puspanjali das

Crime Thriller

3  

puspanjali das

Crime Thriller

ଅସୁରକ୍ଷିତ!!

ଅସୁରକ୍ଷିତ!!

6 mins
405


 

     ମୁହଁସଞ୍ଜ ବେଳଟାରେ ,କ୍ଲାନ୍ତ ହୋଇ ସ୍କୁଲ ରୁ ଫେରୁଥାଏ ଶିଖା,ଫୋନ ଟି ତା'ର ବାଜି ଉଠିଲା।ସ୍କୁଲ ପାଖରୁ ଘରଟି ତାର ଅଳ୍ପ ବାଟ,ପାଦ ଚଲା ବାଟ କହିଲେ ଚଳିବ।ବଡ଼ ଝିଅ ର କଲ୍ ଦେଖି,ସାମାନ୍ୟ ଆତଙ୍କିତ ହୋଇଯାଇଥିଲା।ଏଇ କେତେ ଦିନ ହେବ ଝିଅ ତା'ର ଚାକିରି ଛାଡିବାକୁ ରେଜିଗନେସନ୍ ଟା ଦେଇଛି,ହେଲେ ନୋଟିସ ପିରିୟଡ଼ ରେ ତିନି ମାସ ତାକୁ ଯେମିତି ହେଲେ ଅଫିସ କରିଵାକୁ ହେବ,ତା'ଭିତରେ ଏକୁଟିଆ ରହଣି,ତା'ସାଙ୍ଗ କୁ ଉପର ଅଫିସର ଙ୍କ ଲୋଲୁପ ଦୃଷ୍ଟି ଟାକୁ ଆଡେଇ ଆଡେଇ ଚାଲିଛି!"ତା'ଫୋନ ଟି ଆସିଲେ,ପ୍ରଥମେ ଶିଖା ର ମନରେ ପାପ ଛୁଇଁ ଯାଏ!ଅଜଣା ଆଶଙ୍କା ଗୁଡା ଯେମିତି ଚାରିଆଡୁ ଘେରିଯାଏ,ତ ଥାପି ମନ ଦୃଢ କରି ,ଫୋନ ଟି ଉଠାଇ କଥା ହେଇଗଲା।ତା'ର ସବୁ ଭୟ କୁ ଦୂର କରିଦେଇଥିଲା,ଝିଅ ର ପ୍ରଥମ ପଦଟି, ଯେ ସିଏ ଠିକ ଅଛି,ଆଉ କିଛି ପ୍ରୋବ୍ଲେମ ନାହିଁ ,କେବଳ ତାର ଦେହ ଖରାପ ଯୋଗୁ ଯୋଉ ସବୁ ଟେଷ୍ଟ କରିଥିଲା,ତାର ରିପୋର୍ଟ ଆଣି ଡାକ୍ତର ଙ୍କୁ ଦେଖାଇବାକୁୁ ଆସିବ।ସେତିକ ରେ ଆଶ୍ୱସ୍ତ ହୋଇ , କଥା ହୋଇ ହୋଇ ଚାଲୁ ଚାଲୁ ,ସାମାନ୍ୟ ଅନ୍ୟମନସ୍କ ହୋଇଯାଇଥିଲା।ଏତିକି ବେଳେ ଧଇଁ ସଇଁ ହୋଇ ପଛ ପଟୁ ଦଉଡି କି ଚାଲିଆସିଥିଲା ନାର୍ସା, ତା'ଘରେ କାମ କରୁଥିବା ଝିଅ ଟି।ତା'କୁ ଏକପ୍ରକାର ଜାବୁଡି ଧରି,କାନ୍ଦି ପକାଇ କହିଉଠିଥିଲା–'ମା',ମତେ ବଞ୍ଚାଅ'।

