ଅଶାନ୍ତ ଝରଣା
ଅଶାନ୍ତ ଝରଣା


ଏୟାରପୋର୍ଟରେ ସେଦିନ ବେଶ୍ ଭିଡ ଥିଲାl ନିଶ୍ଚୟ ବିମାନ ଭିତରେ ଯାତ୍ରୀ ସଂଖ୍ୟା ଆଜି ବହୁତ ଥିବ l ଆଜି କାଲି ବି ଏମିତିରେ ସବୁଦିନ ବିମାନ ସବୁ ଭର୍ତ୍ତି ହୋଇ ରହୁଛିl ଏୟାର ହୋଷ୍ଟେସ୍ ଲିସାର ଆଜି କାମ କରିବାକୁ ଟିକେ ବି ଇଛା ନାହିଁl କିନ୍ତୁ କରିବାକୁ ତ ପଡିବ l ମନ ଭିତରେ ବହୁତ ହଲଚଲ ଚାଲିଛି l ବିକ୍ରମ କୋଭିଡ଼ ସଂକ୍ରମିତ ଯୋଗୁ ହସ୍ପିଟାଲରେ ଅଛି l
ଏ କୋଭିଡ଼୍ ଟା କୋଉଠି ଥିଲା କେଜାଣି ଆସି କେତେ ଲୋକଙ୍କୁ କେତେ ହଇରାଣ କରିକି ଗଲାଣି l କେବେ ଯିବ ତାର ବି କିଛି ଠିକ୍ ଠିକଣା ନାହିଁl ବିମାନ ଯାତ୍ରା କିଛି ଦିନ ପାଇଁ ବନ୍ଦ ତ କରା ଯାଇଥିଲା l ଏବେ ଚାଲୁ କରା ଯାଇଛି l ଅନିଛା ସତ୍ଵେ ସେ କାମକୁ ଆସିବାକୁ ବାଧ୍ୟ l ତାଙ୍କ ପରିବାରର ସେ ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତିl ପରିବାର ପୋଷଣର ସେ ଏକ ମାତ୍ର ମାଧ୍ୟମ l
ଦିଲ୍ଲୀରୁ ଲଣ୍ଡନ ଯିବ ଆଜି, ପୁଣି କାଲି ରାତି ଫ୍ଲାଇଟରେ ଫେରିବ ଦିଲ୍ଲୀକୁl ଯିବାକୁ ପ୍ରାୟ ଆଠ ନଅ ଘଣ୍ଟାରୁ କମ୍ ଲାଗିବନିl ଇଛା ନାହିଁ ଆଜି ଏତେ ବାଟ ଯାତ୍ରା କରିବାକୁl ମନ ଟା ଅନ୍ୟ ଏକ କାରଣରୁ ବି ଟିକେ ଖରାପ ଅଛି l ବିକ୍ରମ ହସ୍ପିଟାଲରେ ଅଛି ଜାଣି ସୁଦ୍ଧା ସେ ତାକୁ ଦେଖା କରିବାକୁ ଯାଇନି କି ଫୋନ୍ କରିନି କି କିଛି ମେସେଜ ପଠେଇନିl ସାମାନ୍ୟ ଏକ ଘଟଣାକୁ ନେଇ ଦୁହିଁଙ୍କ ଭିତରେ ଟିକେ ମନୋମାଳିନ୍ୟ ଘଟି ଯାଇଥିଲା ମାସକ ପୂର୍ବରୁl
