STORYMIRROR

puspanjali das

Inspirational

3  

puspanjali das

Inspirational

'ଭଏସ ମେସେଜ୍ '************

'ଭଏସ ମେସେଜ୍ '************

5 mins
174


     

    ଝରକା ଖୋଲୁ ଖୋଲୁ ଦଲକାଏ ଥଣ୍ଡା ପବନ ପଶିଆସି ମୁହଁରେ ପଡ଼ିଥିବା ଚୂର୍ଣ୍ଣ କୁନ୍ତଳକୁ ଏପଟ ସେପଟ କରି ଶ୍ରୀକୁ ବ୍ୟସ୍ତ କରିପକାଇଲା! ହାତରେ ସେତକ ସଜାଡି ଦେଇ, କ୍ଲିପ୍ ଟିଏ ଲଗାଇ ସେ ପବନର ଶୀତଳତାକୁ ଉପଭୋଗ କରୁ କରୁ ଭାବନାରେ ବୁଡି ଯାଇଥିଲା - ସତରେ, ଜୀବନଟା ଯଦି ଏମିତି ହାତରେ ସଜାଡି ହୋଇ ପାରୁଥାନ୍ତା ନା, ବଞ୍ଚିବାଟା କେତେ ସହଜ ହୋଇ ପାରନ୍ତା!!

  ତା' ଜୀବନ ଦର୍ଶନର ଭାବନାରେ ପୂର୍ଣ୍ଣଛେଦ ପକାଇ, ନିଳୀମା, ଶ୍ୱେତା ଓ ସରିତା ଘର ଭିତରକୁ ହସି ହସି ପଶି ଆସିଥିଲେ, ଆଉ କହି ପକାଇଲେ - କୋଉ ଭାବନାରେ ମଜ୍ଜି ଯାଇଛନ୍ତି ମ୍ୟାଡାମ ଏ ଜେ ?? ହଠାତ୍ ସେମାନଙ୍କ କଥାରେ ଚମକି ପଡ଼ି ଶ୍ରୀ କହି ପକାଇଥିଲା - ଆରେ, ଏ ଏ ଜେ କିଏ?କ'ଣ ଏତେ ଶୀଘ୍ର ମୋ ନାଁ ଭୁଲିଗଲ ନା ନୂଆ ନାମକରଣ ମୋର ହୋଇଗଲା?ଏଥର ଜୋର୍ ରେ ସମସ୍ତଙ୍କ ର ହସ ବାହାରି ପଡ଼ିଥିଲା, ଆଉ ଏକାସାଙ୍ଗରେ ଶ୍ଵେତା ଓ ସରିତା କହି ଉଠି ଥିଲେ -ଏ ଜେ ନୁହେଁ ତ ଆଉ କ'ଣ?ତମେ ତ ଆମ ଆପର୍ଟମେଣ୍ଟର ଜକି..ଏ ଜେ ! ଆଉ କିଏ ଏମିତି ରେଡ଼ିଓ ଜକିଙ୍କ ଭଳିଆ କହିପାରିବ କହିଲ??ତା'ପରେ ପୁଣି ସମସ୍ତଙ୍କର ହସ ରେ ଡ୍ରଇଂରୁମ୍ ଟି ଉଛୁଳି ପଡ଼ିଥିଲା!ଶ୍ରୀ ଏଥର ବୁଝିପାରିଥିଲା ଯେ ତା'ର ପୂର୍ବଦିନ ର 'ଭଏସ ମେସେଜ ର ଗୁଡ ମର୍ନିଙ୍ଗକୁ ଆକ୍ଷେପ କରି ଏତକ ସେମାନେ ତାକୁ ଶୁଣାଉଛନ୍ତି!ସିଏ ମଧ୍ୟ ସେମାନଙ୍କ ସାଙ୍ଗରେ ହସି ପକାଇ କହିଲା - ଆରେ, ସମସ୍ତେ ଟିକେ ଟିକେ ଏମିତି ଭଏସ ମେସେଜ ପଠାଇଲେ କେମିତି ହୁଅନ୍ତା? ଶୁଣିବାକୁ କ'ଣ ଖରାପ ଲାଗୁଛି?ଏତକ ଶୁଣୁ ଶୁଣୁ ସମସ୍ତେ ଏକା ସାଙ୍ଗରେ କହିଉଠିଲେ - ନାଇଁ ବାବା...ଆମ ଦେଇ ସେସବୁ ହବନି, ତମ ଭଳି ଆମକୁ ସେ କଳା ଜଣା ନାହିଁ!

