ଅନୁତାପ
ଅନୁତାପ


ସବୁ ସୁନ୍ଦର ଚେହେରା ରଖିଥିବା ବ୍ୟକ୍ତି ଯେ ସବୁବେଳେ ସୁନ୍ଦର ହୃଦୟଟେର ଅଧିକାରୀ ହୋଇ ନଥାନ୍ତି ଏକଥା ନିଜ ଜୀବନର ଅମୂଲ୍ୟ ପାଞ୍ଚ ବର୍ଷ ସମୟ ଅପଚୟ କରି ସାରିବା ପରେ ଅନୁଭବ କରିଥିଲା ସିଦ୍ଧାନ୍ତ।ଦୀର୍ଘ ପାଞ୍ଚ ବର୍ଷର ସମ୍ପର୍କକୁ ପାଞ୍ଚ ସେକେଣ୍ଡରେ ଭାଙ୍ଗି ଦେବାକୁ କୁଣ୍ଠାବୋଧ କରି ନଥିଲା ସ୍ମୃତି। ସ୍ମୃତିର ଆକର୍ଷଣୀୟ ଚେହେରା, ହସ ହସ ମୁହଁ ଓ ସୁମଧୂର ବାକ୍ ଚାତୁରୀରେ ପ୍ରଥମ ଦେଖାରେ ତା ପ୍ରତି ଆକର୍ଷିତ ହୋଇ ଯାଇଥିଲା ସିଦ୍ଧାନ୍ତ।
ଆଉ ତାକୁ କେମିତି ଆପଣାର କରିବ ସେ ଚେଷ୍ଟାରେ ଲାଗି ପଡିଥିଲା। ସ୍ମୃତି କହିବା ଆଗରୁ ତାର ପ୍ରତ୍ୟେକ କାମରେ ସାହାଯ୍ୟ କରିବା ପାଇଁ ଆଗକୁ ଆଗେଇ ଆସୁଥିଲା ସିଦ୍ଧାନ୍ତ।କଲେଜର ଆଡ଼ମିଶନ ଠାରୁ ଆରମ୍ଭ କରି ହଷ୍ଟେଲରେ ରହିବା ପର୍ଯ୍ୟନ୍ତ ସବୁ କାମରେ ସ୍ମୃତିକୁ ସିଦ୍ଧାନ୍ତ ସାହାଯ୍ୟ କଲା।ଯାହା ଦ୍ଵାରା ସ୍ମୃତିର ମନରେ ସେ ନିଜ ପାଇଁ ସ୍ଥାନଟେ ସୃଷ୍ଟି କରି ପାରିବ।ଆଉ ଆସ୍ତେ ଆସ୍ତେ ସେଥିରେ ସଫଳ ମଧ୍ୟ ହେଲା।କଲେଜ ଯିବା ବେଳେ ହଷ୍ଟେଲ ସାମ୍ନାରେ ସବୁଠି ସିଦ୍ଧାନ୍ତ ଓ ସ୍ମୃତିକୁ ଏକାଠି ଦେଖିବାକୁ ମିଳିଲା। ସ୍ମୃତିର ପ୍ରେମରେ ସିଦ୍ଧାନ୍ତ ଏତେ ମସଗୁଲ ହୋଇଗଲା ଯେ ସେ ନିଜର ପାଠ ପଢ଼ା ପ୍ରତି ଆଦୌ ଦୃଷ୍ଟି ଦେଲାନି।
ଦିନ ରାତି ସ୍ମୃତି ସ୍ବପ୍ନରେ ବୁଡି ରହିଲା।ଯାହା ଫଳରେ ସିଦ୍ଧାନ୍ତ କଲେଜର ପ୍ରଥମ ବର୍ଷ ପରୀକ୍ଷାରେ ସେତେ ଭଲ ନମ୍ବର ରଖିବାରେ ସଫଳ ହେଲାନି ।ଘରେ ବାପା ମାଆ ପଚାରିବାରୁ ଉତ୍ତର ଦେଲା, ପ୍ରଥମ ଥର ପାଇଁ ଘର ଛାଡ଼ି ହଷ୍ଟେଲରେ ରହିଲି।