କାଠ କଣ୍ଢେଇ
କାଠ କଣ୍ଢେଇ
ହସ୍ପିଟାଲର ଆଇ.ସି.ୟୁ ଭିତରେ ପଡିରହି ପଛରେ ଛାଡ଼ି ଆସିଥିବା ନିଜ ଅତୀତ କୁରମୋନ୍ଥନ କରି ଚାଲିଥିଲେ ଭାରତୀୟ ପ୍ରଶାସନିକ ସେବାର ସେବା ନିବୃତ ଅଧିକାରୀ ଅରୁଣ ପଟ୍ଟନାୟକ। କ୍ଷମତା ଥିବା ବେଳେ ସେ କେମିତି ବାଘ ଭଳି ବଞ୍ଚୁଥିଲେ ଏବଂ ଅନ୍ୟ ମାନଙ୍କୁ ନିଜ ଆଙ୍ଗୁଠିରେ ନଚାଉ ଥିଲେ, କେତେ ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ ସେ କଥା ଭାବୁଥିଲେ। ତାଙ୍କ ପାଟିରୁ ବାହାରୁଥିବା ପ୍ରତ୍ୟେକ କଥା ଙ୍କୁ ତାଙ୍କ ଅଫିସର ସମସ୍ତ କର୍ମଚାରୀ ମାନିବାକୁ ବାଧ୍ୟ ଥିଲେ।
ଯଦି କେହି କେବେ ଭୁଲ୍ ବଶତଃ ତାଙ୍କ ନିର୍ଦ୍ଦେଶକୁ ମାନିବାକୁ ବିଳମ୍ବ କରି ଦେଉଥିଲା ତାର କାରଣ ବୁଝିବା ପରିବର୍ତ୍ତେ ତାକୁ ତା ବରଖାସ୍ତ ଅର୍ଡର ଧରାଇ ଦେଉଥିଲେ। ଅଫିସ୍ ର କୌଣସି କର୍ମଚାରୀ ତାଙ୍କ ସାମ୍ନାରେ କଥା କହିବାକୁ ଭୟ କରୁଥିଲେ । କାରଣ ସେ ସବୁବେଳେ ଅଫିସ୍ କର୍ମଚାରୀ ଙ୍କୁ ବିଭିନ୍ନ ପ୍ରକାର ଭୟ ଦେଖାଉ ଥିଲେ। କେତେ ବେଳେ ଚାକିରୀରୁ ବରଖାସ୍ତ କରିବାର ଭୟ ଦେଖାଉ ଥିଲେ ତ କେତେବେଳେ ଟ୍ରାନ୍ସଫର୍ର ଭୟ ତ କେତେବେଳେ ଅଫିସ୍ରୁ ଟେକି ଫୋପାଡି ଦେବାର ଭୟ ଦେଖାଉଥିଲେ।
ଯେତେ କାମ କଲେ ମଧ୍ୟ ସେ କେବେ ସନ୍ତୁଷ୍ଟ ହେଉ ନଥିଲେ କି ଦିନେ କର୍ମଚାରୀ ମାନଙ୍କୁ ଡ଼ାକି କେମିତି କାମ କଲେ ସୁରୁ ଖୁରୁରେ ଅଫିସ୍ କାମ ଚାଲିବ ସେ କଥା କହୁ ନ ଥିଲେ। ଦୁଇ ତିନି ଜଣଙ୍କୁ ଛାଡିଦେଲେ ଅନ୍ୟ ମାନଙ୍କର ତାଙ୍କ ଅଫିସରୁମ ଭିତରକୁ ପଶିବା ନିଷେଧ ଥିଲା।
ଅଫିସ୍ ର ପିଅନ୍ ମାନେ ଅଫିସ୍ରୁ ଦରମା ପାଇ ତାଙ୍କ ଘରର ସବୁ କାମ କରୁଥିଲେ ଓ ତାଙ୍କ ସ୍ତ୍ରୀ ମଧ୍ୟ ସେମାନଙ୍କ ଉପରେ ହାକିମାତି ଦେଖାଉ ଥିଲେ, ସେଇ କଥା ଭାବୁଥିଲେ। କ୍ଷମତାର ନିଶାରେ ଅନ୍ଧ ହୋଇ ସେ କିପରି ଭାବରେ ଅନ୍ୟର ଅନିଷ୍ଟ କରିଥିଲେ ସେଇ କଥା ଭାବି ଭାବି ଲୁହ ଗଡାଉ ଥିଲେ।
ତାଙ୍କ ବେଡ୍ ପାଖରେ ରହୁଥିବା ସୁଶୀଳ ବାବୁ ସାମାନ୍ୟ କିରାଣୀ ଚାକିରି ଟିଏ କରିଥିଲେ।ସେ ହସ୍ପିଟାଲରେ ଥିବା ସମୟରେ ତାଙ୍କୁ ଦେଖିବା ପାଇଁ ଅନେକ ଲୋକ ଆସୁଥିଲେ। ତାଙ୍କର ଶ୍ରୀଘ୍ର ଆରୋଗ୍ୟ ଲାଭ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ତାଙ୍କ ଅନୁପସ୍ଥିତି ସେମାନ ଙ୍କୁ ଭଲ ଲାଗୁନି ବୋଲି କହୁଥିଲେ। ଘର ପାଖର ଯୁବକ ମାନେ ତାଙ୍କ ମାର୍ଗ ଦର୍ଶନର ଅଭାବ କୁ ଅନୁଭବ କରୁଥିଲେ। ସେମାନେ ସମସ୍ତେ ଆସି କହୁଥିଲେ ମଉସା ତୁମେ ଶୀଘ୍ର ଭଲ ହୋଇ ଯାଅ ତୁମେ ନରହିଲେ ଆମ କୁ କିଏ ମାର୍ଗ ଦର୍ଶନ କରିବ?
