puspanjali das

Classics

3  

puspanjali das

Classics

କୁମ୍ଭାରୁଆ ବସା

କୁମ୍ଭାରୁଆ ବସା

4 mins
10



  ' ବୋଉ ', 'ବୋଉଲୋ ' ଦେଖିବୁ ଆସେ,କହି କହି ଡାକି ଚାଲିଥିଲା ଲିପି।ସୁଚିତ୍ରା ସାମାନ୍ୟ ବିରକ୍ତ ହୋଇ ରୋଷେଇ ଘରୁ କାନି ରେ ହାତ ପୋଛୁ ପୋଛୁ ଚାଲି ଆସିଥିଲେ।ସାନ ଝିଅ ଲିପି ର ଡାକ ଟି ବାଡ଼ି ପଟ ପୁରୁଣା ଘର ଆଡୁ ଜୋର୍ ରେ ଆସୁଥିବା ଜାଣି,ବିରକ୍ତି ଟି ତାଙ୍କର ଆହୁରି ଟିକିଏ ବଢି ଯାଇଥିଲା।ଶେଷ କୁ ତା ' ଡାକ ବନ୍ଦ ନ ହେବାରୁ ଏକ ପ୍ରକାର ଦୌଡ଼ି ଯାଇ ତା ' କାନ ଧରି ଟାଣି ଆଣିଥିଲେ।ଆଲୋ,କଣ ଏମିତି ହେଲା ଯେ ଏତେ ଜୋର୍ ରେ ରଡି ଛାଡ଼ିକି ଡ଼ାକୁଛୁ? ସଅଁ ସଅଁ ହୋଇ ଲିପି ଏକା ନିଶ୍ୱାସ ରେ କହି ପକାଇଲା - 'କୁମ୍ଭାରୁଆ ବସା ' ଦେଖିଲି!

      ସୁଚିତ୍ରା ତା' କାନ କୁ ଛାଡ଼ି ଦେଇ ଚେୟାର ଟିରେ ଲଥ୍ କରି ବସି ପଡ଼ିଲେ।'ଓଃ ' ପାଟିରୁ ତାଙ୍କର ମନ କୁ ମନ ବାହାରି ଆସିଥିଲା।କିଛି କ୍ଷଣ ରହି ଯାଇ ଧୀରେ ଲିପି କୁ ପଚାରି ଦେଲେ - କୋଉଠି, ଚାଲିଲୁ ଦେଖିବା।ମନ ଭିତରେ ତାଙ୍କର ଅନେକ ପ୍ରଶ୍ନ ଏପଟ ସେପଟ ହେଉଥିଲା,କାହାର ତ କିଛି ହବାର ସମ୍ଭା ବନା ନାହିଁ, ଏ କୁମ୍ଭାରୁଆ ବସା ହେଲା କେମିତି??ବୋଉ କହୁଥିବା ଅନୁଯାୟୀ,ଘର ର କୌଣସି ସଦସ୍ୟ ର ଯଦି ପିଲା ପିଲି ହେବାର ଥାଏ, ତା ହେଲେ କୁମ୍ଭରୁଆ ପୋକ ଟି ଜାଣି ପାରି ତାର ସୂଚନା ଦିଏ,ସେଇ ଘରେ ଗୋଟିଏ ବସା କରିଦେଇ, 'କୁମ୍ଭାରୁଆ ପୋକ' - ପ୍ରକୃତି ର ବିଚିତ୍ର ରଚନା ରୁ ଗୋଟିଏ,ବିରୁଡି ଜାତୀୟ ଗୋଟିଏ କୀଟ ଯିଏ କାନ୍ଥ ବାଡ ରେ ଠିକ୍ କୁମ୍ଭାର ପରି ମାଟି କୁ ନେଇ ଘର ପ୍ରସ୍ତୁତ କରିଥାଏ,ଏତେବର୍ଷ ର ଶୁଣି ଆସିଥିବା କଥା ,ବିଶ୍ୱାସ ,କଣ ସବୁ ମିଛ??

