puspanjali das

Inspirational

3.4  

puspanjali das

Inspirational

ଆତ୍ମବିଶ୍ୱାସ

ଆତ୍ମବିଶ୍ୱାସ

3 mins
193


  ଶିଖା ଦେବୀଙ୍କର ହାତ ସେଦିନ କାଗଜ କଲମକୁ ଖୋଜି ବସିଥିଲା।ଷ୍ଟଡ଼ି ରୁମ୍ରେ ଚେୟାରଟିକୁ ଟାଣିଆଣି ଅଧାଖୋଲା ଖାତାଟିର ଶୁନ୍ୟ ପୃଷ୍ଠାଟି ଉପରେ କଲମ ତାଙ୍କର ଚାଲିବାକୁ ଲାଗିଥିଲା।ଶବ୍ଦ ତାଙ୍କୁ ଖୋଜିବାକୁ ସେଦିନ ପଡିନଥିଲା!ଶବ୍ଦ ଚାଙ୍ଗୁଡିଟି ମନକୁ ମନ ଖୋଲି ହୋଇଯାଇଥିଲା..'ମମତା',ତିନୋଟି ଅକ୍ଷରର ନାଁ ଟିଏ,ସତେ ଯେମିତି ନାଁଟିକୁ ସାର୍ଥକ କରି ଝିଅଟିଏ ଠିଆ ହୋଇପଡିଥିଲା ତାଙ୍କ ଭାବନାର ସମୁଦ୍ର ଭିତରୁ!ଝିଅଟିଏ ନୁହେଁ, ବରଂ ଝିଅ ବୟସର ସମ୍ପୂର୍ଣ୍ଣ ନାରୀଟିଏ!କନ୍ୟା, ପତ୍ନୀ ଓ ମା ତିନୋଟି ସୋପାନରେ ପାଦ ଦେଇ,କର୍ତ୍ତବ୍ୟର ବୋଝତଳେ ଚାପି ହୋଇ ପଡ଼ିଥିବା,ଅଥଚ ଆତ୍ମବଳରେ ଭରପୁର ହସ ହସ ମୁହଁର ଅପୂର୍ବ ମୂର୍ତ୍ତି ଟିଏ!

   ଖୋଲାଝରକା ବାଟେ ଦଲକାଏ ଶୀତଳ ପବନ ପଶିଆସି ଶିଖାଦେବୀଙ୍କର ଚୂର୍ଣ୍ଣ କୁନ୍ତଳକୁ ବାରମ୍ବାର ହଲାଇ ଦେଉଥିଲା,ହେଲେ କଲମ ତାଙ୍କର ସେଦିନ ଅଟକି ଯାଉନଥିଲା!ଝରକା ଆରପଟର କୁନି କୁନି ଚଢେଇମାନଙ୍କର କିଚିରି ମିଚିରି ତାଙ୍କୁ ଯେମିତି ଆନମନା କରି ପାରୁନଥିଲା!ଶାରୁ କିଆରୀର ଦୋହଲା ଦୋହଲା ପତ୍ର,ତା'ଉପରେ ଢଳ ଢଳ ପାଣିବୁନ୍ଦାକୁ ନିରେଖିବାକୁ ତାଙ୍କୁ ଯେମିତି ତର ଟିକିଏ ନ ଥିଲା!ମନଭିତରେ ଆଲୋଡନ କରୁଥିଲା କେବଳ ସେଇ କୋମଳମତି ମମତାର କଥା ପଦୁଟିଏ-'ଝିଅକୁ ପଢେଇବି'!ସଂକ୍ଷିପ୍ତ ଉତ୍ତର ଓ ଆଖିରେ ଆଖିଏ ସ୍ୱପ୍ନ!

