ଅସରନ୍ତି ପ୍ରେମ କାହାଣୀ
ଅସରନ୍ତି ପ୍ରେମ କାହାଣୀ
କାର୍ତ୍ତିକ ମାସ, ପାର୍ବଣ ପୂଜା ସରିକି ଭସାଣ
ବି ମହାଆଡମ୍ବର ଓ ଯାକଜମକରେ ସରି ଯାଇଥାଏ। ମୌସୁମୀ ଯିବ ଯିବ ହେଉଥାଏ,ବର୍ଷାର ସେ ଘନଘଟା ମୂଶଳଧାରା କି ବାଦଲ୍ ଫଟା ଲଗାଣ ଝଡି ଗୋଡ଼ କଚଡା ରାହାଦାନୀ ଆଉ ନ ଥାଏ। ଆକାଶର ରଙ୍ଗରେ ବେରଙ୍ଗ ନାହିଁ।ସକାଳୁ ସୂର୍ଯ୍ୟ ଉଇଁଲେ ସଂଜ ଯାଏ ସେମିତି ହେଲୋଜିନ୍ ଭଳି ଜଳୁଥାଏ। ଚାଦର ପରି ମେଘ ଖଣ୍ଡେ ବି ଆସି ସେ ସୂର୍ଯ୍ୟକୁ ଦଣ୍ଡେ ଢାଙ୍କି ଦେବାକୁ ମନ ବଳାଏନା।
ଚାରିଆଡ଼େ ଧାନ କ୍ଷେତର ସବୁଜିମା।
କିଆରୀ କିଆରୀ ଭିତରେ ପ୍ରତିଦ୍ବନ୍ଦିତା। କିଏ
କେତେ ନିଜକୁ ବଢାଇ ପାରୁଛି। ଗଛର
ଗଣ୍ଠିମୂଳରୁ ଧାନ କେଣ୍ଡା ଛାଟି ଫୁଲ ସିରି ସରି
ପବନରେ ମୁଣ୍ଡ ଟୁଙ୍ଗାରୁଛି, ଧାନ ସବୁ ପାକଳ
ହେବାକୁ କ୍ଷୀର ଖାଉଛି।
ଏଇ କାର୍ତ୍ତିକ ମାସକୁ ସମସ୍ତେ କୁହନ୍ତି
ଧର୍ମ ମାସ। ଦିନ ତମାମ ଉପବାସ କରି ସଂଜକୁ
ହବିଷ ଅନ୍ନ ଖାଇ ଶାସ୍ତ୍ର ପୁରାଣ ବୋଲନ୍ତି
ଶୁଣନ୍ତି। ସଂସାରରେ କରିଥିବା ପାପରୁ ମୁକ୍ତି
ପାଇବା ପାଇଁ ଏକ ପ୍ରାୟଶ୍ଚିତ ଆଉ ମୃତ୍ୟୁ ପରେ
ସ୍ବର୍ଗକୁ ଯିବାର ଶୁଭ ଭାବନା। ଏମିତି ମନ ଏକ ସୁସ୍ଥ ବାତାବରଣ ଭିତରେ ରଖି ନିୟନ୍ତ୍ରଣ କରିବା ଶାନ୍ତିରେ ରହି ତୃପ୍ତ ହେବାର ଉପକ୍ରମ। ଏ ସମାଜର ଐତିହ୍ୟ ଓ ପରମ୍ପରା।କିଏ ମାନୁଛି ତ କିଏ ବେଖାରି କରି କୌତୁକର ଡିଣ୍ଡିମ ପିଟୁଛି।
ଏମିତି ଏକ ପ୍ରାକୃତିକ ପରିବେଶରେ
ଗଛର ଡାଳରେ ବଗୁଲୀଟିଏ ବସିଥାଏ। ଭାବୁଥାଏ ଅନେକ କିଛି, ବେଳେବେଳେ ଆଖି ମେଲି ଚାହୁଁଥାଏ, ପୁଣି ଢୁଳେଇ ପଡୁଥାଏ। ଏକ
ଧ୍ୟାନରତ ଅବସ୍ଥାରେ। ସେ ବି କରିଛି କାର୍ତ୍ତିକ
ବ୍ରତ। ଆଉ ଆଇଁଷ ଛୁଉଁନି ଯଦିଓ ନଈ ନାଳ
ବିଲ ଗଡ଼ିଆ ସବୁଠି ମାଛ ଗେଣ୍ଡା ଭର୍ତ୍ତି। ଦେଖୁଥାଏ ଏ ମଣିଷମାନଙ୍କ ରୀତିନୀତି। ଭିତରେ
ବାହାରେ କି ପ୍ରକାର କଥାର ପେଞ୍ଚ।
ଏତିକି ଉଡି ଉଡି ଆସି ବଗଟିଏ ଆସି
ବଗୁଲୀ ବସିଥିବା ଡାଳ ପାଖରେ ବସିଲା।
ବଗୁଲୀ ଯେମିତି ବଗ ଆଡ଼କୁ ତେରେଛା ନଜରରେ ଚାହିଁ ଦେଇଛି, ସେ ଭିଡ଼ି ଗଲା
ତା ପାଖକୁ ଆଉ ଟିକେ...ବଗୁଲୀ ଘୁଞ୍ଚି ଯାଇ...
