକୁ ଆତ୍ମସାତ୍ କରିବାକୁ ଲାଗିଲି । ଚୋରା ଚଇତି ପରେ ନିଦାଘ ଅନ୍ତରେ ସେ ଶୀତଳ ପବନ ଧିରେ ଧିରେ ଆନମନା କରିବାକୁ ଲାଗିଲା ମୋତେ । ବସନ୍ତର ମଧ୍ୟରେ ଚୋରା ଚଇତି ମନକୁ ଆନ୍ଦୋଳିତ କରେ ନିଜ ଭିତରେ ଉଭୟେ ଉଷ୍ଣତା ଓ ଶୀତଳତାର ପରଶକୁ ସାଇତି ରଖି । 

ଆଜି ଏ ପବନ ବି ସେମିତି ଆନମନା କରୁଛି । ଉଷ୍ଣ ପରିବେଶରେ ନିଜର ଶୀତଳ ଉପସ୍ଥିତି ଜାହିର କରି । ସେ ପବନ ପ୍ରତି ମନରେ ଆସକ୍ତିଭାଵ । ପିଠିରେ ଥିବା ପଣତକୁ ସାମାନ୍ୟ ଖସେଇଦେଇ ସେ ପବନକୁ ତା ଇଚ୍ଛାମତେ ଦୁଷ୍ଟାମୀ କରିବାର ଅନୁମତି ଦେଇଦେଲି । ସେ ତ ଦୁଷ୍ଟାମୀର ସବୁ ସୀମା ପାର କରିଯିବାର ଯେମିତି ନିଷ୍ପତ୍ତି ନେଇସାରିଛି । ଉଷ୍ଣ ବାତାବରଣରେ ଥରେଇ ଯାଉଛି ଅଙ୍ଗଅଙ୍ଗକୁ । ଆଖିରେ ଭରିଯାଉଛି ମାଦକତା । କୁଆଁରୀ ଦେହରେ ଉଛୁଳା ଯୌବନ !! ବୃକ୍ଷର ପକ୍ଵଫଳ ପରି । ଖାଲି ଛିଡ଼ିଯିବାକୁ ଅପେକ୍ଷାରତ । ଏ କଣ !! 

ପବନ ସାଙ୍ଗକୁ ଝରକା ସେପାଖରେ ଘୋଟିଗଲାଣି ଅନ୍ଧାର । କଳାହାଣ୍ଡିଆ ବଉଦ ମାଳମାଳ ଭାଷିଲେଣି ନୀଳ ଆକାଶର ନୀଳ ବକ୍ଷକୁ ଲୁଚେଇ । କଳା ବଉଦିଆ ମେଘଖଣ୍ଡ ଭିତରେ ଲୁଚକାଳି ଖେଳୁଛନ୍ତି ସୂର୍ଯ୍ୟଦେଵ । ତାଙ୍କର ଉପସ୍ଥିତିଟା ଏବେ ଟିକେ ବି ଭଲ ଲାଗୁନି । ଅପେକ୍ଷା କେବଳ ଘନୀଭୂତ ବାଦଲର ରୂପାନ୍ତରଣ କୁ । କାନ ଶୁଣିବାକୁ ବ୍ୟଗ୍ର ରିମଝିମ ପ୍ରାକୃତିକ ସଙ୍ଗୀତ ଆଉ ନାସା ବ୍ୟାକୁଳ ହେଉଛି ଭିଜା ମାଟିର ବାସ୍ନାରେ ଆପ୍ୟାୟିତ ହେବାକୁ । ପ୍ରକୃତି ବି ବଞ୍ଚିବା ସଂଘର୍ଷରେ ହାରିଯିବାର ଦ୍ୱାରଦେଶରେ । ଚାରି ଆଡ଼େ ଶୁଷ୍କ ବାତାବରଣ । 

ଗ୍ରୀଷ୍ଣରେ ବିକ୍ଷିପ୍ତ ବୀଜ ସବୁ ନିଦାଘ ତାତିରେ ସଂଘର୍ଷ ବିନା ଆତ୍ମସମର୍ପଣ କରିସାରିଲେଣି । କେହିକେହି ନିଜକୁ ନଷ୍ଟ ବି କରିସାରିଲେଣି । ଅନ୍ୟମାନେ ତ ଆଶାବାଦୀ ଅଛନ୍ତି ସେଇ ପ୍ରଥମ ଶୀତଳ ବୁନ୍ଦାକୁ , ଯାହାର ସ୍ପର୍ଶ ପାଇବା ମାତ୍ରେ ବିସ୍ତାରିବେ ନିଜର କାୟା । ଉପସ୍ଥିତ ହେବେ ନିଜ ନିଜର ରୂପାନ୍ତରିତ ଅବସ୍ଥାରେ ଧରା ଆଚ୍ଛାଦିତ କରି । ମାଟି ଠାଏଠାଏ ଫାଟି ଆଁ କରିଛି । ତାର ଅତଳ ଗର୍ଭରେ ଅପୁରଣୀୟ ତୃଷା ମେଣ୍ଟରେ ଅପେକ୍ଷାରତ ସୁଦୂର ଗଗନର କିଞ୍ଚିତ କୃପା ବର୍ଷାକୁ । ଜୀବନ ସଂଗ୍ରାମରେ ଜଳଚର ମାନେ ପାତାଳାଭିମୁଖୀ । ଭୂପୃଷ୍ଠରେ ପୁନଃ ଜୀବନ ଧାରଣକୁ ଉତ୍କଣ୍ଠିତ ଆଉ ବ୍ୟଗ୍ର ସେମାନେ । 

