Pramod Kumar Jena

Tragedy Romance

3  

Pramod Kumar Jena

Tragedy Romance

ଅନ୍ୟରୂପ ରୂପାନ୍ତର

ଅନ୍ୟରୂପ ରୂପାନ୍ତର

8 mins
475



ତରବର ହୋଇ ପ୍ୟାଣ୍ଟ୍ ସାର୍ଟ୍ ପିନ୍ଧି ବାହାରି ପଡିଲି । ଚାହା ପିଇବାକୁ ସମୟ ନାହିଁ । ଗାଆଁ ଝିଅଟା । ଏତେ ବାଟରୁ ଆସୁଛି । ଅଜଣା ଜାଗା । କେବେ ତ ବାହାରକୁ ଆସି ନ ଥିବା । ପୁଣି ଫାଲତୁ ଲୋକଙ୍କ ଅଭାବ ନାହିଁ । ଗାଆଁ ଝିଅ । ସରଳ ବିଶ୍ୱାସୀ । ତା’ ଛଡା ଲମ୍ବା ରୁଟରେ ନିଶା ଦିଆ ଲୁଟେରା ମାନେ ଆଜିକାଲି ବାହାରିଲେଣି । ଆସିଲେ ପୁଣି ଅଫିସ୍ ଯିବାର ଅଛି । ବେଶି ଡେରି ନ କରି ମୋଟର୍ ସାଇକେଲଟା ଧରି ଚାଲିଲି ବସ୍ ଷ୍ଟାଣ୍ଡକୁ । ଅବଶ୍ୟ ବେଶି ଦୂର ନୁହେଁ ।


