ଅନୁଭୂତିରୁ କିଛି
ଅନୁଭୂତିରୁ କିଛି
ମୋର ବି ଅନୁଭୁତି ଅଛି କାଳିଆକୁ ନେଇକି। ମୁଁ ବି ତାକୁ ଗାଳି କରେ, ଅଭିମାନ କରେ ତା ଉପରେ ।ହୁଏତ ମୋ ଅଭିମାନକୁ ଡେରିରେ ହେଉ ପଛେ ସେ ବୁଝିପାରେ।ପ୍ରଥମ ଥର ଆମ ପରିବାର ଯେତେବେଳେ ପୁରୀ ଯାଇଥିଲୁ ସେତେବେଳେ ଆମେ ଭାଇ ଭଉଣୀ ଦିଜଣ ବହୁତ ଛୋଟ ଥିଲୁ ହେଲେ ବି ଆମର ଖୁସି କହିଲେ ନ ସରେ। ଠାକୁର କ'ଣ ସେଇଟା ବି ମୁଁ ଠିକ୍ରେ ବୁଝି ନଥିଲି ତଥାପି ବି ତାକୁ ପ୍ରଥମ ଥର ଦେଖି ଭାବ ବିହ୍ୱଳ ହୋଇ କାନ୍ଦି ପକେଇଥିଲି।ଆମେ ପ୍ରଥମ ଥର ଯେହେତୁ ଯାଇଛୁ ବହୁତ ଖୁସି ଲାଗୁଥିଲା।ଆମ ପାଖରେ ସମୟ ନଥାଏ ଆମେ ମାତ୍ର ଦି, ତିନି ଘଣ୍ଟା ପାଇଁ ଭୁବନେଶ୍ବରରୁ ପୁରୀ ଯାଇଥିଲୁ। ପ୍ରଥମ ଦେଖାରେ ସେ ଏମିତି ଏତେ ବଡ଼ ଧୋକା ଦେବ ଆମେ ଭାବି ନଥିଲୁ। ସେଦିନ ଆମେ ଖୁସି ଥିଲେ ମଧ୍ୟ ଆମ ମନ ଭିତରେ ଏକ ପ୍ରକାର ଭୟ ଲାଗୁଥାଏ କାହିଁକି କେଜାଣି। ପୁରୀରେ ଆମେ ଅବଢ଼ା ଖାଇ ନଥିଲୁ ପେକ୍ କରିକି ଆଣିକି ଆସିଲୁ। ବାପା ପୁରୀରେ ଅବଢ଼ା କିଣିଲା ବେଳେ ପାଖରେ ଗୋଟିଏ ଏସ୍.ଟି.ଡି ରୁ ଘରକୁ ଫୋନ୍ କରିଥିଲେ କିନ୍ତୁ କିଛି କାରଣରୁ ଲାଗି ନଥିଲା ଆଉ ବାପା ବହୁତ ମନଦୁଃଖ ବି କରିଥିଲେ ଜମା ଭଲ ଲାଗୁନି ଏଠି ଖାଇବାନି ନେଇକି ଯିବା ବୋଲି ପେକ୍ କରି ଆଣିଥିଲେ କିନ୍ତୁ ଭୁବନେଶ୍ଵର ରେ ପହଞ୍ଚିବା ପରେ ଦୁଃଖ ଖବର ଶୁଣି ଆମେ ଆଉ ଖାଇ ନଥିଲୁ। ଦୁଃଖ ଖବର ଏଇଆ ଯେ ଯେତେବେଳେ ଆମେ ରାତି ଦଶଟା ରେ ଭୁବନେଶ୍ୱରରେ ପହଞ୍ଚିଲୁ ଶୁଣିଲୁ ମୋ ଜେଜେ ବାପା ଆଉ ନାହାନ୍ତି। ସେତେବେଳେ ତ ଲ୍ୟାଣ୍ଡ୍ ଫୋନ୍ ଚାଲିଥିଲା ଆମ ପାଖ ଘରକୁ ଫୋନ୍ କରି ଜାଣିଲୁ ଜେଜେ ବାପା ଯିବା ସମୟ ଓ ଆମେ ଅବଢ଼ା କିଣିବା ସମୟ ପୂରା ସମାନ।ଆମର କେତେ ଦୁର୍ଭାଗ୍ୟ ଆମେ ଭୁବନେଶ୍ୱରରୁ ବାହାରିଲେ ଆମ ଘରେ ବାର ଘଣ୍ଟାରେ ପହଞ୍ଚି ଥାଉ କିନ୍ତୁ ସେଇ ଥର ଆମେ ଘରେ ପହଞ୍ଚିବାକୁ ପୂରା ଚବିଶି ଘଣ୍ଟା ଲାଗିଥିଲା। ସମ୍ବଲପୁରରେ ପହଞ୍ଚିଲୁ ସେଠି ଟ୍ରେନ୍ ଟିକେ ଆଗରୁ ଛାଡିଦେଲା ପଛ ଟ୍ରେନ୍କୁ ଅପେକ୍ଷା କରି କେସିଙ୍ଗା ଆସିଲା ବେଳକୁ ସେଠି ପୁଣି ଟ୍ରେନ୍ ନଥିଲା ଏମିତି ହେଇ ମନ ପୂରା ଅଥୟ ଲାଗୁଥାଏ ଘରେ କେତେ ବେଳେ ପହଞ୍ଚିବୁ।ପୁଣି ଆମେ ଟ୍ରେନରେ ଥାଉ ଗୋଟିଏ ବଡ଼ ଦୁର୍ଘଟଣାରୁ ବଞ୍ଚିଲୁ।ଟ୍ରାକ୍ ମଝିରେ ବଡ଼ ପଥର ଟେ ଥୁଆ ହେଇଥିଲା ଆଉ ଟ୍ରେନ୍ ପୂରା ହଲିଗଲା । ଲୋକ ରଡି ଛାଡୁଥାନ୍ତି। କିନ୍ତୁ ସେଇଟା ହୁଏତ କାଳିଆର ହିଁ ଦୟା ଥିଲା କିଛି ଅଘଟଣ ରୁ ଆମେ ବର୍ତ୍ତି ଯାଇଥିଲୁ।
ଜଗା ପାଖକୁ ଯିଏ ପ୍ରଥମ ଥର ଯାଏ ନିଶ୍ଚିତ କିଛି ନା କିଛି ଗୋଟେ ଅନୁଭୂତି ଆଣିକି ଆସେ ତା ପାଖରୁ।ଏଇଟା ଥିଲା ମୋର ପ୍ରଥମ ଥର ଅନୁଭୂତି।
ତା ପର ଠୁ ଏବେ ଯାଏ ବହୁତ ଥର ଗଲୁଣି ପୁରୀ ଖୁସିରେ ଖୁସିରେ ଫେରୁ ।ତା ପରଠୁ କିଛି ନା କିଛି ସିଏ ଦେଇଛି। କିନ୍ତୁ ଏବେ ବି ମୋର ବହୁତ ରାଗ ହୁଏ ତା ଉପରେ କାହିଁକି ନା ଘରେ ଯେଉଁ ମାନେ ଥିଲେ ସମସ୍ତେ କୁହନ୍ତି ଜେଜେବାପା ଆମକୁ ସେଦିନ ବହୁତ ମନେ ପକାଉଥିଲେ ଆଉ ତାଙ୍କୁ ଶେଷ ଥର ପାଇଁ ଦେଖିବା ହୁଏତ ଆମ ଭାଗ୍ୟରେ ନଥିଲା ।