ପବନର ବେଗ ଧିରେ ଧିରେ ଝରକା କବାଟକୁ ଦୋହଲେଇବାରେ ଲାଗିଲା । ଛାଇ ଆଲୁଅର ଖେଳ ଆରମ୍ଭ ହେଇଗଲା କୋଠରୀ ଭିତରେ । ଟିପଟିପ ଶବ୍ଦ ଭାଷିଆସିଲା ଝରକାର ବାହାରୁ । ଖାଲି କର୍ମଚାରୀ ମାନେ ନୁହଁନ୍ତି ଆସିଥିବା ଆଗନ୍ତୁକମାନଙ୍କ ଆଖିରେ ବାରି ହେଇପଡ଼ିଲା ସନ୍ତୋଷର ଭାବ । ପରିବେଶ ସହିତ କାମ କରିବାର ଗତି ବି ଶୀତଳ ହେଇଗଲା । ପବନ କିନ୍ତୁ ମୋ ଠାରୁ ପାଇଥିବା ଅନୁମତିର ଦୁର୍ବ୍ୟବହାର କରିବାକୁ ପଛାଉନଥିଲା । ନିଜେ ତ ଅତର୍କିତ ଭାବେ ମୋତେ ଏଠିସେଠି ଛୁଉଁଥିଲା ଏବେତ ସାଙ୍ଗରେ ସେ ପହିଲି ବର୍ଷାକୁ ଛୁଆଁଇ ଦେଉଛି ଦେହରେ ମୋର । କାମରେ ଆଉ ମନ ଲାଗୁନି । ଇଛାହେଉଛି ଧାଇଁଯିବି ବାହାରକୁ , ବର୍ଷା ମୋତେ ଛୁଇଁବା ପୂର୍ବରୁ ମୁଁ ତାକୁ ଛୁଇଁଯିବି । ତାର ପ୍ରତିଟି ବୁନ୍ଦାକୁ ମୋ ହାତ ମୁଠାରେ ଧରି ତିଆରି କରିବି ପ୍ରିତୀର ପ୍ରାଚୀରଟିଏ । 

ସମୟ ବଢ଼ିବଢ଼ି ଯାଉଛି । ବାହାର ଆଲୋକ ସେତିକି ମଳିନ ପଡ଼ିପଡ଼ି ଯାଉଛି । ଅଫିସରୁ ଆଗନ୍ତୁକ ମାନେ ଚାଲିଗଲେଣି ନିଜନିଜର ବାସକୁ । କେବଳ କେତେଜଣ ସହକର୍ମୀ ଅପେକ୍ଷା କରିଛନ୍ତି ବର୍ଷାରାଣୀର ପହିଲି ସଙ୍ଗୀତମୟ ନୃତ୍ୟର ସାମାନ୍ୟ ବ୍ୟବଧାନକୁ । ବର୍ଷାରାଣୀ ଉନ୍ମତ୍ତ ନୃତ୍ୟରୁ ସାମାନ୍ୟ ବିରତି ନେଲେ ସେମାନେ ବି ନିଜନିଜର ଘରକୁ ଫେରିବାର ଅପେକ୍ଷାରେ । ବୟସ୍କ ସୋମନାଥ ବାବୁ ତ କେତେବେଳୁ ବାହାରି ଗଲେଣି ଅଫିସରୁ । ବୟସ୍କ ଅନୁଭବୀ ମଣିଷ ,ଚାରିଆଡ଼କୁ ନଜର ତାଙ୍କର , କି ଖରା କି ବର୍ଷା ସାଙ୍ଗରେ ସବୁବେଳେ ତାଙ୍କର ଛତା ଥାଏ । କେଇଟା ଦିନରେ ଅବସର ନେବେ ସମ୍ପୂର୍ଣ୍ଣ ଯୌବନ ତାଙ୍କର ଏଇ ଅଫିସର କୋଠରୀର ଚାରିକାନ୍ଥ ଭିତରେ କଟିଛି । ଆଉ ଆମର ସେ ଦିଦି ବି ତାଙ୍କରି ସାଙ୍ଗରେ ଛତାରେ ପାର ହେଇଗଲେ । ବର୍ଷାର ମଉଜ ନେବାପାଇଁ ଘରେ ଗରମାଗରମ ପକୁଡ଼ି ତିଆରିବେ କହି । 

ମୋଟର ସାଇକେଲ ଧରି ସେ ରସିକିଆ ନୂଆ ଟୋକା ଖଣ୍ଡିକ ବି ଆଗଭର ହେଇ ବାହାରିଗଲାଣି । ଡାକୁଥିଲା ଗାଡ଼ିରେ ବସେଇ ଛାଡ଼ିଦେଵ ବୋଲି । ତାର ହାବଭାଵ ଭଲଲାଗେନି ମୋତେ ତାପରେ ଆଜିକାଲିକା ଟୋକା ଏଣେ ନୂଆ ଚାକିରୀ କରିଛି । 

ଏ ବର୍ଷାଟା ଆରମ୍ଭରୁ ତାଣ୍ଡବ କଲାଣି । ଟିକେ ଛାଡ଼ିଗଲେ ହୁଅନ୍ତାନି !? କହିବାକୁ ଗଲେ ମୋର ବି ଭାରି ଇଚ୍ଛା ହଉଛି ଭିଜିବାକୁ ହେଲେ ନିଜର ଭିଜା ଦେହକୁ ଦେଖିଲେ ମୋ ନିଜର ବି ନିଜ ଉପରେ ଈର୍ଷା ହୁଏ । ଝରକା ପାଖରେ ବସି ଅଧା ଭିଜିସାରିଲିଣି । ଟିକେ ଛାଡିଯାଆନ୍ତା ଭଲା । ଅଧଘଣ୍ଟାର ପାଦଚଲା ରାସ୍ତା ମୋର ଘରକୁ । ନା ..... ନା ଆଉ ବସିରହି ଲାଭନାହିଁ । ଏ ବର୍ଷା ବି ଆଜି ସହଜରେ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ । ଦାଉ ସାଧୁଛି ମୋ ସାଥିରେ ।

