ABADHOOT PANDA

Classics Others

4  

ABADHOOT PANDA

Classics Others

ସ୍ନେହାଳୀ ବୋଉ

ସ୍ନେହାଳୀ ବୋଉ

7 mins
78


  

ନିପଟ ମଫସଲ ଗାଁ ରାମପୁରର ଜଣେ ଯୁବକ l ତାର ନାଁ ଯଦୁ l ମୁଲିଆ କାମ କରି ପେଟ ପୋଷେ l ଘର ଚିନ୍ତା ଯଦୁ ମୁଣ୍ଡରେ ପଶିଲା l ଆଉ ଘରେ ବୋଉ ଓ ନୁଆଁ ହେଇ ଘରକୁ ବୋହୁ ହେଇ ଆସିଥିବା ସ୍ତ୍ରୀ l ତା ନାଁ ସାବି l ତିନି ଜଣ ମିଶି ଯଦୁର ପରିବାର l ବିଭାଘର ବର୍ଷେ ପୁରି ଯାଇଛି l କିନ୍ତୁ ପିଲା ପିଲି ନାହାନ୍ତି l ମୁଲିଆ ଓ ତା ଘର ଆ ଘର ବିଲରେ ଚାଷ କାମ କରି ଯାହା ରୋଜଗାର ହୁଏ ସେଥିରେ ଯଦୁର ତିନି ଜଣିଆ ପରିବାର ଖୁସିରେ ଚଳିଯାଆନ୍ତି l ଘରେ ବୁଢ଼ୀ ବୋଉ l ତାର ବୟସ ଷାଠିଏ l ସେ ଭାରି ଚାଙ୍ଗା l ଘର କାମ ସବୁ କରେ l କିନ୍ତୁ ବୋହୁ ସାବିକୁ କୁଟାକୁ ଦି ଖିଅ କରିବାକୁ ଦିଅନ୍ତିନି l ସାଇ ପଡ଼ିଶାରେ ପିଲା ଠାରୁ ଟୋକା ଯାଏଁ ସମସ୍ତେ ତାକୁ ସୁଲ ମାଉସୀ ବୋଲି ଡାକନ୍ତି l ମାଉସୀ ମାଉସୀ ବୋଲି ପାଣି ପିଅନ୍ତିନି l ଦିନେ ନଦେଖିଲେ ବାଟ ବଣା ହେଇଯାନ୍ତି l 


ମଣିଷ ଏକ ସାମାଜିକ ପ୍ରାଣୀ l ପାରସ୍ପାରିକ ସ୍ନେହ ପ୍ରେମର ଆଦାନ ପ୍ରଦାନ ଭିତରେ ସେ ପାଇଥାଏ ସ୍ୱର୍ଗସୁଖ l ଯାହା ବି ହଉ ସୁଲ ତାଙ୍କ ବୋହୂକୁ ଭାରି ଭଲ ପାଆନ୍ତି l ବେଳେ ବେଳେ ଗାଁ ଲୋକେ କୁହା କୁହି ହୁଅନ୍ତି ; ସତରେ ସୁଲ ବୁଢ଼ୀ ତା ବୋହୂକୁ ନିକମା କରିଦେଲା l ତାକୁ ଜମା କାମ କରେଇ ଦଉନି l ବୋହୂକୁ ଦେଖିଲେ ତା ପ୍ରେମ ଉଛୁଳି ପଡୁଛି

ଯେତେ କହିଲେ କଣ ହବ l କିଛି ଲାଭ ନାହିଁ l 


ଥରେ ତାଙ୍କ ଘରକୁ ସୁଲ ବୁଢ଼ୀର ସାନ ଭାଇ ଆସିଥିଲା l ସେ ଭଉଣୀର ବୋହୁ ପ୍ରେମ ଦେଖି କହିଲା, " କଣ ନାନୀ ବୋହୂକୁ କହୁନୁ ତତେ କାମରେ ସାହାଯ୍ୟ କରିବ l ତୁ ଏକା ଧାନ ଉଂସଉଛୁ l " ସୁଲ ବୁଢ଼ୀ ରାଗି ଯାଇ କହିଲା, " ଆରେ ସିଏ ଭୂଆସୁଣୀ ବୋହୂଟା l କିଛି ଦିନ ଟିକେ ଆରାମ କରୁ l ପିଲା ପିଲି ହେଲେ ବଳେ କାମ କରିବନି!!!" " ଠିକ୍ ଅଛି l ତୋ ଇଚ୍ଛା " କହି ଭାଇ ଚୁପ୍ ରହିଲା l


