Kanan Bala Nayak

Others

3  

Kanan Bala Nayak

Others

ଲକ୍ଷ୍ମୀ ନୃସିଂହ ସ୍ବାମୀ ମନ୍ଦିର

ଲକ୍ଷ୍ମୀ ନୃସିଂହ ସ୍ବାମୀ ମନ୍ଦିର

6 mins
139



କଥାରେ ଅଛି ନିଜ ବୁଦ୍ଧିରେ ପଛେ ଘାସ କାଟିବୁ କିନ୍ତୁ ପର ବୁଦ୍ଧିରେ ଘୋଡ଼ା ଚଢିବୁ ନାହିଁ।ଏଇ ବର୍ଷ ଅଗଷ୍ଟ ୨୪ ତାରିଖ ଦିନ ଓଡ଼ିଶା ପ୍ରଶାସନିକ ସେବାର ୫୩ ଜଣ ଅଧିକାରୀଙ୍କୁ ନେଇ ତେଲେଙ୍ଗାନାର ପ୍ରଶାସନିକ ସେବା ତାଲିମ୍ କେନ୍ଦ୍ର ମେରି ଚନ୍ନା ରେଡ୍ଡୀ ହ୍ୟୁମାନ ରିସୋର୍ସ ଡେଭଲପମେଣ୍ଟ ସେଣ୍ଟର କୁ ଯିବାର ସୁଯୋଗ ମିଳିଥିଲା।ଏହି ସମୟରେ ବ୍ୟବହାରିକ ପ୍ରଶିକ୍ଷଣ ବିଷୟରେ ଜ୍ଞାନ ଅର୍ଜନ କରିବା‌ ପାଇଁ ଏମ୍.ସି.ଆର୍.ଏଚ୍.ଆର୍.ଡି.ର‌ ଅଧିକାରୀ ମାନେ ଆମକୁ ବିଭିନ୍ନ ଅନୁଷ୍ଠାନ କୁ ପରିଦର୍ଶନ ପାଇଁ ନେଇ ଯାଉଥିଲେ।


ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୨୯ ତାରିଖ ଦିନ ତେଲେଙ୍ଗାନାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ତେଲେଙ୍ଗାନା ର‌ ୟାଦାଦ୍ରୀ ଭୁବନଗିରି ଜିଲ୍ଲା ର ୟାଦାଦ୍ରୀଗୁଟ୍ଟା ନାମକସ୍ଥାନରେ ଗୋଟେ ଛୋଟ ପର୍ବତ ଉପରେ ପ୍ରତିଷ୍ଠିତ ହୋଇଥିବା ଲକ୍ଷ୍ମୀ ନୃସିଂହ ସ୍ବାମୀ ମନ୍ଦିର ପରିଦର୍ଶନ ପାଇଁ ଯାଇଥିଲୁ।


  ଆମ ସହିତ ତେଲେଙ୍ଗାନା ରାଜ୍ୟ ପ୍ରାଶାସନିକ ସେବା ଏକାଡେମୀ ରୁ ଦୁଇ ଜଣ ଅଧିକାରୀ ଓ ଜଣେ ସହଯୋଗୀ ଆମ ମାର୍ଗ ଦର୍ଶନ ପାଇଁ ଯାଇଥିଲେ। ଆମେ ଠିକ୍ ମନ୍ଦିର ପାଖ ରେ ପହଞ୍ଚିଛୁ କୁଆଡେ ଥିଲା କେଜାଣି ଅଚାନକ ଯୋର୍ ରେ‌ ବର୍ଷା ବର୍ଷିବା ଆରମ୍ଭ ହୋଇ ଯାଇଥିଲା।ଆମେ ମାନେ ଏଥିପାଇଁ ପୂର୍ବ ପ୍ରସ୍ତୁତ ନଥିଲୁ। ତଥାପି କିଛି ପ୍ରଶିକ୍ଷାର୍ଥୀ ସାଙ୍ଗରେ ଛତା ନେଇଥିଲେ। ମୋର ଭାଗ୍ୟ ସେଦିନ ଖୁବ୍ ଭଲ ଥିଲା। କାରଣ ମୁଁ ବସିଥିବା ବସ୍ ସିଟ୍ ର ଆଗ ସିଟ୍ ର ପଛପଟେ ଥିବା ପ୍ୟାକେଟ୍ ରେ ଜଣେ ପ୍ରଶିକ୍ଷାର୍ଥୀ ତା ପୂର୍ବ ଦିନ ନେଇଥିବା ଛତାଟିକୁ ଛାଡି ଯାଇଥିଲା। ମୁଁ ଓ ଜଣେ ପ୍ରଶିକ୍ଷାର୍ଥୀ ସେଇ ଛତା ସାହାଯ୍ୟରେ ମନ୍ଦିର ନିକଟରେ ପହଞ୍ଚିଲୁ। 


