ABADHOOT PANDA

Fantasy Thriller

3  

ABADHOOT PANDA

Fantasy Thriller

ଅସନ୍ତୁଷ୍ଟ ଜମିଦାରଙ୍କ ପ୍ରେତାତ୍ମା

ଅସନ୍ତୁଷ୍ଟ ଜମିଦାରଙ୍କ ପ୍ରେତାତ୍ମା

6 mins
177


ମଙ୍ଗରାଜରାଜ ପୁର ଗାଁରେ ଜଣେ ମହାଜନ ଥିଲେ l ତାଙ୍କ ନାଁ ରବୀନ୍ଦ୍ର l ଅଚଳା ଚଳ ସମ୍ପତ୍ତି ଓ ପୁରନ୍ତା ଘର ଦେଖି ସମସ୍ତ ଗାଁବାଲା ଆଖି ଖୋସି ଦେଉଥିଲେ l ଦୁଇଟି ପୁଅ ଓ ଦୁଇଟି ଝିଅ ସୁନାମୁଣ୍ଡା ଆଉ ଧର୍ମ ପତ୍ନୀ ସତୀ ରାଣୀ ପରି l ସୁଖ ସଂସାର ଧନ ସମ୍ପତ୍ତି ପ୍ରତିଷ୍ଠା ରବୀନ୍ଦ୍ରଙ୍କୁ ଆତ୍ମସନ୍ତୋଷ ଦେଇ ପାରି ନଥିଲା l ସଂସାରର ସମସ୍ତ କର୍ମ ସାରିଲା ପରେ ସେ ଅଶୀ ବର୍ଷରେ ପହଞ୍ଚି ଥିଲେ ଓ ତାଙ୍କର ଦେହାନ୍ତ ହୋଇ ଯାଇଥିଲା l ମୃତ୍ୟୁ ଶଯ୍ୟାରେ ତାଙ୍କ ବଡ଼ ପୁଅକୁ ତାଙ୍କର ଏକ ଅଭିଳାଷ ପୂର୍ଣ୍ଣ କରିବାକୁ ଅନୁରୋଧ କରିଥିଲେ ଯାହାକୁ ସେ ଜୀବନ କାଳରେ କରି ପାରି ନଥିଲେ l ଅଭିଳାଷଟି ହେଉଛି - ନିଜର ପର୍ଯ୍ୟାପ୍ତ ଧନ ସମ୍ପତ୍ତିକୁ ବିନିଯୋଗ କରି ମାତ୍ର ପାଞ୍ଚୋଟି ଦରିଦ୍ର ପରିବାରକୁ ଥଇଥାନ କରିବା l


ଏତିକି ଅନୁରୋଧ କରି ରବୀନ୍ଦ୍ର ବାବୁ ଆଖି ବୁଜି ଦେଇଥିଲେ l କିନ୍ତୁ ସମ୍ପତ୍ତି ଦୁଇ ପୁଅଙ୍କ ଭିତରେ ବାଣ୍ଟି ଦେଇଥିଲେ l ସମୟର ଚକ ଗଡ଼ିବାକୁ ଲାଗିଲା l ଚାହୁଁ ଚାହୁଁ ପାଞ୍ଚ ବର୍ଷ ବିତିଗଲା l ଆଧୁନିକତାର ଅନ୍ତଃସାରଶୂନ୍ୟ ମୋହ ବଡ଼ ପୁଅ ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଭୁଲାଇ ଦେଲା l ଟଙ୍କାରୁ ଟଙ୍କା ବାହାର କରିବାର ନିଶାରେ ବଡ଼ ପୁଅ ନିଜର ବଂଶ ଅଭିଜାତ୍ୟ ଓ ନୈତିକତା ହୀନ ହୋଇ ପଡ଼ିଥିଲେ l ଘର ଉପରେ ଘର ବଙ୍ଗଳା କାରଖାନା ଇତ୍ୟାଦି ନିର୍ମାଣ କରି ଅନେଜ ପୁରୁଷ ଓ ମହିଳାଙ୍କୁ ଦାନାପାଣି ଦେଇଥିଲେ ସତ ଅଥଚ ନିଜ ସ୍ୱାର୍ଥ ପୂର୍ଣ୍ଣ ପାଇଁ l  ଶ୍ରମିକଙ୍କ ଶ୍ରମ ଶକ୍ତିଗୁଡି଼କୁ ଶୋଷଣ କରି ସେଥିରୁ ମୁନାଫା ବାହାରକରି ପରାର୍ଦ୍ଧ ପତିରେ ନିଜକୁ ପରିଣତ କରି ପାରିଥିଲେ l କାନାଡ଼ାରେ ଦଶ ଏକର ଜାଗା କିଣି ବିରାଟ ଆକାଶ ଛୁଆଁ ରାଜବାଟୀ ସଦୃଶ ମହଲ ନିର୍ମାଣ କରି ଜଣେ ଉତ୍ତମ ଉଦ୍ୟୋଗ ପତି ଭାବେ ନିଜକୁ ସୁପ୍ରତିଷ୍ଠିତ କରି ପିତୃଦତ୍ତ ନାଁ "କୁବେର" ର ଦେଶ ବିଦେଶରେ ସାର୍ଥକ କରିଥିଲେ l କିନ୍ତୁ ଏତେ ସାମାଜିକ ପ୍ରତିଷ୍ଠାଲାଭ କରିବା ସତ୍ତ୍ୱେ ବାପା ମାଙ୍କର ସଚ୍ଚୋଟ ଓ ଧାର୍ମିକ ଆତ୍ମାରେ ଅଶାନ୍ତ ଝଡ଼ ସୃଷ୍ଟି କରିଦେଇ ଥିଲେ l ବାପା ରବୀନ୍ଦ୍ରଙ୍କ ଅନ୍ତେ ପ୍ରାୟ ଦୁଇ ବର୍ଷ ପରେ ମାତା ଛାୟା ରାଣୀଙ୍କର ମୃତ୍ୟୁ ହୋଇ ଯାଇଥିଲା ଅନ୍ତରକ୍ଷୋଭ ଯୁକ୍ତ ଚିତ୍ତରେ l କାରଣ ବାରମ୍ବାର ନିଜ ସ୍ୱାମୀଙ୍କ ମୃତ୍ୟୁ କାଳୀନ ନିର୍ଦ୍ଦେଶକୁ କୁବେର ବାବୁ ତାଙ୍କର ଅନୁନୟ ବିନୟ ସତ୍ତ୍ୱେ ଆଦୌ କର୍ଣ୍ଣପାତ କରି ନଥିଲେ l