ହେଲେ ଅରୁଣ ବାବୁ ଙ୍କ ପାଖକୁ ସାହି ପଡିଶା ଲୋକ ତ ଦୂରର କଥା ନିଜ ଘର ଲୋକ ବି ଆସୁ ନଥିଲେ। ଖାଲି ହସ୍ପିଟାଲର ଡକ୍ଟର ଓ ନର୍ସ ମାନେ ନିଜ ନିଜର ଡ୍ୟୁଟି ସମୟରେ ଆସି ଡ୍ୟୁଟି ବଜାଇ ଯାଉଥିଲେ। ନିଜ ମନର କଥା କହିବା ପାଇଁ ମଧ୍ୟ କେହି ନଥିଲେ। ଅରୁଣ ବାବୁ ନର୍ସ ମାନଙ୍କୁ କହି ନିଜର ସାଙ୍ଗ ସାଥି ମାନଙ୍କ ପାଖକୁ ଫୋନ୍ କରୁଥିଲେ। ସମସ୍ତେ ଆସିବେ ଆସିବେ କହି କେହି ଆସୁଥିଲେ।
ତାଙ୍କରି ସାମ୍ନାରେ ସୁଶୀଲ୍ ବାବୁ ଆଇ.ସି.ୟୁରୁ ବାହାରି ଓ୍ବାଡ୍ କୁ ଗଲେ ଓ ତାଙ୍କ ସହୃଦ୍ ମାନଙ୍କ ସେବା ଶୁଶ୍ରୁଷାରେ ସମ୍ପୁର୍ଣ୍ଣ ଭଲ ହୋଇ ଘର କୁ ଗଲେ ବୋଲି ନର୍ସ ମାନେ କୁହା କୁହି ହେଉଥିବାର ସେ ଶୁଣିବାକୁ ପାଇଲେ।
ହେଲେ ସେ ଦିନ କୁ ଦିନ ସେ ନିଜ ଏକୁଟିଆ ପଣ ଭିତରେ ବୁଡ଼ି ଯାଉଥିଲେ। ନିଜ ପିଲା ମାନଙ୍କୁ ଫୋନ୍ କଲେ ସେମାନେ କହୁଥିଲେ ଆମେ ମାନେ ନିଜ ନିଜ କାମରେ ବ୍ୟସ୍ତ ଅଛୁ। ହସ୍ପିଟାଲର ସମସ୍ତ ବିଲ୍ ତ ଆମେ ଠିକ୍ ସମୟରେ ପୈଠ କରୁଛୁ ସେମାନେ କଣ ତୁମର ଯତ୍ନ ନେଉ ନାହାଁନ୍ତି କି?ମନେ ଅଛି ତୁମର ଯେତେବେଳେ ଚାକିରୀ ଥିଲା ତୁମେ କେମିତି ଚାକିର ଚାକରାଣୀଙ୍କ ପାଖରେ ଆମକୁ ଛାଡି ଦେଉଥିଲ। ତାଙ୍କରି ପାଖରେ ଆମେ ବଡ଼ ହେଲୁ। ଆମର ସୁଖ ଦୁଃଖ କେବେ ବୁଝୁ ନଥିଲ। ଆମ ପାଇଁ ଟଙ୍କା ଦେବା ଛଡ଼ା ଆଉ କିଛି ଦେବାର ଶକ୍ତି ତୁମ ପାଖରେ ନଥିଲା। ତୁମେ କେବେ ଆମ ଦେହ ଖରାପ ସମୟରେ ଆମ ପାଖରେ ବସୁଥିଲ ନା ସ୍କୁଲର କୌଣସି ଫକ୍ସନ୍ରେ ସ୍କୁଲ ଯାଉଥିଲ ନା କେବେ ହୋମ ଓ୍ବାକ୍ କରିବାରେ ଆମକୁ ସାହାଯ୍ୟ କରୁଥିଲ । ଖାଲି ତୁମ କ୍ଷମତା ଓ ଟଙ୍କା ବଳରେ ଆମକୁ ଭଲ ଟ୍ୟୁସନ୍ ମାଷ୍ଟର,ଭଲ ଖାଦ୍ୟ ଓ ପୋଷାକ ଯୋଗାଇ ଦେଉଥିଲ।ଆଉ ଏବେ ଆମର ସାନିଧ୍ୟ ଖୋଜିଲେ କେମିତି ହେବ?