     ତଥାପି ମନ କୁ ବୁଝାଇ ଲିପି ସାଙ୍ଗରେ ଯାଇ ତନଖି କରି ଦେଖିଲେ - ପୁରୁଣା ଘର ର ଅଧ ଭଙ୍ଗା କବାଟ ପାଖରେ ଛୋଟିଆ କୁମ୍ଭରୁଆ ବସା ଟିଏ।ଯଦିଓ ସ୍ପଷ୍ଟ ହୋଇ ବାରି ହେଉ ନ ଥିଲା ତାର ଆକାର ,ତଥାପି କୁମ୍ଭାରୁଆ ବସା ବୋଲି ନିଶ୍ଚିତ ହୋଇ ଥିଲେ।ବୋଉ କହୁଥିଲା,ବସା ଟି ଲମ୍ବା ,ନଳି ନଳି ହୋଇଥିଲେ 'ପୁଅ'ହୁଏ,ଆଉ ଗୋଲ ଆକାର ହୋଇଥିଲେ 'ଝିଅ'ହୁଏ!ମନେ ମନେ ଦୋହରାଊ ଥିଲେ ,ଯେମିତି ନିଜେ ନିଜକୁ ବୁଝାଉ ଥିଲେ।ହେଲେ ତାଙ୍କ ଘର ର କୌଣସି ସଦସ୍ୟ ର ତ ସନ୍ତାନ ସନ୍ତତି ହେବାର ନ ଥିଲା,କି ହବାର ସମ୍ଭାବନା ମଧ୍ୟ ନାହିଁ!!ସରୁ ଆଶା ଟିଏ ଯେମିତି ନିଜ ଭିତରେ ଭିଡ଼ି ମୋଡ଼ି ହେଉ ଥିଲା!ମନ କୁ ପୁଣି ନିଜେ ବୁଝାଇ ଦେଲେ; ନାଇଁ ସେସବୁ ଅନ୍ଧ ବିଶ୍ବାସ!ବୋଉ ପୁରୁଣା କାଳିଆ ଲୋକ, ତା' କଥା ରେ କ'ଣ ଅଛି!କେତେବେଳେ କେମିତି ସଂଯୋଗ ରେ ହୋଇ ଯାଇ ଥିବ,ଆଉ ତା ' ଆଖିରେ ପଡ଼ିଛି ବୋଲି,ଏତେ ପାଠ ଶାଠ ପଢିଥିବା ସୁଚିତ୍ରା ସହଜରେ ଗ୍ରହଣ କରି ପାରିବେନି।ଲିପି ର ହାତ ଧରି ଟାଣି ଟାଣି ଆଣୁ ଆଣୁ ଆଖି ତାଙ୍କ ର ପୁଣି ଚାଲି ଯାଉଥିଲା - ସେଇ 'କୁମ୍ଭାରୁଆ ବସା ' ଆଡ଼କୁ ।ନିଠେଇ ଦେଖିବାକୁ ମନ ଯେମିତି ବାରମ୍ବାର କହୁଥିଲା - ଲମ୍ବା ଘର ,ନଳି ନଳି ନାଁ ଗୋଲ୍ ଘର ଜାଣିବାକୁ ଇଛା ତାଙ୍କର ପ୍ରବଳ ହେଉଥିଲା।ସତେ କି ଡାକ୍ତର ଙ୍କ ର ସୋନୋଗ୍ରାଫି ସେଇଟା ଥିଲା!

