KRUTIBAS NAYAK

Romance Tragedy Inspirational

3  

KRUTIBAS NAYAK

Romance Tragedy Inspirational

ଅନୁପମା

ଅନୁପମା

7 mins
192



   ଡା଼କପ୍ୟାଡ଼ ଖୋଲିଲେ-ମନୋଜ ବାବୁ । ହଠାତ ତାଙ୍କ ଆଖି ଅଟକିଗଲା, ଫ୍ରମ ଆଡ୍ରେସ ଉପରେ । କେନ୍ଦୁଝରର ସ୍ୱେଚ୍ଛାସେବୀ ସଂଗଠନ 'ପ୍ରଭା'ର ସେକ୍ରେଟାରୀ ଅନୁପମା ଦେବୀ ଏ'ଚିଠି ଖଣ୍ଡିକ ଲେଖିଛନ୍ତି ।  ଆଖି ବୁଲେଇ ନେଲେ , ସମଗ୍ର ଚିଠି ଉପରେ ।

  ଅନୁପମା ଦେବୀ ନିମନ୍ତ୍ରଣ ଜଣାଇଛନ୍ତି, ତାଙ୍କ ଅନୁଷ୍ଠାନକୁ ପରିଦର୍ଶନ କରିବା ପାଇଁ । ତାଙ୍କର ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଚିଠି ସହିତ ସଂଲଗ୍ନ ହୋଇଛି । ତାଙ୍କ ଅଫିସର ଫଣ୍ଡ ସେକ୍ସନରୁ 'ପ୍ରଭା'କୁ ଚିଠି ଯାଇଥିଲା । ଆଜି ତା'ର ଉତ୍ତର ଆସିଛି ।


   ମନୋଜ ବାବୁ ପୁଣି ଥରେ ଦସ୍ତଖସ୍ତଟିକୁ ନିରୀକ୍ଷଣ କରି ଭାବିଲେ- 'ଓଃ ! " ତାହେଲେ, ପ୍ରଭାର ସେକ୍ରେଟେରୀ ଜଣେ ମହିଳା । ନିଶ୍ଚୟ ସେ ଜଣେ ଯୁବତୀ ହେଇଥିବେ । ନାଆଁଟା ବି ସେମିତି ହେଇଛି ।

   ମନକୁ ମନ କହିଲେ-'ଅନୁପମା ଦେବୀ ସେକ୍ରେଟାରୀ ନାମକୁ ମାତ୍ର ହେଇପାରନ୍ତି ମଧ୍ୟ । ଆଜିକାଲି ତ ସେଇମିତି ଚାଲିଛି । ସ୍ୱାମୀ କିମ୍ବା ଭାଇ ସବୁ କାମ କରୁଥିବେ । ନାମକୁ ମାତ୍ର ତାଙ୍କର ସ୍ତ୍ରୀ କିମ୍ବା ଭଉଣୀ ସେକ୍ରେଟାରୀ ଥିବେ । ବୋଧହୁଏ, ସ୍ୱାମୀ ତାଙ୍କର କୌଣସି ସରକାରୀ ଦପ୍ତରରେ ଚାକିରୀ କରୁଥିବେ । ପତ୍ନୀକୁ କାଗଜପତ୍ରରେ ଦର୍ଶାଇ ସଂଗଠନରୁ ଫାଇଦା ଉଠାଉଥିବେ । ଛାଡ଼ ସେ ଯାହା ହେଉ, ଆମ ଚିଠିର ଉତ୍ତର ତ ଯଥାଶୀଘ୍ର ସେମାନେ ଦେଇ ସାରିଛନ୍ତି । ତାଙ୍କର ପ୍ରୋଜେକ୍ଟ ରିପୋର୍ଟ ବି ଖୁବ ସୁନ୍ଦର ଭାବରେ ପ୍ରସ୍ତୁତ ହେଇଛି । ଏତେ ଗୁଡ଼ାଏ ଟଙ୍କା ମଂଜୁର କରିବା ପୂର୍ବରୁ ଫିଲଡ ଇନ୍ସପେକ୍ସନଟା କରିନେବା ନିହାତି ଦରକାର ।"