ଖାଲି ବୋହୂକୁ ନୁହେଁ, ପୁଅ ଯଦୁକୁ ବି ସୁଲ ବୁଢ଼ୀ ବହୁତ ଭଲ ପାଏ l ଭେଣ୍ଡିଆ ପୁଅ ହେଲେ ବି ଯଦୁକୁ ବୁଢ଼ୀ ସବୁ ଦିନେ ଭାତ ଖୁଆଇ ଦିଏ l ଯଦୁ ବି ବୋଉକୁ ଖୁବ୍ ଭଲ ପାଏ l ସବୁଦିନେ ସଞ୍ଜକୁ କାମରୁ ଆସି ଆଗ ବୋଉର ଗୋଡ଼ ମୋଡ଼ି ଦିଏ l କିନ୍ତୁ ସାବି ଶାଶୁର ପ୍ରେମର ଓଜନ କଣ ଜାଣେନି l ବେଳେ ବେଳେ କଜିଆ କରେ ସାମାନ୍ୟ କଥାରେ l କିନ୍ତୁ ସୁଲ ବୁଢ଼ୀ ତା କଥାକୁ ହସି ଉଡ଼େଇ ଦିଏ l 


ଦିନକର ଘଟଣା l ଯଦୁ ବିଲରେ କାମ କରୁଥିବା ବେଳେ ଗୋଟାଏ ତମ୍ପ ସାପ ତା ଡାହାଣ ଗୋଡ଼ରେ ଚୋଟ ମାରିଲା l ଯଦୁ ହିଡ଼ ଉପରେ ପଡ଼ିଗଲା l ସୁଲ ବୁଢ଼ୀ ଖବର ପାଇ ସିଧା ହିଡ଼ ପାଖରେ ହାଜର l ପୁଅ ଗୋଡ଼ରୁ ରକ୍ତ ବାହାରୁ ଥାଏ l ଆଉ ଡେରି ନକରି ବୁଢ଼ୀ ତା ଲୁଗା କାନି ଚିରି ଖଣ୍ଡିଆ ଉପରକୁ ଟିକେ ବାନ୍ଧି ମୁହଁ ଲଗେଇ ଖଣ୍ଡିଆରୁ ରକ୍ତ ଚୁଷିବାକୁ ଲାଗିଲା l ଆସ୍ତେ ଆସ୍ତେ ଯଦୁ ଆଖି ଖୋଲିଲା l ସେ ଉଠି ଠିଆ ହେଇ ବୋଉ କାନ୍ଧରେ ହାତ ପକେଇ ସାହାରା ପାଇଲା l ବୋଉ ପୁଅ ଦୁଇ ଜଣ ଗୁଣିଆ ଘରକୁ ଚାଲିଲେ l ଗୁଣିଆ ସାପ ବିଷ ଝାଡ଼ି ଦେଲା ଆଉ ଯଦୁ ଭଲ ହେଇଗଲା l ତାପରେ ଦୁଇଜଣ ଘରକୁ ଫେରିଲେ l 


