STORYMIRROR

puspanjali das

Inspirational

4  

puspanjali das

Inspirational

ଖଟ୍ଟି

ଖଟ୍ଟି

5 mins
208

ଷ୍ଟଡିରୁମର ଝରକା ଖୋଲି ଦେଇ,ରାସ୍ତା କଡର ଦୋକାନଟି ଖୋଲା ଅଛି କି ନାହିଁ ଦେଖିବାକୁ ଯାଇ ଗାୟତ୍ରୀଙ୍କ ଆଖିରେ ପଡ଼ିଥିଲା ଓସ୍ତ ଗଛର କଅଁଳିଆ ପତ୍ର ଭର୍ତ୍ତି ହୋଇଥିବା ଡାଳ ଖଣ୍ଡିକ ଉପରେ ଯୋଉଟା ନଇଁ ଆସି ପବନରେ ଦୋଳି ଖେଳି ଖେଳି ତାଙ୍କ ଆଖି ଆଗରୁ ଦୋକାନ ଗୁଡିକୁ ଲୁଚାଇ ଦେଉଥିଲା।ସତେ ଯେମିତି ଏତେ ବଡ ଓସ୍ତ ଗଛଟି ସେଇ ପୁରୁଣା ଆପାର୍ଟମେଣ୍ଟର ଅନେକ କାହାଣୀର ମୂକ ସାକ୍ଷୀ ହୋଇ ଠିଆ ହୋଇଥିଲା ଆଉ ବିନା ଦ୍ୱିଧାରେ ସମସ୍ତଙ୍କୁ ଥଣ୍ଡା ପବନ ଦେଇ ଚାଲିଥିଲା... କାହାର ସମ୍ମାନ ଓ ଅସମ୍ମାନକୁଟିକିଏ ବି ଖାତିର ନ ଥିଲା! ତା' ମୂଳରେ ସେହି ଆପାର୍ଟମେଣ୍ଟର କେତେଜଣ ସ୍ତ୍ରୀ ଲୋକଙ୍କର ପୂଜା ପାଠ ଓ ଆଉ କିଛି ଜଣଙ୍କ ଅଳିଆ ଆବର୍ଜନା ପକାଇବା ଯେମିତି ତା' ବଦାନ୍ଯତାକୁ ଟିକିଏ କମ୍ ବେଶି କରିପାରୁନଥିଲା! ସବୁଠାରୁ ବେଶି ଖୁସି ଥିଲେ ଯେ ତାଙ୍କରାତିରେ ଝରକା ଖୋଲି ଶୋଇବାର ଅଭ୍ୟାସ ଟା ମଧ୍ୟ ଗୋବର୍ଦ୍ଧନ ବାବୁଙ୍କୁ ଆଉ ବିରକ୍ତ କରୁନଥିଲା! ହଠାତ୍ ଦଲକାଏ ଥଣ୍ଡା ପବନ ଝରକା ବାଟେ ଧସେଇ ହୋଇ ପଶି ଆସିଥିଲା ତା' ସାଂଗରେ ମନ ଭିତରକୁ ପୁରୁଣା କଥା ଗୁଡ଼ିକ ମଧ୍ୟ... 

