Kanan Bala Nayak

Classics

3  

Kanan Bala Nayak

Classics

ନବଗୁଞ୍ଜର-ତୃତୀୟ ଓ ଶେଷ ଭାଗ

ନବଗୁଞ୍ଜର-ତୃତୀୟ ଓ ଶେଷ ଭାଗ

4 mins
193


 


  ପୂର୍ବ ଅଧ୍ୟାୟରେ ପଢ଼ିଥିଲେ କିରାତ ରୂପି ଅର୍ଜୁନ ହାତରେ ଗଣ୍ଡାଟିର ମୃତ୍ୟୁ ପରେ ଦେବୀ ପାର୍ବତୀ ଶିବଙ୍କୁ ନିଦ୍ରାରୁ ଉଠାଇ ଗଣ୍ଡାକୁ ତୀର ମାରିଥିବା ଲୋକଟିକୁ ଖୋଜିବାକୁ ପଠାଇ ଥିଲେ ଏବଂ ରାସ୍ତା ରେ ଶିବ ଓ ଅର୍ଜୁନ ଦେଖା ହେବାର। ତାପରେ...


  ଦୁଇ ଜଣଙ୍କ ଭିତରେ ଘୋମାଘୋଟ ଯୁଦ୍ଧ ହେଲା। ଅର୍ଜୁନ ନିଜର ଧନୁକୁ ଶିବଙ୍କ ଗଳାରେ ପକାଇ ଚକ୍ରି ପରି ଘିରିଘିରି ବୁଲାଇ ବାକୁ ଲାଗିଲେ।ଶିବଙ୍କ ନାକ ଓ ପାଟିରୁ ଧାର ଧାର ରକ୍ତ ବହିବାକୁ ଲାଗିଲା। ଅର୍ଜୁନଙ୍କ ବଳ ବିକ୍ରମ ରେ ମୁଗ୍ଧ ହୋଇ ଶିବ କହିଲେ ମୁଁ ତୁମ ଉପରେ ସନ୍ତୁଷ୍ଟ। ଏବେ କି ବର ମାଗୁଛ ମାଗ । ତପସ୍ୱୀଙ୍କୁ ଅର୍ଜୁନ କହିଲେ ତୁମେ ଏମିତି କିଏ ଯେ ମୋତେ ପୁଣି ବର ଦେବ? ସତରେ ଆପଣ ଯଦି କୌଣସି ଅଲୌକିକ ଶକ୍ତି ର ଅଧିକାରୀ ତେବେ ମୋତେ ଆପଣଙ୍କର ସ୍ବରୂପ ଦେଖାନ୍ତୁ। ଏହା ଭିତରେ ପାର୍ବତୀ ନିଜର ଯୋଗ ଶକ୍ତି ବଳରେ ଜାଣି ସାରି ଥାଆନ୍ତି ଯେ ଏ କିରାତ କୌଣସି ସାଧାରଣ କିରାତ ନୁହଁ ବରଂ ସ୍ବୟଂ ମଧ୍ୟମ ପାଣ୍ଡବ ଅର୍ଜୁନ।ସେ ଅର୍ଜୁନଙ୍କୁ କହିଲେ ବତ୍ସ ତୁମର ପରମ ସୌଭାଗ୍ୟ ଯେ ତୁମେ ସ୍ବୟଂ ଆଶୁତୋଷ ଶିବଶଙ୍କରଙ୍କର ଦର୍ଶନ ପାଇଲ।


