puspanjali das

Others

4  

puspanjali das

Others

ଅବଢା ଆଈ

ଅବଢା ଆଈ

6 mins
374



ସନ୍ଧ୍ୟା ଦେଇ ସାରି ଲୁଗା ବଦଳିଲା ବେଳେ ଲତିକା କଲିଂବେଲ୍ ର ଶବ୍ଦ ଶୁଣି ତରତର ହୋଇ କବାଟ ଖୋଲିବାକୁ ଚାଲି ଯାଇ, ସାମ୍ନାରେ ଅବଢ଼ାକୁ ଦେଖି ଏତେ ଖୁସି ହୋଇ ଯାଇଥିଲା ଯେ, ଲୁଗା ବଦଳାଇ ନାହିଁ ବୋଲି ଭୁଲି, ତାକୁ କୁଣ୍ଢାଇ ପକାଇ, ଏକ ପ୍ରକାର ଟାଣି ନେଇ ବେଡ୍ ରୁମ୍ କୁ ଚାଲି ଯାଇଥିଲା। ଅବଶ୍ୟ ଅଳ୍ପ ସମୟ ପରେ ଘରେ ପିଲାମାନଙ୍କର ଉପସ୍ଥିତିକୁ ମନେ ପକାଇ, ଅବଢ଼ାକୁ ବସେଇ ଦେଇ, ଲୁଗା ବଦଳି ବାକୁ ଅନ୍ୟ ରୁମ୍ କୁ ଚାଲି ଗଲା। ଫେରିଲା ବେଳକୁ ସାଙ୍ଗରେ ପାଞ୍ଚ ବର୍ଷର ନାତୁଣୀ ଗୁନୁ ତା'ସାଙ୍ଗରେ ଗୋଡେଇ ଗୋଡେଇ ଚାଲି ଆସିଥିଲା।

           ଅଳ୍ପ ସମୟ ଭିତରେ ବେଡ୍ ରୁମ୍ ରେ ଚା' ବିସ୍କୁଟ ସାଙ୍ଗରେ ଦୁଇ ସାଙ୍ଗଙ୍କର ଗପର ଆସରଟା ମଧ୍ୟ ଖୁବ୍ ଜମି ଯାଇଥିଲା! କିଛି ବୁଝି ନ ପାରି, ମଝିରେ ମଝିରେ କେବଳ ଗୁନୁ ସେମାନଙ୍କ କଥା ରେ ବ୍ରେକ୍ ଲଗାଇ କିଛି ପଚାରି ଦେଉଥିଲା, ଯଦିଓ ପାଖରେ ତାର ଖେଳିବାକୁ କଣ୍ଢେଇ ଗୁଡିକର ଲମ୍ବା ଲାଇନ ତାକୁ ଅନେଇକି ରହିଥିଲେ। ଅବଢ଼ା କଥାକୁ କେମିତି କାଟିବ ଭାବୁ ଭାବୁ ଗୁନୁର ପ୍ରଶ୍ନରେ ଲତିକା ଓ ଅବଢ଼ା ଦୁହେଁ ଯେମିତି ଟିକେ ରହି ଯାଇଥିଲେ! ଗୋଲାପ ମାନେ ରୋଜ୍ ତ? ଏତକ କହି ଗୁନୁ ପ୍ରଶ୍ନିଳ ଆଖିରେ ଦୁହିଁଙ୍କୁ ଅନାଇ ଥିଲା। ତା' ପରେ ପରେ ଆଉ ଗୋଟିଏ ପ୍ରଶ୍ନ ମଧ୍ଯ ତାର ମୁହଁରୁ ବାହାରି ଆସିଥିଲା - ଏ ଚାନ୍ଦ କଣ? ସେତେବେଳେ ଲତିକା ବୁଝି ପାରିଥିଲା ଯେ ଗୁନୁ ଅବଢା'ର 'ଗୋଲାପ' ଆଉ' ଚାନ୍ଦ' ଦୁହେଁ ଗେଟ୍ ଟୁଗେଦର୍ କୁ ଆସୁଛନ୍ତି ବୋଲି କହୁଥିବା କଥାଟି ଶୁଣି ଦେଇଛି।