ବଡ଼ ଭାଇଙ୍କ ବିଦେଶ ରହଣି ଓ ନିଜ ପରିବାର ପ୍ରତି ଉଦାସୀନତା ଦେଖି ସାନଭାଇ ଓ ସାନ ଦୁଇ ଭଉଣୀ ବିବ୍ରତ ହୋଇ ପଡ଼ିଥିଲେ l ସେମାନଙ୍କ ମଧ୍ୟରେ ଏକତା ଥିବାରୁ ଘର ନିଜ ଖାନଦାନର ରକ୍ଷଣ ବେକ୍ଷଣ ନିମିତ୍ତ ସମସ୍ତେ ଚେଷ୍ଟିତ ଥିଲେ l ହଠାତ ଏକ ଘଟଣା ତିନି ଭାଇ ଭଉଣୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା l ସେଦିନ ସ୍ବର୍ଗତ ଜମିଦାର ରବୀନ୍ଦ୍ର ବାବୁଙ୍କ ଶ୍ରାଦ୍ଧଦିବସ ଉପଲକ୍ଷେ ସମସ୍ତେ ବ୍ୟସ୍ତ ଥିଲେ l ନୀତି ଵିଧି ଅନୁସାରେ ଶ୍ରାଦ୍ଧ କାର୍ଯ୍ୟ ଶେଷ ହେଲା l ଭାଇ ଭଉଣୀ ମାନେ ନିଘୋଡ଼ ନିଦରେ ଶୋଇ ଗଲେ l ଠିକ ପାହାନ୍ତା ପ୍ରହରରେ ସମସ୍ତେ ସ୍ୱପ୍ନରେ ନିଜ ବାପାଙ୍କୁ ଦେଖିଲେ l ବାପା କହୁଥିଲେ, " ଦେଖ ପିଲାମାନେ ମୋର ଆତ୍ମା ଏ ପର୍ଯ୍ୟନ୍ତ ମୁକ୍ତି ପାଇନାହିଁ l କାରଣ ଜୀବନ କାଳରେ ମୋର ଇଚ୍ଛା ପୂରଣ ହୋଇନାହିଁ l କୁବେରକୁ ଓ ବୋଉଙ୍କୁ କେବଳ ମୁଁ କହିଥିଲି l ତୁମେ ମାନେ ଜାଣିନ l ମୋର ଇଚ୍ଛା ଥିଲା ପାଞ୍ଚୋଟି ଅସହାୟ ପରିବାରକୁ ଥଇ ଥାନ କରଣ l କୁବେର ମୋର ବଡ଼ ପୁଅ l ତାକୁ ମୁଁ ପାଠ ଶାଠ ପଢ଼ାଇ ମଣିଷ କରିଥିଲି l କାରଣ ମୋ ପରେ ସେ ସମସ୍ତ ଜମିବାଡ଼ି ଓ ଘରର ଦାୟିତ୍ୱ ନବ ବୋଲି l ତୁମମାନଙ୍କ ମଧ୍ୟରେ ସମସ୍ତ ସମ୍ପତ୍ତିକୁ ବାଣ୍ଟି ଦେଲି l ଯେହେତୁ ସେ ବଡ଼ ତା ଉପରେ ମୋର ଭରସା ଥିଲା l କିନ୍ତୁ ମୋର ବିଚାରର ସବୁ ବ୍ୟତିକ୍ରମ ହେଇଗଲା l ମୁଁ ବର୍ତ୍ତମାନ ପ୍ରେତ ଯୋନିରେ ଘୁରି ବୁଲୁଛି ମୁକ୍ତି ପାଉନି l ମୁଁ ବି ତା ପଛେ ପଛେ ଆମେରିକା ଯାଇଥିଲି l ମାତ୍ର ଯାହା ଦେଖିଲି ମୋ ଆତ୍ମାକୁ ବାଧିଲା l ଆମର ସଂସ୍କୃତି ଓ ପରମ୍ପରାକୁ ସେ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଛି l ବିଦେଶୀ ଝିଅକୁ ବାହା ହେଇଛି l ଯାହା କଲା କଲା ସେଥିରେ ମୋର ଦୁଃଖ ନାହିଁ l କିନ୍ତୁ ମୁଁ ମୃତ୍ୟୁ ପୂର୍ବରୁ ଯାହା କହିଥିଲି ତାକୁ ସେ କାର୍ଯ୍ୟକାରୀ ଜମା କଲାନି l ତେଣୁ ମୁଁ ଆଜି ଯାଏଁ ପ୍ରେତ ଯୋନିରେ ପଡ଼ିଛି l ତୁମେ ସମସ୍ତେ ତାକୁ ବୁଝାଅ l ହଉ ରାତି ପାହି ଆସିଲାଣି ମୁଁ ଆଉ ରହି ପାରିବିନି ଯାଉଛି l କାରଣ ଆମେ ପ୍ରେତଗଣ ରାତି ଆମ ପାଇଁ ଭଲ l ରାତିରେ ବୁଲୁ ଆଉ ଦିନରେ ନିଛାଟିଆ ଜାଗାରେ ଅଦୃଶ୍ୟ ଭାବେ ରହୁ " ଏତିକି କହି ରବୀନ୍ଦ୍ର ବାବୁ ଉଭେଇ ଗଲେ l