       ନାର୍ସା ର ହଠାତ୍ ଏମିତି ବ୍ୟବହାରରେ ଶିଖା ଯେମିତି ସକ୍ ଖାଇଲା ଭଳିଆ ଚମକି ପଡିଥିଲା ଓ ପଛକୁ ଅନାଇ ଦେଖି ଥିଲା, ଦୁଇ ଜଣ୧୯/୨୦ ଵର୍ଷ ର ଟୋକା ତା'ପଛେ ପଛେ ଏକ ପ୍ରକାର ଦଉଡିଲା ଭଳି ଆସୁଛନ୍ତି।ନାର୍ସା –ଶ୍ୟାମଳ ବର୍ଣ୍ଣ ର ,କ୍ଷୀଣ ଶରୀର ର ଝିଅଟିଏ,ଵୟସ୧୫/୧୬ ଵର୍ଷ ହେଲେ ଵି ଦାରିଦ୍ର୍ୟ ର କଷାଘାତ ରେ ୧୦/୧୨ ଵର୍ଷ ର ଛୁଆ ଟିଏ ଭଳି ଦିଶେ।ତାର ପୁଣି ଏମିତି ଅଵସ୍ଥା ଦେଖି ଶିଖା ସାମାନ୍ୟ ଉତ୍ୟକ୍ତ ହୋଇ ଯାଇଥିଲା।ନାର୍ସା କୁ ପଛ ଆଡକୁ ଟାଣି ଆଣି, ସେ ଟୋକା ଦୁଇଜଣ ଙ୍କ ସାମନା କୁ ବୁଲିପଡ଼ି ଥିଲା,ଆଉ କ'ଣ ହୋଇଛି ବୋଲି ପଚାରିବାରୁ,ଜଣେ ବଡ ପାଟିରେ କହିଥିଲା–ତମେ ତାକୁ ଛାଡ଼ି ଦିଅ ଦିଦି,ତମେ ଜାଣିନ,ଏ ଟୋକି ଟା ର ଭାରି ମୁହଁ।ପଇସା ଆଗୁଆ ନେଇ ଯାଇଛି,କାମ ନ କରି,ଲୁଚିକି ପଳେଇଯାଉଛି।ଦୁଇ ଦିନ ହେଲା ମା ନାହିଁ,ୟା ର ଦେଖା ନାହିଁ,ଆଜି ଯେମିତି ହେଲେ, ଘୋଷାଡି କି ନେଵୁ ତାକୁ।ସବୁ କାମ ସାରି କି ଯିଵ।

      ଏତକ କଥାରେ ଯଦିଓ ଶିଖା ଵୁଝିପାରିଥିଲା ଯେ ନାର୍ସା ତାଙ୍କ ଘରେ କାମ କରେ ବୋଲି, ହେଲେ ତା'ର ଏମିତି ଭୟାର୍ତ୍ତ ଅବସ୍ଥାରେ ତାକୁ କିଛି ପଚାରି ପାରି ନଥିଲା।ନାର୍ସା ର ଥରୁଥିବା ଶରୀର ଟା ତା'ର ଶରୀର ରେ ଏକପ୍ରକାର ନିଆଁ ଖେଳାଇ ଦେଉଥିଲା, ହେଲେ ପରିସ୍ଥିତି କୁ ସମ୍ଭାଳିବା ପାଇଁ କେବଳ କହିଥିଲା-ହଉ, ଠିକ ଅଛି,ମୋ ଘର ତ ଏଇ ପାଖରେ,ମୁଁ ତାକୁ ବୁଝାଇ ପଠାଇ ଦେବି,ତୁମେମାନେ ଯାଅ।ହେଲେ,ସେମାନଙ୍କ ର ଚାହାଣି ଦେଖି ଶିଖା ମଧ୍ୟ କ୍ଷଣକ ପାଇଁ ସହମି ଯାଇଥିଲା।ସେମାନେ କିଛି ବୁଝିବା ଅବସ୍ଥାରେ ଯେମିତି ନ ଥିଲେ ବୋଲି ନିଶ୍ଚିତ ହୋଇ ଯାଇଥିଲା।ନାର୍ସା କୁ ଏକପ୍ରକାର ଟଣା ଟଣୀ କରିବା କୁ ଆରମ୍ଭ କରିଦେଇଥିଲେ ଦୁଇଜଣ ଯାକ।ଏଥିରେ ଶିଖା ଯଦିଓ ଉତକ୍ଷିପ୍ତ ଓ ମର୍ମାହତ ହୋଇଯାଇଥିଲା,ହେଲେ ,ସେଇ ମୁହୂର୍ତ୍ତରେ କ'ଣ କରିବ,ହଠାତ୍ ବୁଝିପାରିନଥିଲା।ପାଖରେ ଥିବା ଦୁଇ ତିନୋଟି ଘରକୁ କିଛି ସାହାଯ୍ୟ ର ଆଶା କରି ଆଖି ବୁଲାଇ ଆଣିବାରୁ ,ସବୁ ଘର ର କବାଟ ଗୋଟି ଗୋଟି ହୋଇ ବନ୍ଦ ହୋଇଯିବାର ଦେଖିପାରିଥିଲା।ଶିଖା ର ହୃଦବୋଧ ହୋଇ ଯାଇଥିଲା ଯେ କୌଣସି ପ୍ରକାର ସାହାଯ୍ୟ ତା କୁ ସେ ଜାଗା ରେ ମିଳିପାରିବନି ବୋଲି,ନିଜକୁ ଖୁବ୍ ଅସହାୟ ମଣୁଥିଲା।ଶିକ୍ଷକତା ର  ଅନେକ ବର୍ଷ ପରେ ସହର ର ସେଇ ଅଞ୍ଚଳ କୁ ସିଏ ଅଳ୍ପ କେଇମାସ ହେବ ବଦଳି ହୋଇ ଆସିଥିବା ରୁ କାହା ସାଙ୍ଗରେ ଭଲକରି ସମ୍ପର୍କ ହୋଇପାରି ନ ଥିଲା,ତା'ଛଡା ଏକୁଟିଆ ରହୁଥିବାରୁ ଖୁବ୍ କମ୍ ଲୋକଙ୍କ ସାଙ୍ଗରେ ମିଳା ମିଶା କରୁଥିଲା।ଯଦିଓ ସେ ସାହି ଟି ବିଷୟରେ କିଛି ଭଲ ଶୁଣିନ ଥିଲା ସେଠାକୁ ଆସିବା ପୂର୍ବରୁ,ହେଲେ ଏମିତି ଏକ ପରିସ୍ଥିତି ର ସାମ୍ନା।ଯେ ତା'କୁ