   ଆଗାମୀ ଶୁକ୍ରବାର ଦିନ 'ପ୍ରଭା'ର କାର୍ଯ୍ୟକ୍ରମ ଏବଂ କାଗଜପତ୍ର ଦେଖିବା ପାଇଁ ପ୍ରସ୍ତୁତ ହେଇପଡ଼ିଲେ-ମନୋଜବାବୁ । ଟେଲିଗ୍ରାମଟିଏ ପଠେଇ ଦେଲେ, ଅନୁପାମାଙ୍କ ଠିକଣାରେ ।

  ଠିକ ସମୟରେ ମନୋଜ ବାବୁଙ୍କ କାରଯାଇ ପହଞ୍ଚିଗଲା-'ପ୍ରଭା'ଏନଜିଓ ଗେଟ ପାଖରେ । 'ପ୍ରଭା'ର କର୍ମକର୍ତ୍ତାମାନେ ଅତ୍ୟନ୍ତ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥିଲେ । ଶଙ୍ଖ, ହୁଳହୁଳି ଧ୍ୱନିରେ ଉଛୁଳି ପଡ଼ିଲା 'ପ୍ରଭା'ର ଆଖପାଖ ଅଞ୍ଚଳ । ଅନ୍ତେବାସୀ ଅସହାୟ ବୃଦ୍ଧ-ବୃଦ୍ଧାମାନେ ନୂଆ ପୋଷାକ ପିନ୍ଧି କିଛି ଗୋଟାଏ ନୂଆ ଜିନିଷ ଦେଖିବାକୁ ବ୍ୟାକୁଳ ହେଇ ଭଙ୍ଗା ଚାଳଘର ବାରଣ୍ଡାରେ ଠିଆ ହୋଇଥା'ନ୍ତି । ଫୁଲମାଳକୁ ଧରି ମନୋଜ ବାବୁଙ୍କ ପାଖକୁ ଆଗେଇ ଆସୁଥିଲେ, ଜଣେ ତରୁଣୀ । ବେଶଭୂଷା ପରିପାଟୀ ଥିଲା ତାଙ୍କର ବେଶ ରୁଚି ସଂପନ୍ନ ଏବଂ ମୁହଁରେ ପୁଣି ଆଭିଜାତ୍ୟର ଛାପ ।

   ମନୋଜ ବାବୁ ଅନୁମାନ କରିନେଲେ, ଏହି ତରୁଣୀ ଜଣଙ୍କର ବୟସ ତେଇଶି କି ଚବିଶ ହେବ । ତେବେ ଇଏ ନିଶ୍ଚୟ ଅନୁଷ୍ଠାନର ସଂପାଦିକା, ସେହି ଅନୁପମା ଦେବୀ ହେଇଥିବେ । ଆଦର ଅଭ୍ୟର୍ଥନା ଓ ପୁଷ୍ପ-ମାଲ୍ୟ ଅର୍ପଣ ଭଳି ଫର୍ମାଲିଟି କାର୍ଯ୍ୟକ୍ରମ ଶେଷରେ ସମୀକ୍ଷା ବୈଠକ ବସିଲା, ତାଙ୍କର ଅନୁମାନ ସତ ହେଲା ।