ସକାଳୁ ଉଠି ଭାଇ ଭଉଣୀ ତିନି ଜଣ ରାତିର ସ୍ବପ୍ନ ବିଷୟରେ ନିଜ ନିଜ ମଧ୍ୟରେ ଆଲୋଚନା କଲେ ଓ ବଡ଼ ଭାଇ କୁବେରକୁ ଫୋନରେ କହି ମେସେଜ ଦେଲେ l କୁବେର ମଧ୍ୟ ପୂର୍ବ ରାତ୍ରିରେ ବାପାଙ୍କୁ ସ୍ୱପ୍ନରେ ଦେଖିଥିଲା ଓ ଏକା କଥା ଶୁଣିଥିଲା ବୋଲି କହିଲା ଆଉ ବାପାଙ୍କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ କର୍ମ କରି ନଥିବାରୁ ଅନୁତାପ କଲା l ନିଜ ବିବେକକୁ ଧିକ୍କାର କରିଚାଲିଲା l ସ୍ତ୍ରୀ ଆମେରିକାନ ହେଲେ ସୁଦ୍ଧା ସ୍ୱାମୀଙ୍କୁ ଉପଯୁକ୍ତ ପରାମର୍ଶ ଦେଲେ l କାରଣ ଖ୍ରୀଷ୍ଟିଆନ ହେଲେ ବି ସେ ଇଣ୍ଡୋଲୋଜିରେ ଗ୍ରାଜୁଏସନ କରିଥିଲେ ଓ ହିନ୍ଦୁ ଧର୍ମ ଉପରେ ତାଙ୍କର ଗଭୀର ଆସ୍ଥା l ସ୍ତ୍ରୀଙ୍କ କଥାରେ ଅନୁପ୍ରାଣିତ ହୋଇମାସେ ଛୁଟି ପାଇଁ ଆବେଦନ କଲେ l ସପ୍ତାହ ପରେ ଅଫିସରୁ ନିଜ ଗାଁକୁ ଫେରି ଗାଁ ସାରା ବୁଲି ବୁଲି ପ୍ରକୃତ ଅସହାୟ ପାଞ୍ଚଟି ପରିବାରକୁ ଖୋଜି ବାହାର କଲେ l ସେମାନେ ସମସ୍ତେ ଖଟିଖିଆ ମଜୁରିଆ ପରିବାର l ରହିବାକୁ ଘର କିମ୍ବା ନିଜ ନିଜ ପରିବାରକୁ ପ୍ରତି ପୋଷଣ କରିବାକୁ ଯଥେଷ୍ଠ ରୋଜଗାର ନାହିଁ l ନିଜର ପ୍ରତିପତ୍ତି ଓ କ୍ଷମତା ବଳରେ ପ୍ରତ୍ୟେକ ନିର୍ଦ୍ଧନ ପରିବାରର ମୁରବୀ ଓ ଯୋଗ୍ୟ ସଦସ୍ୟମାନଙ୍କୁ ଭେଟି ସେମାନଙ୍କୁ ନିଜ କର୍ମ ସଂସ୍ଥାନ ରେ ଚାକିରୀ ଦେଲେ କୁବେର ବାବୁ l ଆଉ ମଧ୍ୟ ସମସ୍ତଙ୍କୁ ନିଜ ନିଜ ପଦବୀରେ ସ୍ଥାୟୀ କରାଇ ସେମାନଙ୍କ ରହିବା ପାଇଁ ନିଜ ଖର୍ଚ୍ଚରେ ମଜବୁତ କୋଠାଘର ତିଆରି କରି ସବୁ ଆଧୁନିକ ଘର କରଣା ଜିନିଷ ଯୋଗାଇଦେଲେ l ସେମାନଙ୍କ ପିଲାମାନଙ୍କୁ ସ୍କୁଲ କଲେଜରେ ନାମ ଲେଖାଇ ନିଜ ଖର୍ଚ୍ଚରେ ପାଠ ପଢ଼ାଇଲେ l ନିଜ ଗାଁ ମଙ୍ଗରାଜପୁର ଗାଁରେ ଏକ ଅନାଥ ଆଶ୍ରମ ମଧ୍ୟ ଖୋଲିଦେଲେ l ଅସହାୟମାନଙ୍କୁ ଥଇଥାନ କଲାପରେ ଆମେରିକା ଫେରି ଯାଇଥିଲେ l


