ପିଲା ଦିନର ସ୍କୁଲ୍ ସ୍ମୃତି
ପିଲା ଦିନର ସ୍କୁଲ୍ ସ୍ମୃତି
ଆମ ଓଡ଼ିଶାରେ କେତେକ ପ୍ରାନ୍ତରରେ ତେନ୍ତୁଳି କୁ କୟାଁ ବୋଲି କହନ୍ତି।ଏଇ ଘଟଣା ଟି ପ୍ରାୟ ତିରିଶ ବର୍ଷ ତଳର କଥା।ସେତେବେଳେ ମୁଁ ଷଷ୍ଠ ଶ୍ରେଣୀ ଓ ମୋ ଭଉଣୀ ଚତୁର୍ଥ ଶ୍ରେଣୀରେ ପଢ଼ୁଥାଉ। ମୋ ଭଉଣୀ ପିଲା ଟି ବେଳରୁ ବେଶ୍ ଚାଲାକ୍ ଚତୁର।ତା ର ସବୁ ବେଳେ ଗୋଟେ ଗ୍ରୁପ୍ ଥାଏ।ତା ସାଙ୍ଗ ମାନେ ସବୁ ତା ପଛରେ ଥାଆନ୍ତି।ସେ ତାଙ୍କ ଲିଡର୍ ।ସେ ଯାହା କହେ ତା ଶ୍ରେଣୀ ର ପିଲା ମାନେ ତା କଥା ମାନନ୍ତି।
ସେଇ ସମୟରେ ତାଙ୍କ ସ୍କୁଲ କୁ ଗୋଟେ ନୂଆ ପିଲା ଆସିଲା।ତା ନାଁ ବନିତା।ସେ ଯାଜପୁର ରୁ ମୟୂରଭଞ୍ଜ ଆସିଥାଏ। କାରଣ ତା ବାପା ଜଣେ ସରକାରୀ କର୍ମଚାରୀ ଥିଲେ।ତାଙ୍କର ଯାଜପୁର ରୁ ମୟୂରଭଞ୍ଜ ବଦଳି ହୋଇଥାଏ। ମୋ ଭଉଣୀ ଆଉ ତା ସାଙ୍ଗ ମାନେ ସବୁ ବେଳେ ତା ସହିତ ଲାଗନ୍ତି। ତାକୁ ଚିଡାନ୍ତି। କାରଣ ସେ ତା ସାନ ଭାଇ କୁ ଭାଇ ପରିବର୍ତ୍ତେ ମୋ ପୁଅ ବୋଲି କହେ।ଆଉ ଏମାନେ ସବୁବେଳେ ତାକୁ ଭାଇ କୁ ପୁଅ ନକହି ଭାଇ ବୋଲି କହିବା ପାଇଁ କହନ୍ତି।ସେ କିନ୍ତୁ ଏମାନଙ୍କ କଥା ମାନେ ନାଁ କାରଣ ତାଙ୍କ ପଟେ ଭାଇ କୁ ପୁଅ କହନ୍ତି।ଆଉ ତାର ସେଇ ଅଭ୍ୟାସ ହୋଇ ଯାଇଥାଏ। ସେ ଯେତେବେଳେ ଏମାନ ଙ୍କ କଥା ନଶୁଣେ ଏମାନେ ତାକୁ ଗାଳି କରିବା ସହିତ ମାଡ଼ ମଧ୍ୟ ମାରନ୍ତି।
ବନିତା ଏକୁଟିଆ କୁ ଏମାନେ ସାତ ଆଠ ଜଣ ତେଣୁ ବନିତା ଏମାନଙ୍କ ସହ ଲାଗେନି।ସେ କାନ୍ଦି କାନ୍ଦି ଘରକୁ ଯାଏ ଓ ତା ମାଆ ପାଖରେ ସବୁ କଥା କହେ।ତା ମାଆ କହିଲେ ତୁ ବ୍ୟସ୍ତ ହେ ନା।ମୁଁ କିଛି ନା କିଛି ଉପାୟ ଚିନ୍ତା କରୁଛି। ମୋ ଭଉଣୀ ଓ ତା ସାଙ୍ଗ ମାନେ ବନିତା ସହ ଲାଗିବା ବନ୍ଦ କରୁ ନଥାନ୍ତି। ବନିତା ଦିନେ କାନ୍ଦି କାନ୍ଦି ତା ମାଆ କୁ କହିଲା ମାଆ ତୁମେ ସବୁଦିନ କହୁଛ କିଛି ଉପାୟ କରିବ କିନ୍ତୁ କିଛି କରୁନ। ତୁମେ ଯଦି ଆଜି କିଛି ନ କରିବ ତେବେ ମୁଁ ଆଉ ସ୍କୁଲ୍ ଯିବିନି। ବନିତା କଥା ଶୁଣି ତା ମାଆ କହିଲେ ତୋ ଜନ୍ହ ଦିନ ଆସନ୍ତା ଶୁକ୍ରବାର ଦିନ ପଡୁଛି। ତୁ ଗୋଟେ କାମ କରିବୁ ସେ ଦିନ ତୋ ସାଙ୍ଗ ମାନଙ୍କୁ ଆମ ଘରକୁ ଡାକିବୁ। ତାଙ୍କୁ କହିବୁ ଶୁକ୍ର ବାର ଦିନ ମୋ ଜନ୍ମ ଦିନ।