ଚାରିବାଟିଆ ବାଘ
ଚାରିବାଟିଆ ବାଘ
ଚାରିବାଟିଆ ରେଳ ଷ୍ଟେସନ ପାଖରେ ଅଛି ଆଗ୍ରାହାଟ ବୋଲି ଗୋଟିଏ ଗାଁ l ସେଇ ଗାଁ ଆମ ଭିଟା ମାଟି lପ୍ରାୟ ଦେଢ଼ ଶହ ବର୍ଷ ତଳେ ସେହି ଅଞ୍ଚଳ ଥିଲା ଘଞ୍ଚ ଜଙ୍ଗଲ ପୂର୍ଣ୍ଣ l ସେଇ ବଣରେ ରହୁଥିଲେ ଅନେକ ପ୍ରକାର ବନ୍ୟ ଜୀବ ଜନ୍ତୁ ପକ୍ଷୀ ସରୀସୃପ ଇତ୍ୟାଦି l ବଣୁଆ ହାତୀ ଆଉ କଲରା ପତ୍ରିଆ ବାଘ ମାନଙ୍କ ଉପଦ୍ରଵରେ ଅତିଷ୍ଠ ହେଇ ପଡ଼ୁଥିଲେ ପାଖ ଗାଁ ଲୋକେ l ହାତୀ ଦଳ ବିଲରୁ ଫସଲ ନଷ୍ଟ କରିବା ସହିତ ଗାଁ ରେ ପଶି ଭାଙ୍ଗୁ ଥିଲେ ଚାଳ ଘର l ବାଘ ହରଡ଼ ଫୁଲ ଖାଇବାକୁ ଗାଁରେ ପଶି ଗୁହାଳରୁ ଗାଈ ଗୋରୁ ଛେଳି ମେଣ୍ଢା କୁକୁଡ଼ା ବତକ ଇତ୍ୟାଦି ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ମାରି ଘୋଷାଡ଼ି ନେଇ ଯାଉଥିଲେ ଜଙ୍ଗଲ ଭିତରକୁ l ଅନେକ ସମୟରେ ବାଘ ଚାଳ କଣା କରି ଘରଭିତରୁ କଁଅଳା ପିଲାଙ୍କୁ ଟେକି ନେଇ ଖାଉଥିଲେ ଗାଁ ପଡ଼ିଆରେ l ସେତେବେଳେ ଇଂରେଜ ରାଜୁତି l ଇଂରେଜ ଶାସନ ଭାରି କଡ଼ା ଲୋକେ ଫରୟାଦ୍ କରିବାକୁ ଭୟ କରୁଥିଲେ ଗୋରା ହାକିମ ଆଗରେ l
ଥରେ ଆମ ପୂର୍ବ ପୁରୁଷ ବୁଢ଼ୀମା ଗାଁ ପାଖ ପଡ଼ିଆକୁ ପୋଖରୀ ପାଣି ଯାଇଥିଲେ l ପାଣି ସାରିବା ବେଳେ ଗୋଟାଏ ବଡ଼ କଲରା ପତ୍ରିଆ ବାଘ ତାଙ୍କ ବେକକୁ କାମୁଡ଼ି ନେଇଗଲା ଜଙ୍ଗଲ ଭିତରକୁ l ଲୋକେ ଜାଣୁ ଜାଣୁ ଡେରି ହେଇଗଲା l ତେଣେ ବୁଢ଼ୀମାଙ୍କ ଜୀବନ ଗଲା l ସେଦିନ ଥିଲା ମାଣବସା ଗୁରୁବାର l ସେଇଦିନ ଠାରୁ ଆମ ଘରେ ମାର୍ଗଶିର ଗୁରୁବାର କେହି ପାଳୁ ନାହାଁନ୍ତି ଆଜିଯାଏଁ l
ଆଉଥରେ ଜଣେ ନୁଆଁ ବାହା ହେଇ ଘରକୁ ଆସିଥିବା ବୋହୁର ଥିଲା ଛ ମାସର ଶିଶୁ କନ୍ୟା l ସେଦିନ ଜହ୍ନ ରାତି l ନୁଆଁ ବୋହୁଟି ନିଜର କୁନି ଝିଅକୁ ପାଖରେ ଶୁଆଇ ଦେଇ ନିଜେ ଶୋଇ ପଡ଼ି ଥିଲା l ତାର ନିଦ ଭାରି ପତଳା l ହଠାତ୍ ଧୂସ୍ କିନା ଆୱାଜ୍ ରେ ଭାଙ୍ଗି ଗଲା ତାର ନିଦ l ଯାହା ଦେଖିଲା ତା ଆଖି ଖୋସି ହେଇ ଗଲା l