  ପାର୍ବତୀଙ୍କ କଥା ଶୁଣି ଅର୍ଜୁନ ସଚେତନ ହୋଇଗଲେ।ସେ ଅସ୍ତ୍ର ତ୍ୟାଗ କରି ତପସ୍ୱୀ ବେଶରେ ଥିବା ବିଶ୍ୱନାଥଙ୍କୁ ପ୍ରଣିପାତ କଲେ ଏବଂ ସ୍ବୟଂ ମହାଦେବଙ୍କ ଉପରକୁ ଅସ୍ତ୍ର ଉଠାଇ ଥିବାରୁ ନିଜକୁ ଧିକ୍କାର କଲେ। ଅର୍ଜୁନଙ୍କୁ ଚିନ୍ତା କରୁଥିବାର ଦେଖି ପାର୍ବତୀ କହିଲେ ବତ୍ସ ଅଜଥା ଚିନ୍ତା ତ୍ୟାଗ କରି ଭୋଳାନାଥ ଶିବଶଙ୍କରଙ୍କୁ କି ବର ମାଗୁଛ ମାଗ। ଅର୍ଜୁନ କି ବର ମାଗିବେ ଜାଣି ନ ପାରିବାରୁ ପାର୍ବତୀ ତାଙ୍କୁ ଚୁପ୍ କରି ପାଶୁପତ ଅସ୍ତ୍ର ମାଗିବାକୁ କହିଲେ। ସ୍ବୟଂ ପାର୍ବତୀ ମଧ୍ୟ ଅର୍ଜୁନକୁ ଏକ ବର ମାଗିବା ପାଇଁ କହିଲେ। ଅର୍ଜୁନ କି ବର ମାଗିଵେ ଜାଣି ନ ପାରିବାରୁ ଶିବ ତାଙ୍କୁ ଚୁପ୍ କରି ଅକ୍ଷୟ ତୁଣୀର ମାଗିବାକୁ କହିଲେ। ଏହି ପରି ଭାବରେ ଅର୍ଜୁନ ପାଶୁପତ ଅସ୍ତ୍ର ଓ‌ ଅକ୍ଷୟ ତୁଣୀର ପାଇ ନିର୍ଭୟରେ ଅରଣ୍ୟ ରେ ବିଚରଣ କରିବାକୁ ଲାଗିଲେ।

 

 ଏଣେ ଅର୍ଜୁନଙ୍କ ବନବାସ ର ଖବର ଶୁଣି ସଖା ଶ୍ରୀକୃଷ୍ଣ ଦ୍ଵାରକା ରୁ ଆସି ହସ୍ତୀନାପୁର ରେ ପହଞ୍ଚିଲେ। ଏବଂ ଦିବ୍ୟଦ୍ରଷ୍ଟା ସହଦେବଙ୍କ ଠାରୁ ଅର୍ଜୁନ ବନବାସ ର ପ୍ରକୃତ କାରଣ ଜାଣିବାକୁ ଚାହିଁଲେ ଏବଂ ଅର୍ଜୁନ କେଉଁଠି ଅବସ୍ଥାନ କରୁଛନ୍ତି ବୋଲି ପଚାରିଲେ? ସହଦେବ ନିଜ ଦିବ୍ୟ ଦୃଷ୍ଟି ପ୍ରୟୋଗ କରି ଦେଖିଲେ ଅର୍ଜୁନ ଏବେ ମଣିଭଦ୍ରା ପର୍ବତ ରେ ରହୁଛନ୍ତି। ଶ୍ରୀକୃଷ୍ଣ ପୁଣି ସହଦେବଙ୍କୁ ପଚାରିଲେ ଅଗ୍ନି ଦେବତା କାହିଁକି ଏମିତି କପଟ କଲେ?