     ସେହି ତରୁଣୀ ଜଣକ ଥିଲେ-ଅନୁଷ୍ଠାନର ସମ୍ପାଦିକା ଅନୁପମା ଦେବୀ ।


  ସାତ-ଆଠଜଣ ଯୁବକ ମନୋଜ ବାବୁଙ୍କୁ ପ୍ରତି ମୁହୂର୍ତ୍ତରେ ପ୍ରତ୍ୟେକ କାମରେ ସହଯୋଗ କରୁଥା'ନ୍ତି । ମନୋଜ ବାବୁଙ୍କର ବାମ ପାଖରେ ନୀରବରେ ବସି ସବୁ କାଗଜପତ୍ରକୁ ଠିକ ସମୟରେ ଯୋଗେଇ ଦେଉଥା'ନ୍ତି-ତରୁଣୀ ସଂପାଦିକା । ଅଳ୍ପ ଭାଷିଣୀ, ମଧୁର କଣ୍ଠି ତଥା ଖୁବ ଶୃଙ୍ଖଳିତ ପୋଷାକ ପରିହିତା ତରୁଣୀ ଜଣଙ୍କର ଆଚରଣ ମନୋଜ ବାବୁଙ୍କୁ ଯଥେଷ୍ଟ ପ୍ରଭାବିତ କରି ସାରିଥିଲା । ଜଳପାନ ପର୍ବରେ ଅନୁପମା ଦେବୀ ତାଙ୍କ ସହିତ ଉପଯୁକ୍ତ ସହଯୋଗ କରୁଥିଲେ ।


    ଚା' କପଟାକୁ ଉଠାଇ ଓଠରେ ଲଗାଉ ଲଗାଉ ମନୋଜ ବାବୁ ଅନୁପମା ଦେବୀଙ୍କ ମଥାକୁ ନିରୀକ୍ଷଣ କଲେ, ମଥାରେ ତାଙ୍କର ସିନ୍ଦୂର ଲାଗିନାହିଁ । ସେ ଆଶ୍ଵସ୍ତ ହେଲେ-ତରୁଣୀ ଜଣକ ଏବେ ବି ଅବିବାହିତା । ନିଜର ଅନ୍ୟମନସ୍କତାକୁ ଲୁଚେଇବାକୁ ଯାଇ, ସେ ତାଙ୍କୁ ପ୍ରଶ୍ନଟାଏ ପଚାରି ନେଲେ-"ମାଡାମ ! ପଢ଼ାପଢ଼ି କେତେବାଟ କରିଛନ୍ତି ?"

   -"ସୋସିଆଲ ସାଇନ୍ସରେ ପି.ଜି.।"

   -"ତେବେ ତ ଭଲକଥା । ଇଏସବୁ କାମରେ ଆପଣଙ୍କର ପାଠ ବି ନିଶ୍ଚୟ ସାହାଯ୍ୟ କରୁଥିବ ।"


   ଅଳ୍ପ ଟିକେ ହସିଦେଇ ଅନୁପମା ଦେବୀ ସମ୍ମତି ପ୍ରଦାନ କଲେ । ଜଣେ ଶିକ୍ଷିତା ସୁନ୍ଦରୀ ପୁଣି ଅବିବାହିତା ମହିଳାଙ୍କ ସହିତ ଅଦରକାରୀ କଥା ଗୁଡ଼ାଏ ପଚାରି ବୁଝିବା ବୋଧହୁଏ- ଭୁଲ ହେଉଛି ମନେକଲେ ମନୋଜ ବାବୁ । ତାଙ୍କର ବୟସ ଏବେ ଚାଳିଶି ପାଖାପାଖି । ପୁଅ-ଝିଅ ବଡ଼ ବଡ଼ ହେଲେଣି । ଅନ୍ୟ ଷ୍ଟାଫମାନେ ବି ତାଙ୍କର କାର୍ଯ୍ୟ-କଳାପକୁ ଖୁବ ସନ୍ତର୍ପଣରେ ନିରୀକ୍ଷଣ କରୁଛନ୍ତି । ତେଣୁ ସେ ଟିକେ ନିଜକୁ ସଂଯତ କରିନେଲେ । ନିଜେ ଯେଉଁ କାମରେ ଆସିଛନ୍ତି, ସେ କାମଟି ସୁରୁଖୁରୁରେ ହୋଇଗଲେ ଗଲା । ବାଜେ କଥାରେ ମୁଣ୍ଡ ପୂରେଇ ଲାଭ କ'ଣ ? ତାପରେ ଟିକେ ଅନ୍ୟମନସ୍କ ହେଇଗଲେ-ମନୋଜ ବାବୁ ।