    ରୋଷେଇ ଘରୁ କାନିରେ ହାତ ପୋଛି ପୋଛି ଶିଖାଦେବୀ ଦାଣ୍ଡକବାଟ ଖୋଲି,ମମତାକୁ ଦେଖି ସେଦିନ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ହସ ହସ ମୁହଁରେ ସେ କହିପକାଇଥିଲା-ମା,ଏମିତି କ'ଣ ଦେଖୁଛ?ମୋ ମୁଣ୍ଡରୁ ବୋଝ ତକ ଓହ୍ଲାଇବାରେ ଟିକିଏ ହାତ ବଢ଼ାଅ!ଏକଲା ଓହ୍ଲାଇ ପାରିବିନି।ଅପ୍ରସ୍ତୁତ ହୋଇ ଶିଖାଦେବୀ ବହୁ କଷ୍ଟରେ ତା'ମୁଣ୍ଡରୁ ବୋଝ ଦୁଇଟିକୁ ତଳକୁ ରଖିବାରେ ସକ୍ଷମ ହୋଇଥିଲେ।ମୁଣ୍ଡରୁ କନା ମୁଚୁଳାଟି କାଢି ତଳେ ଥୋଇ,ଲଥ୍ କରି ବସି ପଡିଥିଲା ମମତା।ଶିଖାଦେବୀ ମଧ୍ୟ ଚେୟାରଟିଏ ଟାଣିଆଣି ବସିପଡି ଜୋରରେ ନିଃଶ୍ୱାସଟାଏ ମାରିଥିଲେ,ଆଉ କହିପକାଇଥିଲେ-ଆରେ,ଆଜି କ'ଣ ଏତେବେଳେ ଏଡ଼େ ଖରାଟାରେ ଆସିଛୁ?ଦୀର୍ଘ ନିଃଶ୍ଵାସଟିଏ ମାରି ,କଥାଟାକୁ ତାଙ୍କର ଆଡେଇ ଦେଇ,ପୂର୍ବଥର ଭଳି ମମତା ତା'ଟୋକେଇ ଭିତରୁ ପାମ୍ପଡ଼, ବଡି,ଆଚାର କାଢି କାଢି ଦେଖାଇବା ଆରମ୍ଭ କରିଦେଇଥିଲା।ଶିଖାଦେବୀଙ୍କର କିନ୍ତୁ ସେଦିନ ସେସବୁ ପ୍ରତି ଏତେ ନଜର ନଥିଲା।ଘର କାମର ବ୍ୟସ୍ତତା ସାଙ୍ଗରେ ଝିଅ ଜ୍ୱାଇଁଙ୍କ ଆସିବାର ତତ୍ପରତା ହୁଏତ ତାଙ୍କୁ ବିବ୍ରତ କରୁଥିଲା।ତଥାପି ପ୍ରଥମ ଥର ଦେଖାରେ ମମତାକୁ ଦେଇଥିବା କଥାପଦକ ତାଙ୍କର ମନେ ଥିବାରୁ,ବାଧ୍ୟ ହୋଇ କିଛି ରଖିବାକୁ ମନସ୍ଥ କରି କିଛି ସମୟ ଚେୟାରଟିରେ ବସିରହିଲେ।।ପ୍ରଥମ ଥର ଖୁବ ଅଳ୍ପ କଥା କହୁଥିବା ଝିଅଟି ଯେମିତି ଆଶ୍ୱାସନା ପାଇଯିବା ଭଳି ଗପି ଚାଲିଲା-ମା,ଏଇ ନିଅ,ତୁମ ଝିଅମାନଙ୍କ ପାଇଁ କେତେ ରକମର ଆଚାର ଆଣିଛି।ଆମ୍ବସଢା,ବାଦାମପଟି,ଖସାଲଡୁ,ନିମ୍ କି ମୁଡ଼୍ କି,ଶାଗୁ ପାମ୍ପଡ଼, ଖସା ପାମ୍ପଡ଼, ସବୁ ବ୍ରହ୍ମପୁରର ଜିନିଷ ମା!ହୁଏତ ତା'ଲମ୍ବା ଲିଷ୍ଟଟା ଏତେ ଶୀଘ୍ର ସରି ନ ଥାନ୍ତା,ଯଦି ଶିଖାଦେବୀ ଶାଗୁ ପାମ୍ପଡ଼ ,ନିମକି ,ମୁଡିକି କିଛି ହାତରେ ଟେକି ନେଇ ତାର ଦାମ ତାକୁ ପଚାରି ଦେଇ ନଥାନ୍ତେ!ସେତକ ଦେଖି,ମମତା କହିପକାଇଥିଲା-ଏତିକି ଜମା ନେବ ମା?ଆର ଥରକୁ ତ ଏତେ ଗୁଡାଏ ନେଇଥିଲ ଆଉ ଥରେ ଆସିଲେ ଆହୁରି ବେଶୀ ନେବବୋଲି କହିଥିଲ!ଏଥର ଶିଖା ଦେବୀ ମମତାର ମୁହଁକୁ ଭଲକରି ଅନାଇ କହିଉଠିଥିଲେ-ଆରେ,ତୁ ତ ପକ୍କା ବେପାରୀ ହୋଇଗଲୁଣି!ଆର ଥରକ ତ ମୁହଁ ଖୋଲୁ ନ ଥିଲୁ!ମାସ କ ଭିତରେ ଏତେକଥା ଶିଖିଗଲୁ??

