puspanjali das

Abstract

3  

puspanjali das

Abstract

ମୁଠାଏ ସ୍ମୃତି ଟିକିଏ ପ୍ରଯତ୍ନ

ମୁଠାଏ ସ୍ମୃତି ଟିକିଏ ପ୍ରଯତ୍ନ

4 mins
143



'ବଷୁ'...'ବଷୁ'...ଉଠେ,ଉଠେ...ଏତକ ବର୍ଷାଳୀକୁ ଝାଳନାଳ କରିଦେଇଥିଲା! ହଠାତ୍ ଉଠିପଡ଼ି ପାଖରେ ରଖିଥିବା ମୋବାଇଲକୁ ଦେଖି ସମୟ ଜାଣିଥିଲା ଯେ-ରାତି୩.୩୦ ମିନିଟ ! ଆଉ ମୁଣ୍ଡ ପାଖରେ ଥୁଆ ହୋଇଥିବା ପାଣି ବୋତଲରୁ ଏକାନିଶ୍ୱାସରେ ଅଧାବୋତଲ ପାଣି ପିଇଦେଇ ସାମାନ୍ୟ ଆଶ୍ୱସ୍ତ ହୋଇଥିଲା।କିଏ ଏତେବେଳେ ଏମିତି ହଲାଇକି ଡାକିବେନି ବୋଲି ମନକୁ ବୁଝାଇ ପୁଣି ଗୋଡ଼ ଉପରୁ ଚାଦରଟିକୁ ଦେହ ଉପରକୁ ଟାଣିନେଇ ଶୋଇବାକୁ ଚେଷ୍ଟା କରିଥିଲା।ହେଲେ ଆଖିରୁ ନିଦ ଉଡିଯାଇ ରାତିରେ ଦେଖିଥିବା ସ୍ୱପ୍ନର ଝାପ୍ସା ଝାପ୍ସା ଝଲକ ମନ ଭିତରକୁ ପସିଆସିଥିଲା।ମନେ ପଡିଯାଇଥିଲା ,'ବଷୁ' ଡାକ ତ ତା' ସାନଭାଇର! ସବୁଠାରୁ ସାନ ବୋଲି ଗେହ୍ଲାରେ ଯିଏ ଯାହା ଡାକିଲେ ମଧ୍ୟ ତାଙ୍କ ପାଟିରେ ତ କେବଳ 'ବଷୁ' ହିଁ ଥାଏ! ସେଇ ତ ତାକୁ ଉଠାଉଥିଲେ ଆଉ କେତେ କଥା କହୁଥିଲେ...

     ଖାତା ଖଣ୍ଡେ ଓ କଲମଟିଏ ଧରି ଘର ଭିତରକୁ ପଶି ଆସି ପାଖରେ ବସିପଡି ଅତି ଧୀର ସ୍ୱରରେ କହୁଥିଲେ-ବଷୁ,ତୁ ଲେଖୁନୁ କାହିଁକି? ନେ...ତୋ ଖାତା ଓ କଲମ ମୁଁ ନେଇ ଆସିଛି ଲେଖାଲେଖି ଜମା ବନ୍ଦ କରେନି।ତୁ କ'ଣ ଭୁଲିଗଲୁ ଆଙ୍କିବା ଛାଡିଦେଲି ବୋଲି ମୋ ହାତ କେମିତି ଗଲାନି ସେ ତୁଳୀ ଧରିବାକୁ? ଖେଳିବା ଛାଡିଦେଲି ବୋଲି ମୋ ଗୋଡ଼ ଦୁଇଟା ବ୍ୟାଡ଼ମିଣ୍ଟନ ଖେଳିବାକୁ ଦୌଡିପାରିଲାନି! ତୁ ପରା ମତେ କେତେ ବୁଝାଇଛୁ....ମନବଳ ଟାଣ କରିବାକୁ କହିଚୁ ଅନେକଥର! ପୁରୁଣା ସାଙ୍ଗସାଥୀଙ୍କ ସାଙ୍ଗରେ ସମ୍ପର୍କ ରଖିବାକୁ ପ୍ରବର୍ତ୍ତାଇଛୁ! ଅଥଚ ନିଜେ....ତୋ ବଞ୍ଚିବାର ସାହାରାକୁ ଛାଡି ଦେଉଛୁ! ତୋ ଲେଖା ମୋର ଏବେ ବି ମନେ ପଡୁଛି-'ଲେଖୁଛି ବୋଲି ମୁଁ ବଞ୍ଚିଛି! '