   -"ସାର ! ମୁଁ ଭାବୁଛି, ଲଞ୍ଚ ପରେ ଆମେ ଟିକେ ଫିଲଡ଼ ବୁଲି ଆସିବା । ମୁଁ ଆପଣଙ୍କୁ ଯେଉଁ ପ୍ଲାନ ଦେଖଉଥିଲି, ସେଥିରେ ଟିକେ ମୁଁ ପରିବର୍ତ୍ତନ କରିବାକୁ ଚାହୁଁଛି, ଆପଣ ଯଦି ଅନୁମତି ଦେବେ, ମୁଁ ଆଉ ଗୋଟାଏ ଫ୍ରେସ ପ୍ଲାନ ତିଆରି କରି ପଠେଇ ଦେବି ।"

    ଅନୁପମାଙ୍କର ବୀଣାଜିଣା ମଧୁର କଣ୍ଠରୁ କଥା କେଇପଦ କାହିଁକି କେଜାଣି ମନୋଜ ବାବୁଙ୍କୁ ଖୁବଭଲ ଲାଗିଲା । ସେ ଆଖି ଉଠେଇ ଅନୁପମାଙ୍କର କହିବା ଢଙ୍ଗରୁ ଉପଭୋଗ କରୁଥିଲେ, କିନ୍ତୁ କେଉଁ ବିଷୟରେ ଅନୁପମା ଦେବୀ କି କଥା କହିଲେ, ଠିକ ଭାବେ ସେ ଶୁଣି ପାରିଲେ ନାହିଁ ।


‘ପ୍ରଭା’ର କର୍ମଚାରୀଙ୍କ ଅନୁରୋଧରେ ମନୋଜବାବୁ ଖିଆପିଆ ସାରି ପ୍ରସ୍ତାବିତ ଜରାଶ୍ରମ ସ୍ଥାନ ପରିଦର୍ଶନ କରିବାକୁ ବାହାରି ପଡ଼ିଲେ । ମନୋଜ ବାବୁ କାର ଭିତରେ ବସି ସୌଜନ୍ୟ ରକ୍ଷାକରି ପଚାରି ଦେଲେ -"କେହି ଯଦି ଆମ କାରରେ ଆସିବାକୁ ଚାହୁଁଛନ୍ତି ଆସନ୍ତୁ । କର୍ମଚାରୀ-କର୍ମକର୍ତ୍ତା ତାଙ୍କ ମଧ୍ୟରେ ପରସ୍ପର ପରସ୍ପରକୁ ଆଖିଠାରରେ କାର ଭିତରକୁ ଯିବାକୁ ପରାମର୍ଶ ଦେଉଥା'ନ୍ତି । କିନ୍ତୁ, କେହି ବି ଜଣେ ନିଜେ ଭିତରକୁ ପଶୁ ନଥା'ନ୍ତି । ଶେଷରେ ଅନୁପମା ଦେବୀ ମନୋଜ ବାବୁଙ୍କ ବାମପଟ ଡୋର ଖୋଲି କାରରେ ବସିଲେ । ମନୋଜ ବାବୁ ତାହା ହିଁ ଚାହୁଁଥିଲେ । ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରିସାରିଲାଣି । କେବଳ ସାହେବଙ୍କର ଇସାରା ପାଇଲେ ଚକ ଗଡ଼ିବ ।


