Kanan Bala Nayak

Inspirational Children

4.0  

Kanan Bala Nayak

Inspirational Children

ଚରୈବେତି ଚରୈବେତି

ଚରୈବେତି ଚରୈବେତି

5 mins
22


ଚରୈବେତି ଚରୈବେତି ଶବ୍ଦ ଟି ଐତରେୟ ବ୍ରାହ୍ମଣ ଋକ୍ ବେଦ ରୁ ଆସିଛି. ଚରୈବେତି ଶବ୍ଦ ର ସନ୍ଧି ବିଚ୍ଛେଦ ହେଉଛି -ଚର ଏବ ଇତି ଯାହା ର ଅର୍ଥ ହେଉଛି ଆଗେଇ ଚାଲ ଆଗେଇ ଚାଲ. ଜୀବନ ରେ ଯେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ହତାଶ ଓ ନିରାଶ ନ ହୋଇ ଆଗକୁ ମାଡି ଚାଲିବାର ନାମ ହିଁ ଜୀବନ ।

ଏହି ଶବ୍ଦ ବିଷୟରେ ବିଶେଷ ବିବରଣୀ ଦେବା ପୂର୍ବରୁ ପ୍ରଥମେ ଐତରେୟ ବ୍ରାହ୍ମଣ ଗ୍ରନ୍ଥ, ଯେଉଁ ଗ୍ରନ୍ଥ ରୁ ଏ ଶବ୍ଦ ଆସିଛି ତା ବିଷୟରେ କିଛି ଜାଣିବା ।

ସଂସାର ର ସବୁଠାରୁ ପ୍ରାଚୀନ ଗ୍ରନ୍ଥ ହେଉଛି ବେଦ । ଯାହାକୁ ପରମାତ୍ମା ଙ୍କ ମୁଖ ନିଶୃତ ବାଣୀ ବୋଲି ମଧ୍ୟ କୁହାଯାଏ। ବେଦ ଚାରି ପ୍ରକାରର-

1-ଋକ ବେଦ

2-ଯଜୁ ବେଦ

3-ସାମ ବେଦ

4-ଅର୍ଥବ ବେଦ

ପ୍ରତ୍ୟେକ ବେଦ ଦୁଇ ଭାଗ ରେ ବିଭକ୍ତ କରାଯାଇଛି-ମନ୍ତ୍ର ଓ ବ୍ରାହ୍ମଣ । ଯେଉଁ ଗ୍ରନ୍ଥ ରେ ମନ୍ତ୍ର ବର୍ଣ୍ଣିତ ହୋଇଛି ତାକୁ ସଂହିତା କୁହାଯାଏ ଏବଂ ବ୍ରାହ୍ମଣ କୁ ତିନି ଭାଗ ରେ ବିଭକ୍ତ କରାଯାଇଛି ଯଥା -:1-ବ୍ରାହ୍ମଣ 2-ଅରଣ୍ୟକ ଏବଂ 3-ଉପନିଷଦ. ଏଥିରେ ନିତ୍ୟ ପ୍ରତିଦିନ ବୈଦିକ କର୍ମ କାଣ୍ଡ ବିଷୟରେ ଲେଖା ହୋଇଛି. ଋକ ବେଦ ର ବ୍ରାହ୍ମଣ ଦୁଇ ଭାଗ ରେ ବିଭକ୍ତ.1-ଐତରେୟ ବ୍ରାହ୍ମଣ ଏବଂ 2-ସଂଖ୍ୟାୟନ ବ୍ରାହ୍ମଣ.

ଐତରେୟ ବ୍ରାହ୍ମଣ ଯେଉଁ ବ୍ରାହ୍ମଣରୁ ଚରୈବେତି ଚରୈବେତି ଶବ୍ଦ ଟି ଆସିଛି ତାହା ଏଇ ଭଳି ଭାବରେ ରଚିତ ହୋଇ ଥିଲା।ପୁରା କାଳ ରେ ମାଣ୍ଡୁକୀ ନାମ ରେ ଜଣେ ଋଷି ଥିଲେ । ତାଙ୍କ ପତ୍ନୀ ଙ୍କ ନାମ ଥିଲା ଇତ୍ରା । ଦୁଇ ଜଣ ଈଶ୍ୱର ଭକ୍ତ ଥିଲେ ଏବଂ ଅତ୍ୟନ୍ତ ପବିତ୍ର ଜୀବନ ଜାପାନ କରୁଥିଲେ। ଦୁଇ ଜଣ ପରସ୍ପର କୁ ବହୁତ ଭଲ ପାଉଥିଲେ। ପରସ୍ପର ପରସ୍ପରର ବହୁତ ଯତ୍ନ ନେଉଥିଲେ। ସବୁ ସୁଖ ଭିତରେ ବି ଦମ୍ପତିଙ୍କର ଗୋଟିଏ ବଡ଼ ଦୁଃଖ ଥିଲା।ସେମାନଙ୍କର କୌଣସିସନ୍ତାନ ସନ୍ତତି ନଥିଲେ। ଅନେକ ଚିନ୍ତା କରିବା ପରେ ଉଭୟ ପୁତ୍ର‌‌ ପ୍ରାପ୍ତି ର ଇଚ୍ଛା ନେଇ ଭଗବାନଙ୍କର କଠିନ ତପସ୍ୟା କଲେ। କିଛି ଦିନ ପରେ ଈଶ୍ୱର ତାଙ୍କ କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କର ପ୍ରାର୍ଥନା‌ ପୂରଣ କରିଦେଲେ।

ତାଙ୍କ ଘରେ ଏକ ସୁନ୍ଦର ଓ ଆକର୍ଷଣୀୟ ଶିଶୁପୁତ୍ର ଜନ୍ମଗ୍ରହଣ କଲା। ଜନ୍ମ ରୁ ହିଁ ଶିଶୁ ପୁତ୍ର ଟି ଅନେକ ପ୍ରକାର ଅଲୌକିକ ଓ ଚମତ୍କାରୀ ବିଦ୍ୟା ରେ ପରିପୂର୍ଣ୍ଣ ଥିଲା। କିନ୍ତୁ ଅନେକ ସମୟରେ ସେ ମୌନ ରହୁଥିଲା। ଅନେକ ପ୍ରତୀକ୍ଷା କଲା ପରେ ସେ କଥା କହିବା ଆରମ୍ଭ କଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଏଇଆ ଥିଲା ଯେ ସେ ଯେତେବେଳେ ବି କଥା ହେଉଥିଲା କେବଳ ଈଶ୍ଵରଙ୍କ ନାମ ବାସୁଦେବ ବାସୁଦେବ ହିଁ ଉଚ୍ଚାରଣ କରୁଥିଲା।

ଆଠ ବର୍ଷ ବୟସ ପର୍ଯ୍ୟନ୍ତ ସେ ବାସୁଦେବ ଶବ୍ଦ ଛଡ଼ା ଅନ୍ୟ କିଛି ଶବ୍ଦ ଉଚ୍ଚା ରଣ କରୁନଥିଲା।ସେ ନିରବ ରେ ସବୁବେଳେ ଧ୍ୟାନ ରେ ବସୁଥିଲା।ତାଙ୍କ ମୁହଁରୁ ତେଜ ଓ ଆଖିରୁ ଚମକ ଵାହାରୁ ଥିଲା।

