Shanti Mishra

Tragedy Others

3  

Shanti Mishra

Tragedy Others

ଚଇତି ରାତିର ଚନ୍ଦ୍ରାଲୋକ

ଚଇତି ରାତିର ଚନ୍ଦ୍ରାଲୋକ

4 mins
412



ଗୀତର ତାଳେ ତାଳେ ‘ଚାନ୍ଦିନୀ’ଯେବେ ଆତ୍ମ ବିଭୋର ହୋଇ ନାଚେ l ଭୁଲି ଯାଏ ସେ ଭୋକ ଶୋଷ l କିଏ ଦେଖୁଛି, କିଏ ହସୁଛି, କିଏ କଣ କହୁଛି ତାକୁ କିଛି ଦିଶେନି କି ଶୁଭେନି l ଛବି ମା’ ଗୋଟାଏ ଗାମୁଛା ତା ନାଚିବା ଜାଗା ପାଖରେ ପକେଇ ଦେଇଥାଏ l ମନ୍ଦିର ଭିତରକୁ ଯିବା ଆସିବା କରୁଥିବା ଲୋକମାନେ ସେଥିରେ ଟଙ୍କା ପକେଇ ଦେଇ ଯାଆନ୍ତି l ସେମାନଙ୍କର ସେଦିନ ବହୁତ ରୋଜଗାର ହୁଏ l ଛବି ମା ବେଶୀ ଟଙ୍କା ନିଏ ତାକୁ ଅଳ୍ପ ଦିଏ l ସେଦିନ ଚାନ୍ଦିନୀ ସିନା ବୁଝୁ ନଥିଲା କିଛି, ଆଜି କିନ୍ତୁ ସବୁ ବୁଝୁଛି l ଅବଶ୍ୟ ସେଦିନ ଗୁଡିକ ସେ କେବେ ମନେ ପକେଇବାକୁ ଚାହେଁନା l

ଆଗେ ମା ଆସୁଥିଲା ଏ ମନ୍ଦିରକୁ ଭିଖ ମାଗିବାକୁ ତାର ଗୋଟାଏ ଗୋଡ ଓ ଗୋଟାଏ ହାତ ଅଧା ଅଚଳ ହୋଇଗଲା ପରେ l ଘୁଷୁରି ଘୁଷୁରି ବହୁତ କଷ୍ଟରେ ଆସୁଥିଲା l ପଡୋଶୀ ଛବି ମା ସାଙ୍ଗରେ l ନଚେତ ସେ ଆଗରୁ ଅନ୍ୟ ଘରେ ବାସନ ମଜା ଘର କାମ କରି ପେଟ ପୋଷୁଥିଲା ବାପା ଚାଲିଗଲା ପରେ l କିନ୍ତୁ ତା ଦେହ ଏବେ ଭୀଷଣ ଖରାପ ଶେଯରୁ ଉଠି ପାରୁନି l ତେଣୁ ବାଧ୍ୟ ହୋଇ ଛବି ମା ସାଥିରେ ଚାନ୍ଦିନୀକୁ ପଠୋଉଛି ଅନିଚ୍ଛା ସତ୍ଵେ l ନଚେତ ଖାଇବେ କଣ !