  ଅନ୍ୟ ମାନେ ମଧ୍ୟ ସେଇଭଳି ଗୋଟିଏ ଛତାରେ ଜଣେ ଦୁଇ ଜଣ ହୋଇ ମନ୍ଦିର ନିକଟରେ ପହଞ୍ଚିଲେ। ମନ୍ଦିର ରେ ଥିବା ଯାତ୍ରୀ ନିବାସ ରେ‌ କିଛି ସମୟ ଛିଡ଼ା ପରେ ଆସ୍ତେ ଆସ୍ତେ ବର୍ଷାର‌ ବେଗ କମିଗଲା।ଆମେ‌ ସମସ୍ତେ ଯାତ୍ରୀ ନିବାସ ଛାଡି ମନ୍ଦିର ଅଭିମୁଖେ ଆଗେଇଲୁ। 


  ମନ୍ଦିର ରେ ଏତେ ସୁନ୍ଦର କାରୁକାର୍ଯ୍ୟ ହୋଇଛି ଯେ ମନ୍ଦିର ଉପରୁ ଆଖି ଉଠୁ ନଥାଏ। ଲାଗୁଥାଏ ପଥର ଯେମିତି ଆମ ସହ କଥା ହେବାକୁ ଚାହୁଁଛି। କାରଣ ଭାରତର ମନ୍ଦିର ରେ ପଥର ମଧ୍ୟ କଥା କହେ।ମନ୍ଦିର ଭିତରେ ପଶିବା ପରେ ଆମକୁ ଅନେକ ସ୍ଥାନରେ ଖାଣ୍ଟି ସୁନାରେ ତିଆରି ହୋଇଥିବା ମନ୍ଦିର ର ଅଂଶ ବିଶେଷ ସବୁ ଦେଖିବା କୁ ମିଳିଲା। ମନ୍ଦିର ର ମୁଖ୍ୟ ପୂଜକଙ୍କ ଠାରୁ ମନ୍ଦିର ସୃଷ୍ଟିର ଇତିହାସ ଠାରୁ ଆରମ୍ଭ କରି ମନ୍ଦିର ର ନିର୍ମାଣ ‌ଶୈଳୀ ବିଷୟରେ ବିସ୍ତୃତ ତଥ୍ୟ ଜାଣିବାକୁ ମିଳିଲା।


  ମହର୍ଷି ‌ବେଦବ୍ଯାସ ଙ୍କ ରଚିତ ଅଷ୍ଟାଦଶ ପୁରାଣ ସମୂହ ମଧ୍ୟରେ ସ୍କନ୍ଧ ପୁରାଣ ହେଉଛି ସବୁଠାରୁ ବିଶାଳକାୟ ପୁରାଣ। ଯେଉଁଥିରେ କି ଭାରତ ବର୍ଷର ‌ପବିତ୍ର ଓ ପ୍ରାଚୀନ ତୀର୍ଥସ୍ଥାନ ମାନଙ୍କର ମହିମା ବର୍ଣ୍ଣନା କରାଯାଇଛି।


   ତ୍ରେତୟା ଯୁଗରେ ମହାନ୍ ମହର୍ଷି ଋଷ୍ଯଶୃଙ୍ଗ ଓ ଶାନ୍ତା ଦେବୀ ଙ୍କର ସୁପୁତ୍ର ୟାଦ‌ ମହର୍ଷି ପବନ ସୂତ ହନୁମାନ ଙ୍କ ଆର୍ଶୀବାଦ ନେଇ ତେଲେଙ୍ଗାନାର ଭୁବନ ଗିରି ଓ ରାୟ ଗିରି ମଧ୍ୟରେ ଥିବା ୟାଦାଦ୍ରୀ ଗୁଟ୍ଟା ନାମକ ସ୍ଥାନ ରେ ଥିବା ଗୋଟିଏ ଛୋଟ ପର୍ବତ ଗୁମ୍ଫା ମଧ୍ୟ ରେ କଠୋର ତପସ୍ୟା କଲେ। ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ନୃସିଂହ (ଯିଏ କି ଭଗବାନ ବିଷ୍ଣୁଙ୍କର ଅବତାର ଅଟନ୍ତି) ତାଙ୍କ ସମ୍ମୁଖରେ ପାଞ୍ଚଟି ରୂପରେ ଆର୍ବିଭୂତ ହୋଇ ଥିଲେ।ସେଇ ପାଞ୍ଚଟି ରୂପ ହେଲା----

୧-ଶ୍ରୀ ଜ୍ବାଳା ନୃସିଂହ।

୨-ଶ୍ରୀ ଯୋଗ ନୃସିଂହ।

୩- ଶ୍ରୀ ଉଗ୍ର ନୃସିଂହ।

୪- ଶ୍ରୀ ଲକ୍ଷ୍ମୀ ନୃସିଂହ ଓ

୫- ଶ୍ରୀ ଗଣ୍ଡବିରୁଣ୍ଡ ନୃସିଂହ।


ୟାଦ ଋଷି ଭଗବାନ ନୃସିଂହ ଙ୍କୁ ଏଇ ପାଞ୍ଚଟି ରୂପରେ ସେଇ ପର୍ବତ ଗୁମ୍ଫା ରେ ରହିବା ପାଇଁ ବର ମାଗିଥିଲେ। ଏହି କାରଣରୁ ଏଇ ପର୍ବତ ଶିଖରରେ ଥିବା ୧୨ ଫୁଟ ଉଚ୍ଚା ଓ ୩୦ ଫୁଟ୍ ଲମ୍ବ ବିଶିଷ୍ଟ ଏକ ଗୁମ୍ଫା ରେ ଲକ୍ଷ୍ମୀ ନୃସିଂହ ପୂଜା ପାଉଛନ୍ତି। ଏହି ମନ୍ଦିର ରେ ନୃସିଂହ ମହାପ୍ରଭୁଙ୍କ ର ପଞ୍ଚରୂପ ପଥର ରେ ନିର୍ମିତ ହୋଇଛି। ଏହି କ୍ଷେତ୍ର ପଞ୍ଚ ନରସିଂହ କ୍ଷେତ୍ର ଏବଂ ଋଷି ଆରାଧନା କ୍ଷେତ୍ର ନାମରେ ମଧ୍ୟ ପ୍ରସିଦ୍ଧ।


 ଲକ୍ଷ୍ମୀ ନୃସିଂହ ଙ୍କର ପୁରୁଣା ମନ୍ଦିର କୁ ବର୍ତ୍ତମାନ ର ସରକାର ନୂଆ ରୂପ ଦେଇ ପୁନରୁଦ୍ଧାର କରିଛନ୍ତି।ଏଇ ନୂତନ ମନ୍ଦିର ଟିର ନିର୍ମାଣ କାର୍ଯ୍ୟ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ଏବଂ ମାର୍ଚ୍ଚ ୨୦୨୨ ରେ ସମ୍ପୁର୍ଣ୍ଣ ହୋଇଥିଲା ଏବଂ ମାର୍ଚ୍ଚ ୨୮ ୨୦୨୨ ରେ ତେଲେଙ୍ଗାନାର ମୁଖ୍ୟ ମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ତାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।