      ଏଥର ଅବଢ଼ା ଗୁନୁକୁ କୋଳକୁ ଟାଣି ନେଇ ବୁଝାଇବା ଆରମ୍ଭ କରି ଦେଇ ଥିଲା ହଁ ଲୋ ଗୁନୁ, ଗୋଲାପ ହଉଛି ରୋଜ୍, ଆଉ ଚାନ୍ଦକୁ ମୁନ୍ କୁହନ୍ତି! ମୁନ୍ ଜାଣିଛୁ ତ? ଅବଢ଼ା କୋଳରେ ବସି ଗେହ୍ଲେଇ ଗେହ୍ଲେଇ ଗୁନୁ ପଚାରି ଦେଇଥିଲା-ଗୋଲାପ ଆଉ ଚାନ୍ଦ କ'ଣ ମୋ ଆଈର ସାଙ୍ଗ? ସେମାନଙ୍କ ନାଁ ସେଇଆ? ହସି ପକାଇ ଅବଢ଼ା ବୁଝାଇ ଚାଲି ଥିଲା - ଆଲୋ, ହଁ l ତୋ ଆଈ ର ସାଙ୍ଗ, ହେଲେ ସେମାନଙ୍କ ନାଁ ସେଇଆ ନୁହେଁ! ଆମ ପିଲାଦିନେ ଆମେ ସାଙ୍ଗମାନେ କେତେ କ'ଣ ବସୁଥିଲୁ! ମାନେ - ଗୋଲାପ, ବଉଳ, ମକର, ତୁଳସୀ, ଅବଢ଼ା, ସଙ୍ଗାତ, ଚାନ୍ଦ.. ଏମିତି କେତେ କଣ! ଗୁନୁ ପାଟିରୁ ପୁଣି ପ୍ରଶ୍ନଟିଏ ଆସି ଯାଇଥିଲା - ଆରେ, ବସୁଥିଲ କ'ଣ? ଏଥର ହସ ସମ୍ଭାଳି ନ ପାରି ହୋ ହୋ ହୋଇ ଅବଢ଼ା ହସି ପକାଇ ତାକୁ ବୁଝାଇ ଥିଲା ଯେ - ଆଛା, ତୁ ତୋ ସାଙ୍ଗ ମାନଙ୍କୁ ନାଁ ଧରି କି ଡାକୁଛୁଟି? ହେଲେ ତୋ ଆଈକୁ ମୁଁ କ'ଣ ଡାକୁଛି ଆଉ ତୋ ଆଈ ମତେ କ'ଣ ଡାକୁଛି? ଗୋଟିଏ ନାଁ -' ଅବଢ଼ା' କାହିଁକି ଜାଣିଛୁ? ତୋ ଆଈ କୁ ମୁଁ ପିଲାଦିନେ ଟିକେ ପୁରୀ ଅବଢ଼ା ଖୁଆଇ ଦେଇଥିଲି, ତୋ ଆଈ ମଧ୍ୟ ମତେ ଟିକେ ଅବଢ଼ା ଖୁଆଇ ଦେଇ ଥିଲା। ତା'ପର ଠାରୁ ଆମେ କେହି କାହାର ନାଁ ଧରୁ ନଥିଲୁ, କେବଳ ଦୁହେଁ ଦୁହିଁଙ୍କୁ ଅବଢ଼ା ଡାକୁ ଥିଲୁ! ସେମିତି ଗୋଲାପ ଫୁଲ ର ପାଖୁଡ଼ା ଟିଏ ଖୁଆ ଖୋଇ ହୋଇ ଗୋଲପ, ବଉଳ ଫୁଲ ଖୋଇକି ବଉଳ, ତୁଳସୀ ପତ୍ରରେ ତୁଳସୀ,ଆଉ ଚାନ୍ଦ ଚକଟା ରେ ଚାନ୍ଦ ବସୁଥିଲୁ! ଆଜିକାଲି ଆଉ ସେସବୁ ନାହିଁ ଲୋ! ତୋ ମମି ବି ତୋ ଆଈ ଠାରୁ ଯାହା ଶୁଣିଥିବ! ଗୁନୁ ର ପାଟିରୁ ବାହାରି ଆସିଥିଲା - ଏବେ କାହିଁକି ନାହିଁ ଅବଢ଼ା ଆଈ?