       ଯାଇ ଦେଖେ ତ ଝରଣା ଠିଆ ହୋଇଛି ତା’ ବାପାଙ୍କ ସାଙ୍ଗରେ । ମୋତେ ଦେଖୁ ଦେଖୁ ଖୁସି ହୋଇଗଲେ ଦୁହେଁ । ସାରା ରାତି ବୋଧେ ଅନିଦ୍ରା ହୋଇଥିବେ । ଓଭର୍ ନାଇଟ୍ ଜର୍ଣ୍ଣି । ଡାକିଦେଲି। କହିଲି,‘ଚାଲନ୍ତୁ । ମୋ ରୁମକୁ ପଳେଇବା । ସେଇଠି ଟିକିଏ ଫ୍ରେସ୍ ହୋଇ ସ୍କୁଲକୁ ଯିବା । ଯନ୍ତ୍ରଚାଳିତ ଭଳି ସେମାନେ ମୋ କଥା ଅନୁସାରେ ଆମ ଘରେ ପହଞ୍ଚିଲୁ । କହିଲି ସମୟର ଘୋର ଅଭାବ । ବେଳ ହେଲେ ବାକି ସବୁ କଥା ହେବେ । ତେଣୁ ଡେରି ନ କରି କାମ ସାରନ୍ତୁ ।’ ସେମାନଙ୍କୁ ଛାଡି ବଜାରକୁ ଯାଇ ଟିକିଏ ଜଳଖିଆ ନେଇ ଆସିଲି । ଇତି ମଧ୍ୟରେ ଝରଣା ଆଉ ତା’ ବାପା ନିତ୍ୟକର୍ମ ସାରି ଦେଇଥିଲେ । ଅଟୋବାଲାକୁ କହିଥିଲି, ଅଧଘଣ୍ଟା ପରେ ଆସିବାକୁ । ବାସ୍ । ଅଧ ଘଣ୍ଟା ଭିତରେ ସବୁ କାମ ସାରି ତିନିହେଁ ଅଟୋରେ ବସିଲୁ । ଯିବାର ଅଛି ହରେକୃଷ୍ଣପୁର ୟୁ.ପି. ସ୍କୁଲ୍ । ଏଠୁ ପ୍ରାୟ ପନ୍ଦର କିଲୋମିଟର୍ ହେବ । ରାସ୍ତା ଖରାପ ନ ହେଲେ ବି ପବ୍ଲିକ୍ ଟ୍ରାନ୍ସପୋର୍ଟର ସୁବିଧା ନାହିଁ । ତେଣୁ ଅଟୋ ରିକ୍ସା ହିଁ ଭରସା । ହରେକୃଷ୍ଣପୁର୍ ଟିକେ ରିମୋଟ୍ । କ’ଣ କରାଯିବ ? ଝିଅକୁ ବଡ କଷ୍ଟରେ ଖଣ୍ଡେ ଚାକିରି ମିଳିଛି, ଦରମା ଯେତେ ହେଉ ପଛେ । ତାଙ୍କ ବଂଶରେ ଝରଣା ହେଉଛି ପ୍ରଥମ ଗ୍ରାଜୁଏଟ୍ ଏବଂ ପ୍ରଥମ ଚାକିରିଆ ହେବାକୁ ଯାଉଛି ଜଣେ ଶିକ୍ଷା ସହାୟିକା ଭାବରେ । ଭଲ ପଢେ । ତେଣୁ ସମସ୍ତ ବାଧା ବିଘ୍ନକୁ ଖାତିର ନ କରି ଏ ପର୍ଯ୍ୟନ୍ତ ଉଠିଛି । ତା’ ବାପାଙ୍କ ଆର୍ଥିକ ଅବସ୍ଥା ଏକଦମ୍ ଖରାପ କହିଲେ ଚଳେ । ଯାହା ହେଉ ଧନ ବଳ ନ ଥିଲେ ବି ମନ ବଳ ଦେଇଥିବାରୁ ଝରଣା ଏ ପର୍ଯ୍ୟନ୍ତ ଆସି ପାରିଛି । ଆପଏଣ୍ଟ ଲେଟରଟି ପାଇ ଝରଣାର ପରିବାର ବହୁତ ଖୁସି । ଝିଅ ଚାକିରି କରିବ । ହେଲେ ପୋଷ୍ଟିଙ୍ଗ୍ ହେଲା ହରେକୃଷ୍ଣପୁର ୟୁ.ପି. ସ୍କୁଲରେ । ଗାଆଁଠୁ 250 କି.ମି. ଦୂର । ମୁଁ ପାଖ ସହରରେ ବ୍ୟାଙ୍କରେ କାମ କରେ । ତେଣୁ ମୁଁ ଯେତେଟା ସାହାଯ୍ୟ କରିପାରେ । ଭାବୁଛି ସେ ଦୁଇ ଜଣଙ୍କୁ ସ୍କୁଲରେ ପହଞ୍ଚାଇ ଦେଲେ ମୋ ଡ୍ୟୁଟି ଖତମ୍ । ନ ହେଲେ ମୋ ଘରେ ଦିନେ ଅଧେ ରହିବେ । ତା’ପରେ ତାଙ୍କ ସୁବିଧା ସେ କରିବେ । ତା ଛଡା ଝିଅ ପିଲା । ଏଠି ତ ରହିପାରିବନି ।


       ସେତେବେଳକୁ ସକାଳ ଆଠଟା ବାଜିଗଲାଣି । ପୁଣି ମୋତେ ଫେରି ବ୍ୟାଙ୍କ୍ ଯିବାର ଅଛି । ତରବର ହୋଇ ସମସ୍ତେ ଅଟୋରେ ବସିଲୁ । ବାଟ ସାରା ଝରଣା ତା’ ପଢା ଜୀବନର ସଙ୍ଘର୍ଷ ବିଷୟରେ କହି ଚାଲିଥାଏ । କେମିତି ସମସ୍ତେ ତା’ର ପଢିବାକୁ ବିରୋଧ କରୁଥିଲେ , କେମିତି ବିନା ବହି ଖାତାରେ ସେ କ୍ଲାସ୍ ଯାଉଥିଲା ,ଇତ୍ୟାଦି ଇତ୍ୟାଦି ..........କିନ୍ତୁ ଝରଣା ବାପାଙ୍କ ମୁହଁ ଆଜି ଝିଅ ପାଇଁ ଟିକେ ଗର୍ବିତ ଦେଖାଯାଉଥିଲା । କହିଲେ, ‘ଆଜି ମୋ ଝିଅ ମୋ ମୁଣ୍ଡ ଉପରକୁ କରି ଦେଇଛି । ଏଥର ସିଏ ମାଷ୍ଟ୍ରାଣୀ ହେବ । କେତେ ପିଲାଙ୍କୁ ମଣିଷ କରିବ । କେହି କ’ଣ କେବେ ଆମ ଗାଆଁରେ ଚିନ୍ତା କରିଥିଲେ, ପ୍ରଧାନ ଘର ଝିଅ ମାଷ୍ଟ୍ରାଣୀ ହେବ ବୋଲି ?’ ସବୁ କଥା ଶୁଣୁଥାଏ । ହେଲେ ମୋ ଆଖି ଘଣ୍ଟାରେ ଥାଏ । ମୋର ବି ନୂଆ ଚାକିରି । ଟାଇମରେ ଅଫିସ୍ ନ ପହଞ୍ଚିଲେ ଭୀଷଣ ଅସୁବିଧା । କଷ୍ଟମର୍ ପହଞ୍ଚିବା ପୂର୍ବରୁ କାଉଣ୍ଟରରେ ବସିବାକୁ ପଡିବ । ବିଳମ୍ବକୁ ଜମ୍ମା ସହ୍ୟ କରନ୍ତିନି ବ୍ରାଞ୍ଚ୍ ମ୍ୟାନେଜର୍ ।


