Shanti Mishra

Classics

4  

Shanti Mishra

Classics

ରାକ୍ଷୀ ପୂର୍ଣିମା

ରାକ୍ଷୀ ପୂର୍ଣିମା

3 mins
331



ବଡ ଭାଈ ଅନ୍ୟତ୍ର ବଦଳି ହୋଇ ଚାଲିଗଲା ପରଠୁ, ଗତ ପାଞ୍ଚ ବର୍ଷ ହେବ ମୀନୁ ଡାକରେ ଭାଈଙ୍କ ପାଖକୁ ରାକ୍ଷୀ ପଠେଇ ଦିଏ l ଭାଈଙ୍କ ସହ ଦେଖା ହୋଇଥିଲା ଦୁଇ ବର୍ଷ ପୂର୍ବରୁ ବୋଉର ଶୁଦ୍ଧ ଘରରେ l ବୋଉ ଗଲା ପରଠୁ ମୀନୁ ଆଉ ଗାଁକୁ ଯାଇନିl

ତେଣୁ ଏ ବର୍ଷ ଭାବିଲା ଡାକରେ ରାକ୍ଷୀ ନପଠେଇ ସିଧା ଭାଇଙ୍କ ପାଖକୁ ଯାଇ ତାଙ୍କୁ ରାକ୍ଷୀ ପିନ୍ଧେଇଲେ କେମିତି ହୁଆନ୍ତା! ସ୍ଵାମୀ ସୁବୀରଙ୍କୁ କହିଲା ପରେ ସେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ l ରାକ୍ଷୀ ପୂର୍ଣ୍ଣିମାର ପୂର୍ବ ଦିନ, ସେମାନଙ୍କ ଯିବା ଖବର ମୀନୁ ଭାଇଙ୍କୁ ଫୋନ କରି ଜଣେଇ ଦେବାକୁ ଭାବିଲା l ଏଇ ବାହାନାରେ ଦୁଇ ତିନି ଦିନ ରହି କରି ଆସିଯିବl ପିଲା ମାନେ ବି ଖୁସି ହୋଇ ଯିବେ l ଭାଈଙ୍କ ପିଲା ମାନଙ୍କ ସହିତ ସେମାନେ ଖେଳି କିଛି ସମୟ ବିତେଇବାର ସୁଯୋଗ ବି ପାଇଯିବେ l

ଭାଈଙ୍କ ପାଖକୁ ଫୋନ କଲା ସେଦିନ ସକାଳୁ ଉଠି ମୀନୁl ଭାଈ ଫୋନ ଉଠେଇଲେ l ମୀନୁ କହିଲା ଭାଈ ରାକ୍ଷୀ.... ଏତିକି କହିବା ମାତ୍ରେ ଭାଈ କଥା ଛଡେଇ ନେଇ କହିଲେ ହଁ ମୁଁ ତୋ ରାକ୍ଷୀ ପାଇଛି ତୋ ସହିତ ପରେ କଥା ହେବି ଅର୍ଜେଣ୍ଟ କାମରେ ବାହାରକୁ ଯାଉଛି କହି ଫୋନ୍ ରଖିଦେଲେ l ମୀନୁ ଭାଈଙ୍କ ଠାରୁ ଏପରି ଶୁଣିବ ଆଶା ବି କରି ନଥିଲାl ଦୁଃଖ ଆଉ ଅଭିମାନରେ ଲୁହ ଆଖିରୁ ଥପ୍ ଥପ୍ ହୋଇ ଅନେକ ଝରିଗଲା l

ସେ ତ ଏ ବର୍ଷ ରାକ୍ଷୀ ବି ପଠେଇନି ଭାଈ ପାଇଗଲେ କେମିତିl ଏପରି ମିଛ କହିବାର ମାନେ କଣ l ସେ ମଝିରେ ମଝିରେ କେବେ କେମିତି ଫୋନ୍ କଲେ ଭାଉଜ ଉଠାନ୍ତିl ଆଜି ଭାଇଙ୍କ ସ୍ଵର ଶୁଣି ସେ କି ଖୁସି ହୋଇଯାଇଥିଲା l କିନ୍ତୁ ସେ ଖୁସି ଗୋଟାଏ ମୁହୂର୍ତ୍ତ ବି ରହିଲାନି l

