Shanti Mishra

Others

3  

Shanti Mishra

Others

ଚଞ୍ଚଳ ଲହରୀ

ଚଞ୍ଚଳ ଲହରୀ

4 mins
278


ଆଜି ଅଫିସରେ କେମିତି ମନ ଲାଗିବ ଯେ, ସବୁ ଭୁଲ ତ ତାର l ଏଣେ ଦୋଷ ସ୍ଵୀକାର କରିବାକୁ ବି ଇଚ୍ଛା ହଉନି l ଆଜି ସବୁ କାମରେ ଡେରି ଡେରି ନଚେତ ସେ ମଝିରେ ମଝିରେ ଅନ୍ୟମନସ୍କ ହୋଇ ପଡୁଛି l ସହକର୍ମୀଙ୍କଠୁ ଆରମ୍ଭ କରି ଉପରିସ୍ଥ କର୍ମକର୍ତ୍ତାମାନଙ୍କଠାରୁ ମଝିରେ ମଝିରେ ଥଟ୍ଟା ପରିହାସ ଟିପ୍ପଣୀ ତା ସାଙ୍ଗକୁ ଚାପାହସ ଟିକେ ଟିକେ ବାଧୁଛି l ସହି ହଉନି କି କହି ହଉନି କିଛି l

- ହଇଓ ରମେଶ ବାବୁ ନବବିବାହିତଙ୍କ ପରି ବ୍ୟବହାର ତୁମର ଆଜି କାହିଁକି ! ମନଟା କାହା ପାଖେ ଛାଡି ଆସିଛ ନା କଣ ! ନା ଆଉ କେହି ସୁନ୍ଦରୀ ଜୀବନ ଇଲାକା ଭିତରେ ପ୍ରବେଶ କରିଲେଣି ! ମନ ଏତେ ଚଙ୍ଗ ଚଙ୍ଗ କାହିଁକି ! ତମ ହାବଭାବରୁ ଆଜି ସେମିତି ମନେ ହଉଛି l

-କଣ କହିବ ଏମାନଙ୍କୁ କହିଲ ! ପାଟି ସବୁବେଳେ ଖଲ ଖଲ ଅନ୍ୟକୁ ଟିପ୍ପଣୀ ଦବା ପାଇଁ l ଖାଲି ସୁଯୋଗର ଅପେକ୍ଷାରେ ଅଛନ୍ତି l ତାର ଏଣେ ବାର ବାଜିଲାଣି l କେମିତି ମୁହଁ ନେଇ ଘରକୁ ଫେରିବ ତାର ସେଇ ଚିନ୍ତା l ଏମାନଙ୍କୁ ମଜ୍ଜା ଲାଗୁଛି l ଦି ଚାରି ପଦ ଶୁଣେଇ ଦବାକୁ ଇଛା ହଉଛି ଯେ ରାତି ପାହିଲେ ନିତି ମୁହଁ ଚାହାଁ ଚାହିଁ l କିଛି ତିକ୍ତତା ସମ୍ପର୍କ ମନ ଭିତରେ ସେ ରଖିବାକୁ ଚାହେଁନି l ବିଶେଷତଃ ଆଜିର ଘଟଣା ପରେ l ଆଜି ପ୍ରକୃତରେ କାମରେ ବହୁତ ଢିଲା କରିଛି ସେ l ନିଜର ସବୁ ଭୁଲ, ଏମାନଙ୍କୁ ଦୋଷ ଦେଇ କି ଲାଭ l

ଯୌବନଟା ଅନ୍ଧ ସାଙ୍ଗକୁ ମୂର୍ଖ ବି ସବୁ କାମ କରିବାକୁ ହମହମ l ବିବାହ ପାଇଁ ବି ହମହମl ହେଲେ ନିଜ ଇଚ୍ଛାରେ କି ଖୁସିରେ ହେଲେ ସେ ବିବାହ କରିଥାନ୍ତା ! ଗୋଟେ କାମ ହୋଇଥାନ୍ତା l ନା ବୋଉ କହିଲା ଲକ୍ଷ୍ମୀ ପ୍ରତିମା ପରି ଝିଅ ସବୁ କାମକୁ ପାରିବାର l ବାହା ହେଇଗଲା l ସବୁ ଯେମିତି ସେମିତି ହେଉ ଚଳିଯିବ କିନ୍ତୁ ଏଡିକି ଗପୁଡି l କେହି ନଥିଲେ ଘରେ କାନ୍ଥ ବାଡ ସଙ୍ଗେ ବି କଥା ହୋଇଯିବ l ଫୋନ୍ ଆସିଲେ ତ ଘଣ୍ଟାଏ ଗପିବ l ବହୁତ କାମ ଥିଲେ ଅଧ ଘଣ୍ଟା ଗପ l ଅର୍ଜେଣ୍ଟ କାମ ଥିଲେ ଅତି କମରେ ପନ୍ଦର ମିନିଟ୍ ନିଶ୍ଚୟ ଗପ l ବେଳେ ବେଳେ ବିରକ୍ତି ଲାଗିଯାଏ ରମେଶକୁ l ଏତେ ଗପ, କଣ ଥାଏ ଏମିତି ଗପିବାକୁ l

