Kanan Bala Nayak

Children Stories

4  

Kanan Bala Nayak

Children Stories

ମଣ୍ଡାପିଠା ଚୋରୀ

ମଣ୍ଡାପିଠା ଚୋରୀ

4 mins
218



ପ୍ରାୟ ବତିଶ ତେତିଶ ବର୍ଷ ତଳର କଥା।ସେ ସମୟରେ ଲୋକ ମାନେ ଆଜି କାଲି ର ଲୋକ ଙ୍କ ପରି ସ୍ବାର୍ଥପର ନ ଥିଲେ। ଲୋକ ଙ୍କ ଭାବନା ଶୁଦ୍ଧ ଓ ପବିତ୍ର ଥିଲା। ଲୋକ ଙ୍କ ଭିତରେ ଆମ ର ତୁମର ଭେଦଭାବ ନଥିଲା। ସମଗ୍ର ଗାଁ ଗୋଟେ ପରିବାର ଥିଲା।କାହା ଘର ପିଲା କାହା ଘରେ ବଢୁଥିଲା ତା ର କେହି ହିସାବ ରଖୁ ନ‌ଥିଲେ।ପର୍ବ ପର୍ବାଣୀ ରେ ହେଉଥିବା ଭୋଗ ସମସ୍ତ ଙ୍କ ଘରେ ବଣ୍ଟା ହେଉଥିଲା।


  ସେତେବେଳକୁ ଆମ ମାନଙ୍କର ବୟସ କେତେ ହୋଇଥିଲା ଠିକ୍ ରେ ମନେ ପଡୁନି। ସେ ସମୟରେ ଲୋକ ମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିଲେ। ତେଣୁ କୃଷି ସମ୍ବନ୍ଧୀୟ ସମସ୍ତ ପର୍ବକୁ ସମସ୍ତେ ଉତ୍ସାହର ସହ ପାଳନ କରୁଥଲେ। ସେ ଭିତରୁ ଗୋଟେ ଅନ୍ୟତମ ପର୍ବ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର ପୂଜା। ଯେଉଁ ଥିରେ ଧନର ଓ ଐଶ୍ୱର୍ଯ୍ୟର ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ।

କୁହାଯାଏ ଯେ ଏଇ ମାସରେ ପୂର୍ଣ୍ଣ ଶ୍ରଦ୍ଧାର ସହିତ ମା ଲକ୍ଷ୍ମୀ ଙ୍କ ବ୍ରତ ପାଳନ କଲେ ମାଆ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ବୃଷ୍ଟିହୁଏ। 


 ସେଇଥି ପାଇଁ ସମାଜର ସବୁ ବର୍ଗର ଲୋକ ମାର୍ଗଶିର ମାସ ବୁଧବାର ବାର ଦିନ ଠାରୁ ପ୍ରସ୍ତୁତି ଆରମ୍ଭ କରନ୍ତି।ବୁଧବାର ଦିନ ଘର କୁ ଭଲଭାବରେ ଓଳଆଇ ସାରି ଗୋବର ରେ ଘରକୁ ଲିପାପୋଛା କରନ୍ତି।ସେ ସମୟରେ ପକ୍କାଘର ସଂଖ୍ୟା ବହୁତ କମ ଥିଲା। ତେଣୁ ସମସ୍ତେ ଗୋବର ରେ ଉପଯୋଗ କରୁଥିଲେ।ତା ଛଡା ଗୋବରରେ ଘର ଲିପା ପୋଛା କଲେ ଖରାପ ଜୀବାଣୁ ନଷ୍ଟ ହୁଏ ବୋଲି କୁହାଯାଇଥାଏ।ଆମ ଜିଲ୍ଲା ରେ ଗୋବର ରେ ଲିପାପୋଛା କରିବା ପରେ ସନ୍ଧ୍ୟା ସମୟରେ ନାଲି ମାଟିରେ ମୁଣ୍ଡଳି କାଟନ୍ତି।ତା ପରେ ସେ ମୁଣ୍ଡଳି ଶୁଖି ଯିବା ପରେ ତା ଉପରେ ବିଭିନ୍ନ ପ୍ରକାରର ଝୋଟି କାଟନ୍ତି। 