କଲରା ପତ୍ରିଆ ଆଖି ଡିମା ଡିମା କରି ତା ଝିଅକୁ ଚାହିଁଛି l ମା ଉଠି ବସିବାରୁ ବାଘର ସାହସ ହଉନି ଝିଅକୁ କାମୁଡ଼ି ନେଇ ଯିବାକୁ l ଘର କବାଟରେ ଶିକୁଳି l ବୋହୂଟି ଭାରି ବୁଦ୍ଧିଆ ଆଉ ହିମ୍ମତଵାଲୀ l ଶେଯ ପାଖରେ ଥିଲା ଗୋଟାଏ ଧାରୁଆ କଟୁରୀ l ପ୍ରାୟ ଆଗ କାଳରେ ଗାଁର ସ୍ତ୍ରୀଲୋକ ବା ପୁରୁଷ ଶୋଇବା ବେଳେ ମୁଣ୍ଡ ଉପରେ ଖଣ୍ଡେ ଖଣ୍ଡେ କଟୁରୀ ରଖୁଥିଲେ ନିଜ ଆତ୍ମରକ୍ଷା ପାଇଁ l ସେହି ବୋହୁ ଚୁପ୍ କିନା ମୁଣ୍ଡ ଉପରକୁ ହାତ ବଢ଼େଇ କଟୁରୀଟି ଆଣିଲା l ବାଘ ଖଟ ପାଖରେ ବସି ହାଇ ମାରୁଥାଏ l ଦୁର୍ଗନ୍ଧରେ ନାକ ଫାଟି ଯାଉଥାଏ l ଆଉ ଡେରି ନକରି କଟୁରୀଟି ର ଲମ୍ବା ବେଣ୍ଟଟାକୁ କସିକି ଜାବୁଡ଼ି ଧରି ଖଟ ତଳକୁ ଓହ୍ଲେଇ ଶକତ ଚୋଟ ମାରିଦେଲା ବାଘ ମୁହଁ ଉପରେ l ଅରକ୍ଷିତ କୁ ଦଇବ ସାହା l ଭୋର ଚାରିଟା l ଗାଁ ଚାଷୀମାନେ ଧାନ କାଟିବାକୁ ବିଲକୁ ବାହାରୁ ଥାନ୍ତି l ବାଘର ମୁହଁରୁ ରକ୍ତ ବାହାରିଲା ଚୋଟ ଖାଇ ଆଉ ତାର ଗୋଟାଏ ଦାନ୍ତ ବି ଭାଙ୍ଗିଗଲା l ବୋହୁ ପାଟି କରି ଉଠିଲା l ବାଘ ଆଉ ରହି ପାରିଲାନି l ବୋହୂର ସ୍ୱାମୀ ସେଦିନ କାମରେ କଟକ ଆସିଥିଲେ l ଘରେ କେବଳ ଶାଶୁ ଶଶୁର l ଶଶୁର ଉଠି କବାଟରେ ଧକ୍କା ଦେଲେ l ବାଘ ଲୋକଙ୍କ ପାଟି ଶୁଣି ଡରି ଗଲା l ଗଁ ଗଁ ହେଇ କୁଦା ମାରି ଚାଳ କଣା ବାଟେ ମାରିଲା ଛୁ l ସାଇ ଲୋକେ ଗୋଡ଼େଇଲେ ଠେଙ୍ଗା ବାଡ଼ି ଏକ ମୁନା ଧରି l କିନ୍ତୁ ଜୀବନ ବିକଳରେ ବାଘଟା ଜଙ୍ଗଲ ଭିତରକୁ ପଶିଗଲା ଧସେଇ l ବୋହୁ ଜଣକ ମାଟି ଚଟାଣ ଉପରୁ ରକ୍ତରେ ଜୁଡୁବୁଡ଼ୁ ବାଘ ଦାନ୍ତଟି ହାତରେ ଧରି ଖୋଲିଲା କବାଟ l କୁନି ଝିଅର ନିଦ ଭାଙ୍ଗି ଗଲା l ତା କାନ୍ଦରେ ଇଛୁଳି ପଡ଼ିଲା ଘର l ଶାଶୁଙ୍କ ହାତକୁ ବାଘ ଦାନ୍ତ ବଢ଼ାଇ ଦେଇ କହିଲା, " ବୋଉ ଏଇଟା ଭଲ କରି ଇଠା ଫଳରେ ଧୋଇଦେଇ ରଖିଦିଅ l ମୋ ଝିଅ ବେକରେ ପିନ୍ଧିବ l "
