Kanan Bala Nayak

Classics

3  

Kanan Bala Nayak

Classics

ନବଗୁଞ୍ଜର-ଦ୍ବିତୀୟ ଭାଗ

ନବଗୁଞ୍ଜର-ଦ୍ବିତୀୟ ଭାଗ

3 mins
111



ଥରେ ଗୋଟିଏ ବିଚିତ୍ର ଘଟଣା ଘଟିଲା। ଦିନେ ଯୁଧିଷ୍ଠିର ଦ୍ରୌପଦୀଙ୍କ କକ୍ଷରେ ଥିଲେ। ଏତିକି ବେଳେ ଜଣେ ବ୍ରାହ୍ମଣ ଆସି ପହଞ୍ଚିଲେ।ସେ ସମୟରେ ସେ ବ୍ରାହ୍ମଣଙ୍କର ମଧ୍ୟମ ପାଣ୍ଡବ ଅର୍ଜୁନଙ୍କ ସହ ସାକ୍ଷାତ ହେଲା।ସେ ଅର୍ଜୁନଙ୍କୁ କହିଲେ ଯୁଧିଷ୍ଠିରଙ୍କୁ ତୁରନ୍ତ ଡାକି ଦେବା ପାଇଁ।ନ ହେଲେ ସେ ସମସ୍ତଙ୍କୁ ଭସ୍ମ କରିଦେବେ । ଅତିଥି ଜଣକ ଥିଲେ ମଧୁପିଙ୍ଗଳ ବ୍ରାହ୍ମଣ।ସେ ଅଭିଶାପ ଦେଲେ ବଂଶ ଦହନ ହୋଇ ଯିବ। ତେଣୁ ଅର୍ଜୁନ ଭାବିଲେ ସେ ଵାର ବର୍ଷ ବନବାସ ଯିବେ ପଛେ ବଂଶ କୁ କିନ୍ତୁ ବ୍ରାହ୍ମଣଙ୍କ ଅଭିଶାପ ରୁ ରକ୍ଷା କରିବେ।ସେଇ କଥା ଚିନ୍ତା କରି ଅର୍ଜୁନ ଅନ୍ତଃପୁର ନିକଟରେ ଉପସ୍ଥିତ ହେଲେ।ସେ ସମୟରେ ସେ ଦ୍ୱାର ସମ୍ମୁଖରେ ଯୁଧିଷ୍ଠିରଙ୍କ ପାଦୁକା ଦେଖିବାକୁ ପାଇଲେ ନାହିଁ। ତେଣୁ ଭିତରେ ଯୁଧିଷ୍ଠିର ଅଛନ୍ତି ବୋଲି ଜାଣି ନପାରି ଅର୍ଜୁନ ଅନ୍ତଃପୁର ଭିତରକୁ ‌ପଶିଗଲେ।


  ଅର୍ଜୁନଙ୍କର ସେହି ପରି କାର୍ଯ୍ୟ ଦେଖି ଯୁଧିଷ୍ଠିର ଆଶ୍ଚର୍ଯ୍ୟ ହେଲେ ଏବଂ ଅର୍ଜୁନଙ୍କୁ ପଚାରିଲେ ସମସ୍ତ ନିୟମ ଜାଣିବା ପରେ ବି ଅର୍ଜୁନ ଏମିତି କାହିଁକି କଲେ?ସାନ ଭାଇଙ୍କୁ ବାରବର୍ଷ ବନବାସ ଯିବାର କଥା ଭାବି ଯୁଧିଷ୍ଠିର ବ୍ୟସ୍ତ ହୋଇ ପଡିଲେ ଏବଂ ଅର୍ଜୁନଙ୍କୁ ପଚାରିଲେ ଦ୍ଵାର ସମ୍ମୁଖରେ ପାଦୁକା ଥିବା ସ୍ଥଳେ ଅର୍ଜୁନ କାହିଁକି ଗୃହ ମଧ୍ୟକୁ ପ୍ରବେଶ କଲେ। ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ କହିଲେ ଯେ ଦ୍ଵାର ମୁହଁରେ ପାଦୁକା ଥିବାର ସେ ଦେଖି ପାରିଲେ ନାହିଁ। ଦୁଇଭାଇ ବ୍ୟସ୍ତ ହୋଇ ଦ୍ୱାର ପାଖକୁ ଯାଇ ଦେଖନ୍ତି ତ ବ୍ରାହ୍ମଣ ଜଣଙ୍କ କୁଆଡେ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି। ପ୍ରକୃତ କଥା ଥିଲା ବୈଶ୍ବାନର ଅଗ୍ନି ଦେବ ଗୋଟେ ଶ୍ବାନ ବେଶରେ ଆସି ଦ୍ବାର ମୁହଁ ରୁ ପାଦୁକା କୁ ନେଇ ଯାଇଛନ୍ତି।