     ବର୍ଷାଳୀ ମନରେ ଜୋରଦେଇ ଆଉକିଛି ଶୁଣିବାକୁ ଯେମିତି ଚେଷ୍ଟା କରୁଥିଲା, ହେଲେ...ବହୁତ କିଛି ରହିଗଲା ପରି ଲାଗୁଥିଲେ ବି ଆଉ କଣ ସବୁ କହୁଥିଲେ କିଛି ବି ମନେ ପଡୁନଥିଲା ଯେମିତି ଥକି ପଡୁଥିଲା ଦେହ ମନ ତାର ଅବଶ ହୋଇ ଯାଉଥିଲା! ସାନଭାଇର ମୁହଁଟି ସତେ ଯେମିତି ସ୍ପଷ୍ଟ ହୋଇ ଯାଉ ଯାଉ ପୁଣି ଝାପ୍ସା ହୋଇ ଉଭେଇ ଯାଉଥିଲା..ଆଉ ସେଇ ଝାପ୍ସା ଝାପ୍ସା ସ୍ୱପ୍ନ ଖଣ୍ଡ ଭିତରେ ପିଲାଦିନର ସ୍ମୃତି କିଛି ମୁଣ୍ଡ ଟେକି ଠିଆ ହୋଇ ଯାଉଥିଲେ...

   ସେଦିନ ବି ଶୀତୁଆ ସକାଳ ଥିଲା।ସାନଭାଇ ଓ ସେ ଦୁହେଁ ମିଶିକି ବଡ଼ଭାଇଙ୍କ ସାଙ୍ଗରେ ଲଗାଇଥିବା ସର୍ତ୍ତ ଅନୁସାରେ,ରାକେଟ ଧରି ବାହାରି ପଡ଼ିଥିଲେ ଖେଳିବାକୁ। ଖେଳ ପୂର୍ବରୁ ଦଶଥର ବର୍ଷାଳୀ ଠାକୁରଙ୍କୁ ମୁଣ୍ଡିଆ ମାରି ପକାଇବା ଦେଖି ଦୁଇ ଭାଇ ଯାକ ହସି ହସି ଗଡିଯାଇଥିଲେ! ହେଲେ,ସାନଭାଇଙ୍କ ମୁହଁର ସାମାନ୍ୟ ଆଶ୍ବସ୍ତି ଦେଖି ତା' ମୁହଁରେ ଛୋଟିଆ ହସଟିଏ ଖେଳି ଯାଇଥିଲା ଓ ପୁଣିଥରେ ଭଲକରି ରାକେଟକୁ ମୁଣ୍ଡିଆ ମାରି ପକାଇ ଖେଳ ଆରମ୍ଭ କରିଦେଇଥିଲା। ସର୍ତ୍ତ ଅନୁଯାୟୀ ବଡ଼ଭାଇଙ୍କ ଅପରପକ୍ଷରେ ସେ ଓ ସାନଭାଇ ଦୁହେଁ ମିଶିକି ଖେଳି ଯଦି ହରାଇଦେବେ, ତା' ହେଲେ ସେଦିନର ସନ୍ଧ୍ୟା ବେଳର ଗୁପ୍ ଚୁପ ,ଚାଟ୍,ଦହିବରା ଆଳୁଦମ ଯାହା ଯିଏ ଯେତେ ଖାଇପାରିବେ ସବୁ ବଡ଼ଭାଇ ଦେବେ। ଆଉ  ସମସ୍ତଙ୍କୁ ଚମକାଇ ଦେଇ ଗଡ଼ ଜିଣିଲା ପରି ସେ ଦୁହେଁ ସେଦିନ ଜିତି ଯାଇଥିଲେ! ବଡ଼ଭାଇ ମଧ୍ୟ ଜମା ବିଶ୍ୱାସ କରିପାରିନଥିଲେ! ହେଲେ ଦୁଇଭାଇ ଯାକ ଭାରି ଖୁସିଥିଲେ ସେଦିନର ବର୍ଷାଳୀର ଖେଳ ଦେଖିକି! ଘରର ସମସ୍ତଙ୍କର ମଧ୍ୟ ସନ୍ଧ୍ୟା ବେଳର ଦହିବରା ଆଲୁଦମ ପାର୍ଟିଟା ଖୁବ ଖୁସିରେ କଟିଥିଲା।ନୂଆନୂଆ କଲେଜରେ ପାଦ ଥାପିଥିବା ବର୍ଷାଳୀକୁ ଅବଶ୍ୟ ଆଉ କେବେ ସେମିତି ଖେଳିବାର ସୁଯୋଗ ମିଳିନଥିଲା! ପାଠ ପଢ଼ାର ପ୍ରେସର, ପରେପରେ ବାହାଘର ହୋଇଯାଇ ବ୍ୟାଡମିଣ୍ଟନ୍ ଖେଳକୁ ପୁରାପୁରି ଭୁଲିଯାଇଥିଲା।ହେଲେ ବଡ଼ଦିନ ଛୁଟିରେ ,ଦୁଇ ଭାଇଙ୍କ ଖେଳ ଦେଖିବାକୁ ବେଳେ ବେଳେ ଛୁଆଙ୍କୁ ଧରି ଘରକୁ ଚାଲିଆସୁଥିଲା।

