Shanti Mishra

Inspirational Others

3.6  

Shanti Mishra

Inspirational Others

ମାତୃ ଦିବସର ଶୁଭେଚ୍ଛା ମା

ମାତୃ ଦିବସର ଶୁଭେଚ୍ଛା ମା

7 mins
207



ଗାଡ଼ି ପାର୍କ କରି ଦେଇ ଯେତେବେଳେ ହର୍ଣ୍ଣ ବଜେଇଦେଲା ମା’ ଘର ଭିତରୁ ଦଉଡି ଆସିଲେ ସତ କିନ୍ତୁ ଆଶ୍ଚର୍ଯ୍ୟରେ ତାକୁ ଚାହିଁ ରହିଲେ, ସେ ତାଙ୍କ ଖୁସି ବ୍ୟକ୍ତ କରି କିଛି କହିବା ପୂର୍ବରୁ ଶର୍ମିଷ୍ଠାର ଗାଡ଼ି ଚାରିକଡ ସାରା ବସ୍ତିର ଲୋକ ରୁଣ୍ଡ ହୋଇ ସାରିଲେଣି ଛୁଆ ଠୁ ବୁଢୀ ଯାଏ l ‘ଶମି ଦିଦି’ କହି ଛୁଆ ମାନେ ତାକୁ ଗାଡ଼ି ଖୋଲି ବାହାରିବାକୁ ବି ସୁଯୋଗ ଦେଲେନି l

ଆରେ ଘୁଞ୍ଚ ସବୁ ମୁଁ ଗାଡ଼ିରୁ ବାହାରିବି କେମିତି l ସମସ୍ତେ ଘୁଞ୍ଚି ଗଲା ପରେ ସେ ଗାଡ଼ିରୁ ଓଲ୍ହେଇ ଯାଇ ମା’ଙ୍କୁ ମୁଣ୍ଡିଆ ମାରି ମାତୃ ଦିବସର ଶୁଭେଚ୍ଛା ଜଣାଇ ସାରିଲା ପୂର୍ବରୁ ହିଁ ମା’ଙ୍କ ଆଖିରୁ ଅଜସ୍ର ଲୁହର ଧାରା ବହି ଚାଲିଛି l “ଛାଡ ମା’ ଆଜି କାନ୍ଦିବାର ଦିନ ନୁହେଁ ହସିବାର ଦିନ ତୁମର ସବୁ ସ୍ଵପ୍ନ ସବୁ ସାଧନାର ଫଳ ଆଜି ପୂର୍ଣ୍ଣ ହୋଇଛି l ଶୀଘ୍ର ବାହାର ମୁଁ ତୁମକୁ ମୋ ଗାଡିରେ ନେଇ ଏ ବସ୍ତି ସାରା ଟିକେ ବୁଲେଇ ଆଣେ l” ତାପରେ ଘର ଆଗରେ ଠିଆ ହୋଇଥିବା ଲୋକ ମାନଙ୍କୁ ଆଣିଥିବା ଚୋକୋଲେଟ, ବିଷ୍କିଟ୍ ଦେଇ ସାରିଲା ପରେ କହିଥିଲା “ମୁଁ ସମସ୍ତଙ୍କୁ ଗାଡିରେ ନେଇ ବୁଲେଇ ଆଣିବି ଆଗେ ମା’ଙ୍କୁ ନେଇ ସାରେ” l

ସବୁ ଛୁଆ ମାନେ ଖୁସିରେ ତାଳି ମାରି ଚିତ୍କାର କରି ଉଠିଲେ l କ୍ଳାନ୍ତ ହୋଇ ଯାଇଥିଲେ ବି ଦେଇଥିବା କଥା ରକ୍ଷା କରି ପରେ ପରେ ସେ ବସ୍ତିର ସବୁ ଛୁଆ ଓ ସ୍ତ୍ରୀ ଲୋକ ମାନଙ୍କୁ ଥର ଥର କରି ତା ଗାଡିରେ ବସେଇ ବୁଲେଇ ଆଣିଲା l ସେମାନଙ୍କ ଖୁସି କହିଲେ ନସରେ l ପୂର୍ବ ପରି କିଏ କଦଳୀ ଆମ୍ବ ପଣସ ଆଣି ଘରେ ଗଦା କରିଦେଇ ଗଲେ l ସେ ଦାଣ୍ଡ ପିଣ୍ଡାରେ ବସି ମା ଦେଇଥିବା ଖାଦ୍ୟ ସହିତ ଏମାନଙ୍କ ଖାଦ୍ୟ ଖାଇ ସମସ୍ତଙ୍କ ସହିତ ଗପସପରେ ଲାଗିଗଲା l ମା’ ଚାଲିଗଲେ ରାତ୍ର ଭୋଜନର ବ୍ୟବସ୍ଥା କରିବାକୁ l