ବାହାରକୁ ଆସି ଛାତରୁ ଝରଝର ଝରି ପଡ଼ୁଥିବା ବାରିଧାରାକୁ ଦେଖି ନାଚି ଉଠିଲା ମନମୋର । ବଢ଼େଇଦେଲି ପାଦ ଆଗକୁ । ମୁକ୍ତ ଆକାଶକୁ ଆଚ୍ଛାଦିତ କରି ରଖିଥିବା ମେଘ ତଳେ ଭିଜିବାକୁ ସମର୍ପିତ କରିଦେଲି ନିଜକୁ । ଟିପିଟିପି ବର୍ଷାଜଳର ସ୍ପର୍ଶରେ ଶିହରି ଉଠିଲା ମନମୋର । ବର୍ଷାରାଣୀର ଉନ୍ମତ୍ତ ନୃତ୍ୟର ତାଳେ ମୋ କୁଆଁରୀ ମନର ସ୍ୱପ୍ନସବୁ ଆଖି ଆଗକୁ ଆସି ନାନାଭଙ୍ଗୀରେ ନାଚିବାକୁ ଲାଗିଲେ । କେତେରଙ୍ଗର ସ୍ୱପ୍ନ ହେଲେ ସେ ସ୍ବପ୍ନରେ ନାୟକ ମାନେ ଅସ୍ଥିର ଆଉ କ୍ଷଣିକ ପହିଲି ବର୍ଷାର ଶୀତଳଧାରା ମୋ ଦେହରେ ପଡ଼ିବା ମାତ୍ରେ ନିଜର ଗୁଣ ପରିବର୍ତ୍ତନ କରି ଉଷ୍ଣତାରେ ପରିବର୍ତ୍ତିତ ହେଇ ଯାଉଛି । ଆଦ୍ୟ ଯୌବନରୁ ଆଜିଯାଏ କେତେକେତେ ଆକର୍ଷଣୀୟ ମୁହଁ ସବୁ ଆଖି ଆଗକୁ ଆସୁଛନ୍ତି । 

ମୟୂରୀ ଜିମୁତ ଦର୍ଶନେ ବିହ୍ଵଳିତ ହେଲାପରି ମୋ ମନର ମୟୂରୀ ବି ପ୍ରୀତି ଉଷ୍ଣତାର ସ୍ପର୍ଶକୁ ପ୍ରବଳରୁ ପ୍ରବଳ ଖୋଜି ହେଉଛି । ଏଇ ଗଲା ଚଇତିର କଥା ସାନଭାଇ ପରା ଭାଙ୍ଗିଦେଲା ବାହାଘର । ସେ ପୁଅକୁ ମୁଁ ବାହା ହେଇଥିଲେ କାଳେ ଆମ ଯୋଡ଼ି ମାନି ନଥାନ୍ତା । ଆଜି ଏଇ ବର୍ଷାରେ ହାତଧରି ଭିଜିଭିଜି ଯାଇଥାନ୍ତି ।

କେତେ ବସନ୍ତ ଏମିତି ଚାଲିଗଲାଣି ନିଶି ବୀଜନ କରି । ପ୍ରଣୟ ଲଳସାକୁ ମନରେ ଚାପି ରଖି କେହିଜଣେ ଅଚିହ୍ନାକୁ ଅପେକ୍ଷା କରି । ସ୍ୱପ୍ନରେ କେତେକେତେ ପ୍ରଣୟ ରଚିଛି ଏମିତି ବିନା ସ୍ପର୍ଶର ଶିହରଣରେ , ବିନା ବର୍ଣ୍ଣର ବିନା ସାକାର ଦେହର ଉପସ୍ଥିତିରେ । ଦେହରେ ଲାଗି ଯାଇଥିବା ଏ ଭିଜା ଶାଢ଼ୀ ଚାଲିବାର ଗତିକୁ ମୋର ମନ୍ଥର କରୁଛି । ବୋଧହୁଏ ମୁଁ ଜାଣିଶୁଣି ଧିରେ ଚାଲୁଛି । କେହିତ ଏମିତି ନାହାଁନ୍ତି ଯିଏ ରାସ୍ତାରେ ଯିବାବେଳେ ମୋର ଏ ଯୌବନ ପୂର୍ଣ୍ଣା ଅସଜଡ଼ା ଦେହକୁ ବୁଲି ଚାହୁଁ ନାହାଁନ୍ତି ? 

ମୁଁ ଶ୍ୟାମଳୀ ବୋଲି ସେ ଗୋରା ଟୋକା ମୋତେ ଅପସନ୍ଦ କରିଥିଲା ବାହା ହବାକୁ । ଶଳା ମୋତେ ବାଛିବ ? ଏ ଖଣ୍ଡ ମଣ୍ଡଳରେ ମୋ ଭଳି ସୁନ୍ଦରୀ କେହି ଅଛନ୍ତି ? ତା ଆଖି ଫୁଟିଯାଇଛି । ଅପାଣିଆ ସୁନାରଙ୍ଗର ଦେହରେ ଏ ଭରାଭରା ଯୌବନ । ତାର ଭୋଗ ନଥିଲା ସତରେ । ଯାହାବି ହଉ ପିଲାଟା ବଡ଼ ହ୍ୟାଣ୍ଡସମ ଥିଲା । ମୁଁ କଣ କମକି !? ଯାଇଛି ତ ଯାଉ । ଆଉ କଣ ସୁନ୍ଦର ନାହାଁନ୍ତି ଏ ସୃଷ୍ଟିରେ ? 