      ଏଥର ଶ୍ରୀ ସହଜ ହୋଇ ଯାଇ କହିଲା - ଆଛା, ଏମିତି ଆମେ ସବୁ ତ କେତେ ଗପ ସପ ଖୁବ୍ ସହଜ ରେ କରି ପାରୁଛୁ, ସେମିତି କଥା ହେଲା ଭଳି ଦୁଇପଦ କହିଦେଇ ପଠାଇବାରେ ଅସୁବିଧା କୋଉଠି?ବରଂ ଟାଇପ କରିବା ପାଇଁ ଏ ପରିଣତ ବୟସ ରେ ଆଖି ଉପରେ ପ୍ରେସର୍ ପଡୁଛି, ସମୟ ବି ଅଧିକା ଲାଗୁଛି, ପୁଣି ଅକ୍ଷର ଏପଟ ସେପଟ ହୋଇ ବେଳେ ବେଳେ ବିରକ୍ତ ମଧ୍ୟ ଲାଗୁଛି! ତା ' ଛଡ଼ା କଥା ଦୁଇ ପଦରୁ ଆମେ ଅନ୍ୟ ର ଆବେଗ କୁ ମଧ୍ୟ ବୁଝି ପାରିବା, ସେତକ କ'ଣ ସେଇ ଶୁଖିଲା ଟାଇପ କରା ଶବ୍ଦ ରେ ଥାଏ?ସକାଳୁ ସକାଳୁ ନିଜ ନିଜ ମୁଡ୍ କୁ ମଧ୍ୟ ଟିକେ ଚେଷ୍ଟା ରେ ଠିକ୍ କରି ଦୁଇ ପଦ କହିପାରିଲେ ଭଲ ଲାଗନ୍ତା!ଥରେ ଥରେ ଟ୍ରାଏ କରିଲେ କ୍ଷତି କ'ଣ?ମୁଁ ବି ପ୍ରଥମେ ପ୍ରଥମେ ମୋ କବୟତ୍ରୀ ବାନ୍ଧବୀ ସୁମି ପାଖକୁ ଭଏସ ମେସେଜ ପଠାଇବାକୁ ପଛାଉଥିଲି, ହେଲେ ସିଏ ଛାଡ଼ି ନଥିଲା, କେବଳ ସେଇ ଭଏସ ମେସେଜ ସବୁଦିନ ପଠାଉ ଥିଲା, ଆଉ ମତେ ପଠେଇ ବାକୁ ମଧ୍ୟ ବାରମ୍ବାର ଅନୁରୋଧ କରୁଥିଲା!ଡରି ଡରି ପଦେ ପଦେ କହିକି ପଠେଇବାରୁ ଏମିତି ଅଭ୍ୟାସ ହେଇ ଯାଇଥିଲା ଯେ ଆଉ ଟାଇପ କରିବାକୁ ଟିକେ ବି ଇଚ୍ଛା ହେଉନଥିଲା!ସୃଜନୀ ଦୁନିଆ ରେ ବ୍ୟସ୍ତ ବହୁଳ ଜୀବନ ଚର୍ଚ୍ଚା ଭିତରେ ସିଏ ଖୁବ୍ କମ୍ ସମୟ ପାଉଥିଲା, ତଥାପି ସେଇ ଭଏସ ମେସେଜ ର ସୁବିଧା ଯୋଗୁଁ , ଦୁଇପଦ ହେଉ ପଛକେ ପଠାଇ ଦେଉଥିଲା!