  ସହଦେବ କହିଲେ ଶ୍ବେତ ରାଜାଙ୍କ ଯଜ୍ଞ ସମୟରେ ଶହଶହ ବର୍ଷ ଧରି ଯଜ୍ଞ ଚାଲିଲା ଏବଂ ମହଣ ମହଣ ଘିଅ ଆହୁତି ସ୍ବରୂପ ଦିଆଗଲା।ସେଇ ସମୟରେ ଲୋଭର ବଶବର୍ତ୍ତୀ ହୋଇ ଅଗ୍ନି ଦେବ ସମସ୍ତ ଘିଅକୁ ଖାଇଗଲେ। ଫଳରେ ସେ ଲୁଦୁବୁଦୁ ବ୍ୟାଧି ର‌ ଶୀକାର ହେଲେ।


   "ଲୋଭେ ବଶ୍ଯାନର (ଅଗ୍ନି    ଦେବ) ଖାଇଲେ ଅନେକ ଘୃତ

   ଲୁଦୁବୁଧୁ ବ୍ୟାଧି ହୋଇଲା ପଦ୍ମ ଲୋହିତ ନେତ୍ର"

ସେଇ ରୋଗ ରୁ ମୁକ୍ତି ପାଇବାର ଔଷଧ ଖାଣ୍ଡବ ବନରେ ଅଛି। ଅଗ୍ନି ଦେବ ଏହି ମହୋଷଧୀକୁ ଇନ୍ଦ୍ରଦେବଙ୍କୁ ମାଗିବା ରୁ ଇନ୍ଦ୍ରଦେବ ତାଙ୍କୁ ତାହା ଦେବାକୁ ମନା କରିଦେଲେ। ଏଣୁ ଅର୍ଜୁନ ବନବାସ ସମୟରେ ସେ ବ୍ରାହ୍ମଣ ବେଶ ଧରି ଦାନ ସ୍ବରୂପ ଅର୍ଜୁନଙ୍କୁ ସେଇ ଔଷଧ ମାଗିବେ। ଯାହା ଫଳରେ ସେ ବ୍ୟାଧି ମୁକ୍ତ ହେବେ।


  ଭଗବାନ କୃଷ୍ଣ କହିଲେ ମୋର ପ୍ରିୟ ସଖା ଅର୍ଜୁନ ଏଠାରେ ଅନୁପସ୍ଥିତ ଥିବା ରୁ ମୋତେ କିଛି ବି ଭଲ ଲାଗୁନାହିଁ। ଏତିକି କହି ମହାପ୍ରଭୁ ଗରୁଡ଼ ପିଠିରେ ‌ବସି ମଣିଭଦ୍ରା ପର୍ବତ ଅଭିମୁଖେ ଯାତ୍ରା କଲେ। ଗରୁଡ଼ଙ୍କୁ କିଛି ଦୂର ରେ ରଖି ପ୍ରଭୁ ଏକ ବିଚିତ୍ର ରୂପ ଧାରଣ କଲେ ଏବଂ ମଣିଭଦ୍ରା ପର୍ବତ ସନ୍ନିକଟ ରେ ଆବିର୍ଭୂତ ହେଲେ। ସେତେବେଳେ ଅର୍ଜୁନ ମଣିଭଦ୍ରା ପର୍ବତର ଏକ ମର୍କତ ଶିଳା ଉପରେ ବସି ଧନୁ ର ଗୁଣକୁ ମାଜୁଥିଲେ।ଏଇ ବିଚିତ୍ର ବେଶ ନେଇ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଆଗରେ ଡିଆଁକୁଦା କଲେ। ସେଇ ଅଦ୍ଭୁତ ପ୍ରାଣୀର ମୁଖ ଟି ଥିଲାକୁକ୍କୁଟ ର, ଗ୍ରୀବା ମୟୂର ର,ବୃଷଭର ଚୂଳ, ସିଂହ କଟି,ସର୍ପ ଲାଞ୍ଜ,ପଛ ଦୁଇଟି ଗୋଡ଼ ମଧ୍ୟରୁ ବାମ ଗୋଡ଼ ଟି ବ୍ୟାଘ୍ର ର ଏବଂ ଦକ୍ଷିଣ ଗୋଡ଼ ଟି ଘୋଟକର।ଆଗ ଦୁଇ ଟି ଗୋଡ଼ ମଧ୍ୟରୁ ବାମ ଟି ଥିଲା ହସ୍ତୀର ଏବଂ ଅନ୍ୟ ଟି ଥିଲା ପଦ୍ମ ଫୁଲ ଧରିଥିବା ମନୁଷ୍ୟ ର ହସ୍ତ।   ଅର୍ଜୁନ ଆଗରୁ ଅନେକ ଜଙ୍ଗଲ ବୁଲି ଥିଲେ ମଧ୍ୟ ଏ ଭଳି ବିଚିତ୍ର ପ୍ରାଣୀ ଆଗରୁ କେବେ ଦେଖି ନଥିଲେ। ତେଣୁ ସେ ଜାଣି ପାରିଲେ ଏହା ମାୟାଧର ଶ୍ରୀକୃଷ୍ଣଙ୍କ ର ଏକ ମାୟା ରୂପ। ତେଣୁ ସେ ସେଇ ବିଚିତ୍ର ପ୍ରାଣୀ ଆଗରେ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ବରୂପକୁ ମନେ କରି ସ୍ତୁତି ଆରମ୍ଭ କଲେ -