   ରାତି ରାତି ଅନିଦ୍ରା ହୋଇ ବର୍ଷାଳୀର ଅଙ୍କକୁ ସାନଭାଇଙ୍କ ର କଷିବା ମନ ଭିତରକୁ ଧସେଇ ହୋଇ ପଶି ଆସୁଥିଲା। ତା' ସାଙ୍ଗକୁ ନିଦ ଭଙ୍ଗେଇବା ପାଇଁ ତାଙ୍କ କୌଶଳ ମଧ୍ୟ।ଆଖିରେ ପାଣି ଛାଟି ନିଦ ନ ଭାଙ୍ଗିଲେ ସାନଭାଇଙ୍କର ଚାପୁଡ଼ାମାରି ଗାଲ ଲାଲ କରିଦେବା ମଧ୍ୟ ସେତେବେଳେ ବର୍ଷାଳୀ ବୁଝିବା ଶକ୍ତି ବାହାରେ ଥିଲା! ସ୍କୁଲ ଜୀବନ ସାରା ତାଙ୍କରି ପାଖରୁ ଅନେକ ଥର ସେମିତି ନିଦ ଭଙ୍ଗେଇଥିବ ଏମିତି କି କଲେଜରେ 'କଳା' ନେଇ ପଢିଲାବେଳେ ନିଜକୁ ନିଜେ ମଧ୍ୟ କେତେଥର ଚାପୁଡ଼ା ମାରି ନିଦ ଭଙ୍ଗେଇଥିଲା! ତେବେ ସେକଥା ଶୁଣି ଅବଶ୍ୟ ଘରେ ଚାପା ହସର ଗୁଞ୍ଜରଣ ଖେଳିଯାଉଥିଲା! ହେଲେ ସାନ ଭାଇ 'ବଷୁ' ର ନିଦ ଭାଙ୍ଗିବା କୌଶଳଟା ପ୍ରୟୋଗ କରିବା ଅଭ୍ୟାସଟା ଯାଉନଥିଲା! ଛୁଟି ଦିନରେ ଘରର ସମସ୍ତେ ଏକାଠି ହୋଇ ତାସ୍ ଖେଳର ଆସର ଜମିଲାବେଳେ ଯେତେବେଳେ ବର୍ଷାଳୀ ନିଦ ଲାଗିବାର ବାହାନା କରୁଥିଲା ସେତେବେଳେ ସାନଭାଇ ଓ ତା'ର କଥା କଟାକଟି ହୋଇ ଯାଉଥିଲା ପଛକେ ବଷୁ କିନ୍ତୁ ନିଦ ନ ଭାଙ୍ଗିବା କୌଶଳଟି ପ୍ରୟୋଗ କରିପାରୁନଥିଲା । ଯୋଉଥିପାଇଁ ତାକୁ ବୋଉର ସାହାରା ସବୁବେଳେ ନେବାକୁ ପଡୁଥିଲା! ହେଲେ ଥରୁଟିଏ 'ହାଡିକଷି' କଉଡି ଖେଳରେ ବର୍ଷାଳୀ ସେ ନିଦ ଭାଙ୍ଗିବା କୌଶଳଟି ପ୍ରୟୋଗ କରି ଖେଳି ଦେଇଥିଲା ବୋଲି,ଅନେକ ଦିନ ପର୍ଯ୍ୟନ୍ତ ତା'ସାନଭାଇ ଓ ବଡ଼ ଭାଉଜଙ୍କ ପାଖରୁ ହସି ହସି କେତେକଥା ଶୁଣିଥିଲା।