       ଶ୍ରୀ ର ଡ୍ରଇଂରୁମ୍ ରେ ଗପସପ ର ଆସର ଟା ଅବଶ୍ୟ କିଛି ସମୟ ଭିତରେ ଖୁବ୍ ଜମି ଯାଇଥିଲା, ହେଲେ ଯେତେବେଳେ ସୁଲଗ୍ନା ର ଅନୁପସ୍ଥିତି ରେ କଥାସବୁ ତା'ରି ଉପରେ କେନ୍ଦ୍ରିତ ହୋଇ ଯାଇଥିଲା, ଶ୍ରୀ ସେ କଥାକୁ ଆଭଏଡ କରିବାକୁ ଲାଗିଲା!ଯଦିଓ ସେ ସେମାନଙ୍କ ସାଙ୍ଗରେ ମିଶି ପାରୁଥିଲା, ହେଲେ ସୁଲଗ୍ନା ସାଙ୍ଗରେ କେମିତି ଗୋଟାଏ ନିଆରା ସମ୍ପର୍କ ତା'ର ଖୁବ୍ କମ୍ ଦିନ ଭିତରେ ଗଢି ଉଠିଥିଲା!ଗୋଟିଏ ଆପାର୍ଟମେଣ୍ଟ ରେ ସୁଲଗ୍ନା ରହିଥିଲେ ବି, ସମସ୍ତଙ୍କ ଠାରୁ ଟିକେ ଭିନ୍ନ ଥିଲା, ଅନ୍ୟମାନଙ୍କ ପରି ବେଶୀ କାହା ଘର କୁ ବୁଲାବୁଲି କରିବାକୁ ପସନ୍ଦ କରୁନଥିଲା!ଦେଖିବାକୁ ସାଧାରଣ ହେଲେ ବି, ଯେତେବେଳେ ବି ଦେଖା ହୋଇଯାଏ, ତା'ବ୍ୟବହାର ରେ ଖୁବ୍ ଆତ୍ମୀୟତା ରହିଥାଏ!ଆଧୁନିକତା ର ଛାପ ବେଶପୋଷାକ ରେ ଥିଲେ ମଧ୍ୟ ନିଜ ସଂସ୍କୃତି ଓ ପରମ୍ପରା ପ୍ରତି ବେଶ୍ ସମ୍ମାନ ତାର ରହିଥିଲା!ପର ଚର୍ଚ୍ଚା କୁ ଖୁବ୍ ସୁନ୍ଦର ଓ ସହଜ ରେ ଆଭଏଡ କରିଯାଏ, ଆଉ ସବୁବେଳେ ହସ ଟିକକ ତା' ମୁହଁ ରେ ଲାଗି ରହିଥାଏ! ସୁଲଗ୍ନା ସହିତ ଦେଖା ହୋଇଗଲେ ଶ୍ରୀ କୁ ପଜିଟିଭ ଭାଇବ ଯେମିତି ମିଳିଯାଏ!

      ଅନେକଙ୍କର ସମାଲୋଚନା, ଆକ୍ଷେପ ସତ୍ତ୍ୱେ ଶ୍ରୀ କିନ୍ତୁ ସବୁଦିନ ସେଇ ଲେଡିଜ୍ ଗ୍ରୁପ କୁ ଭଏସ ମେସେଜ ପଠାଇବାକୁ ଲାଗିଥିଲା।ଧୀରେ ଧୀରେ ଆକ୍ଷେପ ଟା କମି କମି ଆସିଥିଲା ଓ ଜଣେ ଦୁଇଜଣ ମଧ୍ୟ ଭଏସ ମେସେଜ ପଠାଇବାକୁ ଲାଗିଥିଲେ!କିଛିଦିନ ଭିତରେ ପ୍ରାୟ ସମସ୍ତେ ଟାଇପ କରା ଅକ୍ଷର କୁ ଯେମିତି ଭୁଲିଗଲେ!ସକାଳ ର କେତୋଟି ମୂହୁର୍ତ୍ତ ସେଇ 'ଭଏସ ମେସେଜ ' ରେ ଗପସପ ର ଆସର ପରି ସମସ୍ତଙ୍କୁ ଲାଗିଥିଲା!କେବଳ ସୁଲଗ୍ନା ର ସେଇ ଚିରାଚରିତ ଟାଇପ କରା ଶବ୍ଦ ସଂଯୋଜନା ଓ ସୁନ୍ଦର ଉପସ୍ଥାପନାର ମେସେଜଟିଏ ଯାହା ଆସୁଥିଲା।ଶ୍ରୀ ଠିକ୍ ଜାଣି ପାରୁଥିଲା ଯେ ସୁଲଗ୍ନା କିନ୍ତୁ ସମସ୍ତଙ୍କ ର ମେସେଜ ଶୁଣୁଛି ବୋଲି।