ତା ପରଠୁ ସେ ବିକ୍ରମକୁ କଲ୍ କରିନି କି ତା କଲ୍ ଆସିଲେ ସେ ଫୋନ୍ ଉଠାଏନିl ସେତେବେଳର ସମୟ ଅଲଗା ଥିଲା l କିନ୍ତୁ ଏବେ ପରିସ୍ଥିତି ଅଲଗାl ଏବେ ତା ଦେହ ଖରାପl ସବୁଦିନ ଖବର ଶୁଣୁଛି କେତେ ଲୋକ ପ୍ରାଣ ତ୍ୟାଗ କରୁଛନ୍ତି ଏ କୋଭିଡ଼୍ ଯୋଗୁl ଏତେ ଦିନର ବନ୍ଧୁତ୍ଵ, ଅତିକମରେ ମାନବିକତା ଦୃଷ୍ଟିରୁ ତାର ଯାଇ ଥରେ ଦେଖା କରି ଆସିବା ବା ମେସେଜ ପଠେଇବା ଉଚିତ ଥିଲା l ଏଇ କଥାର ସେ ସମାଧାନ କରି ପାରୁନି l ହସ୍ପିଟାଲ ତାର ଯିବା ଉଚିତ ଥିଲା ନା ନଯିବାଟାl ମନ ଭିତରେ ଅନେକ ଭାବାନ୍ତରl
ସାମାନ୍ୟ କଥାରେ କାହା ସହିତ ସମ୍ପର୍କ ଟା ଏମିତି କାଟି ଦେବା ଟା ଭଲ କଥାନୁହେଁl ହୁଏତ ବିବାହ କରି ନପାରେ ତା ବୋଲି ଅବିବେକିତା କରିବା ଠିକ୍ ହେବ ନହିଁ l ଏଇ ମାନସିକ ଦ୍ଵନ୍ଦରେ ତାର ଦୁଇଦିନ ବିତି ଯାଇଛି l ତେଣୁ ଆଜି କାମରେ ମନ ଲାଗିବାନି ସେ ଜାଣେ l
ତଥାପି ଗତାନୁଗତିକ ଭାବେ ଅଭ୍ୟାସ ବଶତ ସେ କାମ କରିଚାଲେl ସବୁ ଯାତ୍ରୀ ପ୍ଲେନ୍ ରେ ବସିଗଲା ପରେ l ପ୍ଳେନ ଧୀରେ ଧୀରେ ରନ୍ ୱେ ରେ ଗଡିବାକୁ ଆରମ୍ଭ କରିଦେଲାl ଯାତ୍ରୀ ମାନଙ୍କୁ କିଛି ଜରୁରୀ ସୂଚନା ଦେଇ ସାରିଲା ପରେ ସେ ଫ୍ଲାଇଟ୍ ର ଏ ମୁଣ୍ଡରୁ ସେମୁଣ୍ଡ ଯାଏ ବୁଲି ଦେଖିନେଲା ସବୁ ଠିକ୍ ଠାକ୍ ଅଛି ନା ନାହିଁl
ହଠାତ୍ ପଛରୁ ତା ନାମ କିଏ ଧରି ଡାକୁଥିବାର ଦେଖି ସେ ସେଇଠି ଅଟକି ଗଲାl ଆରେ ଦିଲୀପ ତମେ କୁଆଡେ!
- ତମେ ଯୁଆଡେ l
ଦିଲୀପ ସହିତ ତାର କଲେଜ ସମୟରୁ ଚିହ୍ନା ଜଣାl ବହୁତ ଖୁସି ମିଞ୍ଜାସ ବହୁତ ହସେ ଓ ହସାଏ ମଜା ମଜା କଥା କହିl
-ମୋର ତ ଏଇଟା ଅଫିସ୍ l ମୁଁ ଏଇଠି କାମ କରେl
-ତା ତ ମୁଁ ଦେଖି ସାରିଲିଣି ତୁମ ବେଶ ପୋଷାକ କାମ ତପ୍ତରତା ରୁl ଆଉ ମୁଁ ଏକ ବିଜିନେସ୍ ମିଟିଂ ଯୋଗୁ ଲଣ୍ଡନ ଯାଉଛି ତମ ଫ୍ଲାଇଟରେ ବସିl