       ସ୍କୁଲରେ ପହଞ୍ଚି, ହେଡ୍ ମାଷ୍ଟରଙ୍କୁ ଦେଖା କରି ଜଏନ୍ ହୋଇଗଲା । ଖୁବ୍ ଭଲ ଲୋକ । କଥା ପ୍ରସଙ୍ଗରେ ହେଡ୍ ମାଷ୍ଟର ପଚାରିଲେ, ‘ଆଜି ଜଏନ୍ କରି ଫେରିଯିବ ନା ରହିଯିବ ।’ ମୁଁ କହିଲି, ‘ଆଉ ଫେରିକି ଯିବ କୁଆଡେ ? ଆଜିଠୁ କ୍ଲାସ୍ ଆରମ୍ଭ କରିବ । ଏଠି କିଛି ରହିବାର ବନ୍ଦୋବସ୍ତ ହୋଇପାରିବ ?


       ହେଡ୍ ମାଷ୍ଟର କହିଲେ, ‘ମୋର ଜଣେ ବନ୍ଧୁ ଅଛନ୍ତି । ସେ ବି ଟିଚର୍ । ତାଙ୍କର ଗୋଟେ ଘର ଖାଲି ଅଛି । ଏମିତି ଭଡା ଫଡା ତ ଏଠି ଲାଗେନି । ମୁଁ ତା’କୁ ଅନୁରୋଧ କରିଥିଲି । ତାଙ୍କର ଛୋଟ ପରିବାର । ଏମାନେ ଯାଇ ଘର ଦେଖନ୍ତୁ । ଯଦି ପସନ୍ଦ ହୁଏ ରହିଯିବେ । ଭାବୁଛି କିଛି ଅସୁବିଧା ହେବନି । ବହୁତ ଭଲ ଲୋକ । ତାଙ୍କ ମାଉସୀଙ୍କ କଥା ନ କହିବା ଭଲ ।

ବହୁତ ସ୍ନେହୀ ।


       ମୁଣ୍ଡରୁ ମୋର ଗୋଟେ ବିରାଟ ବୋଝ ଉତୁରିଗଲା ଭଳି ଲାଗିଲା ।  ସବୁ କଥା ଯାଇ ଝରଣା ଆଉ ତା’ ବାପାଙ୍କୁ କହିଲି । ଦେଖିଲି, ସେମାନେ କିଛି କହିବା ଅବସ୍ଥାରେ ନାହାନ୍ତି । ଯାହା କହିଲେ ହଁ । ତା’ ଛଡା ସେମାନେ କ’ଣ ଚାହିଁବେ ? ମୁଁ ଯେମିତି ତା’ର ଅଭିଭାବକ । କହିଲି, ‘ଝରଣା ! ତୁମେ ହେଡ୍ ମାଷ୍ଟରଙ୍କ ସହ କଥା ହେବ । ତୁମ କଥା ମୁଁ ତାଙ୍କୁ କହି ଦେଇଛି । ଯଦି ସମୟ ହେଉଛି, ପିଅନ୍ ସାଥିରେ ଯାଇ ଘର ଦେଖିନେବ । ମୋ ମତରେ ଆଖି କାନ ବୁଜି ରହିଯାଅ । ପରେ ଦେଖାଯିବ । ହଁ । ମୁଁ ଯାଉଛି । ଅଟୋ ବି ଫେରିବ । ଆଉ ମୁଁ ଅଫିସ୍ ଯିବି । ସନ୍ଧ୍ୟା ବେଳକୁ ମୋତେ ଜଣେଇବ । ଅସୁବିଧା ହେଲେ ମୁଁ ଅଟୋ ନେଇ ଆସିବି ।’