ସେଥିପାଇଁ ସେ ପରିବେଶରେ ଆଡ଼ଜଷ୍ଟ କରୁ କରୁ ପାଠ ପଢ଼ା ଉପରେ ଠିକ୍ ରେ ଟିକେ ଧ୍ୟାନ ଦେଇ ପାରିଲି ନାହିଁ। ତେଣୁ ରେଜଲ୍ଟ ଖରାପ ହେଲା।ହେଲେ ତୁମେ ଦେଖିବ ମୁଁ ଫାଇନାଲ୍ ପରୀକ୍ଷା ବେଳକୁ ସବୁ ଠିକ୍ କରି ଦେଇଥିବି।ନିଜର ଏକ ମାତ୍ର ପୁଅକୁ ଅବିଶ୍ବାସ କରିବାର ପ୍ରଶ୍ନ ଉଠି ନଥିଲା ତା ବାପା ମାଆଙ୍କ ମନରେ।
ସିଦ୍ଧାନ୍ତ କିନ୍ତୁ ଦ୍ବିତୀୟ ବର୍ଷ ମଧ୍ୟ ପାଠ ପଢ଼ାରେ ମନ ନ ଦେଇ ସ୍ମୃତି କୁ ନେଇ ପାର୍କ ଯିଵା, ସିନେମା ଯିବା ଓ ତା ହଷ୍ଟେଲ ସାମ୍ନାରେ ଛିଡ଼ା ହୋଇ ଘଣ୍ଟା ଘଣ୍ଟା ଗପିବାରେ କାଟିଦେଲା। କାରଣ ସେତେବେଳେ ଦିନ ରାତି ତା ଆଖି ସାମ୍ନାରେ ଖାଲି ସ୍ମୃତିର ଚେହେରା ନାଚି ଉଠୁଥିଲା। ସ୍ମୃତିକୁ ସେ ଘଡ଼ିଏ ନ ଦେଖିଲେ ରହି ପାରୁ ନଥିଲା। ସ୍ମୃତି ବିନା ତାକୁ ସବୁ କିଛି ଅନ୍ଧାର ଦେଖା ଯାଉଥିଲା।ଫଳରେ +୨ ଫାଇନାଲ ପରୀକ୍ଷାରେ ମଧ୍ୟ ଖାଲି ପାସ୍ କଲା ଯାହା।କିନ୍ତୁ ବାପା ମାଆଙ୍କ ଇଚ୍ଛା ମୁତାବକ ନମ୍ବର ରଖିବାରେ ସଫଳ ହେଲାନି।ବାପା ମାଆଙ୍କୁ ନାନା କଥା କହି ଭୁଲାଇ ଦେଲା।ଖୁବ୍ କଷ୍ଟ ରେ +୩ ରେ କଲେଜରେ ସିଟଟେ ପାଇଲା ହେଲେ ହଷ୍ଟେଲରେ ଆଉ ସିଟ୍ ପାଇଲା ନାହିଁ।ଫଳରେ କଲେଜ ପାଖରେ ଗୋଟେ ଘର ଭଡା ନେଇ ରହିଲା। ଯାହା ଫଳରେ ସ୍ମୃତିର ସେଠାକୁ ଯିବା ଆସିବା ଆହୁରି ସହଜ ହୋଇଗଲା।
ଅନେକ ସମୟରେ କ୍ଲାସ୍ ବନ୍ଦ କରି ମଧ୍ୟ ସିଦ୍ଧାନ୍ତ ସ୍ମୃତି ସହ ସମୟ ବିତାଇବାରେ ଲାଗିଲା।ଯାହା ଫଳରେ+୩ ରେ ମଧ୍ୟ ଆଶା ମୁତାବକ ରେଜଲ୍ଟ କରି ନଥିଲା ସିଦ୍ଧାନ୍ତ।ହେଲେ ବାପା ମାଆଙ୍କୁ ରେଜଲ୍ଟ ବାହାରିବା ବିଷୟରେ କିଛି ଜଣାଇବା ପୂର୍ବରୁ ତା ଜୀବନରେ ଆଉ ଗୋଟିଏ ଘଟଣା ଘଟିଗଲା। ରେଜଲ୍ଟ ବାହାରିବାର କିଛି ଦିନ ପୂର୍ବରୁ ସିଦ୍ଧାନ୍ତ ଲକ୍ଷ୍ୟ କଲା ସ୍ମୃତି କାହିଁକି ଧିରେ ଧିରେ ତା ଠାରୁ ଦୂରତା ବଢାଇବା ପାଇଁ ଲାଗିଛି।