puspanjali das

Classics

4.0  

puspanjali das

Classics

ଶଙ୍କରା

ଶଙ୍କରା

5 mins
407


 ସୁକାନ୍ତି ତର ତର ହୋଇ ,ଶଙ୍କରା ଶଙ୍କରା ଡାକି ଘର ଭିତରକୁ ପଶି ଆସିଥିଲେ।ସାମ୍ନାରେ ତାକୁ ମହାଦେବଙ୍କର ବେଶରେ ଦେଖି ଧଡ଼୍ କରି ରହିଯାଇ,ଭଲକରି ଦେଖି ବହେ ହସି ପକାଇ, କହିଉଠିଲେ-ଆରେ,ଏତିକିବେଳୁ କୋଉଠିକି ନାଟ କରିବାକୁ ବାହାରିଲୁ କିରେ ? ସଞ୍ଜ ବେଳକୁ ପା ତମର ଯାତରା ଅଛି ! ତା'ଛଡା ତୁ ତ କେବଳ ଗୋଟିଏ ଜାଗାରେ ଯୋଗମୁଦ୍ରାରେ ବସିବୁ ବୋଲି କହୁଥିଲୁ,ସେଥିପାଇଁ କ'ଣ ତୋର ରିହରସଲ ଦରକାର ପଡୁଛି !

         ଏଥର ଶଙ୍କରା ଟିକିଏ ସହମି ଯାଇ କହିପକାଇଲା-ମା,ଏତେ ଦିନକେ ମେତେ ଗାଁ ନୋକେ ଗୋଟେ ରୋଲ ଦେଇଛନ୍ତି,ଭଲକି ନ କଲେ ଆଉ କଣ ଦେବେ ? ମୁଁ ଟିକିଏ ଆଗୁଆ ବେଶ ହେଇ ପଡିଛି,ଯାଉଛି ଟିକିଏ ଥିର୍ ହେଇ ବସିବା ଅଭ୍ୟାସ କରିମି।ତେମେ ତ ଜାଣିଛ,ମୋ ପାଟିଟା କେମନ୍ତ ଖଲ ଖଲ ହୁଏ!ଦିହ ହାତ ବି ହଲ ହଲ ସବୁବେଳେ ହଏ,ତେମେ ପରା ମେତେ ଅଥୟ ଶଙ୍କରା କୁହ ! ମେତେ ଆଜି ଏଇନା ଠୁ ଛୁଟି ଦିଅ,କାଲି ସକାଳେ ଯାଇକି ଆଇବି।