       ତା’ ପରେ ମୁଁ ଫେରି ଆସିଲି ।


       ଅଫିସରୁ ଫେରୁ ଫେରୁ ଝରଣାର ଫୋନ୍ । ବହୁତ୍ ଖୁସି ଚାକିରି ଜୀବନ ଆରମ୍ଭ ପାଇଁ । ଆଉ ତା’ଠୁ ବେଶି ରହିବାର ବନ୍ଦୋବସ୍ତ ପାଇଁ । ମୋତେ, ହେଡମାଷ୍ଟର୍, ସ୍କୁଲ୍ ପିଅନ୍ ଆଉ ଜନ୍ମେଜୟ ସାହୁ (ଯାହାଙ୍କ ଘରେ ଝରଣା ରହିବ), ସମସ୍ତଙ୍କ ପାଇଁ ଧନ୍ୟବାଦର ସ୍ୱର । କହିଲା, ବାପା ଦିନେ ଦିଦିନ ପରେ ଗାଆଁକୁ ଫେରିଯିବେ । ମୁଁ ବି ଟିକିଏ ଆଶ୍ୱସ୍ତ ହେଲି ।


       ଏ ଭିତରେ ବ୍ୟାଙ୍କର ଗୋଟେ ଟ୍ରେନିଙ୍ଗ୍ ପ୍ରୋଗ୍ରାମ୍ ଥିଲା । ତିନି ମାସର ଟ୍ରେନିଙ୍ଗ୍ ଭିତରେ ଏତେ ବ୍ୟସ୍ତ ରହିଲି ଯେ ଆଉ ଝରଣା କଥା ଭାବିବାକୁ ସମୟ ପାଇନି । ଫେରିବା ପରେ ବ୍ୟାଙ୍କ କାମ । ବେଳେବେଳେ ଭାବେ ଝରଣା କଥା ବୁଝିବାକୁ, ହେଲେ ଫୋନ୍ କଲାବେଳକୁ ଆଉଟ୍ ଅଫ୍ ରେଞ୍ଜ୍ ।ଭାବିଲି କେବେ ଯାଇ ବୁଲି ଆସିବି । ହଠାତ୍ ଦିନେ ଦେଖାହେଲା ହେଡ୍ ମାଷ୍ଟରଙ୍କ ସହ । ସେ ଦିନର ପରିଚୟ ଯଦିଓ ତାଙ୍କର ସେତେଟା ମନେ ନ ଥିଲା, ମୁଁ ଦେଖୁ ଦେଖୁ ଚିହ୍ନି ଯାଇଥିଲି । ଖୁବ୍ ଭଦ୍ରଲୋକ । ପୁଣି ଥରେ ଦେଖି ଖୁସି ହୋଇଗଲେ । ପଚାରୁ ପଚାରୁ ଝରଣା କଥା

ପଚାରିଲି ।

       : ଆଜ୍ଞା ! ଝିଅଟା ବହୁତ ଇଣ୍ଟେଲିଜେଣ୍ଟ୍ । ଆମ ସ୍କୁଲ୍ ପାଇଁ ଗୋଟେ ଆସେଟ୍ ।

       କଥାର ମୋଡ ବଦଳାଇ ପଚାରିଲି, ‘ଆଉ ତା ରହିବା ବ୍ୟବସ୍ଥା କେମିତି ଚାଲିଛି ?’