   ଭାଵନାର ଖିଅ ତାଙ୍କର ଲମ୍ବି ଯାଇଥିଲା...ପୁଅ ସୁମନ୍ତ ର ବାହାଘର,ତା'ପରେ ପରେ ବୋହୁ ସାନ୍ତ୍ଵନା ର ଗୋଟିଏ ପରେ ଗୋଟିଏ ଟେଷ୍ଟ ପିଲା ହେବା ପାଇଁ...ଶେଷ କୁ ସାନ୍ତ୍ଵନା ର ଅକ୍ଲାନ୍ତ ଚେଷ୍ଟା ସତ୍ତ୍ୱେ ସବୁ ବିଫଳ ହେବା କୁ କଷ୍ଟ ରେ ହେଉ ପଛ କେ ଗ୍ରହଣ କରିନେଇ ,ଶେଷ ଆଶା ଟିକକ ମଧ୍ୟ ଛାଡ଼ି ଦେଇ ଥିଲେ!ବଡ ଝିଅ ଦୁଇ ଜଣ ଙ୍କ ର ସନ୍ତାନ କୁ ନେଇ ନାତି ନାତୁଣୀ ର ଅଭାବ କୁ ଯଦିଓ ପୂରଣ କରି ପାରିଥିଲେ,ହେଲେ ମନ ର ନିଭୃତ କୋଣ ରେ କୋଉଠି କେମିତି ଦୀର୍ଘ ଅଠର ବର୍ଷ ପରେ ମଧ୍ୟ ଆଶା ର କିରଣ ଟିଏ ଲୁଚି କି ରହି ଯାଇ ଥିଲା!ବୋହୂ ସାନ୍ତ୍ଵନା କୁ ସମସ୍ତେ ଯେମିତି ତା ' ନାଁ ର ସାର୍ଥକ କରି ସାନ୍ତ୍ଵନା ହିଁ ଦେଇ ପାରୁଥିଲେ,ଆଉ କିଛି ନୁହେଁ -' ଭାଗ୍ୟ ରେ ନାହିଁ ' କହି ବୁଝାଇବା କେବଳ ଶ୍ରେୟ ହୋଇଥିଲା!ସାନ୍ତ୍ଵନା ର କରୁଣ ମୁହଁ ଟି ମଝିରେ ମଝିରେ ଆଖି ଆଗରେ ତାଙ୍କର ନାଚି ଯାଉ ଥିଲା।ଏଥରକ ଚୈତ୍ର ନବରାତ୍ରୀ କରିଥିବା ସାନ୍ତ୍ଵନା ଯେମିତି ମା ' ଙ୍କୁ ଆଉ ଛୁଆ ଟିଏ ପାଇଁ ଡାକୁ ନଥିବା ଲାଗୁଥିଲା!ହୁଏତ ସେ ମା' ଙ୍କ ନିର୍ଦ୍ଦେଶ ଯେମିତି ଜାଣି ସାରିଥିଲା,ଆଉ ସେସବୁ କୁ ଭାଗ୍ୟ ର ଖେଳ ବୋଲି ଭାବି ସାରିଥିଲା!କେବଳ ତାକୁ ଧୈର୍ୟ ଦରକାର ଥିଲା,ଆଶା ଛାଡ଼ି ନିଜ ଭିତରେ ଶାନ୍ତି ପାଇବା ହିଁ ନିହାତି ଜରୁରୀ ବୋଲି ଜାଣି ପାରିଥିଲା।

      ପ୍ରତି ବର୍ଷ ପରି ସେ ବର୍ଷ ମଧ୍ୟ ନିଜ ବାପଘର କୁ ଯାଇଥିଲା ଚୈତ୍ର ନବରାତ୍ରୀ କରିବା ପାଇଁ।ପ୍ରତି ଥର ଭଳି ଫୋନ୍ କରି ସୁଚିତ୍ରା ଙ୍କ ସାଙ୍ଗରେ କଥା ହେଉ ହେଉ ,ହଠାତ୍ ବାକ୍ୟ ଟି ପୂରଣ କରି ନ ପାରି ଫୋନ ରଖିଦେବା ଟା ସୁଚିତ୍ରା ଙ୍କୁ ବ୍ୟସ୍ତ କରି ପକାଇ ଥିଲା।ହ୍ୟାଲୋ , ହ୍ୟା ଲୋ କହି ସିଏ ମଧ୍ୟ ଫୋନ ରଖିବାକୁ ବାଧ୍ୟ ହୋଇଥିଲେ।ପରେ ଫୋନ କରିଲେ ମଧ୍ୟ କିଛି ଉତ୍ତର ମିଳି ନ ଥିବାରୁ,ଲୁଗା ବଦଳି ସଞ୍ଜ ଦେବାକୁ ବାହାରି ଯାଇଥିଲେ।

    ସଞ୍ଜ ବତୀ ର ଆଲୁଅ ଧୀରେ ଧୀରେ ଧିମା ହେବାକୁ ଲାଗିଥିଲା,ହେଲେ ସୁଚିତ୍ରା ଙ୍କ ଲୁହ ସେମିତି ଗଡି ଚାଲିଥିଲା..କାଳିଆ ଆଗରେ ମନ ର ସବୁ କୋହ କୁ ଯେମିତି ଖୋଲି ଦେଉଥିଲେ।ସବୁଦିନ ତ ସେମିତି ସକାଳେ ସଂଜେ ବହୁ ସମୟ କାଳିଆ ପାଖରେ କାନ୍ଦି ପକେଇ ମନ ର ବୋଝ କୁ ଟିକିଏ ହାଲୁକା କରି ଦିଅନ୍ତି...