କରିବାକୁ ପଡିବ,ଏକଥା ଚିନ୍ତା କରିନଥିଲା।

               ଫୋନ ଟି ହାତରେ ଥିଲେ ମଧ୍ୟ ଆଖ ପାଖ ରେ କାହାଠାରୁ କିଛି ସାହାଯ୍ୟ ପାଇବାର ଆଶା ମଧ୍ୟ ନଥିଲା।ଏତିକିବେଳେ ଆଖି ତା'ର ପଡିଯାଇଥିଲା ଅଳ୍ପ ଦୂରରେ ଆସୁଥିବା ବୁଢା ଗଉଡ଼ ଟି ଉପରେ,ଯାହାର କାନ୍ଧରେ ଥିଲା ଗୋଛାଏ ତଟକା କଟା ହୋଇଥିବା ଘାସ।କିନ୍ତୁ ,ସେ ବୁଢା ମଣିଷ ଟି ଯେ ତାକୁ କିଛି ସାହାଯ୍ୟ କରିପାରିବ ,ଭାବିପରୁନଥିଲା।ହେଲେ,ସେ ବୁଢ଼ା ଜଣକ ହୁଏତ ସେମାନଙ୍କୁ ଦେଖି,କିଛି ଅନୁମାନ କରିପାରିଥିଲା, ଶିଘ୍ର ଶିଘ୍ର ପାଦ ପକାଇ ଆସି ସେ ଟୋକା ଦୁଇଜଣ ଙ୍କ ଆଗରେ ଠିଆ ହୋଇଯାଇଥିଲା ଓ ହାତରେ ଧରିଥିବା ଦା'ଟିକୁ ଦେଖାଇ ବଡ଼ ପାଟିଟାଏ କରିଥିଲା–'କାଟିଦେବି,ପଳା ଏଠୁ।'ବୁଢ଼ା ଟିର ଏତିକି କଥାରେ ,ଶିଖା ଯେମିତି ତା'ର ସବୁଯାକ ବଳ ଫେରିପାଇଯାଇଥିଲା, ଓ ନାର୍ସା ର ହାତଟି ତା' ଶରୀର ଉପରୁ ଧୀରେ ଖସି ଆସିଥିଲା।ଥରୁ ଥିବା ନାର୍ସା ଟି ଆଖିପୋଛିପକାଇ ଥିଲା,ଯେତେବେଳେ ସେ ଦୁଇଜଣ ଟୋକା ଧୀରେ ଧୀରେ ପଛ କୁ ବୁଲି ଚାଲିଯାଇଥିଲେ।