ହଉ ଠିକ୍ ଅଛି ମା l ଗୋଟାଏ ବଡ଼ ଅରିଷ୍ଟ ଆଜି କଟିଗଲା l ତୁ ଯା ତୋ ଝିଅକୁ ଅଫିମ ( ଗାଉଁଲି ଚଳଣି ଭାଷାରେ " ମା କ୍ଷୀର " ) l ଶାଶୁଙ୍କ କଥା ମାନି ସେଇୟା କଲା l
ପୁଷମାସ ରେ ଧାନ କଟାହୁଏ l ସେଦିନ ଥିଲା ପୁଷ ରବିବାର l ଆମ ଭାଗ ଚାଷୀ ରେଳ ଷ୍ଟେସନ କଡ଼ରେ ଥିବା ଧାନ ବିଲକୁ ବାହାରି ପଡ଼ିଲେ ହାତରେ ଦା' କଟୁରୀ ଧରି ଆଉ ଶଗଡ଼ରେ ବସି l ପ୍ରାୟ ଏକ ଘଣ୍ଟା ପରେ ଜଣେ ଲୋକ ଦୌଡ଼ି ଆସି ଆମ ଗୋସେଇଁ ଜେଜଙ୍କୁ ଖବରଦେଲା - " ନନା ତମ ବିଲରେ ଜଟି ନାଟିଆ ଆଉ କଲରା ପତ୍ରିଆ ଧାନ ବୁଦା ଭିତରେ ପଶି ଧସ୍ତା ଧସ୍ତି ହଉଛନ୍ତି l ତମେ ଲୋକଙ୍କୁ ଏକାଠି କରି ବିଲ ପାଖକୁ ଆସ l ନହେଲେ ନାଟିଆ ମରିଯିବି l " ଜେଜେ ସକାଳୁ ନିତ୍ୟ କର୍ମ ସାରି ଘରେ ଚୁଡ଼ା କଦଳୀ ଚକଟା ଖାଉଥିଲେ l ସକାଳ ପ୍ରାୟ ଆଠଟା l ଗାଁ ର ମୁରବୀ ହିସାବରେ ଖାତିର l ଜେଜେ ସାଙ୍ଗେ ସାଙ୍ଗେ ଚାରି ପାଞ୍ଚ ଜଣ ମଜବୁତିଆ ଗାଁ ଟୋକାଙ୍କୁ ଏକାଠି କରି ହାତରେ ଭାଲା, ଟେଣ୍ଟା ଆଉ ମୁନା ଆଉ ଲାଠି ଧରେଇ ସେମାନଙ୍କୁ ବିଲକୁ ନେଇ ଚାଲିଲେ l ସେତେବେଳକୁ ନାଟିଆ ରକ୍ତରେ ଜୁଡ଼ୁ ବୁଡ଼ୁ ହେଇ ପଡ଼ିଥାଏ l ଆମ ଗାଁ ପାଖରେ ଡାଳିଯୋଡ଼ା ବ୍ରହ୍ମପୁର l ସେ ଗାଁର ଥିଲା ' ଲକୁ ' ନାମକ ଜଣେ ମୁସଲିମ୍ ଯୁବକ ବାଡ଼ି ଖେଳ, ଖଣ୍ଡା ଖେଳ, ଭାଲାମୁନା ଖେଳ ଓସ୍ତାଦ୍ l ସିଏ ଆମ ଜେଜେଙ୍କୁ କୁସ୍ତି ଆଉ ବାଡ଼ିଖେଳ ଶିଖାଉ ଥାଏ ଗାଁ ଫୁଲ୍କା ଉପରେ l ଆମ ଗୋସେଇଁ ଜେଜ ଜଣେ ଗାଁ ବାଲାକୁ ଡାଳିଯୋଡ଼ା ବ୍ରହ୍ମପୁର କୁ ପଠେଇ ଦେଲେ ଲକୁ ମିଆଁକୁ ଡକେଇ ଆଣିବାକୁ l ସେ ସମୟରେ ଫୋନ୍ ଓ ମଟର ସାଇକେଲ୍ ଆଦୌ ଗାଁ ଗହଳିରେ ବ୍ୟବହାର ନଥିଲା l ଲୋକେ ଅଧିକାଂଶ ସମୟ ଚାଲି ଚାଲି ଯାଆନ୍ତି l ଟିକେ ପଇସା ଵାଲା ସୌଖୀନ୍ ଲୋକେ ରାଲେ, ହରକୁଲେସ୍, ରବିନ୍ ହୁଡ ସାଇକେଲ୍ ଚଢ଼ୁ ଥିଲେ l ଯାହା ହଉ ଗାଁ ଭିତରୁ ଗୋଟାଏ ଟିପ୍ ଟପ୍ ରାଲେ ସାଇକେଲ୍ ମିଳିଗଲା l ଗାଁ ଯୁବକ ଜଣକ ସେଇ ସାଇକେଲ୍ ଚଢ଼ି ଡାଳି ଯୋଡ଼ା ବ୍ରହ୍ମପୁରକୁ ଯାଇ ଲକୁ ମିଆଁ କୁ ପଛ ସିଟ ରେ ବସେଇ ଘଣ୍ଟାଏ ଭିତରେ ପହଞ୍ଚି ଗଲେ ବିଲ ପାଖରେ l ସମସ୍ତେ ଲକୁ ମିଆଁ ହାତକୁ ଚାହିଁ ରହିଥାନ୍ତି l କାହିଁକି ନା ତା ହାତରେ ଗୋଟାଏ କୋଡ଼ିଏ ଫୁଟ ଲମ୍ବର ଲାଠି ଥାଏ ଆଉ ସେଇ ଲାଠି ଆଗରେ ଗୋଟାଏ ମୁନିଆ ସରୁଆ ଲୁହା ଛଡ଼ ଫିଟିଂ ହେଇଥାଏ l ତାକୁ ମୁନା ବା ଭାଲା କୁହନ୍ତି l ଯେହେତୁ ଲକୁ ମିଆଁ ଅସ୍ତ୍ର ଶସ୍ତ୍ର ଚାଳନାରେ ଓସ୍ତାଦ୍ ତାର କେବେ ଲକ୍ଷ ଭ୍ରଷ୍ଟ ହୁଏନି l ଆକ୍ସନ୍ ନବା ପୂର୍ବରୁ ଲକୁ ଟିକେ ଜାଣିବାକୁ ଚାହିଁଲା ଜଟି ନାଟିଆ ଆଉ ବାଘ ବିଷୟରେ l ଜଣେ ଦେଖଣା ହାରୀ ଚାଷୀ କହିଲେ, " ଜଟିଆ ବାଘ ଖବର ପାଇ ଏଠିକି ଦେଖିବାକୁ ଆସିଥିଲା l ସେତେବେଳେ ବାଘଟି ଲୋକ ଭୟରେ ଧାନ ବୁଦା ଭିତରେ ଚୁପ୍ ଚାପ୍ ଛପି ରହିଥାଏ l ଜଟିଆ ଜାଣିପାରିଲାନି l କାଢ଼ୁଆ ଦେଖେଇ ହେଇ ଧାନ ଗଛ ଆଡ଼େଇ ବାଘ ପାଖକୁ ଯିବାକୁ ଚେଷ୍ଟା କଲା l କିଛି ହାତ ଭିତରେ ପଶିଲା ପରେ ବାଘ ମୁହଁକୁ ଦେଖି ପାରିଲା l ବାଘ ରାଗିକିରି ଗର୍ଜୁ ଥାଏ l ଯଦି ପଛକୁ ଆସ୍ତେ ଆସ୍ତେ ଫେରି ଅସିଥାନ୍ତା ତା'ର କିଛି ହେଇ ନଥାନ୍ତା l କିନ୍ତୁ ଫୁଟାଣି ଦେଖେଇ ପାଟିକି ସମ୍ଭାଳି ନପାରି " ହେଇରେ ବାଘ ମାମୁଁ ଏଇଠି ଶୋଇଛି ରେ " କହି ପକେଇଲା l ବାଘ ସମ୍ଭାଳିବା ଜନ୍ତୁ ନୁହଁ l ତା ନା ପରା ବାଘ l ଜଙ୍ଗଲର ରଜା l ଖପା ଖପ୍ ଜଟିଆ ଉପରକୁ ବାଘଟା ଡିଆଁ ମାରି ତା ପଞ୍ଝା ମାରିବାକୁ ଚେଷ୍ଟା କଲା l ଜଟିଆ ସିନା ପତଳା ତା'ର ତାକତ ବେଶୀ l ବାଘ ଧାନ ବୁଦା ଭିତରୁ ବାହାରି ହିଡ଼ ପାଖକୁ ଚାଲିଆସିଲା l ବାଘଟା ଜଟିଆଉପରକୁ ଡିଆଁ ମାରିଦେଲା l ନଖରେ ଜଟିଆର ଛାତିକୁ ପେଟକୁ ଖଣ୍ଡିଆ କରିଦେଲା l ଜଟିଆର ଦେହରୁ ରକ୍ତ ବୋହି ଚାଲୁଥାଏ l ସେ ବି ଛାଡ଼ିବା ଜନ୍ତୁ ନୁହଁ l ବାଘ ଜଟିଆ ଉପରେ ଆଉ ବାଘ ପେଟ ତଳେ ଜଟିଆ l ପ୍ରାୟ ଘଣ୍ଟାଏ ଗଡ଼ା ଗଡ଼ି ହେଲା ପରେ ତୁମେ ଆସି ପହଞ୍ଚିଲ l " ଲକୁଆ ଜଟିଆ ବିଷୟରେ ଏସବୁ ଶୁଣି ତାଟକା ହେଇ ବାଘ ଜଟିଆର କୁସ୍ତି ଦେଖିବାକୁ ଲାଗିଲା