    ମନୋଜ ବାବୁ ଅନ୍ୟମନସ୍କହେଇ ଭାବିଲେ-ଜଣେ ଅଳ୍ପ ପରିଚିତା ଯୁବତୀଙ୍କୁ ସାଙ୍ଗରେ ଧରି ଏତେ ଗୁଡ଼ାଏ ବାଟ ଏକୁଟିଆ ଯିବାଟା ଠିକ ହେବନାହିଁ । କେତେବେଳେ କେଉଁ କଥା । ସବୁ ବେଳେ ତ ସବୁ ଘଟଣା ଭଲରେ ଯାଏନାହିଁ । କେବେ ନା କେବେ, କେହି ନା' କେହି ଏ'ଘଟଣାଟିକୁ ନେଇ ଦୁର୍ଘଟଣାରେ ପରିଣତ କରିଦେଇପାରେ । ଯୁବତୀ ଜଣଙ୍କର ସ୍ୱାମୀ ସିନା ନାହାନ୍ତି, ତେବେ ତାଙ୍କର ଜଣେ ସହକର୍ମୀଙ୍କୁ ସାଙ୍ଗରେ ନେଇଯିବା ଉଚିତ ହେବ । ସେ ଡ୍ରାଇଭରକୁ ଆଦେଶ ଦେଲେ-"ଟିକିଏ ରୁହ । ପ୍ରଭାର ଆଉ କେହି ଜଣେ ଆମ ସାଙ୍ଗରେ ଆସନ୍ତୁ ।"

   ମନୋଜ ବାବୁଙ୍କର କଥା ମୁହଁରୁ ବାହାରି ସାରିଛି କି ନାହିଁ, ଜଣେ ଜିନ ପ୍ୟାଣ୍ଟ ଆଉ ଗଞ୍ଜି ପିନ୍ଧିଥିବା ରସିକ ଯୁବକ ତରବରହେଇ ଅନୁପମା ଦେବୀଙ୍କ ପାଖଡୋର ଖୋଲି ବସି ପଡ଼ିବାର ଉପକ୍ରମ କଲା ।

  ମନୋଜ ବାବୁ ଯୁବକଟିର ତରବରିଆ ପ୍ରବେଶକୁ ଲକ୍ଷ୍ୟକରି ମାନେ ମାନେ ଭାବୁଥିଲେ- "ଏ' ଯୁବକ ଜଣକ ଅନେକ ଦିନରୁ ଏହି ସୁଯୋଗରେ ଅପେକ୍ଷାରେ ହିଁ ଥିଲା ।


  ଜଣେ ସୁନ୍ଦରୀ ତରୁଣୀ ପାଖରେ ବସି ପଡ଼ିବା କିମ୍ବା ତା' ସଂସ୍ପର୍ଶରେ ଆସିବାର ସୁଯୋଗ କ'ଣ ସବୁବେଳେ ଆସେ ? ଯଦି ସୁଯୋଗ କେବେ ମିଳିଗଲା, ତା'କୁ କ'ଣ ହାତ ଛଡ଼ା କରିବା କଥା ? ଯୁବକ ଜଣକ ନିଶ୍ଚୟ ମୋ ଦୟାରୁ ଆଜି ଅନୁପମା ଦେବୀଙ୍କ ପାଖରେ ଅତି ନିବିଡ଼ ଭାବରେ ବସିବାର ସୁଯୋଗ ପାଇଯିବ । ନା'- ମୁଁ ତାକୁ ସେ ସୁଯୋଗ ଏତେ ସହଜରେ ଦେଇ ନ ପାରେ । ତାଙ୍କ ପାଟିରୁ ବାହାରି ପଡ଼ିଲା- "ରୁହ ରୁହ, ମାଡ଼ାମ ବସିଛନ୍ତି ପରା, ତାଂକୁ କ'ଣ ଦେଖାଯାଉ ନାହିଁ ? ଏକଦମ ଚଢି ଆସୁଛ ଯେ । ଆଗରେ ସିଟ ଖାଲି ଅଛି, ଡ୍ରାଇଭର ପାଖରେ ଯାଇ ବସ ।"