       ଟିକିଏ ହସିଦେଲେ । ‘ଆଉ ପଚାରନ୍ତୁନି । ପୁରାପୁରି ତାଙ୍କ ପରିବାର ସାଥିରେ ମିଶିଯାଇଛି । କେହି ସେମାନଙ୍କୁ ଦେଖିଲେ ଜାଣିପାରିବେନି ଯେ ଘରମାଲିକ କିଏ ଆଉ ଭଡାଟିଆ କିଏ । ମାଉସୀ ତା’କୁ ଝିଅ ଭଳି ଦେଖୁଛନ୍ତି । ତାଙ୍କର ଝିଅ ନାହିଁ ତ ।’

       ମୁଁ କହିଲି, ‘ପ୍ରକୃତରେ ଝିଅଟା ବହୁତ ଭଲ ।’ 

       

: ହଁ....... ହଁ....... ଆରେ ମୁଁ ତା’ ସାଥିରେ ଛଅ ମାସ ହେଲା କାମ କରୁଛି । ଆଉ ବେଶି କଥା ହୋଇ ପାରିଲି ନାହିଁ ସେ ଦିନ ।


       ପ୍ରାୟ ଦୁଇ ବର୍ଷ ହୋଇଗଲାଣି । ଦେଖା ସାକ୍ଷାତ୍ ନାହିଁ ମୁଁ ଝରଣା କଥା ପୁରା ଭୁଲି ଯାଇଥିଲି । ଏମିତି ଦିନେ ପୁଣି ହେଡ୍ ମାଷ୍ଟରଙ୍କ ସାଥରେ ଦେଖା ହେଲା । ବହୁତ ଦିନ ପରେ ଦେଖା । ତାଙ୍କୁ ଟାଣି ନେଇ ଗଲି ଗୋଟେ ଛୋଟ ଚା ଦୋକାନକୁ । ଭାରି ଖୁସି ଲାଗୁଥାଏ । ଯେମିତି ମୁଁ ଝରଣା କଥା ପଚାରିଲି, ଟିକିଏ ହସି ଉତ୍ତର ଦେଲେ, ଅପେକ୍ଷା କରନ୍ତୁ ସୁସମ୍ବାଦ ପାଇଁ । ମୁଁ ଟିକିଏ ବୁଝି ପାରିଲି ନାହିଁ ।

       ହେଡ୍ ମାଷ୍ଟର୍ କହିଲେ, ‘ମାଉସୀଙ୍କ ମନ ଝରଣାକୁ ବୋହୁ କରିବେ ।’

       ଶୁଣିକି ମୁଁ ବହୁତ ଖୁସି ହୋଇଗଲି । ଭାବିଲି ସରକାରୀ ସ୍କୁଲ୍ ଟିଚର୍ । ଭଲ ଦରମା । ଘର ଅଛି । ଦେଖିବାକୁ ହ୍ୟାଣ୍ଡସମ୍ । ଝରଣାର ତ ଭାଗ୍ୟ ଖୋଲିଯିବ ।

       : ଆଜ୍ଞା ! ମୁଁ ବି ଏବେ ଦେଖୁଛି ଜୁଜୁ (ଜନ୍ମେଜୟ ସାହୁଙ୍କର ଡାକ ନାମ) ବେଶ୍ ଖୁସି ଅଛି । ଅନେକ ସମୟରେ ଦୁହେଁ ମୋଟର୍ ସାଇକେଲରେ ଟାଉନ୍ ଆଉଛନ୍ତି । ତା’ ଛଡା ମୁଁ ଲକ୍ଷ୍ୟ କରୁଛି, ଝରଣା ମାଡାମ୍ ତାଙ୍କ ଠାରୁ ବି ଖୁସି ଅଛନ୍ତି । ଜୁଜୁ ମୋ ସାନ ଭାଇର କ୍ଲାସ୍ ମେଟ୍ ଥିଲା । ବ୍ରିଲିଆଣ୍ଟ୍ ଷ୍ଟୁଡେଣ୍ଟ୍ । ଦି ଥର ଓଡିଶା ସିଭିଲ୍ ସର୍ଭିସରେ ରିଟିନ୍ କ୍ୱାଲିଫାଏ କଲା । କିନ୍ତୁ ଭାଏଭାରେ କଟିଗଲା । ଏତେ ରାଗିଗଲା ଯେ ଆଉ ଦେବନି ବୋଲି ନିଷ୍ପତ୍ତି ନେଲା । ଟିକିଏ ଜିଦିଆ । ଏବେ ତ ଝରଣା ମାଡାମଙ୍କର ହାତୀ ସୁନା କଳସ ଢାଳୁଛି ।

       : ମାନେ.......