ଆଠବର୍ଷ ବୟସରେ ତାଙ୍କ ଵାପା ତାଙ୍କର ଯଜ୍ଞ ପବିତ ସଂସ୍କାର କରାଇଥିଲେ।ତା ପରେ ସେ ତାଙ୍କୁ ବେଦ ପଢ଼ାଇବା ପାଇଁ ପ୍ରୟାସ କଲେ।ସେ କିନ୍ତୁ ବେଦପାଠରେ ମନ ନଦେଇ କେବଳ ବାସୁଦେବ ଙ୍କ ନାମ ସଙ୍କୀର୍ତ୍ତନ କରୁଥିଲେ। ଏହାର ପରିଣାମ ସ୍ବରୂପ ମାଣ୍ଡୁକୀ ଋଷି ତାଙ୍କ ମାତା ଇତ୍ରା ଙ୍କ ଉପରୁ ମଧ୍ୟ ମୁହଁ ଫେରାଇ ନେଲେ ଏବଂ ଅନ୍ୟ ଜଣେ ସ୍ତ୍ରୀ ପିଙ୍ଗା ଙ୍କୁ ଦ୍ବିତୀୟ ବିବାହ କରିନେଲେ। ତାଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଔରସରୁ ମାଣ୍ଡୁକୀ ଋଷି ଙ୍କ ର ଚାରି ସନ୍ତାନ ଜାତ ହେଲେ। ବଡ଼ ହୋଇ ସେମାନେ ଵେଦ ଓ କର୍ମକାଣ୍ଡ ର ମହାନ ପଣ୍ଡିତ ହୋଇ ଉଠିଲେ। ଚାରିଆଡେ ତାଙ୍କର ପୂଜା ଅର୍ଚ୍ଚନା ହେଲା। ପରିଣାମ ସଦୃଶ ତାଙ୍କ ପ୍ରଥମ ସ୍ତ୍ରୀ ଇତ୍ରା ମାଣ୍ଡୁକୀ ଋଷିଙ୍କ ଦ୍ୱାରା ଉପେକ୍ଷିତ ହୋଇ ଘର ଭିତରେ ଏକାନ୍ତ ଜୀବନ ଯାପନ କରିବା ଆରମ୍ଭ କରିଦେଲେ।

ତାଙ୍କ ପୁତ୍ର ଐତରେୟ ଙ୍କର ଏଥିପ୍ରତି ଜମାରୁ ଧ୍ୟାନ ନଥିଲା।ସେ ସବୁ ସମୟରେ କେବଳ ବାସୁଦେବ ଙ୍କ ନାମ ଜପ କରି ଗୋଟେ ମନ୍ଦିରରେ ପଡ଼ି ରହୁଥିଲେ। ଗୋଟେ ଦିନ ତାଙ୍କ ମାତାଙ୍କ ର ତାଙ୍କ ଉପରେ ବହୁତ କ୍ରୋଧ ଜାତ ହେଲା।ସେ ଐତରେୟ ରହୁଥିବା ମନ୍ଦିର ରେ ପହଞ୍ଚିଲେ ଏବଂ କହିଲେ ତୁମକୁ ଜନ୍ମ ଦେଇ ମୋତେ କଣ ଲାଭ ମିଳିଲା? ତୁମକୁ ତ କେହି ପୂଜା କରୁନାହାନ୍ତି। ମୋତେ ସମସ୍ତେ ଘୃଣା ଚକ୍ଷୁରେ ଦେଖୁଛନ୍ତି। ଏମିତି ଜୀବନ ଥାଇ ଲାଭ କ'ଣ? 

ମାଆଙ୍କ ଠାରୁ ଏଇ ଭଳି ପ୍ରଶ୍ନ ଶୁଣି ଐତରେୟଙ୍କର କିଛି ମନେ ପଡ଼ିଲା।ସେ କହିଲେ ମାଆ ତୁମେ ତ ସଂସାର ପ୍ରତି ଆସକ୍ତ। ଯାହା ଦିନେ ନା ଦିନେ ବିନାଶ ହୋଇ ଯିବ।ଏ ଜଗତରେ କେବଳ ଈଶ୍ଵରଙ୍କ ନାମ ହିଁ ସତ୍ୟ ଅଟେ। ଯାହାର କେବଳ ବିନାଶ ହେବନି। ମୁଁ ତ କେବଳ ସେଇ ଈଶ୍ୱର ଙ୍କୁ ସ୍ମରଣ କରୁଛି। କିନ୍ତୁ ଏବେ ମୁଁ ବୁଝି ପାରୁଛି ମୋର ମୋ ମାଆଙ୍କ ପ୍ରତି ମଧ୍ୟ କିଛି କର୍ତ୍ତବ୍ୟ ଅଛି। ଯାହାକୁ ମୁଁ ଏବେ ପୁରଣ କରିବି ଏବଂ ତୁମକୁ ଏମିତି ସ୍ଥାନ ରେ ବସାଇବି ଯେ ଯାହା ଅନେକ ଯଜ୍ଞ କରିବା ପରେ ମଧ୍ୟ ସମ୍ଭବ ହୋଇ ନଥାଏ।ଏହା କହି ଐତରେୟ ସଚ୍ଚା ହୃଦୟରେ ଭଗବାନ ବିଷ୍ଣୁଙ୍କୁ ବେଦର ବିଧି ଅନୁସାରେ ସ୍ତୁତି କଲେ। ଏଥିରେ ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୋଇ ସାକ୍ଷାତ ରୂପରେ ଐତରେୟ ଏବଂ ତାଙ୍କ ମାଆ ଙ୍କୁ ଆର୍ଶୀବାଦ ଦେଲେ। 

ଭଗବାନ ବିଷ୍ଣୁ କହିଲେ ପୁତ୍ର ଯଦିଓ ତୁମେ ଯଥାର୍ଥ ରୂପରେ ବେଦର ଅଧ୍ୟୟନ କରିନାହଁ,ତଥାପି ମୋ କୃପାରୁ ତୁମେ ସବୁ ବେଦରେ ପ୍ରବୀଣ ହୋଇ ଜଣେ ପ୍ରଖ୍ୟାତ ବିଦ୍ୱାନ ହୋଇଯିବ। ତୁମେ ବେଦର ଗୋଟିଏ ଅଜ୍ଞାତ ଅଧ୍ୟାୟ କୁ ଖୋଜି ପାଇବ।ଏହି ନୂତନ ଅଧ୍ୟାୟଟି ତୁମ ନାମ ଅନୁସାରେ ଐତରେୟ ବ୍ରାହ୍ମଣ ନାମରେ ନାମିତ ହେଵ। ଭଗବାନ ବିଷ୍ଣୁ ମଧ୍ୟ ଏକଥା କହିଲେ ତୁମେ ବିବାହ କରି ଘର ସଂସାର ଗଢ। କିନ୍ତୁ ଯାହାବି କର୍ମ କରିବ ମୋତେ ସମର୍ପଣ କରି କରିବ ଆଉ ଭାବିବ ଯେ ମୋ କଥା ଅନୁସାରେ ହିଁ ତୁମେ ସବୁ କାର୍ଯ୍ୟ କରୁଛ।ଏବେ ତୁମେ କୋଟି ତୀର୍ଥ ବୋଲି ଗୋଟେ ସ୍ଥାନ ଅଛି ସେଠାକୁ ଯାଅ। ସେଠାରେ ହରିମେଧା ଯଜ୍ଞ କରୁଛନ୍ତି। ସେଠାରେ ତୁମର ଆବଶ୍ୟକତା ଅଛି। ସେଠାକୁ ଯିବା ପରେ ତୁମ ମାଆଙ୍କର ସବୁ ଇଚ୍ଛା ପୁରଣ ହୋଇଯିବ । ଏତିକି କହି ବିଷ୍ଣୁ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ।