ମୋ ମାଆ ସେଦିନ ତୁମ ପାଇଁ ଭଲ ଭଲ ଖାଦ୍ୟ ରୋଷେଇ କରିବେ। ତେଣୁ ତୁମେ ମାନେ ସବୁ ସେ ଦିନ ଆମ ଘରକୁ ଯିବ। ବନିତା ରାଗିଯାଇ ତା ମାଆ ଙ୍କୁ କହିଲା ସେମାନେ ସବୁଦିନ ମୋତେ ଗାଳି ଓ ମାଡ଼ ଦିଅନ୍ତୁ।ଆଉ ତୁମେ ତାଙ୍କୁ ଭଲ ଭଲ ରାନ୍ଧି ଖାଇବାକୁ ଦିଅ।ତା ମାଆ କହିଲେ ଆରେ ତୁ ତାଙ୍କୁ ଘରକୁ ଆଣ ତ?
ମାଆଙ୍କ କହିବା ମୁତାବକ ବନିତା ତା ଜନ୍ମଦିନ ଦିନ ତାକୁ ଗାଳି ଓ ମାଡ଼ ଦେଉଥିବା ସମସ୍ତ ପିଲା ଙ୍କୁ ତାଙ୍କ ଘରକୁ ଡାକିଲା। ମୋ ଭଉଣୀ ନେତୃତ୍ୱରେ ସମସ୍ତେ ଖାଇବା ପାଇଁ ତାଙ୍କ ଘର ଅଭିମୁଖେ ବାହାରିଲେ।ମୋ ଭଉଣୀ ଭାରି ଖଟା ପ୍ରିୟ। ବନିତା ଘର କୁ ଯିବା ରାସ୍ତା ରେ ଦେଖିଲା ଗୋଟେ ତେନ୍ତୁଳି ଗଛ ରେ ଅନେକ କୟାଁ ଝୁଲୁଛି।କୟାଁ ଦେଖି ତା ପାଟିରୁ ଲାଳ ଗଡିବାକୁ ଲାଗିଲା। ତେଣୁ ସେ ତା ସାଙ୍ଗ ମାନଙ୍କୁ କହିଲା ଆରେ ତୁମେ ମାନେ ବନିତା ସହ ଆଗ ଚାଲ ମୁଁ ତୁମ ପଛେ ପଛେ ଆସୁଛି।ତା ପରେ ସେ ତେନ୍ତୁଳି ଗଛକୁ ଉଠି କୟାଁ (ଛୋଟ ଛୋଟ କଞ୍ଚା ତେନ୍ତୁଳି) ବିଛାଇବା ରେ ଲାଗିଲା। ତାକୁ ଗଛରେ ଚଢି ଥିବାର ଦେଖି ତାର ଅନ୍ୟ ଜଣେ ସାଙ୍ଗ ମନୋରମା କୟାଁ ଗୋଟାଇବା ପାଇଁ ତା ସହ ତେନ୍ତୁଳି ଗଛ ପାଖରେ ରହିଗଲା।
ତେନ୍ତୁଳି ବିଛାଇ ମୋ ଭଉଣୀ ଗଛରୁ ତଳକୁ ଓହ୍ଲାଇବା ସମୟରେ ଦେଖିଲା ଯେଉଁ ପିଲା ମାନେ ବନିତା ଘର କୁ ଯାଇଥିଲେ ସେମାନେ ସ୍କୁଲ ଅଭିମୁଖେ ଦଉଡୁ ଛନ୍ତି।ଆଉ ମୋ ଭଉଣୀ ଓ ମନୋରମା କୁ ଶୀଘ୍ର ଦଉଡି ପଳାଇବାକୁ କୁ କହୁଛନ୍ତି।ମୋ ଭଉଣୀ ଗଛରୁ ଓହ୍ଲାଇ ତା ସାଙ୍ଗ ମାନଙ୍କୁ ପଚାରିଲା,ଆରେ କଣ ହେଲା। ତୁମେ ମାନେ ଏମିତି ଦଉଡୁ ଛ କାହିଁକି? ସେମାନ କହିଲେ ତୁମେ ଆମ ସହ ନ ଯାଇଛ ବହୁତ ଭଲ କରିଛ।ନ ହେଲେ ତୁମ ର ମଧ୍ୟ ଆମ ଅବସ୍ଥା ହୋଇ ଥାଆନ୍ତା।ମୋ ଭଉଣୀ କହିଲା କାହିଁକି କିଛି ଖାଇବାକୁ ଦେଲେନି କି? ସେମାନେ କହିଲେ ହଁ ବହୁତ ଭଲ ଭଲ ଖାଦ୍ୟ ଖାଇବା ପାଇଁ ଦେଲେ।ମୋ ଭଉଣୀ କହିଲା ତାହା ହେଲେ ତୁମେ ମାନେ ଏମିତି ଦଉଡୁ ଛ କାହିଁକି?