ଏହି ମନ୍ଦିର ର ପ୍ରମୁଖ ଶିଳ୍ପସ୍ଥପତି ହେଲେ ପି.ମଧୂସୁଦନ ଓ ନକ୍ସାକାର ହେଲେ ଆନନ୍ଦ ସାଇ। ମନ୍ଦିର ଟିର କାରୁକାର୍ଯ୍ୟ ଶିଳ୍ପ ଶାସ୍ତ୍ର ଓ ତନ୍ତ୍ର ଶାସ୍ତ୍ର କୁ ଅନୁସରଣ କରି କରାଯାଇଛି। ସମ୍ପୁର୍ଣ୍ଣ ମନ୍ଦିର ଟି‌ ୨.୫ ଲକ୍ଷ କୃଷ୍ଣଶୀଳାରେ ନିର୍ମିତ ହୋଇଛି।କୃଷ୍ଣଶୀଳା ରେ ନିର୍ମିତ ହେଇଥିବା ମନ୍ଦିର ଭିତରେ ଏହା ହେଉଛି ପୃଥିବୀ ର ବୃହତ୍ତମ ମନ୍ଦିର। ଏହି କୃଷ୍ଣ ଶୀଳା ର ପରମାୟୁ ୧୦୦୦ ବର୍ଷ। ଏହି ମନ୍ଦିର ଟି ଚାରୋଟି ରାଜ ବଂଶର ନିର୍ମାଣ ଶୈଳୀ କୁ ମିଶାଇ କରାଯାଇଛି।ସେଇ ଶୈଳୀ ଗୁଡିକ ହେଲା କାକତୀୟ, ପଲ୍ଲବ,ଚୋଳ ଓ‌ ବିଜୟନଗରମ। ଏହି ମନ୍ଦିର ର ବିଶେଷତ୍ବ ହେଉଛି ଏହି ମନ୍ଦିର ନିର୍ମାଣରେ ଇଟା,ସିମେଣ୍ଟ ଓ ବାଲି ର ବ୍ୟବହାର ଆଦୈ ହୋଇନାହିଁ। ପୁରାତନ ପଦ୍ଧତି କୁ ଅନୁସରଣ କରି ଚୁନ,ଗୁଡ଼,ଘି କୁଆଁରୀ(ଏଲୋଭେରା), ହରିଡା ଓ ଝୁଟ ର ସମ୍ମିଶ୍ରଣ ରେ ଗୋଟିଏ ବିଶେଷ ପ୍ରକାର ଅଠା ତିଆରି କରାଯାଇ ପଥର ସହିତ ପଥର କୁ ଯୋଡ଼ା ଯାଇଛି।


    ଆମ ପାଇଁ ଗୋଟେ ଗର୍ବ ର କଥା ଥିଲା ଆମ ଓଡ଼ିଶା ର ଜଣେ କଟ୍ରାକ୍ଟର୍ ଅନୀଲ ମହାରଣା ପ୍ରତାପ ମଧ୍ୟ ଏଇ ମନ୍ଦିର ର କିଛି ଅଂଶ ନିର୍ମାଣ କରିଛନ୍ତି। ଏହାର ପ୍ରବେଶ ଦ୍ଵାର ଶୁଦ୍ଧ ପିତ୍ତଳ ରେ ନିର୍ମିତ ଓ ଏଥିରେ ସୁନା ଖଞ୍ଜା ଯାଇଛି। ଏହି ମନ୍ଦିର ରେ ୧୪୦ କିଲୋଗ୍ରାମ ସୁନା ବ୍ୟବହୃତ ହୋଇଛି। ସେଥିମଧ୍ୟରୁ ୧୨୫ କିଲୋଗ୍ରାମ ସୁନା କେବଳ ଗର୍ଭ ଗୃହ ଓ ମୁଖ୍ୟ ଦ୍ଵାର ରେ ଲାଗିଛି। ଲକ୍ଷ୍ମୀ ନୃସିଂହଙ୍କ ର ମୂଖ୍ୟ ପ୍ରତିମା ଯେଉଁ ଗୁମ୍ଫା ରେ‌‌ ଅବସ୍ଥିତ ସେଇ ଗୁମ୍ଫା ର ସମ୍ମୁଖ ଭାଗରେ ଥିବା ଦ୍ଵାର ର ଉପରେ ପ୍ରହଲ୍ଲାଦ ଙ୍କ ଜନ୍ମ ଠାରୁ ହିରଣ୍ୟକଶିପୁ ର ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ କାହାଣୀ କୁ ବିଭିନ୍ନ ପ୍ରତିକୃତି ଯାହା କି ପିତ୍ତଳ ଉପରେ ସୁବର୍ଣ୍ଣ ର ଆଚ୍ଛାଦନ ଦେଇ ନିର୍ମାଣ କରାଯାଇଛି, ତା ମାଧ୍ୟମ ରେ ବର୍ଣ୍ଣନା କରାଯାଇଛି।ମନ୍ଦିର ମଧ୍ୟରେ ଶ୍ରୀ ନୃସିଂହ ଙ୍କର ଗୋଟିଏ ପାଖ ଜଙ୍ଘରେ ଭୁଦେଵୀ ଓ ଅନ୍ୟ ଜଙ୍ଘ ରେ ଶ୍ରୀଦେବୀ ବସିଥିବା ର ପ୍ରତିକୃତି ଗୋଟେ ଖମ୍ବ ଉପରେ ପ୍ରତିଷ୍ଠିତ ହୋଇଛନ୍ତି।ମନ୍ଦିର ର ଏତେ ସୁନ୍ଦର କାରୁକାର୍ଯ୍ୟ ଦେଖି ମୋର କବିବର ରାଧାନାଥ ରାଏ ଙ୍କ ଲିଖିତ ଚିଲିକା କାବ୍ୟ ର ଦୁଇ ଧାଡ଼ି ମନେ ପଡୁଥାଏ -