ସେ ମଧୁଆ ଜେଜେ କେମିତି ଗମାତ ରେ କହେ ମୋତେ , ଆଲୋ ଆଖି ଦିଟା ତ ଏମିତି ପାଇଛୁ ଥରେ ନଚେଇଲେ ଟୋକାଙ୍କ ଲମ୍ବା ଲାଇନ ଲାଗିଯିବ ,ତୋର ପୁଣି ଏମିତି ବାହାଘର ଭାଙ୍ଗୁଛି କଣ ଲୋ ? ହଉ ବା କେହି ବାହା ନହେଲେ ମୁଁ ଅଛି ପରା ତୋ ପାଇଁ ।


 ଡହରା ବୁଢ଼ା ପାଟିରେ ଗୋଟିଏ ଦାନ୍ତ ନାହିଁ ବନିଲା ଫଳର ଲୋଭ ଛାଡିପାରୁନୁ ନାଇଁ ? 


ଏମିତି କେତେ ଗେଲ ଗମାତ ହୁଏ , ହେଲେ ଭାରି ଭଲ ଲୋକଟି । ଯେବେ କେବେ ମୁଁ ଟିକେ ଲାଗିଦିଏ ସାଙ୍ଗେ ସାଙ୍ଗେ....


ଆରେ ଏ ମାରେ କାଇଁ ଏ ବୁଢ଼ାଟା ସାଙ୍ଗରେ ଲାଗୁଛୁ କହିଲୁ !? ଦେଖିବୁ ଦେଖିବୁ ରାଜ କୁମାର ଆସିବ ତୋ ପାଇଁ, ଏ ଖଣ୍ଡମଣ୍ଡଳରେ ଏମିତିଆ ବର କେହି ପାଇନଥିବେ ଯେମିତି ତୁ ପାଇବୁ । ଆରେ ତୁ ପରା ଲକ୍ଷ୍ମୀ ଠାକୁରାଣୀ ତୋ ଚାଲି ପରା ବାରିହେଇ ପଡ଼ୁଛି । କେତେ ଧିରସ୍ଥିର କଥା ତୋର କୋଇଲି ତ ଯେମିତି ତୋ ପାଖରୁ ମଧୁର ସ୍ୱର ଉଧାର ନେଇଛି । ଆଉ ତୋପରି ଝିଅଟିଏ ଯାହାର ସ୍ତ୍ରୀ ହେବ ସେ କୋଟି ତପସ୍ୟା କରିଥିବ । ମନେମନେ ଖୁସିହୁଏ । 

କେବେ ସେ ତପସ୍ୱୀ ଆସିବ ଯାହାର ପ୍ରାପ୍ତି ମୁଁ । ସ୍ନାନପରେ ନିଜକୁ କେତେଥର ଦେଖିଛି । ନିଜର ରୂପ ଯୌବନ ଉପରେ ଆସିଛି ଅଭିମାନ । ଭିଜା କେଶରୁ ଝରୁଥିବା ଜଳବୁନ୍ଦା ଦେହରେ ପଡ଼ିଲେ ଶିତେଇ ଉଠେ ଦେହମୋର । 

ଆଜି ତ ବର୍ଷାରେ ଭିଜିଲା ପରେ ମନ ଆନମନା ହେଇ ପଡ଼ୁଛି । ମର୍ଯ୍ୟାଦା ଲାଗୁଛି ବୈରୀ ପରି । ଲଜ୍ଜା ଫିଙ୍ଗିଦେବାକୁ ଇଚ୍ଛା ହେଉଛି । କାହାକୁ ଜଣକୁ ସାଥିଭାବେ ବାଛି ନେବାକୁ ମନ ମୋର ଉଚ୍ଛନ୍ନ ହେଇଯାଉଛି । ସେ ରସିକିଆ ସହକର୍ମୀ ମଦୁଆ ହେଲେ ବି ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ । ତା ଆଖିର ଚମକ ପ୍ରତି ତ ନୀତି ଆକର୍ଷିତ ହେଇପଡ଼େ ମୁଁ । ହେଲେ ଏ ସଂସାର ହାଟରେ ଜୀବନ ସଉଦା କରାଯାଏ ସବୁଦିନ ପାଇଁ । ମନରେ ଆସୁଥିବା ଏ ଅହେତୁକ ଆଉ ସ୍ୱାଭାବିକ ଭାବନାକୁ କଣ ବାଡ଼ବତା ଦେବି ?! ଦେହର ଜ୍ବାଳା ଏମିତି ଯେ ମନ , ମସ୍ତିଷ୍କ , ଦେହ ଏକ ସମାନ୍ତରାଳରେ କେବଳ ଖୋଜିହୁଏ ସାଥିଟିଏ । ଖୋଜେ ତା ଶକ୍ତ ବାହୁ ବନ୍ଧନର ବନ୍ଦୀଶାଳା । ସେ କାରାଗୃହରେ ନିଜକୁ ହଜାଇ , ନିଜର ଅସ୍ଥିତ୍ୱ ହରାଇ ଏକ ହେଇଯିବାର ଦୁର୍ବାର ଇଚ୍ଛା ମାଡ଼ିବସେ ମନକୁ । 