ମନେ ପଡୁ ଥିଲା ଆଜି ଅନେକ କିଛି l ତାକୁ ସେତେବେଳେ ସାତ ବର୍ଷ ବୟସ ସେ ଯେତେବେଳେ ମା’ଙ୍କ ସାଙ୍ଗରେ ଆସି ଏ ବସ୍ତିରେ ରହିବାକୁ ଲାଗିଲା l ପ୍ରଥମେ ପ୍ରଥମେ ଏ ପିଲା ମାନଙ୍କ ସହିତ ମିଶିବାକୁ ତାକୁ ଏତେ ଭଲ ଲାଗୁ ନଥିଲା ତା ପରେ ସେ କେବେ ସେମାନଙ୍କ ସହିତ ମିଶି ଯାଇଥିଲା ତାର ମନେ ବି ପଡୁନି l

ପିଲାବେଳେ ମା’ ଏବଂ ବାପାଙ୍କର ସଦାବେଳେ ଝଗଡା ସେ ଦେଖି ଆସିଛି କିନ୍ତୁ କାହିଁକି ସେ ଝଗଡା ଲାଗନ୍ତି ତାକୁ ଜଣା ନଥିଲା l ବେଳେ ବେଳେ ମା’ଙ୍କୁ ବାପା ବାଡ଼େଇଥିବାର ବି ସେ ଦେଖିଛି l ମା’ ଦିନ ସାରା ଖଟରେ ପଡି ପଡି କାନ୍ଦି ଥିବାର ବି ସେ ଦେଖିଛି କିନ୍ତୁ କେବେ ସାହାସ ପାଏନା କିଛି ପଚାରି ବାକୁ l

ଦିନେ ମା’ଙ୍କୁ ରାଗରେ ବାପା ଘରୁ ବାହାର କରି ଦେଇଥିଲେ କହିଥିଲେ ତୁମ ନିଜ ବ୍ୟକ୍ତିଗତ ଜିନିଷ ଛଡ଼ା ଆଉ ଏ ଘରୁ କିଛି ଛୁଇଁ ପାରିବନି ଏପରିକି “ଶମି”କୁ ବି ନୁହେଁ l ମା କାନ୍ଦି କାନ୍ଦି ଘର ଛାଡି ଚାଲିଗଲେ ପଛକୁ ଥରେ ବି ଚାହିଁଲେନି l ତାକୁ ନା ଗେଲ କଲେ ନା ବାଏ କଲେ ନା କିଛି କହିଲେ l ମା’ ମା’ କହି ଶମି ବହୁତ କାନ୍ଦିଥିଲା ସେଦିନ l ବାପା ତାକୁ ବିଭିନ୍ନ ପ୍ରକାର ଖେଳଣା, ଚକୋଲେଟ୍ ଦେଇ ବୁଝେଇ ନେଲେ ସତ କିନ୍ତୁ ସେ ସବୁଦିନ ମା’ ପାଖକୁ ଯିବ ବୋଲି ଜିଦି କରୁଥାଏ l ଅତିଶୟ ଜିଦି କଲେ ବାପା ଚାପୁଡା ବି ବସେଇ ଦିଅନ୍ତି ତା ଗାଲରେ l ଡରରେ ତା କାନ୍ଦ ସିନା ବନ୍ଦ ହୋଇ ଯାଏ କିନ୍ତୁ ଲୁହ ଶୁଖେନି l ତାକୁ “ଶିବୁ” ଜିମାରେ ଛାଡି ଦେଇ ନିଜ କାମରେ ଲାଗି ଯାଆନ୍ତି ବାପା l