ଭଗବାନ ବିଷ୍ଣୁ ଙ୍କୁ ସ୍ଵଚକ୍ଷୁରେ ଦେଖି ଐତରେୟ ଙ୍କ ମାଆ ଇତ୍ରା ଙ୍କ ମନ ପୁତ୍ର ସ୍ନେହ ରେ ଗଦ୍ ଗଦ୍ ହୋଇ ଉଠିଲା। ଏହା ପରେ ମାଆ ପୁଅ ଦୁହେଁ ହରିମେଧା ଙ୍କ ଯଜ୍ଞ ନିକଟରେ ଉପସ୍ଥିତ ହେଲେ।ସେଠାରେ ଐତରେୟ ଭଗବାନ ବିଷ୍ଣୁ ଙ୍କ ସ୍ତୁତି ଗାନ କଲେ। ଏହା ଶୁଣି ସେଠାରେ ଥିବା ସମସ୍ତ ବିଦ୍ୱାନ ପ୍ରସନ୍ନ ହୋଇ ଉଠିଲେ। ହରିମେଧା ତାଙ୍କୁ ଉଚ୍ଚ ଆସନ ରେ ବସାଇ ତାଙ୍କର ପରିଚୟ ଭିକ୍ଷା କଲେ ଏବଂ ତାଙ୍କର ସତ୍କାର କଲେ।ଐତରେୟ ଏଠାରେ ବେଦର ନୂତନ ଚାଳିଶ ଅଧ୍ୟାୟ ପାଠ କରିଥିଲେ।ଏହି ପାଠ ପୁରା ପୁରି ଅଜ୍ଞାତ ଥିଲା. ପରେ ଏହି ପାଠ ଐତରେୟ ବ୍ରାହ୍ମଣ ନାମରେ ବିଖ୍ୟାତ ହେଲା।

ହରିମେଧା ତାଙ୍କ ଝିଅର ବିବାହ ଐତରେୟ ଙ୍କ ସହିତ କଲେ। ଐତରେୟ ଙ୍କ ମାଆ ଙ୍କ ର ସବୁ ଇଚ୍ଛା ପୂରଣ ହେଲା। ସେ ତାଙ୍କ ପୁତ୍ର ଐତରେୟ ଙ୍କ ଠାରୁ ଯାହା ଚାହିଁ ଥିଲେ ତାଙ୍କୁ ତାହା ମିଳି ଗଲା। ଏହି ପରି ଭାବରେ ଭଗବାନ ବିଷ୍ଣୁ ଙ୍କ କୃପା ରୁ ଐତରେୟ ଙ୍କ ନାମ ଐତରେୟ ବ୍ରାହ୍ମଣ ଗ୍ରନ୍ଥ ର ରଚୟିତା ଭାବରେ ଚୀର ଅମର ହୋଇ ଗଲା ।

ଚାଳିଶ ଅଧ୍ୟାୟ ବିଶିଷ୍ଟ ଏଇ ଐତରେୟ ବ୍ରାହ୍ମଣ ଋକ୍ ବେଦ ଗ୍ରନ୍ଥ ରୁ "ଚରୈବେତି ଚରୈବେତି" ଶବ୍ଦ ଟି ଆନୀତ ହୋଇଛି.ଇଖ୍ବାକୁ ବଂଶ ର ରାଜା ହରିଶ୍ଚନ୍ଦ୍ର ଙ୍କ ର ଅନେକ ରାଣୀ ଥିଲେ କିନ୍ତୁ କୌଣସି ରାଣୀ ଙ୍କ ର ପୁତ୍ର ସନ୍ତାନ ନଥିଲେ। ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ଯେଉଁ ମଣିଷ ପୁତ୍ରହୀନ ହୋଇ ଥାଏ ମୃତ୍ୟୁ ପରେ ତାର ଉଦ୍ଧାର ହୁଏ ନାହିଁ। କାରଣ ପୁତ୍ ରୂପକ ନର୍କରୁ ପିତା ମାତାଙ୍କୁ ଉଦ୍ଧାର କରିବା ପାଇଁ ପୁତ୍ର ସନ୍ତାନଟିଏ ଜାତ ହେବା ନିତାନ୍ତ ଆବଶ୍ୟକ। ରାଜାଙ୍କର ପୁତ୍ର ସନ୍ତାନ ଟିଏ ନଥିବା ହେତୁ ରାଜା ସବୁ ବେଳେ ଚିନ୍ତିତ ରହୁଥିଲେ।