        କେମିତି ସେ ବୁଢ଼ା ଗଉଡ଼ ଟିକୁ ତା' କୃତଜ୍ଞତା ଜଣାଇବ ଶିଖା ବୁଝିପାରୁନଥିଲା।ବୁଢ଼ାଟି କିନ୍ତୁ ଆଉ କିଛି ଶୁଣିବା କୁ ଅପେକ୍ଷା ନ କରି ଚାଲି ଯାଉ ଯାଉ କହିପକାଇଥିଲା–ତମେ ଏଠି ନୂଆ ମା,ସେ ଟୋକା ଗୁଡାକ ଭଲ ନୁହନ୍ତି,ତାଙ୍କ ମୁହଁ ଲାଗିବନି।ନାର୍ସା ,ତୁ ଏତେ ଡେରିଯାକେ କାମ କରେନି।ମା'ଙ୍କ ସାଙ୍ଗରେ ଯା, ମୁଁ ଟିକେ କାମ ସାରିଦିଏ ,ତତେ ତମ ଘରେ ଛାଡ଼ିଦେଇ ଆସିବି।ଯନ୍ତ୍ରଚାଳିତ ପରି ,ଶିଖା ସାଙ୍ଗରେ ଚାଲିଆସିଥିଲା ନାର୍ସା ,ଶିଖା ର ଘରକୁ, ଯୋଉଠି ପାଣି ଗିଲାସ କ ତା' ହାତରୁ ନେଇ ଏକା ନିଶ୍ୱାସ ରେ ପିଇ ଦେଇ,ଜାକିଜୁକି ହୋଇ ଡ୍ରଇଂ ରୁମ୍ ର ଗୋଟିଏ କୋଣ ରେ ବସିପଡିିଲା।

      ବାଧ୍ୟକରି ଶିଖା ଦୁଇ ଖଣ୍ଡ ବିସ୍କୁଟ ଓ ଚା' କପେ ନାର୍ସା କୁ ଦେଇଥିଲା ଓ ଲୁଗା ନ ବଦଳାଇ ତା'ପାଖରେ ବସି ଧୀରେ ଧୀରେ ତା'କାହାଣୀ ଶୁଣିଥିଲା।ଡରି ଡରି ନାର୍ସା କହିଚାଲିଥିଲା, କେମିତି ତା'ମା ସେଇ ଲୋକଙ୍କ ଘରେ କାମ କରୁଥିଲା,ଆଉ ତା'ଦେହ ବହୁତ ଖରାପ ହେବାରୁ ,ଆଗୁଆ କିଛି ଟଙ୍କା ନେଇଆସିଥିଲା,ହେଲେ ତା'ଦେହ ଭଲ ନ ହେବା ରୁ ,ସିଏ ଆସିନପାରି,ନାର୍ସା କୁ କାମ କରିବା କୁ ପଡିଥିଲା।ଟିକେ ରହିଯାଇ ,ନାର୍ସା କହିଚାଲିଥିଲା–ମା,ସେ ଘର ର ମା ନାହାନ୍ତି,ଗାଁ କୁ ଯାଇଛନ୍ତି, ଆଉ ଏ ପୁଅ ଟା ତାଙ୍କର ଭାରି ଅଭଦ୍ର।ମତେ ଥରେ ତା'ରୁମ ଭିତରକୁ ଟାଣୁଥିଲା, ମତେ ଭାରି ଡର ଲାଗେ ତାକୁ,ସେଥିପାଇଁ ସେ ମା ନଥିଲାବେଳେ ମୁଁ ଯାଉନି।ନୁଚିକି ତୁମ ଘରକୁ ଆସୁଛି,ସେ ମା'ଆସିଲେ ,ତାଙ୍କ ଘରକୁ କାମ କରିବାକୁ ଯିବି।ଏ ଗଉଡ଼ ବୁଢ଼ା ମଉଷା ଥରେ ରାସ୍ତାରେ ତାକୁ ମତେ ଟାଣିବା ଦେଖିଥିଲା,ତାରି ଯୋଗୁଁ ରକ୍ଷା ପାଇଯାଇଥିଲି ସେଦିନ।ସିଏ ମୋ ମା କୁ ଚିହ୍ନିଛି,ଏଇ ସାହିରେ ମୋ ମା ବହୁତ ବର୍ଷ କାମ କରିଛି।

