STORYMIRROR

Shanti Mishra

Children Stories Comedy Tragedy

4  

Shanti Mishra

Children Stories Comedy Tragedy

ପ୍ରବାହ ପ୍ରାନ୍ତରେ

ପ୍ରବାହ ପ୍ରାନ୍ତରେ

4 mins
238

ଆଈ ଭୀଷଣ ଅସୁସ୍ଥ l ଶେଷ ଅବସ୍ଥା l ବୋଉ ଯାଇ ତାକୁ ଆମ ଘରକୁ ନେଇ ଆସିଥିଲେ l ସେ ଏକା ରହୁଥିଲା l ବୋଉ ହାଇସ୍କୁଲର ଶିକ୍ଷୟତ୍ରୀ ଓ ସାନ ମାଉସୀ କଲେଜରେ ଅଧ୍ୟାପିକା ଥିଲେ l ସେମାନଙ୍କୁ ବିଶେଷ ବେଳ ନଥିଲା ଯାଇ ଆଈର ସେବା ଯତ୍ନ କରିବାକୁ ତେଣୁ ବୋଉ ତାକୁ ଘରକୁ ନେଇ ଆସି ତାର ଦେଖା ଚାହାଁ କରୁଥିଲେ l ସାନ ମାଉସୀ ତାଙ୍କ ପାଞ୍ଚ ବର୍ଷର ଝିଅକୁ ନେଇ ଆମ ଘରକୁ ଆସିଥିଲେ l ଆଈର ସେବା ଓ ବୋଉଙ୍କୁ ସାହାଯ୍ୟ କରିବାକୁ l ସେମାନେ ଜାଣିଥିଲେ ଆଈ ଆଉ କିଛି ଦିନର ଅତିଥି ମାତ୍ର l

ରାତି ଅନିଦ୍ରା ଓ ଅବେଳରେ ଖିଆ ପିଆ ଯୋଗୁ ହଠାତ୍ ମାଉସୀଙ୍କ ଦେହ ଖରାପ ହୋଇଗଲା l ବୋଉର ଅନୁରୋଧ କ୍ରମେ ବାପା ମାଉସୀଙ୍କୁ ନେଇ ଡାକ୍ତର ପାଖକୁ ଗଲେ l କିନ୍ତୁ ଦୁର୍ଭାଗ୍ୟ କ୍ରମେ ବାପାଙ୍କ ଗାଡି ଏକ ଟ୍ରକ ସହିତ ବାଡ଼େଇ ହୋଇ ଗଲା ରାସ୍ତାରେ l ବାପା ଓ ମାଉସୀ ଦୁଇଜଣ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ବରଣ କଲେ l ସେତେବେଳେ ଜଲିର ବୟସ ସାତ ବର୍ଷ l ପରିସ୍ଥିତି ବିଷୟରେ କିଛି କିଛି ବୁଝି ହେଉଥାଏ, କିଛି ବୁଝି ହେଉ ନଥାଏ l ବଂଧୁ ବାନ୍ଧବ ସାଇ ପଡିଶା ଆସି ବୋଉକୁ ଶାନ୍ତ୍ଵନା ଦେଇ ଯାଉଥାଆନ୍ତି l ସେ ମାଉସୀର ପାଞ୍ଚ ବର୍ଷର ଝିଅ ଛବି ସଙ୍ଗେ ଖେଳିବାରେ ବ୍ୟସ୍ତ ଥାଏ l ଅନ୍ୟ କଥା କିଛି ଭାବିବାକୁ ଜଲିକୁ ସମୟ ନଥାଏ l

ଏବେ ବଡ ହୋଇଗଲା ପରେ ଭାବୁଛି ବୋଉ ସେ ପରିସ୍ଥିତିର କିପରି ମୁକାବିଲା କରିଥିବେ ! ମାଉସୀ ଓ ବାପା ଯିବାର ଚାରି ଦିନ ପରେ ଆଈ ଆଖି ବୁଜିଦେଲା l ଯଦିଓ ବୋଉ ବାପା ଓ ମାଉସୀଙ୍କ ମୃତ୍ୟୁ ଖବର କିଛି ଜଣେଇ ନଥିଲେ ଆଈକୁ l ଯଦିଓ ଆଈ ଶୁଣିବା ଓ ବୁଝିବା ଅବସ୍ଥାରେ ସେତେବେଳେ କିଛି ନଥିଲା l ଏତେ ବଡ ଦୁଖଦ ଖବର ବିଷୟରେ କିଛି ନଜାଣି ଆଈ ଏ ସଂସାର ଛାଡ଼ିଥିଲା l ତାପରେ ସମସ୍ତଙ୍କ ଶେଷକୃତ୍ୟ ବୋଉ କିପରି ସାରିଥିବେ ସେ ଏବେ ଭାବି ବି ପାରୁନି l ମଉସାଙ୍କୁ ଯେତେ ଖବର ଦେଲେବି ସେ ଆସିଲେନି l ସାହାଯ୍ୟ କରିବା ଦୂରର କଥା l