ଏ କଣ ଏମିତି ମୋ ଆଡ଼କୁ ଆନ୍ଧ୍ର ଟ୍ରକ୍ ପରି ମାଡି ଆସୁଛ। ଦୂରେଇ ରୁହ...
-- ଆଲୋ, ମୁଁ କଣ ଏତେ ଖରାପ...
-- ତୁମକୁ ମୁଁ ତ ତୁମକୁ କିଛି କହିନି, ନିଜେ
ତୁମର କହି ହେଉଛ ଖରାପ ବୋଲି...
--ଆଲୋ ଆଜି ଖରାପ ନୁହଁ କି କାଲି ବି
ଖରାପ ନ ଥିଲି। ତୋତେ ମନ ଦେଇଛି
ଭଲ ବି ପାଇଛି। ମୋ ହୃଦୟର କଥା
ତୁ ଆଜି ଯାଏଁ ବୁଝିଲୁ ନାହିଁ...
--କେମିତି ଆଉ ବୁଝିଥାନ୍ତି ଧନ... ତୁମ ପୁରୁଷ ଜାତିଟା ଭାରି ସଦେହୀ ଆଉ ଅବିଶ୍ବାସୀ।
ତୁମରି ପାଇଁ ତ ମୋର ଏ ବାର ବ୍ରତ, ନିରାମିଷ
ଆହାର...ତୁମକୁ ପାଇବା ପାଇଁ ସବୁ...
--- ସତରେ ତୁ କେତେ ଭଲ, ମୁଁ ଠିକ୍ ଜାଣେ
ତୋ ମନ କଥା, ତୁ ମୋତେ କେତେ ଭଲ
ପାଉ, ପ୍ରେମ କରୁ...
--ଥାଉ ଥାଉ ସେ ପ୍ରେମ କଥା ମୋ ଆଗେ
କୁହନି, ପ୍ରେମ ମାନେ ତୁମେ କେବଳ
ଶାରିରୀକ ସଂପର୍କକୁ ହିଁ ବୁଝ...
--ଆଲୋ ହୁଣ୍ଡି, ଏ ମଣିଷମାନେ ଆଜିଯାଏଁ
ଯେତେବେଳେ ପ୍ରେମ ବୁଝି ନାହାଁନ୍ତି ମୁଁ
ଛାର ଇତର ପକ୍ଷୀଟିଏ କଣ ବୁଝିବି...
-- କିଏ ବୁଝୁ ନ ବୁଝୁ ...ସେଥିରେ ମୋର ଯାଏ
ଆସେ କେତେ। ତୁମେ ବୁଝିଲେ ମୋର
ଏ ଜନ୍ମ ସାର୍ଥକ ହୋଇଯିବ।
--ତଥାପି ଦୁଃଖ ଲାଗେ ଲୋ ଏ ମଣିଷମାନଙ୍କୁ
ଦେଖି...ଆଛା ତୁ ମୋତେ କହିଲୁ ପ୍ରେମର
ମାନେ କଣ ?
