STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

ଅନୁଚ୍ଚାରିତ ଶବ୍ଦର କୋଳାହଳ

ଅନୁଚ୍ଚାରିତ ଶବ୍ଦର କୋଳାହଳ

3 mins
203


....,


ସମ୍ବୋଧନ କରିବା ପାଇଁ ମନ କହୁନି । ସମ୍ପର୍କଟିଏ ଯଦିଓ ଯୋଡିଥିଲା, ତାର ମାନ ତୁମେ ରଖିଲନି । ନାଲି ଟୁକଟୁକ ସାଧବ ବୋହୁ ହୋଇ ତୁମ ଘର ଏରୁଣ୍ଡିରେ ଛିଡା ହୋଇଥିଲି । ତୁମ ପସନ୍ଦର ଝିଅ ନ ଥିଲି ବୋଲି ନିଜ ଅନିଚ୍ଛାପଣକୁ ଜୋର କରି ଜାହିର କରିଥିଲ ମୋତେ ଅପମାନିତ କରି,ମୋ ପିନ୍ଧାପିନ୍ଧିକୁ ତୁମ ପରମ୍ପରାର ମୁଦ ଦେଇ । ସେଇ ମୁହୂର୍ତ୍ତରୁ ଦୁଇ ଭାଗ କରିଦେଇଥିଲ ତୁମ ପୁଅକୁ । ଖୁବ ଅସ୍ପଷ୍ଟ ଦାଗ ଟିଏ ସୃଷ୍ଟି ହୋଇ ଯାଇଥିଲା ଆମ ଦୁହିଁଙ୍କ ଭିତରେ । ସତ କହିଲ ତୁମ ପୁଅର ମିଠା ସ୍ୱପ୍ନକୁ ଏମିତି ପାଦରେ ଦଳି ଦେବାର ଯନ୍ତ୍ରଣା କେବେ ଏକୁଟିଆ ବେଳେ ଅନୁଭବ କରିନ । ଘରକୁ ବୋହୁ ଆସିଲେ ଅଧିକାର ହସ୍ତାନ୍ତର ହୋଇଯାଏ ଆପେ ଆପେ । ଘରର ଲକ୍ଷ୍ମୀ ହୋଇଯାଏ ସେ । ଲକ୍ଷ୍ମୀ ନ ହେଲା ନାହିଁ, ଅତିଥି ଭାବି ରହିବା ପାଇଁ ବ୍ୟବସ୍ଥା ବି କରିଲନି । ହାତେ ଓଢଣା ଟାଣି ଘର କୋଣରେ ବୁକୁଚା ଭଳି ଲୁହ ଜୁଡୁବୁଡୁ ହୋଇ ବାରହାତିଆ ଶାଢ଼ୀରେ ପଡି ରହିଥିଲ ବୋଲି ବୋଧହୁଏ ମୋ ସ୍ୱାତନ୍ତ୍ର୍ୟତାକୁ ସ୍ଵୀକାର କରି ପାରିଲନି । ତୁମ ପୁଅ ତାର ନବବିବହିତା ସ୍ତ୍ରୀ ଆଗରେ ନିଜକୁ ଅସହାୟ ମନେକଲା ବେଳେ ତୁମେ ତା ଶୁଖିଯାଇଥିବା ଲୁହକୁ ଚିହ୍ନି ପାରିଲନି କେମିତି । 

