ଅପାସୋରା
ଅପାସୋରା
ହଠାତ୍ ଗୋଟିଏ ଫୋନ କଲ ପାଇ,ଶ୍ରୀ ସେଦିନ ଖୁବ୍ ଶୀଘ୍ର କଲେଜ ରୁ ଘର କୁ ଫେରି ଯାଇଥିଲା।ବାନ୍ଧବୀ ସମ୍ପୂର୍ଣ୍ଣା ର ପ୍ରଶ୍ନ କୁ ମୁଣ୍ଡ କଣ ହେଉଛି କହି ଅବଶ୍ୟ ଆଡେଇ ଯାଇଥିଲା, ହେଲେ ତର ତର ରେ ଫୋନ ଟିକୁ ତା'ରି ପାଖରେ ଛାଡି ଦେଇଥିଲା।ଘରେ ପସୁ ପସୁ ଡ୍ରାଇଭର ଗୋରଚାନ୍ଦ କୁ ଖୋଜି ବସିଥିଲା।ଶୀଘ୍ର ବାହାରିବାକୁ ପଡିବ ବୋଲି କହିଦେଇ,ନିଜ ବେଡ଼ରୁମ କୁ ଚାଲି ଯାଇଥିଲା।ଗୋରାଚାନ୍ଦ ସବୁବେଳେ ଶାନ୍ତ ରହୁଥିବା ତା'ମାଲିକାଣୀ ଙ୍କୁ ଏତେ ବ୍ୟସ୍ତ ବିବ୍ରତ ହେବାର ପୂର୍ବରୁ କେବେ ଦେଖି ନ ଥିବାରୁ,ଟିକେ ବିଚଳିତ ହୋଇ ପଡ଼ିଥିଲା,ତଥାପି ସବୁଦିନ ପରି ଗାଡିଟିକୁ ପୋଛାପୋଛି କରି ଡ୍ରାଇଭିଂ ସିଟ ରେ ଅପେକ୍ଷା କରି ବସିରହିଲା।ଦଶ ମିନିଟ ପରେ ଶ୍ରୀ ଆସି ପହଞ୍ଚି ଯାଇଥିଲା,ଓ ଗୋଟିଏ ଅନାଥ ଆଶ୍ରମ କୁ ନେବା କୁ କହି ଅନ୍ୟମନସ୍କ ଭାବରେ ଗାଡ଼ିରେ ବସି ପଡ଼ିଲା।
ଗାଡିରେ ବସି ବସି ଶ୍ରୀ ର ଭାବନା ଟା ଲମ୍ବି ଯାଇଥିଲା ଅନେକ ବର୍ଷ ତଳକୁ...ଛୋଟିଆ ଫ୍ରକ ଖଣ୍ଡେ ପିନ୍ଧି,ନାଚି ନାଚି,କଣ୍ଟେଇକୋଳି ମୁଠିଏ ହାତରେ ଧରି ଘର ସାମ୍ନା ର ନାଲିଗୋଡି ରାସ୍ତା ରେ ଯାଉଥିବା ସାତ ବର୍ଷ ର କୋମଳ ଶ୍ରୀ କୁ ଗୋଟିଏସାଇକେଲ ରେ ତିନିଜଣ ହୃଷ୍ଟ ପୃଷ୍ଟ ଲୋକ ବାଡେଇ ଦେଇ ଲହୁଲୁହାଣ କରିଦେଇଥିଲେ!କୋଉଠି ଥିଲା କେଜାଣି,ପାରୁଅମାଉଷୀ ତା'ର ଦଉଡି ଆସି ,ତାକୁ କୋଳକୁ ଉଠାଇ ନେଇ,ବଡ଼ ପାଟି ରେ ଡାକ ଛାଡିଥିଲା।