puspanjali das

Inspirational

4  

puspanjali das

Inspirational

ଚାନ୍ଦିପୁର ବେଳାଭୂମି

ଚାନ୍ଦିପୁର ବେଳାଭୂମି

4 mins
8



     ସଞ୍ଜ ନଇଁ ଆସୁଥିଲା,ଗୋଧୂଳି ଆଲୁଅ ରେ ମୁହଁ ସବୁ ଝାପ୍ସା ଝାପ୍ସା ଦିଶୁଥିଲା।ଚାନ୍ଦିପୁର ବେଳାଭୂମି ରୁ ସଟ୍ କଟ୍ ରାସ୍ତା ଟିରେ ଗାଡ଼ି ଟି ସେଦିନ ଆଗେଇ ଚାଲିଥିଲା ରେମୁଣା ଗାଁ ଆଡ଼କୁ।ପର୍ସ ଭିତରେ ଫୋନ ଟି ରହି ରହି ବାଜି ଉଠୁଥିଲା,ଆଉ ଜଣାଇ ଦେଉଥିଲା,ସେମାନେ ଆଜି କେତେ ଲେଟ୍ ହୋଇ ଯାଇଛନ୍ତି ବୋଲି! ନୀତୁ ସାନଦିଅର ଙ୍କ ପିଲାଙ୍କୁ ନେଇ,ବହୁତ୍ ଦିନ ପରେ ଘରୁ ବାହାରିଥିଲା ଚାନ୍ଦିପୁର,ହେଲେ,ସେଇ ଚାନ୍ଦିପୁର ରେ ନୂଆକରି ହୋଇଥିବା ଶ୍ରୀ କୃଷ୍ଣ ଙ୍କ ମନ୍ଦିର ଟିକୁ ଦେଖୁ ଦେଖୁ ଯେ ଏତେ ସମୟ ଚାଲିଯିବ,ଜମାରୁ ଭାବି ନଥିଲା!!

      ମିଷ୍ଟର ଙ୍କ ର ବାରମ୍ବାର ଫୋନ କଲ୍ କୁ ଏକ ପ୍ରକାର ଅଣଦେଖା କରିଦେଇଥିଲା।ହୁଏତ ବହୁତ୍ ସାହସ ବାନ୍ଧି ପ୍ରଥମ ଥର କରି ଏମିତି କରିଥିଲା!ଆଖି ଆଗରେ ତାର ବାରମ୍ବାର ନାଚି ଯାଉଥିଲା,ଚାନ୍ଦିପୁର ବେଳାଭୂମି ର ସେଇ କେତୋଟି ସ୍ତ୍ରୀ ଲୋକଙ୍କ ମୁହଁ!!

     ଅଣ୍ଟା ରେ ଲୁଗା ଭିଡ଼ି, ଏତେ ବଡ କଡାଇ ରେ ସିମଳା ଲଙ୍କା କୁ ଛାଣି ପକାଉଥିବା ସ୍ତ୍ରୀ ଲୋକ ଟି ,କେମିତି ହସି ହସି ଗରାଖ ଙ୍କୁ ପତ୍ର ଠୋଲା ରେ ଗରମ ଗରମ ଲଙ୍କା ପକୋଡ଼ି ପରଷି ଚାଲିଥିଲା,ଆଉ କିଛି ଦୂରରେ ସେଇ ସ୍ତ୍ରୀ ଲୋକଟି ମିଠା ମକା କୁ ଶିଝାଇ ପତ୍ର ରେ ଗରାଖ ମାନଙ୍କ ହାତକୁ ବଢାଇ ଦେଉଥିଲା।

    ଉଠା ଦୋକାନୀ ର ଲମ୍ବା ଲାଇନ୍ ରେ ଅନେକ ସ୍ତ୍ରୀ ଲୋକଙ୍କ ପାରିବାପଣିଆ ଯେମିତି ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା!ସମସ୍ତେ ଯେମିତି ବେପାର କରିବାକୁ ଅଣ୍ଟା ଭିଡ଼ି ଦେଇଥିଲେ।ମୁହଁ ରେ ସମସ୍ତଙ୍କର ଚେନାଏ ହସ ଜଣାଇଦେଉଥିଲା ସେମାନଙ୍କ ସ୍ବାବଲମ୍ବୀ ହେବାର ଆତ୍ମ ବିଶ୍ୱାସ ଓ ଆତ୍ମସନ୍ତୋଷ!