       : ଜୁଜୁ ଝରଣା ମାଡାମଙ୍କୁ ସବୁ ଷ୍ଟଡି ମେଟେରିଆଲ୍ ଦେଇ ପ୍ରତିଦିନ କୋଚିଙ୍ଗ୍ ଦେଉଛି, ଓଡିଶା ସିଭିଲ୍ ସର୍ଭିସ୍ ପାଇଁ । ଏକେ ତ ବିନା ଭଡାରେ ରହୁଛନ୍ତି । ଖାଉଛନ୍ତି ତାଙ୍କରି ଘରେ । ଆଦର ପାଉଛନ୍ତି ଘର ସଦସ୍ୟଙ୍କଠୁ । ତା ସହ ଫ୍ରି କୋଚିଙ୍ଗ୍ ୱିଥ୍ ଷ୍ଟଡି ମେଟେରିଆଲସ୍ ।

       ଏତେ କଥା ଶୁଣି ମୁଁ ଭାରି ଖୁସି ହୋଇ ଯାଇଥିଲି ।


       : ଝରଣା ମାଡାମଙ୍କୁ ଜୁଜୁ ଜବରଦସ୍ତି କରି ଫର୍ମ୍ ଫିଲ୍ ଅପ୍ କରେଇଥିଲା । କହିଲା, ‘ତୁମେ ଜଣେ ଭଲ ଷ୍ଟୁଡେଣ୍ଟ୍ । ବେଟର୍ ଜବ୍ ପାଇଁ ଟ୍ରାଏ କର । ଝରଣା ମାଡାମତ କେବେ ସ୍ୱପ୍ନରେ ସୁଦ୍ଧା ଓ.ସି.ଏସ୍ କଥା ଚିନ୍ତା ବି କରି ନ ଥିଲେ । ତାଙ୍କର ଯାହା ଦରମା, ଭଡାରେ ରହି ଏଠି ଗଣ୍ଡେ ଖାଇବା ବି ସମ୍ଭବ ହୋଇ ନ ଥାନ୍ତା । ଏବେ ତ ରିଜଲ୍ଟ୍ ବାହାରିବ । ମାଡାମ୍ ଆଶାବାଦୀ ଅଛନ୍ତି । ଆରେ ହଁ........। ସେ କଥାଟା ଭୁଲିଯାଇଛି । ତାଙ୍କ ବାପା ଆସିଥିଲେ । କିଛି ନ ଜାଣିବା ପରି କହିଲି, ଝିଅ ତ ଏଠି ରହିଗଲାଣି । ମାଉସୀଙ୍କୁ ଦେଇ ଦେଉ ନାହାନ୍ତି ? ଭଲ ଶାଶୁଟିଏ ପାଇବ । କ’ଣ କହିଲେ ଜାଣନ୍ତି ?’


       ମୁଁ ତାଙ୍କ ମୁହଁକୁ ଅନେଇଥାଏ । କହିଲେ,‘ଆମେ ଗରୀବ ଲୋକ । ତାଙ୍କ ଦୟାରୁ ମୋ ଝିଅ ଏଠି ରହିପାରିଲା । ନ ହେଲେ କୋଉଠି ମୁଣ୍ଡ ଗୁଞ୍ଜିଥାଆନ୍ତା ? ଟାଉନରେ ସିନା ଭଡା ଘର ଅଛି । ସେଠି ରହିଲା ଭଳିଆ ଦରମା କାହିଁ ? ସବୁତକ ଦରମା ଦେଲେ ବି ଭଡା ଘର ମିଳି ନ ଥାନ୍ତା । ଆମେ ବାମନ । ମୋର ଚନ୍ଦ୍ରକୁ ହାତ ବଢେଇଲେ ଲୋକହସା ହେବା କଥା ।’

