ABhimanyu Panda

Inspirational Crime

3  

ABhimanyu Panda

Inspirational Crime

ଅପରାଧୀ

ଅପରାଧୀ

9 mins
378



ସତରେ ଜନ୍ମ ମାଟିରେ ଗୋଟେ ଅଲଗା ମହକ ଥାଏ । ମଞ୍ଜିରୁ ଦ୍ରୁମ ହେଲାପରେବି ଏଇ ଜନ୍ମମାଟିର ମହକକୁ ବାରିଲା ପରେ ଯାଇ ପ୍ରତ୍ୟେକଟି ମଣିଷ ଚିରନିଦ୍ରାକୁ ଉପଲବ୍ଧ ହୁଏ । ଜନ୍ମ ମାଟିର ସେ ଧୂଳିଧୁସରିଆ ସ୍ମୃତିରେ ବାସହୀନ କାଗଜ ଫୁଲରୁ ବି ଝରିଆସେ ଭିନିଭିନି ବାସ୍ନା । ସେ ବାଲ୍ୟବନ୍ଧୁ, ସେ ଆମ୍ବତୋଟା, ସେ ମନ୍ଦିର ବେଢ଼ା ପ୍ରତ୍ୟେକଟିର ଅଲଗା ଅଲଗା ବାସ୍ନା ରହିରହି ଆନ୍ଦୋଳିତ କରିଦିଏ ମନକୁ । ଶରୀର ଯେଉଁଠିଥାଉନା କାହିଁକି ମନ ସବୁବେଳେ ଟିକେ ନିରୋଳା ଖୋଜୁଥାଏ ସେ ଜନ୍ମମାଟିକୁ ଛୁଇଁବାକୁ । ମନେ ପଡ଼ିଯାଏ ସାଙ୍ଗମାନଙ୍କ ସହିତ ବିତିଥିବା ଅଭୁଲା ମୁହୂର୍ତ୍ତ ସବୁ । ଧୂଳିଘର ତିଆରି ବୋହୁଚୋରି ଆହୁରି ଅନେକ । ବେଳେବେଳେ ବିନା କାରଣର ଆମ୍ପୁଡ଼ାଆମ୍ପୁଡ଼ି କନ୍ଦାକଟା ପୁଣି ନିମିଷକ ମଧ୍ୟରେ ସବୁ ଭୁଲିଯାଇ ମିତ ବସିଯିବାର ସେ ଅନୁଭୂତି । ଆମ ପିଲାମାନଙ୍କ ଝଗଡ଼ା ଭିତରେ ସମୟେ ସମୟେ ବଡମାନଙ୍କ ସମ୍ପୃକ୍ତି । ଏମିତି ଅନେକ ଅସରନ୍ତି ...। 


ସେ ଭିତରୁ ଏମିତି କିଛି ସ୍ମୃତି ଚିର ଅମର ହେଇ ରହିଯାଏ ଆମ ଜୀବନରେ । ଆପେ ଆପେ ସାଇତି ହେଇଯାଏ ହୃଦୟ ଭିତରେ । ଜୀବନର ଚାଳିଶ ବସନ୍ତ ପାର କରିସାରିଲିଣି ଗାଁ ଛାଡିବାପରେ ପନ୍ଦର ବସନ୍ତ । ହେଲେ ସବୁ ଯେମିତି କାଲିପରିକା ଲାଗୁଛି । ଏମିତି ଲାଗୁଛି ମୋର ସମସ୍ତ ବାଲ୍ୟବନ୍ଧୁ ମତେ ଦୁରେଇଦେଇଛନ୍ତି ମୋ ବିନା ସେମାନେ ଓଦାଳିଆ ବାଲିରେ ତିଆରି କରୁଛନ୍ତି ବେଙ୍ଗପଲା ସବୁ । ମୁଁ ଯେମିତି ତିରସ୍କୃତ ହେଇଯାଇଛି ସେ ଅହଙ୍କାର ଶୂନ୍ୟ ବନ୍ଧୁତାରୁ । 


ଆଜି ପନ୍ଦର ବର୍ଷପରେ ଜନ୍ମମାଟିକୁ ଛୁଇଁଲାପରେ ମୋ ଦେହରେ ଖେଳିଗଲା ଅଫୁରନ୍ତ ଶିହରଣ । ଭାବନା ବ୍ୟତୀରେକ ଆଖି ଛଳ ଛଳ ହେଇଗଲା । ବସଷ୍ଟାଣ୍ଡ ବାହାରର ସେ ବରଗଛ ଯେମିତି ମୋ ଆସିବାକୁ ଅପଲକେ ଚାହିଁ ରହିଥିଲା ମତେ ଦେଖିବାମାତ୍ରେ ମଳିନ ଉଷାରେ ଗଛଟି ପ୍ରକମ୍ପିତ ହେଇଗଲା ପକ୍ଷୀରବରେ । ପୂର୍ବାପେକ୍ଷା ଗଛଟି ଝଙ୍କାଳିଆ ହେଇଯାଇଛି କେତେଗୁଡ଼ିଏ ଉପଗଛ ସୃଷ୍ଟି କରିଛି ନିଜ ଓହଳରୁ । ଚାରି ପାଖରେ ନୂଆକରି ତିଆରି ହେଇଥିବା କଂକ୍ରିଟ ପହଣ୍ଡ ଉପରେ ବିଛୁରିତ ପକ୍ଷୀ ମଳର ଝୋଟି । ଏମିତି ଭାବନାରେ ହଜିଥିବା ବେଳେ ହଠାତ ଗାଡ଼ିଟି ବ୍ରେକକଲା ।