ପିଲା ମାନଙ୍କ କଥା ଶୁଣି ଅରୁଣ ବାବୁ ଶକ୍ତ ଆଘାତ ପାଆନ୍ତି। ଭାବନ୍ତି ସେତେବେଳେ ଯଦି କ୍ଷମତାର ଅପବ୍ୟବହାର କରି ଲୋକ ଙ୍କୁ ଡରାଇ ଧମକାଇ ଭୟଭୀତ କରାଇ କାମ କରାଇବା ପରିବର୍ତ୍ତେ କ୍ଷମତାର ସଦୁପଯୋଗ କରି ଲୋକ ଙ୍କର ଉପକାର କରିଥାଆନ୍ତେ ତେବେ ଆଜି ହୁଏତ ସୁଶୀଳ ବାବୁ ଙ୍କ ପରି ତାଙ୍କ ନିକଟରେ ମଧ୍ୟ ଅନେକ ଲୋକ ଥାଆନ୍ତେ।ଆଉ ସେ ମଧ୍ୟ ସୁସ୍ଥ ହୋଇ ଘରକୁ ଯାଇଥାନ୍ତେ।
ଆପଣା ଲୋକ ଙ୍କର ସ୍ନେହ ବୋଳା ଦୁଇ ପଦ କଥା ବେଳେ ବେଳେ ସଞ୍ଜିଵନି ଭଳି କାମ କରେ। ଜୀବନ ଜିଇଁବା ପାଇଁ ମଣିଷ ମନରେ ପ୍ରାଣ ଶକ୍ତି ସଞ୍ଚାର କରେ। ହେଲେ ଅରୁଣ ବାବୁ ଙ୍କ ପାଖରେ କେହି ନ ଥିଲେ ଯିଏ କି ତାଙ୍କୁ ପଦେ ଆଶ୍ଵାସନାର କଥା କହିବ। ଯାହା ପାଇଁ ସେ ଜୀବନ ଜିଇଁବା ପାଇଁ ଚାହିଁବେ। ତାଙ୍କ ପାଖରେ ପ୍ରଚୁର ଅର୍ଥ ଥିଲେ ମଧ୍ୟ ତାକୁ ଖର୍ଚ୍ଚ କରି ସେ ଆଇ.ସି.ୟୁରୁ ଓ୍ବାଡ୍ ପର୍ଯ୍ୟନ୍ତ ଯାଇ ପାରୁ ନଥିଲେ।
ସେଇ ସମୟରେ ସେ ଅନୁଭବ କରୁଥିଲେ କ୍ଷମତା ଓ ଟଙ୍କା ପଇସା ହୁଏତ ମଣିଷ କୁ କ୍ଷଣିକ ସୁଖ ସୁବିଧା ଦେଇ ପାରେ କିନ୍ତୁ ସାରା ଜୀବନ ପାଇଁ ଶାନ୍ତି ଦେଇ ପାରେ ନାହିଁ। ଯାହା କେବଳ ନିଜର ସତକର୍ମ ଓ ଅନ୍ୟ ମାନଙ୍କୁ ଭଲ ପାଇବାରୁ ମିଳିଥାଏ। ଦୀର୍ଘ ଦୁଇ ମାସ ହେଲା ସେ ଆଇ.ସି.ୟୁରେ ଅଛନ୍ତି। ଅଥଚ ଥରେ ହେଲେ ତାଙ୍କ ପରିବାର ଲୋକେ କି ବନ୍ଧୁ ବାନ୍ଧବ କେହି ତାଙ୍କ ପାଖ ମାଡ଼ି ନାହାଁନ୍ତି। ସ୍ତ୍ରୀ ତ ଆଗରୁ ଚାଲି ଯାଇଛନ୍ତି।