ମା ଆଗେ ତାକୁ ଘରେ ଏକା ଛାଡିଦେଇ ଆସେ l ସେ ସେଇ ନର୍ଦ୍ଦମା ଘେରା ବସ୍ତିର ପିଲା ମାନଙ୍କ ସହିତ ଛିଣ୍ଡା କୋତରା ମଇଳା ଲୁଗା ଖଣ୍ଡେ ପିନ୍ଧି ସେଇ ପିଲା ମାନଙ୍କ ସହିତ ଦିନ ଯାକ ଖେଳୁଥାଏ l କୋଉଠୁ କୋଳି, ପିଜୁଳି, ଆମ୍ଵକଷି ଯୋଉଠୁ ଯାହା ପାଏ ସେ ଛୁଆ ମାନଙ୍କ ସହିତ ମିଶି ଖାଏ l ଦାଣ୍ଡ ମ୍ୟୁନିସପାଲଟି କଳରୁ ପାଣି ପିଇ ଦିନ ସାରା ଖେଳି ମା ର ଆସିବା ବାଟକୁ ଚାହିଁ ରହିଥାଏ l ମା ଆସିଲା ପରେ ଭାତ ଗଣ୍ଡାଏ ଖାଇବାକୁ ମିଳେ l ଭାତ ସାଙ୍ଗରେ କେବେ ଆଳୁ ପୋଡା ତ କେବେ ବାଇଗଣ ଜହ୍ନି ତ ଶାଗ ଭଜା ମିଳେ ଖାଇବାକୁ l ଅମ୍ବୃତ ପରି ଲାଗେ ସେ ଖାଦ୍ୟ ସେ ପାଟିକୁ l ସକାଳୁ ଯାହା ବଳିଥାଏ ରାତିର ଖାଦ୍ୟ ପଖାଳ କରି ଖାଇ ମା ଯାଏ ଭିକ ମାଗିବାକୁ ସେ ଯାଏ ଖେଳିବାକୁ l

ସେ ଭାବିଥିଲା ଏଇ ବୋଧେ ଜୀବନ l ଏଇ ଭଙ୍ଗା ରୁଜା ଘର, ଅଧା ପେଟ ଖାଦ୍ୟ, ଅର୍ଦ୍ଧ ନଗ୍ନ ଛୁଆଙ୍କ ସାଙ୍ଗ l କିନ୍ତୁ ଏ ମନ୍ଦିରକୁ ଆସିଲା ଦିନୁ ତାର ସବୁ ଚିନ୍ତାଧାରା ଓଲଟ ପାଲଟ ହୋଇ ଯାଇଛି l ଯୋଉ ଲୋକ ମାନେ ଆସୁଛନ୍ତି ମନ୍ଦିରକୁ ସେମାନଙ୍କ ବେଶ ପୋଷାକ ଦେଖି ଭାବି ପାରୁନି ଏତେ ସଫା ସୁତୁରା ଲୁଗା ପଟା ଅଛି ଲୋକଙ୍କ ପାଖରେ l ଆଉ ତ ଆଉ ଲୋକ ମାନେ ଗାଡ଼ି ମଟରରେ ରିକ୍ସାରେ ବି ବସିକି ଆସୁଛନ୍ତି ମନ୍ଦିରକୁ l ଯୋଉମାନେ ଗାଡ଼ିରୁ ବାହାରୁଛନ୍ତି ସେମାନଙ୍କ ଶାଢୀ ପୋଷାକ ଦେଖି ତା ଆଖି ଦ୍ଵନ୍ଦରେ ପଡି ଯାଉଛି ଏହା ସତ ନା ସପନ l

ପୂଜା ପର୍ବରେ ଲୋକ ମାନେ ତା ପରି ଅନ୍ୟ ଭିଖାରି ମାନଙ୍କୁ ମିଠା ଭୋଜି ବି ଖାଇବାକୁ ଦିଅନ୍ତି l ଏତେ ସ୍ଵାଦ ସେତ କେବେ ବି ଚାଖି ନଥିଲା ତା ଜୀବନରେ l ମନ୍ଦିର ଟି ସହର ମଝିରେ l ସହରର ଚାକଚକ୍ୟ ଆଡମ୍ବର ଦେଖି ତା ବସ୍ତିକୁ ଫେରି ଯିବାକୁ ତାର ଇଚ୍ଛା ହୁଏ ନାହିଁ କି ସେ ମଇଳା ମଳିଛନିଆ ଛୁଆ ମାନଙ୍କ ସହ ଖେଳିବାକୁ ଇଚ୍ଛା ହୁଏ ନାହିଁ l ସେ ସବୁଦିନେ ସେ ମନ୍ଦିର ଆଗରେ ନାଚ କରିବା ଜାରି ରଖେ lକାରଣ ତା ନାଚ ଦେଖି ଲୋକ ମାନେ ତାକୁ ବେଶୀ ପଇସା ଦିଅନ୍ତି ଆଉ ତ ଆଉ ଦିନେ ତାକୁ ଜଣେ ନୂଆ ପୋଷାକ ଟାଏ କିଏ ଆଣି ଦେଇ ଗଲା l ସେଦିନ ତା ଖୁସି କହିଲେ ନସରେ l

ମନ୍ଦିର ପାଖ ଦୋକାନ ବଜାରରୁ ଭାଷି ଆସୁଥିବା ଗୀତ ସବୁ ଶୁଣିଲା ମାତ୍ରେ ତା ଗୋଡ ସ୍ଥିର ହୋଇ ରହି ପାରେନା l ସାମ୍ନାରେ ଥିବା ପାନ ଦୋକାନ ଆଗରେ ଲାଗିଥିବା ଟିଭିରେ ନାଚ ଆସିଲେ ସେ ଘଣ୍ଟା ଘଣ୍ଟା ସେମାନଙ୍କୁ ଦେଖି ଆସି ନାଚ କରେ l ସେ ଗୀତ ନାଚ ଦେଖିଲେ ତା ମନ ନାଚି ଉଠେ l ସେ ଭୁଲି ଯାଏ ନିଜର ଅସ୍ଥିତ୍ଵ ନିଜର ଦରିଦ୍ରତା ଘେରା ପରିବେଷ l

ତା ପର ଦିନଠୁ ସେ ସେଇ ନୂଆ ଫ୍ରକ ଟିକୁ ସବୁଦିନ ପିନ୍ଧିକରି ଆସିଲା ହଳେ ଘୁଙ୍ଗୁର ବି କିଣି ଆଣି ମନ ଇଚ୍ଛା ନାଚ କରି ପଇସା ଜମା କଲା l ସେ ଏଇ ବାବୁ ବାବୁଆଣୀଙ୍କ ପରି ବଞ୍ଚିବାକୁ ଚାହେଁ ସେ ଦୁସ୍ଥଗଳି ଠାରୁ ବହୁ ଦୂରକୁ ଯାଇ ରହିବାକୁ ଚାହେଁ l ମା କୁ ସେ ଗଳି ସେ ବସ୍ତି କିପରି ଭଲ ଲାଗୁଛି କେଜାଣି l ସେ ମା କୁ ବି ସେଠୁ ନେଇ ଆସିବ l ମନରେ ଧୀରେ ଧୀରେ ସ୍ଵପ୍ନ ସବୁ ଜମାଣ୍ଟ ବାନ୍ଧିବାକୁ ଲାଗିଲେ l

ଦିନେ ଜଣେ ବାବୁ ଆସି ତା ଫଟ ଉଠେଇ ଟିଭିରେ ଦେଖେଇଲେ | ମନ୍ଦିର ସାମନା ଚା ଦୋକାନ ବାଲା ତା ନାଚ ଟିଭି ରେ ଦେଖି ତାକୁ ଡାକି ଦେଖେଇଲା l ସେ ଏତେ ସୁନ୍ଦର ଦିଶୁଚି ଏ ଛବିରେ ବିଶ୍ଵାସ କରି ପାରିଲାନି ଆଖିକୁ l ତା ପରେ ରାତା ରାତି ତାର ଭାଗ୍ୟ ବଦଳି ଯାଇଥିଲା l ଚାନ୍ଦିନୀକୁ ଆଉ ଦିନେ ଆଉ ଜଣେ ବାବୁ ଆସି ତାଙ୍କ ସିନେମାରେ ନାଚ କରିବାକୁ କହିଲେ l ଛବି ମା ସଫା ମନା କରିଦେଲା l ଚାନ୍ଦିନୀ ଏବେ ତାର ରୋଜଗାରର ଏକ ଭଲ ମାଧ୍ୟମ l ସେ କେମିତି ଛାଡିଦେବ ଏତେ ସହଜରେ l ମା କିନ୍ତୁ ରାଜି ହୋଇଗଲା l ଛବି ମା’ ମା’ କୁ ବୁଝେଇଥିଲା ଏ ବଡ ଲୋକ ମାନଙ୍କୁ ଟିକେ ବି ବିଶ୍ଵାସ ନାହିଁ, କହିବେ ପ୍ରକାରେ କରିବେ ପ୍ରକାରେ l ବେଇଜ୍ଜତି କେବଳ ସାର ହେବ l