ମଥାରେ ପଡ଼ୁଥିବା ବର୍ଷା ଟୋପା ଦେହକୁ ଛୁଇଁ ଯେତେ ତଳକୁ ତଳକୁ ଯାଉଛି ମନ ମୋର ସେତେ ଚଞ୍ଚଳ ହେଉଛି । ଆସନ୍ତାକି ସେ ରସିକିଆ ? ପୁଣିଥରେ କୁହନ୍ତାକି ଆସ ତୁମକୁ ଘରେ ଛାଡି ଆସିବି ? ତା ଗାଡ଼ିରେ ବସିବା ବାହାନାରେ ମୋ ଦେହର ତାତିକୁ ଅଜାଡ଼ି ଦିଅନ୍ତି ତା ଉପରେ । ପ୍ରଶ୍ୱାସ ର ପ୍ରଖରତାରେ ବ୍ୟତିବ୍ୟସ୍ତ କରିଦିଅନ୍ତି ତାକୁ । କିଛି ଅଘଟଣକୁ ନିମନ୍ତ୍ରଣ କରନ୍ତି ମୁଁ । ଭାବନ୍ତିନି ଆଗପଛ , ଭଲମନ୍ଦ ର ବିଚାରକୁ ଆଖି ବୁଜି ଦିଅନ୍ତି । 


ହେଲେ ସେ ଟୋକା କଣ କମ କି ?


ଆଉ ଗୋଟେ କାହାକୁ କଥା ଦେଇଛି ବାହା ହେବ ବୋଲି । ଆଣିଥିଲା ଅଫିସକୁ ଭେଟ କରେଇଥିଲା ସମସ୍ତଙ୍କ ସହିତ । ସେ ମୋର କେହିନୁହେଁ । ମୋ ମନରେ ତାର କୌଣସି ସ୍ଥାନ ନାହିଁ । ତଥାପି ତାକୁ ଦେଖି ସେଦିନ ଈର୍ଷ୍ୟାନ୍ବିତ ହୋଇପଡ଼ିଥିଲି ମୁଁ । ଏଇଟା ବୋଧହୁଏ ମୋର ନିସଙ୍ଗତାରୁ ଆସିଛି । ମୋ ଏକାକୀ ପଣର ପ୍ରତିଫଳନ ସେଦିନର ମୋର ସେ ଈର୍ଷା । 

ପାଦର ଗତି ଆହୁରି ମନ୍ଦ ହେଉଛି ମୋର । ଓଦା ଜୁଡୁବୁଡ଼ୁ ଶାଢ଼ୀଟା ଛନ୍ଦି ହେଇ ଯାଉଛି ବୋଧେ ? ଯାଉ ଛନ୍ଦି ହେଇ । ମନରେ ମୋର ପ୍ରୀତିଛନ୍ଦର କୋଠରୀ ଖାଲି ପଡ଼ିଛି । ବର୍ଷାରେ ଭିଜୁଛି ମୋର ଦେହଟା । ଶୁଷ୍କ ମନମୋର ଏବେବି ସେ ପ୍ରୀତିରସ ଆସ୍ଵାଦନକୁ ଅପେକ୍ଷା କରିଛି ସୁଯୋଗ କଣ ଆସିନଥିଲା କି ? ଅନେକ ଆସିଥିଲା । ସେ କଲେଜ ସମୟର ମୋର ବନ୍ଧୁ । କେଡ଼େ ଚିକିଣିଆ ସତରେ ପିଲାଟା । ଆଣ୍ଠେଇ ପଡ଼ି କହିଲା ମୋତେ ଭଲ ପାଉଛି ବୋଲି । କେଜାଣି କି ଭୂତ ସବାର ଥିଲା ସେତେବେଳେ ମୋ ମୁଣ୍ଡରେ ଶକ୍ତ ଚଟକଣା ଟେ ତା ଗାଲକୁ ଦେଇ ନିଜେ ଭଲେଇ ହେଇଗଲି । ସେ ବି କମ ଜିଦିଆ ନୁହେଁ । ମୋରି ଆଗରେ , ମୋତେ ଜଣେଇଲା ପରି ପାଞ୍ଚ ପାଞ୍ଚଟା ଙ୍କୁ ଭଲ ପାଇଲା । ମନରେ ମୋର ଦୁର୍ବଳତା ଆସେନି ତା ପ୍ରତି । 

ହେଲେ ସ୍ୱପ୍ନରେ ତାକୁ ଖୋଲା ଛାଡ଼ିଦିଏ ମୋ ସହିତ ଦୁଷ୍ଟାମୀ କରିବାକୁ । ସେ ଦୁଷ୍ଟାମୀ ସବୁ ମୋ ଇଙ୍ଗିତରେ ମୋ ଇଚ୍ଛାମତେ ହୁଏ । ଏତେ ଅଧିର କରେଯେ ସେ ମୋତେ ନିସ୍ତେଜ ହେଇପଡ଼େ ମୁଁ । ସ୍ୱପ୍ନରେ ଦେହର ମିଳନର ବାସ୍ନା ସ୍ୱପ୍ନପରେ ବି କୋଠରୀ ଭିତରେ ଅନୁଭବ କରେ । ଅନିଦ୍ରାରେ କଟିଯାଏ ରାତିଟା । ହେଲେ ରାତି ପାହୁପାହୁ ମନକୁ ପୁଣି ବାନ୍ଧିଦିଏ ଶାଳୀନତାର ରଜ୍ଜୁରେ । ପୁଣି ସାମାନ୍ୟ ଦିନଚର୍ଚା । 