     ଜୋକ ମୁହଁରେ ଲୁଣ ଦେଲା ଭଳି ଯୁବକ ଜଣକ ନିଜ ଆଡ଼କୁ ସଂକୁଚିତ ହେଇଗଲେ । ଡ୍ରାଇଭର ଧଡ଼କରି ଆଗଗେଟ ଖୋଲିଦେଲା । ସୁନାପିଲା ପରି ଯୁବକ ଜଣକ ନୀରବରେ ଆଜି ସିଟରେ ବସି ରହିଲା ।

ମନୋଜ ବାବୁ ବୁଝିନେଲେ-'ପ୍ରଭା'ର ବୈତନିକ କର୍ମଚାରୀ ଏହି ବେକାର ଯୁବକ ଜଣକ ନିଶ୍ଚୟ ସାଧାସିଧା ମଣିଷଟିଏ । ଅନୁଷ୍ଠାନର ଲାଭ-କ୍ଷତି, ଭଲମନ୍ଦ, ଦେବା-ନେବା କିମ୍ବା ଅନୁପମା ଦେବୀଙ୍କ ସୁଖ-ଦୁଃଖରେ ତା'ର କିଛି ଯାଏ-ଆସେ ନାହିଁ । 

  ବେଶ ଏବେ ଗାଡ଼ି ଚାଲିଲା । ଏହା ଭିତରେ ଅଧ ଘଣ୍ଟାଏ ବିତି ଗଲାଣି । ଅତି ବେଶିରେ ଦୁଇଚାରି ପଦକଥା ଅନୁପମା କହିଛନ୍ତି ସିନା, କିନ୍ତୁ ମନୋଜ ବାବୁ ଭାବିଛନ୍ତି- ବହୁତ ଅଧିକ ।


   ଏଇ ପନ୍ଦର ସତର ବର୍ଷ ଚାକିରୀ ଭିତରେ ତାଙ୍କର ଅନେକ ଅଭିଜ୍ଞତା ରହିଛି । ଅନେକ ଜାଗାକୁ ସେ ପରିଦର୍ଶନ କରି ଲକ୍ଷ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଅନେକ ଲୋକଙ୍କ ସହିତ ସେ କାରରେ ଯାତ୍ରା କରିଛନ୍ତି । ଅନେକ ଲୋକଙ୍କ ସହିତ ଅନ୍ତରଙ୍ଗ ଭାବରେ ମିଶିଛନ୍ତି ସତ, କିନ୍ତୁ ଆଜି ତାଙ୍କୁ କେମିତି ଗୋଟାଏ ନୂଆ ଅଭିଜ୍ଞତା ଅର୍ଜନ କଲାଭଳି ସେ ଅନୁଭଵ କରୁଛନ୍ତି । ପାଖକୁ ଲାଗି କାର ଭିତରେ ବସିଛନ୍ତି -ଅନୁପମା ଦେବୀ । ସମୟଟା ଖୁବ ଦ୍ରୁତ ଗତିରେ ଗଡ଼ି ଚାଲିଛି । ତାଙ୍କର ମନେ ପଡ଼ିଗଲା-କେଉଁଠି ଗୋଟାଏ ବହିରେ ସେ ପଢିଥିଲେ- "ତତଲା ଲୁହା ଉପରେ ପାଞ୍ଚ ସେକେଣ୍ଡ ବସିଲେ, ତାହା ପାଞ୍ଚ ଘଣ୍ଟା ପରି ଲାଗେ, ଅଥଚ ଜଣେ ସୁନ୍ଦରୀ ତରୁଣୀର ସାନ୍ନିଧ୍ୟରେ ପାଞ୍ଚ ଘଣ୍ଟା, ମାତ୍ର-ପାଞ୍ଚ ମିନିଟ ଭଳି । ପ୍ରଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ ପୁଣି ଏ'କଥାକୁ ହିଁ ଆପେକ୍ଷିକ ତତ୍ୱ ବୁଝେଇବାକୁ ଯାଇ କହିଥିଲେ ।