l ସମୟ ନଷ୍ଟ l ଜଟିଆ ବାଘକୁ କୁଣ୍ଢେଇ ଗଡ଼ି ଗଡ଼ି ଦରମରା ଅବସ୍ଥାକୁ ଆସି ଯାଇଥିଲା l ତେଣୁ ଆମ ଗୋସେଇଁ ଜେଜେ ଲକୁ ମିଆଁକୁ କହିଲେ, " ଆରେ ତୁ ଦେଖୁଛୁ କ'ଣ? ଜୀବନ ମରଣ ସମସ୍ୟା l ଜଲ୍ଦି ତୋ ଭାଲା ଚଲା l " ଜେଜେଙ୍କ କଥା ଶୁଣି ଲକୁ ତାର ଭାଲା ଧରି ଲାଗିଲା ଲକ୍ଷ ସାନ୍ଧିବାକୁ l ଲକ୍ଷ ସାନ୍ଧି ବାଘକୁ ଘାୟଲ କରିବା ନଥିଲା ସହଜ କଥା l ଲକୁଆ ମୁଣ୍ଡ ଚକର ଖାଇଲା l କେମିତି ବା ସେ ବାଘଟାକୁ ମାରିବ? ମୁଣ୍ଡରେ ତା'ର ପ୍ରଶ୍ନବାଚୀ l କାରଣ ବାଘ ମଣିଷ ଧରା ଧରି ହେଇ ସୁତା ନଟେଇ ଭଳିଆ ହିଡ଼ କଡ଼ରେ ଗଡ଼ୁଛନ୍ତି l ଯଦି ସେ ଅନାଧୁନିଆ ଭାଲା ଚଲେଇ ଦବ ତାହେଲେ ଜଟିଆର
ଦେହ ଫୁଟି ଯାଇ ପାରେ l ଭାବି ଭାବି " ଆଲହା ହୋ ଅକବର " ଉଚ୍ଚାରଣ କରି ଟିକେ ପାଖକୁ ଯାଇ ଭାଲା ଚଲେଇ ଦେଲା l
ଈଶ୍ବରଙ୍କ କୃପାରୁ ଭାଲା ମୁନଟା ସିଧା ସିଧା କଲରା ପତରିଆ ବେକରେ ଗଳିଗଲା l ବାଘ ପଞ୍ଝା ଖୋଲି ଜଟିଆକୁ ସଙ୍ଗେ ସଙ୍ଗେ ଛାଡ଼ିଦେଇ ଜୋରରେ ନିଶ୍ଵାସ ନେଉଥାଏ l ତାର ପେଟ ଉଠୁଥାଏ ପଡ଼ୁଥାଏ l ତା ବେକରୁ ରକ୍ତ ପିଚକାରୀ ମାରି ବାହାରି ଚାଲିଥାଏ l ତଥାପି ବାଘ ଆଁ କରି ଲକୁଆ ଆଡ଼କୁ ମାଡ଼ି ଆସୁଥାଏ ଆଣ୍ଠେଇ ଆଣ୍ଠେଇ l ଲକୁଆ ଆଉ ଡେରି ନକରି ପଛକୁ ପଛ ଧମା ଧମ୍ ପାଞ୍ଚ ଛଟା ବାଘ ପେଟରେ ମୁନା ଘୁସେଇ ଦେଲା l ପ୍ରାୟ ଦଶ ମିନିଟ ପରେ କଲରା ପତରିଆ ବାଘଟା ଧକେଇ ଧକେଇ ରକ୍ତରେ ଗାଧେଇଲା ପରେ ତା ଜୀବ ଛାଡ଼ି ଗଲା l କିନ୍ତୁ ଜଟିଆ ବେହୋସ୍ ହେଇଯାଇ ଜମି ହିଡ଼ ପାଖରେ ପଡ଼ି ରହିଲା l ଗୋସେଇଁ ଜେଜ ପୁଣି ଗାଁ ଚୌକିଆକୁ କହିଲେ, " ଦେଖ ଜଟି ନାଟିଆ ଅବସ୍ଥା ବଡ଼ ଶୋଚନୀୟ l ମୋ ସାଙ୍ଗରେ ଆସ ତାକୁ ଆଉ ମଲା ବାଘକୁ ଶଗଡ଼ ଉପରକୁ ଉଠେଇ ଦବା l " ଜେଜେଙ୍କ ପରାମର୍ଶରେ ଆହୁରି ଚାରିଜଣ ତାଗଡ଼ା ଲୋକ ଆଗେଇ ଆସିଲେ ଭିଡ଼ ଭିତରୁ l ସେତେବେଳକୁ ସମୟ ଦିନ ଗୋଟାଏ l ବାଘ ଖବର ଶୁଣି ସେତେବେଳକୁ ପାଖ ଆଖ ପଡ଼ିଶା ଗାଁର ଅନେକ ଲୋକ ଆସି ବିଲ ଚାରି କଡ଼ରେ ରୁଣ୍ଡ l ପ୍ରାୟ ଏକ କିଲୋମିଟର ଦୈର୍ଘ୍ୟର ଲୋକାରଣ୍ୟ ପରିଧି l ଶଗଡ଼ ଉପରେ ଲଦା ହେଲା ବାଘର ମଲା ଦେହ ଓ ଜଟିଆର ଅଚେତ୍ ଦେହ l ଇଂରେଜ ଶାସନବେଳେ ବାଘ ଶିକାରୀକୁ ମିଳୁଥିଲା ଜିଲ୍ଲାପାଳଙ୍କ ଜରିଆରେ ଇନାମ୍, ଅତି କମ୍ ରେ ହଜାର ଏକ ଟଙ୍କା l ଜଟିଆ ଆଉ ବାଘକୁ ବୋହି ଶଗଡ଼ ଆଗେଇ ଚାଲିଲା ବିରୂପା ଓ ମହାନଦୀ ପୋଲ ଡେଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଡ଼କୁ l ଶଗଡ଼ିଆର ହ... ହଅ... ହ... ସ୍ୱର ଲୋକ ଭିଡ଼ ଭିତରେ କୁଆଡ଼େ ଯାଉଥାଏ ହଜି l ଗୋସେଇଁ ଜେଜ ଶଗଡ଼ିଆକୁ କହିଲେ, " ଶୁଣ ଜଟିଆ ବଞ୍ଚିଛି l ତାକୁ ଆଗ କଟକ ବଡ଼ ଡାକ୍ତର ଖାନାକୁ ନେଇ ଚାଲ୍ l ତାପରେ ଜିଲ୍ଲାପାଳ ଅଫିସ୍ l " ଶଗଡ଼ିଆ ଯୋବ୍ରା ବାଟ ଦେଇ ଲୋକାରଣ୍ୟ ଭିତରେ ବଡ଼ ଡାକ୍ତର ଖାନା ଆଡ଼କୁ ଶଗଡ଼ ମୁହେଁଇଲା l କାଜୁଆଲିଟି ୱାର୍ଡ଼ରେ ଜଟିଆକୁ ଭର୍ତ୍ତି କରାଗଲା l ତା ପାଖରେ ରହିଲେ ପାଞ୍ଚ ଜଣ ଲୋକ l ସାଲାଇନ୍ ଆଉ ଇଞ୍ଜେକ୍ସନ୍ ଲାଗିଲା l ଅବଶିଷ୍ଟ ଲୋକ ଶଗଡ଼ ସାଙ୍ଗରେ ପହଞ୍ଚି ଗଲେ ଜିଲ୍ଲାପାଳଙ୍କ ଅଫିସ୍ଆଗରେ l ସମୟ ଦିନ ଚାରିଟା l ଶୀତ ଋତୁର ପ୍ରାଧାନ୍ୟ l ତେଣୁ ଲୋକମାନଙ୍କୁ ଲାଗୁନଥିଲା ହାଲିଆ l ଆରାମ୍ ରେ ଟିକେ ପହଞ୍ଚି ପାରିଲେ ଲକ୍ଷ୍ୟ ସ୍ଥଳରେ l ସେତେବେଳେ ହଡ଼ସନ୍ ସାହିବ ଜିଲ୍ଲାପାଳ l ଭାରି ସହୃଦୟ ବ୍ୟକ୍ତି l ସେ ନିଜ ରୁମ୍ ଛାଡ଼ି ବାହାରକୁ ଆସି ପଚାରିଲେ ଅଧା ଇଂରାଜୀ ଆଉ ଅଧା ହିନ୍ଦିରେ, "ୟେ ଲିଓପାର୍ଡ଼ କହାଁ ସେ କାର୍ଟ ମେ ଲାଏ ହୋ? " ଆଗ୍ରାହାଟ ଗାଓଁ ଚାରଵାଟିଆ ସେ " ଗୋସେଇଁ ଜେଜ ଜବାବ୍ ଦେଲେ l ସାହିବ୍ ପୁଣି କହିଲେ, " ୱେଲ୍ ଡନ୍ l ଅଚ୍ଛା