ତା'ଡାକ ରେ ଅବଶ୍ୟ ବାପା ବୋଉ ଦୁହେଁ ଦୌଡ଼ି କି ବାହାରକୁ ଚାଲି ଆସିଥିଲେ,କିନ୍ତୁ ବୋଉ ର କାନ୍ଦ ଓ ବାପା ଙ୍କ ରାଗ ର ଶିକାର ସାଇକେଲ ଆରୋହି ହିଁ ହୋଇଥିଲା ବେଳେ,ଶ୍ରୀ ର ଖଣ୍ଡିଆ ଖାବରା ଦେହ ଟା ଯେମିତି ଆଶ୍ୱସ୍ତ ହୋଇ ପାରୁଆମାଉଷୀ କୋଳ ରେ ଲାଖି ରହିଥିଲା!ବୋଉ ଓ ପାରୁଆମାଉଷୀ ଦୁହିଁ ଙ୍କ ଜଗିବସିବା ରେ ସେଦିନ ରାତି ପାହିଥିଲା।
ବୋଉ ଠାରୁ ଶ୍ରୀ ଶୁଣିଥିଲା ଯେ,ପାରୁଆମାଉଷୀ ହିଁ ତାକୁ ବୋଉ ପେଟରୁ ,ବାହାର ଦୁନିଆ କୁ ଆଣିଥିଲା।ନାଁ କୁ ସିନା ଥିଲା ଧାଈ ଟିଏ,ହେଲେ,କୋଉ ନର୍ସ ଠାରୁ କମ ନ ଥିଲା,କାହାର କିଛି ଦେହ ମୁଣ୍ଡ ହେଲେ,ସେଇ ପାରୁଆ ମାଉଷୀ କୁ ତାଙ୍କରି ଘରେ ଖୋଜା ପଡୁଥିଲା!ବୋଉ ମଧ୍ଯ ତାକୁ ଘର ମଣିଷ ଭଳି ସବୁ ପର୍ବ ପର୍ବାଣୀ ରେ ଖୋଜା ଲୋଡ଼ା କରୁଥିଲା।ସମୟ ଗଡ଼ିବା ସାଙ୍ଗରେ ଶ୍ରୀ ର ବୟସ ମଧ୍ୟ ବଢି ଚାଲିଥିଲା,ହେଲେ,ତା'ପାରୁଆମାଉଷୀ ର ବୟସ ଟା ଯେମିତି ଗୋଟିଏ ଜାଗାରେ ଅଟକି ଯାଇଥିଲା!ସେଇ ପତଳା ସାବନ ରଙ୍ଗ ର ଚାରିଫୁଟିଆ ହସ ହସ ମୁହଁ ଟି ଥିବା ମଣିଷ ଟି !ତା' ବାହାଘର ବେଳେ ଲୋଟଣୀ ପାରା ଭଳି ଖଟୁଖଟୁ ,କାନ୍ଦି କାନ୍ଦି ପଦୁଟିଏ କହିଥିଲା-ମୋ ମାଣିକ ଲୋ,ଯେତେବେଳେ ତୋର ଦରକାର ହେବ,ଏ ମାଉସୀ କୁ କହିବାକୁ କେବେ ପଛେଇବୁନି।ବଞ୍ଚି ଥିବା ଯାଏ ଏ ମାଉଷୀ ଟା ତୋର ସବୁ କରିବ,ଜମା ପର ହୋଇଗଲୁ ବୋଲି ଭାବିବୁନି!ଯିଏ ଯାହା ଡାକିଲେ ମଧ୍ୟ ପାରୁଆ ମାଉସୀ "ମାଣିକ" ଥିଲା ଶ୍ରୀ!ସତରେ,ସବୁ କରିଥିଲା,ଶ୍ରୀ ମୁହଁ ନ ଖୋଲିଲେ ବି ବହୁତ କିଛି ବୁଝିପାରିଥିଲା ସେ,ଆଉ ତାକୁ ସାରା କୀବନ ଋଣୀ କରେଇ ଦେଇଥିଲା!
ହଠାତ୍ ଗାଡି ଟି ଅଟକି ଯିବା ରୁ,ଭାବନା ରାଜ୍ୟ ରୁ ଫେରି ଆସିଥିଲା ଶ୍ରୀ!ତର ତର ହୋଇ ଗାଡ଼ିରୁ ଓହ୍ଲାଇ ପଡି ,ଅନାଥ ଆଶ୍ରମ ର ଅଫିସ ରୁମ କୁ ପଶି ଯାଇଥିଲା,ଅଳ୍ପ ସମୟ ପରେ ଦୁଇଜଣ ଲୋକ ଙ୍କ ସାହାଯ୍ୟ ରେ ପାରୁଆ ମାଉସୀ ଟେକିକି ତା'ଗାଡି ରେ ଶୁଆଇ ଦେଇଥିଲା,ଓ ଗୋରଚାନ୍ଦ କୁ ତା'ପରିଚିତ ନର୍ସିଂହୋମ କୁ ଯିବାକୁ କହିଥିଲା।ନିଜ ଫୋନ ଟି ନ ପାଇ ଗୋରଚାନ୍ଦ କୁ ତାଙ୍କ ଚିହ୍ନା ଡାକ୍ତର ଙ୍କୁ ଫୋନ କରିବାକୁ କହି ,ଚିକିତ୍ସା ର ସବୁପ୍ରକାର ବନ୍ଦୋବସ୍ତ କରି ଫେରିଯାଇଥିଲା ଘରକୁ,ଅବଶ୍ୟ ଗୋରଚାନ୍ଦ ର ପ୍ରଶ୍ନିଳ ଆଖିଦୁଇଟି କୁ ଆଡେଇ ଯାଇଥିଲା।ହେଲେ ଘରେ କିନ୍ତୁ ସଂଗ୍ରାମଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡିଥିଲା।ଯଦିଓ ପାରୁଆ ମାଉଷୀ ତାର ଧାଈ ମା ବୋଲି ସମସ୍ତଙ୍କୁ ଜଣାଥିଲା,ହେଲେ ଛୋଟ ଜାତି ର ଥିବାରୁ ତା'ସାଙ୍ଗରେ ମିଳା ମିଶା ଟା କୁ କେହି ଠିକ୍ ଭାବରେ ଗ୍ରହଣ କରି ପାରୁ ନ ଥିଲେ,ଯୋଉଥିପାଇଁ ତାକୁ ଅଧିକାଂଶ ସମୟ ରେ ପାରୁଆମାଉଷୀ କୁ ସାହାଯ୍ୟ କରିବାକୁ ହେଲେ, ବୋଉ ର ସାହାଯ୍ୟ ନେବାକୁ ପଡୁଥିଲା!ସେଦିନ କିନ୍ତୁ ବୋଉ ନ ଥିଲା ଯେ ସେତକ ସହଜସାଧ୍ୟ ହେଇ ଯାଇଥାନ୍ତା!କ୍ଳାନ୍ତ ଶରୀର ଟା କୁ ଖଟ ଉପରେ ଲମ୍ବାଇ ଦେଇ ସେ ମନେପକାଇବାକୁ ଚେଷ୍ଟା କରୁଥିଲା ଯେ କୋଉଠି ନିଜ ଫୋନ ଟିକୁ ଛାଡି ଦେଇଛି,ଆଉ ସେତିକି ବେଳେ ଲ୍ୟାଣ୍ଡ ଲାଇନ ଟି ବାଜି ଉଠିଥିଲା।ଅବଶ ଲାଗିଲେ ବି ଉଠିଯାଇ ଫୋନ ରିସିଭ କରିବାରୁ ,ତା ବାନ୍ଧବୀ ସମ୍ପୂର୍ଣ୍ଣା ପାଖରେ ଯେ ଫୋନ ଟି ଅଛିବୋଲି ଶୁଣି ଆଶ୍ୱସ୍ତ ହୋଇଥିଲା।