ଯାଉଣୁ ଆସୁଣୁ ଦିଲୀପ ସଙ୍ଗେ କଥା ଜାରି ରଖେ ଲିସାl କେତେବେଳେ ନ ଘଣ୍ଟା ବିତିଗଲା ଜଣା ପଡ଼ିଲାନି l କାଲି ଥିଲା ରବିବାର l ସୋମବାରରୁ ମିଟିଂରେ ଯୋଗଦେବ ଦିଲୀ ପ l ଏବଂ ଏୟାରପୋର୍ଟ ହୋଟେଲରେ ଆଜି ରହିବ ଲିସା କାଲି ରାତି ଫ୍ଲାଇଟରେ ପୁଣି ଫେରିବ ଦିଲ୍ଲୀକୁ l ଦୁଇଜଣଙ୍କ ହାତରେ ଆଠ ଘଣ୍ଟା ଫ୍ରି ସମୟ ଥିଲା ରବିବାର ଦିନ ଏକାଠି ବିତେଇବାକୁ l ଦିଲୀପର ଅନୁରୋଧ ରକ୍ଷା କରି ଲିସା ତା ହୋଟେଲ୍ କୁ ଗଲାl ତାପରେ ଏକାଠି ବ୍ରେକଫାସ୍ଟ ତାପରେ ଲଞ୍ଚ, ଟିକେ ବୁଲାବୁଲି ପରେ ଦୁଇଜଣଙ୍କର ଫୋନ ନମ୍ବର ଏକ୍ସଚେଞ୍ଜ କରି ଯେଝା ବାଟରେ ଯେଝା ଚାଲିଗଲେ l
ଆସନ୍ତା ରବିବାର ଦିଲୀପ ଫେରିବ କିନ୍ତୁ ଲିସାର ସେଦିନ ଛୁଟିl ଦିଲୀପ ସଙ୍ଗେ ଏକାଠି ପୁଣି ଆଠ କି ନ ଘଣ୍ଟା ଫ୍ଲାଇଟରେ ଯାତ୍ରା କରିବାକୁ ଇଛା ହେଲା ଲିସାରl ସେ ତାର ଜଣେ ସହକର୍ମୀ ସହିତ ଦିନ ଅଦଳ ବଦଳ କରି ଆସନ୍ତା ରବିବାର କାମ କରିବାକୁ ଠିକ୍ କଲାl ଘରକୁ ଫେରି ବିକ୍ରମ ପାଖକୁ ଏକ ଫୁଲତୋଡା ଓ ଗ୍ରିଟିଂସ କାର୍ଡ ଶୀଘ୍ର ଭଲ ହୋଇ ଯିବାର ଶୁଭ ବାର୍ତ୍ତା ଲେଖି ପଠେଇଦେଲା l
ମନ ଟା ହାଲକା ଲାଗିଲା ସତ କିନ୍ତୁ ସେ ଆସନ୍ତା ରବିବାରର ବାଟ ଚାହିଁ ଥାଏl ଦିଲୀପ ସଙ୍ଗେ ପୁଣି ଆଠ ନଅ ଘଣ୍ଟର ଯାତ୍ରାl ଗତ ରବିବାର ଦିନର ପ୍ରତ୍ୟେକଟି ମୁହୂର୍ତ ସେ ଆପ୍ରାଣ ଉପଭୋଗ କରିଛି l ଲିସା କାମକୁ ସେଦିନ ଦୁଇ ଘଣ୍ଟା ଆଗରୁ ବାହାରି ଗଲାl କିନ୍ତୁ ତା ପର ଦିନ ଲଣ୍ଡନରେ ପହଂଚି ଦିଲୀପକୁ ଫୋନ କରିଥିଲା ଉତ୍ତର ମିଳିନଥିଲାl ଦିନ ସାରା ଚାରି ପାଞ୍ଚ ଥର ଚେଷ୍ଟା କରି ବିଫଳ ହେଲା l ହୁଏତ କୌଣସି ଜରୁରୀ କାମରେ ବ୍ୟସ୍ତ ଥିବl