ଇସ୍ ଭିଲେଜ୍ କା ହେଡ଼ ମ୍ୟାନ୍ କୌନ୍? " ଗୋସେଇଁ ଜେଜେ ହାତ ଟେକି ଉତ୍ତର ଦେଲେ, " ହମ୍ ହୈ ସାହାବ୍ l " " ଠିକ୍ ହୈ l ଅଚ୍ଛା ଭିଲେଜ୍ କି ନାଜଦିକ୍ କ୍ୟା ଜଙ୍ଗଲ୍ ହୈ? " " ହାଁ ଜୀ ଖୁବ୍ ବଡ଼ା ଜଙ୍ଗଲ୍ ମହଜୁଦ୍ ହୈ l " " ଅଲ୍ ରାଇଟ l ଔର କ୍ୟା କମ୍ପ୍ଲେନ୍ ବୋଲୋ " ଜେଜେ କହିଲେ, " ହାଁ ୟେ ଟାଇଗର ହମରା ଗାଓଁ କୀ ଏକ ଆଦମୀ କୋ ସଂଜୀଦା ଘାୟଲ କିଆ ହୈ l ୱହ ଅଭି କଟକ୍ ଏସ ସି ବି ହସ୍ ପିଟାଲ୍ ମେ ଟ୍ରିଟମେଣ୍ଟ ହୋ ରହା ହୈ l " "ୱେଲ୍ ଡନ୍ ଫ୍ରେଣ୍ଡସ୍ " ତାପରେ ଜିଲ୍ଲାପାଳ ସାହିବ କ୍ୟାମେରା ମ୍ୟାନ୍ କୁ ଡକେଇ ବାଘର ଫୋଟୋ ଉଠେଇବା ପାଇଁ ହୁକୁମ୍ ଦେଲେ l ନିଜେ ବାଘ କଡ଼ରେ ଠିଆ ହେଇ ଫୋଟୋ ଉଠାଇଲେ l ସାହିବ କହୁଥାନ୍ତି, " ଓ ଶାଲା ବଦମାସ୍ ଔର ଶୈତାନ୍ ଶେର l ଅଚ୍ଛା ୱହ ହଣ୍ଟର କୌନ୍? " ଜେଜେ ଜିଲ୍ଲାପାଳଙ୍କ ମୁହଁରୁ କଥା ନସରୁଣୁ ଲକି ମିଆଁ କୁ ଆଗକୁ ଠେଲି ଦେଇ କହିଲେ, " ୱହି ହୈ ସାର l ଉସକା ନାମ୍ ଲକୁ ମହମଦ୍ ହୈ l " ତାପରେ ଲକୁକୁ ସାହିବ ପଚାରିଲେ, " କି ଲକୁ ଜୀ ତୁମ୍ହାରା ଗନ୍ କାହାଁ ହୈ l ଶୋ ମି ୟୌର ଗନ୍ l" " ଲକୁ ଜବାବ୍ ଦିୟା, "ନେହିଁ ସାର ହମରା ଗନ୍ ହୈ ନହିଁ l ସିରଫ ତଲ୍ୱାର ଔର ସ୍ପିଅର ହୈ l ହମ୍ ଅକେଲା ହି ସ୍ପିଅର ମେ ଗୁଲ୍ଦାର କୋ ହଲାକ୍ କିଆ ହୈ l ୱହ ହେଡ଼ମ୍ୟାନ୍ କା ଅନାଜ୍ କି କ୍ଷେତ୍ ମେଁ ଘୁଷ୍ ଗିଆ ଥା l ଔର ୟେ ଗାଓଁ ମେ ରାତକୋ ଘୁଷ୍ କର ଘରେଲୁ ଜାନ୍ଵୱରୋଁ ଔର ମୁର୍ଗା ବତକ୍ ୱଗେରା ଖା ଯାତା ଥା l କଭି କଭି ଉପର ସେ ଫୁସ୍ କି ଛତ୍ ପେ,ସୁରାଖ ବନାକର ଘରକି ଅନ୍ଦରସେ ଵାଲ୍ ବଚୋଁ କୋ ଉଠା ଲେତା ଥା l ଗାଓଁ ୱାଲୋଁ କୋ ନାକେଦମ୍ କରକେ ରଖାଥା l "
ସାଇବ୍ ଏକଥା ଶୁଣି ଖୁବ୍ ଖିସି ହେଇ ଲକୁ ପିଠିରେ ହାତ ବାଡ଼େଇ କହିଲେ, " ସାବସ୍ ଲକୁ ବ୍ରେଭୋ ୟୁ ଆର ଆକଚୁଆଲି ପ୍ରେଜ୍ ୱର୍ଦୀ l ୟେ ଲୋ ୟୌର୍ସ ରିୱାର୍ଡ ଲକୁ l" ସାହିବ ପାଞ୍ଚଟା ଲମ୍ବା ଚଉଡ଼ା ଶହେ ଟଙ୍କିଆ ନୋଟ ଲକୁ ହାତକୁ ବଢ଼ାଇ ଦେଲେ l ଆଉ ଆମ ଗୋସେଇଁ ଜେଜ, ଲକୁ ମିଆଁ ଓ ମଙ୍ଗରାଜପୁର ରଜାଗଡ଼ର କାର୍ପଦ୍ଦାର ଙ୍କୁ ତାଙ୍କ ରୁମ୍ ଭିତରକୁ ଡାକି ସାମ୍ନାରେ ବସେଇ କହିଲେ, " ପ୍ଲିଜ଼ ଦୋଣ୍ଟ ମାଇଣ୍ଡ ହେଡମ୍ୟାନ୍ ଜୀ ଆପକା ନାମ୍ ପୂଛନେକୋ ହମ୍ ଭୁଲ୍ ଗଏ l ଉଡ଼ ୟୁଟେଲ୍ ମି ପ୍ଲିଜ୍? " " ଅପର୍ତ୍ତୀ ଚରଣ " " OK"