ତା'ପର ଦିନ ସକାଳୁ ଚା'ଟିକେ ପିଇ ଦେଇ ଶ୍ରୀ ନିଜେ ଡ୍ରାଇଭିଂ କରି ବାହାରି ଯାଇଥିଲା ନର୍ସିଂହୋମ କୁ,ମୁହଁରେ ତାର ବୋଳି ହୋଇଥିଲା ଆଶା ଓ ଉତ୍କଣ୍ଠା ର ଫେଣ୍ଟାଫେଣ୍ଟି ରଙ୍ଗ।ପାରୁଆ ମାଉସୀ ପାଖରେ ବସି,ତା',ହାତ କୁ ଆଉଁଷି ଦେଉଦେଉ,ମୁହଁରେ ତାର ସେଇ ପୁରୁଣା ହସ ଚେନାକ ଦେଖି ସାମାନ୍ୟ ଆଶ୍ୱସ୍ତ ହୋଇଥିଲା।ହେଲେ,ତା'ମୁହଁ ରୁ ଅସ୍ପଷ୍ଟ ଭାବରେ ବାହାରି ଆସିଥିଲା-ପାଗେଳୀ ଟା, କାହିଁକି ଏତେ ବ୍ୟସ୍ତ ହୋଇ ଦୌଡ଼ି ଆସିଲୁ?ତତେ ପରା ଏତେକରି ମନାକରିଥିଲି,ମୋ ପାଖକୁ ଆସିବୁନି, ମୋର ଭଲମନ୍ଦ ତ ଫୋନ ରେ ସେ ଅନାଥ ଆଶ୍ରମ ଵାଲା ପହଞ୍ଚାଇ ଦେବେ,ସେଇଠି ଚାକିରୀ ଟି କରେଇ ଦେବା ଦିନ ରୁ ମୋର ତ କିଛି ଅସୁବିଧା ହଉନି।ଏତକ ଶୁଣୁ ଶୁଣୁ ଶ୍ରୀ ର ରୋକି ହୋଇଥିବା ଲୁହତକ ଯେମିତି ଆଉ ତା' କଥା ମାନିଲେନି!ବାଷ୍ପାକୁଳ କଣ୍ଠ ରେ କହି ପକାଇଲା-ସେଇଠୁ ଫୋନ ପାଇକି କେମିତି ରହିଥାନ୍ତି କହିଲୁ?ତୋର ଯଦି କିଛି ହୋଇ ଯାଇଥାନ୍ତା?ଏଥର ପାରୁଆ ମାଉସୀ ହାତ ତା'ହାତ ଉପରକୁ ଉଠି ଯାଇଥିଲା,ହାତକୁ ତାର ଆଉଁଷି ପକାଇ କଷ୍ଟେ ମଷ୍ଟେ କହିପକାଇଲା-କଣହେଲା ସେଉଠୁ,ଏତେ ବୁଢ଼ୀ ହେଲିଣି,ଦିନେ ନାଦିନେ ତ ଯିବି!କେତେଦିନ ଆଉ ବଞ୍ଚେଇ ରଖିବୁ?ଏମିତି ହାତଗୋଡ଼ ଚାଲୁ ଚାଲୁ ,ଚାଲିଗଲେ ଭଲ।ତୁ ଆଉ ଶ୍ରଦ୍ଧା ଭଲରେ ଥାଅ।ଶ୍ରଦ୍ଧା କଥା ଶୁଣୁଶୁଣୁ ମନେ ପଡିଯାଇଥିଲା ଯେ,ତା'ର ଆସିବାର
ସମୟ ପାଖେଇ ଆସିଲାଣି।ନୂଆ ନୂଆ ଚାକିରୀ ରୁ ଅଳ୍ପଦିନ ପାଇଁ ଆସିବାର ଅଛି ବୋଲି ସିନା କହୁଥିଲା,ହେଲେ କେତେବେଳେ ହଠାତ୍ କରି ଆସିଯିବ ଯେ ଠିକଣା ନାହିଁ,ଆଉ ନିଜ ରୁମଟି ଟିକିଏ ଏପାଖସେପାଖ ହୋଇଥିଲେ,ପୁରା ଘରଟି ଟା କୁ ଉଠେଇବ ପକେଇବ!
ନର୍ସିଂହୋମ ରୁ ସିଧା କଲେଜ ଯାଇ,ସମ୍ପୂର୍ଣ୍ଣା ପାଖରୁ ଫୋନ ଟି ଆଣି ଫେରି ଆସିବାକୁ ବସିଥିଲା ,ହେଲେ,ସମ୍ପୂର୍ଣ୍ଣା ର ସ୍କୁଟିଟି ଖରାପ ହୋଇଯିବାରୁ ବାଧ୍ୟ ହୋଇ ତାକୁ ନିଜ ଗାଡିରେ ବସାଇ ନେଇ ଆସିଥିଲା।