ଯାହା ବି ହେଉ ଫ୍ଲାଇଟରେ ତ ନିଶ୍ଚୟ ଦେଖା ହେବl ନା ସେ ଆସିନଥିଲା l ସେ କଣ ତାକୁ ତେବେ ମିଛ କହିଥିଲା? ନା ଆଉ କିଛି l ମନରେ ଆଶଙ୍କା ଆସିଲେ ବି ସେ ବର୍ତ୍ତମାନ କିଛି କରି ପାରିବନି l ମନ ଟା ପୁଣି ଦୁଃଖ ହୋଇଗଲା l ଘରେ ପହଞ୍ଚି ଦିଲୀପର ଟେକ୍ସଟ୍ ମେସେଜ୍ ଦେଖି ଆଶ୍ଚର୍ଯ ହୋଇଗଲା l ସେ ଟିକେଟ ଚେଞ୍ଜ କରି ଦୁଇ ଦିନ ଆଗରୁ ଘରକୁ ଫେରି ଆସିଛି l ତା ସ୍ତ୍ରୀକୁ କୋଭିଡ଼୍ ଏବଂ ସେ ହସ୍ପିଟାଲରେl
ଓ ଦିଲୀପ ତେବେ ବିବାହିତ ଆଗରୁ ବି ତ ସେ କହି ପାରିଥାନ୍ତାl ଗଲା ସପ୍ତାହରେ ଏପରି ତା ସଙ୍ଗେ ମିଶୁଥିଲା କଥା ହେଉଥିଲା କେବଳ ସମୟ ଅତିବାହିତ କରିବା ପାଇଁ ତେବେl ତା ହାବଭାବରୁ ଲାଗୁଥିଲା ସେ ଅବିବାହିତ ଓ ଲିସା ସହିତ ବନ୍ଧୁତ୍ଵ କରିବା ପାଇଁ ଆଗ୍ରହୀl ସେ କେବେ ବି ବୁଝି ପାରିବନି ଏ ପୁରୁଷ ମାନଙ୍କୁl
କବାଟରେ ହଠାତ କରାଘାତ ଶୁଣି ଲିସା କବାଟ ଖୋଲି ବିକ୍ରମକୁ ଦେଖି ଆଶ୍ଚର୍ଯ ହୋଇଗଲା l ଫୁଲ ତୋଡା କିଛି ଡିନର ପ୍ୟାକ ଧରି କି ଆସିଛିl
-ଜାଣେ ତୁମେ କାମରୁ ଫେରି ଥକି ଯାଇଥିବ ତେଣୁ କିଛି ଡିନର ନେଇ ଆସିଲିl
ଘର ଭିତରକୁ ଆସୁ ଆସୁ କଥା ଆରମ୍ଭ କରିଦେଲା ବିକ୍ରମl କାଲି ଆସି ଫେରି ଯାଇଥିଲିl ତୁମ ଦରୱାନ କହିଲା ତୁମେ କାମକୁ ଯାଇଛ ବୋଲି କିନ୍ତୁ ତୁମେ ତ ମାସର ତୃତୀୟ ଶନିବାର ରବିବାରରେ କାମ କରନା ! ତେବେ ହଠାତ୍ କଣ ଏପରି କାମ ପଡିଗଲା!
-ସେ ବହୁତ ଲମ୍ବ| କାହାଣୀ ଫୁରସତରେ ଆଉ କେବେ କହିବିl ଆଜି ଦିନ ଯାକ ଭଲ କରି ଖାଇନି l ଭଲ ହେଲା ଡିନର ନେଇ ଆସିଛ l ବସି ଆରମରେ ଖାଇବା ଚାଲ ଆଗl ଲିସା ଭଲଭାବରେ ଜାଣେ ତାର ଏ ମୁର୍ଖାମୀ କଥା ସେ କେବେବି ବିକ୍ରମକୁ କହି ପାରିବନିl ନା ଆଜି, ନା କାଲି, ନା ଭବିଷ୍ୟତରେ କେବେ! ହୀରା ଆଉ କାଚ ଭିତରେ ଥିବା ପ୍ରଭେଦକୁ ସେ ସମୟ ପୂର୍ବରୁ ଜାଣି ପାରି ଥିବାରୁ ଭଗବାନଙ୍କୁ କେବଳ ଅଶେଷ ଧନ୍ୟବାଦ ଦେଉଥିଲା ମନେ ମନେl