ମା’ ହୁଏତ ଫେରି ଆସିବେ ଦିନେ ଏଇ ଆଶାରେ ସବୁଦିନ ଝରକା ବାଟେ ଚାହିଁ ଚାହିଁ ଦିନ ସାରେ କେବଳ l ଦିନେ ଗଲା ଦି ଦିନ ଗଲା ସପ୍ତାହେ ଗଲା ମାସେ ଗଲା ତଥାପି ମା’ ଫେରିଲେନି l ଆସ୍ତେ ଆସ୍ତେ ତାକୁ ନା ଖାଇବାକୁ ଇଛା ହେଲା ନା ଖେଳିବାକୁ ନା ସ୍କୁଲରେ ପଢିବାକୁ ମନ ଲାଗିଲା l ମା’ ଯୋଉ ଠାକୁରଙ୍କ ଫଟୋ ପାଖରେ ସବୁଦିନ ମୁଣ୍ଡିଆ ମାରନ୍ତି ସେଇ ଫଟକୁ ସେ ସବୁଦିନ ମୁଣ୍ଡିଆ ମାରି ମା’ଙ୍କୁ ଫେରେଇ ଆଣିବାକୁ ଭଗବାନଙ୍କ ପାଖରେ ଗୁହାରି କରେ l

ଦିନେ ଦି ପ୍ରହରେ ଶିବୁ ଘର କାମ ରୋଷେଇ ବାସରେ ବ୍ୟସ୍ତ ଥିଲା ସେ ତା ରୁମରେ ବସି ଟିଭିରେ କାର୍ଟୁନ କିଛି ଦେଖୁଥିଲା l ମନ ନଲାଗିଲେ ବି ଦେଖୁଥିଲା ହଠାତ ତା ବନ୍ଦ ଝରକାରେ ଖଟ ଖଟ ଶବ୍ଦ ଶୁଣି ସେ ଝରକା ଖୋଲି ଆଶ୍ଚର୍ଯ୍ୟରେ ଚାହିଁ ରହିଲା ମା’ ବୋଲି ପାଟି କରିବା ପୂର୍ବରୁ ମା’ ତା ପାଟିରେ ତାଙ୍କ ହାତ ପାପୁଲିରେ ଜାବୁଡି ଧରିଲେ l କହିଲେ ତୁ ପାଟି କରନା l ଚୁପ ଚାପ୍ ମୁଁ ଯାହା କହୁଛି ସେଇଆ କର l ତୋ ଲୁଗା ପଟା ଖେଳଣା ବହି ସବୁ ଏ ଝରକା ବାଟେ ଚୁପ ଚାପ୍ ଗଳେଇ ଦେ ତା ପରେ ଧୀରେ ଲୁଚିକରି କବାଟ ଖୋଲି ବାହାରକୁ ଚାଲି ଆ l ମା’ଙ୍କ କଥା ଅନୁସାରେ ସେ ସବୁ କରିଦେଲା l କେହି ନଦେଖିବା ବେଳେ ଘରୁ ସତର୍କତାର ବାହାରି ଆସିଲା l ମା’ ଏକ ଗଛ ପଛପଟେ ଠିଆ ହୋଇଥିଲେ ଯେମିତି ଶମିକୁ ଦେଖିଲେ ତା ମୁଣ୍ଡରେ ଏକ ଶାଢୀ ଘୋଡ଼େଇ ଦେଇ ନିଜ ମୁଣ୍ଡରେ ଓଢଣା ଦେଇ କିଛି ବାଟ ଚାଲି ଆସିଲୁ l ତାପରେ ଏକ ଗାଡ଼ି ଆମକୁ ଅପେକ୍ଷା କରିଥିଲା ସେଥିରେ ବସି ସିଧା ଷ୍ଟେସନକୁ ଚାଲି ଆସିଥିଲୁ l ତାପରେ ସେବେଠୁ ଏଇ ପାଣି ପବନ ବଣ ଜଙ୍ଗଲ ଘେରା ପ୍ରକୃତି କୋଳରେ ସେ ବଡ ହୋଇଛି l ପଛ ଅତୀତକୁ ନା କେବେ ଫେରି ଚାହିଁଚି ନା ମନେ ପକେଇଛି l

ମା’ ସେଦିନ ବାପାଙ୍କ ଘରୁ ବାହାରି ଆସିଲା ପରେ ଖବର କାଗଜରୁ ଏଇ ବସ୍ତିରେ ଥିବା ଛୋଟ ସ୍କୁଲରେ ଶିକ୍ଷକ ଆବଶ୍ୟକ ଥିବାର ଖବର ଦେଖି ଏଠିକୁ ଆସି ଲୋକ ମାନଙ୍କ ସଙ୍ଗେ ମିଶି ଏଠି ରହିବାର ବ୍ୟବସ୍ଥା କରି ତାକୁ ଯାଇ ନେଇ ଆସିଥିଲେ l ମା’ଙ୍କର ଧାରଣା ଥିଲା ବାପା ନିଶ୍ଚୟ ସେମାନଙ୍କୁ ଖୋଜିବେ l ପୋଲିସ ଲଗେଇ ହେଉ ବା ଲୋକ ଲଗେଇ ହେଉ କିନ୍ତୁ ବଡ ବଡ ବା ଛୋଟ ସହରରେ ଯାଇ ଖୋଜିବେ l ଏ ଛୋଟ ବସ୍ତିକୁ କେବେ ଆସିବେନି କି ସେମାନଙ୍କୁ ପାଇ ପାରିବେନି l ଏଇ ସରଳ ବସ୍ତିର ଲୋକ ମାନଙ୍କ ସାହାଯ୍ୟରେ ସେ ଦିନ ବିତେଇ ଦେବେ l ମା’ଙ୍କ ପରିକଳ୍ପନା ଅନୁସାରେ ସେଇଆ ବି ହୋଇଥିଲା ବାପା ଏପର୍ଯ୍ୟନ୍ତ ତାଙ୍କୁ ପାଇ ପାରି ନାହାନ୍ତି l

ମା’ ଏଠାରେ ଥିବା ଏଲିମେଣ୍ଟାରି ସ୍କୁଲରେ ପାଠ ପଢେଇବା ସହିତ ପିଲା ମାନଙ୍କୁ ନାଚ ଗୀତ ବି ଶିଖୋଉ ଥିଲେ ଯୋଉଥି ପାଇଁକି ମା’ଙ୍କୁ ସବୁ ପିଲା ମାନେ ବହୁତ ଭଲ ପାଉଥିଲେ l ସେଇ ସ୍କୁଲରେ ସେ ବି ପାଠ ପଢିଛି ଚତୁର୍ଥ ଶ୍ରେଣୀ ଯାଏ l ତାପରେ ମିଡଲ ସ୍କୁଲଟା କିଛି ଦୂରରେ ମା’ ତା ପାଇଁ ସାଇକଲ କିଣି ଦେଇଥିଲେ ସେ ସାଇକଲ ଧରି ସେଠି ସପ୍ତମ ଶ୍ରେଣୀ ଯାଏ ପଢିଲା l ତା ପରେ ଆଉ ଟିକେ ଦୂରରେ ଥିବା ହାଇସ୍କୁଲକୁ ଯାଇ ପଢି ମ୍ୟାଟ୍ରିକ ଶେଷ କଲା l ତାପରେ କଲେଜ ପାଇଁ ବଡ ସହରକୁ ଯିବାକୁ ପଡିଲା l ମା’ଙ୍କୁ ଏକା ଛାଡି ଦେଇ କଲେଜ ଯିବାକୁ ଇଚ୍ଛା ନଥିଲେ ବି ମା’ଙ୍କର ଜିଦି ଥିଲା “ତୁ ପାଠ ପଢି ନିଜ ଗୋଡରେ ଠିଆ ହେବୁ ମୋ ପରି ଜୀବନ ଯାପନ କରିବାକୁ ତତେ ଯେପରି ନପଡ଼େ”l ଶେଷରେ ମା’ଙ୍କ କଥା ହିଁ ରହିଲା l ସେ କଲେଜ ଶେଷ କରି ଏବେ ଏକ ବଡ ବ୍ୟାଙ୍କରେ ଅଫିସର ପାହ୍ୟାରେ କାମ କରୁଛି l ଛଅ ମାସ ହୋଇ ଗଲାଣି l

ସେ ଆଗେ ଖରା ଛୁଟିରେ ଘରକୁ ଆସିଲେ ମା’ଙ୍କ ସହିତ ଯାଇ ଏ ପିଲା ମାନଙ୍କୁ ବି ପାଠ ପଢାଏ l ତେଣୁ ସବୁ ପିଲା ମାନେ ତାକୁ ବି ଚିହ୍ନିଛନ୍ତି ଓ ଭଲ ପାଆନ୍ତି ମଧ୍ୟ l କାରଣ ସେ ସେମାନଙ୍କୁ ଭଲ ଭଲ ଗପ ଶୁଣାଏ l ଏ ସରଳ ଅମାୟିକ ପିଲା ମାନଙ୍କ ସ୍ନେହରେ ମା’ ଝିଅ କେବେଠୁ ବାନ୍ଧି ହୋଇ ଯାଇଛନ୍ତି l