      ଦିଅର ଙ୍କ ପିଲା ମାନଙ୍କୁ ନେଇ ସେହି ସ୍ତ୍ରୀ ଲୋକମାନଙ୍କ ପାଖରୁ ଖୋଇବାରେ ଯୋଉ ଆନନ୍ଦ ଥିଲା,ସେତକ ସାଉଁଟି ସାଉଁଟି ,ବେଳାଭୂମି ର ଖାଦ୍ୟ ସାମଗ୍ରୀ ର ରାସ୍ତା ଟିକୁ ଛାଡ଼ି ଆସୁ ଆସୁ ଆଖିରେ ପଡ଼ିଥିଲା ତାର ପାନ ବାଲି ଟି ଉପରେ,ଆଉ ସିଏ ବି ସେମିତି ହସି ହସି ସ୍ବାଗତ କରିଥିଲା।ମିଠା ପାନ ଖଣ୍ଡେ ନ ଖାଇକି ରହି ପାରି ନଥିଲା ନୀତୁ!ପାନ ତିଆରି କରୁ କରୁ ସ୍ତ୍ରୀ ଲୋକ ଟି ସାଙ୍ଗରେ ପଦେ ଦୁଇପଦ କଥା ବାର୍ତ୍ତା ରୁ ଜାଣି ପାରିଥିଲା ଯେ ତା' ମରଦ ତା'ରି ପାନ ଦୋକାନ ରେ ବୋଲହାକ କରେ ବୋଲି।ଆଶ୍ଚର୍ଯ୍ୟ ହୋଇ ନୀତୁ ଶ୍ୟାମଳୀ ପତଳି ସ୍ତ୍ରୀ ଲୋକଟି କୁ ମୁଣ୍ଡ ରୁ ଗୋଡ଼ ଯାକେ ଅନାଇ ଯାଇଥିଲା,ଆଉ ଶୁଣି ନ ପାରିଲା ପରି ଆଉଥରେ ପଚାରି ଦେଇଥିଲା..କଣ କରେ ତୋ ବର?ଏଥର ଲାଜ ମିଶା ହସଟିଏ ଟାଣି ଦେଇ ସ୍ତ୍ରୀ ଲୋକ ଟି ଉତ୍ତର ଦେଇଥିଲା - ମା ', ଏଇ ମୋ ଦୋକାନ ରେ ବୋଲ ହାକ କରେ।ଏମିତି ରେ କିଛି କରେନି,ଦିନ ସାରା ଘରେ ପଡ଼ିବା ଅପେକ୍ଷା ଏଇଠି ଟିକେ ବୋଲ ହାକ କରିଦିଏ। କେତେବେଳେ ପାଣି ବାଲ୍ ଟିଏ ଆଣିଦିଏ ପାନ ଧୋଇ ବାକୁ ତ କେତେବେଳେ କନା ଖଣ୍ଡିଏ ଓଦା କରିକି ପାନ ଉପରେ ପକେଇ ଦିଏ,ଆଉ କେତେବେଳେ ଚୂନ ଶୁଖିଗଲେ ଟିକିଏ ପାଣି ପକେଇ ଦିଏ।