 ଆଖିଟେକି ଚାହିଁଲି ଓଃ ! ମୋ ଘର ...ଆମ ଘର...ଏ କାହିଁକି କେଜାଣି ଭାରି କାନ୍ଦିବାକୁ ଇଚ୍ଛାହେଉଥିଲା ହେଲେ ପାରିଲିନି । ପିଲାମାନଙ୍କୁ ସାଙ୍ଗରେ ଧରି ବେଲ ବଜାଇବାକୁ ଉଦ୍ୟତ ହେଉଥିବା ବେଳେ ଧଡ଼ କରି କବାଟ ଖୋଲିଗଲା । ଆଉ ସମ୍ଭାଳି ପାରିଲିନି  ପୂର୍ବବତ ବଡ଼ ସିନ୍ଦୂର ଟୋପାଟିଏ ମଥାରେ ସଜେଇ ଦେବୀ ପ୍ରତିମ ମୋ ବୋଉ ସାମ୍ନାରେ ଦେଖି ଧାଇଁଗଲି ଲୋଟିଗଲି ତା କାନ୍ଧରେ  ଏବେବି ସେ କାନ୍ଧରେ ଅନେକ ବଳ ସେ ହାତଛୁଆଁରେ ସେଇ ପୁରୁଣା ମମତାର ଆବିଳତା । ନିଜ ଆଖିରୁ ଲୁହ ପୋଛିପୋଛି କହିଲା ଯା ମା ଭିତରକୁ ଯା ତୋ ପୁଅଝିଅଙ୍କୁ ଟିକେ ଦେଖିବାକୁ ଦେ ମତେ । ସେଦିନ ପ୍ରଥମଥର ମୋ ପିଲାମାନଙ୍କ ଉପରେ ମୋର ଈର୍ଷା ହେଉଥାଏ ।


ଘରେ ପଶିଲା ପରେ ମୋ ଆଖି ଘୁରିବୁଲୁଥିଲା ମୋ ବାପାଙ୍କୁ ଦେଖିବାକୁ । ହାତରେ ଚା କପ ଧରି ଛଳଛଳ ଆଖିରେ ଧିରେଧିରେ ଆସୁଛନ୍ତି । ଦୌଡ଼ିଗଲି ....ସେ ପାଦକୁ ଛୁଇଁବା ମାତ୍ରେ ସୁରକ୍ଷାର ଦୁଇଟି ହାତ ମୋ ମଥାକୁ ଛୁଇଁ ଜନ୍ମଜନ୍ମରେ ମତେ ସୁରକ୍ଷା ଦେବାପାଇଁ ପ୍ରତିଶୃତି ଦେଉଥିଲା । ଯା ମା ଯା ନିତ୍ୟକର୍ମ ସାରି କଣ ଦିଟା ଖାଇଦବୁ ବାଷ୍ପରୁଦ୍ଧ କଣ୍ଠରେ ବାପା ଏତିକି କହି ବଢ଼ିଗଲେ ନାତିନାତୁଣୀଙ୍କ ପାଖକୁ । 


ମୋ ବୋଉ ମୋ ସ୍ୱାମୀଙ୍କ ଛାତିରେ ମୁଣ୍ଡରଖି ଅବୋଧ ଶିଶୁଟିଏ ପାଲଟି ଯାଇଛି । ମୋ ସ୍ୱାମୀ ବୋଉକୁ ଧରି ଘରକୁ ନେଇଆସିଲେ । ନିତ୍ୟକର୍ମସାରି ୟାଡୁସ୍ୟାଡୁ କଣ ଦିଟା ଖାଇଦେଇ ମୁଁ ଚାଲିଲି ...ଡମରୁକାକାଙ୍କ ପାଖକୁ । 


ଡମରୁ କାକା ଡମରୁ କାକା କୋଷେ ଦୂରରୁ ଚିଲେଇ ଚିଲେଇ ପଶିଗଲି ତାଙ୍କ ଘରକୁ । ଘରେ ଜଣେ ଭେଣ୍ଡିଆ ପିଲାକୁ ଦେଖି ମନେ ମନେ ଭାବିଲି ଡମରୁ କାକାର ପୁଅ ହେଇଥିବ ଏ ତାକୁ କିଛି କହିବା ଆଗରୁ ସେ କହିଲା ଆପଣ ଜ୍ୟୋତି ଅପା ନା ? ମୁଁ ଆଶ୍ଚର୍ଯ୍ୟ ! ବାପା ବାପା ଦେଖିବ ଆସ ଜ୍ୟୋତି ଅପା ଆସିଛନ୍ତି । ମୁଁ ବଜାରରୁ ଜଳଖିଆ ନେଇଆସେ । 


କାଳିଆ ସଳଖ ବୁଢ଼ାଟେ ବାହାରି ଆସିଲେ ପୁଅର ଡାକରେ । କିଏ ? ବାସ ଏତିକି ବହୁତ ଥିଲା ମୋ ପାଇଁ  ମୁଣ୍ଡ ନୁଆଁଇଦେଲି ମୁଁ ସେ ପାଦ ଛୁଇଁବାକୁ । ଆଉ ମା ତୋ ପୁଅଝିଅ ଦିଜଣ କୁଆଡ଼େ ଗଲେ ?