ନିଜ ଇଚ୍ଛାରେ ହାତ ଧରିଥିଲେ ବୋଲି ସମସ୍ତଙ୍କୁ ଭଲରେ ଅଛନ୍ତି କହି ଦୂରକୁ ଚାଲିଗଲା ପରେ ସବୁ ଦୋଷ ମୋ ଉପରେ ଲଦିଦେଲ । ଅନେକ ବର୍ଷ ବିତିଗଲାଣି । ସମୟ, ସୁବିଧା ଦେଖି ତୁମ ଘରର ସାନ ସଦସ୍ୟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଅନେକ କଟୁ କଥା କହିଛ । ସୀମା ନ ଡେଇଁବା ପାଇଁ ମୋର ସମସ୍ତ ଚେଷ୍ଟା ସତ୍ତ୍ୱେ ମୁଁ ଚୁପ ରହିପାରିନି । ପ୍ରତିବାଦ କରିବାର ଫଳ ସ୍ୱରୂପ ଗୁଡ଼ାଏ ଅଭିଶାପ ଦେଲ । ଆମ ଭିତରେ ଅନେକ ତିକ୍ତତା ଭରିଦେଲ । ସେଇ ତିକ୍ତତାର ମିଠା ସ୍ଵାଦରେ ତୁମେ ଆହ୍ଲାଦିତ ହେଲ । ପର ଝିଅକୁ ନିଚା ଦେଖାଇବା ପାଇଁ, ତାକୁ ଆଘାତ ଦେବା ପାଇଁ ନିଜ ସନ୍ତାନର ସଂସାରରେ ଏମିତି କଟୁତା ସହ୍ୟ କରିହୁଏକି । ସେଇଦିନ ତୁମ୍ଭମାନଙ୍କ ପ୍ରତି ଥିବା ସମସ୍ତ ଅଭିଯୋଗକୁ ପୁଟୁଳି କରି ଠାକୁର ଖଟୁଲି ତଳେ ରଖିଦେଲି ବିଚାର, ପରିଣାମ ସବୁ ତାଙ୍କ ହାତରେ ସମର୍ପଣ କରିଦେଇ । ମୁକ୍ତ କରିଦେଲି ତୁମ ପୁଅକୁ ସବୁ ଦ୍ଵିବିଧାରୁ । ମାତୃ ଋଣ ସୁଝିବା ନାଁରେ ମୋତେ ଦେଇଥିବା ପ୍ରତିଶ୍ରୁତିକୁ ଜଳେଇ ଦେଲି ତୁମର ମୋ ପ୍ରତି ଥିବା ଈର୍ଷାର ନିଆଁରେ । ଈଶ୍ବରଙ୍କୁ ପ୍ରାଥନା କରିଲି ମୋତେ କନ୍ୟା ସନ୍ତାନର ମାତୃତ୍ୱ ଦେବା ପାଇଁ । ଭୟ କଲି ଯଦି ମୁଁ ବି ଆଉ ଗୋଟିଏ ତନୁପ୍ରିୟାର ସୁଖର ହତ୍ୟାକାରୀ ହୋଇଯିବି । 

ମୋ ପ୍ରତି କରିଥିବା ଅବିଚାର ପାଇଁ ତୁମର କେବେ ଖରାପ ଭାବିନି । କିନ୍ତୁ ତୁମେ ମୋତେ ଖୁବ ମାନସିକ ଯନ୍ତ୍ରଣା ଦେଲ । ମୋ ଠାରୁ ସବୁ ଛଡେଇନେବାର ଜିଦରେ ନିଜ ହାତରେ ତୁମ ନିଜ ସନ୍ତାନର ସବୁ ଖୁସିରେ ଗ୍ରହଣ ଲଗେଇଦେଲ । ତୁମ ଅଭିଶାପ ଭୋଗିବାର ମାନସିକ ପ୍ରସ୍ତୁତି ମୁଁ କରିସାରିଲିଣି । ଏବେ ଅନ୍ତତଃ ମୋତେ ତୁମେ ମୁକ୍ତ କର ତୁମ ଚକ୍ରାନ୍ତର ବ୍ୟୂହରୁ.....ମୋ ଭାଗର ସୁଖ, ଶାନ୍ତି ମୋତେ ଜୀଇଁବାକୁ ଦିଅ । ନହେଲେ ମୋ ଅବଚେତନ ମନ କାମନା କରି ନ ବସୁ ବନ୍ଧ୍ୟା ପୃଥିବୀ । 

    " ତନୁପ୍ରିୟା"