ମା ହସିଥିଲା ଆଉ କହିଥିଲା ‘ଆମର ଗୋଟାଏ ଇଜ୍ଜତ କଣ’ l ଏମିତିରେ ସବୁଦିନ ତ ଆମ ଇଜ୍ଜତ ଦି ପଇସାରେ ନିଲାମ ହେଉଛି l ସେମିତିରେ ଯଦି ଖାଇବାକୁ ପିନ୍ଧିବାକୁ ଭଲରେ ରହି ଇଜ୍ଜତ ଯିବ ଯାଉ l ସେଦିନଠୁ ସେ ସିନେମାରେ କ୍ଲବ ଡ୍ୟାନସର ଭାବେ ପ୍ରସିଦ୍ଧ ହୋଇଗଲା l କାନ୍ଥ ବାଡରେ ଲଗା ଯାଇଥିବା ପୋଷ୍ଟରରେ ତା ଫଟ ଦେଖି ସେ ଖୁସି ହୁଏ l

ଖାଇବା ପିନ୍ଧିବା ପ୍ରଚୁର l ସେ ନାଳ ନର୍ଦ୍ଦମା ଘେରା ନୂଆଁଣିଆ ଚାଳ ଘର ଛାଡି କୋଠା ଘରେ ରହିବାର ମଜ୍ଜା କିଛି ଅଲଗା l ପିଲା ବେଳେ ଯାହା ସ୍ଵପ୍ନ ଦେଖିଥିଲା ସବୁ ସତ ହେଲା ଯେ କିନ୍ତୁ ମା ଟା ବେଶୀ ଦିନ ରହିଲାନି l ପାଞ୍ଚ ବର୍ଷ ପରେ ତାକୁ ଏକାକୀ ଛାଡି ଚାଲିଗଲା l ଏବେ ସେ ଯୋଉ ଝିଲ୍ମିମିଲ ଦୁନିଆରେ ବଞ୍ଚିଚି ତାକୁ ବହୁତ ଆନନ୍ଦ ଦଉଛି ସତ କିନ୍ତୁ ବେଳେ ବେଳେ ମା ର ସେଇ ଦୟନିୟ ଚେହେରାର କରୁଣ ଚାହାଣିରେ ୟାକୁ ତାକୁ ହାତ ପତେଇବା ଦି ମୁଠା ପାଇଁ, ଯେତେବେଳେ ସେ ଚେହେରା ଆଖି ଆଗରେ ଭାସି ଆସେ ତା ଛାତି ଏବେବି ବିଦୀର୍ଣ୍ଣ ହୋଇଯାଏ l

ମା’ ର ଶେଷ କଥା ତାର ମନେ ଅଛି l ଦୁନିଆଁ ଲୋକଙ୍କ କଥାରେ ମୋଟେ ଧ୍ୟାନ ଦବୁନି l ତୋ ଭାଗର ଖୁସି ଯେମିତି ସେମେତି ହେଉ ଛଡେଇ କରି ହେଉ ବା ସଂଘର୍ଷ କରି ହେଉ ଏ ଦୁନିଆଁ ରୁ ନେଇ ସୁଖରେ ବଂଚିବୁ l ନିଜର ଖୁସି ନିଜର ସୁଖକୁ ପ୍ରଥମେ ପ୍ରାଧାନ୍ୟ ଦେବୁ l ନିଜେ ସୁଖରେ ରହିଲେ ଯାଇ ଅନ୍ୟ ମାନଙ୍କୁ ସୁଖ ବାଣ୍ଟି ପାରିବୁ l ଦୁଃଖୀ କେବଳ ଦୁଃଖ ବାଣ୍ଟିପାରେ ସୁଖ ନୁହେ।


Rate this content
Log in

Similar oriya story from Tragedy