କିଛି ଦିନ ପରେ ବୋଉ ମଉସାଙ୍କୁ ପୁଣି ଥରେ ଖବର ଦେଇଥିଲେ l ଆସି ଛବିକୁ ନେଇଯିବା ପାଇଁ l ତଥାପି କିଛି ଉତ୍ତର ସେପଟୁ ଆସିଲାନି l ପରେ ବୋଉଙ୍କ କହିବା ଅନୁସାରେ ବୋଉ ସେତେବେଳେ ଅର୍ଦ୍ଧ ପାଗଳ ହୋଇ ଯାଇଥିଲେ ବି ତାଙ୍କୁ ଝିଅ ଜଲି ଓ ଝିଆରୀ ଛବି ପାଇଁ ବଞ୍ଚି ରହିବାକୁ ହେଲା l ଛବି ବୋଝ ଉପରେ ନଳିତାବିଡା ପରି ଲାଗୁଥିଲେ ବି ବୋଉ ସେ ବୋଝକୁ ଫୋପାଡି ଦେଇ ପାରି ନଥିଲେ l ତାର ଲାଳନ ପାଳନର ଦାୟୁତ୍ଵ ବାଧ୍ୟ ହୋଇ ନିଜେ ନେଇଥିଲେ l

ବର୍ଷକ ପରେ ମଉସା ଅନ୍ୟତ୍ର ବିବାହ କରି ନେଇଥିବାର ବୋଉ ଖବର ପାଇଲେ l ଛବିକୁ ନେଇ ତା ବାପ ପାଖରେ ଛାଡି ଦେଇ ଆସିବାର ଯୋଜନା କରୁଥିଲେ ବି ଏବେ ଏ ଚିନ୍ତାଧାରାରୁ ନିବୃତ ହେଲେ l ଏବେ ତାକୁ ସେଠିକୁ ଛାଡିବାର କିଛି ମାନେ ନାହିଁ l ଯେତେ କଷ୍ଟ ହେଉ ପଛେ ସେ ତାର ଯତ୍ନ ନେବା ପାଇଁ ଠିକ୍ କଲେ l ସବୁଠୁ ବେଶୀ ଖୁସି ହେଉ ଥିଲା ଜଲି l ଛବି ସହିତ ତାର ବନ୍ଧୁତ୍ଵ ବହୁ ଜୋରରେ ହୋଇ ଯାଇଥିଲା l କାରଣ ବୋଉ ଅନେକ ସମୟରେ ନିଜ କାମ ନେଇ ବ୍ୟସ୍ତ ରହୁଥିଲେ l ଜଲି ସଙ୍ଗେ ଖେଳିବାକୁ କି କଥା ହେବାକୁ ତାଙ୍କୁ ବେଳ ନଥିଲା l ସେତେବେଳେ ଛବି ଏକ ମାତ୍ର ସାଥୀ ହସି ଖେଳି ତା ସହିତ ସମୟ ବିତେଇବାକୁ l

ଏହା ଭିତରେ ପନ୍ଦର ବର୍ଷ କିପରି ଚାଲି ଯାଇଛି l ଜଣା ପଡିନି l ଏବେ ବୋଉ ଅସୁସ୍ଥ l ଛବି ଓ ଜଲି ତାଙ୍କ ସେବାରେ ଟିକେ ବି ହେଳା କରି ନଥିଲେ l ବୋଉ ଭାବିଥିଲେ ସେ ଅାଉ ବଂଚିବେନି ତେଣୁ ସେ ଦିନେ ସମସ୍ଥ ଘଟଣା ତାଙ୍କ ଜୀବନରେ ଘଟି ଯାଇଥିବା ଜଲି ଅଉ ଛବିକୁ ପାଖରେ ବସେଇ କହିଥିଲେ l ଏବଂ କହିଥିଲେ ମଧ୍ୟ ଯଦି ସେ ଚାଲି ଯାଆନ୍ତି ତେବେ ସେମାନେ ତାଙ୍କ ପଢା ଯେପରି ଶେଷ କରନ୍ତି l ଯେତେ ବାଧା ବିଘ୍ନ ଆସୁ ପଛେ l ଜଲି ଏବେ ଡାକ୍ତରୀ ଛାତ୍ରୀ ଓ ଛବି ଇଞ୍ଜିନିୟରିଂ କରୁଛି l