     "ସୁନ୍ଦର ତୃପ୍ତିର ଅବସାଦ ନାହିଁ

      ଯେତେ ଦେଖୁଥିଲେ ନୂଆ‌ ଦିଶୁଥାଇ"


ମନ୍ଦିର ର‌ ସୁନ୍ଦର କାରୁକାର୍ଯ୍ୟ ଦେଖି ଲାଗୁଥାଏ ମନ୍ଦିର ବେଢ଼ା ରେ ଛିଡ଼ା ହୋଇ ମନ୍ଦିର ର ସୈାନ୍ଦଯ୍ୟ କୁ ମନଭରି ଉପଭୋଗ କରିବା ପାଇଁ। ହେଲେ ମଣିଷ ଚାହିଁଲେ କଣ ସବୁ କିଛି ସମ୍ଭବ ହୁଏ? ସମୟର ଆହ୍ଵାନ ଦ୍ଵାରା ସବୁ ବେଳେ ମଣିଷ କୁ ପରିଚାଳିତ ହେବା କୁ ପଡ଼େ। ତେଣୁ ସମୟ ର ଆବଶ୍ୟକତା ଅନୁସାରେ ଆମକୁ ଫେରିବାକୁ ପଡ଼ିଲା। କାରଣ ସେଦିନ ଆମକୁ ଆହୁରି ଅନେକ ଯାଗାକୁ ଥିଲା। 


  ମନ୍ଦିର ଦର୍ଶନ କରି ଫେରିବା ବେଳକୁ ଆମ ସମସ୍ତଙ୍କର ମନ ପୁରି ଯାଇଥାଏ କିନ୍ତୁ ପେଟର ଭୋକ ପ୍ରବଳ ରୁ ପ୍ରବଳତ୍ତର ହେଉଥାଏ।ମନର ଭୋକ ମେଣ୍ଟିଗଲେ ପେଟର ଭୋକ ତ ମେଣ୍ଟେନି ନାଁ।ପେଟର ଭୋକ ମେଣ୍ଟେଇବାକୁ ଖାଦ୍ୟ ର ଆବଶ୍ୟକତା ପଡ଼ିଥାଏ।ଆମ ସହିତ ଯାଇଥିବାଏମ୍.ସି.ଆର୍.ଏଚ୍.ଆର୍.ଡି‌ ର ପ୍ରଶିକ୍ଷକ ଓ କର୍ମଚାରୀ ଆମକୁ ପାଖରେ ଥିବା ଏକ ରେଷ୍ଟୁରାଣ୍ଟ କୁ ନେଇ ଗଲେ। ସେହି ରେଷ୍ଟୁରାଣ୍ଟ ରେ ଅଧିକାଂଶ କର୍ମଚାରୀ ଓଡ଼ିଆ ଥିଲେ। ଓଡ଼ିଆ ଖାଦ୍ୟ ଖାଇବାକୁ ମିଳିବ‌ ବୋଲି ଭାବି ଆମେ ସମସ୍ତେ ଖୁସି ହୋଇ ଯାଇଥିଲୁ, ହେଲେ ଆମର ଖୁସି ବେଶୀ ସମୟ ରହିଲାନି। ଯେତେବେଳେ ଆମେ ଜାଣିଲୁ ସେଠି ମଧ୍ୟ ଓଡ଼ିଆ ଖାଦ୍ୟ ମିଳିବନି। ଆମକୁ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଇବାକୁ ପଡିବ। ସେତେବେଳକୁ ଆମେ ହାଇଦ୍ରାବାଦ ର ରାଗ ଖାଦ୍ୟ ଖାଇ ଖାଇ ଅତିଷ୍ଠ ହୋଇ ଯାଇଥିଲୁ। 