ଆଜି ସକାଳୁ ଠିକ୍ ଅଫିସ ବାହାରିଲା ବେଳକୁ ଫୋନ୍ ଆସିଗଲା l ପରେ ଫୋନ୍ କରିବି କହି ରଖି ଦେଇଥିଲେ ହେଇ ନଥାନ୍ତା ନା ମହାରାଣୀ ହସି ହସି ଗପିବା ଆରମ୍ଭ କରିଦେଲେ l ନା ସେ ତା ରୁମାଲ ପାଉଛି ନା ଶାର୍ଟ ପାଉଛି ନା ମୋଜା ପାଉଛି l ଜୋତା ବି ସଫା ହୋଇନି l କାଲିଠୁ ସେମିତି ଧୂଳି ଲାଗିଛି l ସଫା କରିବାକୁ ଛିଣ୍ଡା କପଡ଼ା କିଛି ପାଉନି ଖୋଜି ଖୋଜି l

ସେ ପ୍ରତିମା ପ୍ରତିମା ପାଞ୍ଚ ଥର ଡାକିଲା ପରେ ବି ଆସୁଛି ଆସୁଛି କାହିଁ ଏମିତି ଚିଲେଉଛ, କହୁଛି ସତ କିନ୍ତୁ ଆସିବାର ନାଁ ନାହିଁ l ରାଗରେ ସେ ଯେମିତି ସେମିତି ହେଉ ଘରୁ ବାହାରି ଆସିଲା ବେଳକୁ ପ୍ରତିମା ଦୌଡି ଦୌଡି ଆସି ଟିଫିନ୍ ବାକ୍ସ ଟା ତା ହାତକୁ ଯେତେବେଳେ ବଢେଇ ଦେଲା ସେ ରାଗରେ ତାକୁ ଫୋପାଡି ଦେଲା l ଏତିକି ବେଳକୁ ଶାଶୁ କୋଉଠି ଥିଲେ ଘର ଭିତରକୁ ପଶି ଆସିଲେ l ଓ କି ସର୍ବନାଶ l ସେ ତରତରରେ ଘରୁ ବାହାରି ଆସିଲା ସତ କିଛି ନ ଜାଣିଲା ପରି କିନ୍ତୁ ଘରକୁ ଫେରିବ କିପରି ! ଜଣକୁ ସେ ଯେମିତି ସେମିତି ହେଉ ସମ୍ଭାଳି ନେଇଥାନ୍ତା, ଏବେ କିନ୍ତୁ ଦି ଜଣ l ଘରର ଅବସ୍ଥା କଣ ହୋଇଥିବ, ତା ନିଜ ଅବସ୍ଥା ଯେ କଣ ହେବ ଘରକୁ ଗଲା ପରେ, ଏଇ କଥା ଭାବି ଭାବି ଦିନ ଯାକ କୋଉ କାମରେ ମନ ଲାଗୁନି ତାର l

ମହାଭାରତ ହେଉ ବା ରାମାୟଣ ହେଉ କିଛି ଗୋଟେ ଲେଖା ହେବାର ଯୋଜନା ଚାଲିଥିବ l ଏବେ ଭାବୁଛି ମୁର୍ଖାମିଟା ସମ୍ପୂର୍ଣ୍ଣ ତା ନିଜର l ଏତେ ଉତ୍ୟକ୍ତ ହେବାର ତାର ନଥିଲା l ଅଫିସ୍ ପାଇଁ ମୋଟେ ଡେରି ହୋଇ ନଥିଲା l ରାଗରେ ଖାଇବା ଜିନିଷ ଫୋପାଡ଼ିବା ଦ୍ଵାରା ନିଜର କ୍ଷତି ହେଲା l ତାହାରି କଷ୍ଟାର୍ଜିତ ଧନ ତ ଗଲା l ପ୍ରତିମାର ଏଥିରେ କିଛି ଯାଏ ଆସେ ନାହିଁ l ତା ଅଫିସ୍ ଟାଇମ ବିଷୟରେ ପ୍ରତିମା ପୁରା ଅବଗତ l ରାଗଟା ତା ଅବହେଳା ଯୋଗୁ ନଥିଲା, ଥିଲା ତା ଫୋନରେ ଗପିବା ପାଇଁ l କୋଉ ରାଗ ନେଇ ସେ କୋଉଠି ଶୁଝେଇ ଦେଲା l ଏବେ ମନ ଥଣ୍ଡା l