     ଦୀର୍ଘ ଦିନର ଚାକିରି ସମୟଟାରେ ଘର ଖଣ୍ଡେ କରିନ ପାରି ଭଡାଘରେ ଦିନ କାଟିଥିଲେ ପରିବାରଟି! ଶେଷକୁ ଚାକିରିରୁ ଅବସର ନେବା ପରେ ଗୋବର୍ଦ୍ଧନ ବାବୁ ଘର ଖଣ୍ଡିକର ମହତ୍ତ୍ବ ବୁଝି ପାରି ଅଣନିଃଶ୍ବାସୀ ହୋଇ ଘର ଖୋଜି ଚାଲିଥିଲେ। ପିଲାମାନେ ବଡ ହୋଇ ଯାଇଥିବାରୁ ସେମାନଙ୍କର ପସନ୍ଦ ନାପସନ୍ଦକୁ ମଧ୍ୟ ଆଖିରେରଖି ବାକୁ ପଡିଥିଲା! ପିଲାଙ୍କର ଭୂବନେଶ୍ବର ପସନ୍ଦକୁ ଗୋବର୍ଦ୍ଧନ ବାବୁଙ୍କ କଟକ ପସନ୍ଦ ଆଉ ମଝିରେ ଥାଇ ଗାୟତ୍ରୀ ପେଶୀ ହୋଇ ଯାଇଥିଲେ ନିଜର ନିଷ୍ପତ୍ତି ଜଣାଇବା ପାଇଁ ! ଶେଷକୁ ଗୋବର୍ଦ୍ଧନ ବାବୁଙ୍କ ଇଛାରେ ସହମତି ଦେଇ କଟକରେ ଘର ଖଣ୍ଡେ କିଣା ହୋଇଥିଲା ସତ ହେଲେ ପିଲାଙ୍କ ପସନ୍ଦ ଆପାର୍ଟମେଣ୍ଟର ଫ୍ଲାଟ୍ଟିଏ, ଯାହା ଗୋବର୍ଦ୍ଧନ ବାବୁଙ୍କର ପସନ୍ଦ ବାହାରେ ଥିଲା! ଘରଟି ଯଦିଓ ଛୋଟ ନ ଥିଲା, ହେଲେ ସେ ଆପାର୍ଟମେଣ୍ଟର ଚଳଣୀ ହିଁ ତାଙ୍କୁ ଆରେଇବ ନାହିଁ ବୋଲି ତାଙ୍କର ଧାରଣା ଟା ଖୁବ୍ ଦୃଢ ଥିଲା! 

       ଧିରେ ଧିରେ ସମ‍ୟ ଗଡିବାକୁ ଲାଗିଥିଲା। ଘର ଖଣ୍ଡିକ ସଜଡା ସଜଡି ସାଙ୍ଗକୁ ନୂଆ ହୋଇ ଆଈ ହେବାର ସ୍ବାଦକୁ ମଧ୍ୟ ଯେମିତି ଖୁବ୍ ମନ ଭରି ଉପଭୋଗ କରୁଥିଲେ ଯେ, ଗାୟତ୍ରୀ ଅନ୍ୟ କିଛିକୁ ଲକ୍ଷ କରି ପାରୁନଥିଲେ! ଅବସର ଗ୍ରହଣ କରିବା ପରେ ପରେ ଚିଡିଚିଡା ହୋଇ ଯାଇଥିବା ଗୋବର୍ଦ୍ଧନ ବାବୁ କେମିତି କେଜାଣି ଧିରେ ଧିରେ ଶାନ୍ତ ହୋଇ ଖୁସିରେରହିବା ଭଳି ଲାଗୁଥିଲେ! ସେ ଯାହା ବି ହେଉ ଘରର ପରିବର୍ତ୍ତିତ ପରିବେଶରେ ଖୁବ୍ ଖୁସି ଥିଲେ ଗାୟତ୍ରୀ! 

    ସେଦିନ କିନ୍ତୁ ଗୋବର୍ଦ୍ଧନ ବାବୁଙ୍କର ଗମ୍ଭୀର ମୁହଁକୁ ଦେଖି ଦ୍ବନ୍ଦ୍ବରେ ପଡିଯାଇ ପଚାରି ଦେଇ ଥିଲେ - ଆରେ, ଆଜି କ'ଣ ଶୀଘ୍ର ମର୍ଣ୍ଣିଂ ୱାକ୍ରୁ ଚାଲି ଆସିଲ, ଖଟ୍ଟିକୁ ଯାଇନ କି? ଏତକ କଥାରେ ଗୋବର୍ଦ୍ଧନ ବାବୁଙ୍କର ମୁହଁଟି ଆଉଟିକେ ପାଣ୍ଡୁର ହୋଇଯାଇଥିଲା ପାଟିରୁ ତାଙ୍କର ବାହାରି ଆସିଥିଲା ହଁ ଯେ, ସିହ୍ନା ବାବୁଙ୍କର ଗୋଡ଼ ଭାଙ୍ଗି ଯିବା ଖବରଟା ସମସ୍ତଙ୍କ ଖଟ୍ଟିର ମଜାଟା ଭାଙ୍ଗି ଦେଲା! ସମସ୍ତେ ଗପ ସପ ନ ଜମେଇ କି ସେଇଠୁ ତାଙ୍କୁ ଦେଖିବାକୁ ଗଲେ ମୋର କିନ୍ତୁ ତାଙ୍କ କଥା ଭାବୁ ଭାବୁ ମନେ ପଡି ଗଲା ଲୋକ ଟା ମିଠା କେତେ ଭଲ ପାଏ ଏବେ ଚାଲି ନ ପାରି କି କଲ ବଲ ହେବ କେତେ ଦିନ କାଳ! ତମ ହାତ ତିଆରି ବେସନ ଲଡୁ ତାଙ୍କର ବହୁତ ପସନ୍ଦ ତମେ ଟିକେ ତିଆରି କରିଦେଲେ, ମୁଁ ନେଇକି ଯାଆନ୍ତି। ଡାଇବେଟିସ ନ ଥାଇ କି ବି ବୟସ ଯୋଗୁଁ, ସ୍ତ୍ରୀଙ୍କର କଡା ତାଗିଦ୍ ମିଠା କମ୍ ଖାଇ ବାକୁ ବୋଲି ବିଚରା ଲୁଚେଇ ଛପେଇ ଯିଏ ଯୋଉଠି ଦେଲେଟିକେ ଖାଇ ଦିଅନ୍ତି! 