       ତାଙ୍କ କଥା ଶୁଣି ମୁଁ ତାଙ୍କୁ କଥା ଦେଉଥିଲି – ମୋ ଉପରେ ଛାଡି ଦେବାକୁ ।

       ମୁଁ କହିଲି,‘ତେବେ ଭୋଜିଟା ଜଲଦି ମିଳୁଛି ।’

       : ଦେଖାଯାଉ ପ୍ରଭୁଙ୍କ ଇଚ୍ଛା । ବାସ୍ ସେ ଦିନ ଆଉ ବେଶି କିଛି କଥା ହୋଇ ପାରି ନ ଥିଲୁ ।


       ହଠାତ୍ ଆଉ ଦିନେ ସନ୍ଧ୍ୟାବେଳେ ଜନ୍ମେଜୟ ବାବୁ ଆସି ପହଞ୍ଚିଗଲେ । ମୋ ଘରେ ଖୁସି ଖବର ଦେବାକୁ ଆସିଛନ୍ତି । ଝରଣା ଓ.ସି.ଏସ୍. କ୍ୱାଲିଫାଏ କରିଛି । ସେହି ଖୁସିରେ ଗୋଟିଏ ଭୋଜି ଦେବେ । ବହୁତ ଖୁସି ହେଲେ । ଘରେ ବସିଲେ । କଥା ଆରମ୍ଭ ହେଲା । ଆଉ ସରିବାର ନାଆଁ ନେଉନି । ଲାଗିଲାନି ଆମେ ଜୀବନରେ ଦ୍ୱିତୀୟ ଥର ଦେଖା ହେଉଛୁ । ଲାଗିଲା ମଣିଷ ଟିକିଏ ବେଶି ଖୁସି ହେଲେ ଏମିତି ବୋଧେ ଗପିଚାଲେ ।


       କଥା କଥାରେ କହିଲେ, ‘ଆପଣ ମୋତେ ଆଉ ବାବୁ କହନ୍ତୁନି, ନାଆଁ ଧରି ଡାକନ୍ତୁ । ମୁଁ ଆପଣଙ୍କ ସାଙ୍ଗ ଭଳି ।’

: କିନ୍ତୁ ଏତେ ବଡ ନାଁ.... ଜନ୍ମେଜୟ...... ନାଁ ବାବା..... ମୋ ପାଟିରେ ପଶୁନି । ମୁଁ ସାହୁ ବାବୁ ଡାକିବି ।

: ସେ କହିଲେ,ନାଁ.....ନାଁ.....ଆପଣ ଖାଲି ଜୁଜୁ ଡାକନ୍ତୁ । ସେ ଅନୁରୋଧ କଲେ ।

ଅନିଚ୍ଛା ସତ୍ତ୍ୱେ ରାଜି ହୋଇଗଲି । ସେହି ଦିନ ଠାରୁ ମୁଁ ତାଙ୍କୁ କେବଳ ଜୁଜୁ ବୋଲି ସମ୍ବୋଧନ କରେ ।

ଆଜି ରବିବାର । ପହଞ୍ଚିଗଲି ଯାଇ ଜନ୍ମେଜୟଙ୍କ ଘରେ । ଆଗେ ମାଉସୀକୁ ଗୋଟେ ପ୍ରଣାମ କରିଦେଲି । ସତରେ ଲାଗିଲା ସ୍ନେହର ଭଣ୍ଡାର । ଗୋଟେ ମିନିଟରେ ନିଜର କରିନେବେ । କିଛି ସମୟ କଥା ହେବା ପରେ ପଚାରିଲି, ‘ମାଉସୀ ! ଝରଣା ତ କ୍ୱାଲିଫାଏ କଲା । ଆଉ ସାନ୍ତାରା କ’ଣ ପାର୍ଟି ଦେଉଛି ?’

ମାଉସୀ ହସି ଦେଇ କହିଲେ, ‘ବାଁ ପକେଟରୁ ଗଲେ କେତେ, ଡାହାଣ ପକେଟରୁ ଗଲେ କେତେ ?’