ଯଦିଓ ତାର ପ୍ରଶ୍ନିଳ ଆଖି କୁ ଆଡେଇବାକୁ ବହୁତ ଚେଷ୍ଟା କରିଥିଲା,ହେଲେ ହଠାତ୍ ତାର ପ୍ରଶ୍ନ ରେ ଚମକି ପଡିଥିଲା-ଶ୍ରୀ ,ଏ ପି.ଏମ ଜଣକ କିଏ?ଯାହାର କଲ ପାଇ ତୁ ପାଗଳ ଙ୍କ ଭଳି କାଲି କଲେଜ ରୁ ପଳେଇଲୁ?ଶ୍ରୀ ର ସେତେବେଳେ ମନେ ପଡିଯାଇଥିଲା ଯେ ଶେଷ କଲ ଟି ସେ ଡିଲିଟ କରିନଥିଲା ବୋଲି।ଅନାଥ ଆଶ୍ରମ ନମ୍ବର ଟି ସେ ପାରୁଆ ମାଉଷୀ ନାଁ ରେ ସେଭ କରିଥିଲା,ଯାହାକୁ କେତେବେଳେ ହେଲେ ତା'ଫୋନ ରେ ରଖେନି।ସମ୍ପୂର୍ଣ୍ଣା ର ଉତ୍ତର କୁ କେମିତି ଆଡେଇବ ଭାବୁ ଭାବୁ,ତାର ସ୍ୱର ଭାସି ଆସିଥିଲା,ହୁଏତ ତା'ମୁହଁ ର ରଙ୍ଗ ବଦଳିବା ଟା ସମ୍ପୂର୍ଣ୍ଣା ର ଆଖିରେ ପଡିଯାଇଥିଲା-ଦେଖ ଶ୍ରୀ,ତୁ ମତେ କିଛି ଲୁଚାଇ ପାରିବୁ ବୋଲି ମୁଁ ଭାବି ପାରୁନାହିଁ ।କିନ୍ତୁ ଯଦି କିଛି ନ କହିବାକୁ ଚାହୁଁଛୁ ,ମୁଁ ମୋର ଦୁର୍ଭାଗ୍ୟ ବୋଲି ଭାବିନେବି।ଭାବୁଥିଲି,ଏତେଦିନ ର ବନ୍ଧୁତା ଭିତରେ ମୁଁ ତୋର ବିଶ୍ୱାସ ଜିତି ପାରିଛି ବୋଲି,ତତେ ଜମା ବାଧ୍ୟ କରିବିନି!ସେତକ କହିଲା ବେଳକୁ ସମ୍ପୂର୍ଣ୍ଣା ର ଶବ୍ଦ ଗୁଡିକ ଯେମିତି ଭାରାକ୍ରାନ୍ତ ହୋଇ ଯାଇଥିଲେ।ଶ୍ରୀ ର ରୁଦ୍ଧ କଣ୍ଠ ରୁ କିଛି ବାହାରିବା କଷ୍ଟକର ହୋଇ ପଡୁଥିଲା।ଜୀବନ ର ଏତେବଡ଼ ସତ୍ୟ ,ଯାହାକୁ ସେ ଭୁଲିଯିବା କୁ ଚାହୁଁଥିଲା,କେମିତି କହିପାରିବ ଭାବି,ଅନେକ ବର୍ଷ ତଳକୁ ଯେମିତି ଭାବନା ର ଖିଅ ଟି ଲମ୍ବି ଯାଇଥିଲା..
ବାହାଘର ର ପାଞ୍ଚବର୍ଷ ପର୍ଯ୍ୟନ୍ତ
ଗୋଟିଏ ଗୋଟିଏ ହୋଇ ତିନୋଟି ସନ୍ତାନ କୁ ଅଳ୍ପ କେଇ ମାସ ପାଇଁ ଗର୍ଭରେ ଧରି ହରାଇବା ର ଦୁଃଖ ରେ ଭାଙ୍ଗି ପଡିବାରୁ,ଘରକୁ ମନ ପରିବର୍ତ୍ତନ କରିବା ପାଇଁ ଡାକ୍ତର ଙ୍କ ପରାମର୍ଶ ରେ ରହିବା ଟା ତାର ଏବେ ବି ଯେମିତି ସ୍ପଷ୍ଟ ହୋଇ ମନେ ପଡି ଯାଉଥିଲା।ଆଉ ସେଦିନ ହଠାତ୍ ଖରବେଳଟାରେ କାନ୍ଦି ଉଠି ନିଦ ରୁ ଉଠି ବସିବା ଓ ପାରୁଆ ମାଉଷୀ ର ଉପସ୍ଥିତି ,ସବୁ ଯେମିତି ଗୋଟି ଗୋଟି ହୋଇ ଦିଶି ଯାଇଥିଲା!