ସେ ପ୍ରକୃତରେ ନିଜ ଅଜାଣତରେ ବୋଉର ଲକ୍ଷ୍ମୀ ପ୍ରତିମାକୁ କେବେଠୁ ଭଲ ପାଇ ବସିଛି l ତା ବିନା ଜୀବନର ଗତି ସହଜ ହେବ ନାହିଁ, ବୋଲି ଭାବେ ବି l ସତରେ ପ୍ରତିମା ଘର କାମରେ ଭାରି ଶୃଙ୍ଖଳିତ l ମାନନୀୟା ଶାଶୁ ଯଦି ତାଙ୍କ ଝିଅର ଏ ବେଇଜ୍ଜତି ସହି ପାରି ନଥିବେ ଝିଅକୁ ତାଙ୍କ ଘରକୁ ନେଇ ଯାଇଥିବେ ତେବେ କଅଣ ! ତାକୁ ଏକ ସଲାମ ଜାଗାରେ ଶହେ ସଲାମ କରିବାକୁ ପଡିବ l ହଉ ଯାହା ହବାର ତ ହେଲାଣି ‘ଗତସ୍ୟ ଶୋଚନାଂ ନାସ୍ତି’ l ଶାଶୁଙ୍କ ପାଇଁ ଭଲ ବାସ୍ନା ବାଲା ଧୂପ କାଠି ଡର୍ଜନେ ଆଉ ପ୍ରତିମା ପାଇଁ ଫୁଲର ଗଜରା ଓ ଝୁମୁକା ଲଗା ପାଉଜି ହଳେ ନେଇକି ସାଥିରେ ଗଲା l ଦେଖାଯାଉ ଯାହା ହବାର ଥିବ ଦେଖାଯିବ l

ଘର ଭିତରକୁ ପଶିଗଲା ବେଳକୁ ମା ଝିଅଙ୍କ କଥୋପକଥନ ସାଙ୍ଗକୁ ଠୋ ଠୋ ହସ ଶୁଭୁଚି l ସବୁ ସ୍ଵଭାବିକ ଥିଲା ପରି ଲାଗୁଛି l କିଛି ଅଘଟଣ ଘଟିଲା ପରି ଲାଗୁନି ତ l ତଥାପି ସେ କିଛି ନଘଟିଲା ପରି ଶାଶୁଙ୍କୁ ଧୂପ କାଠି ଓ ପ୍ରତିମାକୁ ଫୁଲ ଓ ପାଉଜି ହଳକ ଦେଲା l ଶାଶୁ ଟିକେ ଜାଣନ୍ତୁ ତାଙ୍କ ଝିଅକୁ ସେ କେତେ ଭଲ ପାଏ ବୋଲି l

ଶାଶୁ ଖୁସି ହୋଇଗଲେ କହିଲେ ପୁଅ ତୁମ ହାତରୁ ସକାଳେ ଟିଫିନ ବାକ୍ସ ଟା ଖସି ପଡି ଚେପା ହୋଇ ଯାଇଛି କାଲି ଗୋଟେ ନୂଆ କିଣି ନେଇ ଆସିବ ତ l ଏସବୁ ଆଣିବା କଣ ଦରକାର ଥିଲା ଅଯଥା ଟଙ୍କା ଖର୍ଚ୍ଚ କରି l

ତେବେ ପ୍ରତିମା ସବୁ ସମ୍ଭାଳି ନେଇଛି ତାହେଲେ l ଶାଶୁଙ୍କୁ ପ୍ରକୃତ ଘଟଣାଟା ଜଣା ନାହିଁ l ବୋଉର ଲକ୍ଷ୍ମୀ ପ୍ରତିମାକୁ କୁଣ୍ଢେଇ ଧରି ଦି ଘଣ୍ଟା ନାଚି ଯିବାକୁ ମନ ହେଉଥିଲା ଯେ ଶାଶୁଙ୍କ ଉପସ୍ଥିତି ଏକ ବିରାଟ ଅନ୍ତରାୟ ସୃଷ୍ଟି କରିଦେଲା l ଅପେକ୍ଷା କରିବ ସେ ଶାଶୁ ଗଲା ପର୍ଯ୍ୟନ୍ତ ଯେ ସେତେବେଳକୁ ଏଇ ମନ ଏମିତି ଉଚ୍ଚାଟ ସ୍ଥିତିରେ ରହିଥିଲେ ହେଲା l



Rate this content
Log in