Shanti Mishra

Others

4  

Shanti Mishra

Others

ସ୍ମୃତିରୁ ଖିଏ

ସ୍ମୃତିରୁ ଖିଏ

2 mins
288



ଦେହ ଅସୁସ୍ଥ ଥିଲା ଅରୁଣାର। ବାହାର ଖାଦ୍ୟ ପୁରା ତାକୁ ମନା । ଏମିତିରେ କୌଣସି ଖାଦ୍ୟ ଖାଇବାକୁ ଇଛା ହେଉ ନଥିଲା । ବିଭିନ୍ନ ପ୍ରକାର ଅସ୍ଵାଦକର ଔଷଧ ଖାଇ ଖାଇ ପାଟି ପୁରା ସିଝି ଗଲାଣି । ପ୍ରାୟ ମାସେ ହେବ ଶେଯରେ । ଲିଭରରେ କିଛି ସମସ୍ୟା ଦେଖା ଦେଇଥିଲା । ଘର ଲୋକଙ୍କର ପୁରା ଆଖି ତା ଉପରେ ।


ଏବେ ଦେହ ଟିକେ ଟିକେ ଭଲ ହେବାକୁ ଲାଗିଲାଣି । ଖାଇବା ପ୍ରତି ଆଗ୍ରହ ବି ବଢିଲାଣି । ଫଳମୂଳ ସୁଖାଦ୍ୟ ସହିତ ଅଖାଦ୍ୟ ଯାହାକି ଦେହ ପକ୍ଷେ ହିତ ନୁହେଁ ତା ବି ଖାଇବାକୁ ଇଛା ହେଉଛି । ସେ ସବୁ ତା ପାଇଁ ପୁରା ମନା । ବାହାରକୁ ବି ଅନେକ ଦିନ ହେବ କୁଆଡେ ବୁଲିବାକୁ ଯିବା ହୋଇନି ।


ସାଙ୍ଗ ସାଥୀ ସବୁ ମନେ ପଡ଼ିଲେଣି । ଚାର୍ଟ, ଘୁଗୁନି, ଗୁପଚୁପ୍, ଦହିବରା ଆଳୁଦମ୍ ଖିଆ ସବୁ ମନେ ପଡିଲାଣି । ସ୍ଵାମୀ ରମେଶଙ୍କର ପୁରା ତାଗିଦା ଏସବୁ ବାହାର ଖାଦ୍ୟକୁ ପୁରା ଭୁଲି ଯିବାକୁ । ଥରେ ଦେହ ଖରାପ ସେମାନେ ସମ୍ଭାଳି ନେଲେ ଦ୍ଵିତୀୟ ଥର ହେଲେ ସେ ଦାୟୀ ହେବେ ନାହିଁ, ନିଜ କଥା ନିଜେ ବୁଝିବାକୁ ପଡିବ ।

ଏପରି ଚେତାବନୀ ବାକ୍ୟ ଶୁଣିବା ପରେ ଛାତି ଯେତିକି ଧକ୍ ଧକ୍ କରିଗଲା ମନଟା ବି ମରିଗଲା । ନା ସେ ତା ଦେହର ଯତ୍ନ ନେବ । ଏଇ ପାଞ୍ଚ ବର୍ଷ ହେବ ବାହାଘର ହୋଇଛି । ଦେହ ଖରପରେ ପଡ଼ିଗଲାଣି । ସତରେ କୋଉ ସ୍ଵାମୀଟା ଖୁସି ହୋଇ ଯିବ ।