   ସମୟ ଗଡ଼ିବା ସାଙ୍ଗରେ ବର୍ଷାଳୀର ପିଲାମାନେ ଓ ଦୁଇ ଭାଇଙ୍କର ପିଲାମାନେ ମଧ୍ୟ ବଡ଼ ହୋଇ ଯାଇଥିଲେ...ସମୟର କ୍ରୁରତାରେ ବଡ଼ଭାଇ ଆଖି ବୁଜି ଥିଲେ,ଆଉ ହୁଏତ ତାଙ୍କୁ ଝୁରି ଝୁରି ସାନଭାଇ ତାଙ୍କ କ୍ୟାନଭାସ୍ ଓ ତୁଳୀ କି ଭୁଲିବାକୁ ବସିଥିଲେ...ଯୋଉ ରଙ୍ଗ ତୁଳୀ ନେଇ ତାଙ୍କ ଚିତ୍ରକରର ଆତ୍ମା ଫର୍ଦ୍ଦ ଫର୍ଦ୍ଦ ହୋଇ ଖୋଲି ଚାଲିଥିଲା, ଇଛା ମାନେ ଡେଣା ମେଲାଇ ଉଡି ବୁଲୁଥିଲେ,ସତେ ଯେମିତି ତେଲ ଲୁଣ ସଂସାରର ବୋଝ ଧୀରେ ଧୀରେ ସେ ରଙ୍ଗ ସବୁକୁ ଫିକା କରିଦେଉଥିଲେ! କାନ୍ଥରେ ଟଙ୍ଗା ହୋଇଥିବା ରାକେଟ ଦୁଇଟି ସତେ ଯେମିତି ବାରମ୍ବାର ଆକ୍ଷେପ କରୁଥିଲେ.. ଅଳନ୍ଦୁ ଲାଗି ଗଟିଙ୍ଗ ଗୁଡିକ ଢିଲା ହେବାକୁ ଲାଗିଥିଲା... ବାସ୍ତବତାର କଷାଘାତରେ ବ୍ୟାଡମିଣ୍ଟନ ଖେଳିବାର ସଉକଟା ଯେମିତି ମରି ମରି ଆସିଥିଲା,ଗୋଡ଼ ଦୁଇଟି ତାଙ୍କର ଯେମିତି ଶୁଖିଲା ତୁଳୀ ଭଳି ଅଚଳ ହୋଇ ପଡୁଥିଲା।

  ଶେଷରେ 'ପାର୍କୀନସନ୍'ବୋଲି ଡାକ୍ତରଙ୍କର ସ୍ବୀକାରୋକ୍ତିରେ ସବୁକିଛି ଯେମିତି ଓଲଟପାଲଟ ହୋଇଯାଇଥିଲା! ଦିନ କେଇଟାରେ ସମସ୍ତଙ୍କୁ କନ୍ଦାଇଦେଇ ନିଜ କଷ୍ଟରୁ ମୁକ୍ତି ପାଇଯାଇଥିଲେ।ହେଲେ ଅଚଳ ଯେମିତି ହୋଇଯାଇଥିଲା ବର୍ଷାଳୀର କଲମ! ଲେଖିବାର ସ୍ପୃହା ଯେମିତି ହଜି ଯାଇଥିଲା! କୋଭିଡ୍ ପ୍ରପୀଡ଼ିତ ହୋଇ ,ସେ ଦୁଃଖଦ ଘଟଣାରେ ନିଜ ପରିବାର ସାଙ୍ଗରେ ନ ରହିପାରିବାର ଦୁଃଖ ଓ ଶେଷ ଥର ପାଇଁ ସାନଭାଇକୁ ଦେଖା କରି ନ ପାରିଥିବାର କ୍ଷୋଭରେ ନିଜକୁ କ୍ଷମା କରିପାରୁନଥିଲା କି ସେ ନିଷ୍ଠୁର ମହାମାରୀକୁ କ୍ଷମା କରିପାରୁନଥିଲା! କଲମକୁ ଧରିନେଲେ ସାନଭାଇଙ୍କ ତୁଳୀ ପରି ଲାଗୁଥିଲା...ଆଉ ଖାତାଟିଏ ଖୋଲିଦେଲେ ଗାର ସବୁ ଲିଭିଯାଇ ଡ୍ରଇଂ ପେପର ଭଳି ଲାଗୁଥିଲା! ତା'ସାନଭାଇ ଆଉ ଏ ଦୁନିଆରେ ନାହାନ୍ତି'-ଏ କଥା ଯେମିତି ସେ ଗ୍ରହଣ କରିପାରୁନଥିଲା!

    ସକାଳର ସୂର୍ଯ୍ୟ ଉଇଁ ମୁଣ୍ଡ ଉପରକୁ ଉଠିଯାଇଥିଲା । ବର୍ଷାଳୀର ରୋଷେଇ ଘରର ନିସ୍ତବ୍ଧତା ପିଲାମାନଙ୍କୁ ଟାଣି ନେଇଥିଲା ହେଲେ ତାକୁ ସେଠି ନ ପାଇ ନିରାଶ ହୋଇ ଫେରି ଆସୁ ଆସୁ ଷ୍ଟଡିରୁମରୁ କାଚରୁଣୁଝୁଣୁ ଶବ୍ଦରେ ଅଟକି ଯାଇଥିଲେ...ଖାତା ଓ କଲମ ଧରି ବସିଥିବା ବର୍ଷାଳୀକୁ ଦେଖି ସାମାନ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ଖୁସିର ଚମକ ଆଖିରେ ସେମାନଙ୍କର ଖେଳି ଯାଇଥିଲା..!

  



Rate this content
Log in

Similar oriya story from Abstract