ଥରେ ତାଙ୍କ ରାଜ ମହଲରେ ଦେବର୍ଷି ନାରଦ ଓ ପର୍ବତ ଋଷି ରାତ୍ରୀ ଯାପନ କଲେ। ସେଇ ସମୟରେ ରାଜା ତାଙ୍କର ଚିନ୍ତା ଦେବର୍ଷି ନାରଦ ଙ୍କ ନିକଟରେ ପ୍ରକାଶ କଲେ ଏବଂ ପୁତ୍ର ପ୍ରାପ୍ତି ପାଇଁ ଉପାୟ ବତାଇବା ପାଇଁ କହିଲେ। ଦେବର୍ଷି ନାରଦ ତାଙ୍କୁ ବରୁଣ ଦେବଙ୍କୁ ପୂଜା ଅର୍ଚ୍ଚନା କରିବା ପାଇଁ କହିଲେ। ଯିଏ ସନ୍ତୁଷ୍ଟ ହେଲେ ତାଙ୍କୁ ପୁତ୍ର ପ୍ରାପ୍ତି ପାଇଁ ବର ଦେବେ ବୋଲି କହିଲେ।(କ୍ରମଶଃ)

~~~ଚରୈବେତି ଚରୈବେତି~~~


(ଦ୍ଵିତୀୟ ଭାଗ)


(ପୂର୍ବ ଅଧ୍ୟାୟ ରେ ଆପଣ ମାନେ ପଢିଥିଲେ ଇଖ୍ବାକୁ ବଂଶୀୟ ରାଜା ହରିଶ୍ଚନ୍ଦ୍ର ଦେବର୍ଷି ନାରଦ ଙ୍କୁ ପୁତ୍ର ପ୍ରାପ୍ତି ପାଇଁ ଉପାୟ ବତାଇବା ପାଇଁ କହିଲେ ଏବଂ ଦେବର୍ଷି ନାରଦ ତାଙ୍କୁ ବରୁଣ ଦେବଙ୍କୁ ପୂଜା ଅର୍ଚ୍ଚନା କରିବା ପାଇଁ କହିଲେ)

ଏବେ ଆଗକୁ -:


    ଦେବର୍ଷି ନାରଦ ଙ୍କ ଉପଦେଶ ଅନୁସାରେ ରାଜା ହରିଶ୍ଚନ୍ଦ୍ର ବରୁଣ ଦେବଙ୍କ ପୂଜା ଅର୍ଚ୍ଚନା କଲେ। ରାଜାଙ୍କ ପୂଜା ଅର୍ଚ୍ଚନା ରେ ସନ୍ତୁଷ୍ଟ ହୋଇ ବରୁଣ ଦେବ ତାଙ୍କ ନିକଟରେ ଉପସ୍ଥିତ ହେଲେ।ରାଜା ପୁତ୍ର ପ୍ରାପ୍ତି ପାଇଁ ବର ଦାନ ମାଗିଲେ ଏବଂ କହିଲେ ପୁତ୍ର ସନ୍ତାନ ଜାତ ହେଲେ ରାଜା ପୁତ୍ର ଙ୍କ ସହିତ ମିଶି ବରୁଣ ଦେବଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରିବେ।(ପୁତ୍ର ହେଲା ପରେ ତାକୁ ବଳି ପଶୁ କରି ଯଜ୍ଞ କରିବା ପାଇଁ ବରୁଣ ଦେବ କହିଲେ)।ସେ ସମୟରେ ଯଜ୍ଞରେ କୌଣସି ପଶୁବଳି ର ଉଲ୍ଲେଖ ଦେଖିବାକୁ ମିଳେ। ଏଠାରେ ଯେଉଁ କଥା ବର୍ଣ୍ଣନା କରାଯାଇଛି ତା ଅନୁସାରେ ରାଜା ଙ୍କ ମନରେ ଭବିଷ୍ୟତରେ ପୁତ୍ର ସନ୍ତାନ ହେଲେ ତାକୁ ବଳିଦେବା କଥା ହିଁ ଚାଲୁଥିଲା। ପୁତ୍ର ପ୍ରାପ୍ତି ର ଆଶାରେ ରାଜା ରାଜା ବୋଧେ କିଛି ଚିନ୍ତା ନ କରି ବରୁଣ ଦେବଙ୍କୁ ଏକ ଅନୁଚିତ ବଚନ ଦେଇ ଦେଇଥିଲେ।

  

  ସମୟ କ୍ରମେ ରାଜାଙ୍କର ଏକ ପୁତ୍ର ସନ୍ତାନ ଜାତ ହେଲା।ସେ ସମୟରେ ବରୁଣ ଦେବ ରାଜାଙ୍କ ପାଖରେ ଉପସ୍ଥିତ ହୋଇ ତାଙ୍କ ପ୍ରତିଜ୍ଞା ବିଷୟରେ ମନେ ପକାଇ ଦେଇଥିଲେ ଏବଂ ନିଜର ଶିଶୁପୁତ୍ର ଙ୍କୁ ନେଇ ଯଜ୍ଞ କରିବା ପାଇଁ କହିଥିଲେ।ରାଜା ବରୁଣ ଦେବଙ୍କୁ କହିଲେ ବର୍ତ୍ତମାନ ଆମ ଘର ଅଶୌଚ ଅଛି। ତେଣୁ ଏ ଭଳି ପରିସ୍ଥିତିରେ ଯଜ୍ଞ କରି ହେବନି।ଦଶ ଦିନ ପରେ ବରୁଣ ଦେବ ପୁଣି ଥରେ ରାଜାଙ୍କ ସମ୍ମୁଖରେ ପ୍ରକଟ ହେଲେ ଏବଂ ପୁଣି ଥରେ ରାଜାଙ୍କୁ ତାଙ୍କ ପ୍ରତିଜ୍ଞା ବିଷୟରେ ମନେ ପକାଇ ଦେଲେ।ରାଜା ବରୁଣ ଦେବଙ୍କୁ କହିଲେ  ଦାନ୍ତ ନ ଉଠିବା ପର୍ଯ୍ୟନ୍ତ କୌଣସି ପଶୁଙ୍କୁ ମଧ୍ୟ ବଳି ଦିଆଯାଏ ନାହିଁ। ତେଣୁ ଅତ୍ୟନ୍ତ ମୋ ପୁଅର ଦାନ୍ତ ଉଠିବା ପର୍ଯ୍ୟନ୍ତ ଦିଅନ୍ତୁ। ବରୁଣ ଦେବ ଠିକ୍ ଅଛି କହି ସେଠାରୁ ପ୍ରତ୍ୟାବର୍ତ୍ତନ କରିଗଲେ। କିଛି ଦିନ ପରେ ଯେତେବେଳେ ବାଳକ ରୋହିତ ର ଦାନ୍ତ ଉଠିଲା, ବରୁଣ ଦେବ ପୁଣି ଥରେ ରାଜାଙ୍କ ନିକଟକୁ ଆସି ତାଙ୍କ ସଂକଳ୍ପ ମନେ ପକାଇ ଦେଲେ। ଏଥର ମଧ୍ୟ ରାଜା ହରିଶ୍ଚନ୍ଦ୍ର ବରୁଣ ଦେବଙ୍କୁ ଏଇ କଥା କହି ଫେରାଇ ଦେଲେ ଯେ ହେ ବରୁଣ ଦେବ ମୋ ପୁତ୍ର ଯେତେବେଳେ ଧନୁର୍ବିଦ୍ୟା ଓ ଯୁଦ୍ଧ କଳା ଇତ୍ୟାଦି କ୍ଷତ୍ରିୟ ସଂସ୍କାର ରେ ସଂସ୍କାରିତ ହୋଇ ଯିବ ମୁଁ ନିଶ୍ଚିତ ତା ଦ୍ଵାରା ଆପଣଙ୍କ ଆପଣଙ୍କ ଯଜ୍ଞ କରାଇବି।


   ରୋହିତ ଯେତେବେଳେ କ୍ଷତ୍ରିୟ ସଂସ୍କାର ରେ ସଂସ୍କାରିତ ହୋଇଗଲା ସେତେବେଳେ ପୁଣି ଥରେ ବରୁଣ ଦେବ ରାଜାଙ୍କୁ ତାଙ୍କ ସଂକଳ୍ପ ମନେ ପକାଇ ଦେଲେ।ଏଥର ରାଜା ହରିଶ୍ଚନ୍ଦ୍ର ଆଉ କିଛି ବାହାନା କରି ପାରିଲେ ନାହିଁ।ସେ ନିଜ ପୁଅ ରୋହିତ କୁ ଏକଥା କହିଲେ। ଏବଂ କହିଲେ ଏହା ମୋର ପାପ ବଚନ। ତଥାପି ମୁଁ ଦେଇଥିବା କଥା ଅନୁସାରେ ମୋତେ ଯଜ୍ଞ କରିବାକୁ ପଡିବ।


କୁମାର ରୋହିତ ପିତା ଙ୍କର ଏଇ ଭଳି ଅନ୍ୟାୟ ପୂର୍ଣ୍ଣ ପ୍ରସ୍ତାବ କୁ ଗ୍ରହଣ ନ କରି ନିଜ ର ଧନୁତୀର ଇତ୍ୟାଦି ଅସ୍ତ୍ରଶସ୍ତ୍ର ନେଇ ବଣକୁ ଚାଲିଗଲେ।  ଭିନ୍ନ ଭିନ୍ନ ସ୍ଥାନରେ ଭ୍ରମଣ କଲେ। ଏବଂ ବିଭିନ୍ନ ଘଟଣାକୁ ଅନୁଧ୍ୟାନ କଲେ। ବରୁଣ ଦେବ ଏଇ କଥା ଜାଣି ଅତ୍ୟନ୍ତ କ୍ରୋଧିତ ହୋଇ ରାଜା ହରିଶ୍ଚନ୍ଦ୍ର ଙ୍କୁ ଜଳଉଦର ରୋଗରେ ଆକ୍ରାନ୍ତ ହେବାପାଇଁ ଅଭିଶାପ ଦେଲେ। ବରୁଣ ଦେବଙ୍କ ଅଭିଶାପ ଅନୁସାରେ ରାଜା ହରିଶ୍ଚନ୍ଦ୍ର ଜଳଉଦର ରୋଗରେ ଆକ୍ରାନ୍ତ ହୋଇ ପଡ଼ିଲେ।

  ଗୋଟେ ବର୍ଷ କାଳ ଜଙ୍ଗଲରେ ଭ୍ରମଣ କରି ସାରିବା ପରେ ରୋହିତ ଗୃହ କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବାହାରିଲେ।ସେ ଗୃହକୁ ଆସୁଥିବା ମାର୍ଗରେ ଇନ୍ଦ୍ର ଦେବ ତାଙ୍କୁ ବ୍ରାହ୍ମଣ ବେଶରେ ଦେଖାଦେଲେ। ଏବଂ ଉପଦେଶ ଦେଇ କହିଲେ-


 "ନାନାଶ୍ରାନ୍ତାୟ ଶ୍ରୀରସ୍ତୀତି ରୋହିତ ଶୁଶ୍ରୁମ।ପାପୌ ନୃଷଦୁରୌ ଜନ ଇନ୍ଦ୍ର ଇଚ୍ଚରତଃ ସଖା ଚରୈବେତି"।।

 (ଐତରେୟ ବ୍ରାହ୍ମଣ, ଅଭ୍ୟାସ ୩, ଖଣ୍ଡ ୩)

ଅର୍ଥାତ୍ ଜ୍ଞାନୀ ଜନ କହନ୍ତି- ପରିଶ୍ରମ କରି ଥକି ଯାଉଥିବା ବ୍ୟକ୍ତି କୁ ବେଳେ ବେଳେ ଧନ ସଂପତ୍ତି ମିଳେ।

ଗୋଟେ ସ୍ଥାନ ରେ ନିଷ୍କ୍ରିୟ ହୋଇ ବସି ରହୁଥିବା ବିଦ୍ୱାନ ବ୍ୟକ୍ତି କୁ ବି ଲୋକମାନେ ତୁଚ୍ଛ ମନେ କରନ୍ତି।

ସବୁବେଳେ କାର୍ଯ୍ୟରତ ବ୍ୟକ୍ତି କୁ ଇନ୍ଦ୍ର ମାନେ ଈଶ୍ୱର ମଧ୍ୟ ସହାୟ ହୁଅନ୍ତି। ତେଣୁ ତମେ ଆଗକୁ ଆଗେଇ ଚାଲ।

ବ୍ରାହ୍ମଣ ରୂପୀ ଇନ୍ଦ୍ର ଙ୍କ କଥା ଶୁଣି ରୋହିତ ପୁଣି ଥରେ ଦେଶ ପ୍ରଦେଶରେ ବୁଲିବା କୁ ଲାଗିଲେ।(କ୍ରମଶଃ)