କିନ୍ତୁ ବୋଉ ଭଲ ହୋଇ ଘରକୁ ଫେରିଲେ l ବେଶ୍ କିଛି ଦିନ ହସ୍ପିଟାଲରେ ରହିବାକୁ ପଡିଲା ସତ l ଛବି ଓ ଜଲିର ଅକ୍ଳାନ୍ତ ସେବା ଯତ୍ନରେ ସେ ଭଲ ହୋଇଗଲେ ବୋଲି ତାଙ୍କର ଧାରଣା l କିନ୍ତୁ ଜଲି ଏବେବି ଭାବୁଛି ମଉସା ତାଙ୍କ ଝିଅ ପ୍ରତି ଥିବା କର୍ତବ୍ୟରୁ ଦୂରେଇ ଯାଇ ଅାଉ ଥରେ ବିବାହ କରି ସୁଖରେ ଘର ସଂସାର କରି ରହି ପାରିଲେ l କିନ୍ତୁ ବୋଉ କାହିଁକି ପାରିଲେନି l ସେ କହିଁକି ଦୁଇଟି ଛୁଆଙ୍କ ପାଇଁ ଏମିତିକି ଜଣେ ତାଙ୍କର ବି ନୁହେଁ ତା ପାଇଁ ଏତେ କଷ୍ଟ ଏତେ ସ୍ଵାର୍ଥ ତ୍ୟାଗ କରିବାର କଣ ଆବଶ୍ୟକ ଥିଲା l

କାରଣ ସେ ଜଣେ ନାରୀ ବୋଲି ! ଦୟା କରୁଣାର ଭଣ୍ଡାର l ନା ସ୍ଵାର୍ଥ ତ୍ୟାଗ କରିବା ତାର ସହଜାତ ପ୍ରବୃତି ନା ସବୁବେଳେ ସ୍ଵାର୍ଥ ତ୍ୟାଗ କରିବାକୁ ସେ ବାଧ୍ୟ l ସେ ବି ଇଛା କରିଥିଲେ ଅନ୍ୟତ୍ର ବିବାହ କରି ପାରି ଥାନ୍ତେ l ବେଳେ ବେଳେ ଭାବେ ଏ ସଂସାରର ନିୟମ ମଣିଷ କୃତ ନା ଦୈବୀ କୃତ l ନାରୀ ନିଜକୁ କାହିଁକି ଏଥିରୁ ଓହୋରାଇ ପାରୁନି l ତାରି ଏଇ ଗୁଣ ଯୋଗୁ ବୋଧେ ଏ ସଂସାର ଏବେ ବି ତିଷ୍ଠି ରହି ପାରିଛି l

ଜଲିର ଭାବନାରେ ପୁର୍ଣଛେଦ ପକେଇ ପଛରୁ ଛବି ଆସି ଆସ୍ତେ ଆସ୍ତେ କହିଥିଲା ଆଜି ଶୋଇବୁନିକି ! ରାତି ଆସି ଗୋଟାଏ ହେଲାଣି l ଆରେ ସତେତ ବୋଉଙ୍କୁ ଗରମ କ୍ଷୀର ପିଇବା ପାଇଁ ଦେବାକୁ ଆସିଥିଲା l ବୋଉ ଶୋଇ ପଡ଼ିଥିଲେ l ଉଠେଇବାକୁ ଇଛା ହେଲାନି l ସେତିକୁବେଳୁ ବସି ଏପଟ ସେପଟ କେତେ କଥା ଭାବି ଚାଲିଛି ତାର ଆଦି ଅନ୍ତ ନାହିଁ l ବୋଉଙ୍କ ଜୀବନୀରୁ ସେ ଅନେକ କଥା ଶିକ୍ଷା କରିଛି l ତା ଜୀବନରେ ଉପଯୋଗ ନିଶ୍ଚୟ କରିବ l ସେ ଜାଣେ ଏ ସବୁ ବହୁତ ତାର କାମରେ ଲାଗିବ ।


Rate this content
Log in