ମୀନୁ ଲୁହ ପୋଛି ଆସି ସୁବୀରଙ୍କୁ କହିଲା ଆମେ କାଲି ଯିବାନି ଭାଈଙ୍କ ଘରକୁl ସେ କାଲି କାମରେ ବାହାରକୁ ଯାଉଛନ୍ତି l ପିଲା ମାନଙ୍କ ମନ ବି ଦୁଃଖ ହୋଇଗଲା ଶୁଣିକି l ସମସ୍ତେ ବଡ ଖୁସିରେ ନିଜର ବ୍ୟାଗ ପ୍ୟାକ କରିବା ଆରମ୍ଭ କରି ଦେଇ ଥିଲେl କିନ୍ତୁ ସୁବୀର କହିଥିଲେ ହଉ ହେଲା ଆଜି ନହେଲେ ବି ଆଉ କେବେ ଯିବାl ଏଥିରେ ମନଦୁଃଖ କରିବାର କିଛି ନାହିଁ l

କିଛି ସମୟ ପରେ ପିଲା ମାନେ ବୁଝିଗଲେ କିନ୍ତୁ ମୀନୁର ମନ ବୁଝୁ ନଥିଲା କି ତା ଆଖିରୁ ଲୁହ ଶୁଖୁ ନଥିଲା l ନା ଆଉ ସେ କେବେ ଭାଇଙ୍କ ପାଖକୁ ଯିବାକୁ ଇଛା କରିବନିl ବୋଉ ଗଲା ପରେ ଆଉ କି ସମ୍ପର୍କ ବାପ ଘର ସହିତl ବୋଉ ସିନା ସବୁ ସମ୍ପର୍କକୁ ଯୋଡି କରି ରଖିଥିଲା l ଏତକ ତାର ଆଗରୁ ବୁଝିନେବା ଉଚିତ ଥିଲାl

ରାତିରେ ନା ଭଲ କରି ଖାଇଥିଲା ନା ଶୋଇଥିଲାl କଡ଼ ଲେଉଟେଇ ଲେଉଟେଇ ରାତି ପାହିଗଲା l ଆଜି ପ୍ରଥମ ବର୍ଷ ସେ ଭାଇକୁ ରାକ୍ଷୀ ପିନ୍ଧେଇବାରେ ଅସମର୍ଥ ହୋଇଛିl ହେଲେ ସବୁବର୍ଷ ପରି ରାକ୍ଷୀ ଗୋଟେ ପଠେଇ ଦେଇଥିଲେ ଏତେ କଥା ଘଟି ନଥାନ୍ତାl ମନ କିଛି ଅଘଟଣ ଆଶଙ୍କା ବି କରି ବସିଲା l

ସେ ଯାହା ହଉ ତା କର୍ତ୍ତବ୍ୟ ସେ କରିବl ଠାକୁର ଘରେ ଯାଇ କିଣିଥିବା ରାକ୍ଷୀକୁ ରଖିଦେଲା ପୂଜା କରିବା ପାଇଁ l ଟିକେ କିଛି ପିଠା ପଣା କରି ଭୋଗ ଲଗେଇଦେବ ଭାଇଙ୍କ ଶୁଭ ମନାସି l ଭାଈ ତାକୁ ମନେ ରଖନ୍ତୁ ବା ନରଖନ୍ତୁ ତା ମନ ତ ବୁଝିଯିବl

ଆଜି ଏମିତିରେ ଉଠୁ ଉଠୁ ଟିକେ ଡେରି ହୋଇଗଲାl ଶୀଘ୍ର ସେ ନିତ୍ୟକର୍ମ ସାରି ଦେଇ ରୋଷେଇ ଘରକୁ ବାହାରିଛି ହଠାତ ବାହାରେ କଲିଂ ବେଲ ବାଜିଲାl କିଏ ସେ ଏତେ ସକାଳୁ ! ସୁବୀର ଯାଇ କବାଟ ଖୋଲି ବଡ ଜୋରରେ ମୀନୁକୁ ଡାକ ପକେଇଲେ ଦେଖ କିଏ ସେ ଆସିଛନ୍ତି l ମୀନୁ ସେତେବେଳେ କାହାକୁ ଦେଖିବା ମୁଡରେ ନଥିଲା l