ଏମିତି ଦିନ ଗୁଡ଼ିକ ଦୁଖେ ସୁଖେ କଟି ଯାଉଥାଏ l ଦିନକର ଘଟଣା l ସାବି ପାଟିରେ ହାତ ଦେଇ ଅ ଅ ହେଉଥାଏ l ରାତି ଦିଘଡ଼ି l ସୁଲ ବୁଢ଼ୀ ବୋହୂର ବାନ୍ତି କରିବା ଶବ୍ଦ ଶୁଣି ବୋହୁ ପାଖରେ ପହଞ୍ଚିଲା l କାରଣ ତା ନିଦ ପତଳା l ଟିକେ ଖୁଡ଼ ଖାଡ଼ ହେଲେ ତା ନିଦ ଭାଙ୍ଗି ଯାଏ l ଯଦୁ କିନ୍ତୁ ଦିନ ସାରା ଖଟି ଖଟି ହାଲିଆ ହେଇ ନିଘୋଡ଼ ନିଦରେ ଶୋଇ ଯାଇଥାଏ l ସୁଲ ବୁଢ଼ୀ ଆଉ ପୁଅକୁ ଉଠାଇଲାନି l ତାପରେ ବୋହୁ ସାବିର ପିଠି ଆଉଁସି ଦେଇ ପାଣି ଢୋକେ ପିଆଇ ଦେଲା l ସେଇ ରାତିଟା ସେ ବୋହୁ ପାଖରେ ଶୋଇ ପଡ଼ିଲା l 


ରାତି ପାହି ସକାଳ ହେଲା l ଡାମରା କୁଆର କା କା ରେ ସୁଲ ବୁଢ଼ୀର ନିଦ ଭାଙ୍ଗି ଗଲା l ସାବି ଶୋଇଥାଏ l ଯଦୁ ଆଖି ମଳି ଶେଯରୁ ଉଠିଗଲା l ସୁଲ ବୁଢ଼ୀ ଯଦୁକୁ କହିଲା, " ଆରେ ପୁଅ ତୁ ବାପା ହେଇଯିବୁ l ସାବି ପେଟରେ ଅଛି l " ବୋଉର କଥା ଶୁଣି ଯଦୁ ମନ କୁଣ୍ଢେ ମୋଟ l ମାକୁ କୁଣ୍ଢେଇ ପକେଇ କହିଲା, " କଣ ବୋଉ ଖାଇବୁ କହ l ଶୁଭ ଖବର ଦେଇଛୁ l " ବୁଢ଼ୀ କହିଲା, " ନା ପୁଅ ମୋର କିଛି ଦରକାର ନାହିଁ ଅବିକା l ତୋର ଝିଅ କି ପୁଅ ଜନ୍ମ ହେଇସାରୁ ମୁଁ ତୋଠୁଁ ମାଗିକି ଖାଇବି l ବ୍ୟସ୍ତ ହୋନା l " " ହଉ ହେଲା ବୋଉ ତୋ କଥା ରହିଲା, 