  କିଛି ସମୟ ପରେ ରେଷ୍ଟୁରାଣ୍ଟ ର ଓ୍ଵେଟର୍‌ ଆସି ଆମକୁ ମେନ୍ଯୁ କାର୍ଡ ଧରାଇ ଦେଲା। ମୁଁ ବସିଥିବା ଟେବୁଲ୍ ରେ‌ ଆଉ ତିନି ଜଣ ଓଡ଼ିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀ ବସିଥିଲେ।ମୋ ସାମ୍ନା ସିଟ୍ ରେ ବସିଥିଲା ସୁଚରିତା। ସୁଚରିତା କହିଲା ଗୋଟେ ନୂଆ ଆଇଟମ ଟେଷ୍ଟ କଲେ ହେବ। ମୁଁ ମଧ୍ୟ ତା କଥା କୁ ସମର୍ଥନ‌ କରି ମେନ୍ଯୁ କାର୍ଡ ରେ ଗୋଟେ ନୂଆ ଆଇଟମ ଖୋଜିବା ରେ‌ ଲାଗି ପଡିଲି।ତା ପରେ ଆମ ଆଖି ଉପମା ଦୋସା ନାମକ ଏକ ଆଇଟମ୍‌ ରେ ସ୍ଥିର ହୋଇଗଲା। କାରଣ ଆମେ ଦୁଇଜଣ ‌ପୁର୍ବରୁ କେବେ ଉପମା ଦୋଷା ଟେଷ୍ଟ କରି ନଥିଲୁ।


  ସୁଚରିତା ଓ ମୁଁ ଦୁଇଜଣ ଭାବିଲେ ଉପମା ଦୋଷା ବୋଧେ ଗୋଟେ ବହୁତ ଟେଷ୍ଟି ଆଇଟମ ଟେ ହୋଇଥିବ। ତା ପରେ ଆମେ ଅପେକ୍ଷା କଲୁ ଉପମା ଦୋଷା କେତେ ବେଳେ ଆସିବ ବୋଲି। ହେଲେ ଉପମା ଦୋଷାର ଦେଖା କାହିଁ?ଅଧା ଘଣ୍ଟା ଯାଇ ଘଣ୍ଟା ଟେ ହେଲା। ହେଲେ ଉପମା ଦୋଷାର ଦେଖା କାହିଁ? ସେତେବେଳକୁ ଭୋକ ରେ ଆମ ପେଟ ଆହୁରି ଯୋରରେ ରଡ଼ି କରିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ଉପମା ଦୋଷାର ଦେଖା ନଥାଏ। ଏତେ ସମୟ ଅପେକ୍ଷା କରିବା ପରେ ସୁଚରିତା ଯାଇ ରେଷ୍ଟୁରାଣ୍ଟ ର ଵୟ ନିକଟରେ ଅଭିଯୋଗ କଲା। ସୁଚରିତା ଅଭିଯୋଗ କରି ଫେରିବା ପରେ ମଧ୍ୟ ଉପମା ଦୋଷାର ଦେଖା ନଥାଏ। ସେତେବେଳକୁ ଆମ ରାଗ ମଧ୍ୟ ପଞ୍ଚମ କୁ ଉଠି ଯାଇଥାଏ।

  