-- ତୁମେ କୁହ, ମୁଁ ଶୁଣିବି...ତୁମ ଅଭିଜ୍ଞତା
ମୋଠୁ ଢେର ବେଶି।
-- ଆଲୋ ପ୍ରେମ ବେଶି ବୟସ ହେଲେ କି
ଅଭିଜ୍ଞତା ହେଲେ ଜଣେ କଣ ପ୍ରେମ କଣ
ବୁଝି ଯିବ...
---ଆଉ...
--ପ୍ରେମ ଦୁଇଟି ନିଷ୍ପାପ ମନର ଏକ ଅଦେଖା
ଆକର୍ଷଣ, ତୋର ମୋର ଯେମିତି। ଜଣେ
ଜଣକ ପାଇଁ...ଜଣକୁ ଛାଡି ଆଉ ଜଣେ
ରହି ପାରେନି। ପ୍ରେମ ଚେଷ୍ଟା କରି କରି
ହୁଏନା। ସେ ଏକ ସଂଯୋଗ...ଆପେ ଆପେ
ହୋଇ ଯାଏ। ତୁ କେଉଁଠି ଥିଲୁ ମୁଁ
କେଉଁଠି ଥିଲି। ଦେଖା ଦେଲା, ତୁ ମୋତେ
ଭଲ ଲାଗିଲୁ ମୁଁ ତୋତେ ଭଲ ଲାଗିଲି।
ମନ ମିଶି ଗଲା..ଭଲ ପାଇଲୁ ଦୁହେଁ ଦୁହିଁଙ୍କୁ।
-- ହଁ ଯେ ପ୍ରେମ କଥା ବୁଝାଉ ବୁଝାଉ
ଖାଲି ଆମ କଥା ଗପୁଛ...
-- ଆରେ ସେଇ ତ, ଆମ ପରି ସବୁ ପ୍ରେମୀ
ଯୁଗଳ...
--ହଉ କୁହ...
-- ଶୁଣ ମନ ଦେଇ...ପ୍ରେମରେ ପରସ୍ପରର
ପରସ୍ପର ପ୍ରତି ତ୍ଯାଗ ଥାଏ। ଜଣେ ନିଜଠୁ
ଭଲ ପାଉଥିବା ପ୍ରେମିକ/ପ୍ରେମିକା ପ୍ରତି
ବେଶି ଯତ୍ନବାନ ରହେ। ତାର କେବଳ
ଭଲ ହିଁ ଚାହେଁ। ଜଣକ ଦେହରେ ଫୁଲର
ଆଘାତ ବି ଲାଗିଲେ ଆଉ ଜଣକୁ କଣ୍ଟା
ଫୋଡ଼ି ହେଲା ପରି ଲାଗେ...ଜଣକ ଆଖିରୁ
ଲୁହ ଝରିଲେ ଅନ୍ୟର ଛାତିରୁ ରକ୍ତ ଝରିଲା
ପରି ଅନୁଭବ ହୁଏ। ଏଇ ତ ପ୍ରେମ...
-- ହେଲେ, ଏତେ କଥା ଜାଣିବି ଜଣେ
ଛଳନା ପ୍ରତାରଣା କରେ କାହିଁକି ?
-- ସ୍ବାର୍ଥ...ସେ ଉପରକୁ ପ୍ରେମ କଲା ପରି ଲାଗୁଥିଲେ ବି ଭିତରେ ଭରି ରହିଥାଏ ସଇତାନୀ
ମନୋଭାବ। ଏ ଏକ କେବଳ ଶାରୀରିକ
ଆକର୍ଷଣ। ଯେଉଁଠି ଉଭୟ ଦେହ ମନ
ଏକ ଥାଏ ସେ ପ୍ରେମରେ କେବେ ବିଚ୍ଛେଦ
ହୁଏନା। ଯେତେ ଦୂରେ ଥିଲେ ଯେ ଯାହାର,
ସେ ତାର... ଏ ପ୍ରେମ ଚିରନ୍ତନ ଶାଶ୍ଵତ
ଅମର.. ଏ ଯୋଡିକୁ ପାରିବେନି କେହି
ଅଲଗା କରି...
--ଆଜିକାଲି ଆଉ ଏମିତି ପ୍ରେମ ଅଛି ନା,
ସବୁ ତ ମାୟାରେ ବାୟା...