           ଏତିକି ବେଳେ, ଦାଣ୍ଡପଟଆଡୁ ସେ ,ଷ୍ଟିଲ ବାସନ ବିକାଳି ସ୍ତ୍ରୀ ଲୋକ ଟିର ପାଟି ଶୁଣି ଥିଲା ଶିଖା, ଅବେଳ ଟା ରେ ତା'ସଙ୍ଗରେ କଥା ହେବା କୁ ତାର ସେଦିନ ଜମାରୁ ମନ ନଥିବା ରୁ ,ଉଠିଯାଇ ଥିଲା ମନା କରିଦେବାକୁ।ସେଠିକି ଆସିବାର ଦିନ କେଇଟା ଭିତରେ ,ସେ ସ୍ତ୍ରୀ ଲୋକଟି ସାଙ୍ଗରେ ତା'ର କେମିତି କେଜାଣି ଟିକେ ଭଲ ସମ୍ପର୍କ ହୋଇଯାଇଥିଲା,ଯଦିଓ ସେ ଥରୁ ଟିଏ ମାତ୍ର ପୁରୁଣା ଲୁଗା କିଛି ଦେଇକି ଚା'କରିବା ପାଇଁ ସସ୍ପେନ ଟିଏ କେବଳ କିଣିଥିଲା।ଦୁଃଖୀ ବିହାରୀ ସ୍ତ୍ରୀ ଲୋକଟି କାହିଁକି କେଜାଣି ତା'ପାଖରେ ବହୁ ସମୟ ବସିପଡି ତା'କାହାଣୀ ତାକୁ ଶୁଣାଏ,ଆଉ ଶିଖା ମଧ୍ୟ ଏକୁଟିଆ ଅନେକ ସମୟ ରହୁଥିବାରୁ ସବୁ ଶୁଣି ପଦେ ଅଧେ ପଚାରିଦିଏ।ସେଦିନ କିନ୍ତୁ ସେ ସ୍ତ୍ରୀ ଲୋକଟି ସାଙ୍ଗରେ ଆଉ ଜଣେ ଯାଯାଵର ପରି ଦିଶୁଥିବା,ସ୍ତ୍ରୀ ଲୋକଟିଏ,କାନ୍ଧରେ ଝୁଲାଟିଏ ପକାଇ ଠିଆ ହୋଇ ଥିଲା।ତାକୁ ଦେଖିପକାଇ ଦୁଇଜଣ ଯାକ ବାରଣ୍ଡାରେ ତାଙ୍କ ଜିନିଷ ସବୁ ରଖିଦେଇ ବସିପଡିଥିଲେ ଓ ଶିଖା କୁ ସମ୍ବୋଧନ କରି ବାସନବାଲି ସ୍ତ୍ରୀ ଲୋକଟି କହିପକାଇଥିଲା–ମା,ଇଏ ମୋ ସାଙ୍ଗ, ଏବେ ଗାଁ ରୁ ଆସିଛି।ତା'ମରଦ ଚାଲିଯିବାରୁ ତା'କୁ ସେଠି ରଖେଇଦେଲେନି ସେ ରାକ୍ଷସ ଗୁଡା,ତା'ର ପିଲା ଛୁଆ କିଛି ନାହିଁ।ତା'ମରଦ ଛୁରୀ ତିଆରି କରୁଥିଲା,ସିଏ ବି ଶିଖିଛି।ଆମରି ପାଖରେ ରହିକି ଛୁରୀ ବିକିରି କରୁଛି ମୋ ସାଙ୍ଗରେ ଆସିକି।ମା,ତମେ ତ ଏକୁଟିଆ ମଣିଷ, ଏ ଅଖାଡୁଆ ସାହି ଟାରେ ରାହୁଛ।ମୁଁ ଭାବିଲି ତୁମେ ଗୋଟେ ଭଲ ଛୁରୀ ପାଖରେ ରଖିବ ବୋଲି,ଘରକୁ ଫେରିଲାବେଳେ ତମ ପାଖକୁ ଚାଲିଆସିଲି।ଶିଖା କିଛି କହିବା ପୂର୍ବରୁ ତା'କଥା ପୁଣି ଲମ୍ବିଯାଇଥିଲା–ମା,ତମେ ତ ଶୁଣିଥିବ,ସେଇ ହାଇଦରାବାଦ ର ଡାକ୍ତରାଣୀ ଝିଅଟା କଥା,କେମିତି ସେ ରାକ୍ଷସ ଗୁଡା ତାକୁ ଝୁଣି, ମାରି ପୋଡ଼ିଦେଲେ।ଆମେ ସିନା ଗରିବଲୋକ,ରାତିଯାକେ ବାର ଦୁଆରେ ବୁଲୁଛୁ,କେତେ ପ୍ରକାର ଲୋକଙ୍କୁ ଦେଖୁଛୁ,ହେଲେ ଆମର ହେପାଜତ ନିଜେ କରୁଛୁ।ଏଇ ଦେଖୁନ,ମୋ ପାଖରେ ସବୁବେଳେ ଲମ୍ବା ଦାଢୁଆ ଛୁରୀ ଟା ମୋ ଅଣ୍ଟା ବେଗ୍ ରେ ଥାଏ।ଆଉ ,ମୋ ସାଙ୍ଗ ଆସିଲା ଦିନୁ ,ଆଉ ସେ ଡ଼ାକ୍ତରାଣୀ କଥା ଶୁଣିଲାରୁ ,ସବୁ କଲେଜ ପାଖକୁ ଯାଇ ବୁଲି ବୁଲି ଖାଲି ଝିଅ ପିଲା ଙ୍କୁ ଏ ଛୁରୀ ବିକିରି କରୁଛୁ।ଏଇ କେତେଦିନରେ ଭଲ ବିକିରି ହେଇଛି ମା!