  ହାତରେ ଦୁଇ ପ୍ୟାକେଟ ଆଚାର ଧରି ମମତା କହିପକାଇଥିଲା-ହଁ ମା,ପରିସ୍ଥିତି ମଣିଷକୁ ବହୁତ କଥା ଶିଖାଇ ଦିଏ,ବହୁତ ଶୀଘ୍ର!ସତେ ତ!ଶିଖାଦେବୀଙ୍କୁ ଯେମିତି ନିଜ ବାକ୍ୟଟି ପ୍ରତି ସଂକୋଚ ଆସିଯାଉଥିଲା!କେଡେ ସାନ ପିଲାଟିଏ ଆଜି ତାଙ୍କୁ ଚୁପ କରାଇ ଦେଇଥିଲା!ମନ ଭିତରେ ଅସଂଖ୍ୟ ଛୋଟ ବଡ଼ ଘଟଣା ପଶି ଆସୁଥିଲେ!କଥାଟାକୁ ଆଡେଇବାକୁ ଯାଇ ତାକୁ ପଚାରି ଦେଇଥିଲେ-ଆଛା,ତୁ ତୋ ବର ସାଙ୍ଗରେ ଠେଲାଗାଡିରେ ଏସବୁ ବିକ୍ରି କରୁନୁ,ଏମିତି ମୁଣ୍ଡରେ ଏତେ ବୋଝ ବୋହି କାହିଁକି ବୁଲୁଛୁ?ପୂର୍ବଥର ମମତା ତା'ର ବର ଠେଲାଗାଡିରେ ଏମିତି ସବୁ ବିକେ ବୋଲି ତାଙ୍କୁ ଜଣାଇଥିବାରୁ,ସେ ପ୍ରଶ୍ନଟି ଅତି ସହଜରେ ତାଙ୍କ ମନକୁ ଆସିଯାଇଥିଲା!ପ୍ରଶ୍ନଟି ଶୁଣି କିଛି ସମୟ ଚୁପ ହୋଇ ରହିଯାଇଥିଲା।ତାପରେ ଧୀରେ ତା'ପାଟି ରୁ ବାହାରି ଆସିଥିଲା-"ଝିଅକୁ ପଢେଇବି"।

   ତା' ଟୋକେଇରୁ ଆହୁରି କିଛି ପାମ୍ପଡ଼,ବଡି,ଆଚାର ପାଖ ପଡୋଶୀ ଘର ଯଦିଓ ନେଇଯାଇଥିଲେ, ହେଲେ ଓଜନରେ କିଛି କମ ହେଲା ଭଳି ଶିଖାଦେବୀଙ୍କୁ ଲାଗି ନ ଥିଲା,ଯେତେବେଳେ ସିଏ ପୁଣିଥରେ ସେସବୁକୁ ତା'ମୁଣ୍ଡ ଉପରକୁ ଟେକି ଦେଇଥିଲେ।ମୁଣ୍ଡରେ ଦୁଇଟି ଯାକ ବୋଝ ରଖି ,ହାତରେ ଜିନିଷ ଭର୍ତ୍ତି ଓଜନିଆ ବ୍ୟାଗ ଖଣ୍ଡକ ଧରି ଚାଲି ଯାଉ ଯାଉ ମମତା ଶିଖାଦେବୀଙ୍କୁ କରୁଣ ଚାହାଣୀଟିଏ ଦେଇ କହିପକାଇଥିଲା-ମୁଁ ପାଠ ପଢିନି ମା,ମୋ ଶାଶୁ ଶଶୁର ମୋ ଝିଅକୁ ପଢେଇବେନି ବୋଲି କହୁଛନ୍ତି, ଆଉ ଟିକିଏ ବଡ଼ ହେଇଗଲେ ମୋ ଝିଅ ମୋ ଭଳି ଜିନିଷ ମୁଣ୍ଡେଇ ବିକିବ ବୋଲି କହୁଛନ୍ତି, ହେଲେ ମୁଁ ତାକୁ ପଢେଇବି ମା,ମୋ ଭଳି ଏମିତି କରିବିନି!କାହାକୁ ମୁଁ ହାତ ପତେଇବିନି ସେଥିପାଇଁ।ଆତ୍ମବିଶ୍ୱାସରେ ଯେମିତି ତା'ମୁହଁଟି ଚିକ୍ ଚିକ୍ କରି ଉଠିଥିଲା!ତାର ଏତେ ଆତ୍ମବିଶ୍ୱାସକୁ ସେଦିନ ଶିଖାଦେବୀ ମନଭରି ପ୍ରଶଂସା ମନେ ମନେ କରି ଚାଲିଥିଲେ!ଆଉ ନିଜ ଭିତରେ ହଜି ଯାଉଥିବା ଆତ୍ମବିଶ୍ୱାସ ଟିକକ ସତେ ଯେମିତି ତାଙ୍କର ପୁଣି ଫେରି ଆସୁଥିଲା!ମନଭିତରେ ଥିବା ଜଞ୍ଜାଳ ରୂପି ଅଳନ୍ଦୁ ସବୁ ସତେଯେମିତି ଝାଡ଼ି ହୋଇ ଯାଉଥିଲା!ଅନେକ ଦିନରୁ ଦୁରେଇ ଯାଇଥିବା କାଗଜ କଲମ ପୁଣି ଆପଣାର ହୋଇ ଉଠୁଥିଲେ..ଷ୍ଟଡିରୁମର ଅସଜଡ଼ା ହୋଇ ପଡ଼ିଥିବା ଟେବୁଲ ଉପରର ଖାତା ବହିସବୁକୁ ପୁଣି ସଜଡ଼ା ସଜଡି କରିବାରେ ଲାଗିପଡିଥିଲେ...

 



Rate this content
Log in

Similar oriya story from Inspirational