       ଫୋନ ରିଙ୍ଗ ରେ ତର୍ ତର ହୋଇ ଉଠି ଆସି,ସାନ୍ତ୍ଵନା ର ମା ଙ୍କ ସ୍ୱର ଶୁଣି ଆଶ୍ବସ୍ତ ହୋଇଥିଲେ।କିଛି ପଚାରିବା ପୂର୍ବରୁ ସେ କହି ପକାଇଥିଲେ ଯେ,ସାନ୍ତ୍ଵନା ର ମୁଣ୍ଡ ବୁଲାଇ ଦେଲା ଯେ ,ସେ ପଡ଼ିଗଲା,ତାକୁ ପୁଅ ତାଙ୍କର ନିକଟ ଡାକ୍ତରଖାନାକୁ ନେଇ ଯାଇଥିଲା,ସେଥିପାଇଁ ସେ କିମ୍ବା ସାନ୍ତ୍ଵନା କଲ୍ କରି ପାରି ନ ଥିଲେ।'ଚୈତ୍ର ନବରାତ୍ରୀ ଏତେ ନିଷ୍ଠା ର ସହ କରୁଛି ଯେ ପୂଜା ନ ହେଲା ପର୍ଯ୍ୟନ୍ତ ପାଣି ଟୋପାଏ ବି ପିଉନି, ସେଇଥିପାଇଁ ବୋଧହୁଏ ଏସିଡିଟି ହୋଇ ଯାଇଛି, ତଥାପି ପୁଅ ତାକୁ ଡାକ୍ତରଖାନା ନେଇ ଯାଇ ଡାକ୍ତର ଙ୍କ କହିବା ଅନୁଯାୟୀ କିଛି ଟା ଟେଷ୍ଟ କରାଇ ନେଇ ଆସିଛି।ସେ ଏବେ ଭଲ ଅଛି, ଖାଇକି ବିଶ୍ରାମ କରୁଛି।'ଏତକ ଖବର ପାଇ ସୁଚିତ୍ରା ଯଦିଓ ଟିକିଏ ଆଶ୍ବସ୍ତ ହୋଇଥିଲେ,ତଥାପି ମନ ଟା ତାଙ୍କର ମାନି ନ ଥିଲା,ଯୋଉଥିପାଇଁ ପୁଅ କୁ ଫୋନ ଲଗାଇ ସାନ୍ତ୍ଵନା ର ଘରକୁ ପଠାଇ ଦେଇ ଥିଲେ।

     କିଛି ଦିନ ପରେ ସବୁ ଟେଷ୍ଟ ରିପୋର୍ଟ ଧରି,ସାନ୍ତ୍ଵନା ପୁଅ ସୁମନ୍ତ ସାଙ୍ଗରେ ଫେରିଥିଲା,ଆଉ ସାଙ୍ଗରେ ଯେମିତି ସେ ଘର ର ସବୁ ଖୁସି କୁ ସାଉଁଟି ଆଣିଥିଲା ଛୋଟିଆ କାଗଜ ଖଣ୍ଡିକ ରେ!ସେ ମା ହେବାକୁ ଯାଉଥିବା ଖବର ଟା ବିଜୁଳି ବେଗ ରେ ଖେଳି ଯାଇଥିଲା ସାଙ୍ଗ ସାଥୀ,ସାହି ପଡିଶା ଚାରିଆଡ଼େ....ସୁଚିତ୍ରା ଙ୍କ ର ସବୁ ନିରାଶା ରେ ପୂର୍ଣ୍ଣ ଛେଦ ପକାଇ ,କାଳିଆ ଠାକୁର ତାର ଗୁହାରି କୁ ଯେମିତି ଶୁଣି ପାରିଥିଲେ....

   ସୁଚିତ୍ରା ଙ୍କ ପାଦ ତଳେ ଲାଗୁ ନ ଥିଲା,କାଳିଆ ସାଆନ୍ତ ଙ୍କୁ ଜୁହାର କରି କରି ଦୌଡୁ ଥିଲେ ପୁଅ ବୋହୂ ଙ୍କୁ ବନ୍ଦାପନା କରି ପାଛୋଟି ଆଣିବାକୁ....ମନ ତାଙ୍କର ବାରମ୍ବାର ସେଇ 'କୁମ୍ଭାରୁଆ ବସା' କୁ ଚାଲି ଯାଉଥିଲା,ଆଉ ବୋଉ ର କଥା ତକ ପୁରୁଣା କାଳିଆ ହେଉ ପଛକେ ,ବିଶ୍ୱାସ କରିବାକୁ ଯେମିତି ଖୁବ୍ ଜୋର୍ ରେ ଇଚ୍ଛା ହେଉଥିଲା ।


Rate this content
Log in

Similar oriya story from Classics