 ଯହା ହେଉ ସୁଚରିତା ଅଭିଯୋଗ କରି ଆସିବା ପରେ ଉପମା ଦୋଷା ଆସିଲା। ଆମେ ମାନଙ୍କ ମନ ଖୁସି ହୋଇ ଯାଇଥିଲା। ହେଲେ ଉପମା ଦୋଷା ଦେଖିବା ପରେ ଆମ ମନ ପୁରା ଆମ୍ବିଳା ହୋଇଗଲା।ଦେଖିବା ବେଳକୁ ଦୋଷା ଭିତରେ ନା ଆଳୁ ଅଛି ନା କିଛି ମସଲା। ଖାଲି ସୁଜି କୁ ଗରମ୍ ପାଣି ରେ ପକାଇ ସିଝାଇ ଦେଇ ଦୋଷା ଉପରେ ମେଲାଇ ଦିଆ ଯାଇଥିଲା। 


  ତାକୁ ଦେଖି ଆମର ଭୋକ ମରି ଯାଉଥିଲା। ହେଲେ ପେଟକୁ ପୁରାଇବା ପାଇଁ ଆମେ ବାଧ୍ୟ ହୋଇ ଖାଇଲୁ। ମୁଁ ସୁଚରିତା କୁ କହିଲି ନୂଆ ଜିନିଷ ଟେଷ୍ଟ କରିବା କୁ ଯାଇ ଆମେ ମହରଗ ରୁ ଯାଇ କାନ୍ତାର ରେ ପଡ଼ିଲୁ। ମୁଁ ସେତେବେଳ କୁ ମନେ ମନେ ଭାବୁଥାଏ ମୁଁ ସୁଚରିତା ବୁଦ୍ଧିରେ ପଡ଼ି କାହିଁକି ଉପମା ଦୋଷା ଖାଉଥିଲି। ଯେଉଁ ଖାଦ୍ୟ ବିଷୟରେ ମୋର କିଛି ବି ଆଇଡ଼ିଆ ନଥିଲା, ସେ ଖାଦ୍ୟ ଖାଇବା ଅନୁଚିତ୍ ଥିଲା। କିନ୍ତୁ ପୁଣି ଭାବିଲି ଯେ ଦେଶେ ଯାଇ ସେ ଫଳ ଖାଇ। ତେଣୁ ତେଲେଙ୍ଗାନା ଯାଇ ଉପମା ଦୋଷା ଖାଇବା କିଛି ଭୁଲ୍ ହୋଇନି।ଭଲ ଲାଗୁ ନ‌ ଲାଗୁ ବିଭିନ୍ନ ଜିନିଷ ର ସ୍ଵାଦ ନେବା ଉଚିତ୍।


   ଏବେ ବି ସୁଚରିତା କଥା ମନେ ପଡ଼ିଲେ ମୁଁ ଉପମା ଦୋଷା କଥା ଭାବି ମୁଁ ମନେ ମନେ ଟିକେ ହସି ଦିଏ‌। ଭାବେ ଜୀବନ ରେ‌ ଆଉ କେବେ ଉପମା ଦୋଷା ଖାଇବି ନାହିଁ। ତାପରେ ଭାବେ କିଛି ପାଇବା ପାଇଁ ହେଲେ କିଛି ହରାଇବାକୁ ପଡ଼େ। ୟାଦାଦ୍ରି ଲକ୍ଷ୍ମୀ ନୃସିଂହ ସ୍ବାମୀ ଙ୍କର ମନ୍ଦିର ର ସୈାନ୍ଦଯ୍ଯ ଉପଭୋଗ କରିବାକୁ ହେଲେ ଉପମା ଦୋଷା ଖାଇବା ରେ କିଛି ଅସୁବିଧା ନାହିଁ।


  ଆଜି ବି ୟାଦାଦ୍ରୀ ଲକ୍ଷ୍ମୀ ନୃସିଂହ ସ୍ବାମୀ ଙ୍କର ବିଗ୍ରହ ଓ ମନ୍ଦିର ମୋ ଆଖି ଆଗରେ ନାଚିଯାଏ।ଆଉ ମୁଁ ଏଇ କଥାକୁ ସ୍ବୀକାର କରେ ଯେ ସତରେ ଭାରତର ମନ୍ଦିର ମାନଙ୍କରେ ପଥର ମଧ୍ୟ କଥା କହେ।


Rate this content
Log in