    ' ଶଙ୍କରା'-ସୁକାନ୍ତିଙ୍କର ବୋଲକରା ! ଛଡ଼ ଭଳିଆ ଚେହେରା ର ମଣିଷ ଟିଏ,ଭାଗ୍ୟ ର କିନ୍ତୁ ବିଡ଼ମ୍ବନା ! ବେଶୀ ଗରିବ ଘର ର ନହୋଇକି ବି ପର ଘରେ ବୋଲହାକ ରେ ଦିନ କାଟୁଛି!ପିଲାଟିବେଳେ ଗେଲ ବସରରେ ବର୍ଷ କେଇଟା ବଢିଥିବା ମଣିଷ ଟିର ଭାଗ୍ୟ ଯେମିତି ଧୀରେ ଧୀରେ ବଦଳିବାକୁ ଲାଗିଥିଲା!ବଡ଼ଭାଇ ସାଙ୍ଗରେ ସ୍କୁଲ କୁ ବସ୍ତାନୀ ଧରି ଯାଉଥିବା ଶଙ୍କର ଯେମିତି ସମସ୍ତଙ୍କର ଥଟ୍ଟା ମଜ୍ଜା ର ପାତ୍ର ହୋଇ ଚାଲିଲା!ଝିଅ ମାନଙ୍କ ସାଙ୍ଗରେ ସାଙ୍ଗ ହେବା,ସେମାନଙ୍କ ପ୍ରସାଧନ ପ୍ରତି ଆକୃଷ୍ଟ ହେବା କାହାରିକୁ ସହଜ ଲାଗିଲାନି।ଏମିତିକି ଘରେ ମଧ୍ୟ ବାପା ,ମା ଙ୍କ ର ଭାଳେଣି ପଡିବା ଆରମ୍ଭ ହୋଇ ଯାଇଥିଲା!ମନ ର ଦ୍ବନ୍ଦ୍ୱ ଓ ହୃଦୟ ର କଷ୍ଟ କୁ ମା'ତାର ଲୁଚାଇ ସମସ୍ତଙ୍କ ସାଙ୍ଗରେ ତା'ପାଇଁ ଝଗଡା କରିଚାଲିଥିଲେ!ହେଲେ,ଶଙ୍କର ର ସେସବୁ କୁ ଟିକିଏ ବି ନଜର ନଥିଲା!ନିଜ ଦୁନିଆ ରେ ଶଙ୍କର ଯେମିତି ହଜି ଯାଉଥିଲା,ମା ତାର ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ଶଙ୍କର କୁ ଅନ୍ୟ ଏକ ରାଇଜ ରୁ ଫେରାଇ ଆଣି ପାରୁନଥିଲେ!ଶରୀର ଟା ତାର ଯେତିକି ଲମ୍ବା ହୋଇଚାଲିଥିଲା,ମନଟା ତା'ର ସେତିକି ବିଗିଡି ଚାଲିଥିଲା!ପାଠପଢ଼ା ରେ ମନ ନ ଦେଇ ,ନିଜକୁ ଝିଅ ଙ୍କ ଭଳି ସଜାଇବାରେ ଲାଗିପଡିଥିଲା!ଶେଷ କୁ ଗାଁ ଲୋକଙ୍କ ର ଟାହି ଟାପରା ସହି ନ ପାରି ସ୍କୁଲ ରୁ ତା'ର ନାଁ କଟାଇ ଆଣିଥିଲେ।ସେଥିରେ କିନ୍ତୁ ଟିକିଏ ବି ବିଚଳିତ ନ ହୋଇ,ପୁରା ସମୟ ସେ ନିଜକୁ ସଜାଇବାରେ ଲାଗିପଡିଥିଲା!କେବଳ ଗୋଟିଏ ଭଲ ଗୁଣ ଯୋଗୁଁ ମା ତାର ଟିକିଏ ମନ କୁ ବୁଝାଉ ଥିଲେ।ବାଡିଟିକୁ ତାଙ୍କର ଖୁବ କମ ସମୟ ଭିତରେ ଫୁଲଗଛ,ଫଳ ଗଛ ରେ ଭରପୁର କରି ପୁରା ଆକର୍ଷଣୀୟ କରି ଦେଇଥିଲା!ଯିଏ ବି ଦେଖୁଥିଲା, ଘଡ଼ିଏ ଅନେଇ ରହୁଥିଲା!ହାତ ରେ ତାର ସତେ ଯେମିତି ଯାଦୁ ଥିଲା!ହେଲେ,ସେତକ ବି ଭାଗ୍ୟ ସହିଲା ନାହିଁ।ଦୁର୍ଭାଗ୍ୟକୁ ଆଗରୁ ମହାଜନ ଘରେ ବନ୍ଧା ପଡିଥିବା ବାଡ଼ି ଖଣ୍ଡକ ମଧ୍ୟ ଅଳ୍ପ ଦିନ ରେ ସେମାନେ ଅକ୍ତିଆର କରିନେଇଥିଲେ ! ମାଇଚିଆ, ହିଞ୍ଜଡ଼ା ଶବ୍ଦ ଟି ଅନେକ ଙ୍କ ଠାରୁ ଶୁଣି ଶୁଣି ବାପା ତା'ର ଯେମିତି ପଥର ପାଲଟି ଯାଉଥିଲେ,ଆଉ ମା'ତାର ଭିତରେ ଭିତରେ ଭାଙ୍ଗି ପଡୁଥିଲେ!ଶଙ୍କରା ର ରାଗ ଟା ବି କିଛି କମ୍ ନ ଥିଲା!ଗାଁ ଲୋକ ଙ୍କ ର ସେଇ ଶବ୍ଦ ଗୁଡିକ ଭିତରୁ ଯେମିତି ତା'ର ଅସ୍ତିତ୍ବ କୁ ଖୋଜି ବୁଲୁଥିଲା!କାହିଁକି ତାକୁ ଲୋକେ ଏମିତି କହୁଛନ୍ତି ବୋଲି ମା'କୁ ତା'ର ପଚାରି ପଚାରି ଥକି ଯାଉଥିଲା!ଶେଷ ରେ ମା'ତାର ଅନେକ ବୁଝାଇ ସୁଝାଇ ,ପାଖ ପଡିଶା ସୁକାନ୍ତି ଙ୍କ ର ବୋଲହାକ ପାଇଁ ଓ ତାଙ୍କ ବାଡିଘର ଟିକିଏ ଦେଖାଶୁଣା ପାଇଁ ତାକୁ ପଠାଇବାକୁ ରାଜି କରାଇଥିଲେ!ହୁଏତ ସବୁଦିନର ସେଇ ଅଡୁଆ ପ୍ରଶ୍ନ ଶୁଣି ଶୁଣି ଥକି ଯାଇଥିଲେ,ସେସବୁକୁ ଆଡେଇବା ପାଇଁ ଓ ଶଙ୍କରାର ମନ କୁ କୌଣସି କାମରେ ଲଗାଇବା ପାଇଁ ତାଙ୍କୁ ସୁଯୋଗ ମିଳିଯାଇଥିଲା!ସୁକାନ୍ତି ଙ୍କ ର ନିଃସଙ୍ଗ ଜୀବନ ରେ ସାମାନ୍ୟ ଟିକିଏ ହେଉ ପଛେ,ମଣିଷ ର ଅଭାବ ରହି ନ ପାରିବାର ସନ୍ତୋଷ ମଧ୍ୟ ରହିଥିଲା,ପିଲାମାନଙ୍କର ଦୂରରେ ରହିବାର ଅଭାବ ସାଙ୍ଗକୁ ନିଜ ବୟସର ଚାପକୁ ମଧ୍ୟ ଦୁରେଇବା ର ଖୋରାକ ଟିକିଏ ଯେମିତି ତାଙ୍କୁ ମିଳିଯାଇଥିଲା!ପଡିଶା ଘର ର ଶଙ୍କର ସତେ ଯେମିତି ତାଙ୍କ ପରିବାର ରେ 'ଶଙ୍କରା'ହୋଇ ଧୀରେ ଧୀରେ ମୁଖ୍ୟ ସଦସ୍ୟ ପାଲଟି ଯାଉଥିଲା ! ସବୁ କଥାରେ ସୁକାନ୍ତି ଙ୍କ ର ଶଙ୍କରା କୁ ଖୋଜାପଡୁଥିଲା !