     ହଠାତ୍ ଦିନେ ଶ୍ରୀ ମୋବାଇଲ ଅନ୍ କରୁ କରୁ ସୁଲଗ୍ନା ର କେତେ ସେକେଣ୍ଡ ର ଭଏସ ମେସେଜ ଦେଖି ଆଶ୍ଚର୍ଯ୍ୟ ହୋଇ କିଛି କ୍ଷଣ ରହି ଯାଇଥିଲା!ମେସେଜ ଖୋଲିଲା ବେଳକୁ କିନ୍ତୁ ପୁରୁଷ ଲୋକ ଟିଏ ର ଗର୍ଜନ କହିଲେ ଚଳେ ତା ' କାନରେ ପଡ଼ିଥିଲା - ଚା' କପେ ମିଳିବନି କି ଆଜି?ସକାଳୁ ସକାଳୁ ଫୋନ୍ ଧରିକି... ତର୍ ତର ହୋଇ ସେତକ ଗ୍ରୁପରୁ ଡିଲିଟ କରିଦେଇ, ଶ୍ରୀ ଚିନ୍ତା ରେ ବୁଡି ଯାଇଥିଲା! ସୁଲଗ୍ନା ର ମନୋଦଶା କୁ ବେଶ୍ ଅନୁମାନ କରିପାରିଲା ଓ ଶ୍ୱେତା, ସରିତାଙ୍କ କଥା ର ସତ୍ୟତା ମଧ୍ୟ କିଛିଟା ଅନୁଭବ କରିପାରିଥିଲା।ପରିଣତ ବୟସ ପର୍ଯ୍ୟନ୍ତ ଯେ ସୁଲଗ୍ନା ତା' ମିଷ୍ଟରଙ୍କ ରରୁଗ୍ ଣ ମାନସିକତା କୁ ସହି ଆସୁଥିଲା, ଆଉ ସେଇଥିପାଇଁ ସେ ସେଇ 'ଭଏସ ମେସେଜ ' କୁ ଆଭଏଡ କରିଆସୁଥିଲା ବୋଲି ମଧ୍ୟ ଅନୁମାନ କରି ପାରିଥିଲା!ସେଇ ଅଧଖଣ୍ଡ ବାକ୍ୟ ଟି ହୁଏତ ସୁଲଗ୍ନା ର ଅଜାଣ ତରେ ରେକଡ୍ ହୋଇ ଯାଇଥିଲା ବୋଲି ମଧ୍ୟ ଜାଣିପାରିଥିଲା। କ'ଣ କରିବ ନ କରିବ ର ଦୋଛକି ରେ ରହି ବହୁତ୍ ସମୟ ଚିନ୍ତା କରିଲା ପରେ, ସାହସ କରି ତା ' ପାଖକୁ ୩/୪ ପଦ ର ଭଏସ ମେସେଜ ଟିଏ ପଠାଇ ଦେଇଥିଲା, ଅବଶ୍ୟ ସେଥିରେ ଅନେକ ଉପଦେଶ ରହିଥିଲା, ନାରୀର ଆତ୍ମ ସମ୍ମାନ ଉପରେ, ହେଲେ ଆତ୍ମିୟତାର ରଙ୍ଗ ମଧ୍ୟ ଖୁବ୍ ବୋଳି ଦେଇଥିଲା!