ସେମାନେ କହିଲେ ଖାଲି ଯେ ଭୋଜି ଖାଇବା ପାଇଁ ଦେଲେ ତାହା ନୁହଁ ତା ସହିତ ବଢିଆ ଦକ୍ଷିଣା ମଧ୍ୟ ଦେଲେ।ମୋ ଭଉଣୀ କହିଲା କି ଦକ୍ଷିଣା?ତା ପରେ ଜଣେ ପୁଅ ପିଲା ତା ସାର୍ଟ ଟିକୁ ଖୋଲି ତା ପିଠି କୁ ଦେଖାଇଲା। ମାଡ଼ ର ଦାଗ ସ୍ପଷ୍ଟ ଦେଖା ଯାଉଥିଲା।ମୋ ଭଉଣୀ କହିଲା ଆରେ ଇଏ କଣ ?ତା ସାଙ୍ଗ ମାନେ କହିଲେ ଏଇଟା ହେଉଛି ଦକ୍ଷିଣା।ଗୋଇଠା,ବିଧା,ଚାପୁଡ଼ା ଇତ୍ୟାଦି।
ତା ପରେ କହିଲେ କହନା ଏମିତି ମାଡ଼।ମୋ ଭଉଣୀ କହିଲା କିଏ ମାରିଲା। ସେମାନେ କହିଲେ ବନିତା ର ମାଆ।ଆଗେ ଆମକୁ ଭଲ ଭଲ ଖାଇବାକୁ ଦେଲେ ତା ପରେ ଯାହା ମାଡ଼ କହନା କହନା । କହିଲେ ତୁମେ ମାନେ ସବୁବେଳେ ମୋ ଝିଅ କୁ ହଇରାଣ କରୁଛ ଓ ମାଡ଼ ମାରୁଛ ନାଁ ଆଜି ନିଜେ ମାଡ଼ ଖାଅ କହି ଆମକୁ ଉତ୍ତମ ମଧ୍ୟମ ଦେଲେ ଯେ ଆମେ ଦଉଡିଛୁ।ତୁ ଆମ ପଛରେ ଆସିବୁ କହି କୁଆଡେ ଗଲୁ କି?ମୋ ଭଉଣୀ କହିଲା ମୁଁ କୟାଁ ବିଛାଇବା ପାଇଁ ରହି ଯାଇଥିଲି ଓ ମନୋରମା କୟାଁ ଗୋଟାଉ ଥିଲା।ତା ସାଙ୍ଗ ମାନେ କହିଲେ ଯାହା ହେଉ କୟାଁ ତୁମ ଦୁଇଜଣଙ୍କୁ ବଞ୍ଚାଇ ଦେଲା।ନ ହେଲେ ତୁମେ ବି ଆମ ସହିତ ଆଜି ଉତ୍ତମ ମଧ୍ୟମ ପାଇଁ ଥାଆନ୍ତ।
ସେଇ ଦିନ ପାଖରୁ ସେମାନେ ବନିତା କୁ ହଇରାଣ କରିବା ବନ୍ଦ କରି ଦେଇଥିଲେ।ମୋ ଭଉଣୀ ମଧ୍ୟ ବିରି ମାଡ଼ ଦେଖି କୋଳଥ ଚୋପା ନ୍ୟାୟ ରେ ଚୁପ୍ ହୋଇ ଯାଇଥିଲା।