 "ପାଦ ତଳେ ପଡି ତୁସ୍ତି କରଇ ବୀର,

ଜୟ ତୁ ଅନାଦି ଯେ ଅବ୍ୟୟ ନିରାକାର,

ତୁ ଦେବ ଦିବ୍ୟ ମୂରତି ରୂପ ଧରି ପାରୁ,

ଅନାଦି ଅବତାର ତୁ ବାଞ୍ଛା କଳ୍ପତରୁ

ତୋହର ଆଜ୍ଞା ରେ ଚତୁର୍ଦ୍ଦଶ ପୁର

ବ୍ରହ୍ମା ରୁଦ୍ର ଇନ୍ଦ୍ର ତୋହର ପରିଚାର,

ସଚରାଚର ଜନେ ସର୍ବେ ତୋର ଭୃତ୍ୟ,ଜୀବ ଅଜୀଵରେ ପୁରି ତୁ ସମ୍ଭୂତ,

ତୋହର ବୀହୁନେ ୟେ ସଚରାଚର ନାସ୍ତି,

ଅନାହତ ପୁରୁଷ ତୁ ଅଣାକାର ଜ୍ୟୋତି,

ଯାହାର ମାୟାରେ ଟି ଭୁଲିଲେ ତ୍ରିଲୋଚନ,ମୋ ଛାର ମାନବ ମୋତେ କିଂକେ ତୋ କଷଣ।"


   ସ୍ବୟଂ ତ୍ରିଲୋଚନ ତ୍ରିପୁରାରୀ ଶିବ ଯାହାଙ୍କ ମାୟାରୁ ବର୍ହିଭୁତ ନଥିଲେ, ଅର୍ଜୁନ ଅବା କିପରି ବିମୋହିତ ହୋଇ ନଥାଆନ୍ତେ।ସଖା ଅର୍ଜୁନଙ୍କ ସ୍ତୁତି ରେ ସନ୍ତୁଷ୍ଟ ହୋଇ ଭଗବାନ ଶ୍ରୀକୃଷ୍ଣ ନିଜର ବାସ୍ତବ ସ୍ବରୂପକୁ ଫେରି ଆସିଲେ ଏବଂ ଅର୍ଜୁନଙ୍କୁ ହସ୍ତୀନାପୁରକୁ ଫେରି ଯିବା ପାଇଁ ଅନୁରୋଧ କଲେ। ମାତ୍ର ଅର୍ଜୁନ ନିଜର ସତ୍ୟକୁ ଉଲଙ୍ଘନ କରିପାରିବେ ନାହିଁ ବୋଲି କହିଲେ।