ଆଗ ଭଳି ଆଉ ତା ସହ ପାର୍କ କି ଫିଲ୍ମ ଯିବା ପାଇଁ ରାଜି ହେଉନି, କି ସେ ଡାକି ଦେଲା ମାତ୍ରେ ହଷ୍ଟେଲରୁ ସଙ୍ଗେ ସଙ୍ଗେ ବାହାରି ଆସୁନି। ତା ସହ ଘଣ୍ଟା ଘଣ୍ଟା ବାହାରେ ଗପିବା ପାଇଁ ରାଜି ହେଉନି।ଆଉ ସିଦ୍ଧାନ୍ତ କିଛି ପଚାରିଲେ ତାକୁ କହୁଛି ନାଁ ଏସବୁ ତୁମର ବୃଥା ଧାରଣା।ହେଲେ ରେଜଲ୍ଟ ବାହାରିବା ଦିନ ସିଦ୍ଧାନ୍ତ ସ୍ମୃତିକୁ ହଷ୍ଟେଲ ଗେଟ୍ ସାମ୍ନାରେ ଆଉ ଜଣେ ସୈମ୍ଯ ଦର୍ଶନ ଯୁବକଙ୍କ ସହ ହସି ହସି କଥା ହେଉ ଥିବାର ଦେଖି, ତା ମନକୁ ନାନା କଥା ଆସିଲା।
ସେ ଆଉ ନିଜର କ୍ରୋଧକୁ ନିୟନ୍ତ୍ରଣ କରି ପାରିଲା ନାହିଁ।ସେ ଯୁବକ ଗଲା ପରେ ସେ ସ୍ମୃତିକୁ ସେ କିଏ ବୋଲି ପଚାରନ୍ତେ, ସ୍ମୃତି ହସି ହସି ଉତ୍ତର ଦେଲା ସେ ହେଉଛନ୍ତି ମଳୟ।ତାଙ୍କ ସହ ମୋର ବିବାହ ପ୍ରସ୍ତାବ ପଡ଼ିଛି।ସେ ଓଡିଶା ସରକାରଙ୍କ ଅଧୀନରେ ଜଣେ ପଦସ୍ଥ ଅଧିକାରୀ ଅଛନ୍ତି।ତାଙ୍କ ବାପା ଓ ମୋ ବାପା ଦୁଇ ସାଙ୍ଗ।ତେଣୁ ସେ ମୋତେ ଦେଖା କରିବା ପାଇଁ ଆସିଥିଲେ।ସିଦ୍ଧାନ୍ତ କହିଲା ତାହା ହେଲେ ମୋତେ ଏତେ ଭଲ ପାଇବା ଓ ମୋ ସହ ଦିନ ରାତି ବିତାଇବା ସବୁ କିଛିକୁ ଭୁଲି ମଳୟକୁ ବିବାହ କରିବାକୁ ଚାହୁଁଛ?ଆଉ ମୋତେ ଦେଇଥିବା ପ୍ରତିଶୃତି ଓ ଆମେ ଦୁଇଜଣ ସାଙ୍ଗ ହୋଇ ଦେଖି ଥିବା ସ୍ବପ୍ନର ମୂଲ୍ୟ କ'ଣ ତୁମ ପାଖରେ କିଛି ନାହିଁ? ସେ ସବୁ କ'ଣ ଛଳନା ଥିଲା?ସ୍ମୃତି କହିଲା ଏଇ ବୟସରେ ଟାଇମ୍ ପାସ୍ ପାଇଁ ଅନେକ ପୁଅ ଝିଅ ଏମିତି ପରସ୍ପର ସହ ସମୟ କାଟନ୍ତି।ହେଲେ ସମସ୍ତେ କଣ ବାହା ହୁଅନ୍ତି?