         ଗହ୍ମା ପୂର୍ଣ୍ଣିମା ର ଜହ୍ନ ଟା ସେଦିନ ଭାରି ସୁନ୍ଦର ଦିଶୁଥିଲା।ସୁକାନ୍ତି ମୁହଁ ସଞ୍ଜ ହଉ ହଉ ସଞ୍ଜବତୀ ଟିଏ ଚଉରା ମୂଳେ ରଖିଦେଇ ,ପିଠା ଦିଖଣ୍ଡ ଥାଳିଆ ଟିରେ ଧରି ଦାଣ୍ଡ ପିଣ୍ଡାରେ ବସିପଡି ଖାଇବାକୁ ଯାଉଥିଲେ,ଏତିକିବେଳେ ଧଇଁ ସଇଁ ହୋଇ ଶଙ୍କରା ଗେଟ ଖୋଲି ପଶିଆସିଥିଲା,ସାଙ୍ଗରେ ଥିଲା,ଅଚିହ୍ନା ଝିଅ ଟିଏ।ହଠାତ ଶଙ୍କରା କୁ ଏମିତି ଅବସ୍ଥା ରେ ଦେଖି ,ସୁକାନ୍ତି ହଡ଼ ବଡେଇକି ଉଠି ଯାଇଥିଲେ ଓ ସେ ଝିଅ ଟି କିଏ ବୋଲି ପଚାରିବାରୁ,ଶଙ୍କରା ପ୍ରଥମେ ଲଥ୍ କରି ବାରଣ୍ଡା ରେ ବସିପଡିଥିଲା!ଝିଅ ଟି ଯେ ପୁରା ଅଚିହ୍ନା,ଗାଁ ର କୌଣସି ଘର ର ନୁହେଁ ବୋଲି ସ୍ପଷ୍ଟ ହୋଇ ଯାଇଥିଲା।ଶଙ୍କରା କିଛି କହିବା ପୂର୍ବରୁ ,ଝିଅ ଟି ଡରି ଡରି ଧୀରେ କହିପକାଇଥିଲା-ମାଉଷୀ, ଏ ଭାଇ ଜଣକ ଙ୍କ ଯୋଗୁଁ ମୁଁ ଆଜି ନୂଆ ଜୀବନ ପାଇଛି । ଆପଣ କ'ଣ ତାଙ୍କ ମା ?