ଚାହୁଁ ଚାହୁଁ ସାବିର ମାସ ଗଡ଼ି ଦୁଇ ମାସ ହେଲା l ତାର ଅରୁଚି ଆରମ୍ଭ ହେଇଗଲା l ଘଷି ପାଉଁଶ,ଚକ୍ ଖଡ଼ି ଆଉ ମାଟି ଖାଇବାକୁ ଆରମ୍ଭ କଲା l ଦିନେ ଯଦୁକୁ କହିଲା, " ମୋ ପାଟି କି କିଛି ଭଲ ଲାଗୁନି l " " କଣ ଖାଇବୁ କହ l ମୁଁ ହାଟରୁ ଆଣି ଦେବି l " " ମୋର ତୁମ ବୋଉର କଲିଜା ଖାଇବାକୁ ଭାରି ଇଛା ହଉଛି l ଆଣି ଦିଅ l " ବଡ଼ ଅଘଟଣ କଥା ଏମିତିକା ଇଛା କଣ କରୁଛି ସାବି!!! l ଯଦୁକୁ ଆଶ୍ଚର୍ଯ୍ୟ ଲାଗିଲା l କିଏ ଆମର ଛୋଟ ଆଉ ସୁଖ ସଂସାର କୁ ସହି ନପାରି କଣ ଗୁଣୀ ଗାରେଡ଼ି ବିଦ୍ୟା ପ୍ରୟୋଗ କରି ପିଶାଚ ପେଷିଛି କି? ଏମିତି ଅଗଡମ୍ ବଗଡ଼ମ୍ ସ୍ତ୍ରୀ ମୁହଁରୁ ଏଇ କଥା ଶୁଣିଲା ପରେ ଯଦୁଆର ମୁଣ୍ଡକୁ ପୋକ ଚଢ଼ି ଗଲା l ଗୋଟାଏ ବ୍ରହ୍ମ ଜାବୁଡ଼ା ସାବି ଗାଲରେ ବସେଇ ଦେଇ କହିଲା, " ତୁ କଣ ପଗୀଳୀ ହେଇଗଲୁଣି କି? ମୋ ବୋଉର ତୁ କଲିଜା ଖାଇବୁ l ତୋର ଏଡ଼େ ସାହସ l " ପୁଅ ବୋହୁଙ୍କ ଝଗଡ଼ା ସୁଲ ବୁଢ଼ୀ କାନରେ ପଡ଼ିଲା l ସେ ଧାନ ଉଁଷା ହାଣ୍ଡି ଛାଡ଼ିଦେଇ ଦୌଡ଼ି ଆସି ଯଦୁଆ ହାତକୁ ଜାବୁଡ଼ି ଧରିଲା ଆଉ କହିଲା, " ଆରେ ସ୍ତ୍ରୀକୁ ମାରିଲେ ତୋ କାନ୍ଧରୁ ଲକ୍ଷ୍ମୀ ଛାଡ଼ି ଯିବ l ତା ପେଟରେ ତୋ ପିଲା ଅଛି l ସେ ଯଦି ମୋ କଲିଜା ଖାଇବ କହୁଛି ତେବେ ମୁଁ ଛାତି ଦେଖେଇ ଦଉଛି l ତୁ କଟୁରୀ ଆଣି ମୋ ଛାତି ଚିରି କଲିଜା ବାହାର କରି ନେଇଯା l " ଯେତେ ପରିସ୍ଥିତି ଆସୁ ପଛେ ମା କେବେବି କୁମାତା ହେଇ ପାରିବନି l ମା ପୁଅଙ୍କ ସମ୍ପର୍କ ସ୍ନେହପୂର୍ଣ୍ଣ ଓ ଖୁବ୍ ମଧୁର l ତାହା କେବେ ତିକ୍ତ ହେଇ ପାରିବନି ଦୁନିଆଁ ଯେତେ ବି ଉସକଉ l ଯଦୁଆ ବୋଉର ଉଦାର ଓ ନିଃସର୍ତ୍ତ ପ୍ରେମ ଦେଖି ପିଲା ପରି ଭୋ ଭୋ କାନ୍ଦି ପକେଇଲା l କହିଲା, " ତୁ ଯଦି କହିବୁ ଏଇ ଅଲକ୍ଷଣି କୁ ତେଜପତ୍ର କରିଦେବି ଆଜି l " " ନା ନା ପୁଅ ତୁ ଜମା ସେ ସବୁ ତୁଣ୍ଡ ରେ ଧରନା l ଲକ୍ଷ୍ମୀଛଡା ହେଇଯିବୁ l ତୁ ତାକୁ ହକ୍ ବେଦୀ ଉପରେ ନିଆଁକୁ ସାକ୍ଷୀ ରଖି ବୋହୁ କରି ଘରକୁ ଆଣିଛୁ l ତାର ଦଡ଼ି ବଡ଼ି ସବୁ ଆମକୁ ସହିବାକୁ ପଡ଼ିବ l ସେ ଯଦି କହୁଛି ଗିରିଆ ଧୋବା ପାଖକୁ ଯା l ସେ ଅବିକା ଖାସି କାଟୁଥବ l ତାପାଖରୁ କଲିଜା ଅଧ କିଲୋ କିଣି ଆଣ l ମୁଁ ରାନ୍ଧି ଦେବି l ସେ ଖାଇବ l " 