ତା ଛଡ଼ା ତୁମ ପାଖରେ କଣ ଅଛି ଯେ,ମୁଁ ତୁମକୁ ଅପେକ୍ଷା କରି ମଳୟଙ୍କ ପରି କ୍ଲାସ୍ ଓ୍ବାନ୍ଅ ଫିସର ପ୍ରସ୍ତାବକୁ ରିଜେକ୍ଟ କରିବି? ତୁମେ ନିଜେ ତ ବାପା ମାଆଙ୍କ ଟଙ୍କାରେ ଚଳୁଛ।ଭବିଷ୍ଯତରେ ମଧ୍ୟ ରୋଜଗାର କ୍ଷମ ହେବକି ନାହିଁ କିଏ ଜାଣେ? ତା ଛଡ଼ା ତୁମେ ଯାହା ରେଜଲ୍ଟ କରିଛ ତାକୁ ଦେଖି ମୁଁ ମୋ ବାପା ମାଆଙ୍କୁ କେଉଁ ମୁହଁରେ ତୁମ କଥା କହିବି। ସିଦ୍ଧାନ୍ତ କହିଲା ତା ମାନେ ତମେ କହୁଛ,ତୁମେ ମୋତେ ଛାଡ଼ି ମଳୟଙ୍କୁ ବିବାହ କରିବ ବୋଲି ସ୍ଥିର କରି ସାରିଛ।ସ୍ମୃତି କହିଲା ଆଉ କଣ ତୁମ ଭଳି ଗୋଟେ ବେକାରୀ ସହ ସାରା ଜୀବନ କାଟିବାର ନିଷ୍ପତ୍ତି ନେଇ ଥାଆନ୍ତି।ତେଣୁ ତୁମକୁ ମୁଁ କହି ଦେଉଛି ଯେ ତୁମେ ଆଉ ଯେମିତି ମୋ ପାଖକୁ ନ ଆସ କିମ୍ବା ମୋତେ ଆଉ ଦେଖା କରିବାର ଚେଷ୍ଟା ନକର।ଆଉ ଆମ ବିଷୟରେ ମୋ ଶ୍ବଶୁର ଘର ଲୋକ କାହାକୁ କିଛି କହି ,ଗଣ୍ଡଗୋଳ କରିବାର ବୃଥା ଚେଷ୍ଟା କରିବନି।କାରଣ ମୁଁ ଆମ ବିଷୟରେ ସବୁ କିଛି ମଳୟଙ୍କୁ କହି ସାରିଛି।ଆଉ ସଵୁ କିଛି ଜାଣି ମଧ୍ୟ ମଳୟ ମୋତେ ବିବାହ କରିବା ପାଇଁ ରାଜି ଅଛନ୍ତି।ତେଣୁ ତୁମେ ମୋତେ ଭୁଲି ଯାଅ।
ଯେଉଁ ସ୍ମୃତି ତାକୁ ଦିନଟେ ନ ଦେଖି ରହି ପାରୁ ନ ଥିଲା।ତା ବିନା ବଞ୍ଚିବା ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ବୋଲି କହୁଥିଲା, ସେ ସ୍ମୃତି ପୁଣି ତାକୁ ଛାଡି ଆଉ କାହାର ହେବାର କଥା କହୁଛି। ତାହା ପୁଣି ନିଜ ଇଚ୍ଛାରେ। ଯେଉଁ ସ୍ମୃତିକୁ ଟିକେ ଖୁସି ଦେବ ବୋଲି ଦିନ ରାତି ତା ସହ ଵୁଲି ତା ଭଳି ବ୍ରିଲିଆଣ୍ଟ ଛାତ୍ର ନିଜର କ୍ୟାରିଅରରେ ଗ୍ରହଣ ଲଗାଇ ଦେଲା,ସେଇ ସ୍ମୃତି ଗୋଟିଏ ମୁହୂର୍ତ୍ତରେ ତାକୁ ତା ଜୀବନରୁ ଦୂରେଇ ଦେଲା।ତା ପାଖକୁ ଆଉ ଆସିବାକୁ ମନା କରିଦେଲା।