           ସୁକାନ୍ତିଙ୍କର ଆଉ କିଛି ପଚାରିବା ପୂର୍ବରୁ ଆଖିରେ ତାଙ୍କର ପଡିଥିଲା,ଶଙ୍କରା ହାତରେ ବନ୍ଧା ହୋଇଥିବା ରାକ୍ଷୀ ଟି ଉପରେ।ସାମାନ୍ୟ ଚମକି ପଡି,କିଛି ବୁଝିବାକୁ ଚେଷ୍ଟା କରୁଥିଲେ ଯେମିତି, ଏତିକିବେଳେ ଶଙ୍କରା ରକ୍ତଚାଉଳ ଚୋବାଇଲା ଭଳି,କହିଉଠିଥିଲା-ହେଇତି ମା,ଆଜି ତାକୁ ଦି'ଗଡ଼ କରିଦେଇଥାନ୍ତି!ଖାଲି ତମରି କଥା ମନେ ପଡିଲା ରୁ ଛାଡିଦେଲି,ତେମେ ଶିଖେଇଥିବା କଥା ବାର ବାର ମନ କୁ ଆଇଲା-ପାପୀ କୁ ଭଗବାନ ଦଣ୍ଡ ଦିଅନ୍ତି,ମଣିଷ ଦେଲେ ପାପ ହୁଏ।ସୁକାନ୍ତି ସଙ୍ଗେ ସଙ୍ଗେ କହିଉଠିଲେ-ଆରେ,କାହାକୁ ଦି'ଗଡ଼ କରିଦେଇଥାନ୍ତୁ?ତୋର ଏତେ ରାଗ କୋଉଠି ଥିଲା ?କ'ଣ ହେଲା ? ଏଇ ଝିଅ କିଏ ମୁଁ ତ ଜାଣିପାରୁନି!ଏତେଗୁଡାଏ ପ୍ରଶ୍ନ ଏକା ସାଙ୍ଗରେ ଶୁଣି ଶଙ୍କରା ଟିକେ ରହିଗଲା ଆଉ କହିଚାଲିଲା-ସେଇ ଜମିଦାର ଘର ସାନ ପୁଅ ଟା ମ!ଆଜି ତ ମୋ ହାତ ରେ ଆରପୁର କୁ ଯାଇଥାନ୍ତା!ଆମ ଗାଁ ର ଅତିଥିଙ୍କ ଧିଅ ରେ ହାତ ଦେଉଥିଲା,ମୁଁ ସିନା ସେଇ ମନ୍ଦିର ରେ ବସୁ ବସୁ ଘୁମେଇ ପଡିଥିଲି ବୋଲି ,ମୋ କାନ ରେ ଏଇ ଏଇ ଦିଦି ଙ୍କ ର ପାଟି ଶୁଭିଗଲା !ତେମେ କୁହ ମା,ମୋ ଧିଅ ଏଯାଏଁ ଥରୁଛି!ଏଇ ଦିଦି ଯାହା ଘରକୁ ଆଇଛନ୍ତି ଜାଣିଲେ ବି ନେଇ ପାରିଲିନି।ତେମେ ତ ,ଏଇ ନିଉଛୁଣା ଗାଁ ଲୋକ ଙ୍କୁ ଜାଣିଛ,କେତେ କଥା ଉଠେଇବେ,ଏମିତି ଅବସ୍ଥା ରେ ତାଙ୍କୁ ଗାଁ ଦାଣ୍ଡ ରେ ନେଲେ!ତାଙ୍କୁ ଟିକିଏ ଆମ ଦିଦି ଙ୍କ ଡ୍ରେସ ଖଣ୍ଡେ ବଦଳିବା କୁ ଦେଇଦିଅ,ସିଏ ଆଗ ବଦଳି ପକାନ୍ତୁ,କେତେ କାଦୁଅ ପାଣି ତାଙ୍କ ଡ୍ରେସ ସାରା ହେଇଛି,ସେ ପୋଡାମୁହାଁ ଟା ସାଙ୍ଗରେ ଲଢୁ ଲଢୁ,ଫାଟି ଫୁଟି ଯାଇଥେବ କି କ'ଣ,ତେମେ ଆଜ୍ଞା ଟିକିଏ ଦେଖିଦିଅ!ତା'ପରେ ମୁଁ ତାଙ୍କେ ଙ୍କ ଘରେ ଖବର କରିଦେବି ଯେ ସେମାନେ ଆସିକି ନେଇଯିବେ ସେ ଦିଦି ଙ୍କୁ।