~~~ଚରୈବେତି ଚରୈବେତି ~~~(   ଭାଗ-୩)

 

 ପୂର୍ବ ଅଧ୍ୟାୟ ରେ ଆପଣ ମାନେ ପଢିଥିଲେ ପିତା ରାଜା ହରିଶ୍ଚନ୍ଦ୍ର ଙ୍କ ର ପୁତ୍ର ରୋହିତ କୁ ନେଇ ଯଜ୍ଞ କରିବା କଥା ଶୁଣି ରୋହିତ ରାଜପ୍ରସାଦ ଛାଡ଼ି ଜଙ୍ଗଲକୁ ପଳାଇ ଯାଇଥିଲେ।ଏକ ବର୍ଷ ଜଙ୍ଗଲରେ ଭ୍ରମଣ କରି ସାରି ଗୃହ ଅଭିମୁଖେ ପ୍ରସ୍ଥାନ କରୁଥିବା ସମୟରେ ରାସ୍ତାରେ ଇନ୍ଦ୍ର ଦେବ ବ୍ରାହ୍ମଣ ରୂପରେ ତାଙ୍କୁ ଦେଖା ଦେଲେ। ଏବଂ ଚରୈବେତି ଚରୈବେତି ର ଉପଦେଶ ଦେଇ ଥିଲେ। ଯାହା ଶୁଣି ରୋହିତ ପୁଣି ଥରେ ଭ୍ରମଣ କରିବା ପାଇଁ ଫେରି ଯାଇଥିଲେ।ଏଇ ଅଧ୍ୟାୟ ରେ ପଢ଼ନ୍ତୁ -


ଏହି ପରି ଭାବରେ ପୁଣି ଥରେ ଏକ ବର୍ଷ କାଳ ରୋହିତ ଜଙ୍ଗଲ ରେ ଭ୍ରମଣ କରି ନା ନା କଥା ଅନୁଧ୍ୟାନ କଲେ।ଏକ ବର୍ଷ ପୂରିବା ପରେ ପୁନର୍ବାର ସେ ଗୃହ ଅଭିମୁଖେ ପ୍ରସ୍ଥାନ କରିବାକୁ ଚାହିଁଲେ। ପୁଣି ଥରେ ଇନ୍ଦ୍ର ଦେବ ବ୍ରାହ୍ମଣ ରୂପରେ ତାଙ୍କୁ ଦେଖା ଦେଲେ ଏବଂ ଉପଦେଶ ଦେଇ କହିଲେ-


"ପୁଷ୍ପିଣୌ ଚରତୋ ଜଙ୍ଘେ ଭୂଷ୍ୟୁରାତ୍ମା ଫଳ ଗ୍ରହିଃ 

ଶୋରତେ ଅସ୍ଯ ପାପ୍ମାନ ଶ୍ରମେଣ ପ୍ରପଥେ ହତାଃ ଚରୈବେତି ଚରୈବେତି।।

(ଐତରେୟ ବ୍ରାହ୍ମଣ, ଅଭ୍ୟାସ ୩, ଖଣ୍ଡ ୩)

ନିରନ୍ତର ଚାଲୁଥିଵା ବ୍ୟକ୍ତିର ଜଙ୍ଘ ଗୁଡିକ ସଶକ୍ତ ହୋଇଥାଏ. ଯେଉଁ ବ୍ୟକ୍ତି ସଫଳତା ମିଳିବା ପର୍ଯ୍ୟନ୍ତ କାର୍ଯ୍ୟରେ ଲାଗି ରହନ୍ତି ତାଙ୍କ ଆତ୍ମା ପ୍ରତିଭା ସମ୍ପନ୍ନ ହୁଏ। ପରିଶ୍ରମୀ ମନୁଷ୍ୟ ର ସମସ୍ତ ଦୋଷ ତୃଟି କାର୍ଯ୍ୟ କରୁଥିବା ରାସ୍ତା ରେ ହିଁ ସ୍ବତଃ ନଷ୍ଟ ହୋଇ ଯାଇଥାଏ ।ତେଣୁ ତୁମେ ଆଗକୁ ଆଗକୁ ଆଗେଇ ଚାଲ.


  ବ୍ରାହ୍ମଣ ରୂପୀ ଇନ୍ଦ୍ର ଙ୍କ ର ଏଇ ଉପଦେଶ କୁ ଶୁଣି ରୋହିତ ପୁଣି ଥରେ ଜଙ୍ଗଲ ମଧ୍ୟକୁ ଫେରି ଗଲେ ଏବଂ ଜଙ୍ଗଲ ଭିତରେ ବିଭିନ୍ନ ଜିନିଷ ଅନୁଧ୍ୟାନ କଲେ. ଏହି ପରି ଭାବରେ ଏକ ବର୍ଷ ଭ୍ରମଣ କରିବା ଅନ୍ତେ ପୁନର୍ବାର ରୋହିତ ଗୃହ ଅଭିମୁଖେ ଯିବା କୁ ଚାହିଁଲେ. ଏଥର ମଧ୍ୟ ବ୍ରାହ୍ମଣ ରୂପୀ ଇନ୍ଦ୍ର ତାଙ୍କୁ ଏଇ କଥା କହି ଜଙ୍ଗଲ ଭିତର କୁ ଫେରାଇ ଦେଲେ-

"ଆସ୍ତେ ଭଗ ଆସୀନ ସୌଧ୍ୱସ୍ତିଷ୍ଠତି ତିଷ୍ଠତଃ ଶତେ ନିପଦ୍ଯ ମାନସ୍ୟ ଚରତି ଚରତଃ  ଭଗ ଚରୈବେତି ଚରୈବେତି"।।

(ଐତରେୟ ବ୍ରାହ୍ମଣ, ଅଭ୍ୟାସ ୩, ଖଣ୍ଡ ୩)