       ଦୁଇଦିନ ସୁଲଗ୍ନାର ନିରବତାକୁ ଶ୍ରୀ କୁ ଯେମିତି ଦୁଇଟି ଯୁଗ ପରି ଲାଗିଥିଲା!ଗ୍ରୁପ ରେ କି ତା ପାଖକୁ ସୁଲଗ୍ନା ର କୌଣସି ମେସେଜ ଆଉ ଆସିନଥିଲା।ଶ୍ରୀ ନିଜକୁ ଦୋଷୀ ମନେକରି ଯେତେବେଳେ ତା' ଠାରୁ କିଛି ଉତ୍ତର ପାଇବା ର ଆଶା ଛାଡ଼ିଦେଇଥିଲା, ସେତିକିବେଳେ ତାକୁ ଚମକାଇ ଦେଇ ତାର ଲମ୍ବା 'ଭଏସ ମେସେଜ ' ଟିଏ ତା' ପାଖକୁ ଚାଲିଆସିଥିଲା , ଯୋଉଥିରେ ହୁଏତ ତା ' ହୃଦୟ ର କିଛି ଟା ଅକୁହା କଥା ଝରିପଡ଼ିଥିଲା!- ଓଠ ତାର ସତେ ଯେମିତି ଥରି ଉଠୁଥିଲା...ହଁ ଲୋ ଶ୍ରୀ ତତେ କିଛି କହିବି କି ନାହିଁ ଭାବୁ ଭାବୁ ମତେ ନିଜ ପାଇଁ ଶକ୍ତି ଜୁଟେଇବାକୁ ଦୁଇଦିନ ଲାଗିଗଲା! ମୁଁ ଜାଣିଛି, ତୁ ମୋର ସେ 'ଭଏସ ମେସେଜ 'ରୁ ଅନେକ କିଛି ଅନୁମାନ କରିଦେଇଛୁ!ଜୀବନର ଏତେ ବର୍ଷ କାଳ ଏମିତି ସହି ସହି ମୁଁ ପଥର ହେଇଗଲିଣି, ଭାବିଥିଲି, ଅବଶିଷ୍ଟ ଜୀବନ ତକ ସେମିତି ଚୁପ୍ ରହିକି କାଟି ଦେବି।ଏତେ ଭିଡିଓ, ଫରୱାଡ୍ ମେସେଜ ଦେଖୁଛି, ଶୁଣିଛି, ବହୁତ୍ କିଛି ବଦଳାଇବା ପାଇଁ ଚେଷ୍ଟା ମଧ୍ୟ କରିଛି, ହେଲେ ନିଜକୁ ସେତିକି ଶକ୍ତିଶାଳୀ କରିପାରିନି ଲୋ।କେମିତି କେଜାଣି ଭାରି ଏକୁଟିଆ ଏକୁଟିଆ, ନିର୍ବଳ ଲାଗେ!ହେଲେ ତୋର ସେ ମେସେଜ ର ଅତ୍ମୀୟତା ଯେମିତି ମତେ ଏତେ ବଳ ଦେଇଦେଲା ଯେ, ତୋ ସାଙ୍ଗରେ କିଛି ଟା ସେୟାର କରିବାକୁ ସାହାସ ଜୁଟେଇ ପାରିଲି।ହୁଏତ ତତେ ଏମିତି ମଝିରେ ମଝିରେ ବୋର୍ କରିବି ବୋଲି ଭାବୁଛି!ହେଲେ ପୁଣି ଭାବୁଛି, ତୁ କଣ ସେସବୁ ଶୁଣି ବ୍ୟସ୍ତ ହେବୁନି?ନା ସେସବୁକୁ ଖୁବ୍ ସହଜ ରେ ନେଇ, ମତେ ପୁଣି ଟିକିଏ ଶକ୍ତି ଦେଇ ଦେବୁ!ସେ ଯାହା ବି ହେଉ, ତୋର ଏ 'ଭଏସ୍ ମେସେଜ'ର ତାତ୍ପର୍ଯ୍ୟ ଆଜି ମୁଁ ବୁଝି ପାରୁଛି!ସେ ଟାଇପ କରା ଅକ୍ଷର ରେ ଜୀବନ ନଥାଏ ଲୋ, ଓଠରୁ ବାହାରି ଶବ୍ଦ ରେ ସତରେ ଜୀବନ ସଞ୍ଚାର ହୋଇଯାଏ!ଅନେକ ଆବେଗ ବୋଳି ହୋଇଯାଏ...

       ସେତକ ଶୁଣି ଶ୍ରୀ, ସୁଲଗ୍ନା ର ପଜିଟିଭ ପ୍ରତିକ୍ରିୟା ପାଇଁ ଖୁସି ହେବ କି ତା' ଦୁଃଖ ରେ ଦୁଃଖି ହେବ ବୁଝିପାରୁ ନଥିଲା!ନୂଆ ଟେକ୍ନୋଲୋଜିକୁ ପିଲାଙ୍କ ଆଗରେ ସବୁବେଳେ ଗାଳି ଦେବା ଶ୍ରୀ ମନେ ମନେ ଭାବୁଥିଲା - ସେ ଯାହା ବି ହେଉ, ନୂଆ ଟେକ୍ ନୋଲୋଜି ର' ଭଏସ ମେସେଜ ' କିନ୍ତୁ ସତରେ ଖୁବ୍ ଉପାଦେୟ!


Rate this content
Log in

Similar oriya story from Inspirational