ଅର୍ଜୁନ କହିଲେ ବ୍ରାହ୍ମଣ ଜଣଙ୍କ ସତ ହୁଅନ୍ତୁ କି ମିଛ,ସେ କିନ୍ତୁ ସର୍ତ୍ତ ଉଲ୍ଲଂଘନ କରିଛନ୍ତି। ତେଣୁ ସେ ବାର ବର୍ଷ ବନ ଗମନ କରିବେ। ତାଙ୍କୁ ମାତା କୁନ୍ତୀ, ବଡ଼ ଭାଇ ଯୁଧିଷ୍ଠିର ଓ ସ୍ତ୍ରୀ ଦ୍ରୌପଦୀ ଯେତେ ବୁଝାଇଲେ ମଧ୍ୟ ସେ କିଛି ‌ଶୁଣିଲେ ନାହିଁ। ଦ୍ରୌପଦୀ ଅର୍ଜୁନ କୁ କହିଲେ ତୁମେ ଯଦି ବାର ବର୍ଷ ବନବାସ ରେ ଯିବ ମୁଁ ମଧ୍ୟ ତୁମ ସହିତ ଯିବି। ମାତ୍ର ଅର୍ଜୁନ ତାଙ୍କୁ ମନା କରି କହିଲେ ଯେତେବେଳେ ବି ସ୍ତ୍ରୀ ମାନେ ସ୍ବାମୀ ମାନଙ୍କ ସହ ବନ ଗମନ କରିଛନ୍ତି ସେତେବେଳେ ସେମାନେ ବିପଦ ରେ ପଡିଛନ୍ତି। ଯେମିତି ରାଜା ନଳ ଓ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର। ତେଣୁ ମୁଁ ତୁମକୁ ମୋ ସହ ବଣ କୁ ନେଇ ପାରିବି ନାହିଁ। ତୁମେ ହସ୍ତୀନାପୁର ର ରାଜ ଅନ୍ତଃପୁରେ ହିଁ ରୁହ।


 ତା ପରେ ଅର୍ଜୁନ ସମସ୍ତଙ୍କ ଠାରୁ ବିଦାୟ ନେଇ ବନ କୁ ଗମନ କଲେ। ଅର୍ଜୁନ ବନ କୁ ଯିବା ପରେ ସମସ୍ତେ ମନ ଦୁଃଖ କରି ସର୍ବଦର୍ଶୀ ସହଦେବଙ୍କୁ ପଚାରିଲେ ଏପରି କାହିଁକି ହେଲା? ସେ ସମସ୍ତଙ୍କୁ ଅବଗତ ‌କରାଇ କହିଲେ ଯେ ଏଭଳି କାର୍ଯ୍ୟ ‌ଅଗ୍ନି ଦେଵ କରିଛନ୍ତି।କାରଣ ଅଗ୍ନି ଦେବ ଏକ ଭୟଙ୍କର ଲୁଦୁବୁଦୁ ବ୍ୟାଧି ରେ ପିଡୀତ। ସେଥିରୁ ମୁକ୍ତ ପାଇବା ପାଇଁ ଖାଣ୍ଡବ‌ ବନ ଦହନ ହେବା ଆବଶ୍ୟକ। ଆଉ ଖାଣ୍ଡବ ‌ବନ କୁ ଧନଞ୍ଜୟଙ୍କ ବ୍ୟତୀତ ଅନ୍ୟ କେହି ଦହନ କରି ପାରିବେ ନାହିଁ। ସେଥିପାଇଁ ଅର୍ଜୁନ ବନବାସ କରିବା ନିତ୍ୟାନ୍ତ ଆବଶ୍ୟକ ଥିଲା।ଗତ ତିନି ଯୁଗ ହେଲାଣି ଅଗ୍ନି ଦେବ ଏଥିପାଇଁ ଆଶାୟୀ ହୋଇ ରହିଛନ୍ତି।