ଏ ସବୁ ଭାବି ଭାବି ତା ମୁଣ୍ଡ ବୁଲାଇ ଦେଲା।ତାକୁ ଆଗ ପଛ କିଛି ଦେଖା ଗଲା ନାହିଁ।ସ୍ମୃତି ବିନା ବଞ୍ଚିବା ତ ଦୂରର କଥା ଜୀବନର କଳ୍ପନା ମଧ୍ୟ ସେ କେବେ କରିନି।ତାକୁ ଛାଡ଼ି ସେ ରହିବ କେମିତି କିଛି ଭାବି ପାରିଲା ନାହିଁ।ସ୍ମୃତିକୁ ତ ସେ ତା ହୃଦୟର ସ୍ପନ୍ଦନ କରି ସାରିଥିଲା।ତା ବିନା ତା ଜୀବନ ମୃତ୍ୟୁ ସହ ସମାନ ଥିଲା।ତାକୁ ଚାରିଆଡ଼ ଅନ୍ଧାର ଦେଖାଗଲା।
ବହୁ କଷ୍ଟରେ ରୁମ୍ ରେ ପହଞ୍ଚି ରୁମ୍ ର କବାଟ ଝରକା ବନ୍ଦ କରି ଲାଇଟ ଲିଭାଇ ଦେଲା ।ଆଉ ନିଜକୁ ନିଜେ ଧିକ୍କାର କଲା।ସେ କେମିତି ଭୁଲି ଗଲା ଯେ ସବୁ ଚକ୍ ଚକ୍ କରୁଥିବା ଜିନିଷ ସୁନା ନୁହେଁ ବୋଲି? ସ୍ମୃତିର ହସ ହସ ମୁହଁ ଭିତରେ ଥିବା ଭୟଙ୍କର ବିଷକୁ ସେ କେମିତି ଦେଖି ପାରିଲା ନାହିଁ?ସ୍ମୃତି ଯେ ଖାଲି ଟାଇମ୍ ପାସ୍ ପାଇଁ ତାଙ୍କୁ ଉପଯୋଗ କରୁଥିଲା ସେ କଥା ସେ କେମିତି ଜାଣି ପାରିଲା ନାହିଁ?ସ୍ମୃତି ପଛରେ ଗୋଡ଼ାଇ ଗୋଡ଼ାଇ ସେ ତ ତା କ୍ୟାରିୟର ଖରାପ କରି ସାରିଥିଲା।ତା ବାପା ମାଆ ଙ୍କ ସ୍ବପ୍ନକୁ ମଧ୍ୟ ଜଳାଞ୍ଜଳୀ ଦେଇ ସାରିଥିଲା।ତେଣୁ ତାଙ୍କୁ କେମିତି ମୁହଁ ଦେଖାଇବ ସେ କଥା ଭାବି ପାରୁ ନଥିଲା। ଯେଉଁ ବାପା ମାଆ ତାକୁ ଭଲ ମଣିଷ କରିବା ପାଇଁ ତାଙ୍କର ସମସ୍ତ ଜୀବନର ସମସ୍ତ ଖୁସିକୁ ତ୍ୟାଗ କରିବାକୁ ପଛାଇ ନାହାଁନ୍ତି , ସ୍ମୃତିର ପ୍ରେମରେ ପଡି ସେ ତାଙ୍କୁ କେତେ ମିଛ କଥା କହିଛି।ସ୍ମୃତି ସହ ପାର୍କ ଓ ଫିଲ୍ମ ହଲ୍ ଯାଇ ପାଠ ନ ପଢି କମ ନମ୍ବର ରଖିଛି ।ଆଉ ତାଙ୍କୁ ଏ ନେଇ ନାନା ମିଛ କଥା କହିଛି।