    ମନୋଜ ବାବୁ ସମ୍ପୂର୍ଣ୍ଣ ଭାବେ ଅନ୍ୟମନସ୍କ ରହୁଥା'ନ୍ତି । ସେଦିନ ପ୍ରସ୍ତାବିତ ଜରାଶ୍ରମ ସ୍ଥାନ ପରିଦର୍ଶନ, ପ୍ଲାନ ସଂଶୋଧନ ପାଇଁ ଅନୁମତି ପ୍ରଦାନ ପାଇଁ ଯାହା ଯାହା କରିବା କଥା, ସେ ସବୁକାମ ଖୁବ ଶୀଘ୍ର ଶୀଘ୍ର ଶେଷ ହେଇଯାଇଥିଲା । ସନ୍ଧ୍ୟା ପୂର୍ବରୁ କାର ଫେରି ଆସିଲା- ପଦ୍ମପୁରର 'ପ୍ରଭା'ର ପୁରୁଣା ଭଙ୍ଗା ଚାଳଘର ପାଖକୁ ।

ମନୋଜ ବାବୁ ବାଟରେ ଭାବୁଥିଲେ-"ଆଜି ଯେତେଯାହା ସବୁକାମ ସହଜରେ କମ ସମୟ ମଧ୍ୟରେ ହେଇଗଲା-ସେ ସବୁ କେବଳ ଅନୁପମା ଦେବୀଙ୍କ ପାଇଁ ହିଁ ହେଇପାରିଲା । ମୋଟା ଅଙ୍କର ଅର୍ଥ ତୁରନ୍ତ ମଂଜୁର କରାଇ ଦେବାପାଇଁ ସେ ନିଶ୍ଚୟ ସବୁ ପ୍ରକାର ଚେଷ୍ଟା କରିବେ ।”


  ଗାଡ଼ିରୁ ଓହ୍ଲେଇ ପଡ଼ି ଅନୁପମା ଦେବୀ ମନୋଜ ବାବୁଙ୍କୁ ଚା' ପିଇବା ପାଇଁ ଅଳ୍ପ ସମୟ ଅପେକ୍ଷା କରିବାକୁ ଅନୁରୋଧ କଲେ ।

ସନ୍ଧ୍ୟା ସୁଦ୍ଧା ମନୋଜ ବାବୁ କେନ୍ଦୁଝରରେ ପହଞ୍ଚିବାକୁ ସ୍ଥିର କରିଥିଲେ । କିନ୍ତୁ ପଦ୍ମପୁରରେ ହିଁ ମୁହଁ ଅନ୍ଧାର ହେଲାଣି । ଏଣେ ମନଟା ତାଙ୍କର ଚଞ୍ଚଳ ହେଉଥାଏ ସିନା, ତଥାପି ସେ ଅନୁପମା ଦେବୀଙ୍କ ସହିତ ମିଶି ଚା' କପେ ପିଇବାର ଲୋଭକୁ ସମ୍ଭରଣ କରି ପାରିଲେ ନାହିଁ । ଯୁବକ ଜଣକ ଏହା ମଧ୍ୟରେ ଗେଟଖୋଲି କାର ଭିତରୁ ବାହାରି କୁଆଡ଼େ ଅଦୃଶ୍ୟ ହେଇଗଲାଣି ।