--ଅଛି ଲୋ, ଅଛି...ଯୁଗ ଯୁଗ ଯାଏଁ ରହିଥିବ।
--ତୁ କେଦାର ଗୌରୀ,ଲୈଲା ମଜନୁ,ସୋନି
ମହିୟୁଆଲ୍, କ୍ଷୀର ରଞ୍ଜା ସର୍ବୋପରି ସୃଷ୍ଟିର
ପ୍ରଥମ ପ୍ରେମୀ ଯୋଡ଼ି ଆଦାମ୍ ଇବ୍ କଥା
ମନେ ପକା...
-- ଆମେ କଣ ତାଙ୍କ ପରି ଏତେ ମହାନ
ହୃଦୟର ହୋଇ ପାରିବା।
--କାହିଁକି ହୋଇ ପାରିବାନି, ସେଇ ମନ
ସେଇ ବିଶ୍ଵାସ ଭରସା ଥିଲେ ନିଶ୍ଚୟ
ହୋଇ ପାରିବା।
--ବୁଝିଲି...ସତରେ ତୁମେ ବହୁତ ବହୁତ
ବୁଝାମଣାର। ତୁମର ମନ ବହୁତ ବଡ଼।
ମୁଁ ତୁମକୁ ବେଳେ ବେଳେ ମଜାରେ ଭୁଲ୍ ବୁଝୁଥିଲି। ମୁଁ ଆଜି ଜାଣିଲି ମୁଁ ସୌଭାଗ୍ୟବତୀ।
ତୁମ ପରି ସାଥୀଟିଏ ପାଇ ଧନ୍ଯ ହୋଇଛି।
ଏବେ ମଲେ ବି ମୋର ଆଉ ଦୁଃଖ ନାହିଁ।
-- ଏ କଣ ଦୁର୍ବଳ ଚିନ୍ତାଧାରା, ଆରେ ପ୍ରେମ
ଅମର। ପ୍ରକୃତ ପ୍ରେମ କାହାକୁ ମାରେନି,
ଜୀବନ ସଞ୍ଚାର କରେ...ଏମିତି ଆଉ
କହିବନି ମୋ ଧନ।ମୁଁ ସହି ପାରିବି...
--ଏ ତ ଅସରନ୍ତି ପ୍ରେମ କାହାଣୀ...
--ହଁ ଅସରନ୍ତି...ଏ ଯେବେ ସରି ଯିବ,ଆକାଶରେ
ଚନ୍ଦ୍ର ସୂର୍ଯ୍ୟ ଆଉ ନ ଥିବେ...କି ସୃଷ୍ଟି ନ ଥିବ।
କେବେଳ କେତେଜଣ ସ୍ବାର୍ଥବାଦୀ ପାଇଁ
ପ୍ରେମ କଳୁଷିତ ହେଉଛି।
-- ଛାଡ଼ ସେମାନଙ୍କ କଥା ... କି ସୁନ୍ଦର ଏ
ନୀଳ ଆକାଶ...ଚାଲ ମନ ଖୁସିରେ ଘେରାଏ
ବୁଲି ଆସିବା। ଏକ ସୁନ୍ଦର ବସା ବାନ୍ଧିବାର
ଯୋଜନା କରିବା।
କାର୍ତ୍ତିକ ମାସ ପରେ ଆସୁଛି ମାର୍ଗଶୀର।
ପରିପୂର୍ଣ୍ଣତା ସମୟ। ମାଆ ଲକ୍ଷ୍ମୀ ଠାକୁରାଣୀ
ଘରେ ଘରେ ବିଜେ କରିବେ। ଆମ ମଧୁର
ମିଳନର ଶୁଭ ଲଗନେ ଶୁଭ ସାହାନାଇଁ ବାଜି
ଉଠିବ ପ୍ରେମ ରାଗର ମୂର୍ଚ୍ଛନା ତୋଳି...
ଡେଣା ମେଲି ଫଡ଼୍ ଫାଡ଼୍ ଉଡ଼ିଗଲେ ବଗ
ବଗୁଲୀ ଦୂର ଆକାଶକୁ ଏକ ନବ ଆଶାର
ଅନୁସନ୍ଧାନରେ ।