ସପ୍ତାହକ ତଳେ ସେ ଏଇ ଗାଡ଼ି ଟି କିଣିଲା l ମାତୃ ଦିବସରେ ମାଙ୍କର ସାରା ଜୀବନର ସାଧନା ଓ କଷ୍ଟର ଉପହାର ସଦୃଶ ସେ ମା’ଙ୍କୁ ତା ପାଖକୁ ନେଇ ଆସି ରଖିବାକୁ ଚାହେଁ ସେଥିପାଇଁ ସେ ଆଜି ଆସିଛି l କିନ୍ତୁ ମା’ ଏଠା ଛାଡି ଯିବାକୁ ରାଜି ନୁହଁନ୍ତି l ସେ ଏ ଲୋକ ମାନଙ୍କ ସହିତ ଏତେ ମିଶି ଯାଇଛନ୍ତି ଯେ ଏଇ ମାନେ ହିଁ ତାଙ୍କର ପରିବାର ବୋଲି ସେ ଭାବନ୍ତି l ତା ବ୍ୟତୀତ ସେମାନଙ୍କ ଜୀବନର ଘୋର ବିପଦ ସମୟରେ ଏମାନଙ୍କ ସ୍ନେହ ଶ୍ରଦ୍ଧା ଓ ସାହାଯ୍ୟ ଯୋଗୁ ସେମାନେ କୌଣସି ବିପଦର ଏଯାଏ ସମ୍ମୁଖୀନ ହୋଇ ନାହାଁନ୍ତି l ଯାହାକୁ ଯେତେବେଳେ ଯେପରି ଭାବରେ ସାହାଯ୍ୟ ମାଗିଛନ୍ତି ସେମାନଙ୍କ ସକ୍ଷମ ଅନୁସାରେ ସାହାଯ୍ୟ କରିବାରେ ପଛ ଘୁଞ୍ଚା କେବେ ଦେଇ ନାହାନ୍ତି l

ମା’ଙ୍କ କଥାରେ ଅନେକ ସତ୍ୟତା ଅଛି l କିନ୍ତୁ ମା’ ଏବେ ବୁଢୀ ହୋଇ ଗଲେଣି ତାଙ୍କ ସ୍ଵାସ୍ଥ୍ୟର ଏବେ ଯତ୍ନ ଦରକାର l ଏଠାରେ ନା ଭଲ ଡାକ୍ତର ଅଛନ୍ତି ନା ଭଲ ଔଷଧ ଅଛି l ମା’ଙ୍କର ଯୁକ୍ତି ଏମାନେ ଯେମିତି ବଂଚିଛନ୍ତି ମୁଁ ସେମିତି ବଞ୍ଚିଯିବି l ସେଦିନ ସେ ମା’ଙ୍କୁ କିଛି କହି ନଥିଲା ଫେରି ଆସିଥିଲା କିନ୍ତୁ ସେ ଜାଣିଥିଲା ସେ ଦିନେ ନା ଦିନେ ମା’ଙ୍କୁ କୌଣସି ଉପାୟରେ ତା ପାଖକୁ ନେଇ ଆସିବ l ମା’ ତାକୁ ଛାଡି ବେଶୀ ଦିନ ରହି ପାରିବନି l

ଗୋଟାଏ କଥା ତା ଭିତରେ ଉବୁଟୁବୁ ହେଉଥିଲା ମା’ଙ୍କୁ କହିବାକୁ କିନ୍ତୁ ସେ କହିପାରି ନଥିଲା l ଯେତେ ଥର ଚେଷ୍ଟା କରିଛି ବିଫଳ ହେଇଛି l ସେ ଦିନେ ବାପାଙ୍କୁ ଦେଖିଥିଲା ବ୍ୟାଙ୍କରେ l ସେ ବାପାଙ୍କୁ ଠିକ୍ ଚିହ୍ନି ପାରିଥିଲା ମୁଣ୍ଡର ବାଳ ଝୋଟ ହୋଇ ଯାଇଥିଲେ ବି ଚିହ୍ନିବାରେ ତାର କୌଣସି ଅସୁବିଧା ହୋଇ ନଥିଲା l ବାପାଙ୍କ ନାମ ଠିକଣା ବ୍ୟାଙ୍କ କାଗଜ ପତ୍ରରୁ ପାଇ ଯାଇଥିଲା l ସେ ପ୍ରତି ମାସରେ ତାଙ୍କ ପେନସନ ଟଙ୍କା ନବାକୁ ଆସନ୍ତି l

