ଅଙ୍କାବଙ୍କା ରେଖାର କୋହ
ଅଙ୍କାବଙ୍କା ରେଖାର କୋହ


ଅମନ କହି ଦେଇ ଚାଲିଗଲେ ମୋ ଆତ୍ମହତ୍ୟା ପାଇଁ ତୁମେ ନବେ ଶତକଡ଼ା ଦାୟୀ । ମିନୁ ସେଇଠି ବସି ଭାବୁଥିଲା ଆକାଶଠୁ ପାତାଳ । ଏମିତି କଣ ବା ହୋଇପାରେ । ଭୁଲଟା କୋଉଠି । ଅଭିଯୋଗ କରିବା ପାଇଁ ଆତ୍ମୀୟ ନ ଥିଲେ । ଅବଶୋଶ କରିବା ପାଇଁ ଆୟୁଷ ନ ଥିଲା । ହଁ ଈଶ୍ୱରଙ୍କୁ ଗୋଟିଏ ଅନୁରୋଧ ଥିଲା । ତୁମ ସ୍ୱୀକୃତିରେ ହାତ ଧରିଥିଲି ମୁଁ ଅମନର । ଏକ ଧୁ ଧୁ ଖରାବେଳେ କହିଥିଲି ହେ ପ୍ରଭୁ ଯଦି ବାହା ହେବାଟା ନିଶ୍ଚିତ ତାହେଲେ ତୁମେ ସାଥିଟିଏ ବାଛିଦିଅ । ମୁଁ ସ୍ଵୀକାର କରିନେବି ତୁମ ନିଷ୍ପତ୍ତିକୁ । ଆଜି ଅନୁରୋଧ ଥିଲା ମୋତେ ଶକ୍ତି ଦିଅ ମୋ ପ୍ରାରବ୍ଧ ଭୋଗିବାକୁ । ବାହା ଅଳତା ନ ଲିଭୁଣୁ ଅନେକ କଟୁ ସମାଲୋଚନାର ଶୀକାର ହୋଇଥିଲି, ଯେହେତୁ ଅମନ ମୋତେ ଭଲ ପାଇ ବାହା ହୋଇଥିଲେ । ଏଇ ସମାଲୋଚନା ଭିତରେ କେତେବେଳେ ଅମନ ନିଜ ନିଷ୍ପତ୍ତିକୁ ନେଇ ଅବଶୋଶ କରିବା ଆରମ୍ଭ କରିଦେଇଥିଲେ ମୁଁ ଜାଣିନଥିଲି । ତାଙ୍କ ପରିବାରଵର୍ଗ ଅପମାନ ଦେଉଥିବା ବେଳେ ମନ ଭାରି ଖୋଜୁଥିଲା ଅମନ ମୋ ପାଇଁ ପଦେ କହନ୍ତେନି । ଏଇଠୁ ଆହତ ମନ ମୋର ଦଗ୍ଧ ହେବା ଆରମ୍ଭ କରିଥିଲା । ତାଳିପକା ଜୀବନଟେ ଜୀଇଁବା ଆରମ୍ଭ କରିଥିଲି ମୁଁ । ବାଧ୍ୟ ବାଧକତାରେ ଆମେ ସାଙ୍ଗରେ ଥିଲୁ । ରାସ୍ତା ଅଲଗା କରିନେବାର ନିଷ୍ପତ୍ତି ବାରମ୍ବାର ନେଉଥିଲେ ବି ବୋଧହୁଏ ଆମର ଅଭିଶାପ ଭୋଗିବାର ସମୟ ସରିନଥିଲା । ଏଇ ହଁ, ନାଁ, ବାଦ, ବିବାଦ, ଆରୋପ, ଦୋଷାରୋପ ଭିତରେ ଗୀତି ଆସିଥିଲା ଆମ ଜୀବନରେ । ଭାବିଥିଲି ବୋଧହୁଏ ସବୁ ଠିକ ହୋଇଯିବ । କିନ୍ତୁ ସମସ୍ୟା ସରୁନଥିଲା । ବାରମ୍ବାର ଅପମାନ ପାଇ ହିଂସ୍ର ହୋଇଯାଉଥିବା ମୁଁ କୁ କଣ ସମ୍ଭାଳିବାରେ ତୁମର କିଛି ଦାୟୀତ୍ୱ ନ ଥିଲା । ରକ୍ତର ଆକର୍ଷଣରେ କଣ ତୁମେ ତୁମର ସବୁ ବିଫଳତାର ଶ୍ରେୟ ମୋତେ ଦେବା ଠିକ ଥିଲା । ମୁଁ ସ୍ତ୍ରୀର କର୍ତ୍ତବ୍ୟ କରୁନଥିଲି.. ସ୍ଵୀକାର କରିଲି ତୁମର ଅଭିଯୋଗ କିନ୍ତୁ ତୁମେ କେବେ ସ୍ୱାମୀଟିଏ ହୋଇ ମୋ ମର୍ଯ୍ୟାଦା ରଖିବାକୁ ଆଗେଇ ଆସିଛ । ମୁଁ ଭାଙ୍ଗୁଥିବା ସମୟରେ ତୁମେ ଯଦି ସାଉଁଟି ନେଇଥାଆନ୍ତ ତାହେଲେ କଣ ଜୀବନଟା ଏମିତି ହୋଇଥାଆନ୍ତା । ମୁଁ ବି ମଣିଷ । ମୋ ଭିତରେ କଣ ରାଗ, ରୋଷ, ମାନ, ସମ୍ମାନ ରହିବନି । ସତ କହିଲ ତୁମେ କଣ କେବେ ଭଲ ଭାଇଟେ ହୋଇ ପାରିଲ, ନା ଭଲ ପୁଅ । ଏ ପାଇଁ ବି କଣ ମୁଁ ଦାୟୀ । ନିଜକୁ ଥରେ ପଚାରିଲ, ତୁମମାନଙ୍କର ସମ୍ପର୍କ କଣ ଏତ
େ ଦୃବଳ ଥିଲା ଯେ ମୋ ଛୁଆଁ ବାଜି ସବୁ ଭାଙ୍ଗି ଗଲା । ମୋର ଭୁଲ କଣ ଥିଲା ଜାଣିଛ ମୁଁ ମୋ ମନର କଷ୍ଟକୁ ନିଜ ଭିତରେ ରଖିପାରୁନଥିଲି । ବାଣ୍ଟି ଦେଉଥିଲି ତୁମ ସହିତ ଆଉ ସେଥିପାଇଁ ବୋଧେ ତୁମେ ବେଶ ପରିଚିତ ଥିଲ ମୋ ସବୁ ଦୁର୍ବଳତା ସହିତ । ଅଭିଶପ୍ତ ଜୀବନକୁ ଭୋଗୁଥିଲୁ ଆମେ ପ୍ରେମ ନାଆଁରେ ଲୋକଙ୍କ ଚକ୍ଷୁଶୀଳ ହୋଇ । ଅମନ ଜୀବନ କଣ ଏମିତି ଜୀଇଁହୁଏ । କେତେ ଆଶ୍ଚର୍ଯ୍ୟ କହିଲ ଆଜକୁ ବାର ବର୍ଷ ତଳେ ମୋତେ ପାଇବା ପାଇଁ ଆତ୍ମହତ୍ୟା କରିବା କଥା ଭାବୁଥିଲ ଆଉ ଆଜି ତୁମ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେବାରେ ମୋତେ ନବେ ଶତକଡା ଦାୟୀ କରୁଛ । ଏମିତି କଣ ହୁଏ । କେବେ ମୋ ମାନସିକତାକୁ ବୁଝିବାକୁ ଚେଷ୍ଟା କରିଛ । ସାରା ଦୁନିଆଁକୁ ପର କରି ତୁମ ହାତ ଧରି ଆସିଥିବା ଲୋକଟା ଭାଙ୍ଗିଯାଉଥିବା ବେଳେ ଯଦି ତା କାନ୍ଧରେ ତୁମ ହାତ ପାଇଥାଆନ୍ତା, କଣ ଆଜିର ଦୃଶ୍ୟ ବଦଳି ଯାଇ ନ ଥାଆନ୍ତା । ମୁଁ ସ୍ଵୀକାର କରିଲି ତୁମର, ତୁମ ଭଉଣୀ, ବାପା, ମାଆ ସମସ୍ତଙ୍କ ଅଭିଯୋଗକୁ । ପୁଣି ସ୍ଵୀକାର କରିଲି ମୋ ପାଇଁ ନର୍କ ତୁମ ଜୀବନ ନର୍କ ହୋଇଥିବାର ଆକ୍ଷେପକୁ । ସତରେ କଣ ଏମିତି ହୋଇଛି । ମୋର କଣ କିଛି କ୍ଷତି ହୋଇନି । ମୁଁ କଣ ସ୍ଥିର କରିଲି ଜାଣିଛ,ଏ ସମ୍ପର୍କ ମୁଁ ସ୍ଥିର କରିନଥିଲି । ମା ଘଣ୍ଟେଶ୍ୱରୀ ସ୍ଥିର କରିଥିଲେ । ମୁଁ ଯେତେବେଳେ ବିକଳ ହୋଇ କହିଥିଲି, ବିବାହ କରିବାଟା ଯଦି ନିଶ୍ଚିତ ତାହେଲେ ତୁମେ ମୋ ପାଇଁ ସାଥି ସ୍ଥିର କର, ମୁଁ ବିନା ପ୍ରଶ୍ନରେ ମାନିନେବି । ଆଜି ବି ଠିକ ସେମିତି ହେବ ,ମୁଁ ବିନା ଅଭିଯୋଗ, ଅବଶୋଶରେ ମାନିନେବି ମୋ ଭାଗ୍ୟରେଖାକୁ, ଅପେକ୍ଷା କରିବି ଅଭିଶପ୍ତ ଆୟୁଷର ସମାପ୍ତିକୁ, କିନ୍ତୁ ପ୍ରଶ୍ନବାଚୀଟିଏ ତୁମ ପାଇଁ ..କଣ ମୋ ଭାଙ୍ଗିଯିବାର କାରଣ ତୁମେ ନୁହେଁ... ତୁମ ପଦେ ଆଶ୍ୱାସନାର ଅଭାବ ନୁହେଁ... ତୁମ ପ୍ରାରବ୍ଧ ନୁହେଁ.... ଏତେ ନୁହେଁ ନୁହେଁ ଭିତରେ ତୁମେ ଘାଣ୍ଟି ହେଉଥାଅ....ଛନ୍ଦି ହେଉଥାଅ ବାରମ୍ବାର ମୋ ଛଳ ଛଳ ସରଳ ଜୀବନକୁ ଅଙ୍କାବଙ୍କା କରିଦେବାର ଦ୍ଵନ୍ଦ୍ୱରେ...କେବେ ନା କେବେ, କୋଉଠି ନା କୋଉଠି ଏ ପ୍ରଶ୍ନର ଉତ୍ତର ପାଇବ ନିଶ୍ଚୟ..... ଆଉ ସେତେବେଳେ ବୋଧେ ଅଭିଶାପ ଭୋଗିବାର କଣ୍ଟ ପୁରା ହୋଇ ଯାଇଥିବ ଆଉ ତୁମେ ଖୁବ ଝୁରୁଥିବ ଚକ୍ଷୁଶୀଳ ସେଇ ତଥା କଥିତ ପ୍ରେମକୁ ଆଉ ମୁଁ ନିଜକୁ ଦୃଢ କରିନେଇଥିବି ନିଜ ପାଇଁ ନିଜେ ଲଢ଼ିବାକୁ..…...