 ଘର, ବାହାର ହେଉଥିଲା ନିର୍ମଳା । ଝିଅର ଝିଅ ବାହାଘର ଆଜି ସ୍ଥିର ହେବାର ଥିଲା । କେମିତି ଘର ମିଳିବ ସେଇ ଚିନ୍ତା ଖାଇ ଯାଉଥିଲା । ଆଜି ମନେ ପଡୁଥିଲା ତନୁପ୍ରିୟା । ମୋ ପୁଅର ସ୍ତ୍ରୀ । ଏତିକି ବେଳେ ଏ ଚିଠି । ଖୋଲି ପଢିବା ବେଳକୁ ଅପେକ୍ଷା କରିଥିଲା ଏକ ବିସ୍ଫୋରଣ ଯେଉଁଥିରେ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲି ମୁଁ । ପ୍ରତିଟି ଖଣ୍ଡରେ ପ୍ରତିବିମ୍ବିତ ହେଉଥିଲା ମୋ ଅତୀତ... । 

ମାଆ ଲୋ ତୋ ନାତୁଣୀ ବାହାଘର ଠିକ ହୋଇଗଲା । ଶାଶୂଟା ଅଛି ଯେ, ହେଲେ ଆଉ କେତେଦିନ । ଚାଲିଗଲା ପରେ ମୋ ଝିଅ ରାଣୀ ହୋଇ ରହିବ । ଭଲ ପାଇ ବାହା ହେଉଛି ପରା, ସମର୍ଥ କଣ ତାର କୌଣସି କଥାରୁ ବାହାରିଯିବେ । ନିତୁର କଥାରେ ଚିପୁଡି ହୋଇଗଲା ମୋ ଅନ୍ତର... କେଜାଣି କାହିଁକି ଦାଢିଆ ମୁହଁରୁ ଆଜି ବି ସ୍ପଷ୍ଟ ଦେଖାଗଲା ଦୁଇଧାର ଶୁଖିଯାଇଥିବା ଲୁହ ଆଉ ମୁଁ ମାରିଦେଇଥିବା ସ୍ୱପ୍ନର କଙ୍କାଳ । ଜନ୍ମର ଋଣ ଆଦାୟ କରିବାକୁ ଯାଇ ମୁଁ ମାଗିନେଇ ଥିଲି ମୋ ପୁଅର ସବୁ ସୁଖ.. ଦାମ୍ପତ୍ୟ ଆଉ ଅପତ୍ୟ ବି...ଯଦି ତନୁପ୍ରିୟାର ମା ଏମିତି କାମନାଟେ କରିଥାଆନ୍ତେ... ଯଦି ସମର୍ଥର ମା ମାତୃ ଋଣ ନାଁରେ ମାଗିନିଅନ୍ତି ମୋ ନାତୁଣୀର ଖୁସି...ଯେମିତି ମୁଁ...

ଆଉ ଭାବି ପାରୁ ନ ଥିଲେ ନିର୍ମଳା...

ତୁହାଇ ତୁହାଇ ପଦଟିଏ କୋରି ନେଉଥିଲା ...ଆଉ ଯଦି ପୁଣି କାହାକୁ କାମନା କରିବାକୁ ପଡିବ ବନ୍ଧ୍ୟା ପୃଥିବୀ.....

କେଜାଣି ମୋ ଅଭିଶାପ କିଏ ଭୋଗିଲା... ତନୁପ୍ରିୟା ନା ମୋ ନିଜ ସନ୍ତାନ... ମୋ ପୁଅର ସୁଖର ସମାଧି ମୁଁ ବନେଇଥିଲି ନା ତନୁପ୍ରିୟା....ସବୁ ଛଡେଇନେବାର ଜିଦରେ କିଏ ନିଃସ୍ୱ...ମୁଁ ନା ତନୁପ୍ରିୟା..

ଅନୁଚ୍ଚାରିତ ଶବ୍ଦର କୋଳାହଳରେ ମୁଁ ନିଃସ୍ୱ ନିର୍ମଳା କାମନା କରୁଥିଲି ଈର୍ଷା, ଅହଂକାର, ଅଧିକାର ଛିନ୍ନ ହେବାର ଭୟ ଶୂନ୍ୟ ପୃଥିବୀ....



Rate this content
Log in