ବୋଉର ମନ କଥା ଆଉ ମୁହଁ କଥାକୁ ଯଦୁଆ ଓଜନ ଦେଲା l ସାଙ୍ଗେ ସାଙ୍ଗେ ଗିରିଆ ଧୋବା କଂସେଇ ଖାନାକୁ ଯାଇ କିଲେ ଖାସି କଲିଜା ନେଇ ଆସିଲା l ସୁଲ ବୁଢ଼ୀ ଗରମ ମସଲା ଦେଇ କଲିଜାକୁ ଧାନଉଁଷା ଚୁଲିରୁ ଧାନ ହାଣ୍ଡି ଉଠେଇ ଆଉ ଗୋଟାଏ ମାଟି ହାଣ୍ଡିରେ କଲିଜା ରାନ୍ଧିଲା l ବୋହୂକୁ ଡାକିଲା ଖାଇବାକୁ l ସେତେବେଳକୁ ସାବି ଆଖିରୁ ଲୁହ ବୋହିବା କମି ନଥାଏ l ସେ କଇଁ କଇଁ କାନ୍ଦି କାନ୍ଦି ଗାଲ ଆଉଁସୁ ଥାଏ କବାଟ କଣରେ ବସି l ଏଭିତରେ ଯଦୁ ଉଷୁନା ଭାତ ଘର ଚୁଲିରେ ରାନ୍ଧି ସାରିଥାଏ l ସୁଲ ବୁଢ଼ୀ ସାବିର ପିଠିକୁ ଥାପୁଡ଼େଇ ବୁଝେଇ କହିଲା, " ଥାଉ ମା ଥାଉ ଜମା କାନ୍ଦନା l ତୋ ଆଖିରୁ ଲୁହ ବୋହିଲେ ଯଦୁଆର ଖରାପ ହବ l ସଂସାର କଲେ କେତେ ଏମିତି କଳି କଜିଆ ଗେରସ୍ତ ଆଉ ମାଇପ ଭିତରେ ହୁଏ l ଏଇଟା ସାଧାରଣ କଥା l ଯାହା ବି ହଉ ଭୁଲ୍ ରେ ତୋ ପାଟିରୁ ମୋ କଲିଜା ଖାଇବା କଥା ବାହାରିଗଲା l ଗଲେ ଗଲା l ତୋ କଥାରେ କଣ ଯଦୁଆ ମୋ ଛାତି ଫାଡ଼ି କଲିଜା ବାହାର କରିନେଲା କି? କାହିଁକି ତୁ କାନ୍ଦୁଛୁ? କାନ୍ଦ ବନ୍ଦ କର ମୋ ସୁନା ଝିଅଟା ପରା l ମୁଁ କଦଳୀ ପତ୍ରରେ ଭାତ କଲିଜା ଝୋଳ ବାଢ଼ି ଦଉଛି l ପେଟ ଭରି ଖା l ତୁ ସନ୍ତୁଷ୍ଟ ହେଲେ ତୋ ପେଟର ପିଲା ସନ୍ତୁଷ୍ଟ ହବ l ତୁ ଦୁଃଖ କଲେ ପିଲା ଦୁଃଖୀ ହେଇଯିବ l ତୁ ଖୁସି ରହିଲେ ପିଲା ଖୁସମିଜାଜୀ ନିଶ୍ଚୟ ହବ l ନେ ଖାଇଦେ ଝିଅ l ତୁ ମୋର ଗେହ୍ଲା ବୋହୁ ଆଉ ଯଦୁଆ ମୋର ଗେହ୍ଲା ପୁଅ l ତମେ ଦୁଇଜଣ ସୁଖରେ ରହିଲେ ମୁଁ ସୁଖୀ ହେବି l" 