ଆଜିକାଲି ଏ ଫୋନ ଆଉ ଇଣ୍ଟରନେଟ ଆସିବାପରେ ତ ବିନା ମାଦକ ଦ୍ରବ୍ୟ ସେବନରେ ପାଦ ଟଳମଳ । ଯାହା ଦେଖିବାର ଇଚ୍ଛା , ଯାହା ପାଇବାର ଇଚ୍ଛା ଗୋଟିଏ ଦୁଇଟି ଛୁଆଁରେ ଆଖି ସାମ୍ନାରେ । ଇଚ୍ଛା ନଥିଲେବି ନିରୋଳାରେ ମନ ଟାଣି ହେଇଯାଏ ଅଶ୍ଳୀଳତା ଆଡ଼କୁ । ଅଳସ ଭରିଯାଏ ଅବସ ଦେହରେ । କାମାସକ୍ତ ହେଇଯାଏ ମନ । ସବୁ ତୁଚ୍ଛ ଲାଗେ ସେ ସୁଖବିନା । ମନ ଡେଇଁଯାଏ ବିନା ଡେଣାରେ ଦୂର ଦିଗନ୍ତରେ ସ୍ୱପ୍ନ ସାଉଁଟିବାକୁ । ନିଜକୁ ନିଜେ କଷ୍ଟଦେଇ ପୁଣି ଫେରିଆସେ ପୁନର୍ବାର ସେ ଭୁଲର ପୁନରାବୃତ୍ତି ନହେବାର ଆଶ୍ୱାସନା ନିଜକୁ ଦେଇ । 

ଆଗମନରୁ ଏଯାଏ ମନକୁ ଆନନ୍ଦିତ ଆଉ ରୋମାଞ୍ଚୀତ କରୁଥିବା ଏ ବର୍ଷା ଏବେ ଥରେଇ ଦେଉଛି ଦେହକୁ ମୋର । କମ୍ପନ ସୃଷ୍ଟି ହେଉଛି ରସାଳ ଓଠରେ ମୋର । ମୋ ସମବୟସ୍କା ସାଙ୍ଗମାନେ କୁହନ୍ତି ରଙ୍ଗରେ ସିନା ଟିକେ ମଳିନ ମୁଁ ହେଲେ ଅନନ୍ୟା ସୁନ୍ଦରୀ । ମରାଳ କଟି ଦୋହଲେଇ ଯେତେବେଳେ ଢଳିଢଳି ଚାଲେ ସେତେବେଳେ କାଳେ ପୁଅମାନେ ଚୋରା ଚାହାଣୀରେ ଲୁଚିଲୁଚି ଦେଖନ୍ତି ମୋତେ । କଣ ସେ ଦେଖିବାରେ ମୂଲ୍ୟ ଏବେ !? ସେ ମିତା କହେ ଆଲୋ ଏ ସୁମି ମୁଁ ଯଦି ପୁଅଟେ ହେଇଥାନ୍ତି ଉଠେଇ ନେଇଥାନ୍ତି ତୋତେ । ସେଇମାନଙ୍କ ପାଇଁ କେବଳ ସେଇମାନଙ୍କ ପାଇଁ ଆଜି ମୁଁ ଏକାକିନୀ । ବେଶି ଟିକେ ଫୁଲେଇ ହେଇଗଲି ମୁଁ , ସେମାନଙ୍କ କଥାରେ ଭଳିଗଲି ମୁଁ । ଆଡ଼ ଆଖିରେ ବି ଚାହିଁଲିନି କୌଣସି ପୁଅଙ୍କୁ । ଅପେକ୍ଷା କରି ରହିଲି ମୋ ରୂପ ସୌନ୍ଦର୍ଯ୍ୟର ସମକକ୍ଷ କାଳ୍ପନିକ ରାଜକୁମାରର ଆସିବାକୁ । ଯେଉଁ ଅପେକ୍ଷା ଏବେ ବ୍ୟଥିତ କରୁଛି ମନକୁ ମୋର । 

ପିଲାବେଳର ସେ ରାଜାରାଣୀ ଖେଳର ରାଣୀ ହେବାକୁ ବାରମ୍ବାର ଇଚ୍ଛା ଜାଗ୍ରତ ମନରେ । କାହାକୁ କହିବି ଏ ଛାତି ତଳର କଥା । ଆଖିଦେଖି କାଳେ ଅନେକେ ମନ ଜାଣିପାରନ୍ତି । ମୋ ଆଖି ପଢ଼ିବାର ଆଖି କଣ ଏଯାଏ ମିଶିନି ଆଖିରେ ମୋର !!? ନାଇଁ ମିଶିଛି ଅନେକ । ମୋର ଶାଳୀନତାର ଶକ୍ତ ଆଉ ଲୋକଦେଖାଣିଆ ଆବରଣକୁ କାଟି ତା ସେପାଖରେ ଥିବା କଅଁଳ କୁଆଁରୀ ମନର ଅକୁହା ଅଦେଖା ବେଦନାକୁ ବୁଝିବାର ସାହାସକୁ ମୁଁ ନିଜେ ପ୍ରତିହତ କରିଛି । 

ସବୁଦିନ ଯିବା ଆସିବାରେ ସେ ପାନ ଦେକାନୀ ଅଧା ମିଣିପିଟା କେତେ କଣ କହେ । ସବୁ ଶୁଣେ ମୁଁ । ତା ପାନରୁ ଚୂନ ଖସିଯାଏ କାଳେ ମୋତେ ଦେଖିଲେ । ଏକାନ୍ତରେ ତ ସେ ଦରବୁଢ଼ା କଥା ଭାବି କେତେ ହସିଛି ।  