            ତା'କଥାସବୁ ଶୁଣି ନାର୍ସା ଘର ଭିତରୁ ଉଠି ଆସିଥିଲା ତା'ପାଖକୁ, ଆଉ ଏକ ଲୟରେ ଚାହିଁ ରହିଥିଲା ସେଇ ଲମ୍ବା ଲମ୍ବା ଛୁରୀ ଗୁଡିକୁ,ଯାହାକୁ ମେଲେଇ ଦେଇ ବସିଥିଲା ସେଇ ବାସନବାଲି ର ସାଙ୍ଗ ଟି।ଶିଖା ର ଆଖି ନାର୍ସା ଉପରକୁ ଉଠିଯାଇଥିଲେ ବି ନାର୍ସା ଯେମିତି କିଛି ଜାଣିପାରରୁନଥିଲା,ଆଖି ତା'ର ସେଇ ଛୁରୀ ଗୁଡିକ ଉପରୁ ଉଠିପାରୁନଥିଲା!ଶିଖା ଉଠିଆସି ନାର୍ସା ର କାନ୍ଧ ଥାପୁଡେଇ ଦେଇ ତାକୁ ଭିତରକୁ ଯିବାକୁ କହିଥିଲା ଓ ଦୁଇଟି ଲମ୍ବା ଛୁରୀ କିଣି ଭିତରକୁ ଚାଲିଯାଇଥିଲା।