ଯେଉଁ ମଣିଷ ବସିରହେ ତାର ସୌଭାଗ୍ୟ ମଧ୍ୟ ବସି ରହେ। ଯିଏ ଉଠି ଛିଡ଼ା ହୁଏ ତାର ସୌଭାଗ୍ୟ ମଧ୍ୟ ସେ ଭଳି ଉପରକୁ ଉଠେ।ଆଉ ଯିଏ ଶୋଇରହେ ତାର ଭାଗ୍ୟ ମଧ୍ୟ ଶୋଇ ରହେ। ଆଉ ଯିଏ ନିରନ୍ତର କର୍ମ କରି ଚାଲିଥାଏ,ତା ସୌଭାଗ୍ୟ ରେ ମଧ୍ୟ ବୃଦ୍ଧି ହୁଏ। ତେଣୁ ତମେ ଚାଲିବା ଜାରୀ ରଖ। ଏଇ କଥା ଶୁଣି ରୋହିତ ପୁଣି ଥରେ ବଣ କୁ ଫେରି ଗଲେ ଏବଂ ବିଭିନ୍ନ ଜାଗା ଭ୍ରମଣ କରି ଅନୁଭବ ସାଉଁଟି ଲେ।ଏକ ବର୍ଷ ଅନ୍ତେ ପୁଣି ଥରେ ରୋହିତ ଗୃହ ଅଭିମୁଖେ ପ୍ରସ୍ଥାନ କରିବାକୁ ଚାହିଁଲେ ।ଏଥର ମଧ୍ୟ ବ୍ରାହ୍ମଣ ରୂପୀ ଇନ୍ଦ୍ର ତାଙ୍କୁ ଦେଖା ଦେଇ ଉପଦେଶ ଦେଇ କହିଲେ -

"କଳିଃ ଶୟାନୋ ଭବତି ସଂଜିହାନସ୍ତୁ ଦ୍ଵାପର

ଉତ୍ତିଷ୍ଠ ସ୍ତ୍ରେତାଭବତି କୃତଂସମ୍ପଦ୍ଯତେ ରରନ୍ ଚରୈବେତି ଚରୈବେତି"।।(ଐତରେୟ ବ୍ରାହ୍ମଣ, ଅଭ୍ୟାସ ୩, ଖଣ୍ଡ ୩)

ଅର୍ଥାତ୍ ଶୟନ ଅବସ୍ଥା କଳି ଯୁଗ ସହିତ ସମାନ। ଜାଗ୍ରତ ରହି କର୍ମ କରିବା ଦ୍ଵାପର ଯୁଗ ସହ ସମାନ।ଉଠି ଛିଡ଼ା ହେବା ତ୍ରେତୟା ଯୁଗ ସହିତ ସମାନ।ଆଉ ଅନବରତ ଉଦ୍ୟମ ଜାରି ରଖିବା ସତ୍ୟ ଯୁଗ ସହିତ ସମାନ। ତେଣୁ ତୁମେ ଅଗକୁ ଆଗେଇ ଚାଲ।ଏଥର ମଧ୍ୟ ଇନ୍ଦ୍ର ଙ୍କ ର ଏଇ କଥା ଶୁଣି ରୋହିତ ଜଙ୍ଗଲ ଭିତରକୁ ଫେରି ଗଲେ ଏବଂ ବିଭିନ୍ନ ସ୍ଥାନ ଭ୍ରମଣ କଲେ।

ପୁଣି ଥରେ ଏକ ବର୍ଷ ଅନ୍ତେ ରୋହିତ ଗୃହ ଅଭିମୁଖେ ପ୍ରସ୍ଥାନ କରିବାକୁ ବାହାରିଲେ।ଏ ଥର ମଧ୍ୟ ବ୍ରାହ୍ମଣ ରୂପୀ ଇନ୍ଦ୍ର ତାଙ୍କୁ ରାସ୍ତାରେ ଦେଖାଦେଇ ଉପଦେଶ ଦେଲ।

"ଚରନ୍ ବୈ ମଧୁ ବିନ୍ଦତି 

ଚରନ୍ ସ୍ବାଦୁମୁଦୁମ୍ବରମ୍ 

ସୂର୍ଯ୍ୟସ୍ଯ ପଶ଼୍ଯ ଶ୍ରେମାଣଂ 

ୟୋ/ଯଃ ଚରଣ ନ ତନ୍ଦ୍ରୟତେ ଚରୈବେତି ଚରୈବେତି"।।‌(ଐତରେୟ ବ୍ରାହ୍ମଣ, ଅଭ୍ୟାସ ୩, ଖଣ୍ଡ ୩)

ଅର୍ଥାତ୍ ପରିଶ୍ରମ ରୁ ହିଁ ମଧୁ ପ୍ରାପ୍ତି ହୁଏ। ପରିଶ୍ରମରୁ ହିଁ ସୁସ୍ବାଦୁ ଫଳ ମିଳେ। ସୂର୍ଯ୍ୟଙ୍କ ଶ୍ରେଷ୍ଠତାକୁ ଦେଖ ଯିଏ ଚାଲିବା ସମୟରେ କେବେବି ଆଳସ୍ୟ କରନ୍ତି ନାହିଁ। ତାଙ୍କ କିରଣ ର ତେଜକୁ ଦେଖ,ଏହି ତେଜ ତାଙ୍କର ନିରନ୍ତର ଗତି ଯୋଗୁଁ ହିଁ ସମ୍ଭବ ହୁଏ। ବ୍ରାହ୍ମଣ ରୂପୀ ଇନ୍ଦ୍ର ଙ୍କ ଉପଦେଶ ଶୁଣି ରୋହିତ ଷଷ୍ଠ ବର୍ଷ ପାଇଁ ପୁଣିଥରେ ଭ୍ରମଣ କରିବା ପାଇଁ ଚାଲିଗଲେ।( କ୍ରମଶଃ ....  )

ପୂର୍ବ ଅଧ୍ୟାୟ ରେ ଆପଣ ମାନେ ପଢ଼ି ଥିଲେ ପିତା ହରିଶ୍ଚନ୍ଦ୍ର ଙ୍କ ପ୍ରତିଜ୍ଞା କୁ ବିରୋଧ କରି ରୋହିତ ଜଙ୍ଗଲ ଅଭିମୁଖେ ଭ୍ରମଣ କରିବା ପାଇଁ ଚାଲିଗଲେ। ଏକ ବର୍ଷ ଅନ୍ତେ ସେ ଗୃହ କୁ ଫେରୁଥିବା ସମୟରେ ଇନ୍ଦ୍ର ଦେବ ବ୍ରାହ୍ମଣ ରୂପରେ ଦେଖା ଦେଇ ତାଙ୍କୁ ଫେରାର ଦେଇଥିଲେ। ଏହିପରି ଭାବରେ ଇନ୍ଦ୍ର ରୋହିତ ଙ୍କୁ ପାଞ୍ଚ ବର୍ଷ ରେ ପାଞ୍ଚଟି ଉପଦେଶ ଦେଇ ଥିଲେ। ଏବେ  ପଢନ୍ତୁ---

ଚରୈବେତି ଚରୈବେତି ର

 (ଚତୁର୍ଥ ତଥା ଶେଷ ଭାଗ)

ବ୍ରାହ୍ମଣ ରୂପୀ ଇନ୍ଦ୍ର ଙ୍କ ଉପଦେଶ ଅନୁସାରେ ରୋହିତ ପୁଣି ଥରେ ଭ୍ରମଣ କରିବା ଉଦ୍ଧେଶ୍ୟରେ ବାହାରି ଗଲେ।ଏହି ସମୟରେ ତାଙ୍କୁ ଖବର ମିଳିଲା ଯେ ତାଙ୍କ ପିତାଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ,ସେ ସେତେବେଳେ ଗୃହକୁ ପ୍ରସ୍ଥାନ କରିବାକୁ ଚାହିଁଲେ। ସେଇ ସମୟରେ ତାଙ୍କ ର ଭେଟ ଅଜୀଗର୍ତ ନାମକ ଜଣେ ଦରିଦ୍ର ବ୍ରାହ୍ମଣ ଋଷି ଙ୍କ ସହିତ ହେଲା। ଯିଏ କି ଖାଦ୍ୟ ପାଇଁ ସଙ୍ଘର୍ଷ କରୁଥିଲେ।