 କାକା ଘରେ ବାପା ବୋଉ ଆଉ ଏଠି ତମେ ବି ସେଇ ପୁଅଝିଅଙ୍କ କଥା ପଚାରୁଛ ମୁଁ କଣ ଏତେ ବଡ଼ହେଇଗଲିଣି ? ତମ କାନ୍ଧରେ କଣ ଆଉ ସେ ଶକ୍ତି ନାହିଁ ମତେ ପରବ ବୁଲେଇ ଦେଖେଇ ଆଣିବ ? ଦୁଇବୁନ୍ଦା ଲୁହ ଝରିପଡ଼ିଲା ମୋ ଆଖିରୁ । ଟିକେବି ବଦଳିନି ମୋ ଝିଅ ଯେମିତି ଥିଲା ଏବେବି ସେଇଆ । ହଉ ମା କହ କେମିତି ଅଛୁ ? ଜ୍ୱାଇଁପୁଅ ଆମର କେମିତି ଅଛନ୍ତି ତମ ମାନଙ୍କ ମଙ୍ଗଳରେ ଆମର ଖୁସି । ଠାକୁର ଆମ ଭାଗର ଖୁସି ଯାକ ତମମାନଙ୍କ ଉପରେ ଅଜାଡ଼ି ଦିଅନ୍ତୁ । ଆରେ ମା ଏତେଦିନ ସବୁ ନ ଆସି ରୁହନ୍ତି । ତମକୁ ପାଖରେ ନଦେଖି ଏ ବୁଢ଼ା ବୟସରେ ମନ କେତେ ଅଥୟ ହୁଏ ଜାଣିଛୁ ! ଏଥର ଆଉ ଡେରି କରିବୁନି ମଝିରେ ମଝିରେ ଏମିତି ଆସି ଦେଖିଯିବୁ ଆମକୁ ଶୁଖିଲା ପତ୍ର ଆମେ କେତେବେଳେ ଝଡ଼ିପଡ଼ିବୁ । 


ମୋର କାହିଁକି ଇଛା ନଥିଲା କାକାଙ୍କର ଭାବନାତ୍ମକ କଥାରେ ନିଜକୁ ଅନ୍ତର୍ଭୂକ୍ତ କରିବାକୁ । ମନରେ ଗୋଟିଏ ଜିଜ୍ଞାସା କାକାଙ୍କ କଥା କାଟି ପଚାରିଦେଲି କିଛି ଖବର ପାଇଲ କାକା ? କିଛିକ୍ଷଣ ମତେ ନିରେଖି ଦେଖିଲା ପରେ ଦୀର୍ଘଶ୍ଵାସ ଟିଏ ପକେଇ କାକା ନା'ରେ ମୁଣ୍ଡ ହଲେଇଦେଲେ । କାହିଁକି ଏତେ ଆବିଳତା ତୋ ମନରେ ମା '? ପାଖାପାଖି ତିରିଶ ବର୍ଷ ତଳର କଥାକୁ ଏତେ ସାଇତି ରଖିଛୁ କାହିଁକି ? ସେଥିରେ ତୋର କଣ ବା ଦୋଷ ଥିଲା ? ନିଷ୍ପାପ ଛୁଆ ଥିଲ ତମେ ଦୁହେଁ । ଛଳ ଛଳ ଆଖିରେ କାକାଙ୍କୁ କହିଲି କାକା ଏ ଜୀବନ ପରା ତମର ଯଦି ତମେ ନଥାନ୍ତ ? ଏ ଜ୍ୟୋତି ସବୁଦିନ ପାଇଁ ଲିଭି ଯାଇଥାନ୍ତା । ହଁରେ ମା ସବୁ ମନେଅଛି ମୋର  ଭଗବାନ ହିଁ ତତେ ରଖିଛନ୍ତି ମୁଁ ଏ ମୂର୍ଖ ଆଦିବାସୀ ମଣିଷଟି ତୁ ଆଉ ମତେ ଏମିତି ବଡ଼ବଡ଼ କଥା କହି ଦୁରେଇ ଦେନି ମା । ନାଇଁ କାକା । 