              ଅଳ୍ପ ସମୟ ପରେ ଗଉଡ଼ ବୁଢ଼ା ଟିର ପାଟି ଶୁଣିପାରି ନାର୍ସା ବହାରିଆସିଲାବେଳେ,ଶିଖା ଗୋଟିଏ ଛୁରୀ କୁ ତା'ହାତ କୁ ବଢାଇଦେଇ କହିଥିଲା–'ନେ,ଏଇଟା ପାଖରେ ରଖିଥା,ସବୁଦିନ ଛୋଟ ବ୍ୟାଗ ଟିରେ ପୁରାଇ ନେଇକି ଆସିବୁ,କେବେ ଭୁଲିବୁନି।ଆଉ କାଲି ରବିବାର ଅଛି, ତୋର କେତେଟଙ୍କା ଆଉ ସେ ଘରକୁ ଦେବା କୁ ଅଛି କହିଲେ,ମୁଁ ତୋ ସାଙ୍ଗରେ ଯାଇ ଦେଇ ଆସିବି।ତୁ ଆଉ ସେ ଘରକୁ କାମ କରିବାକୁ ଯିବୁନି।'କୃତଜ୍ଞତା ର ଛାପ ଟି ନାର୍ସା ର ଶ୍ୟାମଳ ମୁହଁଟିରେ ସ୍ପଷ୍ଟ ବାରିହୋଇପଡୁଥିଲେ ହେଁ, ଶୁଖିଲା ଚାହାଣୀଟିଏ ଦେଇ, ପଛକୁ କେବଳ ଥରକୁ ଥର ଚାହିଁ ଚାହିଁ,ଚାଲିଯାଇଥିଲା।ଆଉ ଶିଖା କୁ ଲାଗୁଥିଲା ,ସତେ ଯେମିତି ନାର୍ସା ହାତରେ ନୁହେଁ, ତା'ଝିଅ ହାତରେ ସେ ସେଇ ଛୁରୀ ଟି ଧରାଇଦେଇଥିଲା!ମନ ଭିତର ଟା ଯେମିତି କୁହୁଳି ଉଠୁଥିଲା ସେଇ ଜଘନ୍ୟ ଅପରାଧୀ ଗୁଡାକ ଙ୍କ ପାଇଁ।ଏମିତି ରୁଗ୍ଣ ମନୋବୃତ୍ତି ର ମଣିଷ କେତେଟା ଙ୍କ ପାଇଁ ,ପ୍ରତି କୋଣ ,ଅନୁକୋଣରେ,ନିମ୍ନବିତ୍ତ ପରିବାର ଠୁ ଆରମ୍ଭ କରି ହାଇ ସୋସାଇଟି ର ପ୍ରତ୍ୟେକ ନାରୀ ଯେ ଅସୁରକ୍ଷିତ! ସତରେ କ'ଣ ଲୋକଙ୍କ ର ମନୋବୃତ୍ତିର ପରିବର୍ତ୍ତନ ହେବନି?ସତରେ କ'ଣ ଏ ବୁଦ୍ଧିଜୀବି ମହଲ ଏମିତି ଚୁପ ରହିଥିବେ ସବୁବେଳେ??ଯୋଉ ସଂସ୍କୃତି ରେ ଦ୍ରୌପଦୀଙ୍କ ଯୋଗୁଁ ଏତେବଡ ମହାଭାରତ ସୃଷ୍ଟି ହୋଇଯାଇଥିଲା, ଆଉ ମା'ସୀତା ଙ୍କ ଯୋଗୁଁ ସୁବର୍ଣ୍ଣ ଲଙ୍କା ଛାର ଖାର ହୋଇଯାଇଥିଲା, ସେଠି ହାତରେ କ୍ୟାଣ୍ଡାଲ ଧରି କ'ଣ ଏ ସମାଜ କୁ ବଦଳାଇ ହବ?ବିଦ୍ରୋହୀ ମନଟିରେ ତାର ଅନେକ ପ୍ରଶ୍ନ ଉଙ୍କିମାରୁଥିଲା!ବଡ଼ ଝିଅ ପଠେଇଥିବା ପୋଷ୍ଟ ଟି,ଯୋଉଥିରେ ଝିଅ ଟିର ହାତରେ ଥିବା ପ୍ଲାକାର୍ଡ ଟି ରେ ଲେଖାଥିଲା–'I live in a country,where a girl is neither safe inside the womb nor outside it!'. ତାକୁ ଛଟପଟ କରିପକାଉଥିଲା।ସତରେ କେତେ ନିଚ୍ଛକ ସତ ଓ ଲଜ୍ଜାକର କଥାଟିଏ!!


Rate this content
Log in

Similar oriya story from Crime