    ଏଥର ନୀତୁ ତା' କଥା ଶୁଣୁ ଶୁଣୁ କହିପକାଇଲା - ଆଉ ତୁ , ପାନ ଭଙ୍ଗା ଠାରୁ ମସଲା ବନେଇବା ସବୁ ଏକୁଟିଆ କରୁ?ସ୍ତ୍ରୀ ଲୋକ ଟି ହସି ହସି ତାର ଉତ୍ତର ଦେଇଥିଲା - ମୋ ବେପାର ମା,କରିବିନି,ଆଉ କିଏ କରିବ?ପାଖରେ ତାର ଛୋଟିଆ ୭/୮ବର୍ଷ ର ପୁଅ ଟିଏ ଠିଆ ହୋଇଥିଲା,ତାକୁ ଦେଖେଇ କହି ପକାଇଲା, ୟାକୁଇ ପାଠ ପଢେଇବି ମା। ସେଇଥି ପାଇଁ ମୁଁ ବେପାର କରୁଛି।ଆମ ଭଳିଆ ମୁରୁଖ ହେବନି।ମୋ ମା କହୁଥିଲା, ମୁଁ କୁଆଡ଼େ ଛୋଟ ବେଳେ ଭଲ ପାନ ଭାଙ୍ଗୁ ଥେଲି ମୋ ବାଆ ପାଇଁ, ସେଇଥି ପାଇଁ ମୋ ବେପାର ଭଲ ଚାଲୁଛି।ସତରେ ,ସେଦିନ ସେ ସ୍ତ୍ରୀ ଲୋକ ଟି ଖୁବ୍ ଶୀଘ୍ର ସୁନ୍ଦର ଲବଙ୍ଗ ଦିଆ ପାନ କେଇଖଣ୍ଡ ଭାଙ୍ଗି ଦେଇଥିଲା,ଆଉ ଖୁବ୍ ସୁନ୍ଦର କରି ତାକୁ ପ୍ୟାକ ବି କରି ଦେଇଥିଲା।

       ବାଟ ସାରା ମିଠା ପାନ ପାଟିରେ ପୁରାଇ ଚୋବାଉ ଚୋଵାଉ ନୀତୁ ବାରମ୍ବାର ଭାବି ଚାଲିଥିଲା - ସତରେ କେତେ ନିର୍ଭୀକ ଭାବରେ ସ୍ତ୍ରୀ ଲୋକ ଗୁଡ଼ିକ ବେପାର କରି ପାରୁଛନ୍ତି।ଏଇ କେତେଟା ବର୍ଷ ଭିତରେ ଯୁଗ କେତେ ବଦଳି ଗଲାଣି!!ନିଜର ଯୋଗ୍ୟତା ଥାଉ କି ନ ଥାଉ,ବେପାର କରିବାକୁ ଅଣ୍ଟା ଭିଡ଼ି ଦେଇଛନ୍ତି।ଘର ର ଚାରିକାନ୍ଥ ଭିତରେ ନ ରହି ନିଜକୁ ସ୍ବାବଲମ୍ବୀ କରି ପାରିଛନ୍ତି।ନିଜ ଭିତରେ ଥିବା କିଛି ନ କରି ପରିବାର ଗ୍ଲାନି ଟା ସତେ ଯେମିତି ସତେଜ ହୋଇ ଉଠିଥିଲା।ଏତେ ବଡ ରେଭେନ୍ସା ମହାବିଦ୍ୟାଳୟ ରୁ ସ୍ନାତ୍ତକୋତ୍ତର କରିଥିବା ନୀତୁ ହଠାତ୍ କେମିତି ନିଜ କୁ ଭାରି ଅସହାୟ ମଣି ଥିଲା!ରୋଷେଇ ଘର ର ଚାରିକାନ୍ଥ ଭିତରେ ଆବଦ୍ଧ କରିଥିବା ଜୀବନ କୁ କେମିତି ସହଜ ରେ ଗ୍ରହଣ କରିପାରୁନଥିଲା।