ମନେ ପକେଇଲ ଟିକେ ସେ ସମୟକୁ ସବୁ କେମିତି ଜଳଜଳ ଦିଶୁଛି । ଆଖି ଆଗରେ ନାଚିଗଲା ୧୨/୧୩ ବର୍ଷ ଝିଅର କଅଁଳ ଛନ୍ନଛନ୍ନ ମୁହଁଟା ଆରେ ଏତ ମୁଁ ନିଜେ । ଆଉଗୋଟେ କଅଁଳିଆ ମୁହଁବି ଦିଶୁଛି ହଁ ହଁ ଏତ ସେଇ ଯାହାକୁ ମୁଁ ଦୀର୍ଘ ତିରିଶ ବର୍ଷ ହେବ ଖୋଜୁଛି ଅବିଶ୍ରାନ୍ତ ଭାବେ । ମୋ ମିତ ମକର  ସଙ୍ଗାତ ଜୟନ୍ତୀକୁ । 


କେଡ଼େ ସୁନ୍ଦର ସେ ସମୟ ସବୁ । ସଢ଼େଇ ଖେଳ ନୂଆବୋହୁ ଖେଳ କେତେ କଣ ? ଜୟନ୍ତୀର ବାପା ଥିଲେ ଜଣେ ପ୍ରଶାସନିକ ଅଧିକାରୀ ଆଉ ମୋ ବାପା ଜଣେ ଶିକ୍ଷକ । ଆମର ରହିବା ଜାଗା ପାଖାପାଖି  ପାଠପଢ଼ା ଗୋଟିଏ ବିଦ୍ୟାଳୟରେ  ଟିୟୁସନ ବି ଗୋଟେ ଜାଗାରେ । କେବେକେବେ ତ ଏମିତି ହୁଏ ମୁଁ ଜୟନ୍ତୀ ପାଖରେ ରାତିରେ ଶୋଇଯାଏ ତାଙ୍କ ଘରେ ଆଉ କେବେ ଜୟନ୍ତୀ ଆମ ଘରେ । କହିବାକୁ ଗଲେ ଚବିଶଘଣ୍ଟା ଆମ ଦୁହେଁ ସାଥିହେଇ ରହୁଥିଲୁ । 


ଜୟନ୍ତୀର ବାପାଙ୍କର ମୋ ବାପାଙ୍କ ସହିତ ବି ବନ୍ଧୁତା ହେଇସାରିଥିଲା । ସେ ବନ୍ଧୁତା ହୁଏତ ଜୟନ୍ତୀର ବାପାଙ୍କର ଆବଶ୍ୟକ ଥିଲା  କାରଣ କୋରାପୁଟରେ ସେ ନୂଆଥିଲେ ସେଠାରେ ଚଳଣୀ ଓ ସାଂସ୍କୃତିକ ପରିବେଶକୁ ଜାଣିବା ପାଇଁ ମୋ ବାପାଙ୍କ ପରି ଜଣେ କୋରାପୁଟିଆ ବନ୍ଧୁଙ୍କର ଆବଶ୍ୟକ ଥିଲା । ସେମାନଙ୍କ ବନ୍ଧୁତା ଅପେକ୍ଷା ଜୟନ୍ତୀ ଆଉ ମୋର ବନ୍ଧୁତା ଥିଲା କିନ୍ତୁ ନିଆରା ଆମ ଭିତରେ ଥିଲା ନିଚ୍ଛକ ବନ୍ଧୁତା । 


ମୋ ବାପା ବେଳେବେଳେ ମୋ ଉପରେ ରାଗନ୍ତି ଜୟନ୍ତୀ ସହିତ ମୋର ଅନ୍ତରଙ୍ଗତାକୁ ନେଇ ବାପାଙ୍କ କଥାକୁ ଶୁଣି ବୁଝିବାର ବୟସ ହେଇନଥିଲା । ଟିକେ ମୁହଁ ଫୁଲେଇ ଧାଇଁଯାଏ ମୋ ମିତ ପାଖକୁ । ଡମରୁ କାକା ଥିଲେ ଜୟନ୍ତୀ ବାପାଙ୍କର ଅର୍ଦଳି  ପୂର୍ଣ୍ଣ ସମର୍ପିତ ଆଜ୍ଞାକାରୀ ମଣିଷଟି । ସରଳ ସ୍ୱଭାବର ମଣିଷ କାହିଁକି କେଜାଣି ମତେ ବେଶି ଭଲ ପାଆନ୍ତି ଯେମିତି ମୁଁ ତାଙ୍କ ଝିଅ । ମତେ ବି ତାଙ୍କ ସାନିଧ୍ୟ ଭଲଲାଗେ । 