ଏପଟେ ସ୍ମୃତିର ଧୋକା ସେ ପଟେ ନିଜେ ବାପା ମାଆଙ୍କୁ କହିଥିବା ମିଛ ।ଏ ସବୁ କଥା ଭାବି ଭାବି ସେ ନିଜ ଭିତରେ ନିଜେ ଏତେ ଭାଙ୍ଗି ପଡ଼ିଲା ଯେ ଆତ୍ମହତ୍ୟା ଛଡ଼ା ଆଉ କିଛି ମାର୍ଗ ତାକୁ ଦେଖା ଗଲାନି।ନିଜ ଜୀବନକୁ ନିଜ ହାତରେ ନେଵା ପାଇଁ ଚିନ୍ତା କଲା।ଠିକ୍ ସେଇ ସମୟରେ ତା ଭାବନାକୁ କୁଠାର ଘାତ ଦେଇ କବାଟରେ ହଠାତ୍ ଠକ୍ ଠକ୍ ଆବାଜ୍ ହେଲା।ସେ କବାଟ ଖୋଲି ଦେଖବା ବେଳକୁ ତା ସାମ୍ନାରେ ତା ବାପା ମାଆ।ସେ କହିଲା ତୁମେ ଦୁଇଜଣ ହଠାତ୍?ତା ମାଆ କହିଲେ ଦୁଇଦିନ ହେଲାଣି ତୋ ଫୋନ୍ ଲାଗୁନି।ତୋର ରେଜଲ୍ଟ ମଧ୍ୟ ବାହାରିଵାର ଥିଲା? କାଳେ କଣ ଅସୁବିଧା ହେଲା ବୋଲି ମନଟା ଭାରି ଗୋଳାଇ ଘାଣ୍ଟି ହେଲା।ତୋତେ ଦେଖିବାକୁ ପଳାଇ ଆସିଲୁ।ତୁ ପିଲା ଲୋକ ତୁ କାହୁଁ ବୁଝିବୁ ବାପା ମାଆଙ୍କ ମନ।ନିଜେ ବାପା ହେଲେ ଠିକ୍ ବୁଝିବୁ।ପିଲା ମାନେ ଦୂରରେ ଥିଲେ ବାପା ମାଆଙ୍କ ମନ କେମିତି ଛୋଟ ଛୋଟ କଥାରେ ବ୍ୟସ୍ତ ହୋଇଉଠେ।
ମାଆଙ୍କ କଥା ଶୁଣି ସିଦ୍ଧାନ୍ତ ଭୋ ଭୋ ହୋଇ କାନ୍ଦି ଉଠିଲା ଓ ନିଜ ବାପା ମାଆଙ୍କ ଆଗରେ ସବୁ ସତ ବଖାଣିଲା।ସ୍ମୃତିକୁ ତାର ଭଲ ପାଇବା ଓ ତା ସହ ସମୟ କାଟିବା ପାଇଁ ଯାଇ ନିଜ ପାଠ ପଢ଼ା ପ୍ରତି ଗୁରୁତ୍ବ ନ ଦେଇ ରେଜଲ୍ଟ ଖରାପ କରିବା,ସେଥିପାଇଁ ତାଙ୍କୁ ମିଛ କହିବା ଓ ସ୍ମୃତିର ତାକୁ ଧୋକା ଦେବା ଓ ତାର ଆତ୍ମହତ୍ୟା କଥା ଚିନ୍ତାକରିବା ସବୁ କିଛି ଗୋଟି ଗୋଟି କରି କହିଲା।ସଵୁ ଶୁଣି ତା ବାପା ତାକୁ ନିଜ କୋଳକୁ ଟାଣିନେଇ କହିଲେ ବାପାରେ ଛଳନା ସ୍ମୃତି ତୋ ସହ କରିଛି ,ତୁ ତା ସହ ନୁହଁ।ଆଉ ଗୋଟିଏ ଝିଅର ଛଳନା ପାଇଁ ତୁ ତ ଅମୂଲ୍ୟ ଜୀବନକୁ ହାରିବା କଥା ଚିନ୍ତା କରୁଥିଲୁ।ଆମ କଥା ଟିକେ ଭାବିଲୁନି।ତୋ ବିନା ମୋର ଓ ତୋ ମାଆ ର କି ଅବସ୍ଥା ହୋଇଥାଆନ୍ତା?ସେ କଥା ଟିକେ ଚିନ୍ତା କଲୁନି।ତା ଛଡ଼ା ସେ ଝିଅର ପ୍ରତାରଣାର ଦଣ୍ଡ ତୁ ଆମକୁ କାହିଁକି ଦେବାକୁ ଯାଉଥିଲୁ?