         ସୁକାନ୍ତି ଙ୍କ ଅନେକ ପ୍ରଶ୍ନର ଉତ୍ତର ଯେମିତି ଶଙ୍କରା ର କେଇପଦ କଥା ରୁ ମିଳିଯାଇଥିଲା।ଆଉ ତା'ହାତ ର ରାକ୍ଷୀ ଟି ମଧ୍ୟ ଯେମିତି ତା'କାହାଣୀ ଟି କହିଯାଉଥିଲା!ସୁକାନ୍ତି ଙ୍କ ମନ ଭିତରକୁ ଅନେକ ବର୍ଷ ତଳ ର ସେଇ କିଶୋର ଶଙ୍କରାର ମୁହଁ ଟି ଦିଶିଯାଉଥିଲା ଯୋଉଦିନ କାନ୍ଦି କାନ୍ଦି ତାଙ୍କ ପାଖରେ ଫେରାଦ ହୋଇଥିଲା ତା'କଥା କେଇପଦ ଏବେ ବି ତାଙ୍କ କାନ ରେ ବାଜି ଯାଉଥିଲା ମା,ମୋ ଭାଉଣୀ ନାହିଁ ବୋଲି ଆଜି ଭାରି ବାଧୁଛି ଏତେ ବରଷ ଯାକେ ମୋ ଦାଦା ଝିଅ କେଡେ ଯତନ ରେ ମୋ ହାତ ରେ ଫି ବରଷ ରାକ୍ଷୀ ବାନ୍ଧୁଥେଲା,ଏ ବର୍ଷ କଣ ହେଲା କେଜାଣି ବାନ୍ଧିଲାନି, କହୁଛି କଣ ନା ଖୁଡି ତାକୁ ମନା କରିଛି,ଆଉ ସିଏ କେବେ ହେଲେ ତା'ହାତ ରେ ରାକ୍ଷୀ ବାନ୍ଧିବନି!ମୁଁ କୁଆଡେ ତା'ଭାଇ ନୁହଁ!ସରଳ ମନ ରେ ସେଦିନ ସୁକାନ୍ତି ଙ୍କୁ ବାରମ୍ବାର ପଚାରି ଚାଲିଥିଲା-ମା,ଏତେ ବରଷ ହେଲା ତାର ଭାଇ ଥିଲି,କେମିତି ଆଜି ହେଲିନି ମା ? ସିଏ କାହିଁକି ମୋ ହାତରେ ରାକ୍ଷୀ ବାନ୍ଧିବନି ବୋଲି କହୁଛି ? ଝୁଅ ପିଲାଙ୍କ ପାଉଡର,ନଖ ପାଲିସ ନାଇଲି ବୋଲି,କଣ ମୁଁ ତା ଭାଇ ନୁହଁ?ଫଟେଇ ପଚାରିଲରୁ ସେଇଆ କହୁଛି!ଇଏ କି କଥା ମା ? ତେମେ କହିଲ?ସୁକାନ୍ତି ସେଦିନ କିଛି ସମୟ ପାଇଁ ନିରୁତ୍ତର ହୋଇ ଯାଇଥିଲେ,ପରେ ଅବଶ୍ୟ ତାକୁ ତା'ଖୁଡି ର ଦେହ ଭଲ ରହୁନ ଥିବାରୁ ଚିଡିଚିଡା ହୋଇ ଯାଇଛି ବୋଲି କହି ଭୁଲାଇ ଦେଇଥିଲେ। ହେଲେ,ନିଜ ପାଖରେ ସେ ପ୍ରଶ୍ନ ର ଉତ୍ତର ଯେମିତି ସେ ଖୋଜି ବୁଲୁଥିଲେ।ଭଗବାନ ଙ୍କ ସୃଷ୍ଟି କୁ ପ୍ରଶ୍ନ କରି ଚାଲିଥିଲେ ଆଉ ସମାଜ ର ଚଳଣି ଉପରେ ସବୁଯାକ ରାଗ ତାଙ୍କ ର ଅଜାଡି ହୋଇ ପଡ଼ିଥିଲା!ମଣିଷ ହୋଇ ଯଦି ସେମାନଙ୍କୁ ସଂସାର କୁ ଭଗବାନ ଆଣିଲେ,ତା'ହେଲେ ଏତେ କଥା ରୁ ବଞ୍ଚିତ କାହିଁକି କରିଲେ ?ସେମାନଙ୍କ ର ଦୋଷ କୋଉଠି ରହିଲା ?