ପ୍ରାୟ ବର୍ଷେ ବିତିଗଲା ପରେ ପୁଣି ଛୁଟିରେ କୁବେର ବାବୁ ଗାଁକୁ ଫେରିଲେ l ଗାଁର ଦୋଳପର୍ବର ଦାୟିତ୍ୱ ସ୍ବର୍ଗତ ଜମିଦାର ବାବୁ ପ୍ରତିବର୍ଷ ବହନ କରୁଥିଲେ l କାରଣ ସେ ଗାଁ ମୁରବୀ ଥିଲେ l ବଂଶାନୁକ୍ରମିକ ନିଜର ଅଧିକାର ସ୍ଥାୟୀ ରଖିବା ପାଇଁ ସେହି ବର୍ଷ ସେ ବାପାଙ୍କ ପ୍ରତିନିଧି ଭାବେ ଦୋଳ ପର୍ବ କାର୍ଯ୍ୟ ସମ୍ପାଦନ କରିପାରି ଥିଲେ l ସେଦିନ ଦୋଳ ପୂର୍ଣ୍ଣମୀ ବାସି ରାତିରେ ଚାରି ଜଣ ଭାଇ ଭଉଣୀ ନିଜ ନିଜ ମଧ୍ୟରେ ଅତ୍ମୀୟତାମୂଳକ ଓ ନିଜର ଅଭିଜାତ୍ୟର ଅତୀତ ଗାରିମା ବିଷୟରେ ବାର୍ତ୍ତାଳାପ କରି ଏକାଠି ଶୋଇ ପଡ଼ିଲେ l ପୂର୍ବ ପରି ନିଜ ବାପା ରବୀନ୍ଦ୍ରଙ୍କୁ ସ୍ୱପ୍ନରେ ପୁଣି ସେମାନେ ସ୍ୱପ୍ନରେ ଦେଖିଲେ l ସେତେବେଳକୁ ରାତି ତିନିଟା ସମୟ l ସମସ୍ତଙ୍କ ନିଦ ଭାଙ୍ଗି ଗଲା ସତକୁ ସତ ବାପାଙ୍କର ପୂର୍ଣ୍ଣ ଶରୀର ସାମ୍ନାରେ ଠିଆ ହୋଇ ଥିବାର ଦେଖି ଆଶ୍ଚର୍ଯ୍ୟ ହେଇ ପଚାରିଲେ, " ବାପା ପୁଣି କାହିଁକି ଆସିଲ l ତୁମ ଇଛା ଆଜି ପୂର୍ଣ୍ଣ କରିଛନ୍ତି କୁବେର ଭାଇ l " ଭାଇ ଭଉଣୀଙ୍କ ସହିତ ବାପାଙ୍କ ପ୍ରେତକୁ ଖଟ ଉପରେ ବସି ଏକା କହିଲେ, " ହଁ ବାପା ମୋତେ କ୍ଷମା କରିଦିଅ l ବାହାର ଚାକ ଚକ୍ୟ ଓ ଅନ୍ତଃସାର ଶୁନ୍ୟ ଆଧୁନିକ ଚାକଚକ୍ୟତାର ମୋହରେ ଅନ୍ଧ ହୋଇ ମାନବିକତା ଭୁଲି ଯାଇ ଥିଲି l ତୁମେ ମନେ ପକାଇ ଦେଲ ବାପା l " ପ୍ରେତ ଜବାବ ଦେଲା, " ମୋତେ କହିବା ଦରକାର ନାହିଁ ମୁଁ ତତେ ବହୁତ ପୂର୍ବରୁ କ୍ଷମା କରି ଦେଇଛି l ହେଇ ଦେଖ ତୋ ବୋଉର ପ୍ରେତାତ୍ମା ମୋ ବାଁ କଡ଼ରେ ଛିଡ଼ା ହେଇଛି l ସେ ବି ବହୁତ ଖୁସି l" ଆଖି ମଳି ମଳି କୁବେର ବାବୁ ନିଜ ବୋଉଙ୍କ ପ୍ରେତାତ୍ମାକୁ କହିଲେ, " ବୋଉ ମୋତେ କ୍ଷମା କରିଦେ l ବୃଥା ରୋଜଗାର ମୋହରେ ତୋ କଥା ନମାନି ବଡ଼ ଦୋଷ କରିଥିଲି l ତୋତେ ଓ ବାପାଙ୍କୁ କୋଟି କୋଟି ଜୁହାର". ତାପରେ କୁବେର ବାବୁଙ୍କ ସହ ସବୁ ଭାଇ ଭଉଣୀ ଯାକ ଖଟ ଉପରୁ ଓଲ୍ହେଇ ମା ବାପାଙ୍କ ପ୍ରେତାତ୍ମା ଦୁଇଟି ସାମ୍ନାରେ ଲମ୍ବ ହୋଇ ପଡ଼ି ସାଷ୍ଟାଙ୍ଗ ପ୍ରଣାମ କଲେ l "