      ନୀତୁ ର ଭାବନା ରେ ପୂର୍ଣ୍ଣଛେଦ ପକାଇ ଝିଆରୀ ଡାକି ଦେଇଥିଲା - ବଡ ମା ',ବଡ ବାପା ଙ୍କ ଫୋନ ଆସୁଛି ବୋଧେ,ଦେଖ,ତୁମ ଫୋନ ବାଜୁଛି । ନୀତୁ ର ହାତ ଫୋନ ଉପରକୁ ଚାଲି ଯାଇଥିଲା,ସେପଟରୁ ଝିଅ ଉର୍ମି ର କଣ୍ଠ ସ୍ୱର ଭାସି ଆସିଥିଲା..ଉର୍ମୀ ଓ ନମି ,ଦୁଇ ଭଉଣୀ ଙ୍କ ସ୍ୱର ଏକାପରି ଥିବାରୁ,ହସି ହସି ନୀତୁ କହିପକାଇଥିଲା..ତୁମେ ଦୁଇଜଣ ବହୁତ୍ ଦୁଷ୍ଟ ହେଲଣି,ନିଜ ନିଜର ନମ୍ବର ବଦଳାଇ ମତେ ହଇରାଣ କରୁଛ।ଆଉ ଊର୍ମୀ ର ହସ ର ଜୁଆର ରେ ସତେ ଯେମିତି ତା'ର ସବୁ ଗ୍ଲାନି ପୋଛି ହୋଇ ଯାଇଥିଲା!!ନିଜର ଚାରି ଝିଅଙ୍କୁ ସ୍ବାବଲମ୍ବୀ କରି ପାରିଥିବା ନୀତୁ ଯେମିତି ଅନେକ ପଛକୁ ଫେରି ଯାଉଥିଲା....କେତେ ଝଡ ତୋଫାନ ସହିଥିଲା ସେ ତା ' ପିଲାମାନଙ୍କୁ ମଣିଷ କରିବା ପାଇଁ!କେତେ ଟାହି ଟାପରା ଶୁଣିଥିଲା ନିଜର ଚାରୋଟି କନ୍ୟା ସନ୍ତାନ ଙ୍କ ପାଇଁ ମଧ୍ୟ!ପରିବାର ତଥା ସାମାଜିକ ଚଳଣି ରେ ଅନେକ ଙ୍କ ର ଭ୍ରୁ କୁଞ୍ଚିତ ଓ କଟୁଉକ୍ତି କୁ ସହିବାକୁ ପଡ଼ିଥିଲା!ସେସବୁ କୁ ଖାତିର ନ କରି ନିଜ ବୁଦ୍ଧି ଓ ପାଠ କୁ ପିଲାଙ୍କ ପାଠ ପଢ଼ାରେ ଖଟେଇ ଦେଇଥିଲା..ଧୀରେ ଧୀରେ ସମୟ ବଦଳି ଯାଇଥିଲା,ଯେଉଁ ମାନେ ଅନେକ କଟୁ ମନ୍ତବ୍ୟ ଦେଇ ତାକୁ ନିରାଶ ଆଡ଼କୁ ଠେଲି ଦେଇଥିଲେ,ସେହି ମାନଙ୍କ ମୁହଁ ରୁ ପୁଣି ତା ପିଲା ଙ୍କର ସଫଳତା ରେ ସମ୍ବର୍ଦ୍ଧନା ଓ ପ୍ରଶଂସା ରେ ପୋତି ପକାଇବା ଟା ତାକୁ ଅବଶ୍ୟ କିଛି ବିଚିତ୍ର ଲାଗି ନଥିଲା।ସେତେବେଳକୁ ବୋଧହୁଏ ନୀତୁ ଜୀବନ ସାଙ୍ଗରେ ଲଢେଇ କରି କରି ନିଜକୁ ଖୁବ୍ ମଜଭୁତ କରିସାରିଥିଲା।

     ଏମିତି ଭାବୁ ଭାବୁ କେତେବେଳେ ଯେ ଗାଡ଼ି ଟି ଆସି ଘର ପାଖରେ ପହଞ୍ଚି ସାରିଥିଲା, ନୀତୁ ଜାଣି ପାରିନଥିଲା।ଆଉ କିଛି ନ କରିପାରିବାର ଗ୍ଲାନି ର ଛାପଟା ମଧ୍ୟ ଯେମିତି ତା ମୁହଁ ରୁ ପୁରା ପୋଛି ହୋଇ ଯାଇଥିଲା,ଯୋଉଠି ଥିଲା ଚେନାଏ ହସ...ଆଉ ଆତ୍ମ ସନ୍ତୋଷ ର ଛାପ!


Rate this content
Log in

Similar oriya story from Inspirational