   ଅର୍ଜୁନଙ୍କ କଥା ଶୁଣି ଶ୍ରୀକୃଷ୍ଣଙ୍କ ମନ ଦୁଃଖ ହେଲା। ମାତ୍ର ଅର୍ଜୁନଙ୍କ ସତ୍ୟ ନିଷ୍ଠା ଦେଖି ସେ ଆନନ୍ଦିତ ହେଲେ। ଅର୍ଜୁନ କହିଲେ ପ୍ରଭୁ ଆପଣଙ୍କ ର ଏଇ ନବଗୁଞ୍ଜର ରୂପ ରେ ଆପଣ ନିଜର ମହାନତା ପ୍ରତିପାଦନ କରିଛନ୍ତି।ତା ସହିତ ସୃଷ୍ଟି ର ପ୍ରତ୍ୟେକ ଜୀବଜନ୍ତୁ ଓ ମନୁଷ୍ୟ ପରସ୍ପର କିପରି ମିଳିମିଶି ରହିବେ ସେ ଭାବ ମଧ୍ୟ ତା ଭିତରେ ରହିଛି। ତେଣୁ ଆପଣଙ୍କର ଏଇ ରୂପ ନବଗୁଞ୍ଜର ରୂପ ରେ ପୂଜା ପାଇବେ।


 ଏହିପରି ନଅଟି ପ୍ରାଣୀ ର ମିଶ୍ରିତ ରୂପ ର ଉଲ୍ଲେଖ ଆଉ କୌଣସି ଭାରତୀୟ କିମ୍ବା ଅନ୍ୟ କେଉଁ ଦେଶର ଶାସ୍ତ୍ର, ପୁରାଣ ବା ପ୍ରାଚୀନ ଗ୍ରନ୍ଥରେ ଦେଖାଯାଏ ନାହିଁ।ନବଗୁଞ୍ଜରର‌ ଚିତ୍ରଣ ଓଡ଼ିଶାର ପଟ୍ଟଚିତ୍ର ରେ, ମନ୍ଦିରର ଭାସ୍କର୍ଯ୍ୟ ଇତ୍ୟାଦିରେ ଦେଖିବାକୁ ମିଳେ। ପୁରୀ ଶ୍ରୀମନ୍ଦିରର ପୃଷ୍ଠ ଭାଗରେ ନବଗୁଞ୍ଜର ଉପାଖ୍ୟାନ ଖୋଦିତ ହୋଇଛି।


  ଗଞ୍ଜପା ପରମ୍ପରାରେ ମଧ୍ୟ ନବଗୁଞ୍ଜର ଦେଖିବାକୁ ମିଳନ୍ତି। ସାଧାରଣତଃ ପୁରୀ ଏବଂ ଗଞ୍ଜାମ ରେ ନବଗୁଞ୍ଜର ରାଜା ଓ ଅର୍ଜୁନ ମନ୍ତ୍ରୀ ଥାଇ ଗଞ୍ଜପା ମିଳେ।


  ସାରଳା ଦାସ ମହାଭାରତରେ ବର୍ଣ୍ଣିତ ଏହି ନବଗୁଞ୍ଜର ଓଡ଼ିଶାର ଜୀବନ୍ତ ସଂସ୍କୃତି ର ନିଜସ୍ଵ ପରିଚୟ ବହନ କରେ‌।


  ବିଦ୍ର-:। (ଗଞ୍ଜପା- ଓଡ଼ିଶାର ଏକ ପାରମ୍ପାରିକ ତାସ୍ ଖେଳ। ଗୋଲାକାର ଅଙ୍କିତ ପଟ୍ଟଚିତ୍ର ରେ ଏହା ଖେଳାଯାଏ।୧୬ଶହ ଶତାବ୍ଦୀରେ ଗଞ୍ଜପା ଖେଳ ଓଡ଼ିଶାର ଗାଁ ମାନଙ୍କରେ ପୁରୁଷ ମାନଙ୍କ ଅବସର ବିନୋଦନ ଖେଳ ଭାବରେ ଖେଳା ଯାଉଥିଲା।)


ସମାପ୍ତ।


Rate this content
Log in

Similar oriya story from Classics