କଥାଟା ମୁଁ ଠିକ୍ ବାରି ନେଲି । ତା’ ହେଲେ ଏତେ ବାଟ ଆଗେଇଗଲାଣି । ଖୁସି ହୋଇ ପଚାରିଲି, ‘ତା’ହେଲେ ବଡ ଭୋଜିଟେ ଦେବେ । ’


: ତା’ ବାପା ଆସିଛନ୍ତି ....... ଜାଣିଯିବ ଯେ............ ହସିଦେଇ ପଳେଇଲେ ସେ ।

ଆରେ.......... ସେ ଦୁଇ ଜଣ ଦେଖା ଯାଉନାହାନ୍ତି । ଦେଖିଲି ଗୋଟେ କୋଣରେ ଠିଆ ହୋଇ କ’ଣ କଥା ହେଉଛନ୍ତି । ଖୁସିର ତିଳେ ମାତ୍ର ଆଭାସ ନାହିଁ । ମୋ ପଛେ ପଛେ ହେଡ୍ ମାଷ୍ଟର୍ ପହଞ୍ଚି ଗଲେ । ଦୁଇ ଜଣଙ୍କୁ ଏତେ ଟେନ୍ସ୍ ଦେଖି ପଚାରିଲେ, ‘କଥା କ’ଣ ?’

: ନାଃ..... କିଛି ନୁହେଁ । ଝରଣା ମାଡାମ୍ କହୁଥିଲେ ତାଙ୍କ ବାପାଙ୍କ କଥା । ଦୁଇଟା ବିବାହ ପ୍ରସ୍ତାବ ଆସିଛି । ଜଣେ ତହସିଲଦାର । ଆଉ ସେମାନେ ଚାହୁଁଛନ୍ତି ଜଲଦି ଫାଇନାଲ୍ କରିବାକୁ । ଘଟଣା ବୁଝିବାକୁ ବାକି ରହିଲାନି ଆମର । ଜନ୍ମେଜୟଙ୍କୁ ଦେଖି ଲାଗିଲା, ପୁରା ଭାଙ୍ଗି ପଡିଛନ୍ତି । ଝରଣା ମାଡାମ୍ କହିଲେ, ‘ଏ ବୟସରେ ବାପାଙ୍କୁ କଷ୍ଟ ଦେବା କ’ଣ ଠିକ୍ ହେବ ?’

: ଆରେ ନାଁ........... ନାଁ...........

ମୁହଁ ବୁଲେଇ ଚାଲି ଯାଉଥିଲେ । ଅବସ୍ଥା ଦେଖି ହେଡ୍ ମାଷ୍ଟର୍ ଜନ୍ମେଜୟଙ୍କ ହାତ ଧରି ପକାଇଲେ । ହେଡ୍ ମାଷ୍ଟରଙ୍କ ହାତରେ ହାତ ରଖି ଜନ୍ମେଜୟ କିଛି କହିବାକୁ ଚେଷ୍ଟା କଲେ । କିନ୍ତୁ ପାଟିରୁ କିଛି କଥା ବାହାରିଲା ନାହିଁ । ପିଲାଟି ଦିନରୁ ଦେଖି ଆସୁଛନ୍ତି ଜନ୍ମେଜୟଙ୍କୁ । ଏତେ ଭାଙ୍ଗି ପଡିବାର କେବେ ଦେଖି ନ ଥିଲେ । ଦୁଇ ପାପୁଲିରେ ଜନ୍ମେଜୟଙ୍କ ହାତକୁ ଚାପି ଧରି କହିଲେ, ମୁଁ ଟିକେ ଝରଣା ବାପାଙ୍କୁ କନଭିନ୍ସ୍ କରିବି କି ?


ଆରେ ନା ନା ....... ଏଇଠି ଫୁଲ୍ ଷ୍ଟପ୍ ପଡି ଯିବାଟା ବେଟର୍ । କିଛି ସମୟ ନିଜର କୋହକୁ ଚାପି ରଖି କହିଲେ ମାଷ୍ଟ୍ରିଆ ଲୋକ ତ....... ପିଲାଙ୍କୁ ଗଣିତ ପଢେଇ ପଢେଇ ଏ ଗଣିତ ଠିକ୍ ଭାବରେ ପଢି ପାରିଲି ନାହିଁ । ଭଲ ହେଇଛି । ବେଶି ଡେରି ହେଇନି ।



Rate this content
Log in

Similar oriya story from Tragedy