ସେତେବେଳକୁ କାନ୍ଥ ଘଡ଼ିରେ ସାଢ଼େ ଚାରିଟା ବାଜି ଥିଲା l ବ୍ରାହ୍ମ ମୁହୂର୍ତ୍ତ l ପ୍ରେତାତ୍ମା ଦ୍ବୟ କହିଲେ, " ହଉ ପିଲାମାନେ ତୁମମାନଙ୍କୁ ଆଶୀର୍ବାଦ କରୁଛୁ ତୁମେମାନେ ପ୍ରଚୁର ଧନ ଜନ ଗୋପ ଲକ୍ଷ୍ମୀ ପାଇ ମହା ଆନନ୍ଦରେ ଜୀବନ କଟାଅ l ଆଉ ବି ମନେ ରଖ ଜୀବନରେ କାହାର କ୍ଷତି କେବେ ଚାହିଁବନି କି କରିବନି l ନିଜର ଅଧିନସ୍ଥ କର୍ମଚାରୀ କିମ୍ବା ଯେ କୌଣସି ସ୍ତ୍ରୀ ବା ପୁରୁଷ ହେଉ କାହାକୁ ଶୋଷଣ କରି ନିଜେ ଲାଭବାନ ହେବାକୁ କେବେ ସୁଦ୍ଧା ସ୍ୱପ୍ନରେ ଭାବିବନି ଆଉ କାହାର ଦାନା ପାଣି ବନ୍ଦ କରିବାକୁ ଆଦୌ ଚେଷ୍ଟା କରିବ ନାହିଁ l ତାହାଲେ ଆମର ପୂର୍ବ ପୁରୁଷମାନଙ୍କ ଆତ୍ମା ଶାନ୍ତି ପାଇବ l ଆମ ଖାନଦାନର ନାଆ ରହିବ l ନଚେତ ଆମ ଭବିଷ୍ୟତ ବଂଶଧର ଅଭିଶପ୍ତ ହୋଇ ପଡ଼ିବେ l ମନେ ରଖ ପିଲାଏ l ଯାହା ହେଉ ଆମକୁ ଶାନ୍ତି କରି ପ୍ରେତ ଯୋନିରୁ ଆମକୁ ମୁକ୍ତ କଲ l ଆମେ ଆଉ ବେଶୀ ସମୟ ରହି ପାରିବୁନି l ସ୍ୱର୍ଗ ରାଜ୍ୟ ଆମକୁ ଡାକି ଲାଣି l, ଆୟୁଷ୍ମାନ ଆୟୁଷ୍ମତୀ ଭବ l ଶୁଭ ବିଦାୟଂ l " କୃଷ୍ଣ କାୟ ପ୍ରେତାତ୍ମା ଦୁଇଟି ଆସ୍ତେ ଆସ୍ତେ ପାଦ ଆଡ଼ୁ ଉପର ଆଡ଼କୁ ଧଳା ପଡ଼ି ଆସିଲେ l ପ୍ରାୟ ଦଶ ଫୁଟ ଉଞ୍ଚା ଧୋବ ଫର ଫର