 ଗୁରୁ ବାର ବଡିଭୋର୍ ରୁ ଉଠି ଗୃହିଣୀ ମାନେ ଗାଧୁଆ ପାଧୁଆ ସାରି ଝୋଟି ଉପରେ ଫୁଲ,ଦୁବ, ବରକୋଳି ଓ ପୋକଶୁଙ୍ଘା ପତ୍ର ପକାନ୍ତି।ତା ପରେ ଲକ୍ଷ୍ମୀ ସାଆନ୍ତାଣୀ ଙ୍କ ପୂଜା ଆରମ୍ଭ କରନ୍ତି। ଘରେ ଘରେ ସେ ଦିନ ବଳରାମ ଦାସ ଲିଖିତ ଲକ୍ଷ୍ମୀ ପୁରାଣ ପାଠ କରାଯାଏ।(ଏଠି ଆମ ଗାଁ ରେ କେମିତି ପୂଜା ହୁଏ ସେ ବିଷୟରେ ବର୍ଣ୍ଣନା କରାଯାଇଅଛି। ଅନ୍ୟ ଅଞ୍ଚଳ ରେ କିଛି ଭିନ୍ନ ପରମ୍ପରା ଥାଇପାରେ)।ମାସର ଶେଷ ଗୁରୁବାର ଦିନ ପୂଜା ବଢା ଯାଏ। ସେ ଦିନ ଅନ୍ୟାନ୍ୟ ଭୋଗ ସହିତ ଚାଉଳ ଚୂନା ରେମଣ୍ଡା ତିଆରି କରି ଭୋଗ ଦିଆ ଯାଇଥାଏ।


 ଆମ ଗାଁ ଟି ଆଦିବାସୀ ଅଧ୍ୟୁଷିତ। ପ୍ରଥମେ ପ୍ରଥମେ ଆଦିବାସୀମାନେ ଲକ୍ଷ୍ମୀଙ୍କ ପୂଜା କରୁନଥିଲେ। କିନ୍ତୁ କିଛି ବର୍ଷ ପରେ ସେମାନେ ମଧ୍ୟ ପୂଜା କରିବା ଆରମ୍ଭ କରିଦେଲେ। ସେମାନେ କିନ୍ତୁ ଲକ୍ଷ୍ମୀପୁରାଣ ବହି ସଵୁ ଗୁରୁ ବାର ପଢୁ ନଥିଲେ କାରଣ ସେ ସମୟରେ ସେମାନେ ପାଠ ପଢୁ ନଥିଲେ। ତେଣୁ ସେମାନେ ଗାଁ ର ପାଠ ପଢୁଆ ଝିଅ ମାନଙ୍କୁ ବହି ପଢିବା ପାଇଁ ଡାକନ୍ତି।ତା ସହିତ ସେ ପରିବାରରେ ଆଉ କେହି ପିଲା ଥିଲେ ମଧ୍ୟ ତାକୁ ଡାକି ଭୋଗ , ମଣ୍ଡା,ପୁରୀ, ଖିରି ଓ ଅନ୍ଯାନ୍ୟ ତରକାରୀ ମଧ୍ୟ ଦିଅନ୍ତି।

  

 ସେ ସମୟରେ ଆମ ଗାଁ ରେ କହ୍ନେଇ ଦେହୁରୀ ବୋଲି ଜଣେ ଲୋକ ରହୁଥିଲେ। ଯିଏ କି ମୋ ବାପାଙ୍କ ସମସାମୟିକ ଥିଲେ। ତାଙ୍କ ପରିବାରର ଲୋକେ ଆମ ଘରେ କାମ କରୁଥିଲେ। ଆମେ ତାଙ୍କୁ କହ୍ନେଇ ଭାଇ ବୋଲି ଡାକୁଥିଲେ। କିଛି ବର୍ଷ ପରେ ଯେତେବେଳେ ବିଲ ବାଡ଼ି ରେ କାମ କରିବା ପାଇଁ ଲୋକ କମିଗଲେ, ଜମି ମାଲିକମାନେ ତାଙ୍କ ଜମିକୁ ଭାଗଚାଷ କରିବା ପାଇଁ ଦେଲେ।ସେ ସମୟରେ କହ୍ନେଇ ଭାଇ ମଧ୍ୟ ଭାଗ ଚାଷ କରିବା ଆରମ୍ଭ କରିଦେଲା।ଆମର କିଛି ଜମି ମଧ୍ୟ ସେ ଭାଗ ଚାଷ କରୁଥିଲା।