   ମନୋଜ ବାବୁ କାରରେ ବସି ବାହାରି ଅନୁପମା ଦେବୀଙ୍କୁ ସଚେତନ କରାଇଦେଲେ -"ଦେଖନ୍ତୁ, ସନ୍ଧ୍ୟା ସୁଦ୍ଧା ଆମର କେନ୍ଦୁଝରରେ ପହଞ୍ଚିବା କଥା । ଆପଣ କହୁଥିଲେ ପରା, କେନ୍ଦୁଝରରେ ରହୁଛନ୍ତି; ତାହେଲେ ଆମ କାରରେ ଆସନ୍ତୁ । ଆପଣଙ୍କ ଘରେ ଚା' କପେ ପିଇଦେଇ ସେଇଠୁ ସିଧା ଭୁବନେଶ୍ୱର ଚାଲିଯିବି ।”


     ଅନୁପମା ଦେବୀ ଟିକେ ନରମି ଯାଇ କହିଲେ-"ନାଇଁ ସାର ! ଏଇଠି ଚା' ରେଡ଼ିହେଇ ରହିଛି । ଆପଣ ଚା'ଟା ପିଇଦେଇ ସିଧା ଭୁବନେଶ୍ୱର ଚାଲି ଯାଆନ୍ତୁ । ଅଫିସରେ ଆଉ ଟିକେ ମୋର କାମଅଛି, ଆମେ ଦି'ଜଣ ତ ମୋଟର ସାଇକେଲରେ ଆସିଛୁ । ସାଙ୍ଗହେଇ ପୁଣି ରାତିରେ କେନ୍ଦୁଝର ଫେରିଯିବୁ ।


        ମନୋଜ ବାବୁଙ୍କ କାନ ଭାଁ ଭାଁ ହେଇଗଲା । ସେ କିଛି ବୁଝି ପାରିଲେ ନାହିଁ । କାହା ସାଙ୍ଗରେ ଏ' ସୁନ୍ଦରୀ ତରୁଣୀ ଜଣକ ପୁଣି ମୋଟର ସାଇକେଲରେ ବସି ରାତିରେ ଯିବେ ? ସେ ପଚାରିଦେଲେ- “କାହା ସାଙ୍ଗରେ ଆପଣ ରାତିଟାରେ ମୋଟର ସାଇକେଲରେ ଯିବାକୁ ଭାବିଛନ୍ତି ?"


   -"ସାର ! ଆମ କାରରେ ଯିଏ ବସି ଆମ ସହିତ ଯାଇଥିଲେ- ସେ ପରା ମୋ ମିଷ୍ଟର, ପୁଲିସ ଇନ୍ସପେକ୍ଟର ବୀରେନ ପଟନାୟକ । 'ପ୍ରଭା ' ଅନୁଷ୍ଠାନର ସେ ହେଉଛନ୍ତି ସର୍ବେସର୍ବା ।"

   ମନୋଜ ଵାବୁ ଚମକି ପଡ଼ି ତରବରହେଇ ଏଣିକି ତେଣିକି ଦେଖୁଥିଲେ, ଆଉ ମନେ ପକାଉଥିଲେ-"ମୁଁ ବାଟରେ ଅନୁପମା ଦେବୀଙ୍କ ସହ କିଛି ଅବାନ୍ତର କଥା ହେଇନାହିଁ ତ !”

    ଏତିକିବେଳେ ବୀରେନ ବାବୁ ଚା' କପେ ଧରି ଆସି ମନୋଜ ବାବୁଙ୍କୁ ବଢ଼େଇ ଦେଲେ ।


  ଦୁଇଢ଼ୋକରେ ଗରମ ଚା' କପଟାକୁ ଶେଷ କରିଦେଲେ-ମନୋଜବାବୁ । ଡ୍ରାଇଭର ଗାଡ଼ି ଷ୍ଟାର୍ଟରେ ରଖିଥାଏ, ଖାଲି ଇସାରା ପାଇବା ମାତ୍ରେ ସେ ଦ୍ରୁତଗତିରେ କେନ୍ଦୁଝର ଆଡ଼କୁ ଚକା ଗଡ଼େଇ ଦେଲା ।


Rate this content
Log in

Similar oriya story from Romance