ଦିନେ ଡମରୁ କାକା ମତେ ପରବ(ମେଳା) ବୁଲେଇ ନେଇଥିଲେ କେତେକଣ ଖାଇବାକୁ ଦେଇଥିଲେ କିଣିଦେଇଥିଲେ ଗୋଟେ ସୁନ୍ଦର ଛୋଟିଆ କଣ୍ଢେଇ । ମୋ ମନ ସାତ ସ୍ଵର୍ଗରେ ସେ ସୁନ୍ଦରିଆ କଣ୍ଢେଇଟି ପାଇ । ତାପରଦିନ ସଂଧ୍ୟାରର ମୁଁ ସେ କଣ୍ଢେଇଟି ମୋ ବସ୍ତାନୀରେ ଧରି ଟିୟୁସନ ପଢ଼ିବାକୁ ଜୟନ୍ତୀଙ୍କ ଘରକୁ ଯାଇଥିଲି । ସେ କଣ୍ଢେଇଟି ଦେଖିବା ମାତ୍ରେ ମୋ ମିତ ଜିଦି ଧରିଲା ସେ କଣ୍ଢେଇଟି ନେଇଯିବାକୁ । ମୁଁ ନଛୋଡ଼ବନ୍ଧା ଏଇଟି ମତେ ଡମରୁ କାକା ଦେଇଛନ୍ତି ପରବରୁ । ଶେଷରେ ଆମେ ଚୁଟି ଧରାଧରି ହେଇ କାନ୍ଦିବାକୁ ଲାଗିଲୁ । ବାଳ ଚପଳତାରେ ଦୁହେଁ ଅବୁଝା ହେଇଯାଇଥିଲୁ । ମୁଁ ମୋର ଝର କଲମରେ ମୋର ମିତର କଅଁଳିଆ ଗାଲକୁ କେଞ୍ଚିଦେଇଥିଲି  । ଧାର ଧାର ଲହୁ ଗଡ଼ିଆସିଲା ତାହା ଦେଖି ଆମେ ଦୁହେଁ କାନ୍ଦିଉଠିଲୁ । ଆମ କାନ୍ଦଣା ଶୁଣି ଜୟନ୍ତୀର ମା ଧାଇଁ ଆସିଲେ ଘର ଭିତରୁ । ଜୟନ୍ତୀର ରକ୍ତ ଦେଖି ଆମକୁ ବୁଝେଇବା ପରିବର୍ତ୍ତେ ନିଜେ ପରିସ୍ଥିକୁ ବୁଝିବା ବଦଳରେ ମତେ ପେଲିପେଲି ତାଙ୍କ ଘରୁ ବାହାର କରିଦେଇଥିଲେ । ଆଉ କେବେ ତାଙ୍କ ଘରକୁ ନଆସିବା ପାଇଁ ତାଗିଦ କରିଥିଲେ । ଏସବୁ କଥା ସରଳିଆ ଡମରୁ କାକା ଦେଖୁଥିଲେ ଦୂରରେ ଥାଇ । ମୁଁ କାନ୍ଦିକାନ୍ଦି ଘରକୁ ଫେରି ମୋ ବୋଉକୁ ସବୁ ଜଣେଇଲି ଆଉ ବୋଉ ବାପାଙ୍କୁ ।


ତାପରଦିନଠାରୁ ଆରମ୍ଭ ହେଇଥିଲା ଅସଲ କାହାଣୀ ଜଣେ ସାଧାରଣ ଶିକ୍ଷକଙ୍କ ଝିଅ ଜଣେ ପ୍ରଶାସନିକ ଅଧିକାରୀଙ୍କ ଝିଅକୁ ମାରି ଲହୁଲୁହାଣ କରିବା କଥାଟା କୋରାପୁଟ ଭଳି ଛୋଟିଆ ସହରରେ ପବନ ବେଗରେ ପ୍ରଚାରିତ ହେଇଯାଇଥିଲା । ବିଦ୍ୟାଳୟରେ ଜୟନ୍ତୀର ବୋଉ ସବୁ ଶିକ୍ଷକ ମାନଙ୍କୁ ପୂର୍ବ ଘଟଣାକୁ ବଢ଼େଇଚୁଢେଇ କହି ଜୟନ୍ତୀ ମୋ ସହିତ ଯେମିତି ନମିଶେ ସେ ବିଷୟରେ ତାଗିଦ କରିଦେଇଥିଲେ । ପୁରା କୋରାପୁଟ ପାଇଁ ମୁଁ ଯେମିତି ଗୋଟେ ବଡ଼ ଅପରାଧୀ ପାଲଟି ଯାଇଥିଲି । ମୁଁ ଅପରାଧ ବୋଧରେ ଜର୍ଜରିତ ହେଇଯାଇଥିଲି । ବହୁବାର ଚେଷ୍ଟା କରିବି ମୁଁ ଜୟନ୍ତୀ ସହିତ କଥା ହେଇପାରିନଥିଲି । ଜୟନ୍ତୀ ମନରେ ମୋ ବିରୁଦ୍ଧରେ ବିଷ ଭରି ଦିଆଯାଇଥିଲା । ସେ କଣ୍ଢେଇକୁ ମୁଁ ସମସ୍ତଙ୍କ ଆଖି ଆଢୁଆଳରେ କେତେଥର ଯାଚିଛି ଜୟନ୍ତୀକୁ ହେଲେ ଜୟନ୍ତୀ କଥାହବା ତ ଦୂରର କଥା ମତେ ଆଡ଼ ଆଖିରେ ଚାହେଁନି । ବାର/ତେର ବର୍ଷର ମୋର କଅଁଳିଆ ମନରେ ସେସମୟର ଘଟଣା ଗଭୀର କ୍ଷତ ସୃଷ୍ଟି କରିଥିଲା । ଜୟନ୍ତୀ ବିନା ମୋ ଜୀବନ ମତେ ମୂଲ୍ୟହୀନ ଲାଗିଥିଲା । 