ଗୋଟାପଣେ ସେଦିନ ଥରୁଥିଲା ଶ୍ରୀ,ବୋଉ କୁ କୁଣ୍ଢେଇ କି ଢେର କାନ୍ଦିଥିଲା,ପାରୁଆ ମାଉସୀ ବୋଉ ଯଦିଓ କିଛି ପଚାରି ନ ଥିଲେ,ହେଲେ,ଦୁହେଁ ତାର ଦୁଃଖ କୁ ମର୍ମେ ମର୍ମେ ଅନୁଭବ କରି ପାରିଥିଲେ।
କିଛି ହରାଇବା ଓ ପାଇବା ର ଦୋଛକି ରେ ଶ୍ରୀ ପୁଣି ଛିଡା ହୋଇ ଯାଇଥିଲା, ପୁଣି ସେଇ ଅନିଶ୍ଚିତତା ,ଭୟ ଓ ଆଶଙ୍କା ରେ ଘେରି ହୋଇ ମାତୃତ୍ୱ କୁ ଅପେକ୍ଷା କରିବସିଥିଲା, ସମୟ ଯେତେ ପାଖେଇ ଆସୁଥିଲା,ଶ୍ରୀ ର ଭୟ ସେତେ ବଢି ଚାଲି ଥିଲା।ସବୁ ଭୟ ଓ ଉଦ୍ ବିଗ୍ନତା କୁ ଶେଷ କରି କୋଳ କୁ ତାର ଆସିଥିଲା ଶ୍ରଦ୍ଧା,ଆଉ ସେତିକି ବେଳେ ପାରୁଆ ମାଉସୀ ଝିଅ ର ମୃତ ପୁତ୍ର ଟିଏ ଜନ୍ମ ହୋଇଥିଲା,ଅବଶ୍ୟ ତାର ପ୍ରଥମ ସନ୍ତାନ ଟି ଥିବାରୁ ଘର ଲୋକ ଙ୍କ ର ମନକଷ୍ଟ ଓ ଦୁଃଖ କୁ ସମ୍ଭାଳି ନେଇଥିଲା ପାରୁଆ ମାଉସୀ।କିନ୍ତୁ ଖୁବ୍ କମ ଦିନ ଭିତରେ ପ୍ରଥମ ପିଲା ଟିକୁ ମଧ୍ୟ ଝାଡା ବାନ୍ତି ରେ ହରାଇ ବସିଥିଲା ତା'ଝିଅ।ଶ୍ରୀ ର ଘରେ ଶ୍ରଦ୍ଧା ର ଜନ୍ମ ହେବା ପରେ ଗୋଟିଏ ପରେ ଗୋଟିଏ ଉତ୍ସବ ପାଳନ ହେଉଥିବା ବେଳେ ପାରୁଆ ମାଉଷୀ ଝିଅ ର ଘରେ ଶୋକ ର ଛାୟା ଖେଳି ଯାଇଥିଲା।ଗାଉଁଲି ପରିବାର ଲୋକଙ୍କ ଭାଷା ରେ ପାରୁଆ ମାଉସୀ ଝିଅ ଅମଙ୍ଗଳି ,ନିଜ ପିଲା କୁ ଖାଇଥିବା ମା,ଯୋଉଥି ପାଇଁ ତାକୁ ତା' ଶାଶୁ ଘର ଲୋକ ବାହାର ମଧ୍ୟ କରିଦେଇଥିଲେ!ଖୁବ୍ କମ ବୟସ ରେ ବାହା ହୋଇଥିବା ଝିଅ ଟି ଏସବୁ ସହି ନ ପାରି ବାପ ଘରେ ଆଶ୍ରୟ ନେଇଥିଲା ସତ,ହେଲେ ତା'ପିଲା ଙ୍କୁ ଝୁରି ଝୁରି ଶଯ୍ୟା ସାୟୀ ହୋଇ ଯାଇଥିଲା!ବର୍ଷେ କାଳ ଯେତେ ଚେଷ୍ଟା କରିଲେ ମଧ୍ୟ ନାଁ ତାର ଶାଶୁ ଘର ଲୋକ ତାକୁ ନେଇଥିଲେ,ନାଁ ତା'ସ୍ବାମୀ ତାକୁ ଥରୁଟିଏ ଦେଖିବାକୁ ଆସିଥିଲା!ଶେଷ କୁ ପାରୁଆ ମାଉସୀ ସବୁଦିନ ପାଇଁ ଦୋଷୀ କରାଇ,ଆର ପୁର କୁ ଚାଲି ଯାଇଥିଲା!