ସେ ଯିଏ ବି ହୁଅନ୍ତୁ ସେ ଦେଖିବାକୁ ଯିବନି କାହାକୁl କିଛି ନଶୁଣିଲା ପରି ସେ ରୋଷେଇରେ ମନ ଦେଲା l ବାହାରୁ ହସ ଶୁଭିଲା ଆରେ ଏତ ଭାଈଙ୍କ ହସ ପରି ଶୁଭୁଚି l ଅରେ ଏତ ସତରେ ଭାଈ ଆସିଛନ୍ତି l ଆଶ୍ଚର୍ଯ୍ୟ ହବ କି କାନ୍ଦିବ କି ଖୁସି ହେବ ମୀନୁ ବୁଝି ପାରୁ ନଥିଲା l ଭାଉଜ ଓ ପିଲା ମାନଙ୍କୁ ଧରି ଭାଈ ଆସି ହାଜରl ତୋ ରାକ୍ଷୀ ଠିକ ସମୟରେ ଏବର୍ଷ ନପାଇ ଭାବିଲି ଭୁଲି ଯାଇଛୁ ନା କଣ! ପୁଣି ଭାବିଲି ତତେ ଥରେ ଯାଇ ଦେଖି ଆସିଲେ କେମିତି ହୁଅନ୍ତା l ରାକ୍ଷୀ ପିନ୍ଧାକୁ ରାକ୍ଷୀ ପିନ୍ଧା ହୁଅନ୍ତ ବୁଲା ବି ହୁଅନ୍ତାl ତୋ ହାତ ରନ୍ଧା ବି ଅନେକ ଦିନରୁ ଖିଆ ହୋଇନି ସେ ସୁଯୋଗ ବି ମିଳି ଯାଆନ୍ତାl

କାଲି ତୁ କଲ୍ କଲା ବେଳକୁ ଆମେ ବଜାର ଯାଉଥିଲୁ ତୁମ ମାନଙ୍କ ପାଇଁ ଲୁଗା ପଟା କିଣିବାକୁ l ତତେ ସର୍ପ୍ରାଇଜ କରିବାକୁ ଆମର ଇଛା ଥିଲା ତେଣୁ ଫୋନ୍ ରଖିଦେଲିl ମୀନୁ ମନେ ମନେ ବହୁତ କିଛି ଖରାପ କଥା ଭାଇଙ୍କ ପାଇଁ ଭାବି ନେଇଥିଲାl କିନ୍ତୁ ମୁହଁ ଖୋଲି କିଛି କହି ନଥିଲା l କାଲି ଦିନ ସାରା ସେ ଯେତିକି କାନ୍ଦିଥିଲା ଆଜି ଶହେ ଗୁଣ ସୁଧ ମୂଳ ମିଶେଇ ସେ ଖୁସି ହୋଇଗଲା l ବିଧିର ବିଧାନର ଏ ଏକ ଅତୁଟ ସମ୍ପର୍କ l ସାମାନ୍ୟ କଥା ପଦକରେ କେବେ ତୁଟି ପାରେନା l

ମୀନୁ ତରତରରେ ରୋଷେଇ ଘରକୁ ଯାଇ ଆଜି କଣ କଣ ରୋଷେଇ କରିବାର ତାଲିକା ରଖିଥିଲା ତାହା ପରିବର୍ତ୍ତନ କରିଦେଲା l ନଅ ଠା ତିଅଣ ଛଅ ଠା ଭଜା କରିବାର ଆୟୋଜନରେ ଲାଗିଗଲା l ଭାଉଜ ବି ରୋଷେଇରେ ସାହାଯ୍ୟ କରିବା ପାଇଁ ସାଥିରେ ଗଲେ l

ଏ ବର୍ଷର ରାକ୍ଷୀ ପୂର୍ଣିମା ମୀନୁର ଜନ୍ମ ଜନ୍ମାନ୍ତର ପାଇଁ ମନେ ରହିବl



Rate this content
Log in

Similar oriya story from Classics