    ଏଥର ଗାୟତ୍ରୀଙ୍କ ସିଧା ପ୍ରଶ୍ନ ଥିଲା - ଆରେ ଏତେ ସକାଳୁ କେମିତି ଜାଣିଲ? ସମସ୍ତେ ତ ମର୍ଣ୍ଣିଂ ୱାକରେ ଯାଇଥିଲ.... ସେଠି କେମିତି ଖବରଟା ପହଞ୍ଚିଲା? ଗୋବର୍ଦ୍ଧନ ବାବୁ ଏଥର ସୋଫା ଉପରେ ଗୋଡ଼ ଟାକୁ ଲମ୍ବାଇ ବସି ପଡି କହିବାକୁ ଲାଗିଲେ - ତୁମେମାନେ ଆମ ଖଟ୍ଟି ମେମ୍ବର ମାନଙ୍କୁ କ'ଣ ଛୋଟିଆ ଭାବିଛ? ସମସ୍ତଙ୍କ ପାଖରେ ସମସ୍ତଙ୍କର ଖବର ସକାଳୁ ସକାଳୁ ପହଞ୍ଚି ଯାଇଥାଏ । କିଏ ଯଦି ଫୋନ ନ ଦେଖି ଥାଏ ସେଇ ଖଟ୍ଟିରେ କଥା ବାର୍ତ୍ତାରେ ଜାଣି ଯାଉ। ଆମ ମାନଙ୍କର ଗୋଟିଏ ଗ୍ରୁପ ଅଛି ହ୍ଵାଟ୍ସ୍ ଆପ୍ ରେ ସେଥିରେ କେବଳ ନିଜ କଥା ଦୁଇ ପଦ ଲେଖିକି ଜଣାଉ। କୌଣସି ଫର୍ ୱାର୍ଡ଼ ମେସେଜ ନାହିଁ, ଏ ବୁଢା ଦିନରେ ସେସବୁ ଦେଖିବାକୁ କାହାର ଆଉ ଇଚ୍ଛା କି ଧୈର୍ଯ୍ୟ ନାହିଁ।ତା' ଛଡା ଅନ୍ୟ ଗ୍ରୁପରେ ଏତେ ଭିଡିଓ, ପୋଷ୍ଟ ଆସେ ଯେ ସେସବୁ କାଟି କାଟି ବିରକ୍ତ ଲାଗିଥାଏ। ଫୋନର ଗ୍ୟାଲେରି ଭର୍ତ୍ତି ହୋଇ ଫୋନ ଜାମ୍ ହୋଇଗଲେ ପୁଣି ପିଲାଙ୍କ ସାହାଯ୍ଯ ନେବାକୁ ପଡେ।  ସେଥିପାଇଁ ଆମ କେତେଜଣଙ୍କର ଗ୍ରୁପଟି ଆରମ୍ଭ କରିବା ଦିନ ହିଁ ସର୍ତ୍ତ ଥିଲା କେହି ସେସବୁ ଛାଡି ବେନି କେବଳ ନିଜ ନିଜର କଥା - କିଏ ଫୁଲ ଗଛଟିଏ ଲଗେଇ ସେଥିରେ ଫୁଲଟିଏ ହୋଇଛି ତାର ଫୋଟୋ ତ କିଏକୁଆଡେ ବୁଲି ଯାଉଛି ତାର ଫୋଟୋ କିଏ କବିତାଟିଏ ଲେଖିଛି ତ କାହାର ନାତି ନାତୁଣୀ ଆସିଛନ୍ତି, ତାଙ୍କ ଫୋଟୋ କିଏ କାହାର ପୁରୁଣା ବନ୍ଧୁଙ୍କୁ ଭେଟିଲା ତ ସେମାନଙ୍କ ଫୋଟୋ, କାହାର ଦେହ ମୁଣ୍ଡ ଖରାପ ହେବା କଥା ତ ନିଶ୍ଚିତ ଜଣା ହେଉଥାଏ। ଏସବୁ ଜାଣି ଆମେ ଯାହାର ଇଚ୍ଛା ହେଲା ପର୍ସନାଲି ତା' ମନ ଖୁସି ହେଲା ଭଳି ମେସେଜ ପଠାଉ। ସମସ୍ତେ ଆଜି ପର୍ଯ୍ୟନ୍ତ ଭାରି ଖୁସିରେ ସେ ଗ୍ରୁପଟି ଚଳାଉଛନ୍ତି, ଆଉ ଗ୍ରୁପର ନିୟମ ମଧ୍ୟ ମାନୁଛନ୍ତି। ୬/୭ ଜଣରେ ଆରମ୍ଭ ହୋଇଥିବା ଗ୍ରୁପଟି ଆଜି ୩୬ ଜଣରେ ପହଞ୍ଚି ଲାଣି। ସକାଳର ଚାଲିବା ସାଙ୍ଗକୁ ଚା' ପାନର ଆସର ଟା ବି ପାଖ ଛୋଟିଆ ପାର୍କଟିରେ ହୋଇ ଯାଉଛି। କେବଳ ଆପାର୍ଟମେଣ୍ଟର ନୂହେଁ ଆଖ ପାଖ ଅଞ୍ଚଳର କେତୋଟି ସମ ବୟସ୍କ ଲୋକ ମଧ୍ଯ ସେ ଖଟ୍ଟିରେ ଯୋଗ ଦେଲେଣି। 