ଏ ଘଟଣାର ମାସକ ପରେ ଥରେ ଅରୁଣାର ମାଉସୀ ଝିଅ ଭଉଣୀ ବିନି ତା ନିଜ ନଣନ୍ଦ ଘରକୁ ବୁଲି ଆସିଥିଲା । ତା ନଣନ୍ଦ ଏଇ ସହରରେ ରହେ । ଭଉଣୀ ବିନିକୁ ଦେଖା କରିବାକୁ ସମସ୍ତଙ୍କ ଅନୁମତି ନେଇ ଅରୁଣା ଯାଇଥିଲା । ଘରେ ବସି ବସି ବିରକ୍ତ ଲାଗିଲାଣି । ଏକ ବାହାନା ବି ମିଳିଗଲା ବାହାରକୁ ଯିବାକୁ ।


ସେମାନେ ଗୁପଚୁପ୍ ଦହିବରା ଘରେ ତିଆରି କରିଥିଲେ ତାକୁ ଖାଇବାକୁ ଦେଲେ । ଲୋଭ ସମ୍ଭାଳିବା ଭାରି କଷ୍ଟକର ହୋଇ ପଡିଲା । ପାଟିରୁ ଳାଳ ଗଡିବା ଆରମ୍ଭ ହୋଇଗଲା । ରମେଶଙ୍କୁ ଦେଇଥିବା କଥା ସେ ଭୁଲିଗଲା । ଘର ତିଆରି ଜିନିଷ ବାହାର ଅପେକ୍ଷା ନିଶ୍ଚୟ ଭଲ ହୋଇଥିବ । ଯଦିଓ ସେ ତା ଦେହ ଖରାପ କଥା କହିଥିଲା ମାଉସୀ ଝିଅ ବିନିକୁ । ସେ କହିଲା ଟିକେ ଖାଇଦେ କିଛି ହେବନି । ବଡ ଡାକ୍ତରଙ୍କ ପରି ସେ ଉପଦେଶ ଦେଇଦେଲା । ଆଉ ତା ଉପଦେଶକୁ ବହୁ ମୁଲ୍ୟବାନ ଭାବି ଅରୁଣା ବି ଗ୍ରହଣ କରି ନେଲା । ସେ ତ ଖୋଜୁଥିଲା କାକର ପାଣି, ବଇଦ କହିଲା ଦେ ତୋଡାଣି । କାହିଁ ଗ୍ରହଣ କରିବନି ଯେ ।


ଏ ସବୁ ଜିନିଷ କଣ କିଏ ଟିକିଏ ଖାଏ ! ଅନେକ ଦିନ ପରେ ଯେତେବେଳେ ପାଟି ଚାଖୁଛି ଖାଉ ଖାଉ ବହୁତ ଟିକେ ଖାଇ ହେଇଗଲା । ରାତି ସାରା ସେ ଶୋଇନି । ପେଟରେ ଭୀଷଣ ଯନ୍ତ୍ରଣା । କାହାକୁ କିଛି କହିଲାନି । ରମେଶ ନିଶ୍ଚୟ ଘରୁ ବାହାର କରିଦେବେ । ଘରେଥିବା ପୂର୍ବର କିଛି ଔଷଧ ଖାଇ ଯେମିତି ସେମିତି ହେଉ ରାତି ସାରା ଛଟପଟ ହୋଇ ରାତି ପାହିଲା । ଭାବିନେଲା ଆଜି ହୁଏତ ଜୀବନର ଶେଷ ରାତ୍ରି ।


କିନ୍ତୁ ନା ସକାଳକୁ ସେ ବଞ୍ଚିଥିଲା । ଯନ୍ତ୍ରଣା ବି ବହୁତ କମି ଯାଇଥିଲା । ଦୁଇ ଦିନ ଲାଗିଲା ଦେହ ପୂର୍ବ ଅବସ୍ଥାକୁ ଫେରିବାକୁ । ଏଥରକ ଏ ସବୁ ଚଟପଟି ବାହାର ଖାଦ୍ୟରୁ ସନ୍ୟାସ ନେବାର ବେଳ ଆସିଗଲା । ଶରୀର ସୁସ୍ଥ ଥିଲେ ସଂସାର ଅଛି ନଚେତ କିଛି ନାହିଁ ।



Rate this content
Log in