           ଗୁନୁର ସେଇ 'ଅବଢ଼ା ଆଈ'ଡାକରେ ଅବଢ଼ା ବହେ ହସି ପକାଇ ପଚାରିଲା -ଆଲୋ, 'ଅବଢ଼ା ଆଈ'କୋଉଠୁ ଶିଖିଲୁ? ଏଥର ଗୁନୁ ଗାଲୁରୁ ଗାଲୁରୁ ହୋଇ କହି ପକେଇଲା - ତମକୁ ପରା ମୋ ଆଈ ଅବଢ଼ା ଡାକୁଛି, ତମେ ଅବଢା ଆଈ ନୁହେଁ ତ ଆଉ କୋଉ ଆଈ? ମୁଁ କ'ଣ ଡାକିବି? ଟିକେ ରହିଯାଇ ଧିରେ କରି ପଚାରିଲା - ଏ ଅବଢ଼ା କ'ଣ? ମୁହଁରେ ତାର ଅନେକ କୌତୁହଳ ଯେମିତି ରହିଥିଲା! ଗୁନୁର ପ୍ରଶ୍ନରେ ଯଦିଓ ଅବଢ଼ା ହସୁଥିଲା, ହେଲେ କାହିଁକି କେଜାଣି ଟିକେ ଭାବପ୍ରବଣ ହୋଇଯାଇ ତାକୁ କୋଳକୁ ଟେକି ନେଇ ବୁଝାଇବାକୁ ଲାଗିଥିଲା! ତୁ ତ ବିଦେଶ ରେ ରହିଲୁ, ଜାଣିବୁ କୋଉଠି?ଆମ ପୁରୀ ରେ ଯୋଉ ଜଗନ୍ନାଥ ମହାପ୍ରଭୁ ଅଛନ୍ତି, ତାଙ୍କ ପାଖରେ ଯୋଉ ଅନ୍ନ ଭୋଗ ହୁଏ ତାକୁଇ ଅବଢା କହନ୍ତି।ମାଟି ହାଣ୍ଡିରେ ପ୍ରଥମେ ଅନ୍ନ ରନ୍ଧାଯାଇ ଜଗନ୍ନାଥଙ୍କ ପାଖରେ ଭୋଗ ଲଗାଯାଏ , ତା'ପରେ ମା' ବିମଳାଙ୍କ ପାଖରେ ଲଗା ହୁଏ, ତେବେ ଯାଇକି ମହା ପ୍ରସାଦ ହୁଏ ! ଆଉ ଆନନ୍ଦ ବଜାରରେ ସମସ୍ତଙ୍କ ପାଇଁ ସେହି ମହାପ୍ରସାଦ ବିକ୍ରି ହୁଏ ଯାହାକୁ ସମସ୍ତେ ଅବଢ଼ା କହୁ, ସେ ମହା ପ୍ରସାଦ ବଢା ହୁଏନି ବୋଲି ତାକୁ ଅବଢ଼ା କୁହନ୍ତି। ଏତେ ବକଟେ ଗୁନୁର ମୁଣ୍ଡରେ ସେସବୁ କିଛି ପସୁ ନଥିଲା ବୋଲି ଖାଲି ବଲ ବଲ କରି ଅବଢ଼ା ମୁହଁକୁ ଅନେଇକି ରହିଥିଲା!

      ଲତିକାଙ୍କର ହସରେ ଅବଢ଼ା ପ୍ରକୃତିସ୍ଥ ହୋଇ କହି ପକେଇଲା-ଆଲୋ ଗୁନୁ ଶୁଣେ, ଆମେ ଛୋଟ ବେଳେ ବି ତୋରି ଭଳିଆ ଏସବୁ କିଛି ବୁଝୁ ନ ଥିଲୁ, ଆଉ ଅବଢ଼ାକୁ ବି ଅଭଡା କହୁଥିଲୁ! ସେ ଯାହା ବି ହେଉ, ତୋ 'ଅବଢା ଆଈ' ଡାକଟା କିନ୍ତୁ ସବୁଦିନ ପାଇଁ ମୋର ମନେ ରହିବ।