 ତା ପରିବାରର ସମସ୍ତେ ଏକାଠି ହୋଇ ଏଇ ଚାଷକାମ ରେ ଲାଗୁଥିଲେ। ଫଳରେ ସେ ଭଲ ଫସଲ ଅମଳ କରୁଥିଲା।ଭଲ ଫସଲ ହେବାରୁ ମାଆ ଲକ୍ଷ୍ମୀଙ୍କୁ ଧନ୍ୟବାଦ୍ ଦେବା ପାଇଁ କହ୍ନେଇ ଭାଇ ଘରେ ମଧ୍ୟ ମାର୍ଗଶୀର ମାସ ଗୁରୁବାର ଦିନ ଲକ୍ଷ୍ମୀ ପୂଜା ଆରମ୍ଭ କରି ଦେଲେ। ହେଲେ ତା ଘରେ ତ କେହି ପାଠ ପଢ଼ି ନଥିଲେ, ତେଣୁ ମାସ ଶେଷ ଗୁରୁବାରଦିନ ତାଙ୍କ ଘରେ ବ୍ରତ ଉଜ୍ଜାପନ କରିବା ଦିନ ଆମକୁ ସନ୍ଧ୍ୟା ପରେ ତାଙ୍କ ଘରକୁ ଡାକୁ ଥିଲେ ଲକ୍ଷ୍ମୀ ପୁରାଣ ବହି ପଢିବା ପାଇଁ।ମୋ ସହ ମୋ ଭାଇ ଓ ଭଉଣୀମାନେ ମଧ୍ୟ ତାଙ୍କ ଘରକୁ ଯାଆନ୍ତି। କହ୍ନେଇ ଭାଇ ର ସ୍ତ୍ରୀ ତା ଆଗ ଦିନ ରୁ ଆମକୁ ଡାକିଦେଇ ଯାଇଥାଏ। ସନ୍ଧ୍ୟା ହେଲେ ପୁଣି ଥରେ ପହଞ୍ଚି ଯାଏ ଆମ ଘରେ। 


 କେବେ ମୁଁ ବହି ପଢ଼େ ତ କେବେ ମୋ ତଳ ଭଉଣୀ ମାନେ।ତା ପରେ ଆମ କୁ ତାଙ୍କ ଘରେ ଖାଇବା କୁ ଦିଅନ୍ତି। ଆମେ ସମସ୍ତେ ଆବଶ୍ୟକତା ଅନୁସାରେ ଖାଦ୍ୟ ନେଉ କିନ୍ତୁ ମୋ ତଳ ଭଉଣୀ ଟିକିଲି ସବୁ ବେଳେ ଅଧିକ ମଣ୍ଡା ମାଗେ। ଆମେ ଭାବୁ ଯେ ସେ ସବୁ ଖାଇ ଦେଉଛି। କିନ୍ତୁ ଆମେ ଖାଇ ସାରି ଘରକୁ ଫେରିବା ପରେ ଦେଖୁ ସେ ତା ପକେଟ୍ ରୁ ଗୋଟେ କି ଦୁଇଟା ମଣ୍ଡା ପିଠା ସେ ପକେଟ୍ ରୁ କାଢି ଆମ ବୁଢ଼ିମା କୁ ଦିଏ। ଆମେ ଯଦି କହୁ ଏମିତି ଲୁଚାଇ କାହିଁକି ଆଣିଛୁ?ତୁ ପିଠା ଚୋରି କରିଛୁ?


 ସେ କହେ ଆମେ ତ ତାଙ୍କ ଘରେ ଖାଇ ଆସିଛୁ। ଆଉ ବୁଇମା (ବୁଢ଼ିମା କୁ ଆମେ ବୁଇମା ଡାକୁ)ର କଣ ମନ ନାହିଁ? ଯେତେ ଦିନ ପର୍ଯ୍ୟନ୍ତ ମୋ ଭଉଣୀ ଗାଁ ରେ ରହୁଥିଲା ପ୍ରତ୍ୟେକ ବର୍ଷ ସେଇ ଭଳି ଲୁଚାଇ ଲୁଚାଇ ପେଣ୍ଟ ପକେଟ୍ ରେ ଭର୍ତ୍ତି କରି ମଣ୍ଡା ପିଠା ଆଣୁଥିଲା। ଏବେ ମୋ ଭଉଣୀ ଗାଁ ଛାଡି ସହରରେ ରହିଲାଣି। କହ୍ନେଇ ଭାଇ ଓ ତା ସ୍ତ୍ରୀ ସମୟ ଗର୍ଭରେ ଲୀନ ହୋଇ ଗଲେଣି ‌। ମାର୍ଗଶୀର ମାସ ଶେଷ ଗୁରୁବାରଦିନ ଲକ୍ଷ୍ମୀ ପୂଜା ରେ ମଣ୍ଡା ବାଣ୍ଟିବାର ପରମ୍ପରା ମଧ୍ୟ ବନ୍ଦ ହୋଇ ଗଲାଣି। ହେଲେ ଏବେ ବି ସେ ସ୍ମୃତି ମନ ମଧ୍ୟରେ ଉଜ୍ଜୀବିତ ଅଛି।


 ଯେବେ ବି ଟିକିଲି ପକେଟ୍ ଥିବା ପେଣ୍ଟ ପିନ୍ଧେ,ଆମେ ତାକୁ ଚିଡାଉ ପକେଟ୍ ଥିବା ପେଣ୍ଟ ପିନ୍ଧିଛୁ କଣ ମଣ୍ଡାପିଠା ପୁରାଇ ଆଣିବା ପାଇଁ?


Rate this content
Log in