      ଖଟ୍ଟି କଥା କହୁ କହୁ ଗୋବର୍ଦ୍ଧନ ବାବୁ ଯେମିତି ଭାବପ୍ରବଣ ହୋଇ ପଡୁଥିଲେ! ହୁଏତ, କଲେଜ ଜୀବନର କଲେଜ ଛକ ଖଟ୍ଟି ତାଙ୍କର ମନେ ପଡି ଯାଉଥିଲା! ଏତେ ବର୍ଷ ପରେ ପୁଣି ସେଇ ପୁରୁଣା ଜୀବନକୁ ମନେ ପକାଇ ପକାଇ ପ୍ରଗଲ୍ଭଙ୍କ ଭଳି ଗପି ଚାଲିଥିଲେ.. ତମେ ସିନା କଟକ ଝିଅ ହେଇଛ, ହେଲେ ଆମ ଖଟ୍ଟି କଥା ଜାଣିବ କୋଉଠି? କଟକିଆଙ୍କର ଖଟ୍ଟି ହିଁ ପ୍ରାୟ ସବୁ ସାହି ବସ୍ତିରେ ଗୋଟେ ଦୁଇଟି ଥାଏ। ଟୋକା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସବୁ ବୟସର ଲୋକ ସକାଳେ ସଞ୍ଜେ ଏକାଠି ହେବା କିଛି ଗପସପର ଆସର ସାଙ୍ଗକୁ ଚା' ପାନ, ସିଗାରେଟର ଧୂଆଁର ସମ୍ମିଶ୍ରଣରେ ଯେମିତି ଜୀବନର ଅନେକ ଜଞ୍ଜାଳରୁଟିକିଏ ମୁକ୍ତି ମିଳି ଯାଏ, କି ସମସ୍ୟାର ସମାଧାନ ମିଳି ଯାଏ ବା ସମସ୍ୟା ସାଙ୍ଗରେ ଲଢେଇ କରିବା ପାଇଁ ଶକ୍ତି ମିଳି ଯାଏ! ଘଣ୍ଟାଏ ଖଣ୍ଡେ ହେଉ ପଛେ ସେଇଠି ଟିକେ ସମୟ କଟାଇ ଦେଲେ ସତେ ଯେମିତି ସମସ୍ତେ ସତେଜ ହୋଇ ଯାଆନ୍ତି, ଝାଉଁଳି ଯାଇଥିବା ଗଛରେ ପାଣି ଲୋଟାଏ ଢାଳି ଦେଲା ଭଳି!ରାଜନୀତି ଠାରୁ କୁଟନୀତି ପର୍ୟ୍ୟନ୍ତ ସବୁ ପ୍ରକାର ଚର୍ଚ୍ଚା ହୋଇ ଚାଲେ ସେଇ ଖଟ୍ଟିରେ, କେହି କାହାର ଚିନ୍ତାଧାରା ଗ୍ରହଣ କରୁ କି ନ କରୁ, ଆଲୋଚନା, ପର୍ଯ୍ୟାଲୋଚନା, ସମାଲୋଚନା କିନ୍ତୁ ଜୋର୍ ସୋର୍ରେ ଚାଲେ! ସେଠି କିନ୍ତୁ କାହା ଘର କଥାର ଚର୍ଚ୍ଚା ନ ଥାଏ, ହେଲେ ସେହି ବାଟ ଦେଇ ଯଦି କୌଣସି ସ୍ତ୍ରୀ ଲୋକଟିଏ ଚାଲିଯାଏ ତ, ତା 'ଉପରେ ଟିପା ଟିପ୍ପଣୀ ଦେବାକୁ ,କି ସେକଥାରେ ମଜା ନେବାକୁ କେହି ଭୁଲନ୍ତି ନାହିଁ। ସମସ୍ତଙ୍କ ମନକୁ ହାଲୁକା କରି ଦେଉ ଥିବା ଚା' ଦୋକାନୀ, ପାନ ଦୋକାନୀ ମଧ୍ଯ ଭଲ ଦୁଇ ପଇସାରୋଜଗାର କରି ଦିଏ, ଆଉ ତା 'ସାଙ୍ଗରେ ସେଠିକାର ସବୁ ଛୋଟ ବଡ ଖବର ମଧ୍ଯ ସମସ୍ତଙ୍କୁ ଜଣାଇ ଦିଏ! 