ଟିକିଏ ପୂର୍ବରୁ ମିତ ସାଜିଥିବା ଏ ବର୍ଷା ଏବେ ଦାଉ ସାଧିଲାଣି ମୋ ଉପରେ । ପାଦ ଅଟକାଇ ଦେଉଛି ମୋର । ଛନ୍ଦି ହେଉଛି ପାଦ ଉପରେ ପାଦ । ଦେହର ଉଷ୍ଣତା ଘନୀଭୂତ ହେବା ଆରମ୍ଭ କଲାଣି । ଧୈର୍ଯ୍ୟର ବନ୍ଧ ବାସ ଭାଙ୍ଗିଯିବା ଉପରେ । ଆସନ୍ତାକି ସେ କଲେଜ ବେଳର ସାଥି ମୋର । ସରୁ ମରାଳ କଟୀରେ ହାତ ରଖି ଭିଡିନିଅନ୍ତାକି ନିଜ ଆଡ଼କୁ ମୋତେ !!? ଓଦା ସରସର ଶାଢ଼ୀରେ ଲୁଚୁନଥିବା ଏ ଯୌବନକୁ ତୋଳି ଧରନ୍ତାକି ଥରେ । 

ଆସନ୍ତାକି ସେ ରସିକିଆ ସହକର୍ମୀ !! ତାର ଶକ୍ତ ବାହୁରେ ସମର୍ପିଦିଅନ୍ତି ନିଜକୁ । ଥରୁଥିବା ଓଠରୁ ପ୍ରୀତି ମହୁଲି ପାନ କରେଇ ମତୁଆଲା କରିଦିଅନ୍ତି ତାକୁ । ଲଗେଇ ଦିଅନ୍ତି ଦେହରେ ଦେହ । ତା ହାତଧରି ନାଚି ଉଠନ୍ତି ତାଲିମପ୍ରାପ୍ତ ନର୍ତ୍ତକୀ ପରି ଏ ବର୍ଷା ସଙ୍ଗୀତର ତାଳେତାଳେ । ଫୁଲେଇ ବର୍ଷା ସହିତ ପ୍ରତିଯୋଗିତା କରନ୍ତି ନୃତ୍ୟରେ । 

ନଚେତ ସେ ଦରବୁଢ଼ା ପାନ ଦୋକାନୀ ଆସନ୍ତାକି । ମୋ ହାତଧରି ନିବେଦନ କରନ୍ତା ତା ଅନ୍ତର କଥାକୁ । ଅଳ୍ପ ଅଭିମାନ କରି ତାର ଆଲିଙ୍ଗନବଦ୍ଧ ହୁଅନ୍ତି । ନିଜକୁ ହରେଇବାର ଶେଷସୀମାକୁ ସ୍ପର୍ଶ କରନ୍ତି । ଏମିତି ମଜ୍ଜିଯାନ୍ତି ଯେ ସ୍ୱୟଂ ରତୀଦେବୀ ଆଶ୍ଚର୍ଯ୍ୟ ଚକିତ ହେଇଯାନ୍ତେ । ସ୍ୱର୍ଗର ଅପ୍ସରୀ ମାନେ ମଧ୍ୟ ଲାଜେଇ ଯାଆନ୍ତେ ମୋର ଅଲାଜୁକୀ କାର୍ଯ୍ୟକଳାପରେ । 

ଆଜିର ଏ ପହିଲି ବର୍ଷାଟା ମନକୁ ମୋର ଅଣଆୟତ୍ତ କରି ସାରିଲାଣି । ମୋ ଭିତରେ ଏବେ ମୋ ପରିବର୍ତ୍ତେ ଉପସ୍ଥିତ ଗୋଟେ ଅଶାନ୍ତ କୁଆଁରୀ ଝିଅ । ସେ ଝିଅର ଭୟନାହିଁ ସମାଜକୁ , ଆବଶ୍ୟକ ନାହିଁ ତାକୁ ଲଜ୍ଜାର ଆବରଣ ତଳେ ମନକୁ ଘୋଡେ଼ଇ ରଖିବାକୁ , ମୁକ୍ତ ସେ ସୂକ୍ଷ୍ମ ଶରୀରରେ । ଭାବନାତ୍ମକ ଦେହର ଏକ ଅବୟବ ରୂପ ସେ । ସେ ତା ଇଚ୍ଛାମତେ ନାଚିପାରିବ , ଗାଇପାରିବ , ହସି ପାରିବ ,କାନ୍ଦି ପାରିବ ବି । ସମସ୍ତ ବାଧାବିଘ୍ନ ର ଉର୍ଦ୍ଧ୍ବ ରେ ତାର ଅସ୍ଥିତ୍ୱ । ହେଇ ଏବେତ ନାଚୁଛି ଉଦଣ୍ଡରେ , ଗାଉଛି ଗୁଣୁଗୁଣୁ ହେଇ , ତା ସାଙ୍ଗକୁ ଖିଲିଖିଲି ହସ ଚାରିଆଡ଼େ ଭରିଦେଉଛି ମାଦକତାର ମୂର୍ଚ୍ଛନା । 


ଆଲୋ ଏ ସୁମି , ଏ ଏ ଅଲାଜୁକୀ , ଦେଖିନି ସେ ପୋଡାମୁହିଁକି !!? ଆଲୋ ଏମିତି ଓଦା ଜୁଡୁବୁଡ଼ୁ କଞ୍ଚା ଦେହଟାର ପ୍ରଦର୍ଶନୀ କଣ ଲଗେଇଛୁ ଏମିତି ? 