ତାପରେ ହଡ଼ସନ ସାହିବ ଚା ଓ ଜଳଖିଆ ପାଇଁ ତାଙ୍କ ପିଅନ କୁ ଅର୍ଡର ଦେଲେ l ଟେବୁଲ ଡ୍ରୟର ଟାଣି ଭିତରୁ ତିନୋଟି ସାଧା କାଗଜ ବାହାର କଲେ ଓ ମନି ରିସିଟ ଲେଖିଲେ l ତାଙ୍କ କାସିଅର କୁ ପାଖ ସରକାରୀ ଟ୍ରେଜ଼ରୀରୁ ଟଙ୍କା ଆଣିବା ପାଇଁ ତାଙ୍କ ଆସିଷ୍ଟାଣ୍ଟଙ୍କୁ ପଠେଇଲେ l ଅଧଘଣ୍ଟା ପରେ ଟଙ୍କା ବାକ୍ସ ଆସିଲା l ଯେହେତୁ ଜଟି ନାଟିଆଙ୍କ ପୁଅ ନା ବାଳକ ତାଙ୍କ ସ୍ତ୍ରୀଙ୍କୁ କଲେକ୍ଟର ସାହବ୍ ନଗଦ ହଜାର ଟଙ୍କା କ୍ଷତି ପୂରଣ ପାଇଁ ଦେଲେ ଓ ରସିଦ୍ ରଖିଲେ l ଆମ ଜେଜେ ଦୁଇହଜାର ଟଙ୍କା ପୁରସ୍କାର ପାଇଲେ ଗାଁ ର ଏକ ଆଦର୍ଶ ମୁରବୀ ଭାବେ l ସେ ସେଇ ଅର୍ଥକୁ ଗାଁ ଲୋକଙ୍କ ମଙ୍ଗଳ ନିମିତ୍ତ ବିନିଯୋଗ କରିଥିଲେ l ଜଣେ ଜନ ମଙ୍ଗଳକାରୀ ଆଦର୍ଶ ଶିକାରୀ ଭାବେ ଲକୁ ମହମଦ ଙ୍କୁ ଏକ ହଜାର ପୁରସ୍କାର ମିଳିଲା l ଆଉ ବି ସେ ନିଜ ପାଖରେ ବନ୍ଧୁକ ରଖିବା ପାଇଁ ତତ୍କାଳୀନ ଜିଲାପାଳ ହଡ୍ସନ୍ ଙ୍କ ପାଖରୁ ଅନୁମତି ପତ୍ର ପାଇଥିଲେ l କିନ୍ତୁ ଜଟି ନାଟିଆ କଟକ ବଡ଼ ଡାକ୍ତରଖାନାରେ ପ୍ରାୟ ଛ ମାସ କାଳ ଚିକିତ୍ସାଧୀନ ରହି ଶେଷ ନିଶ୍ଵାସ ତ୍ୟାଗ କଲେ l ଏଇ ହେଲା ଉନବିଂଶ ଶତାବ୍ଦୀର ଡାଳିଯୋଡ଼ା ଚାରିବାଟିଆର କଲରା ପତ୍ରିଆ ବାଘ ଆତଙ୍କର ଲୋମ ହର୍ଷଣକାରୀ କାହାଣୀର ଉପସଂହାର ଯାହାକି ସତ୍ୟ କିମ୍ବଦନ୍ତୀ ଉପରେ ଆଧାରିତ l ଆଜି ଏକବିଂଶ ଶତାବ୍ଦୀର ଡାଳିଯୋଡ଼ା ଓ ଚାରିବାଟିଆ ଅଞ୍ଚଳର ସେହି ଦିବଂଗତ ଆଦର୍ଶ ମଣିଷମାନେ ଆଉ ନାହାନ୍ତି କି ସେହି ବନ୍ୟ ଜୀବଜନ୍ତୁ ଘଞ୍ଚ ବନାନୀ ଆଉ ନାହିଁ ; କେବଳ ବାୟାବ୍ୟ ଇଥର ଉକ୍ତ ପ୍ରାଚୀନ କିମ୍ବଦନ୍ତୀର ମୂକ ସାକ୍ଷୀ ରୂପେ ଜନମନସପଟ୍ଟରେ ସଞ୍ଚାରିତ କରି ଚାଲିଛି ପୁରୁଣା ସ୍ମୃତିର ସୁବର୍ଣ୍ଣ ଅନୁଭୂତି l