ପ୍ରତମୂର୍ତ୍ତି ଦୁଇଟିରୁ ଶୁଭ୍ର ଆଲୋକ ବିଛୁରିତ ହୋଇ ପଡ଼ିଲା l ସୁ ସୁ ପବନ ବୋହିବାକୁ ଲାଗିଲା l ଘରର ଖୋଲା କବାଟ ଦେଇ ବାହାରକୁ ସେହି ଛାୟାମୁର୍ତ୍ତି ଦୁଇଟି ବାହାରକୁ ଚାଲିଗଲେ l କୁବେର ସମେତ ଅନ୍ୟ ଭଉଣୀ ଭାଇମାନେ ପଛେ ପଛେ ଚାଲିଲେ l ବସନ୍ତ ଋତୁର ନିର୍ମଳ ଆକାଶରେ ପୁନେଇଁ ବାସୀ ଜହ୍ନ ଶୀତଳ ସୁନେଲି କିରଣ ଧରା ପୃଷ୍ଟରେ ଢାଳି ଚାଲି ଥାଏ l ତେଣେ ମୁକ୍ତ ଓ ଶୁଭ୍ର ପ୍ରେତାତ୍ମା ଦୁଇଟି ନିଜ ନିଜର ରୂପେଲି କିରଣ ଢାଳି ଢାଳି ଜହ୍ନ ଆଡ଼କୁ ଆଗେଇ ଚାଲିଥାନ୍ତି l ଭଉଣୀ ଭାଇ ଚାରି ଜଣ ଅପଲକ ନୟନରେ ଉର୍ଦ୍ଧ୍ୱ ମୁଖା ହୋଇ ସେମାନଙ୍କ ଆଡ଼କୁ ଚାହିଁ ରହିଥାଆନ୍ତି l ପ୍ରାୟ ପାଞ୍ଚ ମିନିଟ ପରେ ସେହି ଶୁଭ୍ର ଛାୟା ପିଣ୍ଡ ଦୁଇଟି ନୀଳ ଉଚ୍ଚ ଆକାଶରେ ଦୁଇଟି କ୍ଷୁଦ୍ର ତାରାରେ ପରିଣତ ହୋଇ ମିଞ୍ଜି ମିଞ୍ଜି ଆଲୁଅ ଜଳିବାକୁ ଲାଗିଲେ l ନିଜ ଅଗଣା ଦୁଆରେ ପ୍ରେତ ଯୋନିରୁ ମୁକ୍ତି ପ୍ରାପ୍ତ ନିଜର ସ୍ୱର୍ଗତ ମାତାପିତାଙ୍କୁ ଅନ୍ତିମ ପ୍ରଣାମ ଜଣାଇ ଘର ମଧ୍ୟରେ ପ୍ରବେଶ କରି ନିଜ ନିଜ ଖଟିଆ ଉପରେ ଶୋଇ ପଡ଼ି ସୁର୍ୟୋଦୟକୁ ଅପେକ୍ଷା କରି ରହିଲେ l

 


Rate this content
Log in

Similar oriya story from Fantasy