 ସହଦେବଙ୍କ କଥା ଶୁଣି ସମସ୍ତେ ବସି ସ୍ଥିର କଲେ ଅର୍ଜୁନ ବନବାସ ଯୋଗୁଁ ଯଦି ଅଗ୍ନି ଦେବ ବ୍ୟାଧି ରୁ ମୁକ୍ତି ହୋଇ ପାରିବେ ତାହା ହେଲେ ଅର୍ଜୁନ ବନକୁ ଯିବା କୁ କେହି ବାରଣ କରିବେ ନାହିଁ। ବଣକୁ ଯାଇ ଅର୍ଜୁନ ହାତରେ ଧନୁତୀର ଧରି କିରାତ ଟିଏ ପରି ବନରେ ବୁଲିଲେ।


ଅର୍ଜୁନଙ୍କ ର ଏହି ବନବାସ କରିବା ସମୟର କଥା। ଦିନେ ଶିବ ପାର୍ବତୀ ରୂପ ପରିବର୍ତ୍ତନ କରି ତପସ୍ୱୀ ଓ ତପସ୍ୱିନୀ ରୂପରେ ବଣରେ ବିଚରଣ କରୁଥିଲେ।ବଣ ରେ ବିଚରଣ କରୁକରୁ କ୍ଳାନ୍ତ ହୋଇ ଶିବ ପାର୍ବତୀଙ୍କ କୋଳରେ ମୁଣ୍ଡ ରଖି ଶୋଇ ପଡିଲେ।ସେଇ ସମୟରେ ତାଙ୍କ ପାଖରେ ଥିବା ଗଣ୍ଡା ଟି ନିକଟରେ ଥିବା ଏକ ଜଳାଶୟ ରୁ ଜଳପାନ କରି ଫେରୁଥିବା ସମୟରେ ଅର୍ଜୁନ ସେଇ ବିଚିତ୍ର ଜୀବଟିକୁ ଦେଖି ତୀର ବିନ୍ଧିଲେ।ତୀର ଟି ଗଣ୍ଡା ର ବାମ ଅଙ୍ଗ ରେ‌ ଫୁଟି ଗଲା।ସେଇ ଅବସ୍ଥାରେ ଗଣ୍ଡା ଟି ତପସ୍ୱୀ ବେଶରେ ଥିବା ଶିବ ପାର୍ବତୀଙ୍କ ପାଖକୁ ଗଲା ଓ ସେଇଠାରେ ତାଙ୍କ ସମ୍ମୁଖରେ ପଡ଼ି ପ୍ରାଣ ତ୍ୟାଗ କଲା।


  ଗଣ୍ଡା ଟି ମୃତ୍ୟୁ ବରଣ କରିବାର ଦେଖି ପାର୍ବତୀ ଅତ୍ୟନ୍ତ ବ୍ୟସ୍ତ ହୋଇ ପଡିଲେ। ପାର୍ବତୀ କ୍ରୋଧ ର ବଶବର୍ତ୍ତୀ ହୋଇ ଶିବଙ୍କୁ ନିଦ୍ରା ରୁ ଉଠାଇ କହିଲେ ଆମ ପ୍ରିୟ ଗଣ୍ଡା ଟିକୁ କିଏ ମାରିଲା ଯାଇ ଦେଖ।ଶିବ ମଧ୍ୟ ନିଦରୁ ଉଠି ଗଣ୍ଡା ଟି କୁ ଦେଖି କ୍ରୁଦ୍ଧ ହେଲେ। ଅର୍ଜୁନ ତୀର ମାରି ସାରି ଗଣ୍ଡା ଟିକୁ ଅନୁସରଣ କରି ଆସୁଥିବା ସମୟରେ ତପସ୍ୱୀ ବେଶଧାରୀ ଆଶୁତୋଷ ଶିବଙ୍କଙ୍କ ସହ ମୁହାଁମୁହିଁ ହୋଇ ଗଲେ।

(କ୍ରମଶଃ)


Rate this content
Log in

Similar oriya story from Classics