ଅଜୀଗର୍ତ ଙ୍କ ର ତିନୋଟି ପୁତ୍ର ଥିଲେ।ଯଥା-ଶୁନଃପୁଚ୍ଛ,ଶୁନଃଶେପ ଓ ଶୁନଃଲାଙ୍ଗୁଳ। ରୋହିତ ତାଙ୍କ ସମ୍ମୁଖରେ  କୌଣସି ଗୋଟେ ପୁତ୍ର କୁ ବିକ୍ରି କରିଦେବା ପାଇଁ ପ୍ରସ୍ତାବ ରଖିଲେ। ଅଜୀଗର୍ତ ବଡ଼ ଓ ତାଙ୍କ ସ୍ତ୍ରୀ ସାନ ପୁଅକୁ ବହୁତ ପାଉଥିଲେ। ତେଣୁ ସେ ଧନ ଲୋଭରେ ତାଙ୍କ ମଧ୍ୟମ ପୁତ୍ର ଶୁନଃଶେପ କୁ ରୋହିତ ଙ୍କୁ ବିକ୍ରି କରିଦେଲେ।

ଯାହା ଦ୍ଵାରା ସେ ନିଜେ ଯଜ୍ଞରେ ନ ବସି ଶୁନଃଶେପ ଙ୍କ ଦ୍ଵାରା ଯଜ୍ଞ ସମାପ୍ତି କରାଇ ପାରିବେ। କୁହାଯାଏ ଯେ ବରୁଣ ଦେବଙ୍କୁ କ୍ଷେତ୍ରୀୟ ବାଳକ ଠାରୁ ବ୍ରାହ୍ମଣ ବାଳକ ଅଧିକ ପ୍ରିୟଥିଲା। ଶୁନଃଶେପ ଙ୍କୁ ନେଇ ରୋହିତ ରାଜ୍ୟକୁ ଫେରିଆସିଲେ ଏବଂ ଯଜ୍ଞର ସମସ୍ତ ବ୍ୟବସ୍ଥା କରାଇଲେ। ସେଠାରେ ଶୁନଃଶେପ ଙ୍କ ପିତା ଅଜୀଗର୍ତ ମଧ୍ୟ ଉପସ୍ଥିତ ଥିଲେ। ଯେତେବେଳେ ଶୁନଃଶେପ ଙ୍କୁ ପଶୁଭଳି ବଳୀଖୁଣ୍ଟ ରେ ବାନ୍ଧିବା ର ବେଳ ଆସିଲା, ସେତେବେଳେ ସେଠାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି ସେ ଭଳି ପାପ କରିବା ପାଇଁ ଇଚ୍ଛୁକ ହେଲେ ନାହିଁ।

  ସେ ସମୟରେ ଶୁନଃଶେପ ଙ୍କ ପିତା ରାଜା ହରିଶ୍ଚନ୍ଦ୍ର ଙ୍କ ଠାରୁ ୧୦୦‌ ଗାଈ ନେଇ ଶୁନଃଶେପ ଙ୍କୁ ଯୁପ କାଠରେ(ଯଜ୍ଞରେ ବଳି ଦିଆଯିବା କୁ ଥିବା ପଶୁ ବିନ୍ଧିବା ପାଇଁ ଥିବା କାଠ) ବାନ୍ଧି ଦେଲେ। ହେଲେ ଯୁପ କାଠରେ ପଶୁଭଳି ବନ୍ଧା ହୋଇଥିବା ଏହି ବାଳକକୁ ବଳୀ ଦେବା ପାଇଁ କେହି ରାଜି ହେଲେନାହିଁ।ଏଥର ମଧ୍ୟ ଶୁନଃଶେପ ଙ୍କ ପିତା ଅଜୀଗର୍ତ ପୁଣି ଥରେ ଶହେ ଗାଈ ନେଇ ଶୁନଃଶେପ କୁ ବଳି ଦେବା ପାଇଁ ରାଜି ହୋଇଗଲେ।

ଶୁନଃଶେପ ଏଇ କଥା ଜାଣିଗଲା ଯେ ଯଜ୍ଞରେ ତାକୁ ପଶୁ ଭଳି ବଳି ଦିଆ ଯିବ।କିନ୍ତୁ ଯଜ୍ଞ ସମ୍ବନ୍ଧରେ ତାର ଯେତିକି ଜ୍ଞାନ ଥିଲା,ସେ ଭାବୁଥିଲା ଯଜ୍ଞରେ ଆହୁତି ଶେଷ ହେବାପରେ ତାକୁ ବଣ ମଧ୍ୟରେ ଛାଡି ଦିଆଯିବ। କିନ୍ତୁ ସେ ଯେତେବେଳେ ଜାଣିଲା ଯେ ଯଜ୍ଞରେ ଆହୁତି ଶେଷ ହେବା ପରେ ତାକୁ ବଣ ଭିତରେ ଛଡା ଯିବନି ବରଂ ତା ର ବଦ୍ଧ କରାଯିବ,ସେତେବେଳେ ସେ ଆତ୍ମରକ୍ଷା ପାଇଁ ବିକଳ ହୋଇ ଋକ୍ ବେଦ ର ମନ୍ତ୍ର ଅନୁସାରେ ଦେବତା ଙ୍କୁ ପ୍ରାର୍ଥନା କଲା। 

ପ୍ରଥମେ ସେ ପ୍ରଜାପତି ବ୍ରହ୍ମାଙ୍କୁ ପ୍ରାର୍ଥନା କଲା, ପ୍ରଜାପତି ବ୍ରହ୍ମା ତାକୁ ଅଗ୍ନି ଦେବ ଙ୍କ ସ୍ତୁତି କରିବା ପାଇଁ କହିଲେ। ପ୍ରଜାପତି ବ୍ରହ୍ମା ଙ୍କ କଥା ଅନୁସାରେ ସେ ଅଗ୍ନୀଦେଵ ଙ୍କୁ ପ୍ରାର୍ଥନା କଲା।ହେଲେ ଅଗ୍ନି ଦେବ ତାକୁ ସୂର୍ଯ୍ୟ ଦେବଙ୍କୁ ପ୍ରାର୍ଥନା କରିବା ପାଇଁ କହିଲେ। ଶୁନଃଶେପ ସୂର୍ଯ୍ୟଦେବ ଙ୍କୁ ପ୍ରାର୍ଥନା କରନ୍ତେ,ସୂର୍ଯ୍ୟଦେବ ତାଙ୍କୁ କହିଲେ ଯେହେତୁ ତୁମକୁ ବରୁଣ ଦେବ ଙ୍କୁ ଉତ୍ସର୍ଗ କରିବା ପାଇଁ ଯୁପ କାଠରେ ବନ୍ଧା ଯାଇଛି ତୁମେ ବରୁଣ ଙ୍କୁ ପ୍ରାର୍ଥନା କର। ଶୁନଃଶେପ ବରୁଣ ଦେବଙ୍କ ସ୍ତୁତି କଲା। ବରୁଣ ଦେବ ତାକୁ କହିଲେ, ଅଗ୍ନି ଦେବ ସବୁ ଦେବତାଙ୍କ ର ମୁଖ୍ୟ ସ୍ଵରୂପ ଅଟନ୍ତି କାରଣ ତାଙ୍କ ମାଧ୍ୟମରେ ସବୁ ଦେବତାମାନଙ୍କୁ ଯଜ୍ଞରେ ଆହୁତି ଦିଆଯାଏ। ତେଣୁ ତୁମେ ଅଗ୍ନି ଦେବଙ୍କୁ ସ୍ମରଣ କର।ବାଳକ ଶୁନଃଶେପ ପୁଣି ଥରେ ଅଗ୍ନି ଦେବ ଙ୍କୁ ସ୍ତୁତି କଲା। ସେତେବେଳେ ଅଗ୍ନି ଦେବ ତାଙ୍କୁ ସବୁ ଦେବତାଙ୍କୁ ସ୍ତୁତି କରିବା ପାଇଁ କହିଲେ। ଅଗ୍ନି ଦେବତା ଙ୍କ ଉପଦେଶ ଅନୁସାରେ ସେ ସମସ୍ତ ଦେବତାଙ୍କୁ ସ୍ତୁତି କଲା। 