     ଗୁନୁ ବୁଝୁ କି ନ ବୁଝୁ, ଅବଢ଼ା ବିଷୟରେ ସବୁ କହି ପକାଇ ଅବଢା ଯେମିତି ଶାନ୍ତି ପାଇ ଯାଇଥିଲା, ହେଲେ ଗୁନୁର ସେଇ ପ୍ରଶ୍ନଟି 'ଏବେ କାହିଁକି ନାହିଁ 'ଯେମିତି ବାରମ୍ଵାର ଶୁଭି ଯାଉ ଥିଲା! ମନ ଭିତରକୁ ତାର ପଶି ଆସିଥିଲା ଅନେକ ଭାବନା - ଆଜିକାଲି ସେ ସବୁକୁ କୋଉ ଛୁଆ ପସନ୍ଦ କରୁଛନ୍ତି ଯେ, ସେ ସବୁ ରହିବ! କିଏ ତ କାହା ଘରକୁ ଯିବା ଦୂରର କଥା, ଖେଳିବାକୁ ଟିକେ ବାହାରକୁ ବି ପିଲାଙ୍କୁ ବାପା ମା ଛାଡୁ ନାହାନ୍ତି! ଖୋଲା ଜାଗା ଟିଏ କୋଉ ସବୁଠି ଅଛି ଯେ ପିଲେ ଖେଳ କୁଦ କରି ପାରିବେ! ସବୁବେଳେ ସେଇ ଭିଡିଓ ଗେମ୍, ନ ହେଲେ ଅତି ବେଶି ହେଲେ ଛାତ ଉପରେ ଟିକେ ବୁଲାବୁଲି କର। ନିଜ ନିଜ ଛାତ ଉପରେ ପିଲା ଟି ମାନ ଏକଲା ଏକଲା ବୁଲି, ଆଖ ପାଖ ଛାତ ରେ ବୁଲୁ ଥିବା ଛୁଆଟିକୁ ଯାହା ବିକଳ ହୋଇ ଅନାଉଥିବ! ସାଙ୍ଗରେ ଖେଳିବାକୁ ଭାଇ କି ଭଉଣୀ ଟିଏ ବି ନାହିଁ! ସମସ୍ତଙ୍କର ତ ସେଇ ଗୋଟିଏ!