ବାପା ତାକୁ କିନ୍ତୁ ଚିହ୍ନି ପାରି ନାହାନ୍ତି ଚିହ୍ନିବା ବି ସମ୍ଭବ ନୁହେଁ ତାଙ୍କ ପକ୍ଷରେ l ତା ଭିତରେ ତାର ମଥାରୁ ତଳିପା ଯାଏ ଏତେ ପରିବର୍ତ୍ତନକୁ ବାପାଙ୍କ ଦୁର୍ବଳ ଆଖି ପକ୍ଷେ ଚିହ୍ନିବା ସମ୍ଭବ ନୁହେଁ l ସେଥିପାଇଁ ବି ତା ମନରେ ଦୁଃଖ ନାହିଁ l ଏବେ ବାପାଙ୍କୁ ପାଇ ସେ କରିବ ବା କଣ l ଦିନେ ସେ ଚାହୁଁ ଥିଲା ଦୁଇ ଜଣକୁ l ଏବେ ଆଉ କଣ ଦରକାର l ନା ମା’ଙ୍କର ଦରକାର ଅଛି ନା ତାର l ତଥାପି ସେ ମା’ଙ୍କୁ କହିବାକୁ ଚାହୁଁଥିଲା କିନ୍ତୁ ଏବେ କଟା ଘାଆରେ ଚୁନ ବୋଳିବାର କିଛି ମାନେ ନାହିଁ l ମା’ ବି ବାପାଙ୍କ ବିଷୟରେ ଶୁଣି କିଛି ଆତ୍ମ ବିଭୋର ହୋଇ ଯିବେ ନାହିଁ l

ଜୀବନର ଶେଷ ଅଧ୍ୟାୟରେ ମା’ ଏବେ l କାମରୁ ଅବସର ନେଲା ପରେ ସାମାଜିକ କାର୍ଯ୍ୟ ଲୋକଙ୍କ ସେବାରେ ନିଜକୁ ବ୍ୟସ୍ତ ରଖିଛନ୍ତି l ତାଙ୍କୁ ଖୁସି ମିଳୁଚି ସେଥିରେ ଶାନ୍ତି ବି ମିଳୁଛି l ବାପାଙ୍କ ସହିତ ମା’ଙ୍କର ଏକାଠି ମିଳାଇ ବାକୁ ତାର ଇଚ୍ଛା ଥିଲେ ବି ସେ ଜାଣେ ସେମାନଙ୍କ ପୁନର୍ମିଳନ କରାଇ ସେ କୌଣସି ପୂଣ୍ୟ ଅର୍ଜନ କରିବ ନାହିଁ l

ଯୋଉଠି ମନ ସହିତ ମନର, ଆତ୍ମା ସହିତ ଆତ୍ମାର ବା ବିଚାର ଧାରା ସହିତ ବିଚାର ଧାରାର କୌଣସି ମେଳ ନାହିଁ ବା କୌଣସି ସାମ୍ୟ ନାହିଁ ସେଠାରେ ଏକାଠି ରହିବାର କିଛି ମାନେ ନାହିଁ l ତେଣୁ ସେ ଚିନ୍ତା ଧାରାରୁ ସେ କ୍ଷାନ୍ତ ହୋଇଥିଲା l ତା ଜୀବନରେ ମା’ ହିଁ ସବୁକିଛି l ଥିଲେ, ଥିବେ, ରହିବେ l ଆଜିର ଏ ମାତୃ ଦିବସରେ ସେ ଭଗବାନଙ୍କ ନିକଟରେ ଗୋଟିଏ ପ୍ରାର୍ଥନା କରିଥିଲା ତା ମା’ଙ୍କୁ ଓ ତା ପରି ଅନେକଙ୍କ ମା’ ମାନଙ୍କୁ ସୁସ୍ଥ ସବଳ ଶରୀର ଓ ଦୀର୍ଘାୟୁ ଜୀବନ ପ୍ରଦାନ କରିବାକୁ l



Rate this content
Log in

Similar oriya story from Inspirational