ସେଦିନ ସେମିତି ଉପରକୁ ଚାହିଁ ଅରୁଣ ବାବୁ ଶୋଇ ଥାଆନ୍ତି।ଆଇ.ସି.ୟୁର ଭିଜିଟିଙ୍ଗ୍ ଆଓ୍ଵାର୍ ସମୟ ଥାଏ। ହଠାତ୍ ତାଙ୍କ ସେବାରେ ନିୟୋଜିତ ଥିବା ନର୍ସ ଜଣକ କହିଲେ ସାର୍ ଆପଣଙ୍କୁ କିଏ ଜଣେ ଦେଖା କରିବାକୁ ଆସିଛନ୍ତି। ଅରୁଣ ବାବୁ ଭାବୁ ଥାଆନ୍ତି ତାଙ୍କୁ ପୁଣି କିଏ ଦେଖା କରିବାକୁ ଆସିଛି।ସେଇ ସମୟରେ ଜଣେ ବ୍ୟକ୍ତି ଅରୁଣ ବାବୁ ଙ୍କ ବେଡ଼ ପାଖରେ ଛିଡ଼ା ହେଲେ। ଅରୁଣ ବାବୁ ନ ଚିହ୍ନି ପାରିବା ମୁଦ୍ରାରେ ତାଙ୍କ ଆଡ଼କୁ ଅନାଇ ଥାଆନ୍ତି।ସେ ବ୍ୟକ୍ତି ଜଣକ କହିଲେ ସାର୍ ମୋତେ ଚିହ୍ନି ପାରୁ ନାହାଁନ୍ତି। ମୁଁ ପରା ବେଣୁ। ଆପଣ ଙ୍କ ଅର୍ଡରଲି ଥିଲି।ଏଇ ଯେଉଁ ନର୍ସ ଟି ଆପଣଙ୍କ ସେବାରେ ନିୟୋଜିତ ହୋଇଛି ସେ ମୋ ଝିଅ।ଗତ କାଲି କଥା ପଡୁପଡୁ ସେ ଆପଣ ବିଷୟରେ କହିଲା। ଦୁଇ ମାସ ହେଲା କେମିତି ଆପଣ ଙ୍କ ପାଖକୁ କେହି ଆସୁ ନାହାଁନ୍ତି ସେ ବିଷୟରେ କହିଲା। ମୁଁ ଯେତେବେଳେ ତାକୁ ପେସେଣ୍ଟର ନାମ ପଚାରିଲି ଆଉ ଆପଣ ନାଁ ଶୁଣିଲି ଆପଣଙ୍କ ପାଖକୁ ଚାଲି ଆସିଲି।
ସାର୍ ଆପଣ ଭଳି ଦୁର୍ଦ୍ଦାନ୍ତ ଅଫିସର ଯେ ଏମିତି ଅସହାୟ ଅବସ୍ଥାରେ ହସ୍ପିଟାଲର ଆଇ.ସି.ୟୁ ବେଡ୍ରେ ପଡିରହିଛି ଏକଥା ମୁଁ ବିଶ୍ବାସ କରି ପାରୁ ନାହିଁ। ଦିନ ଥିଲା ଆପଣ ଙ୍କ ଆଙ୍ଗୁଳିର ଈଶାରାରେ ଆପଣ କେତେ ଲୋକ ଙ୍କୁ କାଠ କଣ୍ଢେଇ ଭଳିଆ ନଚାଉ ଥିଲେ। ଟିକେ ଟିକେ କଥାରେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିଥିଲେ। ସେମାନେ ଯେତେ ଅନୁରୋଧ କଲେ ମଧ୍ୟ ତାଙ୍କ କଥା ଶୁଣୁ ନଥିଲେ। କ୍ଷମତା ଆପଣଙ୍କୁ ଆଖି ଥାଇ ମଧ୍ୟ ଅନ୍ଧ କରି ଦେଇଥିଲା।
ଆପଣ ଙ୍କ ଅର୍ଡରଲି ହିସାବରେ ମୁଁ ଆପଣଙ୍କୁ କେତେ ଥର ଏଭଳି କରିବାକୁ ମନା କରିଛି। ଦିନେ ନା ଦିନେ ତାଙ୍କ ନିଃଶ୍ବାସ ଆପଣଙ୍କ ଉପରେ ପଡ଼ିବ ବୋଲି ଅନେକ ଥର ଚେତାଇ ଦେଇଛି। ହେଲେ ଆପଣ ମୋ କଥା ଶୁଣିଲେନି। ଏବେ ଦେଖନ୍ତୁ କେମିତି ତାଙ୍କ ନିଃଶ୍ବାସ ଆପଣଙ୍କ ଉପରେ ପଡ଼ିଲା। ସାର୍ ଆପଣ ଭାବୁ ଥିଲେ ମୋତେ କ୍ଷମତା ମିଳିଛି ମାନେ ମୁଁ ସମସ୍ତ ଙ୍କୁ କାଠ କଣ୍ଢେଇ ଭଳି ନିଜ ହାତରେ ନଚାଇବି କିନ୍ତୁ ଭୁଲି ଯାଇଥିଲେ ଯେ ଆମେ ସମସ୍ତେ ହେଉଛୁ ଈଶ୍ୱର ଙ୍କ ଇଶାରାରେ ପରିଚାଳିତ ହେଉଥିବା ଗୋଟାଏ ଗୋଟିଏ କଣ୍ଢେଇ। ଈଶ୍ୱର ଆପଣ ଙ୍କୁ କ୍ଷମତା ଦେଇଥିଲେ ପରର ମଙ୍ଗଳ କରିବା ପାଇଁ। ହେଲେ ଆପଣ ଆପଣଙ୍କ କ୍ଷମତାର ଅପବ୍ୟବହାର କରି ସବୁବେଳେ ଅନ୍ୟର ଅମଙ୍ଗଳ କଲେ।
ଅନେକ ଅର୍ଥ ଉପାର୍ଜନ କଲେ ହେଲେ ଗୋଟେ କଥା ଭୁଲି ଗଲେ ଆପଣଙ୍କ ଉପରେ ମଧ୍ୟ ଜଣେ ସର୍ବଶକ୍ତି ମାନ ଅଛି।ସେ ସବୁ ଦେଖୁଛି।ସେ କର୍ମ ଅନୁସାରେ ସମସ୍ତ ଙ୍କୁ ଦିନେ ନା ଦିନେ ଫଳ ଦିଏ। ସେଥିପାଇଁ ପାଇଁ ପରା କବିବରରାଧାନାଥରାୟ ଲେଖିଛନ୍ତି -
" ଇଚ୍ଛନ୍ତି ଦାମ୍ଭିକେ ହସ୍ତେରଖିବାକୁ
ସମସ୍ତ ଙ୍କ ଭାଗ୍ୟ ଡୋରି
ନିଜ ଭାଗ୍ୟ ଡୋରି କାଳ ହସ୍ତେ ବନ୍ଧା ପକାନ୍ତି ହେଳେ ପାଶୋରି।"
ବେଣୁର କଥା ସବୁ ଅରୁଣ ବାବୁ ଙ୍କ ଛାତିରେ ଛାତିରେ ଛୁଞ୍ଚି ଫୋଡିଲା ଭଳି ଫୋଡି ଯାଉଥିଲା। ହେଲେ ସେ ବେଣୁ କୁ ଗାଳି ନ ଦେଇ କହିଲେ ସତ କହିଲ ବେଣୁ ମୁଁ କ୍ଷମତାର ଅହଂକାରରେ ଏମିତି ଅନ୍ଧ ହୋଇ ଯାଇଥିଲି ଯେ ଭୁଲି ଯାଇଥିଲି ଯେ ମୁଁ ବି ଈଶ୍ବରଙ୍କ ହାତର କାଠ କଣ୍ଢେଇ ଟିଏ।ଆଉ ମୋତେ ବି ଦିନେ ନା ଦିନେ ତାଙ୍କ ଇଶାରାରେ ନାଚିବାକୁ ପଡ଼ିବ।
ସେଇ ସମୟରେ ବେଣୁର ଝିଅ ଆସି କହିଲା ବାପା ଆଇ.ସି.ୟୁରେ ପେସେଣ୍ଟ ସହ ଦେଖା କରିବାର ସମୟ ସମାପ୍ତ ହୋଇଗଲାଣି। ତୁମ ଜ୍ବାଇଁ ତଳେ ଅପେକ୍ଷା କରିଛନ୍ତି ତୁମେ ଏବେ ଘରକୁ ଫେରି ଯାଅ। ବେଣୁ ଅରୁଣ ବାବୁ ଙ୍କୁ ସାର୍ ମୁଁ ଆସୁଛି କହି ଆଇସିୟୁରୁ ବାହାରି ଯାଉଥିଲା।ତାର ଯିବା ବାଟକୁ ଚାହିଁ ଅରୁଣ ବାବୁ ଙ୍କ ଆଖିରୁ ଧାର ଧାର ଲୁହ ବହି ଯାଉଥିଲା।