         ସଞ୍ଜ ଗଡ଼ି କେତେବେଳେ ଯେ ରାତି ଘଡ଼ିଏ ହୋଇ ଯାଇଥିଲା ଜଣାପଡିନଥିଲା ! ଯଦିଓ ଜହ୍ନ ଆଲୁଅରେ ଚାରିଆଡ଼ ଫର୍ଚ୍ଚା ଦିଶୁଥିଲା,ତଥାପି କାହିଁକି କେଜାଣି ସେଦିନ ଅନ୍ଧାର ଟା ମାଡି ମାଡି ପଡୁଥିଲା ! ଝିଅଟିକୁ ଘର ଭିତରକୁ ଡାକି ନେଉ ନେଉ ଶଙ୍କରା ଉପରେ ସୁକାନ୍ତିଙ୍କର ଆଖି ପଡି ଯାଇଥିଲା। କିଛି ସମୟ ପୂର୍ବରୁ ରାଗରେ ଥରୁଥିବା ଶଙ୍କରା ର ଲମ୍ବା ଚଉଡା ଶରୀର ଟା ସତେ ଯେମିତି ଶାନ୍ତ ସ୍ଥିର ହୋଇ ଯାଇ ଥିଲା ! ନିଜ ହାତରେ ବନ୍ଧା ହୋଇଥିବା ରାକ୍ଷୀଟିକୁ ଖୁବ୍ ଯତ୍ନର ସହିତ ଆଉଁଷି ଦେଉ ଦେଉ ଆଖି ଦୁଇଟି ତାର ଯେମିତି ଆତ୍ମସନ୍ତୋଷରେ ଚିକ୍ ଚିକ୍ କରି ଉଠୁଥିଲା ! ଗାଁ ଦାଣ୍ଡରେ ଖୋଲା ପେଣ୍ଡାଲର ଯାତ୍ରାର କୋଳାହଳ ସୁକାନ୍ତିଙ୍କର କାନରେ ପଡୁଥିଲା,ଶଙ୍କରାର କିନ୍ତୁ ସତେ ଯେମିତି ସେସବୁ ପ୍ରତି ଟିକିଏ ବି ନିଘା ନ ଥିଲା ।       


Rate this content
Log in

Similar oriya story from Classics