         ଅବଢ଼ାର କୋଳରୁ ଗୁନୁ ଭିଡ଼ିମୋଡ଼ି ହୋଇ ବାହାରି ଆସିବା ରୁ ତା' ଭାବନାରେ ପୂର୍ଣ୍ଣଛେଦ ପଡିଯାଇଥିଲା! ଏଥର ଲତିକାଙ୍କୁ ବୁଝାଇବାରେ ଲାଗିପଡିଥିଲା - ଚାଲେ ଅବଢ଼ା, ଗୋଲାପ ଆଉ ଚାନ୍ଦ ଆସୁଛନ୍ତି, ପୁଣି କେବେ ଦେଖା ହବ କି ନାହିଁ ଭଗବାନ ଜାଣନ୍ତି! ସେ ନୟନା ଆସିବା ସାଙ୍ଗରେ ତୋର କ'ଣ ଅଛି କହିଲୁ? ତାର ତ ପ୍ରକୃତି ସମସ୍ତଙ୍କ କଥାକୁ ଏପଟ ସେପଟ କରିବା, ସମସ୍ତେ ତାକୁ ଅଳ୍ପେ ବହୁତେ ଜାଣିଛନ୍ତି! ଆମ ଲେଡିଜ୍ ମାନଙ୍କ ର ଗେଟ୍ ଟୁଗେଦର୍, କାହାର ମିଷ୍ଟର କି ପୁଅ କ୍ଲାସ୍ ମେଟ୍ କେହି ଆସୁ ନାହାନ୍ତି! ଲତିକାର ମନା କରିବାର ଉପାୟ ନ ଥିଲା, ହେଲେ ଅବଢ଼ା ତାକୁ ଭଲକରି ବୁଝିପାରେ ଭାବିକି, ଶେଷ ଥର ପାଇଁ ଚେଷ୍ଟା କରି କହିଥିଲା - ନାଇଁ ଲୋ ଅବଢ଼ା, ମତେ ଟିକେ ଅଡୁଆ ଲାଗୁଛି। ଏ ପରିଣତ ବୟସରେ ଛୁଆଙ୍କ ଭଳିଆ ସାକ୍ଷୀ ପ୍ରମାଣ ଦେଇ କାହାକୁ କିଛି ବୁଝାଇବା ଧୈର୍ଯ୍ୟ କି ଇଚ୍ଛା ନାହିଁ! କେବଳ ଦୁଃଖ ରହି ଯାଉଛି ଯେ ଶୁଖିଲାଟାରେ ଏତେ ଛୋଟ କଥାକୁ ଏତେ ବଡ଼ କରି ଭୁଲ ବୁଝାମଣାର ପରିଣାମରେ ପୁରୁଣା ସାଙ୍ଗ କେତେ ଜଣଙ୍କୁ ସବୁଦିନ ପାଇଁ ହରାଇବାକୁ ପଡିଲା! କେହି ହେଲେ ଥରୁଟିଏ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ବି କରିଲେନି! କିଏ ଦିନେ ନିଜକୁ ମୁଁ ତାର ବେଷ୍ଟ ଫ୍ରେଣ୍ଡ ବୋଲି କହୁଥିଲା ତ କିଏ ଭାରି ଅନ୍ତରଙ୍ଗ ବୋଲି ଜଣାଉ ଥିଲା! ଏବେ ବି ଭାବିଲେ, ବନ୍ଧୁ (ଫ୍ରେଣ୍ଡ୍) ର ପରିଭାଷା ସେମାନଙ୍କର କ'ଣ ବୁଝି ପାରୁନି ଲୋ! ପିଲାଟି ବେଳୁ କୋଉ ସାଙ୍ଗ ସାଙ୍ଗରେ ଦିନେ ହେଲେ ମନ ମାଳିନ୍ୟ ହୋଇ ନ ଥିଲା! ତୁ ତ ଭଲ କରି ଜାଣିଛୁ! ଏ ବୁଢ଼ୀ ଦିନରେ ଏମିତି ଭୁଲ ବୁଝାମଣାର ପାଚେରୀ ଟିଏ ଠିଆ ହୋଇଯିବ ବୋଲି ଜମାରୁ ଭାବି ନ ଥିଲି! ସତଟା ତ ସବୁବେଳେ ସତ! ହେଲେ, ମିଛର ଚାଦର ତଳେ ସତ ଟା ଯେ ସବୁଦିନ ପାଇଁ ଲୁଚିଗଲା! ତୁଣ୍ଡ ବାଇଦ ସହସ୍ର କୋଶ! ଆଉ ତିନି ତୁଣ୍ଡରେ ଛେଳି କୁକୁର! ସେଥି ପାଇଁ ଯାହା ଖରାପ ଲାଗେ! ତା 'ସାଙ୍ଗରେ ଆଉ ସାମ୍ନା ସାମ୍ନି ହେବାକୁ ଚାହୁଁନି! ହୁଏତ ମୋ ଭିତରର ଅସନ୍ତୋଷ ମୋ ମୁହଁରେ ପ୍ରତି ଫଳିତ ହୋଇ ଯିବ, ଆଉ ତମ ମାନଙ୍କର ମଜା କମିଯିବ!