ବାପାରେ ସତ କହିଲୁ ତୁ ସିନା ସେ ଝିଅକୁ ଭଲ ପାଉଥିଲୁ ହେଲେ ସେ ଝିଅ କଣ ସତରେ ତୋତେ ଭଲ ପାଉଥିଲା?ଆଉ ସତରେ ଯଦି ସେ ତୋତେ ଭଲ ପାଉ ଥାଆନ୍ତା, ତେବେ କ'ଣ ତୋତେ ତୋ ଖରାପ ସମୟରେ ଏକୁଟିଆ ଛାଡ଼ି ଆଉ କାହା ହାତ ଧରିବା କଥା ଚିନ୍ତା କରି ପାରି ଥାଆନ୍ତା?ଯିଏ ତୋର ନିଚ୍ଛକ ଭଲ ପାଇବାକୁ ବୁଝି ପାରିଲା ନାହିଁ ,ତୁ ତା ପାଇଁ ଜୀବନ ଦେବା କଥା ଚିନ୍ତା କରୁଥିଲୁ। ଜୀବନରେ ଏମିତି କେତେ ଝଡ଼ ଜଞ୍ଜା ଆସିବ ତାକୁ ମୁକାବିଲା କରିବା ପରିବର୍ତ୍ତେ ଆତ୍ମହତ୍ୟା କଥା ଚିନ୍ତା କରିବା କଣ ଠିକ୍? ବାପାଙ୍କ କଥା ଶୁଣି ସିଦ୍ଧାନ୍ତ ଭାବୁଥିଲା ସତରେ ସେ କଣ କରିବା ପାଇଁ ଯାଉଥିଲା?ସେ ଏତେ ସ୍ବାର୍ଥପର କେମିତି ହୋଇ ଯାଇଥିଲା ?ନିଜର ପ୍ରେମ ପାଇଁ ତା ବାପା ମାଆଙ୍କର ଜୀବନ କଥା ଭାବୁ ନଥିଲା।ତା ବିନା ତା ବାପା ମାଆ କେମିତି ବଞ୍ଚି ଥାଆନ୍ତେ? ତାଙ୍କ ଅବସ୍ଥା କଣ ହୋଇ ଥାଆନ୍ତା? ସେ କଥା ସେ ତ ଟିକେ ବି ଚିନ୍ତା କରି ନଥିଲା।
ଯେଉଁ ବାପା ମାଆ ତା ପେଟରେ ଦାନା ଦେବେ ବୋଲି ନିଜେ ଉପାସରେ ଶୋଇଛନ୍ତି,ତା ଓଠରେ ହସଟେ ଦେଖିବେ ବୋଲି କେତେ ରାତି ଉଜାଗରରେ କାଟିଛନ୍ତି,ତାଙ୍କ କଥା ସେ ଭୁଲିଗଲା କେମିତି?ସାମାନ୍ଯ ଗୋଟିଏ ଝିଅ ପାଇଁ ସେ ସବୁ ଦିନ ପାଇଁ ତାଙ୍କୁ ଏକା ଛାଡ଼ି ଚାଲି ଯିବା କଥା ଚିନ୍ତା କଲା କେମିତି?ତା ବାପା ମାଆ କହିଲେ ଥରେ ପଡି ଯାଇ ପୁଣି ଥରେ ଉଠିବା ହିଁ ଜୀବନ ।ଏବେ ବି ଡେରି ହୋଇନି।ତୁ ପୁଣି ଥରେ ଚେଷ୍ଟା କର୍ ଦେଖିବୁ ସବୁ କିଛି ପୁଣି ଥରେ ସଜାଡି ଯିବ। ବାପା ମାଆଙ୍କ କଥା ଶୁଣି ସିଦ୍ଧାନ୍ତ ଜୀବନ ଆକାଶରେ ଘୋଟି ଥିବା ସବୁ କଳା ବାଦଲ ହଟି ଯାଇଥିଲା।ଆଉ ସୂର୍ଯ୍ୟଙ୍କର ସୁନେଲି କିରଣ ଚାରିଆଡ଼େ ବିଛାଡି ହୋଇ ପଡ଼ିଥିଲା।ଜୀବନ ଜିଇଁବାର ରାସ୍ତା ତାକୁ ପରିଷ୍କାର ଭାବରେ ଦେଖାଯାଉଥିଲା।
ସେ ନିଜେ କରିଥିବା ଭୁଲ୍ ପାଇଁ ନିଜେ ଅନୁତାପ କଲା ଏବଂ ସ୍ଥିରକଲା ସ୍ମୃତିକୁ ସବୁ ଦିନ ପାଇଁ ନିଜ ଜୀବନରୁ ବାହାର କରି ଦେବ ।ସେ ନିଜ ମୋବାଇଲ କାଢି ସ୍ମୃତିର ନମ୍ବର ଓ ସବୁ ଫୋଟ ଡିଲିଟ୍ କରି ଦେଲା।