   ଅନର୍ଗଳ ଗପି ଚାଲିଥିବା ଗୋବର୍ଦ୍ଧନ ବାବୁ ସତେ ଯେମିତି ଖଟ୍ଟି ବିଷୟରେ ପରୀକ୍ଷା ଖାତାରେ ରଚନାଟିଏ ଲେଖୁଛନ୍ତି ଭାବି ଗାୟତ୍ରୀ ହସି ହସି ଉଠିଯାଉଥିଲେ ବେସନ ଲଡୁ ତିଆରି କରିବା ପାଇଁ ଆଉ ଭାବୁ ଥିଲେ ଯାହାବି ହେଉ କଟକର ଏଇ ଖଟ୍ଟି ଯୋଗୁଁ ବହୁ ବୟସ୍କ, ଚାକିରିରୁ ଅବସର ନେଇ ଥିବା ଲୋକଙ୍କର ଜୀବନ କେତେ ସହଜ ସତେ ହୋଇ ପାରୁଛି! ତାଙ୍କର କଟକରେ ଘର ଖଣ୍ଡିଏ ନେବାର ନିଷ୍ପତ୍ତି ଜମା ଭୁଲ ହୋଇ ନାହିଁ। ପିଲାମାନଙ୍କ ପସନ୍ଦ ସାଙ୍ଗରେ ନ ଯାଇକି ଭୁଲ କଲା ଭଳି ଗ୍ଲାନିରୁ ଯେମିତି ବାହାରି ଆସୁ ଥିଲେ..! 


Rate this content
Log in

Similar oriya story from Inspirational