         ଏତିକି ବେଳେ ଗୁନୁ ହାତରେ ଗୋଲାପ ଫୁଲ ଟିଏ ଧରି ଦୌଡ଼ିକି ତା' ପାଖକୁ ଚାଲି ଆସି କହିପକେଇଲା - ଆଈ ଆଈ, ତୁ କହୁଥିଲୁ ତୁ ମୋର ଫ୍ରେଣ୍ଡ୍ ବୋଲି, ତୋ ସାଙ୍ଗରେ ମୁଁ ଗୋଲାପ ବସି ପାରିବି? ଆଉ ମତେ ତୋ ଚାନ୍ଦ କୁ ଦେଖେଇବାକୁ ନବୁ?? ତୋର ଭଲ ସାଙ୍ଗ ପରା ସେମାନେ? ଗୁନୁର ସରଳ, ନିଷ୍ପାପ ମୁହଁକୁ ଚାହିଁ ହଠାତ୍ ଲତିକା କିଛି କହିପାରିଲାନି, କେବଳ ତାକୁ ଦୁଇହାତରେ ଟେକି ନେଇ ଛାତିରେ ଚାପି ଧରିଲା କିଛି କ୍ଷଣ, ତାପରେ ତାକୁ ଗେଲ କରି ପକାଇ କହି ଉଠିଲା- ହଁ ଲୋ, ମୁଁ ତୋ ସାଙ୍ଗରେ ଗୋଲାପ ବସିବି, ଆଉ ତତେ ଗୁନୁ ନୁହେଁ, ଆଜି ଠାରୁ ଗୋଲାପ ଡାକିବି! କହୁ କହୁ ଗୁନୁର ହାତରେଥିବା ମଉଳା ଫୁଲଟି ଉପରେ ତା'ଆଖି ପଡି ଯିବାରୁ ଧିରେ କରି ପଚାରି ଦେଲା - ଆଚ୍ଛା କହିଲୁ, କୋଉଠୁ ଏ ଫୁଲଟି ଆଣିଲୁ?ମମି ରୁମ୍ ରେ ରଖାହୋଇଥିବା ଫୁଲ ତୋଡ଼ାରୁ ନୁହଁ ତ? ସାମନ୍ୟ ଡରି ଯାଇ ଗୁନୁ ଲତିକାର କାନ ପାଖକୁ ମୁହଁ ଟି ନେଇ ଫିସ୍ ଫିସ୍ କରି କହିପକାଇଲା - ନାଇଁ, ସାଇବାବାଙ୍କ ପାଦ ତଳୁ, ତୋ ଠାକୁର ଘରୁ! ତୁ ରାଗିବୁନି ତ?

        ଏଥର ଗୁନୁ କଥା ରେ ଲତିକା ଓ ଅବଢ଼ା ଦୁହେଁ ଜୋରରେ ହସି ପକାଇ ତାକୁ ଗେଲ କରି ପକାଇଥିଲେ! ଗୁନୁର ଗୋଲାପ ବସିବା କଥା ଟି ଯେମିତି ଲତିକାର ମନରୁ ବହୁତ୍ କିଛି ମଇଳା ଧୋଇ ଦେଇ ଥିଲା! ତାକୁ ଗେଲ କରି କରି କହି ଚାଲି ଥିଲା - ଚାଲେ ଲୋ, ତୋର ମୋର ଏବେ ଗୋଲାପ ବସିବା। ତତେ ନେଇକି ମୁଁ ସେ ଗେଟ୍ ଟୁଗେଦର୍ କୁ ନିଶ୍ଚିତ ଯିବି, ମୋ ନୂଆ ଗୋଲାପ ରାଣୀ କୁ ଦେଖେଇବା ପାଇଁ! ମୋ ଧନ କୁ ସମସ୍ତଙ୍କର ଆଶୀର୍ବାଦ ବି ମିଳିଯିବ! ଆଉ ମନେ ମନେ ଭାବୁଥିଲା - ପାଞ୍ଚବର୍ଷ ର ଗୁନୁ କୁ ଗୋଲାପ ବସିବା ଟା ଭଲ ଲାଗିଲା ପରି ପୁଣି ଆାଗାମୀ ଜେନେରେସନ୍ ର ପିଲାମାନେ ହୁଏତ ବହୁତ କିଛି ପୁରୁଣା ଚଳନି କୁ ଆପଣେଇ ନେବେ... ଧିରେ ଧିରେ ସମୟ ଚକ୍ର ରେ ସମସ୍ତେ ଯେମିତି ପଛ କୁ ପଛ ଫେରିଯିବେ.... ପଶ୍ଚାତ୍ୟ ସଭ୍ୟତା ର ଗନ୍ଧ ଟା ଯେମିତି ଫିକାପଡି ଚାଲିବ... ମୁହଁ ରେ ତାର ସରୁ ହସ ଧାର ଟିଏ ଟାଣି ହୋଇ ଯାଇଥିଲା....!



Rate this content
Log in