ଏ ମୂଲ୍ୟହୀନ ଜୀବନକୁ ଶେଷ କରିବାର ନିଷ୍ପତି ନେଇସାରିଥିଲି ମନେମନେ । ଦିନେ ସନ୍ଧ୍ୟାରେ ଆମ ଘରେ ସମସ୍ତେ ନିଜନିଜ କାମରେ ବ୍ୟସ୍ତ ଥିବାବେଳେ ମୁଁ ଘରୁ ବାହାରିଆସିଲି । ସିଧା ଚାଲିଲି ଚନ୍ଦନ ପୋଖରୀ ଆଡ଼େ । ସେତେବେଳେ ଚନ୍ଦନପୋଖରୀ ଆଖପାଖ ପୁରାଜଙ୍ଗଲିଆ ଥିଲା କହିବାକୁ ଗଲେ ପୁରା କୋରାପୁଟ ସନ୍ଧ୍ୟାରେ ଅନ୍ଧାର କୋଳରେ ଶୋଇଯାଏ । ଚନ୍ଦନପୋଖରୀ ପାଖରେ ପହଞ୍ଚି ପୋଖରୀକୁ ଲମ୍ଫ ମାରିବାକୁ ଉଦ୍ୟତ ହେଲା ସମୟରେ କେହିଜଣେ ମତେ କୋଳେଇ ନେଇ ନିଜ ହୃଦୟରେ ଲଗେଇ ଜୋରଜୋରରେ କାନ୍ଦୁଥିଲେ । ମୋର ବୁଝିବା ଡେରି ହେଲାନି କି ଏ ହେଉଛନ୍ତି ଡମରୁ କାକା । ମତେ କେବଳ ଏତିକି କହିଲେ ମାରେ ....ମୁଁ ଯଦି ଜାଣିଥାନ୍ତି ସାମାନ୍ୟ କଣ୍ଢେଇ ପାଇଁ ମୋ ଝିଅ ମୋ ପାଖରୁ ଦୁରେଇ ଯିବ ତାହେଲେ ମୁଁ କେବେବି ତତେ ସେ କଣ୍ଢେଇ କିଣିଦେଇ ନଥାନ୍ତି । 


କାକା ମୋର ଏ କଣ୍ଢେଇ ଦରକାର ନାହିଁ ତମେ ଯଦି ଏ କଣ୍ଢେଇକୁ ଜୟନ୍ତୀକୁ ଦେଇପାରିବ ତାହେଲେ ମୁଁ ତମ ସାଙ୍ଗରେ ଯିବି ନହେଲେ .....ଏତିକି କହି ମୁଁ କାନ୍ଦିବାକୁ ଲାଗିଲି ରଡ଼ିମାରି । ମାପୁରୁ ରାଣଖାଇ କହୁଛିରେ ଝିଅ ତୋର ଏ କଣ୍ଢେଇକୁ ମୁଁ ନିଶ୍ଚିନ୍ତ ଜୟନ୍ତୀକୁ ଦେଇଦେବି । ତତେବି ଆଜି କଥା ଦବାକୁ ପଡ଼ିବ ତୁ ମନଲଗେଇ ପାଠ ପଢ଼ିବୁ ରାଜକୁମାର ପରି ଜ୍ୱାଇଁଟିଏ ଆସିବ ଆମର । ମତେ ଡାକିବୁ ତୋ ବାହାଘରକୁ ହେଲା । 


ଏତିକି କହି କାକା ମତେ ତାଙ୍କ କାନ୍ଧରେ ବସେଇ ଘରକୁ ଫେରିଥିଲେ । ମୁଁ ଶୋଇଲା ପର୍ଯ୍ୟନ୍ତ ମୋ ପାଖରେ ବସି ରହିଲେ ସେଦିନ । ମୁଁ ଶୋଇଗଲା ପରେ ମୋ ବାପାଙ୍କୁ ସବୁ କଥା କହି ମତେ କୋରାପୁଟରେ ନରଖି ଅନ୍ୟତ୍ର କେଉଁଠି ରଖି ପାଠପଢେଇବାକୁ ଅନୁରୋଧ କରିଥିଲେ । 


ତାପରଦିନ ସକାଳୁ ବାପା ମତେ ଆଉ ବୋଉକୁ ସାଙ୍ଗରେ ଧରି କୋରାପୁଟର ଆଉ ଏକ ସୁନ୍ଦର ସହର ଉପତ୍ୟକା ସହର ଜୟପୁର ଯାଇଥିଲେ ସେଠି ବିଦ୍ୟାଳୟରେ ମୋର ନାମ ଲେଖାଇ ଆମର ରହିବା ବ୍ୟବସ୍ଥା କରିଦେଇଥିଲେ । ମୋର ସାନସାନ ଦୁଇଭାଇ ମଧ୍ୟ ଆମପାଖରେ ରହିଥିଲେ । ବାପା ଏକା ରହିଲେ କୋରାପୁଟରେ । ଡମରୁ କାକାଙ୍କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ମୁଁ ପାଠପଢ଼ାରେ ମନୋନିବେଶ କଲି ମନରେ ଏଇ ବିଶ୍ୱାସ ରଖି ଯେ ଡମରୁ କାକା ଯେମିତିହେଲେ ସେ କଣ୍ଢେଇକୁ ମୋ ମକର ଜୟନ୍ତୀକୁ ଦେଇଦେବେ ।