ଶାଶୁଙ୍କର ନୀତିବାଣୀ ସାବିର ମନକୁ ପାଇଲା l ପଣତ କାନିରେ ଆଖି ଲୁହ ପୋଛି ଶାଶୁ ବୁଢ଼ୀ ସୁଲ ଦେଇଙ୍କ ପାଦ ତଳେ ଲମ୍ବ ହେଇ ପଡ଼ିଗଲା l ଗୋଡ଼ ଧରି କହିଲା, " ବୋଉ ମତେ କ୍ଷମା କରିଦିଅ l ଆଉ ଏମିତି କଥା ମଲା ଯାଏଁ ମୋ ପାଟିରୁ ବାହାରିବନି ବୋଉ l " " ହଉ ହେଲା ହେଲା ଉଠ ଖାଇ ବସ l ତୁ ଖାଇ ସାରିଲେ ଯଦୁଆ ଖାଇ ବିଲକୁ ଯିବ l " ସାବିର ମନ ପୁରାପୁରି ବଦଳିଗଲା l ଆଜ୍ଞାଧୀନ ଝିଅ ପରି ଖାଇ ବସିଲା l ଖାଉ ଖାଉ ପଚାରିଲା, " ତୁମ ପେଇଁ ଆଉ ଆଙ୍କ ପେଇଁ କଲିଜା ତରକାରୀ ରଖିଛ ତ? ନହେଲେ ମୋ ମନ ଖରାପ ହବ ବୋଉ l" " ହଁ ହଁ ରଖିଛି l ତୁ କାହିଁକି ଆମ କଥା ଭାବୁଛୁ l ତୁ ଗୋଟାଏ ଅରୁଚିଆ ବୋହୁ ତୁ ମନ ବୋଧି ଖା l ଆଉ କଲିଜା ଦରକାର ହେଲେ କହିବୁ "l " ନା ବୋଉ ମୋର ଆଉ କିଛି ଦରକାର ନାହିଁ l ପେଟ ମନ ପୁରିଗଲା l " 


ଦିନ ଏଗାରଟା ବାଜିଲା l ସାବି ଖାଇବା ସରିଲା l ମୁହଁ ହାତ ଧୋଇ ଶାଶୁ ଆଉ ଗେରସ୍ତ ପେଇଁ ଭାତ ବାଢ଼ିବାକୁ ବାହାରିଲା l କିନ୍ତୁ ସୁଲ ବୁଢ଼ୀ ଅଟକେଇ କହିଲା , " ନା ସାବି ତୁ ଯାଇ ବିଶ୍ରାମ କର l " " ନା ବୋଉ ତୁମେ ଯଦି ମତେ ଠିକ୍ ତୁମ ଝିଅ ପରି ଭାବୁଛ ମତେ ଛାଡ଼ ମୁଁ ବାଢ଼ିବି l " " ହଉ ଭଲ ବାଢ଼େ " ଯଦୁଆ ବି ତାର କାଠ ହଣା କାମ ଛାଡ଼ି ବାଡ଼ି ଭିତରୁ ବାହାରି ଆସିଲା l ମା ଓ ପୁଅ ସାବି ହାତ ବଢ଼ା ଖାଦ୍ୟ ଖାଇ ଉଦରତୃପ୍ତି ସୂଚକ ନିଶ୍ଵାସ ଛାଡ଼ିଲେ l ଯଦୁଆ ତା କର୍ମ କ୍ଷେତ୍ରକୁ ବାହୁଡ଼ି ଗଲା l ସୁଲ ବୁଢ଼ୀ ପାକୁଆ ପାଟିରେ ହସ ଖେଳେଇ କୁଟା ଧନିଆ ଗୁଣ୍ଡି ଚୂନ ଖଇର ମିଶା ପାନ ପାଟିରେ ପକେଇ ମସିଣା ବିଛେଇ ଗୋବର ଲିପା ମାଟି ପିଣ୍ଢା ଉପରେ ଶୋଇ ପଡ଼ିଲେ l ନଡ଼ିଆ ଗଛର ପତ୍ରରୁ ବହୁ ଥିବା ସୁଲୁ ସୁଲିଆ ଦକ୍ଷିଣା ପବନ ସୁଲ ଦେଇଙ୍କର ଆଖି ଲଗେଇ ଦେଲା l 

    


రచనకు రేటింగ్ ఇవ్వండి
లాగిన్

Similar oriya story from Classics