ସେତେବେଳେ ଦେବତା ମାନେ ତାଙ୍କୁ ଦେବତା ମାନଙ୍କ ରାଜା ଇନ୍ଦ୍ର ଙ୍କୁ ପ୍ରାର୍ଥନା କରିବା ପାଇଁ କହିଲେ। ଦେବତା ମାନଙ୍କ କଥା ଅନୁସାରେ ସେ ଇନ୍ଦ୍ର ଦେବ ଙ୍କୁ ପ୍ରାର୍ଥନା କଲା। ଇନ୍ଦ୍ର ତା ପାଇଁ ଏକ ରଥ ପଠାଇଲେ ଏବଂ ଅଶ୍ଵିନୀ କୁମାରଙ୍କ ସ୍ତୁତି କରିବା ପାଇଁ କହିଲେ। ଯାହା ଫଳରେ ତାଙ୍କୁ ସବୁ ଦେବ ଦେଵୀ ମୁକ୍ତ କରିଦେବେ। ଶୁନଃଶେପ ବୈଦିକ ମନ୍ତ୍ର ଅନୁସାରେ ଅଶ୍ବିନୀ କୁମାର ଙ୍କୁ ସ୍ତୁତି କରିବା ଆରମ୍ଭ କରିଦେଲେ।ସେ ଯେତେ ଯେତେ ମନ୍ତ୍ର ପାଠ କଲେ ସେମିତି ସମିତି ତାଙ୍କ ବନ୍ଧନ ଖୋଲିବାକୁ ଲାଗିଲା ଏବଂ ରାଜା ହରିଶ୍ଚନ୍ଦ୍ର ମଧ୍ୟ ଜଳଉଦର ରୋଗରୁ ମୁକ୍ତି ଲାଭ କଲେ। ତାଙ୍କ ଶରୀର ପୂର୍ବ ଅବସ୍ଥାକୁ ଫେରି ଆସିଲା।

ବନ୍ଧନ ମୁକ୍ତ ହେବା ପରେ ଶୁନଃଶେପ  ଯଜ୍ଞ ସମ୍ପର୍ଣ୍ଣ କରୁଥିବା ୠଷି ମାନଙ୍କ ମଧ୍ୟରେ ଥିବା ମହର୍ଷି ବିଶ୍ଵାମିତ୍ର ୠଷି ଙ୍କୁ ନିଜ ପିତା ବୋଲି ଭାବି ତାଙ୍କ କୋଳ ଉପରେ ବସି ପଡିଲା.ଋଷି ବିଶ୍ଵାମିତ୍ର ମଧ୍ୟ ଶୁନଃଶେପ କୁ ନିଜର ପୌଷ ପୁତ୍ର ଭାବ ରେ ଗ୍ରହଣ କରିନେଲେ. 

  ବିଶ୍ୱାମିତ୍ର ଶୁନଃଶେପ ଙ୍କୁ ନିଜ ପୁତ୍ର ଘୋଷିତ କରିବା ପରେ ଅଜୀଗର୍ତ ର ପୁତ୍ର ମୋହ ଜାଗି ଉଠିଲା. ସେ ଶୁନଃଶେପ ଙ୍କୁ ଫେରାଇ ନେବା କୁ ଚାହିଁଲେ ଏବଂ ସେ ନେଇ ଥିବା ଗାଈ ଗୁଡିକୁ ଫେରାଇ ଦେବେ ବୋଲି କହିଲେ. କିନ୍ତୁ ବାଳକ ଶୁନଃଶେପ ଏ ପ୍ରସ୍ତାବ ରେ ରାଜି ହେଲାନାହିଁ।ସେ କହିଲା ଯେଉଁ ପିତା ଧନ ଲୋଭ ରେ ନିଜ ପୁତ୍ର କୁ ପଶୁ ଭଳି ବଳି ଦେବା ପାଇଁ ପ୍ରସ୍ତୁତ ହୋଇ ଗଲେ ମୁଁ ତାଙ୍କ ପିତୃତ୍ୱ କୁ ଅସ୍ବୀକାର କରୁଛି. ମୁଁ ଆଉ ତାଙ୍କ ସହିତ ଫେରିବି ନାହିଁ. ତା ପରେ ସେ ବିଶ୍ୱାମିତ୍ର ଙ୍କ ସହ ଚାଲି ଯାଇ ଥିଲେ. ଏଥି ପାଇଁ ଦେବତା ମନେ ମଧ୍ୟ ଆଶୀର୍ବାଦ କରିଥିଲେ.

"ଚରୈବେତି ଚରୈବେତି ର କଥା" ବସ୍ତୁ ରୁ ଏଇ ସନ୍ଦେଶ ମିଳେ ଯେ -

*ଆବହମାନ କାଳ ରୁ ମଣିଷ ମନରେ ପୁତ୍ର ପ୍ରାପ୍ତି ପାଇଁ ପ୍ରବଳ ଆକାଂକ୍ଷା ରହିଛି. ସେଥିପାଇଁ ସେ ବିଭିନ୍ନ ଦେବୀ ଦେବତା ଙ୍କୁ ମାନସିକ କରିଥାଏ.

*ପ୍ରିୟ ବ୍ୟକ୍ତି ଓ ବସ୍ତୁ ର ମୋହ  ମନୁଷ୍ୟ କୁ ତା ପ୍ରତିଜ୍ଞା ରୁ ବିରତ ରହିବା ପାଇଁ ବିଭିନ୍ନ ବାହାନା ଖୋଜିବା କୁ ପ୍ରବର୍ତ୍ତାଇ ଥାଏ .

*ନିଜର ର ଜିନିଷ କୁ ତ୍ୟାଗ ନ କରିବା ପାଇଁ ମଣିଷ ଅନ୍ୟ ର ଜିନିଷ କୁ ଟଙ୍କା ଦେଇ କିଣିବା ପାଇଁ ପଛାଇ ନ ଥାଏ.

*ନିଜର ପ୍ରିୟ ବ୍ୟକ୍ତି ଓ ବସ୍ତୁ ର ରକ୍ଷା ପାଇଁ ମଣିଷ ସବୁବେଳେ ଦେବୀ ଦେବତା ଙ୍କ ଶରଣ ପଶେ.

ଇନ୍ଦ୍ର ଙ୍କ ଦ୍ୱାରା ଦିଆ ଯାଇ ଥିବା ଚରୈବେତି ଚରୈବେତି ମନୁଷ୍ୟ କୁ ସର୍ବଦା ଉଦ୍ୟମ ଜାରୀ ରଖିବା ର ସ୍ପଷ୍ଟ ସନ୍ଦେଶ ଦିଏ. ସେଥିପାଇଁ କୁହା ଯାଇଛି -

"ଉଦ୍ୟମେନ ହି ସିଦ୍ଧନ୍ତି କାର୍ଯ୍ୟାଣି ନା ମନୋରଥୈଃ 

ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶତି ମୁଖେ ମୃଗାଃ।"

              (ସମାପ୍ତ)


Rate this content
Log in

Similar oriya story from Inspirational