ଇତସ୍ତତଃ ହେଇ ପଣତ ସଜାଡୁ ସଜାଡୁ ମଧୁଆ ଜେଜର କଣ୍ଠ ଆଡ଼କୁ ଆଖି ଲମ୍ବଇଦେଲି । ବୁଢ଼ା ପିଣ୍ଡାରେ ବସି ହାତଠାରି ଡାକୁଛି । ଏଭିତରେ ମୁଁ ମୋ ଗାଁରେ ପହଞ୍ଚି ସାରିଲିଣି । ଆଲୋ ହେ ଉଠିଆ ପିଣ୍ଡା ଉପରକୁ । ଟିକେ ରହିଯାଇଥିଲେ ହେଇନଥାନ୍ତା !? ବର୍ଷା ଛାଡ଼ିଥିଲେ ଆସିଥାନ୍ତୁ । 

ଜେଜେ କେତେ ଜୋରରେ ବର୍ଷା ହେଉଛି ଦେଖିପାରୁଛତ !? ଏ ବର୍ଷା ସହଜରେ ଛାଡ଼ିବ କହିଲ ? ଅପେକ୍ଷା କରିକରି ଆସିବାକୁ ବାଧ୍ୟହେଲି । 


ତମେ ଏମିତି ଆଁ ଟା କରି ଚାହିଁଛ କାହିଁକି ଯେ ମୋତେ !? 


ଚୁପ ପୋଡ଼ାମୁହିଁ ତୋତେ କାହିଁକି ଚାହିଁବି ମୁଁ !? ଅଲାଜୁକୀ ଏ ତୋର ଅସଜଡ଼ା ବର୍ଷାଭିଜା ଦେହକୁ ଦେଖିଲେ କଣ କିଛି ପ୍ରତିକ୍ରିୟା ପ୍ରକାଶ ପାଇବକି ଭାବିଛୁ ମୋ ଠାରେ !? ଆଲୋ ଜାଣିଛୁ ସେ ଯେଉଁ ଗୋରା ଚିକଣିଆ ହ୍ୟାଣ୍ଡସମ ଟୋକା ତୋତେ .....


 କୁହନି ଜେଜେ ତା ନାଁ ଧରନି କହୁଛି ମୋ ଆଗରେ । 


ଆଲୋ ଏତେ ଫୁଲେଇ ହେଉଛୁ କଣ ପାଇଁ ଯେ ? ଶୁଣୁ ଆଗ ମୋ କଥା । ସେ ଟୋକା ସକାଳୁ ତା ମାମୁକୁ ଧରି ଆସି ବସିଛି ତମ ଘରେ । ଏକା ଜିଦି ସେ ତୋତେହିଁ ବାହା ହବ । ତୋତେ ଯାହା ଅପେକ୍ଷା । ଆଉ ତୁ ଯଦି ଏମିତି ଅବସ୍ଥାରେ ତା ଆଖି ଆଗକୁ ଆସିବୁ ସେ ଆଉ ବାହାଘର ପର୍ଯ୍ୟନ୍ତ ଅପେକ୍ଷା କରିବନି ମ । ଆଗ ଚଉଠି କରିଦେବ ।


ମୋ ଭିତରର ଅଲାଜୁକୀ ଝିଅଟି ଧିରେଧିରେ ତା ସତ୍ତା ହଜେଇ ବସୁଛି । ଗୋଟେ ଲାଜୁଆ ଲଳନା ଅକ୍ତିୟାର କରିନେଉଛି ତା ଅସ୍ଥିତ୍ଵକୁ । 


ଆଲୋ ଏମିତି ଝାଉଁଳି ପଡ଼ିଲୁ ଯେ !? ଗୋଡ଼ ଟେକିକି ରହିଛୁ ନାଇଁ । ବାଜେ ପିଲା ଆଗପଛ କିଛି ବିଚାର ନାହିଁ ଯୌବନକୁ ସହଜ ସୁଲଭ କରି ଦାଣ୍ଡରେ ଡେଇଁ ଡେଇଁ ଚାଲୁଛି । ଯା ଘର ଭିତରକୁ ସେ ଲୁଗା ବଦଳେଇବୁ । ଛତା ଧରି ଯାଇ ତୋ ମନର ମଣିଷକୁ ସମ୍ମତି ଦେବୁ । ତୋ ବିଚ୍ଛେଦରେ ମୁଁ ତୋତେ ଝୁରିଝୁରି ବାକି ଜୀବନତକ କାଟି ଦେବି ମୋର । 

ଜେଜେଙ୍କ ମୁହଁରୁ ସେ କଥାସବୁ ଶୁଣି ଅସହଜ ହେଇଗଲି । କୋଣାର୍କର କାରୁକାର୍ଯ୍ୟକୁ ଈର୍ଷା କଲାପରି ମୋର ଅସଜଡ଼ା ଦେହକୁ ଦେଖି, ଲମ୍ବାଲମ୍ବା ପାହୁଣ୍ଡ ପକେଇ ଘର ଭିତରରକୁ ପଶୁପଶୁ ବର୍ଷାଭିଜା ସମୟରେ ଦେଖିଥିବା ସ୍ୱପ୍ନସବୁ ସାକାର ରୂପ ନେଉଥିଲେ । ଆଉ ଜେଜେଙ୍କର ସେ ବାଜେ ଝିଅ ପଦକରେ ମହକି ପଡ଼ୁଥିବା ଆପଣାପଣ ଓ ସ୍ନେହରେ ନତମସ୍ତକ ହେଉଥିଲି ମୁଁ ତାଙ୍କର ବ୍ୟକ୍ତିତ୍ୱ ପ୍ରତି ।



Rate this content
Log in

More oriya story from ABhimanyu Panda

Similar oriya story from Romance