କିଛିଦିନ ପରେ ଜୟନ୍ତୀର ବାପାଙ୍କର ବଦଳି ହେଇଯାଇଥିଲା  ସେମାନେ କୋରାପୁଟ ଛାଡ଼ି ସାରିଥିଲେ ଆଉ ଆମେ ଫେରି ଅସସିଥିଲୁ ଆମ ପୁରୁଣା ଘର କୋରାପୁଟକୁ । ଡମରୁ କାକା ମତେ କହିଥିଲେ ମା'ରେ ମୁଁ ତୋର ସେ କଣ୍ଢେଇକୁ ଦେଇଦେଇଛି ଜୟନ୍ତୀକୁ । ଭାରି ଖୁସି ହେଉଥିଲା କଣ୍ଢେଇଟି ପାଇ । ତତେ ପଚାରୁଥିଲା ଆଉ ପୁଣି ତତେ ଦେଖା କରିବାକୁ ଆସିବ କହିଛି । ଖୁସି ହେଇଗଲା ମୋ ମନ । ହାଲକା ହାଲକା ଲାଗିଲା ମତେ । ମୋ ଜୀବନଦାତା ଡମରୁ କାକା ଏ ଭିତରେ ମୋ ପାଇଁ ପିତୃତୁଲ୍ୟ ପୂଜ୍ୟ ପାଲଟି ଯାଇଥିଲେ । ମୁଁ ମଧ୍ୟ ତାଙ୍କପାଇଁ ତାଙ୍କ ପିଲାମାନଙ୍କ ଠାରୁ କିଛି କମନଥିଲି ।


ସମୟ ଗଡିଚାଲିଲା ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟର ଶିକ୍ଷା ଉତ୍ତୀର୍ଣ୍ଣ ହେଲାପରେ ଯେତେବେଳେ ମୁଁ ପୁଣି କୋରାପୁଟ ଫେରିଲି ଡମରୁ କାକା ମତେ ସତ କହିଲେ କି ମାରେ ତୋ କଣ୍ଢେଇ ମୁଁ ତୋର ମକର ଜୟନ୍ତୀକୁ ଦେଇପାରିଲିନି ଅନେକ ଚେଷ୍ଟା ପରେ । ମନରେ ଶୂନ୍ୟତା ବ୍ୟାପ୍ତ ହେଇଗଲା ପୁଣି ଆଖିଆଗରେ ନାଚିଗଲା ଅତୀତ । ହେଲେ ମୁଁ ରାଗିବା ବଦଳରେ ଡମରୁ କାକାଙ୍କ ଉପରେ ଖୁସି ହେଇଥିଲି । ତାଙ୍କର ଟିକିଏ ମିଛ ମତେ ଅତୀତର ସେ ଘୋର ଅନ୍ଧାର ଭିତରୁ କାଢ଼ି ଆଣିଥିଲା । ଡମରୁ କାକା ସେ କଣ୍ଢେଇ ଦେଖେଇ କହିଲେ ଝିଅରେ ଏଇଟି ମୋ ପାଖରେ ଥାଉ ଯେବେବି ତୋ ମକର ତତେ ଖୋଜିଖୋଜି କୋରାପୁଟ ଆସିବ ମୁଁ ତାକୁ ତୋର ଏଇ କଣ୍ଢେଇଟି ଦେଇଦେବି ।


ଏ ଭିତରେ ମୋର ବିବାହ ହେଇଯାଇଛି । ବିଦେଶରେ କାର୍ଯ୍ୟରତ ମୋ ସ୍ୱାମୀଙ୍କ ସହିତ ଦୀର୍ଘ ପନ୍ଦର ବର୍ଷ ବିଦେଶରେ ରହିଲି । ଦୁଇଟି ସନ୍ତାନଙ୍କର ଜନନୀ ହେଇଛି ନିଜେ । ହେଲେ ରହିରହି ମୋର ମୋ ପିଲାଦିନ ମନେପଡ଼େ ମନେପଡ଼େ ସେଇ ନିର୍ଦ୍ଦିଷ୍ଟ ଘଟଣାଟି । ମୋ ମିତ ଜୟନ୍ତୀ କଥା । ସତରେ କଣ ମତେ ଖୋଜୁଥିବ ! 


ଦୋଷ ଜୟନ୍ତୀର ନଥିଲା  ସେତ ମୋ ପରି ଚପଳମତି ଥିଲା ମୋପରି । ଆମ ଦୁହିଁଙ୍କ ନିସ୍ୱାର୍ଥ ସମ୍ପର୍କରେ ବାଧକ ସାଜିଥିଲା ଜୟନ୍ତୀ ବାପା ବୋଉଙ୍କର ଅହଙ୍କାର । ସେମାନେ ନିଜର ପଦବୀକୁ ଗୁରୁତ୍ୱଦେଇ ମାନବିକ ସମ୍ପର୍କକୁ ଜଳାଞ୍ଜଳି ଦେଇଦେଇଥିଲେ । ଯଦି ଡମରୁ କାକା ନଥାନ୍ତେ ଗୋଟେ ନିଷ୍ପାପ ଜୀବନର ଅନ୍ତ ହେଇଯାଇଥାନ୍ତା । ଏସବୁରେ ସେ ପାଇଲେ କଣ ? ଏସବୁରେ କଣ ଆତ୍ମ ସନ୍ତୋଷ ଥାଏ ? 