ଯଦିଓ ସେତେବେଳେ,ଶ୍ରୀ ପ୍ରକୃତ ସତ୍ୟ ଟା ଜାଣି ନ ଥିଲା,କେବଳ ବୋଉ ର ଦୋଷୀ ଦୋଷୀ ଭାବନା କୁ ବୁଝି ପାରୁନଥିଲା,ଯାହା ତା'ର ଶେଷ ସମୟ ରେ ଜାଣିବାକୁ ପାଇଥିଲା ଯେ,ଶ୍ରୀ ର ଖୁସି ଶ୍ରଦ୍ଧା ଯେ ସେଇ ଝିଅ ଟିର ଅମାନତ ଥିଲା,ଯାହାକୁ ପାରୁଆ ମାଉଷୀ ର ବିଶାଳ ହୃଦୟ ପାଇଁ ସେ ପାଇ ପାରିଥିଲା!ନିଜ ଝିଅ ର ଦୁଃଖ କୁ ଆପଣେଇ ପାରୁଆ ମାଉସୀ ର ଏତେ ବଡ଼ ତ୍ୟାଗ କରିପାରିଥିଲା ବୋଲି ଟିକିଏ ବି ଆଭାଷ ପାଇ ପାରିନଥିଲା!ଚିର ଦିନ ପାଇଁ ରୁଣୀ ଓ କୃତଜ୍ଞ କରିଦେଇଥିଲା ।ନିଜଦୁର୍ଭାଗ୍ଯର କୁ ଜୀବନ ସାରା ସେଇ ଦୋଷୀ ପଣିଆ ରୁ ମୁକୁଳେଇ ପାରୁ ନ ଥିଲା,କି କାହା ସାଙ୍ଗରେ ନିଜ ଦୁଃଖ କୁ ବାଣ୍ଟି ପାରୁ ନ ଥିଲା।କେମିତି ସେସବୁ ସମ୍ପୂର୍ଣ୍ଣା କୁ କ ହି ପାରିବ ଭାବି ପାରୁନଥିଲା!ବୋଉ ର ଶେଷ ଅନୁରୋଧ ଟିକକ ପାରୁଆ ମାଉସୀ ର ଦେଖାଶୁଣା କରିବା ଯଦିଓ ଶ୍ରୀ ପୁରା ଅକ୍ଷରେ ଅକ୍ଷରେ ପାଳୁଥିଲା,ହେଲେ ନିଜ ଶାଶୁଘର ଲୋକଙ୍କୁ କି ଅନ୍ୟ କାହାକୁ ସେକଥା କେବେ କହିପାରିବ,ଏକଥା ଚିନ୍ତା କରି ପାରୁ ନ ଥିଲା!ଶ୍ରଦ୍ଧା ର ଜୀବନ ରେ ତୋଫାନ ଆସିଯିବ ଭାବି ଭାବି ନିଜ କୁ ମଜଭୁତ କରିଦେଉଥିଲା!ସେଥିପାଇଁ କେବଳ ପାରୁଆ ମାଉଷୀ ବିଷୟ ରେ ଦୁଇପଦ କହିଦେଇ ଅନ୍ୟମନସ୍କ ହୋଇ ଯାଇଥିଲା,ଆଉ ଅନ୍ତରଙ୍ଗ ବାନ୍ଧବୀ ସମ୍ପୂର୍ଣ୍ଣା ସେତିକି ଶୁଣି,ଶ୍ରୀ ର ହାତ ଧରିପକାଇ କହି ଦେଇଥିଲା-ଆଛା,ଚାଲେ ତା'ହେଲେ,ଟିକେ ତୋ ଧାଈ ମା'କୁ ଦେଖି ଆସିବା,ଯଦିଓ ମନ ଭିତରେ ତାର ଅନେକ ପ୍ରଶ୍ନ ରହିଯାଇଥିଲା !ହେଲେ,ଶ୍ରୀ ର ମନୋଦଶା କୁ ସମ୍ମାନ ଦେଇ ,ବୁଝିବାକୁ ଚେଷ୍ଟା କରିଥିଲା,ଗୋଟିଏ ପ୍ରକୃତ ବାନ୍ଧବୀ ପରି।ହୁଏତ ଅପେକ୍ଷା କରିଥିଲା,ଶ୍ରୀ ର ସ୍ବଇଛା ରେ ଜଣାଇବାକୁ....ଶ୍ରୀ ଗାଡି ବୁଲେଇଥିଲା ନର୍ସିଂହୋମ ଆଡକୁ..