ଆଜି ଡମରୁ କାକା ମତେ ଦେଖିଲାପରେ ତାଙ୍କ ଆଖିରେ ଯେଉଁ ଆତ୍ମସନ୍ତୋଷ ପରିଲକ୍ଷିତ ହେଉଛି ସେ ସମୟରେ ଜଣେ ଚପଳମତି ପିଲାକୁ ମୃତ୍ୟୁବତ ଲଜ୍ଜିତ କରିବାରେ ଜୟନ୍ତୀର ବାପା ବୋଉ କଣ ସେମିତି ଆତ୍ମସନ୍ତୋଷ ପାଇଥିବେ ? ଏମିତି ଭାବୁଭାବୁ ଡମରୁ କାକା ହସିହସି ମୋ ହାତକୁ ସେ କଣ୍ଢେଇଟି ବଢ଼େଇଦେଲେ । 


ଝିଅରେ ତୋ ଝିଅକୁ ଦେଇଦବୁ । ସେ ବି ତୋ ମକର ଜୟନ୍ତୀ ପରି । ମୁଁ ଆଁ କରି ଡମରୁ କାକାଙ୍କୁ ଚାହିଁ ରହିଥାଏ । ଆଖିରୁ ଖୁସିର ଦୁଇବୁନ୍ଦା ଲୁହ ଗଡ଼ିଆସିଲ । ଭାବିଲି ଯଦି ଏବେ ଜୟନ୍ତୀ ଏମିତି ରାସ୍ତାରେ ବୁଲିବାବେଳେ ଦେଖା ହୁଅନ୍ତା ତାହେଲେ ଅତର୍କିତ ଭାବେ ତାକୁ କୁଣ୍ଢାଇ ପକାନ୍ତି ଫେରେଇ ଦିଅନ୍ତି ତାର ଇପ୍ସିତ କଣ୍ଢେଇଟିକୁ । ହାତଧରି ଟାଣିନେଇଯାନ୍ତି ତାକୁ ପୁଣି ସେଇ ସଢ଼େଇ ଖେଳ ପାଖକୁ । 

ଝିଅରେ ତୁ ଆଉ ଏତେଦୂରକୁ ଯାଆନି ଜ୍ୱାଇଁଙ୍କୁ କହ ଏଇଠି ଆମରି ମାଟିରେ ଚାକିରୀ କରନ୍ତୁ ।


ହଁ ଡମରୁ କାକା ଆମେ ଏବେ ଭୁବନେଶ୍ୱରରେ ରହିବୁ ତମ ଜ୍ୱାଇଁ ଭୁବନେଶ୍ୱରରେ ଚାକିରୀ ପାଇଛନ୍ତି । ଏତିକି ବେଳେ ମୋ ସ୍ୱାମୀ କାକା କାକା ଡାକି ଡାକି ପଶିଆସିଲେ ଡମରୁ କାକାଙ୍କ ଘରକୁ । 

ଆରେ ଏ କୁଆଡ଼େ ଗଲ ଆରେ ସମସ୍ତେ ଦେଖ ଜ୍ୱାଇଁପୁଅ ଆସିଲେଣି ତାଙ୍କ ପାଇଁ ବ୍ୟବସ୍ଥା କର । ସ୍ୱାମୀମୋର ଡମରୁକାକାଙ୍କ ପାଦ ଛୁଇଁ ନମସ୍କାର କଲେ । ଡମରୁ କାକା ଆମକୁ ଖୁସିରେ ରହିବାକୁ କଲ୍ୟାଣ କରି ନିଜ ଆଖିରେ ଖୁସିର ଲୁହ ଭର୍ତ୍ତି କରି ଘରଭିତରକୁ ଚାଲିଗଲେ । 


ତାଙ୍କ ଯିବାବାଟକୁ ଚାହିଁ ମୁଁ ମନେମନେ ଭାବୁଥାଏ । କୋମଳମତି ଶିଶୁଙ୍କ ମନରେ କେହିକେବେ ମାନସିକ ଆଘାତ ନଦେଉ  ଶିଶୁ ସୁଲ୍ଲଭ ସେ କୋମଳ ମତିରେ ସାରାଜୀବନ ଅପରାଧବୋଧ ଘର କରି ନଯାଉ କାରଣ ସମସ୍ତଙ୍କ ଜୀବନ ବଞ୍ଚେଇବା ପାଇଁ ସବୁଜାଗାରେ ଡମରୁ କାକା ପହଞ୍ଚି ପାରିବେନି ।



Rate this content
Log in

Similar oriya story from Inspirational